Unknown

 

 

 

 

 

 

 

 

 

ମୃଗନୟନୀ

(ଐତିହାସିକ ଉପନ୍ୟାସ)

 

ଅନୁବାଦ

ଶ୍ରୀ ନୀଳମଣି ମିଶ୍ର

 

ଦି'ପଦ

 

ସ୍ଵର୍ଗତ ଡକ୍ଟର ବୃନ୍ଦାବନ ଲାଲ ବର୍ମା ହିନ୍ଦୀ ଜଗତର ଜଣେ ସ୍ୱନାମ ଧନ୍ୟ ଯଶସ୍ୱୀ ଔପନ୍ୟାସିକ । ତାଙ୍କ ଲିଖିତ 'ଝାନ୍‍ସୀରାଣୀ ଲକ୍ଷ୍ମୀବାଈ' ବିରାଟକୀ ପଦ୍ମିନୀ', 'ଗଢ଼କୁଣ୍ଡାର', 'ମୃଗନୟନୀ', ପ୍ରଭୃତି କେତେଖଣ୍ଡି ପ୍ରଖ୍ୟାତ ଐତିହାସିକ ଉପନ୍ୟାସ କେବଳ ହିନ୍ଦୀସାହିତ୍ୟର ଯେ ଶ୍ରୀବୃଦ୍ଧି କରିଅଛି ତା'ନୁହେ, ସର୍ବଭାରତୀୟ ସ୍ତରରେ ଐତିହାସିକ ଉପନ୍ୟାସର ଗତି ଓ ପ୍ରକୃତିର ଏକ ସୁନ୍ଦର ଆଲେଖ୍ୟ ଓ ଗ୍ରହଣୀୟ ଆଦର୍ଶ ପ୍ରତିଷ୍ଠା କରିପାରିଛି । ମଧ୍ୟଯୁଗୀୟ ଭାରତର ଅବସ୍ଥା, ରୀତିନୀତି, ଆଚାର ବିଚାର ଆଦିର ବିବେଚନା କରି, ବିଶେଷତଃ 'ବୁନ୍ଦେଲଖଣ୍ଡ'ର ରାଜନୈତିକ ଉତ୍‍ଥାନ ପତନ ପ୍ରତି ବିଶେଷ ଦୃଷ୍ଟିରଖି ବର୍ମାଜୀ ତାଙ୍କର ପ୍ରତ୍ୟେକ ଉପନ୍ୟାସକୁ ସର୍ବାଙ୍ଗସୁନ୍ଦର କରିବାରେ ଯଥାସମ୍ଭବ ସ୍ୱାଭାବିକତା ରକ୍ଷା କରିଛନ୍ତି । ବର୍ମାଜୀଙ୍କର ପ୍ରତ୍ୟେକ ଉପନ୍ୟାସ ପାଠ କରିବାପରେ ମୋର ଧାରଣା ଭିନ୍ନ ପ୍ରକାର ହେଲା । ତାଙ୍କର 'ମୃଗନୟନୀ' ଶୀର୍ଷକ ଉପନ୍ୟାସଟି ମୋତେ ଅଶେଷ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ଐତିହାସିକ, ସାମାଜିକ, କାଳ୍ପନିକ ଓ ସାହିତ୍ୟିକ ମୂଲ୍ୟବୋଧ ଦୃଷ୍ଟିରୁ 'ମୃଗନୟନୀ' ମୋ ମନରେ ଏକ ଅଲିଭା ରେଖାପାତ କରି ପାରିଅଛି ।

 

ମୃଗନୟନୀ ଉପନ୍ୟାସର ଚିନ୍ତାଧାରା ମଧ୍ୟଯୁଗୀୟ ଭାରତୀୟ ଜୀବନ ପ୍ରବାହ ଉପରେ ମୁଖ୍ୟତଃ ଆଧାରିତ । ସେ ଯୁଗର ସାମାଜିକ ଅବସ୍ଥା, ରାଜନୈତିକ ଉତ୍‍ଥାନ ପତନର ଯେଉଁ ସୁନ୍ଦର ଚିତ୍ର 'ମୃଗନୟନୀ'ରେ ବର୍ଣ୍ଣିତ ହୋଇଛି, ତାହା ପ୍ରତ୍ୟେକ ପାଠକକୁ ଆନନ୍ଦରେ ଅଭିଭୂତ କରେ ।

 

ଉପନ୍ୟାସର ପ୍ରାରମ୍ଭ ହୋଇଛି–'ବୁନ୍ଦେଲଖଣ୍ଡ'ର 'ରଙ୍ଗପଞ୍ଚମୀ' ବା ଦୋଳ ମହୋତ୍ସବର ଆମୋଦ ପ୍ରମୋଦରେ । ଭାରତୀୟ ହିନ୍ଦୁମାନେ କେଉଁ ଆବହମାନକାଳରୁ 'ବାରମାସରେ ତେରପର୍ବ'ର ପାଳନ କରି ଆସୁଛନ୍ତି । ଦୁଃଖସୁଖ, ସୁଦିନ ଦୁର୍ଦ୍ଦିନ ଓ ଅଭାବ ଅନାଟନ ମଧ୍ୟରେ ସୁଦ୍ଧା ହିନ୍ଦୁମତାବଲମ୍ବୀମାନେ ସେମାନଙ୍କ ପାରମ୍ପରିକ ଯାନିଯାତ୍ରା, ପୂଜା ପାର୍ବଣକୁ କେବେହେଲେ ଭୁଲି ପାରନ୍ତି ନାହିଁ । ପତ୍ର, ପୁଷ୍ପ, ଫଳରେ ଭରା କିମ୍ବା ବହୁ ଆଡ଼ମ୍ବର ପୂର୍ଣ୍ଣ ସମାରୋହରେ ହେଉ, ହିନ୍ଦୁମାନେ ଚିରାଚରିତ ରୀତିନୀତିଗୁଡ଼ିକୁ ଯେକୌଣସିମତେ ପାଳନ କରିବାକୁ ପଶ୍ଚାତ୍‍ପଦ ହୁଅନ୍ତି ନାହିଁ । ଆସନ୍ନ ବିପଦ କିମ୍ବା ଅତୀତର ଦୁର୍ଦ୍ଦିନକୁ ପ୍ରମାଣ ସ୍ୱରୂପ ଉପସ୍ଥାପନ କରି ସେମାନେ କେବେହେଲେ ଯଥା ସମୟରେ ପର୍ବ ପାଳନରୁ ବିରତ ହୁଅନ୍ତି ନାହିଁ ।

 

ସେହି ପରମ୍ପରାର ସୁରକ୍ଷା ନିମିତ୍ତ ଔପନ୍ୟାସିକ ବର୍ମାଜୀ 'ରାଈ' ଗ୍ରାମର ଅଧିବାସୀମାନଙ୍କଦ୍ୱାରା ଘୋର ଦୁର୍ଦ୍ଦିନରେ ମଧ୍ୟ ରଙ୍ଗ ପଞ୍ଚମୀର ପାଳନ କରାଇଛନ୍ତି । କେବଳ ସେତିକି ନୁହେଁ, ଉତ୍ସବ ପାଳନ ସମୟରେ ଭାରତୀୟ ଗ୍ରାମଗୁଡ଼ିକରେ ଯେପରି ଗହଳ ଚହଳ ପୂରିଉଠେ, ରାଈ ଗ୍ରାମର ଅଧିବାସୀମାନେ ଠିକ୍‍ ସେହି ପ୍ରଥାର ପାଳନରେ ମୁଖର ହୋଇ ଉଠିଛନ୍ତି-। ସର୍ବୋପରି ଦେଖିବାକୁ ଗଲେ ବର୍ମାଜୀଙ୍କ ଉପନ୍ୟାସରେ ଗ୍ରାମ୍ୟ ଜୀବନର ନିଖୁଣ ଚିତ୍ର ଯେପରି ଫୁଟି ଉଠିଛି, ତାହା ଅନ୍ୟତ୍ର ବିରଳ ।

 

ଦାରିଦ୍ର୍ୟର କଷାଘାତରେ ସାଧାରଣ ଜନତା କିପରି ପଥଭ୍ରଷ୍ଟ ହୁଅନ୍ତି, ସେହି ସୁଯୋଗରେ ସ୍ୱାର୍ଥାନ୍ୱେଷୀ ବ୍ୟକ୍ତିମାନେ କିପରି ସାଧାରଣ ନିରୀହ ଲୋକମାନଙ୍କୁ ଶୋଷଣ ଜାଲରେ ବନ୍ଦୀକରି ସର୍ବସ୍ୱାନ୍ତ କରିଦିଅନ୍ତି, ସେହି ପରିପ୍ରେକ୍ଷୀରେ ଲୋକମାନଙ୍କ ମନରେ କର୍ମର ଅନ୍ଧବିଶ୍ୱାସ ଜାତ କରାଇ, ମଧ୍ୟଯୁଗୀୟ ପଣ୍ଡା ପୂଜକମାନେ କିପରି ଲୋକମାନଙ୍କ ମଧ୍ୟରେ ଭେଦଭାବର ସଞ୍ଚାର କରିଦିଅନ୍ତି, ତା'ର ଏକ ନିଖୁଣ ଚିତ୍ର ପାଠକମାନଙ୍କୁ ଅବଗତ କରାଇବା ଲାଗି ଔପନ୍ୟାସିକ ବର୍ମାଜୀ 'ମୃଗନୟନୀରେ' ସମସ୍ତ ପ୍ରକାର ଶୈଳ୍ପିକ ପ୍ରୟାସ ଅବଲମ୍ବନ ପୂର୍ବକ ମୌଳିକତାର ପରାକାଷ୍ଠା ଦେଖାଇ ପାରିଛନ୍ତି ।

 

ଭାରତର ତତ୍କାଳୀନ ରାଜନୈତିକ ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ ପରିସ୍ଥିତିରେ ପହଞ୍ଚିଥିଲା । ରାଜ୍ୟ ରାଜ୍ୟ, ଅଞ୍ଚଳ ଅଞ୍ଚଳ, ମଧ୍ୟରେ ଈର୍ଷା, ଘୃଣା ତଥା ମନୋମାଳିନ୍ୟ ବୃଦ୍ଧି ପାଇ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥିଲା । ଅନ୍ୟ ରାଜ୍ୟର ସମୃଦ୍ଧିରେ ରକ୍ତ ଚାଉଳ ଚୋବାଇ ପଡ଼େଶୀ ରାଜ୍ୟ ଯୁଦ୍ଧ ଓ ରାଷ୍ଟ୍ରଭଙ୍ଗ ପ୍ରଭୃତି ଉପାୟରେ ଶାନ୍ତିଭଙ୍ଗ କରୁଥିଲେ । ପ୍ରତ୍ୟେକ ରାଜ୍ୟର ଶାସକ ନିଜକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ, ସମ୍ମାନାସ୍ପଦ ତଥା ଉଚ୍ଚକୁଳ ସମ୍ଭୂତ ବୋଲି ମନେ କରୁଥିଲେ । ତେଣୁ ପରସ୍ପର ମଧ୍ୟରେ ଉକ୍ତ କାରଣରୁ ମନୋମାଳିନ୍ୟ ଘଟି ସଂଘର୍ଷର ସୂତ୍ରପାତ ହେଉଥିଲା ।

 

ମଧ୍ୟଯୁଗୀୟ ଭାରତରେ ଦେଶର ଅଧିକାଂଶ ଅଞ୍ଚଳ ମୁସଲମାନ ଶାସକଙ୍କ ଅଧୀନରେ ଥିବାରୁ ସେମାନଙ୍କ ଅତ୍ୟାଚାରର ଆତଙ୍କରେ ସମଗ୍ର ଭାରତବର୍ଷ କମ୍ପି ଉଠିଥିଲା । ଯେଉଁ ରାଜ୍ୟର ଶାସକ ସେହି ଆତଙ୍କ ବିରୁଦ୍ଧରେ ମସ୍ତକ ଉତ୍ତୋଳନ ସମ୍ପୂର୍ଣ୍ଣ କରି ଲେଉଟି ଯାଇଥିଲେ...ଏଇ ଗାଁ ପ୍ରସିଦ୍ଧି ପାଇଥିଲା ସାଂଖ୍ୟଯୋଗର ଚର୍ଚ୍ଚାପାଇଁ...ଆଉ ଏଇ ଗାଁ । ଯଜୁର୍ବେଦ...ହେଇ ଏ ଗାଁରେ ଥିଲା–"

 

ସେଠି ସେ ଅଭିଭୂତ ହୋଇଥିଲା ବିସ୍ମୟରେ, କିନ୍ତୁ ଘରମଣି ନାହିଁ, ଦଳରୁ ଫିଟିଯାଇ ହଜାଇ ଦେଇନାହିଁ ନିଜକୁ, ଭୁଲିପାରିନାହିଁ ସେ ତରୁଣ ରାୟ,...ଦୂରରେ ବଡ଼ ସହରରେ ରହେ, ପରିବାର ସହିତ ସେ ପୁରୀ ଦେଖି ଆସିଛି, ହେଇ ତା’ କତିରେ ବସିଛନ୍ତି ତା’ର ପରିବାର । ଏହି ଯେଉଁ ଦମ୍ଭିଲା ଓ ଓସାରହୋଇ ନାରୀ ମୂର୍ତ୍ତିଟି, ସେ ତା’ର ସ୍ତ୍ରୀ କାନ୍ତିମୟୀ । ତା’ ପାଖରେ ଏଇ ଯେଉଁ ସରୁଆହୋଇ ସୁନାଖାଡ଼ି ପରି ତରୁଣୀଟି, ସେ ତାଙ୍କର ଏକମାତ୍ର ସନ୍ତାନ, ଅତି ଗେହ୍ଲାରେ ଅତି ଆଧୁନିକ ଶୁଭିଲାପରି ତା’ର ନାଁ ଦେଇଥିଲା "ଛଳନା ।" ବିଶାଳ ସହରର ଅସଂଖ୍ୟ ମହୁଫେଣାମାନଙ୍କ ଭିତରୁ ଗୋଟିକରେ ତାଙ୍କର ଖୋପଟିଏ, ଯାହାକୁ କହନ୍ତି "ଫ୍ଲାଟ" । ଗୋଟିଏ ଶିଳ୍ପପତିର କାର୍ଯ୍ୟାଳୟରେ କିରାଣି କାମ କରେ ତରୁଣ ରାୟ । ତିନିଦିନ ଛୁଟିନେଇ ସେଥିରେ ଗୋଟିଏ ରବିବାରକୁ ମିଶାଇ ଚାରୋଟିଦିନ ନୂଆ ଜୀବନ ଅନୁଭବ କରିବାପାଇଁ କଲିକତାରୁ ଯାଉଛି ସେ ପୁରୀ । ଭୁଲିପାରିନାହିଁ ଯେ ଛୁଟିର ଶେଷଦିନ ପୁଣି ସେ ଲେଉଟିଯିବ ଆପଣା ସ୍ଥଳିକୁ-। ତା’ ଚଳଣିର ଗୋଟିଏ ସ୍ୱତନ୍ତ୍ର ରଙ୍ଗ ଅଛି, ଗୋଟିଏ ସ୍ୱତନ୍ତ୍ର ଢାଞ୍ଚା, ବାଗ, ସେ ଓ ତା’ର ଚିହ୍ନା ଗୋଠର ଆଉମାନେ ସେଥିରେ ଚିହ୍ନିତ ହୁଅନ୍ତି । ସେ ଭୁଲି ନ ଥିଲା ଏଇ ନାଗେଶ୍ୱର ପୁନାଙ୍ଗ-ଆମ୍ବ-ନଡ଼ିଆ ଗହଳି ତଳେ ସେ ଚଳଣି ସେ ଦେଖିବ ନାହିଁ । ଏଇ ଯେଉଁମାନେ ଡଉଲ ଡାଉଲ ଖାଲି ଦେହରେ କାନ୍ଧରେ ପାଚିଲାଗାମୁଛା ପକାଇ ଦେଉଳ ଆଗଛମା ବଉଳମୂଳେ ଚେକାମହୁଲି ପକାଇ ଗୋଲହୋଇ ବସି ତଳକୁ ଅନିଷା କରି କ’ଣ ଦେଖୁଛନ୍ତି, ଆଉ ହାତ ଚଳାଉଛନ୍ତି, ମୁଠାରୁ କ’ଣ ଛାଟି ଫୋପାଡ଼ି ଦେଉଛନ୍ତି, ଏଇ ଯେଉଁ ବୋହୂଝିଏ ପୋଖରୀକୂଳରେ ଧାଡ଼ିହୋଇ ବସି ବାସନ ମାଜୁଛନ୍ତି ଆଉ ଗପ କରୁଛନ୍ତି, ସେମାନେ ତା’ ଚଳଣିର ନୁହନ୍ତି । ଗୋଡ଼ରେ ହାତରେ ଏ ଅଳଙ୍କାର, ଦେହରେ ଏ ବାଗର ଶାଢ଼ିପିନ୍ଧା, ମୁଣ୍ଡରେ ଏମିତି ଏ ଓଢ଼ଣା, ଏ ନୁହେଁ ତା’ର ଚିହ୍ନା ଦେଖନ୍ତିଭଳି । ସେ ଭୁଲି ନ ଥିଲା ଚିହ୍ନା ଚିହ୍ନା ପରି ଦିଶିଲେ ସୁଦ୍ଧା ଏଠି କେତେ ନୂଆ କଥା ତା’ ଆଖିରେ ପଡ଼ୁଛି । ସେ ଯେଉଁଠୁ ଆସିଛି ସେଠି ଏପରି ନାହିଁ, ଯେପରି ଗାଁ ଗାଁକେ ଏତେ ସୁନ୍ଦର ସୁନ୍ଦର ଦେଉଳ, ବିମାନପରି ବସିଛି । ଫୁଲକଢ଼ି ପରି ମୁଣ୍ଡ ଟେକିଛି, ସାଧାସିଧା ପାଳଗଦା ପରି ତା’ର ଟୋପି ନୁହେଁ, ସୁନ୍ଦର କିନ୍ତୁ ସ୍ୱତନ୍ତ୍ର, ଆପଣାକୁ ସାଇତିରଖି ପଦାକୁ ଦେଖିଛି, ଗୋଳିମିଶି ହୋଇନାହିଁ । କିନ୍ତୁ ଏହି ଯେଉଁ ବିସ୍ତୃତି ଉପରେ ଆଉ ତଳେ, ଏଇ ଯେଉଁଠି ଅସ୍ତହେଲା ପୂର୍ବରୁ ସୂର୍ଯ୍ୟ ମୁହଁ ଦେଖୁଛି, ଆକାଶ ନିଜକୁ ଦେଖୁଛି ପୃଥିବୀର ପ୍ରକାଶ ମାର୍ଗରେ, ଏ ତା’ର ସ୍ୱତନ୍ତ୍ରତା ବୁଡ଼ାଇ ଦେଇ ଆଣୁଛି ସମନ୍ୱୟ, ସେ ଏଥିରେ ମିଶିଯାଇଛି ।

 

ହଠାତ୍‍ ସେହି ବିସ୍ତୃତି ସେକରେ ଦୂର ଦିଗ୍‍ବଳୟରେ ଦିଶିଲେ ଶ୍ରୀଜଗନ୍ନାଥ ମନ୍ଦିର । ବଡ଼ଦେଉଳ, ପାଖରେ ଭୋଗମଣ୍ଡପ । ସତେ ଯେପରି ଏ ସଂସାରରେ ଆଉ କିଛି ନାହିଁ । କାଗଜରେ ଗାର ଟଣାହେଲାପରି ଗୋଟାଏ ସମତଳ, ତା’ ଉପରେ ଦେଉଳ, ତା’ ଉପରେ ଆକାଶ-। ଦେଉଳ ଛାଇପରି ଦିଶୁଛି ।

 

ସତେ ଅବା ସେ ଦେଉଳ ନୁହେଁ, ସେ ଗୋଟିଏ ଆତ୍ମାର ରୂପ । ରେଳର ପ୍ରତି ଡବାରୁ କାନ ଅତରା ପକାଇ କୁହାଟ ଉଠିଲା,

 

"ଜଗନ୍ନାଥ ! ଜଗନ୍ନାଥ ! ଜଗନ୍ନାଥ ଜୀ କୀ ଜୟ !"

 

ଆନନ୍ଦ ଉଦ୍ଦୀପନା ଉଛୁଳି ଉଠୁଛି । ଆତ୍ମହରା ହୋଇ କେତେଲୋକ ସେହି ଦୃଶ୍ୟକୁ ଦେଖୁଛନ୍ତି । କ’ଣ କେଉଁଠି ଘଟିଯାଉଛି ଯହିଁରେ ଅତୀତ ଓ ବର୍ତ୍ତମାନ ମଝିର ପାଚିରୀ ମଣିଷର ଚେତନା ଭିତରେ ଉଭେଇଯାଉଛି, ଏକ ଓ ଅଖଣ୍ଡ ହୋଇ ସମୟ ସେଠି ଲହଡ଼ି ଖେଳୁଛି, ଅତୀତ ଯୁଗର ମଣିଷ ଯାହା ଗଢ଼ି ରଖିଦେଇ ଯାଇଥିଲା, ବର୍ତ୍ତମାନ ଯୁଗର ମଣିଷ ତହିଁରୁ ଆନନ୍ଦ ପାଉଛି ।

 

ଭାରତର ନାନା ପ୍ରାନ୍ତରୁ ଲୋକେ ସେହି ରେଳଗାଡ଼ିରେ ଥିଲେ । ନାନା ପୋଷାକ, ପଗଡ଼ି ଆଉ ଚୁଡ଼ିଶାଢ଼ି ଆଉ ଘାଗରା, ଲମ୍ବା କୁଞ୍ଚ ପାଇ କଛା ପାଇଜାମା ଫତୁଆ ଆଉ ଢିଲା ଅଙ୍ଗୀ ଏକାଠି ଜକାଜକି, ନାନା ରୂପ, ନାନା ବୋଲି । କିନ୍ତୁ ସମସ୍ତେ ଏକ ହୋଇଥିଲେ ସେ ଦୂରରେ, ଯେଉଁଠି ଦିଗ୍‌ବଳୟରେ କାହାର ଛାୟାରୂପ ପରି ଶ୍ରୀମନ୍ଦିର ହଠାତ୍‍ ଠିଆ ହୋଇଥିଲେ, ସୂର୍ଯ୍ୟାସ୍ତ ଘଡ଼ିର ସେହି ଦୃଶ୍ୟ ସମସ୍ତିଙ୍କି ଏକ ସମୟରେ ଅଭିଭୂତ କରିଥିଲା । ଏତେ ଭିଡ଼ ଭିତରେ ଥିଲେ ବି ଜଣଜଣକର ଗୋଟିଗୋଟିକିଆ ଚେତନା ଭିତରେ ଝକ୍‍କରି ଖେଳିଯାଇଥିଲା ଆପଣାରହିଁ ସ୍ୱତନ୍ତ୍ର ଚିହ୍ନାଚିହ୍ନି ବେଳର ଜଣାଣ–

 

ଏଇତ ସେ !

 

ଗୋଟିଗୋଟିକିଆ ଜୀବନଟିମାନଙ୍କର କେତେ ସମସ୍ୟା, ସେ ସମାଧାନ ହେଉ ବୋଲି କେତେ ନୀରବ କାମନା, କେତେ ଅଭିଳାଷର, ଅଞ୍ଜଳି, କେତେ ଦୀର୍ଘନିଃଶ୍ୱାସର ମାଜଣା, କତିକି କତି ଦେହକୁ ଦେହ ଘଷି ହୋଇ ସେ ଯୋଜନ ଯୋଜନ ଦୂର, ଦୂରରେ ସେ ଏକାଠି ହେଉଛି, ନଈ ବୋହି ଆସି ମିଶିଛି ସମୁଦ୍ରରେ, ଆଉ ସେହି ତୁମୂଳ ଉଚ୍ଚାଟମୟ ଗର୍ଜନ "ଜଗନ୍ନାଥ ! ଜଗନ୍ନାଥ !"

 

ପଞ୍ଜାବୀ ଅଥବା କନ୍ନଡ଼ ବୋଲିରେ, ଗୁଜରାତି କି ଅହମୀୟ ବୋଲିରେ, ସେ ଏକ ସ୍ୱର–"ଜଗନ୍ନାଥ ! ଜଗନ୍ନାଥ !"

 

ଏକ ପ୍ରାଚୀନ ସଂସ୍କୃତିର ଧାରା ସେମାନଙ୍କୁ ଏକାଠି କରିଥିଲା, ଏକ ଭାରତ, ସେହି ନୈତିକ ଚେତନା–ସବୁଠି ସେହି ଏକ ପରମେଶ୍ୱର, ସମସ୍ତେ ମୈତ୍ରୀ ଓ ଶାନ୍ତିର ଉପାସକ, ସ୍ଥିର ଶାନ୍ତିହିଁ ସୌନ୍ଦର୍ଯ୍ୟ ।

 

ମୁକୁଳା ମନ ଆଗରେ ଉଭେଇ ଯାଇଥିଲା ଚେହେରା କି ଭେକ କି ବୋଲିରେ ପାର୍ଥକ୍ୟ, କେବଳ ଗୋଟିଏ ସାର୍ବଜନୀନ ଚେତନା ପରମେଶ୍ୱର ।

 

ମନରେ ଅପାର ଆନନ୍ଦ ଉଛୁଳି ଉଠୁଥିଲା, ସେହି ମୁହୂର୍ତ୍ତକ ପାଇଁ ସ୍ୱାର୍ଥ ତରଳି ଯାଇ ଆସିଥିଲା ସହାନୁଭୂତି, ସ୍ନେହ ।

 

ତରୁଣ ରାୟ ଲକ୍ଷ୍ୟ କଲା, ସେପାଖ ଆସନରେ ଗୋଡ଼ହାତ ବିଛେଇ ଜାଗା ମାଡ଼ି ଯେଉଁ ମୋଟା ପ୍ରୌଢ଼ଟି ବସିଥିଲା, ସେହି ଯେଉଁଠି ଜକାଜକି ହୋଇ ତିନିଜଣ ମଣିଷ ପୂରା ବୁଜୁଳି ଧରି ଠିଆ ହୋଇ ହୋଇ ଚାଲିଥିଲେ, ହଠାତ୍‍ ସେ ଘୁଞ୍ଚିଯାଇ ଠିଆହେଲା, ଲୋକଙ୍କ ଭିତରୁ ଜଣେ ଦୁର୍ବଳ ବୁଢ଼ାକୁ ହାତଠାରି ବୁଝାଇବାକୁ ଚେଷ୍ଟାକଲା, "ଠିଆ ହୋଇଛ କାହିଁକି ? ଜାଗା ଅଛି ବସିପଡ଼ ।’’ ତରୁଣ ରାୟ ଆଦୌ ଆଶ୍ଚର୍ଯ୍ୟ ହେଲାନାହିଁ, ତାକୁ ଲାଗିଲା ଯେ ଏପରି ହେବ ବୋଲି ସେ ତା’ ଆଗରୁ ଜାଣିଥିଲା, ପୁଣି ସେ ପଦାକୁ ମୁହଁ ବୁଲେଇ ଦେଲା ।

 

ମନ୍ଦିର ଆଉ ଦିଶୁନାହିଁ । ଆଲୁଅ ଫିକା ପଡ଼ି ଆସୁଛି । କିନ୍ତୁ ତା’ର ଅନ୍ତର ଭିତରେ ଗୋଟିଏ ନୂଆ ଆଲୁଅ ଜଳୁଛି । ପାଦରେ ସବୁ ଦିଶୁଛି ସୁନ୍ଦର, କ’ଣ କେଉଁଟା ସୁନ୍ଦର ବୋଲି ସେ କହିପାରିବ ନାହିଁ, କାହିଁକି ସୁନ୍ଦର ବୋଲି ଯେ କହିପାରିବ ନାହିଁ, କିନ୍ତୁ ଯେଉଁଆଡ଼କୁ ଚାହିଁଦେଲେ ତା’ ମନରେ ଗୋଟିଏ ସୁନ୍ଦରପଣର ଧାରଣା ଆସୁଛି । ସେ ଦେଖୁଚି ଆପଣା ଆଉ ବାହାର ଭିତରେ ସମନ୍ୱୟ । କୁବୁଜାପରି କ’ଣ ତା’ ଭିତରେ କୁରୂପ ଆଉ ନୋଚାକୋଚା ହୋଇଯାଇଥିଲା । ଲାଗୁଚି ସେ ସିଧା ହେଉଛି, ସଜାଡ଼ି ହେଉଛି, ପାଖରେ ଥିବା ସ୍ତ୍ରୀ ଓ ଝିଅଠାରୁ ସ୍ଵାଧୀନଭାବେ ସେ ଦୂରେଇ ଯାଉଛି, ଆଉ ତା’ର ପୁରୁଣା ପରିବେଷ୍ଟନୀଠାରୁ, ଯାହାର ଧୂଳିଧୂଆଁ ଗନ୍ଧ ଆଉ କ୍ଳାନ୍ତି ସେତିକି ତାଠିଁ ଲାଖି ରହିଥିଲା ଏତେକାଳଯାକେ, ଏଯାକେ ଗୋଡ଼େଇ ଆସିଥିଲା, ଏବେ ହଠାତ୍‍ ମୁକ୍ତ ହେଲା ।

 

ମୁକ୍ତି–ତା ପାଇଁ ଗୋଟିଏ ନୂଆ ଶବ୍ଦ, ତୁନିତୁନି ଯେପରିକି ଜିଭରେ ଲେଉଟାଉଛି ତାକୁ; ଆଉ ପଦାକୁ ଅନାଉଁ ଅନାଉଁ ମନେ ପଡ଼ୁଛି ଆଉ ଗୋଟିଏ ଶବ୍ଦ, ଆକାଶ ।

 

ନୂଆ ଲାଗୁ ଲାଗୁ ପୁରୁଣା ସ୍ମୃତି ମନେ ପଡ଼ୁଛି ।

 

ଆକାଶ–ଏତେ ପାଖରେ ଅଥଚ– ।

 

ମୁଣ୍ଡ ଟେକି ଚାହିଁଥିଲେ ଦିଶିଥାନ୍ତା, ସେତିକି ଉଦ୍ୟମ ସେ କରିପାରିନାହିଁ, ଅନ୍ୟ ଭାବନାରେ ବୁଡ଼ିରହି ତର ପାଇନାହିଁ । ସଞ୍ଜୁଆ ଆକାଶ ତାରାଫୁଟା ଆକାଶ–ଦିନଯାକର ଜାତି ଜାତି ରଙ୍ଗ ରଙ୍ଗର ଆକାଶ–ଖରା ଝଲ୍‍ଝଲ୍‍ ଚିକ୍‍କଣ ନୀଳିମା–କେତେବେଳେ କେଉଁ ମିତ !

 

ଚଢ଼େଇ ଭଷାଣ ଆକାଶ–ଘୁଡ଼ିଉଡ଼ା ଆକାଶ–ସେହି ଯେଉଁଠି ଚାହୁଁଚାହୁଁ ଶାଗୁଣା ଅଦୃଶ୍ୟ ହୋଇଯାଏ କାହିଁ କେତେ ଉପରେ... ।

 

ମନେ ପଡ଼ିଲା, ସେ ଦିନେ ପିଲା ହୋଇଥିଲା, ତା’ର ବି ବାପା ବୋଉ ଥିଲେ । ସେ ଆଉ ପିଲା ନୁହେଁ । ତା’ର ଆଉ ବାପା ବୋଉ ନାହାନ୍ତି । ହେଇ ଛିଣ୍ଡା ହାର ପବନରେ ଏଣେତେଣେ ଉଡ଼ିଗଲା ପରି ଆକାଶରେ ଚଢ଼େଇ ଉଡ଼ିଯାଉଛନ୍ତି–ଗଲେଣି ଉଭେଇ ।

 

ଆକାଶ ଥିଲା, ଅଛି ବି ବର୍ତ୍ତମାନ । କେତେ କ’ଣ ଆସିଥିଲା ଚାଲିଯାଇଛି । ତା’ର ପଚାଶବର୍ଷ ଆଉ ଅଣଚାଶ ହେବନାହିଁ ।

 

ତରୁଣ ରାୟ ଦୀର୍ଘନିଶ୍ୱାସ ପକାଇଲା । ଆପେ ତା’ର ଡାହାଣ ହାତ ତା’ର ପଞ୍ଜାବୀର ଡାହାଣ ପକେଟ ଭିତରେ ପଶିଯାଇ ଥରେ ଟାଣିଥିବା ଖଣ୍ଡିଆ ବିଡ଼ି ଓ ଦିଆସିଲି ଉପରେ ଜାବ ପଡ଼ିଗଲା । ସେଇଠି ଯେପରିକି ସେ ଗୋଟାଏ ଦମ୍ଭ ଥାଇତାପଣ ପାଇ ତାହାରି ଉପରେ ଭରାଦେଇ ଟିକିଏ ଅଟକି ରହିଗଲା, ଖଣ୍ଡିଆ ବିଡ଼ି ଖଣ୍ଡିକ ତା’ର ଗୋଟିଏ ଚିହ୍ନା ମନରୂପର ସନ୍ତକ, ସେହି ଯେତେବେଳେ କଡ଼ା ଧୂଆଁ ଛାଡ଼ି ଛାଡ଼ି ସେ ଚାରିଆଡ଼କୁ ଚାହିଁ ନିଜକୁହିଁ ଅନୁଭବ କରେ, ଆଉ କାହାରି ସତ୍ତା ପାଏନାହିଁ, ସେତେବେଳେ ତା’ର ମନଗଢ଼ା ପରିସର ଭିତରେ ସେ ନିଜେ ହିଁ ବଡ଼, ନିଜେ ହିଁ ସବୁ । ପାପ ପୁଣ୍ୟ ଲାଭ ଲୋକସାଣ ସବୁ ଉଦରରେ ଭରି ସେ ଦମ୍ଭ ହୋଇ ପଦାକୁ ଚାହିଁପାରେ । ହୁଏତ ଲୁଙ୍ଗି ଖଣ୍ଡିଏ ହାଲୁକା କରି ବେଢ଼େଇ ହୋଇଥାଏ । ହୁଏତ ତା’ର ଦାଣ୍ଡକବାଟ କିଳା ହୋଇଥାଏ । ସେତେବେଳେ ସେ ଡରେ ନାହିଁ, ଦବେନାହିଁ, ପରର ଛୁଆଁ ବାଜିଲେ ଯେଉଁ ଲାଜକୁଳୀ ବୁଦା ମୁଦା ହୋଇ ଲୁଚିପଡ଼େ, ସେ ସେତେବେଳେ ସିଧା ହୁଏ, ମେଲିଦିଏ ତା’ର କଣ୍ଟା ସମେତ ପତ୍ର ଆଉ ଫୁଲ ।

 

ତରୁଣ ରାୟ ସତେକି ଆପଣାକୁ ପାଇଥିଲା, ଚିଂ ଚିଂ ହୋଇ ଗୀତ ଗୁଣୁଗୁଣୋଉଥିଲା, ଅସରନ୍ତି ଆକାଶଆଡ଼କୁ ମୁହଁ ଡେରିଦେଇ ବସିଥିଲା ଯୁଗ ଯୁଗର ଯାତ୍ରୀ ।

 

ବହୁଦିନର କଳ୍ପନା ଆଉ ତପସ୍ୟାର ଫଳ ତା’ର ଏ ମୁହୂର୍ତ୍ତଟି । ଧନ୍ଦା ଧନ୍ଦୋଳ ଭିଡ଼ ଦୁଶ୍ଚିନ୍ତାରେ ଉତ୍‍କ୍ଷିପ୍ତା ନଗରୀ ସ୍ୱପ୍ନ ଦେଖେ ପୁରୀକୁ, ସେ ବି ସ୍ୱପ୍ନ ଦେଖିଥିଲା । ହେଉ ପଛେ ଦିନ ତିନିଟା ପାଇଁ–ସେ ଆସିବ । ଦିନ ଦିନକର ଘର ଖର୍ଚ୍ଚରୁ ଖେଣ୍ଟି କାଟି ଆପଣାକୁ ଅନେକ ସୁଖସ୍ୱାଚ୍ଛନ୍ଦ୍ୟରୁ ବଞ୍ଚିତ କରି, ଆଉ କେତେ ଇଚ୍ଛାକୁ ନିରୋଧ କରି, ସେମାନେ ପୁରୀ ଆସିବାକୁ ପଇସା ସଞ୍ଚୁଥିଲେ । ତା’ ପରେ ହେଇ ସେ ସତକୁସତ ଆସିଛି । ସେହି ମହଳଣ ପଡ଼ି ଆସୁଥିବା ଆଲୁଅରେ ଗଛ ଛାଇତଳର ଭିକାରି ପରି ଅତୀତଟା ଦିଶୁଛି ଦୀନ, କ୍ଳିଷ୍ଟ, ରୁଗ୍‍ଣ । ଲାଗୁଛି ସେ ନୁହେଁ ସେ କରୁଣ ମୂର୍ତ୍ତି, ସେ ତ ମୁକ୍ତ, ନିର୍ଭୀକ, ସ୍ୱାଧୀନ, ସେ ତା’ର କଳ୍ପନାର ରାଜପୁତ୍ର । କିନ୍ତୁ ସେ ଆର ଲୋକଟା–ଯେତେ ପ୍ରାଣପଣେ ତାକୁ ଅସ୍ୱୀକାର କଲେ ବି ଆର ଲୋକଟି ବି ଥିଲା ବାସ୍ତବ । ସଂଘର୍ଷମୟ ଜୀବନ ଭିତରେ ଚାପରେ ନାଲି ଆଖିରେ ଧମକର ଭୟରେ ଆତଙ୍କରେ ସେ ଥିଲା ସଙ୍କୁଚିତ, ତ୍ରସ୍ତ । ପିନ୍ଧା ପ୍ୟାଣ୍ଟ୍‍ କୋଟ୍‍ର ସାଜ ସେପଟେ, "ହଁ ଆଜ୍ଞା, ହଁ ଆଜ୍ଞା" ଉହାଡ଼ରେ, ରକ୍ଷାକବଚ ପରି ବ୍ୟବହାର କରୁଥିବା କେତେଗୁଡ଼ିଏ ମାମୁଲି କଥାଭାଷା ଉଢ଼ୁଆଳରେ କାଉ ଆଖିରୁ ବେଙ୍ଗ ପରି ସେ ଆପଣାକୁ ଲୁଚାଇ ଲୁଚାଇ ବୁଲୁଥିଲା । ତା’ର ଜୀବନ ନୁହେଁ ବିକାଶର କାହାଣୀ, ତା’ର କାହାଣୀ ଆତ୍ମରକ୍ଷାର ।

 

ସେହି ଲୋକଟି ଦେଖିଥିଲା–ବହୁତ ଗହଳି ବହୁତ ମଣିଷ ହଁ, କିନ୍ତୁ ସେଠି କଲବଲ ମଣିଷ କିଲିକାଲିଆ ହୋଇ ନିଜ ଧନ୍ଦାରେ ଲାଗିଥାନ୍ତି । ସେଠି ରାସ୍ତା ଦିଶେ ନଈପରି, ତା’ର ତୀଖ ଅତଡ଼ା, ସେଠି ଖୋପ ଉପରେ ଖୋପ, ମାହାଲା ମାହାଲା । ସେ ଦେଖେ, ରାସ୍ତାନଈରେ ଦିନକୁ ଦି’ଥର ଜୁଆର ଉଠେ, ଥରେ ଯେତେବେଳେ ସେ ଅଫିସକୁ ଯାଏ, ଆଉ ଥରେ ଯେତେବେଳେ ସେ ଫେରେ । ସେ ଦେଖିଥିଲା, ମାହାଲା ମାହାଲା କୋଠାଠୁଁ ସଡ଼କ କରରେ ପଡ଼ିଥିବା ଅଘୋରୀଙ୍କଯାକେ ଧନ ଓ ଜୀବନଧାରଣର ଉପକରଣ ଭିତରେ କି ଆକାଶ ପାତାଳ ପ୍ରଭେଦ ।

 

ପ୍ରକାଣ୍ଡ କୋଠାଜଙ୍ଗଲକୁ ଚାହିଁଲେ ଆପଣାକୁ ଲାଗେ ମାଛିପରି, ଟ୍ରାମ୍‍ରେ ବସି ଗଲାବେଳେ ଯେପରିକି ସେହି ରାକ୍ଷସପରି କୋଠା ମାଳମାଳ ତାକୁ ହିଁ ଗିଳିବାକୁ ଧାଇଁ ଆସୁଥାନ୍ତି-

 

ସେହି ଆର ଲୋକଟି–ତାର ବି ନିଜର ବୋଲି ଘର ନ ଥିଲା, ସେ ଭଡ଼ାଘରେ ଭଡ଼ା ଘରଚଟିଆ, ସେମିତି ତା’ ଆଗରୁ ଆଗରୁ କାହିଁ ଦୁଇଶହ ବର୍ଷ ପଛକୁ, ସେହି ଯେତେବେଳେ ଇଂରେଜ ଆସିଥିଲେ ସାଧବ ବେଶରେ, ଆଉ ତା’ର ସେକାଳର ପ୍ରପିତାମହ ଚାଷ ଛାଡ଼ି ଇଂରେଜୀ ଚୋବେଇ ଚାକିରି କରିବା ଆରମ୍ଭ କରିଥିଲେ । ସେହି ସେଦିନୁ ସେମାନେ ବୁଲୁଛନ୍ତି ଭଡ଼ାଘରୁ ଆଉ ଭଡ଼ାଘରକୁ । ଭଡ଼ାଘରେ ପିଲାଏ ଜନ୍ମ ହୁଅନ୍ତି । ଚାକିରି ଧରି ଉଡ଼ିଯାନ୍ତି । ସେମିତି ଉଡ଼ିଯାଇଥିଲା ସେ ବି । ପଚିଶି ବର୍ଷର ଚାକିରି । ଦରମା ଚାଳିଶିରୁ ବଢ଼ିବଢ଼ି ହେଲାଣି ଦୁଇଶହ । କିନ୍ତୁ ସେ ସର୍ତ୍ତ ବଦଳିନାହିଁ, ଆପେ ସେ ମୁଣ୍ଡ ନୁଆଇଁ ଦେହ ବଙ୍କେଇ ବାଟ କାଟି ଚାଲିଯାଏ, ମୁହଁରେ ନମ୍ର ବିନୀତ ଶୁଖିଲା ଅଧାହସ, ଚାହାଣି ଗୋଲ କଲାପରି କହିଯାଏ–"ମୁଁ ବାଧ୍ୟ, ମୁଁ ବିନୀତ, କାହାରି ସଙ୍ଗେ ମୋର ଖୁରି ନାହିଁ, ସବୁଥିକି ମୁଁ ରାଜି । ଖାଲି–ମୁଁ ବଞ୍ଚିବାକୁ ଚାହେଁ, ମତେ ବଞ୍ଚିବାକୁ ଦିଅ ।"

 

ନିଜକୁ ସେ ଦେଖି ପାରୁନାହିଁ, ଏଇଠି ସେ ବସିଛି । ତାକୁ ଟାକି ରହିଛି ଆଉ ଜଣେ, କେତେବେଳୁ ଲକ୍ଷ୍ୟ ରଖିଛି, କିଛି କହୁନାହିଁ, କେବଳ ମଝିରେ ମଝିରେ ମିଞ୍ଜିମିଞ୍ଜି ଆଖିରେ କଳିବାକୁ ଚେଷ୍ଟା କରୁଛି, ହାଇମାରୁଛି, ତା’ର ଓଜନ ଓସାର ପୂରିଲା ପୂରିଲା ଦେହକୁ ଆଉଜେଇ ଦେଇଛି ରେଲଡ଼ବା କାନ୍ଥରେ । ତା’ର ତରତର ନାହିଁ, ଖଣ୍ଡକ ପରେ ଖଣ୍ଡେ ପାନ ସେ ପାଟିରେ ପକାଉଛି । ଡବାଯାକ ମଣିଷଙ୍କୁ ମାଣ୍ଟେଇ ମାଣ୍ଟେଇ ଅନେଇ ଦେଇ ପୁଣି ଅନାଇ ରହୁଛି ତରୁଣ ରାୟକୁ ।

 

ସେ ଦେଖୁଛି–ସ୍ୱାମୀ-ସ୍ତ୍ରୀ ଆଉ ଏଇଟି ଝିଅ । ଭଦ୍ରବ୍ୟକ୍ତିଟିର ସ୍ୱାସ୍ଥ୍ୟ ତୁଟିଛି । ମୁଣ୍ଡର ସାମ୍ନାପାଖରୁ ପଛଆଡ଼କୁ ଦୁଇକେରା ଧଳା ବାଳ ବିଛେଇ ହୋଇଛି, ବାକି ବାଳ କଳା । କାନ୍ଧରେ ବଡ଼ ହାଡ଼ର ଆଡ଼ା, କିନ୍ତୁ ସେ ଯେପରିକି ଗୋଟାଏ ଅଲୁଗୁଣି, ସେଥିରୁ ଚମ ଓହଳିଛି । ଦେହଟାରେ ଚମର ଭାଗଟା ଟିକିଏ ବେଶି ଅଛି ପରା ! ସେ ବି ଆସ୍ତେ କୁଞ୍ଚୁକୁଞ୍ଚୁ ହୋଇ ଶୁଖି ସେମିଟି ଆସୁଛି । ଆଖି ଗାଡ଼ରେ ପଶିଛି, ଆଖିରେ ଚଷମା । ପଞ୍ଜାବୀର ଉପର ବୋତାମରୁ ଯୋଡ଼ିଏ ଖୋଲା ଅଛି, ଦିଶୁଛି–ବିଦା କାଠିପରି ଛାତି ହାଡ଼ । ଚାରିହତା ମଣିଷ, ଆକାର ଅନୁପାତରେ ଦେହରେ ମାଂସ ନାହିଁ, ଦେହର ଆଡ଼ା ନାହିଁ, ମୁହଁରେ ପାଣି ଶୁଖିଛି । ଆଖିରେ ଚଷମା, ତା’ ତଳେ ଗାଡ଼ୁଆ । ଏ କପାଳ ଏ ଆଖି ହୋଇଛି ଧନ୍ଦି ହେବାକୁ–"କଣ ହେବ ୟା ପରେ-? କ’ଣ କରିବି ? କେଉଁଟା ବାଟ ?" ଏକା ଏ ନୁହେଁ, ଏମିତି କେତେ ମୁହଁ, ଧାସରେ ସିଝା ସହରିଆ ମୁହଁ, ଆଶଙ୍କା ଅନିଶ୍ଚିତରେ ଧ୍ୟାନ ସନ୍ଦେହ ସେ ମୁହଁକୁ ଶାଣ ଦେଇଛି, ଚତୁର କରିଛି, କିନ୍ତୁ ମୁହଁ ଦିଶୁଚି କ୍ଳାନ୍ତ, ଏମିତି ଏ ବଙ୍କା ହସ, ଏ ଚାହାଣି ଯେ ମେଲା ଥାଇ ବି ପଥର ପରି ନିଜକୁ ଡେରି ରଖିପାରେ, ଘେନେ, ଦିଏନାହିଁ କିଛି, ପାଖରେ ପୂରାଇ ଦିଏନାହିଁ–ଏ ତ ଗୋଟାଏ ଶ୍ରେଣୀର ହିଁ ମୁଖା ।

 

ଝରକାଆଡ଼କୁ ମୁହଁ ବୁଲାଇ ଦେଇ ଲୋକଟି ଦାନ୍ତ ସନ୍ଧିରୁ ଜିଭ ଅଗରେ ଗୁଆ କାଢ଼ିବାରେ ମନ ଦେଲା, ପୁଣି ଖଣ୍ଡେ ପାନ ପକାଇଦେଲା, ଆଉ ଭାବିବାକୁ ଲାଗିଲା–କଣ ହୋଇଥିବ ଏମାନଙ୍କ ଜୀବନ ।

 

ତାକୁ ଚାଳିଶି ଚାଲିଛି, କିନ୍ତୁ ସେ ଭାବେ ତା’ର ଚାରିଶହ ବର୍ଷର ଅଭିଜ୍ଞତା । ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଦିଗର ନାନା ଅଞ୍ଚଳ ସେ ବୁଲି ଆସିଛି, କେତେ ସହର, କେତେ ଗାଁ । ତା’ର ଦୃଷ୍ଟିଭଙ୍ଗୀରେ ବାଛ ପଡ଼େ ନାହିଁ ଭାଷା କି ବେଶର ବିଭେଦ । ନାନା ଭାଷା ସେ ନିଜେ କହିପାରେ, ନାନା ବେଶ ପିନ୍ଧିପାରେ । ବୁଲି ବୁଲି ମଣିଷକୁ ସେ ଦେଖିଛି ସହରିଆ ଗଳି ସନ୍ଧିରେ ଅନ୍ଧାର ବିଲିବିଲି ଘର ଭିତରେ, ଖୋଲାଫାଙ୍କା କ୍ଷେତରେ ପଲାରେ, ତା’ର ନାନା କର୍ମସ୍ଥଳରେ, ନାନା ରୂପରେ ଦେଖିଦେଖି ସେ ମନେମନେ ଶ୍ରେଣୀର ସୂତ୍ର ବାନ୍ଧିଛି । ସେମିତି ଦେଖୁଛି କଳୁଛି ତରୁଣ ରାୟକୁ ।

 

ଏ ଦେହ ସେହି ପ୍ରକାରର ଯେ ଢିରା ଉପରେ ଭରା ଦେଇ ରହେ, ଚଉକି କି ସପ, ଚଉକିରେ ପିଠି କି କାନ୍ଥ । କ’ଣ କରୁଥିବ ? ହିସାବ ନ ସିରସ୍ତା କାମ ? ଏ ପେଟରେ ଅଗ୍ନିମାନ୍ଦ୍ୟ, ଅଣ୍ଟାଠୁଁ ଉପରକୁ ଗଣ୍ଡିଟା ଟିକିଏ ଟୋଲେଇ ଯାଇଛି । ବାରମ୍ବାର ଚାହା ଆଉ ବିଡ଼ି ସିଗାରେଟ ଆଉ ଅଫିମ ପରି ଆଶା–"କାଲିକି ଆହୁରି ଭଲ ହେବ ପରା ।" ଆଶା ନ କରିବ ତ କ’ଣ ଆଉ କରିବ ? ଏଇ ସୁନ୍ଦର ଝିଅଟି, ଛବିଟିଏ ପରି, ଗେହ୍ଲା ଆଦରରେ ଘର ଭର୍ତ୍ତି କରି ରଖିଥିବ । କିନ୍ତୁ ଏ କୁସୁମଗଣ୍ଠି ବାପମା’ଙ୍କ ବେକରେ ପଥର ହୋଇ ଝୁଲୁଥିବ, ଏ ସ୍ନେହର ପିତୁଳା ତାଙ୍କ ଚେତନା ଭିତରେ ମାତୁଥିବ ହିଂସ୍ର ରୂପରେ । ତା’ ପାଇଁ ସେମାନେ ବାର ଖୋଜି ଖୋଜି ଧନ୍ଦି ହେଉଥିବେ । "କଣ ବୁଝିଲ ?" ମା କହୁଥିବ; ଦୀର୍ଘଶ୍ୱାସ ପକାଇ ବାପ ଶୂନ୍ୟକୁ ଅନାଇଁ ରହିଥିବ । ବାର ବଜାର ଟଙ୍କାର ଖେଳ, କେତେ ଦମ୍ଭ ଅବା ଅଣ୍ଟା ? ପାଞ୍ଚ ହଜାର ? ଦଶ ହଜାର ? ପନ୍ଦର ହଜାର ? ଯେତେ ଥାଉ ତଥାପି ତାଠୁଁ ଅଧିକ ବୋଲି ଲାଗୁଥିବ ଏ ଦେଏଣା । ଯେ ଯେତିକିର ସେ ତାଠୁଁ ଅଧିକରୁ ଅଧିକ ହୋଇଥିବା ବରପାତ୍ର ଖୋଜେ–ମିଳିଯାଆନ୍ତା ଆହା ! ପୁରୀ ଆସିଛି, ଜଗନ୍ନାଥ ଗୁହାରି ଶୁଣନ୍ତେ !

 

ଭାବୁ ଭାବୁ ଲୋକଟା ଆପଣା ସହାନୁଭୂତି ଉପୁଜିବା ଦେଖି ଯେପରିକି ନିଜ ଉପରେ ଚିହିଁକି ଉଠିଲା । ବଲବଲ କରି ସେହି ପରିବାରଆଡ଼କୁ ଅନାଇଁ ମନେମନେ କହିଲା "ମୋର କି ଯାଏ" ?

 

ତାର ଯହିଁରେ ଯାଏ, ସେହିଆଡ଼ୁ ପୁଣି ନୂଆ କରି ସେ ଭାବିବାକୁ ଆରମ୍ଭ କଲା । ଆପଣାକୁ ଆପେ ପଚାରିଲା, ମାଲ କେତେ ? ଚିପା ଲୋକ ହୋଇଥିବ । ଦୁଖେ ଅର୍ଜିତ ଯେତେ ଧନ–’ ଏ ହାତ ସହଜେ ଖୋଲିବ ନାହିଁ ପରା !

 

କିନ୍ତୁ ମୂଳରୁ ଅନେକେ ସେମିତି ଦିଶନ୍ତି, ପୁଣି ଶୁଖିଲା କାଠରୁ ପାଣି ବୁହେ । ତା’ର ବାଗ ଅଛି । ସେ ହସିଦେଲା ।

 

କଳ୍ପନାକୁ ତେଜି ପାରିଲେ, ଆଶା ମୁହଁ-ଜାଣି ପାଣି ଢାଳି ପାରିଲେ–ନା ପରେ ତେଣିକି ଆଉ ଅସୁବିଧା ନାହିଁ ।

 

ସବୁ ହୃଦୟ ତରଳିବା ପାଇଁ ଦ୍ରାଵକ ଅଛି, ତାତିର ମାପ ଅଛି, କଣ୍ଟ ଅଛି । ପ୍ରତି ଶେଠଙ୍କର ଥାଏ କେହି ଗୁରୁ, ବାବାଜି, ଗଣକ, ପ୍ରତି ବଡ଼ଲୋକର ଥାଏ କେହି ଜ୍ୟୋତିଷ, ହାତଦେଖାଳି, ସର୍ବଜାଣ, କିଏ ରହେ କେଉଁ ଟୁଙ୍ଗି ଭିତରେ, କିଏ କୋଠାଘରେ, କିଏ ସବୁଠୁଁ ଅବିଶ୍ୱାସ ଦେଖାଇ ଶେଷରେ କେଉଁଠି କାହା ଗୋଡ଼ତଳେ ମୁଣ୍ଡ ଲଗାଇ ନିଜକୁ ଧନ୍ୟ ମଣେ, ତେଣୁ ଏ ବି ତରଳିବ, କିନ୍ତୁ ଭାବିବାର କଥା–ଏତେ ନିଘା ଏତେ ସାବଧାନ ୟା ପଛରେ ଖଟାଇବାକୁ ଏ ନାଖି କି ନୁହେଁ, ନ ହେଲେ ସମୟ ନଷ୍ଟ ।

 

ଏ ଝିଅଟି ଆଖିରେ କୁତୂହଳ ଝଲକୁଛି, ତାକୁ ଲାଗୁଛି ସବୁ ନୂଆ, ସବୁ ସୁନ୍ଦର, ସବୁ ବିସ୍ମୟକର । ସବୁ ସେ ମନଦେଇ ଶୁଣିବ ସବୁଥିକି ରଙ୍କସରସର ହେବ । ଆଉ ୟେ ତା’ର ବୋଉ, ଅଣ୍ଟା ଓସାର ହୋଇଛି, ବେକ ପିଠି ଲାଗିଗଲାଣି, ଯେଡ଼େ ଦମ୍ଭିଲା ହେଲେ ବି ମନ ପଡ଼ି ନଥିବ କାଠୁଆ, ଏଇମାନଙ୍କର ବେଶି ବିଶ୍ୱାସ ବେଶି କଳ୍ପନା ଆଉ ଭାବପ୍ରବଣତା । ଏଇଠି ବହକି ଉଠିବ ଉତ୍ସାହ, ମନର ଆଗୁଳ ଫିଟିଯିବ, ପାତ୍ର ଅପାତ୍ର ନ ଭାବି ଦାନ ଦେଇ ପ୍ରାଣ ଶୀତଳ ହେବ । ଆଉ ଏଇ ଯେଉଁ ପୁରୁଷଟି ବସିଛି ରୁକ୍ଷ ଉଦାସୀନ ହୋଇ, ଯେପରି ସେ ନିହାତି ଏକୁଟିଆ, ତା’ର ମନ ସ୍ୱତନ୍ତ୍ର ନୁହେଁ, ପରିବାରର କୋଇଲି ସୂତାରେ ସେ ଛନ୍ଦାଛନ୍ଦି ଭିଡ଼ାଭିଡ଼ି, ସେମାନେ ଯୁଆଡ଼େ ଟାଣିବେ ସେ ଯିବ ତେଣିକି, ମୁହଁରେ ନାହିଁ ନାହିଁ କରୁଥିବ, କିନ୍ତୁ ସେହି ଟଣାଓଟରାହିଁ ତା’ ଜୀବନର ସୁଖ; ଯଦି ସୁଖ କିଛି ଥାଏ । ପୁଣି ତା’ ମନ ସହାନୁଭୂତିରେ ନରମିଗଲା । ମନହେଲା ସେମାନେ କିଛି କହନ୍ତେ, ସେ କିଛି କହନ୍ତା । ପଦାରେ ଚିହ୍ନା ଝାଉଁବଣ ଆଖିରେ ପଡ଼ିଲା, ସଙ୍ଗେ ସଙ୍ଗେ ଚିନ୍ତା ବଦଳିବାକୁ ଲାଗିଲା, ସେ ସିଧା ହୋଇ ବସି ଆସନତଳୁ ତା’ର ବୁଜୁଳା ଅଣ୍ଡାଳିଲା, ଆଉ ତରକି ତରକି ଡବା ଭିତରେ ଏ ମୁହଁରୁ ସେ ମୁହଁକୁ ଅନାଇଗଲା ।

 

ତରୁଣ ରାୟ ସେତିକିବେଳ ଭିତରେ ବହୁତଆଡ଼ ବୁଲି ଆସିଥାଏ । ଜଗନ୍ନାଥ ଦେଉଳ ଦେଖି ଅଭିଭୂତ ହୋଇ ସାରିଲା ପରେ ପୁଣି ସେ ଦେଉଳ ତା’ ଆଖିରୁ ଅନ୍ତର ହୋଇ ସାରିଥିଲା । କିନ୍ତୁ ସେ ପୁଣି ଦେଖିଲା ଦୂର ଦିଗନ୍ତ । ସହରରେ ସେ ଦେଖେ କାଠରେ ବନ୍ଧା କାଗଜ ଛବି, ଦି’ ଧାଉଡ଼ି କୋଠା ସନ୍ଧିରେ ଧାଡ଼ି ଧାଡ଼ି ତା’ର ଉପରେ ରୁଲ୍‍ପକା ଦି’ଗାର ମଝିରେ କେବେ ନେଳି ଅରାଏ । ଏଠି ଦେଖୁଥିଲା ଆକାଶ । ଚନ୍ଦନ ପରି ଶୀତଳ ସମୁଦ୍ର ପବନ ଦେହରେ ବାଜୁଥିଲା । ଗୋଟାଏ ନୂଆ ଚେତନାରେ ଅନ୍ତର ପୁଲକି ଉଠୁଥିଲା । ସେଉଠୁ ସେ ଉଡ଼ି ଯାଇଥିଲା ତା’ର ଅତୀତକୁ, ସେ ଦିନେ ପିଲା ହୋଇଥିଲା ।

 

ପଶ୍ଚିମ ଭାରତରେ ଠାଏ ତା’ର ପିଲାଦିନ କଟିଥିଲା । ତା’ ବାପା ଥିଲେ ରେଲବାଇରେ କିରାଣି । ଏମିତି ଏ ବେଳବୁଡ଼େ କେତେଥର ସେ ତା’ର ପିତଳର ସିଧା ବଂଶୀଟି ବଜେଇ ବଜେଇ ଏକୁଟିଆ ଖାଁ ଖାଁ ବାଟରେ ଘେରାଏ ବୁଲି ଆସେ, ଡାହାଣପଟେ ଗୋଟିଏ ଦୁର୍ଗର ଭଗ୍ନାବଶେଷ ଦିଶେ, ଦୂରେଇ ଦୂରେଇ ଦରିଦ୍ର ଲୋକଙ୍କ ବସ୍ତି, ସାନ ସାନ କୁଡ଼ିଆ । ନାଲି ରାସ୍ତାଟି ନାଲିଫିତାପରି ଶୋଇ ରହିଥାଏ ମଝିଏ ମଝିଏ, ତା’ ଦୁଇପଟେ ବହଳ ଘାସ ଛୁଆଣି ପଡ଼ିଆ । ଗୋଟାଏ ପାଖେ ରେଳ ଲାଇନ, ଏତିକିବେଳେ ଧୂଆଁ ଉଡ଼େଇ ଉଡ଼େଇ ରେଳଗାଡ଼ିଟିଏ ଯାଏ, ସେ ଆଁ କରି ଦେଖେ । ଯେତେଥର ଦେଖିଲେ ବି ପୁଣି ଆସେ ଦେଖିବ ବୋଲି, ଯେପରିକି କ’ଣ ସେଠି ଶୁଭିବାର ଥିଲା ସଙ୍ଗୀତ, ଯାହା ସେ ଶୁଣନ୍ତା, କ’ଣ ସେଠି ଘଟିବାର ଥିଲା ସେ ଅପେକ୍ଷା କରୁଥିଲା ଦେଖିବ ବୋଲି, ତା’ପରେ ଅଜାଣତରେ କେତେବେଳେ ସେ ବଢ଼ି ଉଠିଛି, କେତେବେଳେ ସେଠୁ ଦୂରକୁ ଚାଲିଯାଇଛି, ଅଶୁଣା ସଙ୍ଗୀତ ଅଶୁଣା ହିଁ ରହି ଯାଇଛି ସେହିଦିନୁ ।

 

ତାପରେ କେତେଥର ଉଇଁଛି ସେ ସ୍ମୃତି, ସେ ଯୁଆଡ଼େ ଯାଉ ସେହିବେଳ ସେହି ସ୍ମୃତି ତା’ର ସଙ୍ଗେ ସଙ୍ଗେ ରହିଛି ।

 

ପୁଣି ମନେ ପଡ଼ିଥିଲା ଫୁଟବଲ ଖେଳ ପଡ଼ିଆର ଗୋଲପୋଷ୍ଟ୍‍ । ତାହାରି ତଳେ ସେ ସିଧା ଠିଆ ଡେଙ୍ଗା ସରଳରେଖା, ଗୋଲ୍‍କିପର ତରୁଣ, ସେ ଯୁଦ୍ଧକୁ ଅନିଷା କରେ, ବୁଝେ, ନିଜେ ଠିଆ ହୋଇଥାଏ ଘଟନା ଘଟିବ ବୋଲି, ତା’ପରେ ତାର ସରଳ ସମାଧାନ, ଆପଣା ଘର ଜଗି ବିପଦକୁ ଦୂରକୁ ଫୋପାଡ଼ିଦେଲେ ତା' କାମ ସରିଲା ।

 

ତାପରେ ପଞ୍ଝାଏ ଚଢ଼େଇଙ୍କ ପିଛା ଧରି ଉଡ଼ି ଉଡ଼ି ଯାଉ ଯାଉ ହଠାତ୍‍ ଦିଶିଲା ଝାଉଁବଣ, ତାଳବଣ, ବାଲିକୁଦ, ନାଲି ସୁନେଲି କୁହୁଡ଼ି ସେପାଖେ ଦୂରରେ ଜଗନ୍ନାଥ ମନ୍ଦିର, ଚହଳ ପଡ଼ିଲା "ପୁରୀ–ପୁରୀ", ସେ ଅନୁଭବ କଲା ତା’ର ହୃଦୟ ଭିତରେ ପ୍ରବଳ ଆଲୋଡ଼ନ, ହଠାତ୍‍ ଗୋଟାଏ ବିପୁଳ ଆନନ୍ଦର ଢେଉ ଆସି ଆଖି ପିଛୁଡ଼ାକେ ତାକୁ ଟେକିନେଲା, ତା’ର ଅଭାବ ତା’ର ଦୁଃଖ ତା’ର ବନ୍ଧନ ତା’ର ଶଙ୍କା ଦକ ଆଉ ମପାଚୁପା ବିଚାର ସବୁଥିରୁ ଟେକି ଉଠେଇନେଲା ତାକୁ କାହିଁ ଉଞ୍ଚକୁ । କିନ୍ତୁ ଠିକ୍‍ ତା’ ଆର ମୁହୂର୍ତ୍ତରେ ସେ ପୁଣି କଚି ହୋଇ ପଡ଼ିଲା ସେହି ତା’ର ଆପଣା ପରିବେଷ୍ଟନୀ ଉପରେ, ଯେପରିକି ଏଠିକି ବି ସେ ତା’ ସଙ୍ଗେ ସଙ୍ଗେ ଗୋଡ଼ାଇ ଗୋଡ଼ାଇ ଆସିଛି । ଗାଡ଼ିର ଗତି ମଠ ମଠ ହେଲାଣି, ଏଥର ସେ ରହିବ, ତାପରେ–? ସେହି ଅଭ୍ୟସ୍ତ ଅନୁଭୂତି ମନେ ପଡ଼ିଯାଉଛି, ତା’ ସହିତ ତା’ର ଅଭ୍ୟସ୍ତ ଧାରଣା,–ଯେ ଜୀବନ ସମନ୍ୱୟ ନୁହେଁ । ଜୀବନ ଗୋଟାଏ ସଂଘର୍ଷ, ଗୋଟାଏ ଯୁଦ୍ଧ ହିଁ ।

 

ମହାନଗରୀରେ ଯେଉଁ ଖୋପରେ ସେ ବଢ଼ିଥିଲା ମହାନଗରୀ ଯେଡ଼େ ବିଶାଳ ହେଲେ ବି ତା’ ପାଇଁ ସେ ଖୋପଟିଏ, ସେଠି ପୁରୀର ସମୁଦ୍ର ବାଲିର ଅଖଣ୍ଡ ବିସ୍ତୃତି ନ ଥିଲା । ସେଠି ସବୁ ଭାଗ ଭାଗ, ଗାର ଗାର, ଏତକ ତାର, ଏତକ ମୋର ।

 

ତା ଆଖିରେ ସେଠି ମଣିଷ ଦୁଇ ଶ୍ରେଣୀର, ଦଳକର ନାଁ 'ସେମାନେ', ଦଳକର ନାଁ 'ଆମେ' ।

 

ଯାହାକୁ ସେ 'ଆମେ' ଦଳ ବୋଲି ଆଦରି ପାରିଥିଲା, ତା’ର ସବୁ କର୍ତ୍ତବ୍ୟ-ଚେତନା ସେହି ପରିସର ଭିତରେ, ସେଇଠି ସେ ସୁସ୍ଥ ଆଉ ନିରାପଦ, ସେଠି ଯେତେ ଦୁର୍ବଳତା କି ଦୁର୍ନୀତି ଦେଖିଲେ ବି ସେ ତାକୁ ମଠାମଠି କରି ଗ୍ରହଣ କରି ନେଇପାରେ । 'ସେମାନେ' ଦଳପ୍ରତି ସବୁବେଳେ ତା’ର ଅବିଶ୍ୱାସ, ସନ୍ଦେହ, ବିରାଗ । ଲକ୍ଷ ଲକ୍ଷ ଜକାଜକି ମଣିଷଙ୍କ ଗହଳି ଛାଉଣି ଭିତରେ ତା’ର 'ଆମେ' ଦଳର ପାରାଖୋପ, ସେ ସ୍ୱାର୍ଥ ଓ ସ୍ୱତ୍ତ୍ୱ ଉପରେ ଭରାଦେଇ ମୁଣ୍ଡ ଟେକେ, ସେ ମୋର ବୋଲି କହି ଦୁଇହାତରେ ମୁଠେଇ ଧରେ । ପ୍ରାଣପଣେ ଧରେ, କାଳେ ଜାବ ଫିଟିଗଲେ ସେ କାହିଁ ତଡ଼ି ହୋଇଯିବ । ସେ ଚାହେଁ ନାହିଁ ମେଲା-ଖୋଲା ।

 

ତାକୁ ଲାଗିଲା, କେବଳ ଆନନ୍ଦ ମିଳିଲେ ଯଥେଷ୍ଟ ହେଲା ନାହିଁ, ସେ ଆନନ୍ଦ ହୁଅନ୍ତା ତା’ ନିଜର ଗୋଟାସୁଦ୍ଧା, ସେଥିରେ ଆଉ କାହାରି ଭାଗ ନଥାନ୍ତା । ସେ କବାଟ କିଳି ପାରନ୍ତା, ଆଉ କାହା ଦୃଷ୍ଟି ପଡ଼ନ୍ତା ନାହିଁ ।

 

କିନ୍ତୁ ଏଠି ଦେଖିଛି ସବୁ ଏକାକାର, ସବୁ ଗୋଳିଆ ମିଶା । ଭିଡ଼ ଗହଳି ସେ ବହୁତ ଦେଖିଛି, କିନ୍ତୁ ଏ ଯେପରିକି ଭିନେ ପ୍ରକାର । ଏଠି ସବୁ ମୁହଁରେ ଏକପ୍ରକାର ଚେଇଁ ଉଠିଲାପରି ଥମଥମ ଚାହାଣି, ନାନା ଭାଷାରେ ଏକମୁହାଁ ଉଛୁଳା ଆବେଗ, ଆନନ୍ଦ ଉତ୍ତେଜନା । "ଜଗନ୍ନାଥ ! ଜଗନ୍ନାଥ !" ସେହି ଏକା ଗର୍ଜନରେ ସେମାନେ ଏକାଠି ହୋଇଛନ୍ତି, ସବୁଠି ଅଖଳା ବନ୍ଧୁପଣ । ମଣିଷ ମୁହଁରେ ସକାଳ ଝଲଝଲୋଉଛି । ଦଳଦଳ ହୋଇ ଗୀତ ଗୁଣୁଗୁଣୋଉଛନ୍ତି । ବାହାରେ ଫାଙ୍କା ଫରଚା । ତାଳବଣ, ଝାଉଁବଣ ଆଉ ଶାନ୍ତି । ସେକରେ ସମୁଦ୍ର ଏକରେ ବଡ଼ଦେଉଳ । ତା’ର ବି କବାଟ ଖୋଲିଯାଇଥିଲା । ଲାଗିଲା, ସମସ୍ତିଙ୍କି ସେ ଆଦରି ନେଉଛି, ଏତେ ମଣିଷ, ସବୁ ଏକ, ଏକ ଅଛିଣ୍ଡା ଧାର । ସେ ହସିହସି ଆଖି ମିଞ୍ଜିମିଞ୍ଜି କଲା । ଯେପରିକି ପଦାରୁ ତା’ ଭିତରକୁ ଗୋଟିଏ ପ୍ରବଳ ସୁଅ ପଶି ଆସୁଛି, ସେ ଅନ୍ତରକୁ ମେଲା ରଖିଦେଇ ଆଉଜି ରହି ଅନୁଭୂତି ଘେନୁଛି । ତା’ ଆଖି ଆଗରେ ଦିଶିଲା ସମୁଦ୍ର ସେକରେ ଅର୍ଦ୍ଧବୃତ୍ତ ହୋଇ ଗୋଲେଇ ବୁଲୁଛି ଅସଂଖ୍ୟ ଜଗନ୍ନାଥ ମନ୍ଦିର, କତିକି କତି, ଲଗାଲଗି ।

 

ଏତେବେଳଯାଏ ମଝିରେ ମଝିରେ ତାକୁ ଯେ ଲକ୍ଷ୍ୟ କରୁଥିଲା, ସେ କେତେବେଳେ ଉଠିପଡ଼ି ତା’ ପାଖକୁ ଆସିଛି ତା’ର ନିଘା ନାହିଁ, ସେତ ଧ୍ୟାନ କରୁଥିଲା । ଆପଣା ଦେହରେ କାହା ହାତରେ ଝାଙ୍କବାଜି ସେ ପରିସ୍ଥିତି ଆଡ଼କୁ ଆଖି ଖୋଲିଲା, କାନ ପାଖେ ପ୍ରଶ୍ନ ବରଷିଯାଉଛି, "ନାଁ କ’ଣ ? ବାପ ନାଁ କ’ଣ ? ଘର କେଉଁଠି ? କିଏ ଆପଣଙ୍କ ପଣ୍ଡା ? ହୋ ବାବୁ, ଶୁଣୁନାହାନ୍ତି କାହିଁକି ?"

 

ଘୁଞ୍ଚିଯାଇ ଛାତି ଉପରେ ବାହାକୁ ଛକିମାରି ସେ ଏ ଲୋକଟାକୁ କଠୋର ହୋଇ ଅନାଇଲା, ସେହି ଭଙ୍ଗୀରେ ଯେଉଁଥିରେ ତା’ ଅଫିସରେ ତା’ର ଉପରିକ ତାକୁ ଝିଙ୍ଗାସିବା ଆଗରୁ ଅନାଇଁ ରହେ । ସେହି ଲୋକଟାକୁ ବି ଅନାଇଁ ରହିଛି ତା’ର ସ୍ତ୍ରୀ, ତା’ର ଥୋମଣିରେ ଗାଲରେ ଅବିକଳ ସେମିତି ଆବୁ ବାହାରିଛି ଯାହାକୁ ଦେଖିଲେ ସେ ନିଜେ ଆଶଙ୍କା କରେ । ନାକ ଫଣଫଣ କରି ବାଙ୍କ ଓଠରେ ସତେ ଯେପରି ଦାଢ଼ି ଦେଖାଇ ଛଳନା ବି ସେହି ଲୋକଟାକୁ ଶତ୍ରୁତାମୟ କାକର ଚାହାଣିରେ ଆମନ୍ତ୍ରଣ କରୁଛି । ସମଗ୍ର ପରିବାର ଚିହିଁକି ଉଠିଛନ୍ତି, ଗାର ଟପି ଚାଲିଆସିଛି 'ସେମାନେ' ଦଳର ପ୍ରତିନିଧି, ସେ ଖାଲି ଅଦରକାରୀ ନୁହେଁ, ସେ ଗୋଟାଏ ଆକ୍ରମଣକାରୀ ।

 

କିନ୍ତୁ ଏତେ ଅଭ୍ୟାସରେ ସାଧିଥିବା ଭଙ୍ଗୀ ଓ ଦୃଷ୍ଟି ସେ ଲୋକଟି ଉପରେ କୌଣସି ପରିବର୍ତ୍ତନ ଆଣି ପାରିଲାନାହିଁ । ତା’ର ମୁଣ୍ଡବାଳ ଚାରିପଟୁ ଗୋଲହୋଇ ଖିଅର ହୋଇଛି, ବାଳ ଉପରେ ଦମ୍ଭ ମେଣ୍ଟି, କପାଳରେ ଚିତା, ବେକରେ ମାଳି, ଆବୁଆବୁଆ ଵୃଷାଳ ଦେହ, ପହିଲମାନ ପରି ଚଉକଷ । ତା’ର ଠାଣିରେ ସଂକୋଚ ନାହିଁ କି ଶଙ୍କା ନାହିଁ । ପିଚକାରି ପରି ପାନପିକ ପଦାକୁ ଫୋପାଡ଼ି କଳା ନାଲି ଧଳା ନାନାବର୍ଣ୍ଣର ଦାନ୍ତରେ ଓସାର ହସ ହସି ସେ କହିଲା,–

 

"ଏମିତି ଚାହିଁଛନ୍ତି କ’ଣ ବାବୁ ? ଆମେ ଶ୍ରୀ ଜଗନ୍ନାଥଜୀଙ୍କ ପଣ୍ଡା, ଆପଣଙ୍କୁ ଅଭ୍ୟର୍ଥନା କରିବା ଆମର ପୁରୁଷାନୁକ୍ରମିକ କର୍ତ୍ତବ୍ୟ ଆଉ ଅଧିକାର । ଆପଣ ଆମ କୁଣିଆଁ, ଆପଣଙ୍କର ସବୁ ଦାୟିତ୍ୱ ଏଣିକି ଆମର । ସୁବିଧାରେ ଦର୍ଶନ କରାଇଦେବା, ଆପଣ ଆଟିକା କରିବେ, ଆପଣଙ୍କର ରହିବ ଖାଇବା ପିଇବା ସବୁ ସୁବିଧା ଆମେ କରାଇଦେବା, ଯାହା ହୃଦ ଡାକିବ ତା’ ପ୍ରଣାମି ଦେଇ ସୁଫଳ ନେଇ ସୁଖରେ ଘରକୁ ଫେରିଯିବେ । ଆଉ କି ଚିନ୍ତା ? କଣଟାଏ ଦେବେ ଯେ ଏତେ ଛାନିଆଁ ? ଆପଣଙ୍କ ପିତୃପୁରୁଷଙ୍କ ନାଁ ଗାଁ ବି ଆମ ଖାତାରେ ଥିବ, ଯେ ଆପଣଙ୍କ ବଂଶର ପଣ୍ଡା ଆପଣ ତାଙ୍କ ପାଖକୁ ଯାଉନ୍ତୁ, ସେଥିରେ ଆମର କଳ୍ପନା ନାହିଁ । କିଏ ପଣ୍ଡା ? ମନେ ପଡ଼ୁନାଇଁ ? ଆସନ୍ତୁ । ମୋ ସଙ୍ଗରେ–"

 

ଧଳା କାମିଜ ପିନ୍ଧା ସରୁଆ ସରୁଆ ଯୁବକ ଦି'ଜଣ ସେଆଡ଼କୁ ଅନାଇ ହସାହସି ହେଲେ । ଜଣେ କହିଲା, "ହେଇ ଦେଖ ଲାଗିଗଲାରେ ବାବା ଯାତ୍ରୀ–ପୋଢ଼, ଥରେ ହାବୋଡ଼ିଲେ ଆଉ ରକ୍ଷା ଅଛି ?

 

ପଣ୍ଡା ତେଣିକି ଗାରଡ଼େଇ ଅନାଇଲା, ତା’ର ଠାଣି ଜାଗା ଘରର ପହିଲମାନର, ତରୁଣ ରାୟ ତା’ର ସେ ଭାବ ପରିବର୍ତ୍ତନ ଲକ୍ଷ୍ୟକଲା, ଆଉ ତା’ର ଆଶଙ୍କା ବଢ଼ି ଉଠିଲା । ପଣ୍ଡା ନରମ ହୋଇ ବନ୍ଧୁଭାବରେ ନୁଆଁଣିଆ ହୋଇ ତାକୁ କହିଲା, "ହେଇ, ଗାଡ଼ି ତ ରହିଲା, ଆସନ୍ତୁ ମୋ ସଙ୍ଗରେ, ସବୁ ଠିକଣା କରିଦେବି ।" ସଙ୍ଗେ ସଙ୍ଗେ ଆହୁରି ତିନିଜଣ ପଣ୍ଡା ଗାଡ଼ି ଭିତରକୁ ପଶି ଆସି ବାଦବୁଦିଆ ହୋଇ ବିଭିନ୍ନ ଭାଷାରେ ପଚାରିଲେ, "ଘର କୋଉଠି ? ପଣ୍ଡା କିଏ ? ଆସନ୍ତୁ ମୋ ସଙ୍ଗରେ–" । ପ୍ରଥମ ପଣ୍ଡା ସେମାନଙ୍କୁ ଆଗୁଳି ଛାତି ଫୁଲାଇ କବାଟପରି ଠିଆହୋଇପଡ଼ିଲା, ଲାଗିଗଲା ବଚସା ।

 

ତରୁଣ ରାୟ ଝରକା ବାଟେ ମୁହଁ ବଢ଼ାଇ ପ୍ରାଣପଣେ ରଡ଼ି ଛାଡ଼ିଲା, "କୁଲି, ହୋ କୁଲି–" ତା’ର ସ୍ତ୍ରୀ ଓ ଝିଅ ତା’ ସହିତ ସ୍ୱର ମିଶାଇ ସେହି ନାମ ଘୋଷିବାକୁ ଲାଗିଲେ । କୁଲି ଆସିଲେ । ସୁବିଧା ପାଇଁ ଯୋଡ଼ିଏ କୁଲି କରି ତରୁଣ ରାୟ ପରିବାର ସହିତ ତାଙ୍କ ପଛେ ପଛେ ପଦାକୁ ଚାଲିଗଲା । "ଆରେ-ଆରେ" କହି ପଣ୍ଡା ବ୍ୟୂହ ଭେଦି ପ୍ରଥମ ପଣ୍ଡା ସେମାନଙ୍କ ପିଛା ନେଉଥିଲା, କିନ୍ତୁ ଆଖିରେ ପଡ଼ିଗଲା, ବହୁତ ଜିନିଷପତ୍ର ବୁହାଇ ନେଇ ଗୋଟିଏ ପଶ୍ଚିମା ପରିବାର ଚାଲିଛନ୍ତି, ସେମାନଙ୍କ ପଛରେ ଗୋଟିଏ କୁଲି ପଟୁଆର । ହୃଷ୍ଟପୁଷ୍ଟ ସ୍ତ୍ରୀ ପୁରୁଷ, ସେମାନଙ୍କର ଦାମୀ ଲୁଗାପଟା, ମୁହଁରେ ପ୍ରାଚୁର୍ଯ୍ୟର ତେଜ ଆଉ ହସ, ସେମାନଙ୍କ ସଙ୍ଗରେ ଠେଲାଠେଲି ହୋଇ ପଣ୍ଡାମାନେ ଧାଇଁଛନ୍ତି । ସତେ ଯେପରିକି ଧନର ବାସ୍ନା ସେମାନଙ୍କୁ ଅଥୟ କରୁଛି । ଗାଡ଼ିରେ ଆସିଥିବା ପଣ୍ଡା ସଙ୍ଗେ ସଙ୍ଗେ ମତ ଠିକଣା କରି ପକାଇ ତରୁଣ ରାୟର ସଙ୍ଗ ଛାଡ଼ି ଦୁଇଖେପାରେ ସେହି ଆର ଭିଡ଼ ଭିତରକୁ ପଶିଗଲା, ଆଗରେ ଯେଉଁ ଡେଙ୍ଗା ମୋଟା ପ୍ରୌଢ଼ ଜଣକ ଧୀରେ ଧୀରେ ଚାଲିଛନ୍ତି, ତାଙ୍କ ପାଖରେ ଘଷିହେଲାପରି ଲାଗି ରହି ତାଙ୍କୁ ସେ ତରତର କରି କଣ କହି କହି ଚାଲୁଛି, ସେ ମୁଣ୍ଡ ଟୁଙ୍ଗାରୁଛି ।

 

ତରୁଣ ରାୟ କୁଲି ଦୁହିଁଙ୍କ ପଛେପଛେ ଯାଉଯାଉ ଆହୁରି ଅନେକ ପଣ୍ଡାଙ୍କ ପ୍ରଶ୍ନର ବାଣ ସହିଲା, "ରହନ୍ତୁ, ଶୁଣନ୍ତୁ, କିଏ ଆପଣଙ୍କ ପଣ୍ଡା ? ଘର କୋଉଠି ? ଏଣିକି ଆସନ୍ତୁ–" । କାହାରିକି ସେ ପାଟି ଫିଟାଇଲା ନାହିଁ, କିନ୍ତୁ ତା’ର ମନ ଫୁଲି ଉଠିଲା,–ଅନୁଭବ କଲା, ଏତେ ତୁଣ୍ଡରେ ପୁରୀ ତାକୁ ଅଭ୍ୟର୍ଥନା କରୁଛି, କ୍ରମେ ତା’ର ଭାବ କଟିଗଲା, କାହିଁ, କେହି ତା’ର ବାହା ଧରି ଭିଡ଼ୁ ନାହିଁ ତ । ସବୁରି ମୁହଁରେ ବନ୍ଧୁପଣ, ସବୁରି ବ୍ୟବହାରରେ ମଧୁର ଶୀତଳ ଶାଳୀନତା, ସେମାନଙ୍କର ଆଗ୍ରହ ଅଛି, ଦୁଃସାହସ ନାହିଁ ।

 

କିଏ ତାକୁ ଆକ୍ରମଣ କରିବ କି କିଏ ତା’ର ପକେଟରୁ ଟଙ୍କା ଚୋରି କରିବ, ଏ ଆଶଙ୍କା ତା’ର ନ ଥିଲା ।

 

ଉଦାର ମନରେ ସେ ଭାବିଲା, ଅଚିହ୍ନା ଲୋକକୁ ସ୍ନେହ ଆଦର ଯାଚି ଯାଚି କିଏ ଅବା କାହାଠୁଁ କେଇଟା ଟଙ୍କା ପାଇବ, କି ପ୍ରତିଦାନ ଅବା ସେ !

 

ତା ମନ ଭିତରେ ହିସାବୀ ସଙ୍କୋଚର ବାଡ଼ ଉଭେଇଗଲା, ଲାଗିଲା, ଏ ସମସ୍ତେ ତା’ର ବନ୍ଧୁ,–ଏତେ ମଣିଷ ସମସ୍ତେ ।

 

ସେ ପୁଲକ ସହିତ ଅନୁଭବ କଲା, ସେ ପୁରୀ ଆସିଛି–ସେ–ତରୁଣ ରାୟ ।

 

ହସିହସି ସ୍ତ୍ରୀକୁ କହିଲା, "ହେଇ ଦେଖ ସତେ ପୁରୀ । କି ସୁନ୍ଦର ! କେମିତି ପବନ ! କେଡ଼େ ଶାନ୍ତି ଲାଗୁଛି ! ସହରର ଝଞ୍ଜଟ ଗୋଳମାଳ ଧନ୍ଦା ସବୁ ଯେମିତିକି ଶାନ୍ତ ପଡ଼ିଯାଇଛି । ଏଇ ଶୁଣ ସମୁଦ୍ର ଗର୍ଜୁଛି । ଆଃ ! କି ସୁନ୍ଦର !"

 

ପାକୁଆ ପାଟିରେ ଫାଳେ ହସିହସି ଜଣେ ବୁଢ଼ା ପଣ୍ଡା କହିଲା, "ଏ ମର୍ତ୍ତ୍ୟରେ ବୈକୁଣ୍ଠ, ନହେଲେ ଏତେ ଜାଗା ଥାଉ ଥାଉ ଏଇଆକୁ ଭଗବାନ ଶ୍ରୀକ୍ଷେତ୍ର କରିଥାନ୍ତେ ? ବାବୁଙ୍କ ନିବାସ କେଉଁଠି ? ପଣ୍ଡା କିଏ ?"

 

ମା’ ଝିଅ ଆନନ୍ଦରେ ଅନାଇଛନ୍ତି, କାନ୍ତିମୟୀ ଟାଣି ଟାଣି ନିଶ୍ୱାସ ନେଉଛନ୍ତି । ଛଳନା ବଲବଲ କରି ଚାରିଆଡ଼କୁ ଚାଁହୁଛି । ଯେପରିକି ତା’ ଆଖିରେ ମେଲା ହୋଇ ପଡ଼ିଛି, ଗୋଟିଏ ସପନ ରାଇଜ, କେଉଁ କାଳର ହଜିଲା କଳ୍ପନା ପୁଣି ଲେଉଟି ଆସି ରୂପ ଘେନୁଛି ।

 

ଚାରିଜଣ ଫିଟ୍‍ଫାଟ୍‍ ବେଶ ତରୁଣ ଗାଡ଼ିରୁ ଓହ୍ଲେଇ ଖଣ୍ଡେ ଛାଡ଼ି ଠିଆହୋଇ ଏମାନଙ୍କୁ ଅନାଇ ହସାହସି ହେଉଛନ୍ତି, ପ୍ରତ୍ୟେକଙ୍କ କାନ୍ଧରେ ଫଟୋ କ୍ୟାମେରା ଝୁଲୁଛି ।

 

ଧାର ଲାଗିଛି । ଯୋଡ଼ିଏ ରିକ୍‍ସା ଡାକି ତରୁଣ ରାୟ ଓ ତା’ର ଝିଅ ଓ ସ୍ତ୍ରୀ ରିକ୍‍ସାରେ ଚଢ଼ି ହୋଟେଲରେ ରହିବାକୁ ଚାଲିଲେ, ବଡ଼ ସହରରୁ ଚିଠି ଲେଖି ଆଗରୁ ହୋଟେଲ ବନ୍ଦୋବସ୍ତ ହୋଇଥିଲା ।

 

ଦିନ ନିଭି ଆସୁଛି । ଏଇ ବାଲିବନ୍ତ ଶୋଇ ରହିଛି । ତା’ ସେକରେ ବିରାଟ ଶୂନ୍ୟ, ଅସରନ୍ତି । ମେଞ୍ଚା ମେଞ୍ଚା ଝାଉଁବଣ, ଗୋଟି ଗୋଟିକିଆ ଘର । ନାନା ରଙ୍ଗରେ ଅଙ୍କା ହେଲାପରି ନାନା ବର୍ଣ୍ଣର ପୋଷାକ ପିନ୍ଧା ନାନା ମଣିଷଙ୍କ ଧାର । ସ୍ଥିର ଶାନ୍ତି । ତରତର ନାହିଁ । ଏକା ଛନ୍ଦରେ ସମୁଦ୍ରର ଗର୍ଜନ । ତରୁଣ ରାୟ ଏ ନୂଆ ଜୀବନରେ ମନ ମେଲିଦେଲା । ଆନନ୍ଦ, ଆନନ୍ଦ । ସେ ସ୍ୱପ୍ନରେ ପହଁରି ପହଁରି ଚାଲିଛି । ତାକୁହିଁ ଆନନ୍ଦ ଦେବାପାଇଁ ଏହି ଏତେ ରୂପ ସୃଷ୍ଟି ହୋଇଛି । ବାଟ କରରେ ଗୋଟିକିଆ ପହରାବାଲା ପୋଷାକ ପିନ୍ଧି ଟୋପି ନାଇ ସଙ୍ଗୀନଲଗା ବନ୍ଧୁକ କାନ୍ଧେଇ ଟହଲୁଛି, ସେ ରୂପ ବି ତାକୁ ହିଁ ଆନନ୍ଦ ଦେବାପାଇଁ ଖଞ୍ଜାହୋଇଛି । ସେହିପରି ଏ ଝାଉଁ ଗଛଟି । ସେମିତି ଏ ଦଳଦଳ ବାବାଜି, ଜଟା, ଗେରୁଆ ଲୁଗା, ଗେରୁଆ ଅଙ୍ଗୀ, ଲୋଟା କମ୍ବଳ । ସେମିତି ଏ ସାନ ସାନ ଛୁଆଟିମାନେ, ଏଇ ଯେଉଁମାନେ ଦୌଡ଼ା ଦୌଡ଼ି ହେଉଛନ୍ତି । ତା’ ପାଇଁ ଏ ବିଶିଷ୍ଟ ପରିବେଷ୍ଟନୀ ସଜାଇରଖିବା ପାଇଁ ଏତେ ପ୍ରାଣୀ ଏତେ ବସ୍ତୁ ସବୁ ପ୍ରୟୋଜନ । ତା’ର ସ୍ନେହ ଉଛୁଳୁଛି । ଆଷାଢ଼ର ଧାରା ତଳେ ତଳେ ଧରଣୀରେ ଅଙ୍କୁର ଗଜୁରି ଉଠିଲା ପରି ତାଠିଁ ବି ନାନା ଅଙ୍କୁର ଉଠି ପଡ଼ିଛି । ଏତେ ବର୍ଣ୍ଣରେ ସଜାସଜି ହୋଇ ଏହି ଯେଉଁ ସୁନ୍ଦର ଆକାଶ ସେ ଖାଲି ତା’ର ଆଖି ଆଗରେ ନାହିଁ, ତା’ର ଅନ୍ତର ଭିତରେ ଭେଦି ରହିଛି । ତା’ର ଅଧା ଅଧା ଚିହ୍ନା ହୋଇ ଦୂରେଇ ଦୂରେଇ ଯାଉଛି, ଆଉ ଗୋଟାଏ ତରୁଣ ରାୟ, ଖୋଳ ଭିତରେ ମୋଡ଼ି ମୁରୁକୁଟି ହୋଇ ସେ କେଉଁଠି ଚାପି ହୋଇ ଅଟକି ରହିଥିଲା । ଅନ୍ଧାରି ଖୋପ ଭିତରର ଅଖ୍ୟାତ ତରୁଣ ରାୟ । ସେ କେବେ ଭରସି ନାହିଁ । କୁହାର ବୋଲାର ହୋଇ ସେ ଖାଲି ମୁଣ୍ଡପାତି ମାନି ମାନି ଚଳିଛି, ସବୁ ଚାପକୁ ଅବରୋଧକୁ ସହି ସମ୍ଭାଳି ଚଳି ଯାଉଯାଉ ସେଗୁଡ଼ାକ ଉଚିତ ଓ ସ୍ୱାଭାବିକ ବୋଲି ଆପଣା ମନକୁ ବୁଝାଇବାକୁ ସେ ଯୁକ୍ତି ଖୋଜିଛି । ସେହି ଆର ଲୋକଟା ଅବଶ ହୋଇ ନିଜକୁ ଛାଡ଼ି ଦେଇଥିଲା, ସୁଅରେ ସେ ଭାସିଯାଉ । ସେ ଆଉ ନାହିଁ । ଏ ତରୁଣ ରାୟ ଅନୁଭବ କରୁଛି, ସେ ଜଣେ ଦମ୍ଭିଲା ମଣିଷ, ତା’ର ପାଦ ଟଳେ ନାହିଁ । ସେ ମନଇଛା ବିଛେଇ ହୋଇ ପାରୁଛି । ଯେତେ ମଣିଷଙ୍କୁ ଦେଖୁଛି ସମସ୍ତିଙ୍କ ସଙ୍ଗେ ସତେକି ତା’ର ସମ୍ପର୍କ ରହିଛି ।

 

ଖାଲି ମଣିଷ ନୁହନ୍ତି । ଏ ଆକାଶ, ଆଲୁଅ, ପବନ, ଗଛବୁରୁଛ ଜନ୍ତୁଜନ୍ତା ସମସ୍ତିଙ୍କ ସଙ୍ଗେ ତା’ର ସମ୍ବନ୍ଧ ଅଛି, ସବୁଠି ତାକୁ ହିଁ ଆଦର । ସେ ଶକ୍ତିମନ୍ତ । ଏହିମାନଙ୍କ ମେଳରେ ସେ ଅପରିହାର୍ଯ୍ୟ, ଏମାନେ ନଥିଲେ ତା’ ଜୀବନ ପୂର୍ଣ୍ଣ ହୁଅନ୍ତା ନାହିଁ, ସେ ନଥିଲେ ଏ ସୃଷ୍ଟି ସମ୍ପୂର୍ଣ୍ଣ ହୁଅନ୍ତା ନାହିଁ । ସେ ଅତି ଆବଶ୍ୟକ ।

 

ସେ ମୁକ୍ତ, ଏହି ସ୍ନେହର ସମ୍ବନ୍ଧରେ ବାନ୍ଧି ହୋଇ ପଡ଼ି ସେ ସ୍ୱାଧୀନ, ତା’ର ଜୀବନ ଆନନ୍ଦମୟ । କି ଉଲ୍ଲାସ ! କି ମୁକ୍ତି ! ଅଧିକ କଥାରେ ଆପଣାକୁ ପ୍ରକାଶ ନ କରି ପାରି ସେ ଖାଲି କହିଲା–"ହେଇଟି–ଶୁଣୁଚ–ହେଇ ଦେଖ ଦେଖ–"

 

ମେଲାଖୋଲା ପିଚୁ ରାସ୍ତାରେ ରିକ୍‍ସା ଧାଇଁଛି । ଧାଇଁଛି ନାଇଡ଼ୁ, ତା’ର ନାକରେ ଫାଶିଆ, ମୁଣ୍ଡରେ ସାହାବ ଟୋପି, ଦେହରେ ଝାଳ, ତା’ର ଡୋରିଆ କାମିଜର ପଟାଏ ପଟାଏ ତିନ୍ତିବୁଡ଼ି ଯାଉଛି, କଜଳ ନାଇଲା ପରି ତା’ର ଢଳଢଳ ଆଖି ଯୋଡ଼ିକ, ଅଳ୍ପ ଖାଲୁଆ ଗାଲ ।

 

ଆଉ ତା’ର ମନ ଭିତରେ ଗୋଟିଏ ଗୁଣୁଗୁଣୁ ରାଗିଣୀ, ସେ ପ୍ରକାଶ ପାଇଲେ ବାରି ହୋଇ ପଡ଼ନ୍ତା, ଅମର ତ୍ୟାଗରାଜଙ୍କ ଅତି ଅଦ୍ଭୁତ କୃତି ଭିତରୁ ଗୋଟିଏ ସଂଗୀତ ବୋଲି ।

 

କେବେ ଖୋଲିଥିଲା ସେ ସଂଗୀତ, ଯେତେବେଳେ ତା’ର ଏ ଓଠ ଦିଫାଳ ଥିଲା କଅଁଳ, ପୂରିଲା ପୂରିଲା । ଆଉ ସେତେବେଳେ, ଯେତେବେଳେ ସେ ଆପଣାର କ୍ଷେତରେ କାମ କରୁଥିଲା, ତା’ ସ୍ତ୍ରୀ ତା’ ପାଇଁ କ୍ଷେତକୁ ଭାତ ଘେନି ଆସୁଥିଲା ।

 

ତାପରେ ସେ କେବେ ପଥୁରିଆ ଟାଆଁସିଆ ପଡ଼ିଯାଇଛି, ଆଖିର ଏ ଢଳଢଳ ଉହାଡ଼ରେ ତେଜି ଉଠିଛି ସତର୍କତା ଆଉ ଅବିଶ୍ୱାସ, ଆପଣାକୁ ଆପେ ଚେତା କରାଇଛି, "ନାଇଡ଼ୁ, ହୁସିଆର, ବଞ୍ଚିବାପାଇଁ ଯୁଦ୍ଧ କରିବାକୁ ପଡ଼ିବ ।" ଚାଲି ଆସିଛି, କେତେଶହ କୋଶ ଦୂରରୁ, ସକେଇ ହୋଇନାହିଁ, ମନକୁ କାଠ କରିଛି, ପାଦକୁ କରିଛି କ୍ଷିପ୍ର । ସେହି ସଂଗୀତ ଭେଦି ଭେଦି ଚାଲିଯାଇଛି ଆହୁରି ଆହୁରି ଭିତରକୁ । ଏହି ସମୁଦ୍ର ପବନ ତା’ର ବି ଗାଲ ଆଉଁଷୁଛି, ଟୋପିତଳେ ପଶି ତା’ର କୁଞ୍ଚୁକୁଞ୍ଚିଆ ଲମ୍ବା ବାଳ ସନ୍ଧିରେ ସଲସଲ କରୁଛି । ସେକରୁ ଜଗନ୍ନାଥ ମନ୍ଦିର, ଏକରୁ ମହାସମୁଦ୍ର ଚାହିଁ ରହିଛନ୍ତି ନାଇଡ଼ୁକୁ ବି । କାହା ସଙ୍ଗରେ ତା’ର କି ସମ୍ବନ୍ଧ ? ନାଇଡ଼ୁ ପରିସ୍ଥିତି କଥା ଭାବିଲେ ସେମିତି ଭାବେ–କିଏ ତା’ର କ’ଣ ? ତାକୁ ଏମିତି ଧାଇଁବାକୁ ପଡ଼ୁଛି, କାଲି ପଡ଼ିଥିଲା, କାଲି ବି ପଡ଼ିବ, ଅନ୍ତତଃ ପିଲାଟା ପାରିଗଲାଯାକେ । ପିଲାଟା ପାରି ଉଠିବ, ତାକୁ ମଣିଷ କରିବାକୁ ପଡ଼ିବ । କିନ୍ତୁ ସେ ରିକ୍‍ସା ଟାଣିବ ନାହିଁ ।

 

ଯେଉଁ ବୃତ୍ତି ଧରି ସେ କୁଟୁମ୍ବ ପୋଷୁଛି, ସେ ତାକୁ ଚିଟା ଲାଗୁଛି, ବୃତ୍ତିଟା ଦୁର୍ଭାଗ୍ୟ ବୋଲିହିଁ ଲାଗୁଛି, ପିଲାକୁ ସେ ବାଟ ସେ ଦେବନାହିଁ ।

 

ତା ହେଲେ କ’ଣ ହେବ ତା’ ପିଲା ? ମନେମନେ ତ୍ୟାଗରାଜ ସଙ୍ଗୀତର ପଟ୍ଟଭୂମି ଆଗରେ ଭାସି ଉଠୁଛି ସେହି ପ୍ରଶ୍ନ । ତା’ପରେ ସେ ଗୋଟାଏ ରୂପ ଘେନୁଛି । ଆଖୁ କିଆରି । ସେପାଖେ ଲୋଟଣି ବଗିଚା ଅରାଏ, ଆମ୍ବ, ସପେଟା, ପଣସ, ପିଜୁଳି, ଧାଡ଼ି ଧାଡ଼ି ହୋଇ ନଡ଼ିଆ ଗଛ । ସେଇଠି ପୋଖରୀ ଉପରେ ସାନ ଘରଟିଏ, ଦେଉଳ ପରି ଗୋଲହୋଇ ଗୋଟିଏ ଧାନଗାଦି, ଗୋରୁଗାଈ, ମଇଁଷି, ଛେଳି, କୁକୁଡ଼ା, ବତକ ଥିଲା ତ, ପୁଣି ଆସିବ । ପୁରୋହିତ ଆସିବ, ପୂଜା କରିଯିବ । ଛୋଟା କେମ୍ପା ଭିକାରି ବି ଆସିବେ, ସେ ମନା କରିବ ନାହିଁ, ଏଇ ଦାଣ୍ଡଯାକ ଯେମିତି ବୁଲୁଛନ୍ତି ସେହିପରିଗୁଡ଼ାଏ । ଆଉ, ସେ ରାଶି ଉଠିଆ କରିବ, ଧୂଆଁପତ୍ର ଉଠିଆ କରିବ, ବିଲରେ ଧାନ, ଢିପରେ ମାଣ୍ଡିଆ, ସେଇଠି ସେଇ ମାଟିରେ ସେ ତା’ର ଆଶାକୁ ପୋତି ଦେଇ ଚାଲି ଆସିଛି, ବଢ଼ିବ ତ ଦିନେ ସେ, ଝଙ୍କା ହେବ, ଫଳିବ ।

 

"ଏତେ ତରତର ଧାଁ'ନା ରିକ୍‍ସାବାଲା, ଆସ୍ତେ, ଟିକିଏ ଆସ୍ତେ–"

 

"ତୋର ଇଚ୍ଛା ବାପା ! ଯେଡ଼େ ଆସ୍ତେ କହିବୁ ଯିବି"–ଲୋକଟା ଡରୁଛି ପରା, ନାଇଡ଼ୁ ଭାବିଲା । ଏମିତି ଯେତେ ସଂରକ୍ଷିତ ସୁରକ୍ଷିତ ମଣିଷ ସେମାନେ ଡରଟାକୁ ସାଇତି ରଖି ପାରନ୍ତି । କେତେ ପ୍ରକାର ମଣିଷ ଏ ଦୁନିଆରେ । କିଏ କହେ, "ଆହୁରି ଚଞ୍ଚଳ ଧାଁ, ଆହୁରି–ଆହୁରି–" ଆଉ ୟେ କହୁଛି "ଧୀରେ ଚାଲ୍‍, ଧୀରେ–" ସମୁଦ୍ରକୁ ଦେଖୁଛି । ଏତେ ପାଣି ଦେଖି ନ ଥିବ ପରା । ଆଉ ଏଡ଼େ ଏଡ଼େ ଉଞ୍ଚ ଲହଡ଼ି–ଦେଖୁ ସେ ମନ ଇଚ୍ଛା ।

 

ଏଇ ଥୋଡ଼ାଏ ଏକର ସେକର ଦୌଡ଼ାଦୌଡ଼ି, ସବୁଠି ଟିକିଏ ମୁହଁଗଳା, ଏଇ ଲୁଣ ପାଣିରେ ଥରେ ଅଧେ ବୁଡ଼ାବୁଡ଼ି, ଦେଉଳ ଦର୍ଶନ, କିଛି କିଣାକିଣି, ପୁଣି ଧାଇଁ ଧାଇଁ ଚାଲିଯିବ ସେ ଷ୍ଟେସନକୁ ।

 

ତା ପରେ ରେଳଗାଡ଼ି ଚାଲିଯିବ,–ଧକ୍‍-ଧକ୍‍ ଧକ୍‍-ଧୂଆଁ ଆଉ ଘଡ଼ ଘଡ଼–ସେ ବି ଲୁପ୍ତ ହେବ ।

 

"ଆରେ, ଏଡ଼େ ମଠ ହୋଇଗଲୁରେ ରିକ୍‍ସାଵାଲା, ଆଉ ଟିକିଏ ଜୋରରେ ଚାଲ ବାବା–"

 

ତରୁଣ ରାୟ ରିକ୍‍ସାରେ ବସିଥିଲା । ସମୁଦ୍ରର ଗର୍ଜନ ପାଗଳ କରୁଛି । ଶୀତଳ ପବନ ଆଉଁଷି ଯାଉଛି । ଦାଗ ନାହିଁ, ଘା ନାହିଁ, ବଳ ବହକୁଛି, ତହିଁରୁ ବାହାରୁଚି ଗୋଟିଏ ଉଚ୍ଚାଟ ଉତ୍ତେଜନା । ସମୁଦ୍ର ଦିଶିଲା, ତାଳେ ତାଳେ ଧାର ଧାର ହୋଇ ଧଳା ଫେଣ ପିଟି ହେଉଛି, କୁଦା ମାରୁଛି, ତା’ ସେପାଖେ ଶାଗୁଆ ନେଳି, ଉପରେ ନେଳି ଆକାଶ, ଆଉ ବିସ୍ତୃତି, ଯେତେ ଦୂରକୁ ଆଖି ଯାଉଛି । "ସମୁଦ୍ର ! ସମୁଦ୍ର ! ଆଗର ରିକ୍‍ସାରୁ ମା ଝିଅ ପାଟି କଲେ ! "ଦେଖ, ଦେଖ, କେମିତି, କି ସୁନ୍ଦର !" ସେମାନେ ତାଆରି ଉତ୍ତେଜନାକୁ ଭାଷା ଦେଲେ । ଏ କ’ଣ ସେଠି ହୋଇଯାଉଛି । ଗୋଟାଏ ବିରାଟ ଗତି ଗୋଟାଏ ବିରାଟ ମୁକ୍ତି–ଗୋଟାଏ ବିରାଟ ଅଭିଯାନ–ଏମିତି କ’ଣ କେବେ ସେ ସ୍ଵପ୍ନ ଦେଖିଥିଲା, ସେ କେଉଁ ଜନ୍ମରେ ତା’ ତା’ର ମନେ ନାହିଁ, ଏମିତି ବିରାଟ ଶକ୍ତି ଥିଲା ତାର ଧ୍ୟେୟ, ତା’ପରେ ଆଶା ବୁଡ଼ିଥିଲା, ଚେତନା ଉପରେ କୋଠାର ଗହଳି ମାଡ଼ି ପଡ଼ିଥିଲା, ଧରାବନ୍ଧା ମପାଚୁପା ଜୀବନର ନିର୍ଘଣ୍ଟ ଭିତରେ ବନ୍ଦୀ ହୋଇ ରହିଥିଲା ତା’ର ବ୍ୟକ୍ତିତ୍ୱ, ଘରେ, ସଡ଼କରେ, ଅଫିସରେ ସବୁଠି ସେ ଦେଖିଥିଲା ଖାଲି ଗଣିତ ଆଉ ଗଣିତର ଫଳ, ଦୁଇ ଦୁଇ ମିଶିଲେ ଚାରି ହୁଏ, ତିନି ତିନି ଛ । ଓଳି ଘେନି କୋଳି, ତେଲାଉଣି ଘେନି ଚକୁଳି । ସେଥିରେ ବିସ୍ମୟ ନାହିଁ, ଆଶା ନାହିଁ, ସ୍ୱପ୍ନର ସ୍ଥାନ ନାହିଁ । ହେଇ ଯେମିତି ତା’ ବସାଘରର ସାମ୍ନାରେ ଥିବା ଆରଘର, ଦିନରେ ଅନାଇଁ ଦେଲେ ବି ସେ କହିପାରିବ ରାତିରେ କେତେବେଳେ ଏପାଖ ଝରକା ବନ୍ଦ ହେବ, ସେ କହିପାରିବ କେତେବେଳେ ଲୁଗାପଟା ଆଉ ଶେଯ ଛାତ ଉପରକୁ ଶୁଖିବାକୁ ଯିବ, ପୁଣି କେତେବେଳେ ସେ ତଳକୁ ଅଣା ହେବ । ତା’ର ନିଜ ଜୀବନରେ ନ ଘଟିପାରେ ସତ, କିନ୍ତୁ ସେ କହିପାରିବ କେଉଁ କେଉଁ କାରଣ ମିଶି କି ଫଳ ହେବ ।

 

ଆଉ ସେଇଆ ସେ ଭାବିପାରେ ବୋଲିହିଁ ତ ସେ ବନ୍ଦୀ, ସେ ସୀମିତ । ସେ ଜାଣେ ଯେ ସେ କଣ କଣ ପାଇ ପାରିବ ନାହିଁ, ସେ କଣ କଣ ହୋଇ ପାରିବ ନାହିଁ । କ’ଣ ହେବ, କ’ଣ ନ ହେବ ବୋଲି ନାନା ବିଷୟରେ ତାର ଯେତେ ଯେତେ ଧାରଣା ସବୁ ତାରି ନିବୁଜା ଖୋଳରହିଁ ଖୋଳପା । ସେ ଯେପରିକି ଡିମ୍ବ ଭିତରେ ଟିକି ଛୁଆଟିଏ, ଯୁଆଡ଼କୁ ଅନୁଭବ କଲେ ଖୋଳପା,–ଖୋଳପା ।

 

କେବେ ସେହି ଖୋଳପା ଭେଦି ଭିତରକୁ ପଶିଆସେ କେଉଁ ବିଚିତ୍ର ଅନୁଭୂତିର ସ୍ପନ୍ଦନ, କେଉଁ ବର୍ଣ୍ଣର ଝଳି, କିନ୍ତୁ ପୁଣି ସେ ଉଭେଇ ଯାଏ, ସେତ ଖିଆଲ, ସେତ ମିଥ୍ୟା । ସତ୍ୟ ଖାଲି ସେ ଖୋଳପା, ଚାରିଆଡ଼େ ଖୋଳପା ଯେପରିକି ଶଙ୍ଖମଲମଲ ପଥରରେ ତିଆରି, ମପାଚୁପା, ସବୁ ଧାରଣା ସବୁ ବିଶ୍ୱାସ ଖାଲି ତାହାରି ଭିତରେ ।

 

କେବେ ଦେଖିଥିଲା ଫୁଟବଲ ଖେଳ, ସହସ୍ର ସହସ୍ର ଦର୍ଶକଙ୍କ ଭିତରେ ଜଣେ ହୋଇ ଆପଣା ସ୍ଥାନରେ ବସି ଦେଖିଥିଲା, ମୁହୂର୍ତ୍ତ ମୁହୂର୍ତ୍ତକେ ଆପଣା ଭିତରେ ଅନୁଭବ କରିଥିଲା ଉତ୍ତେଜନାର ତୋଫାନ । କେବେ ଦେଖିଥିଲା ମହାନଗରୀରେ ବର୍ଷା ତୋଫାନର ତାଣ୍ଡବ, ସେ ମୁକ୍ତି ପାଇଥିଲା । ପୁଣି ସବୁ ହୋଇଥିଲା ବାସ୍ତବ ସମ୍ଭାବନାର ଶଙ୍ଖମଲମଲ ଖୋଳ, ଉତ୍ତେଜନା ନିଭିଥିଲା । କିନ୍ତୁ ଏମିତି ନୁହେଁ, ଏମିତି ନୁହେଁ, ଏଇ ଯେଉଁ ଧାଉଁଛି, କଚୁଛି, ଫୋପାଡ଼ୁଛି, ଗର୍ଜୁଛି, ନାଚୁଛି, ସବୁ ସମ୍ଭାବନା ଚୂନା କରିଦେଇ ଆପେ ମୁକ୍ତ ହୋଇ ପୂରି ରହିଛି ଦୂର ଦିଗନ୍ତଯାକେ–ସବୁ ଓଲଟ ପାଲଟ କରି ପ୍ରାଣ ଭିତରେ ଚିଆଁଇ ଦେଇଛି ଉଦ୍ଦାମ ମୁକ୍ତିର ଚେତନା, ସେ ନୂଆ ମଣିଷ ।

 

ତାର ହିସାବ ତାକୁ ଶିଖାଇଥିଲା ଜଣେ ଲୋକ ଘଣ୍ଟାକୁ ତିନିମାଇଲ ଚାଲିଲେ, ଚାରିଘଣ୍ଟାରେ ବାର ମାଇଲ ଚାଲିବ । ଅଙ୍କ କହି ନ ଥିଲା ସେ ମଣିଷ ଘୋଳି ହେବ ବୋଲି, କହି ନ ଥିଲା କାଳେ ସେ ଛାଇତଳ ଦେଖି ଅଳସ କରିବ, ସୌନ୍ଦର୍ଯ୍ୟ ଅନୁଭବ କରିବାକୁ ଠିଆ ହୋଇ ରହିବ, ଖାଲି ଦୃଷ୍ଟିରେ ଛୁଇଁ ଦେଉଁ ଦେଉଁ ସେହି ଅଙ୍କକଷା ହିସାବୀ ଦୁନିଆର ମପାଚୁପା ଖୋଳପା ଢାଙ୍କୁଣି କୁଆଡ଼େ ଉଡ଼ି ପଳାଇଛି, ଆପଣା ଭିତରୁ ବାହାରି ତରୁଣ ରାୟ ମିଶିଯାଇଛି ସେହି ନୀଳ ସମୁଦ୍ରରେ, ଯେପରି ଏଇ ତାରି ବିସ୍ତୃତି, ଏ ଧାଡ଼ି ଧାଡ଼ି ନୀଳ ତରଙ୍ଗ ତାର ନିଜର ହିଁ ପ୍ରକାଶ, ଏ ସ୍ଥଳି ସେ ।

 

ଆଉ ସେପାଖର ସେ ଉଞ୍ଚ ଶ୍ରୀମନ୍ଦିର, ସେ ବି ସେ ନିଜେ, ଅନ୍ୟ କେହି ନୁହେଁ, ତା’ର ଜାତି ନାହିଁ, ଭାଷା ନାହିଁ, ଦେଶ ନାହିଁ, ସେ ମନୁଷ୍ୟ ।

 

ଏଇ ଅନନ୍ତ ଚେତନା ତା’ର ଅନ୍ତର ଭିତରେ, ତା’ର ଦୁଃଖ ନାହିଁ, କ୍ଷୋଭ ନାହିଁ, ସେ ଉନ୍ମୁକ୍ତ ଉଦାର ।

 

ଆଗେ ହେତୁ ଥିଲା, ରିକ୍‍ସା ଜୋରରେ ଚାଲିଛି, ପଛେ ହେତୁ ହୋଇଥିଲା ରିକ୍‍ସା ମଠେଇ ମଠେଇ ଚାଲିଛି, ତା’ପରେ ଆଉ ତା’ର ହେତୁ ନାହିଁ । ରାସ୍ତା କରର ଝାଉଁବଣରେ ରହସ୍ୟମୟ ଅଭିବ୍ୟକ୍ତି ଜଣାଇ ପବନ ସାଇଁ ସାଇଁ ଚାଲିଥିଲା, କେତେବେଳେ ସେ ଅନୁଭବ କରିଥିଲା, ପୁଣି ଆଉ ତା'ର ହେତୁ ନାହିଁ ।

 

ଢେଉ ପରେ ଢେଉ, ଢେଉ ପରେ ଢେଉ, ଲାଗିଛି ତାର ପ୍ରବାହ କେଉଁ ଅନନ୍ତ କାଳରୁ ଆରମ୍ଭ ହୋଇ, ଯେପରିକି ସେ ନିଜେ ବିଶାଳ ଜୀବନ । କେବଳ ଆତ୍ମା ନୁହେଁ, ଦେହ ମଧ୍ୟ । ତା’ର ସବୁ ଅସରନ୍ତି, ପ୍ରବାହ କମେନାହିଁ, ପାଣି ସରେ ନାହିଁ । ସେ ଦେହର ପ୍ରତିକଣା ଜୀବନ୍ତ । ଖାଲି ଶାଗୁଆ, ନେଳି, ଧଳା ନୁହେଁ, ନାନାବର୍ଣ୍ଣ ତା’ ଶରୀରରେ ବର୍ଣ୍ଣନା କରି ହୁଏନାହିଁ । ନାନା ବର୍ଣ୍ଣରେ ଚିତ୍ରିତ, ଆଲୁଅରେ ଜିକିଜିକି ଅସରନ୍ତି ସମୟ ଓ ଅସରନ୍ତି ବିସ୍ତୃତିର ସେହି ବିରାଟ ଦେହ ଆପଣା ଜୀବନ ପ୍ରକାଶରେ ମୁହୂର୍ତ୍ତକେ ନାନା ଛନ୍ଦ ନାନା ଭଙ୍ଗୀରେ ଫୁଲିଉଠେ, ଗଡ଼ିଯାଏ, କୁଞ୍ଚୁକୁଞ୍ଚୁ ହୁଏ, କ’ଣ ସେ !

 

ତରୁଣ ରାୟ ତନ୍ମୟ ହୋଇ ଚାହିଁ ରହିଥିଲା । ସତେ ଯେପରିକି ମହାପ୍ରାଣରେ ପ୍ରାଣ ମିଶିଯାଇଥିଲା । ଜାମାଯୋଡ଼ ହୋଇ ତୁଚ୍ଛା ପିଞ୍ଜରାଟା ରିକ୍‍ସାରେ ବୁହାହୋଇ ଚାଲିଥିଲା ।

 

ଦେହ-ଦେହ-ଦେହ-ଦେହ––କେମିତି କି ଖଞ୍ଜରେ ତା’ର ଚେତନା ଦେହ ସ୍ତରକୁ ଓହ୍ଲାଇ ଆସିଲା । ଏଇ ସମୁଦ୍ର ବି ଗୋଟାଏ ଦେହ, ଅତି ବାସ୍ତବ । ଏଇତ ସମୁଦ୍ରର ଓଦା ନିଶ୍ୱାସ ତା’ର ଚଷମାରେ ମେଘ ଲଗାଇ ଦେଉଛି, ଦେହକୁ ଲାଗୁଛି ଶୀତଳ । ତା’ ଦେହର ଗୋଟାଏ ସ୍ପଷ୍ଟ ବିଶିଷ୍ଟ ବାସ୍ନା ଅଛି, ତାକୁ ଲାଗୁଛି । ଦେହ ଦେହ ଲାଗୁ ଲାଗୁ ସେ ପୁଣି ଆକାଶକୁ ଉଠିଗଲା ଏକରୁ ସେକରକୁ, ସମୁଦ୍ର ଉପରେ ଯେଉଁ ମାଳମାଳ ଚଢ଼େଇ ଉଡ଼ି ଯାଉଛନ୍ତି, ତାଙ୍କର ପିଛା ଧରିଲା ।

 

ଟିକିଏ ଉତ୍ତାରୁ ପଶ୍ଚିମ ଆକାଶ ଦିଶିଲା ଫିକା ନାଲି, ଫିକା କମଳାଲେମ୍ବୁ ବର୍ଣ୍ଣ, ଫିକା ହଳଦିଆ, ଏଠି ସେଠି ଆହୁରି କେତେ ଅଦ୍ଭୁତ ପ୍ରକାର ରଙ୍ଗ ଦିଶିଲା, ଅତି କଅଁଳ ରଙ୍ଗ । ଚାହୁଁଚାହୁଁ ଲାଗିଲା, ମିଠା ଆଙ୍ଗୁଠିରେ ତବଲା ଟିପା । ସେ ଶୁଣୁଛି, ଖୁସି ହେଉଛି । ପୁଣି ତା’ର ଚେତନାରେ ଅନୁଭବ ହେଲା ଦେହ, ଦେହ,–ସମୁଦ୍ରର ପ୍ରକାଣ୍ଡ ଦେହ ଭାସି ଉଠିଛି, ଖେଳୁଛି, ନାଚୁଛି–ତାର ସବୁଠି ନୂଆ ନୂଆ ବର୍ଣ୍ଣ । ଆଉ ହେଇ ତା’ର କରେ କରେ ତା’ର ପ୍ରଣୟିନୀ ପରି ବେଳାଭୂମି, ଶୋଇ ରହିଛି । କେତେ କେତେ ଦୂରତ୍ୱ ତାହା ପାଖକୁ ଢେଉ ମାଡ଼ି ଆସୁଛନ୍ତି, କେଉଁ ଅଜଣା କୋଣରୁ, ସେଠି ଉଚ୍ଛ୍ୱାସ ଉଠି ଆସୁଛି, କିନ୍ତୁ ସେ ସୁଖରେ ଆଖିବୁଜି ଶୋଇ ରହିଛି, ମୁହଁରେ ସେହି ନୀରବ ଅଧାହସ, ଯେ ଠେଲିଦେଲେ ବି ଓଟାରେ, ସମୁଦ୍ର ଉଛୁଳୁଛି, ହେଣ୍ଟାଳୁଛି, ଗର୍ଜ୍ଜୁଛି । ଭାଷାରେ ନୁହେଁ, ତୁମୂଳ ଶବ୍ଦରେ । ଶବ୍ଦରେ ତା’ର ହୃଦୟର ଭାବକୁ ନହଡ଼ି ଖେଳାଇ ଦେଉଛି ।

 

ବାରମ୍ବାର ଧାଇଁ ଆସୁଛି, ଅଜାଡ଼ି ଦେଉଛି, କଅଁଳ ଅନାବୃତ ନିରବ ବେଳାଭୂମି ଶୋଇ ରହିଛି, ଆସୁଛି ଅନ୍ଧାର । ବେଳାଭୂମି ଆଉ ସମୁଦ୍ରକୁ ଏକାଠି ଘୋଡ଼େଇ ପକାଇବାକୁ ।

 

ମନେ ପଡ଼ିଗଲା–ତାର ବି ଦେହ ଅଛି । ବିନା କାରଣରେ ଆଗର ରିକ୍‍ସାକୁ ଡାକ ପକାଇଲା–

 

"ହଇଗୋ–"

 

ଆଗ ରିକ୍‍ସାରୁ ବୁଲିପଡ଼ି ତା’ର ସ୍ତ୍ରୀ ଅନାଇଲେ, କହିଲେ "କଣ କହୁଛ ?"

 

ଶୁଖିଲା ହସଟିଏ ହସି ସେ କହିଲା, "ନାଇଁ, କିଛି ନାହିଁ ।" ତା’ର ଝିଅ ଛଳନା ବୁଲିପଡ଼ିଲା, କହିଲା "ଓଃ ! କେତେ ଲୋକ ସମୁଦ୍ର କୂଳରେ ବୁଲୁଛନ୍ତି, ଦେଖିଲ ବାପା–"

 

ସେ କହିଲା "ସତେ ?"

 

କାନ୍ତିମୟୀ ହସିଲେ, କହିଲେ "ଜନ୍ଦାପିମ୍ପୁଡ଼ି ପରି ମଣିଷ ସାଲୁବାଲୁ ହଉଚନ୍ତି, ପଚାରୁଚ 'ସତେ' ? ବାପରେ ! ଆମ ସହରରୁ ଅଧେ ଉଠି ଆସିଛନ୍ତି ପରା !"

 

ସେ ଖାଲି ଅନ୍ୟମନସ୍କ ଭାବେ କହିଲା "ହଁ–"

 

ସେ ଖାଲି ଦେହ କଥା ଭାବୁଥିଲା । ସେଠି ସେ ଅନେକ ଦେହ ଦେଖିସାରିଛି, ଆହୁରି ଦେଖୁଛି । ସତେ ଯେପରିକି ଲୁଗା ଦୋକାନରେ ଶାଢ଼ି ଦେଖିଲାପରି, ସେ ତରତର କରି ଆଖି ପକାଇଯାଉଛି–ଆଃ ! ଛନଛନିଆ ଦେହ, ଫୁର୍ତ୍ତି ଦେହ, ଛାଣ୍ଟ ଦେହ, କେମିତି ଆକାର, କେମିତି ଗଢ଼ଣ ।

 

ମଢ଼ିଆ, ପେଟା, ବୁଢ଼ା, ବାଙ୍ଗରା, କୁରୂପ, ରୁଗ୍‍ଣ, କେତେ ଜାତିର ଦେହ ଭିତରେ ତା’ର ମନଲାଖି ସୁନ୍ଦର ଦେହ ବି କେତେ ଅଛି । ମନ ହେଉଛି–ଏମିତି ଭଲା ହୋଇଥାନ୍ତା ସେ ।

 

ସତେ ଯେପରି ଅଧାଭୁଲା ହୋଇ ଆପଣା ପାଇଁ ମନନାଖି ଦେହଟିଏ ସେ ବାଛି ପକାଉଛି–ଉହୁଁ–ଏଇଟା ନୁହେଁ, ଆହୁରି ଭଲ ଦରକାର, ବୋଧହୁଏ ସେଇଟା, ନା, ହଜିଗଲା କେଉଁଆଡ଼େ, ହେଇ ସେ ଯେଉଁ ଗୋରା ଡେଙ୍ଗା ଭେଣ୍ଡିଆ ଠିଆହୋଇ ସମୁଦ୍ରଆଡ଼କୁ ତେରେଛେଇ ଅନାଇଛି, କି ଓସାର କାନ୍ଧ !–ନା ସେ ଆରକ–

 

ଗୋଟାଏ ମନନାଖି ଦେହ, ସେ ଦେହ ଘୋଳି ହୁଅନ୍ତା ନାହିଁ, ଅଳସ ଖୋଜନ୍ତା ନାହିଁ, ଯେଉଁ ଦେହରେ ବାର୍ଦ୍ଧକ୍ୟର ଚିହ୍ନ ନଥାନ୍ତା–

 

ଇସ୍‍ ! ବାର୍ଦ୍ଧକ୍ୟ ! ହଠାତ୍‍ ସେ ମୁଣ୍ଡ ଭିତରେ ଦଂଶନ ଅନୁଭବ କଲା । ହଠାତ୍‍ ଅନୁଭବ କଲା ତା’ର ପରିବାରଙ୍କୁ । ଏତେବେଳଯାଏ ସେମାନଙ୍କ ପାଖେ ପାଖେ ଥାଇ ବି ସେ ଦୂରରେ ଦୂରରେ ବୁଲୁଥିଲେ । ବିଦାବିଦି ବେଳେ ଯେମିତି ସବୁ ନିକଟରୁ ନିକଟତମ ଲାଗେ, ମମତା ଗାଢ଼ ହୁଏ, ସେଥିରେ ଗୋଳି ହୋଇଯାଏ ଅନ୍ତିମ ବାସନା, ମାଣ୍ଟେଇ ରହେ, ଝରେ, ଚିରୁଡ଼ା ହୋଇ । ମନର ଅଣୁ ବି ଫାଟିପଡ଼ିଲା ପରି ଲାଗେ, ସେମିତି ଲାଗୁଥାଏ ତାକୁ । ତା’ର ସମସ୍ୟା ମନେ ପଡ଼ିଲା ।

 

ନିଜେ ସୁସ୍ଥିରେ ମରି ବି ହେବନାହିଁ ।

 

ଗୋଟିଏ ବୋଲି ସନ୍ତାନ, ଝିଅଟିଏ, ତାପାଇଁ ବରଘର ଠିକଣା ହୋଇନାହିଁ । ବାର୍ଦ୍ଧକ୍ୟ ଆସିଛି । ସେ ମରିଯିବ । ଏମାନେ ଭାସିଯିବେ ।

 

କାହିଁ ସଞ୍ଚୟ ? କାହିଁ ସ୍ୱଚ୍ଛଳତା ? ଜୀବନଯାକର ଦାରିଦ୍ର୍ୟ କଳା ନେଙ୍କୁଡ଼ି ପିନ୍ଧି ଯେପରିକି ବାଟେ ବାଟେ ତା’ ଆଖି ଆଗରେ ଫଡ଼ଫଡ଼ ହେଲା, ଆଉ ମନେ ପକାଇଦେଲା–

 

ଦାରିଦ୍ର୍ୟ ହେଲେ କେଡ଼େ ଚଞ୍ଚଳ ସବୁ ଶୁଖି ଝଡ଼ିପଡ଼େ ! ସେ କି ଆତଙ୍କ ! କି ଯନ୍ତ୍ରଣା !

 

ଆଉ ସେ ପୁରୀରେ ନ ଥିଲା । ସେ ତ ଲେଉଟି ଯାଇଥିଲା ମହାନଗରୀରେ ତା’ର ବସା ଘରକୁ । ପ୍ରାୟ ଏତିକିବେଳେ ସେ ଅଫିସରୁ ଲେଉଟି ସେଠି ପହଞ୍ଚିଯାଏ । ଖାଲି ପେଟରେ କପେ ଚାହା ପିଇଦେଇ ଚାଲି ଚାଲି ଆସିଥାଏ, ବାଟରେ ବଜାର ସଉଦା ବି କିଣି ଆଣିଥାଏ । ଘର ଦୁଆରମୁହଁରୁ ଅନୁମାନ କରିନିଏ କି ପ୍ରଶ୍ନ ପଚାରି ତାକୁ ତା’ର ସ୍ତ୍ରୀ ପାଛୋଟିବାକୁ ଆସିବ,–"ବୁଝିଲ କି କିଛି ? ପାଇଲ କିଛି ସନ୍ଧାନ ? ନାହିଁ ? କ’ଣ ହେବ ତାହେଲେ ?"

 

"କଣ ହେବ ତାହେଲେ ?" ସେହିଆ ଭାବୁ ଭାବୁ ସେ ଟେବୁଲ ପାଖରେ ବସିପଡ଼ି ଟେବୁଲ ଉପରେ କହୁଣିଭରା ଦେଇ ଦୁଇ ପାପୁଲିରେ ମୁଣ୍ଡର ବୋଝ ଅଜାଡ଼ି ଦିଏ, ପୁଣି ଚାହା ତେଣ୍ଡେ, ବିଡ଼ି ପୋଡ଼େ, ଗ୍ରାମଫୋନ୍‍ ରେକଡ଼ ବାଜେ––"କଣ ହେବ ତାହାହେଲେ ?', ଶୁଣେ, ସମାଧାନ ନାହିଁ ।

 

ଏଇ ହୋଇଗଲା ହୋଟେଲ । ରିକ୍‍ସା ଗୋଟାକେ ଆଠଣା ଲେଖାଁ ଦେଇସାରି ଦାନ୍ତ ଓଠ ନେଫେଡ଼ି ସେ ଅନୁମେୟ କରୁଥିବା ରିକ୍‍ସାବାଲାଙ୍କ ଉପରକୁ ଖେଙ୍କି ଉଠିଲା, କହିଲା "ପଇସା କ’ଣ ଗଛରେ ଫଳେ ଭାବିଚ ? କେତେ କଷ୍ଟରେ ରକ୍ତ ପାଣି କରି ମଣିଷ ପଇସା କମାଏ-। ଦେଲିତ ଫେର ଆଉ କ’ଣ ? ଯା–ଯା–"ତା’ର ମନ ଆଉ ଉଦାର ନା ଥିଲା । ସେ ମୁଣ୍ଡରେ ଥିଲା ଖାଲି ଟଙ୍କା ଅଣା ପାହୁଲା ହିସାବ କ’ଣ କେତେ, ଗହମ ଗୋଟି ଗଣିତା କରି ଖର୍ଚ୍ଚ କାଟି ଗୋଟିଏ ସଂକୀର୍ଣ୍ଣ ଫାଟ ଭିତରେ ଆପଣାକୁ ମାଡ଼ି ମକଚି ଖାପ ଖୁଏଇବାକୁ ଗଇଁସଇଁ ଝାଳନାଳ ଉଦ୍ୟମ-। ଛୁଟି ଆରମ୍ଭ ହେଉ ହେଉ ତା’ ମନ ଭିତରେ ଛୁଟି ସରିଯାଇଥିଲା । ସ୍ତ୍ରୀକୁ ଡାକି କହିଲା, "ବୁଝିଲ, ତୁମେ କହିଲ ବୋଲି ବୁଲି ଆସିଲି ସିନା, ନ ହେଲେ ବୁଢ଼ା ବୟସରେ ପିଲାଖେଳ ଆଉ ଭଲ ଲାଗେ ନାହିଁ । ହାତରେ କାମ ନାହିଁ, ଖାଲି ଲାଗୁଛି !"

 

ହସିହସି କାନ୍ତିମୟୀ କହିଲେ,–"ତମର ଯେଉଁ କଥା ! କ’ଣ ଶୁଣିବ ! ଜୀବନଯାକ ଖାଲି କାମ କରୁଥିବ, ଖାଲି ଅଫିସରୁ ଘର, ଘରୁ ଅଫିସ, ନ ହେଲେ ଜଗତ ଶୂନ୍ୟ, ବାବ୍‍ବାରେ !"

 

"କାମ ନ କଲେ ଖାଇବାକୁ ଦେବ କିଏ ?" ସେ ହସିଦେଇ କହିଲା ।

 

ସ୍ତ୍ରୀ କହିଲେ, "ଦିଓଳି ନ ଖାଅ ପଛେ, ଟିକିଏ ସୁସ୍ଥ ହୋଇ ଶୁଅ । ଓଃ ! କି ସୁନ୍ଦର ଏ ଜଳବାୟୁ, ଆଉ ଆମ ସହର–କେଡ଼େ ଗରମ ! କେଡ଼େ କୁତ୍ସିତ ! ଛି ! ପୁରୀଟା ଏଠି ନ ହୋଇ ସେଇଠି ହୋଇଥାନ୍ତା କି !"

 

"ତାହେଲେ ସେ ଆଉ ପୁରୀ ହୋଇ ରହି ନ ଥାନ୍ତା । ଲକ୍ଷ ଲକ୍ଷ ଲୋକ ସେଠି ପୋକପରି ସାଲୁବାଲୁ ହେଉଥାନ୍ତେ । କଳକାରଖାନା ଅସଂଖ୍ୟ ଅସଂଖ୍ୟ ଠିଆ ହୋଇଥାନ୍ତା ଯେ ଖାଲି ଧୂଆଁ, ଶବ୍ଦ, ଗନ୍ଧ, କିଏ ଆଗ ବଢ଼ିବ ଉପରକୁ ଉଠିବ ବୋଲି ଵାଦବୁଦିଆ ଲାଗିଥାନ୍ତା, ସମୁଦ୍ରକୂଳ ଥିଲେ ସେ ଆଉ ଦିଶନ୍ତା ନାହିଁ, ସମୁଦ୍ର ଥିଲେ ତା’ର ରୂପ ହୋଇଥାନ୍ତା ଭିନେ । ସେଠୁ ତୁମେ ପଳାଇବାକୁ ଭିଡ଼ିଓଟାରି ହେଉଥାନ୍ତ, ପଇସା ଖର୍ଚ୍ଚ କରି ବୁଲି ଆସନ୍ତ ନାହିଁ ।

 

"ଏବେ ବୁଝୁଚ ତ, କହୁଥିଲ କେମିତି ? ଆପଣା ତୁଣ୍ଡରୁ କେତେବେଳେ ଅରୁଆ କେତେବେଳେ ଉଷୁନା । ବସ, ସୁସ୍ଥ ହୁଅ, ମନଖୋଲି ମଉଜ କର–"

 

ଦୁହେଁ ହସିଲେ ।

 

"ବାପା, ବାପା, ଆସ ଯିବା ସମୁଦ୍ରକୂଳରେ ବୁଲି ଆସିବା । ହେଇ ଦେଖ ଅଇଛା ସମୁଦ୍ରକୂଳରେ ସମସ୍ତେ ରୁଣ୍ଡ ହୋଇଛନ୍ତି । ଆଉ, ଶ୍ରୀ ଜଗନ୍ନାଥ ଦର୍ଶନ, କେତେବେଳେ ଯିବା ? ତାଙ୍କ ଘରକୁ ଆସି ତାଙ୍କ ସଙ୍ଗେ ଦେଖା ହେବନାହିଁ ?"

 

ତରୁଣ ରାୟ କହିଲା, "ସନ୍ଧ୍ୟା ଆଳତିବେଳକୁ ଯିବା । ଚାଲ ଯିବା ସମୁଦ୍ର କୂଳରେ ବୁଲି ଆସିବା ।"

 

ତିନିହେଁ ଚାଲିଲେ । ହୋଟେଲ ସାମ୍ନାରେ ସମୁଦ୍ର କୁଳ । ସେଠି ବହୁତ ଲୋକ ଗହଳି । ବେଳ ମିଟିମିଟି ହେଉଛି । ତା’ ପଛକୁ ତା’ ପଛ ହୋଇ ଧାଡ଼ ଧାଡ଼ି ଥାଟ ଥାଟ ଧଳା ଘୋଡ଼ାପରି ଧଳା ଫେଣ ବୋଳିହୋଇ ଉଚ୍ଚ ଉଚ୍ଚ ଢେଉ ମାଡ଼ି ଆସୁଛନ୍ତି । ମଝି ଫାଙ୍କରେ ନେଳି ଢେଉ । ପଶ୍ଚିମପଟେ ଆକାଶ ଓ ସମୁଦ୍ରରେ ହାଲୁକା ଫିକା ନାଲି ରଙ୍ଗ ଲାଗି ରହିଛି । ପୂର୍ବପଟେ ଛାଇ ଘୋଡ଼େଇଛି । ବାଲି ଉପରେ ସାନ ସାନ କଙ୍କଡ଼ା ଦୌଡ଼ୁଛନ୍ତି, ନାଚୁଛନ୍ତି, ଗାତଖୋଳି ପଶିଯାଉଛନ୍ତି-। ବାଲିର ଧଡ଼ିରେ ବାନ୍ଧିହୋଇ ନାଚୁଛି ଗର୍ଜୁଛି ବିଶାଳ ସମୁଦ୍ର । ଦୃଷ୍ଟି ଯେତେ ଦୂରକୁ ଯାଉଛି, ଖାଲି ଉପରେ ଖୋଲା ଆକାଶ, ତଳେ ସମୁଦ୍ର, ହିଡ଼ବାଡ଼ ନାହିଁ । ସେହି ବିସ୍ତୃତିର ପ୍ରତି କଣିକାରେ ବିସ୍ମୟ ଆଉ ବୈଚିତ୍ର୍ୟ ପୂରି ରହିଛି । ଲାଗିରହିଛି ସମୁଦ୍ରର ଗର୍ଜନ ଓ ସମୁଦ୍ରର ପବନ ।

 

ପୁଣି ତରୁଣ ରାୟର ମନ ଚଞ୍ଚଳ ହୋଇ ଉଠିଲା । ବାଡ଼ିଖଣ୍ଡ ଟାଣକରି ମୁଠେଇ ଧରିଲା । ଦେହଟି ଅଣ୍ଟାଠୁଁ ଆଗକୁ ଆସ୍ତେ ଉହୁଙ୍କି ରହି ଢଳିପଡ଼ିଛି, ତା’ ଉପରେ ଆଉ ଗୋଟିଏ କୋଣ ସୃଷ୍ଟି କରି ବେକକୁ ପଛକୁ ଭାଙ୍ଗି ସେ ତା’ର ଚଷମାର ମୋଟା କାଚବାଟେ ଚାରିଆଡ଼କୁ ଅନାଇଲା, ଆଉ ଅନୁଭବ କଲା, ଏ ସମୁଦ୍ର ତା’ର ଚେତନାକୁ ଆକ୍ରମଣ କରୁଛି ।

 

ସମୁଦ୍ର ତା’ର ଇଚ୍ଛାକୁ ତା’ ଉପରେ ଆଣି ମାଡ଼ିଦେଉଛି, ସମୁଦ୍ରର ଇଚ୍ଛା ନୁହେ, ଯେ ସେ ଆପଣା ସମସ୍ୟା ଓ ଆପଣା ଧନ୍ଦା କଥା ଭାବି ମନମରା ହୋଇ ରହୁ, ବାର୍ଦ୍ଧକ୍ୟକୁ ସ୍ୱୀକାର କରି ଅଭିନୟ କଲାପରି ଗୁରୁଗମ୍ଭୀର ହୋଇ କଥା କହୁ, ସମୁଦ୍ର ତ ତାକୁ କହୁଛି ତରୁଣ ହ, ଚପଳ ହ, ଜୀବନ୍ତ ହ– ।

 

ସେହି କୁହା ମାନି ଏତେ ଅସଂଖ୍ୟ ଅସଂଖ୍ୟ ମଣିଷ ସେମିତି ଚଳୁଛନ୍ତି । ଯାହାର ଯାହା ସୁନ୍ଦର ଓ ଦାମୀ ଲୁଗାପଟା ଅଛି ସତେ ଯେପରି ବାଛି ବାଛି ପିନ୍ଧି ସେମାନେ ବାହାରି ଆସିଛନ୍ତି । ଝିଅମାନେ ନାନା ପରିପାଟୀରେ ନିଜକୁ ସଜାଇଛନ୍ତି । ବାଃ ! ପ୍ରକାର ପ୍ରକାର ! ମୁହଁରେ ଗାଲରେ ହାଲୁକା ପଲସ୍ତରା, ସ୍ନୋ ପାଉଡ଼ର ଓ ରଙ୍ଗ । କାହା କାହା ଓଠରେ ବି ନାଲି ରଙ୍ଗ ବୋଳା ହୋଇଛି-। ନାନା ବର୍ଣ୍ଣର ଶାଢ଼ି, ନାନା ଢଙ୍ଗର ବ୍ଲାଉଜ, ଯୋତା । ଅନେକଙ୍କ କାନ୍ଧରୁ ଚମଡ଼ା ମୁଣି ଓହଳିଛି, ଅନେକଙ୍କ କାନ୍ଧରୁ ଓହଳିଛି ଫଟୋ କ୍ୟାମେରା ବାକ୍‍ସ, ଅନ୍ଧାର ଆସୁଛି, ଫଟୋ ନେବାର ନାହିଁ, ତଥାପି ସେମାନେ ଚାଲିଛନ୍ତି । ସାନ ସାନ ପିଲା ତଥାପି ବାଲିଘର ତୋଳୁଛନ୍ତି । ଧାଡ଼ି ଧାଡ଼ି ଘର, ରାସ୍ତା, ପୋଖରୀ ପୋଖରୀ ପାଣି ଆସିବ ବୋଲି ନେଳିଆ, ସମୁଦ୍ର ମାଡ଼ିଆସି ପୋଖରୀରେ ପାଣି ରଖିଦେଇ ଯିବ, ଏଇତ ମଉଜ ।

 

ଦୃଶ୍ୟ ଦେଖୁଛି, ତରୁଣ ରାୟ, ସତେ ଯେମିତି ନୂଆ ଆଖିରେ ଦେଖୁଛି, ନୂଆ ରୂପହିଁ ଦେଖୁଛି । ସମୁଦ୍ର ମାଡ଼ି ଆସୁଛି, ଛାଡ଼ି ଯାଉଛି । ଗେଲ ଲଗାଉଛି, ରହସ୍ୟ କରୁଛି । ଅତର୍କିତରେ ଧାଇଁ ଆସି କେଉଁ ମହିଳାଙ୍କ ପାଦରୁ ଚଟି ଛଡ଼ାଇ ନେଇଯାଉଛି, କାହାର ଦାମୀ ଶାଢ଼ିକୁ ଦେଉଛି ଓଦା କରି । ଗହଳ ଲାଗିଛି । ଲୋକ ଚାଲିଛନ୍ତି । ବାଲି ଉପରେ ଖଣ୍ଡେ ଆରାମଚୌକି ପାରିଦେଇ ସେଥିରେ ଜଣେ ଅତି ଦୁର୍ବଳ ବୁଢ଼ାକୁ ବସାଇ ଦିଆହୋଇଛି ପାଖରେ ଜଣେ ବୁଢ଼ୀ ଜଗି ବସିଛନ୍ତି । ବୁଢ଼ିଆଣୀ ସୂତାର ଜାଲପରି ଅତି ପାତଳ ଶାଢ଼ି ପିନ୍ଧି ଚାଲିଛନ୍ତି ଜଣେ ଯୁବତୀ, ସତେକି ପାତଳ ବାମ୍ଫ ଉହାଡ଼ରୁ ଫୁଟି ଉଠୁଛି ମନଲୋଭା ମନୁଷ୍ୟ ଶରୀରର ସ୍ଥାପତ୍ୟ କଳା । ଚାଲିଛନ୍ତି ଯୁବକ ଯୁବତୀମାନେ, ଦଳଦଳ, ତା’ପଛକୁ ତା’ପଛ । ଜଣେ ସୁନ୍ଦରୀ ଯୁବତୀ ସହିତ ଚାରିଜଣ ଯୁବକ ହସ କୌତୁକ ହୋଇ ଚାଲିଗଲେ । ଏମିତି ଆହୁରି କେତେଦଳ । ସେଠି ଜୀବନ ସତେକି ଏଇ ସମୁଦ୍ର ପରି ଛଳଛଳ, କେବଳ ପ୍ରବାହ, ତା’ର ଚିନ୍ତାର ଦାୟିତ୍ୱ ନାହିଁ, ମରଣ କି ପରାଜୟର ଦକା ନାହିଁ । ମୋଟା ବାଡ଼ିକୁ ଗଦାପରି କାନ୍ଧ ଉପରେ ଟେକି ଥରି ଯୋତା ମୋଜା ମାଡ଼ି ଗଲେ ଜଣେ ବଳିଷ୍ଠ ବୃଦ୍ଧ । ଧୋବ ଫରଫର ପାତଳ ଲୁଗା କାମିଜ ପିନ୍ଧି ଏଣିକି ତେଣିକି ଅନାଇ ଅନାଇ ଏକର ସେକର ବୁଲିଲାପରି ଦୋହଲିଲା ପରି ହୋଇ ପଞ୍ଝା ପଞ୍ଝା ଭଦ୍ରଲୋକ ଚାଲିଛନ୍ତି, ମୁଣ୍ଡରେ ଲମ୍ଵାବାଳ, କାହା ତୁଣ୍ଡରେ ସିଗାରେଟ, ଅନର୍ଗଳ କଥା, ଯୁକ୍ତି କି ଆଲୋଚନା, ଅସରନ୍ତି ।

 

ଏକା ସଙ୍ଗରେ ଏତେ ଗୋଡ଼ ଚାଲିଛି, ଏତେ ଆଖି ଦେଖୁଛି, ଏତେ ପାଟି କଥା କହୁଛି । ସମୁଦ୍ର ଗର୍ଜୁଛି । ପବନ ଉଡ଼ୋଉଛି ଜୀବନ ଚହଲି ଚାଲିଛି । ତରୁଣ ରାୟ ହଜି ଯାଇଛି ।

ଛଳନା ଗୁଣୁଗୁଣୁ ହେଲାଣି । ସମୁଦ୍ର ଦେଖି ତାକୁ ଗୀତ ମାଡ଼ିଲାଣି । ତାଳିମାରି ନାଚିକୁଦି ସମସ୍ତିଙ୍କ ଦୃଷ୍ଟି ଆକର୍ଷଣ କରି ସେ ପାଟି କରୁଛି,–"କି ଚମତ୍କାର ! ଚମତ୍କାର !" ଚଣାଭଜା, ଚିନାବାଦାମ ଭଜା ବକ୍ରି କରିବା ଲୋକ ପଲପଲ ହୋଇ ପସରା ଧରି ବୁଲୁଛନ୍ତି, ତୁହାଇ ତୁହାଇ ଉପରେ ପଡ଼ି ଆସି ପଚାରି ଯାଉଛନ୍ତି, "ଚିନାବାଦାମ ନେବେ ? ଚଣାଚୁର ନେବେ-?" ଧାଇଁ ଆସୁଛନ୍ତି ଭିକାରି ପଲପଲ, ଅନ୍ଧ, ଛୋଟା, କେମ୍ପା, ଗୋଡ଼କଟା, ସାନପିଲା ଧରି ସ୍ତ୍ରୀଲୋକ, ଲୋକ ଦେଖିଲେ ପଇସା ମାଗୁଛନ୍ତି । ହାତରେ ମଲ୍ଲୀଫୁଲର ମାଳ, ବଉଳ ଫୁଲର ମାଳ ଓହଳାଇ "ଛଛପଇସା–ଛଛପଇସା" ଡାକି ଡାକି ମାଳିମାନେ ଚାଲିଛନ୍ତି । ନାନାଜାତିର ଶାମୁକା, ଶଙ୍ଖ, ସମୁଦ୍ର ଘୋଡ଼ା ପୋକ, ବିକ୍ରି ହେଉଛି ।

କରଛଡ଼ା ଦେଇ ବସି ପଡ଼ିଛନ୍ତି, କେହି କେହି ଯକ୍ଷ୍ମରୋଗୀ ନ ହେଲେ ଭାବୁକ ।

ସତେକି ଏ ସମୁଦ୍ର ବାଲିରେ ଆନନ୍ଦ ବିଞ୍ଚି ହୋଇ ପଡ଼ିଛି, କେତେ ଲୋକ ଆସୁଛନ୍ତି ଗୋଟେଇ ନେବାକୁ ।

ଚାହୁଁଚାହୁଁ ସଞ୍ଜ ସରି ରାତି ଆସିଗଲା । ସମୁଦ୍ରରେ ଘୋଟିଗଲା ବିଷଣ୍ଣତା; କିନ୍ତୁ ଢେଉ ଦିଶିଲା ଆହୁରି ଧଳା ଆହୁରି ଜିକିଜିକି । ବାଲି ଉପରେ ଅନ୍ଧାର ଜମାହେଲା । ଛଳନା ଅନୁଭବ କଲା, ଗହଳି ପାତଳ ହେଲାଣି, ମଣିଷଗୋଠ ବାହୁଡ଼ି ଗଲେଣି, ଯେ ରହିଛନ୍ତି ସେମାନେ ଦଳଦଳ ନୁହନ୍ତି, ଦିଦିଜଣିଆ । ସେ ଦେଖିଲା ତାରି ପରି ଯୋଡ଼ିଏ ଝିଅ ସେପାଖେ ସେହି ଅତି ଉଚ୍ଚ ପତାକା ଖୁଣ୍ଟତଳେ ନଇଁ ପଡ଼ିଛନ୍ତି, ସେଠି ଯେଉଁ କେଉଁକାଳର ପୁରୁଣା ତୋପ ଦୁଇଟା ପଡ଼ି ରହିଛି, ତାହାରି ମୁହଁକୁ କୁତୂହଳରେ ଅନିଷା କରିଛନ୍ତି, ସତେ ଅବା ସେହି ପ୍ରାଚୀନ ଅତୀତ ଭୟଙ୍କର ଅତୀତ ନିଦରୁ ପଡ଼ି କ’ଣ କଥା କହିବ, ସେହି ତ୍ରିପଣ୍ଡକଳା ଲମ୍ବା ମୋଟା ମାଦଳା ଦେହଟା, ତା’ର ଆଖିନାହିଁ, ବେକ ଚାରି କରେ ଖାଲ, ଗୋଟାଳିଆ ମୁଣ୍ଡାମୁହଁ, ସେ କଣ ଗୋଟାଏ ଆଦିମ ଅତିକାୟ ଜନ୍ତୁ, ଅଚଳ ହୋଇ ପଡ଼ି ରହିଛି, ଏଇ ଚୁପ୍‍ଚାପ୍‍ ଅନ୍ଧାରି ବେଳାରେ ସେ ଚେଇଁ ଉଠି ମୁଣ୍ଡଟେକିବ, ସେମାନେ ଅପେକ୍ଷା କରିଛନ୍ତି ।

ତାର ଦେହ ଶିରଶିରେଇ ଉଠିଲା । ଆଉ ସେ ନିଘାକଲା ଯେ ଦୁଇଜଣ ତରୁଣ ବିସ୍ମୟ କୁତୂହଳରେ ବେକ ଟେକି ଟେକି ସେହି ଅତି ଉଚ୍ଚ ଅତି ସଳଖ ପତାକା ଖୁଣ୍ଟକୁ ତଳୁ ଉପରକୁ ଅନାଇ ଯାଉଛନ୍ତି, ରହି ରହିକା ସେମାନଙ୍କ ତୁଣ୍ଡରୁ ପ୍ରଶଂସା ଖସି ପଡ଼ୁଛି–"ବାଃ–ବାଃ–ବାଃ–ବାଃ–" ଖୁଣ୍ଟ ଚାରିପାଖେ ମୋଟା ମୋଟା କାଠକିଳା ପୋତା ହୋଇ ତାକୁ ଟାଣକରି ବାନ୍ଧି ଦିଆ ହୋଇଛି । କିନ୍ତୁ ଏହି ଚିହ୍ନରା ଗ୍ରାହକଙ୍କ ଆବେଗ ଐତ୍ସୁକ୍ୟରେ ସେହି ଅତିସାଧାରଣ ଜଡ଼ ବସ୍ତୁଟା ସତେକି ଜୀବନ୍ତ ଦିଶୁଛି । ମଣିଷ ମଣିଷ ଭାବର ସଙ୍କେତମୟ ରୂପଟିଏ, ଭାବନା ଆଣୁଛି, ପ୍ରେରଣା ଦେଉଛି-। ତେଣୁ ତା’ ଚାରିପଟେ ବି ଲୋକେ ବେଙ୍ଗଳା ବୁଲି ଚାଲି ଯାଉଛନ୍ତି, ତାଳୁ ସ୍ପର୍ଶ କରୁଛନ୍ତି, ତଳୁ ଅନାଇଁ ଅନାଇଁ ଦେଖୁଛନ୍ତି ତା’ର ଶିଖରଯାକେ । ତା’ ଚାରିପାଖେ ଏତେ ଲୀଳାଖେଳା, ସେପାଖେ ପାଣି ଉଛୁଳୁଛି, ଫେଣ ଗଦା ହେଉଛି, ସମୁଦ୍ର ପିଟି ହେଉଛି, ଗର୍ଜୁଛି, ସେ ନିର୍ବିକାର ହୋଇ ଶୂନ୍ୟ ଭିତରେ ଆପଣାକୁ ଉଦ୍ୟତ କରି ଠିଆ ହୋଇ ରହିଛି, ସତେକି ଧ୍ୟାନସ୍ଥ ।

ଓଟାରି ହେଲାପରି ସେମାନେ ବି ସେଠିକି ଗଲେ । ସେମାନେ ବି ଘୂରି ବୁଲିଲେ ସେହି ବିସ୍ମୟ ଭଉଁରିରେ । ତରୁଣ ରାୟ ସେହି ଖୁଣ୍ଟିକୁ ଧରି ଧରି ପ୍ରଦକ୍ଷିଣ କଲା, ଛଳନା ଓ ତା’ ବୋଉ ତୋପ ଯୋଡ଼ାକୁ ଦେଖିଲେ ।

 

ଏଥର ନିଘାରେ ପଡ଼ିଲା ଧାଡ଼ି ଧାଡ଼ି ମାଛମରା ଡଙ୍ଗା, ତିନି ତିନି ଫାଳ ପାଳଧୁଆ କାଠରେ ତିଆରି, ଲୁହକଣ୍ଟା ମରା ନ ହୋଇ କାଠକିଳାମାନ ମରା ହୋଇଛି, ଦଉଡ଼ି, ବନ୍ଧାହୋଇ ଏକାଠି ଗୋଟା କରାଯାଇଛି । ତା’ ପାଖରେ ପତ୍ର କୁଡ଼ିଆ, ଚାରିଆଡ଼ ଗୋଲ, ତା’ ଭିତରେ ଜାଲ ଓ ଦଉଡ଼ି ରହେ । ଡହଡହ ଦିନ ଆଲୁଅରେ, ଯେତେବେଳେ ଅନ୍ୟ ପଦାର୍ଥ ମଣିଷ ଓ ସମୁଦ୍ରଠିଁ ଦୃଷ୍ଟି ଅଟକି ରହେ, ସେତେବେଳେ ବାଲି ଉପରର ଡଙ୍ଗା ଓ କୁଡ଼ିଆ ଆଖିକି ଦିଶେ ନାହିଁ । କିନ୍ତୁ ଏଇ ଯେତେବେଳେ ହାଲୁକା ଅନ୍ଧାର ଝରି ପଡ଼ୁଛି, ସେତେବେଳେ ସେପାଖେ ସମୁଦ୍ରର ବିସ୍ତୃତି, ଏପାଖେ ବାଲିର ବିସ୍ତୃତି–ଏମିତି ଏଇ ବିସ୍ତୃତି ଉପରେ ଅନ୍ଧାର ବୋଳି ହୋଇ ସେ ସବୁ ବାରିହୁଏ–ଲମ୍ବା ତୋପ, ଡେଙ୍ଗା ପତାକା ଖୁଣ୍ଟି, ଧାଡ଼ି, ଧାଡ଼ି, କିମ୍ଭୀର ପରି ହୁଲିଡ଼ଙ୍ଗା, ଅନ୍ଧାରର କୁଦ ପରି ପତ୍ରକୁଡ଼ିଆ,–ଯେ ମନେ ପକାଏ ଟୁପ୍‍ଟାପ୍‍ ଫୁସ୍‍ଫାସ୍‍ କଥାଭାଷା, ଚୋରା ଲୁଚା ତୁନିତାନି ଖେଳ–

 

ପୁଣି ସେମାନେ ସମୁଦ୍ର କୂଳେ କୂଳେ ଡଙ୍ଗା ଓ କୁଡ଼ିଆ ଆଖପାଖରେ ବୁଲିଲେ । ଚମକିପଡ଼ି ସ୍ଥାନେ ସ୍ଥାନେ ଠିଆ ହୋଇ ପଡ଼ିଲେ ଦୁଇ ଦୁଇଜଣ ହୋଇ ତରୁଣ ତରୁଣୀ, ରେଲ୍‍ଚଢ଼ି ମହାନଗରୀରୁ ପୁରୀ ସମୁଦ୍ର କୂଳକୁ ଯେଉଁମାନେ ଧାଇଁ ଆସିଥାନ୍ତି କିଛି ସୁଖ ଓ ଅନୁଭୂତି ସାଉଣ୍ଟି ନେବାପାଇଁ, ତାଙ୍କରି ଭିତରୁ କେହି କେହି ହାତ ପାପୁଲିରେ ହାତ ପାପୁଲି ଥୋଇ ଛାଇ ଅନ୍ଧାରରେ ଚୁପ୍‍ ହୋଇ ନିଛାଟିଆରେ ବସି ସମୁଦ୍ରଆଡ଼କୁ ଅନାଇଁ ଅନାଇଁ ଆପଣା ଦୃଦୟର ଦମ୍‍ଦମ୍‍ ଅନୁଭବ କରନ୍ତି, ବାରମ୍ବାର ଦୀର୍ଘଶ୍ୱାସ ପକାନ୍ତି, ନୀରବ ହୋଇ ଜଳିଯାଏ ବିଡ଼ି କି ଶସ୍ତା ସିଗାରେଟ, ନୀରବରେ ପବନରେ ଭାସିବୁଲେ ମୁଣ୍ଡତେଲର ଚିହ୍ନାବାସ୍ନା ।

 

କ୍ଷୀଣ ଦୁର୍ବଳ ସ୍ୱାସ୍ଥ୍ୟରେ ଦୁର୍ବଳ ଚିତ୍ତରେ ବିକଳ ମନରେ ଅନ୍ଧାରରେ ଦୁଇ ଦୁଇ ହୋଇ ବସି ବିଫଳତାକୁ ଆରାଧନା କରୁଥିବା ତରୁଣ ତରୁଣୀ ଚମକିପଡ଼ି ଉଠି ଠିଆ ହୋଇପଡ଼ି ବିରକ୍ତିରେ ଅନାଇଁ ପୁଣି ବସି ପଡ଼ିଲେ ପତ୍ରକୁଡ଼ିଆ କାନ୍ଥରେ ପିଠି ଡେରିଦେଇ ।

 

ତରୁଣ ରାୟ କଣେଇ କଣେଇ ଅନେଇ ଚାଲିଗଲା, ଟିକିଏ ଦୂରେଇ ଯାଇ ବେକ ଭାଙ୍ଗି ପଛକୁ ଅନାଇଁ ରହିଲା ସନ୍ଦେହରେ ।

 

ଭାବିଲା, ଏଇ ତରୁଣମାନେ, ବୁଝି ହେବନାହିଁ କି ରହସ୍ୟ ଛାପିଛି କାହା ମୁଣ୍ଡରେ ।

 

ଏଇ ଦୁର୍ବଳମାନେ, କହି ହେବନାହିଁ କିଏ କେତେବେଳେ କେଉଁ ଭାବକୁ ମନରେ ପୂରାଇ ବଜ୍ରପରି ଟାଣ ହୋଇଯିବ, କହିହେବ ନାହିଁ କେଉଁଜଣକ ଏଥିରୁ ଆତ୍ମତ୍ୟାଗ ଦେଇ ହେବ ଧନ୍ୟ, ପୂଜ୍ୟ, ସ୍ମରଣୀୟ, ଅଥବା କେଉଁ ଜଣକ ହେବ ସମାଜର କଣ୍ଟକ, କିଏ କରିବ ନିଃସ୍ୱାର୍ଥ ସମାଜସେବା, କିଏ ହେବ ଡକାଏତ, ବୈନାଶିକ ।

 

କହିହେବ ନାହିଁ କେଉଁ ମାର୍ଗରେ କିଏ ଯିବ ଏଥିରୁ, ତେବେ–ଏତିକି ସୁନିଶ୍ଚିତ, ଏମାନେ ଆସନ୍ତା ଜୀବନର ଅଧିକାରୀ, ସେ ନୁହେଁ । ମନୁଷ୍ୟର ଶ୍ରେଷ୍ଠତମ ସମ୍ପଦ ସେମାନଙ୍କର ଅଛି–ତାରୁଣ୍ୟ, ଆୟୁଷ,–ତାର ତୁଟି ଆସୁଛି ।

 

ସେହି ଅନ୍ଧାର ଭିତରେ ଚୋରା ଦୀର୍ଘଶ୍ୱାସରେ ଆପଣାର ମନୋଭାବକୁ ପ୍ରକାଶ କଲାବେଳେ ତାକୁ ଲାଗିଲା, ଆପଣାର ଅତୀତର ଅନୁଭୂତିରେ ସତେକି ସେମାନଙ୍କ ଭିତରୁ କାହାରି କାହାରିକୁ ସେ ଚିହ୍ନି ପାରିଛି, ସେହି ଏକାଦଳ, ସେହି ଏକା ଉପାଦାନ, ସହାନୁଭୂତି ଆସୁଛି, ସେ ଯେପରିକି ଆପଣା ଉପରେ । ସେହି ଏକରୂପ ତା’ ଆଖି ଆଗରେ ଖେଳି ଖେଳି ଯାଉଛି । ବୁଦ୍ଧିଜୀବୀ, ଦୈହିକ ପରିଶ୍ରମ–ପରାଙ୍‍ମୁଖ, ଦୁର୍ବଳସ୍ୱାସ୍ଥ୍ୟ, କଳ୍ପନାପ୍ରବଣ, ବିଶିଷ୍ଟ ବୃତ୍ତିହୀନ, ନାନାବୃତ୍ତି ଲାଗି ପ୍ରବଣତାମୟ ।

 

ସେ ଲୋଡ଼ୁଥିବା କିଛି ସଉକ, କିଛି ଆରାମ, ନାନା, ବିଷୟରୁ କିଛି କିଛି ତାର ଦରକାର ହେଉପଛେ ଅଳ୍ପ ଅଳ୍ପ ।

 

କନା ଆଉ କାଠର ଆରାମ ଚୌକି ଖଣ୍ଡେ, ଖଣ୍ଡେ ହାଲୁକା ଚପ୍‍ପଲ, ପାତଳ କନାର ଢିଲା ପାଇଜାମା, ଅଣ୍ଟାରେ ଡୋର ଦିଆ, ଗୋଟିଏ ହାଲୁକା ସାନ ଗୋଲ ଟେବୁଲ, ତା’ ଉପରେ ଥାଇ ଚା ଖିଆଯାଏ, ଖବରକାଗଜ ପାରି ପଢ଼ାହୁଏ । ଆଉ ଦରକାର ଟିକିଏ ନିଆରା ଥାନ, ଯେଉଁଠିକି ଅନ୍ୟ କେହି ତାଙ୍କ ମନକୁ ଆସି ପାରିବେ ନାହିଁ, ସେ ତାର ମନଇଚ୍ଛା ଯାହାପାରି ତାହା କରିପାରିବ, ସୁସ୍ଥରେ ଚାରିଆଡ଼କୁ ଅନାଇଁ ପାରିବ । ଦୁଆରେ ଥିବ ଫୁଲଗଛ ଦିଟା, ହେଉ ପଛେ ଶୁଖିଲା କି ଦର୍‍ହମଲା, ଘରେ ଖଣ୍ଡେ ଷ୍ଟୋଭ, ଦିବେଳା ଦିଦିଟା କୁକୁଡ଼ାଡିମ୍ବ, ଯାଉ କି ନଯାଉ ତା’ ଦେହରେ, କାନ୍ଥରେ ଫଟୋ, ଆଗ ତା’ ନିଜର, ତା’ପରେ ତା ବନ୍ଧୁବାନ୍ଧବୀମାନଙ୍କ ଭିତରୁ କାହାରି କାହାରି, କବିତା ବହି ଖଣ୍ଡେ,–ବୁଝୁ କି ନ ବୁଝୁ ତା’ର ଅର୍ଥ, ଅଧିକାର ସୂତ୍ରରେ ସେ ସାଇତା ହୋଇ ରହିଥିବ, ମଲାଟ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବ ତା’ ନାଁ, ଦୈନିକ ଖବରକାଗଜ ଆସୁଥିବ, ପଢ଼ିବାକୁ ପଛେ ସମୟ ନ ଥାଉ, ଚୁଲି ଲାଗିବ, ଚା’ହେବ । ସଙ୍ଗୀତ କରିବାପାଇଁ ଖଣ୍ଡେ ହାରମୋନିଅମ, ତାର ଯନ୍ତ୍ର ଥିଲେ ଅଧିକରୁ ଅଧିକ । ରେଡ଼ିଓ ରଖିପାରିଲେ ଆହୁରି ଆନନ୍ଦ, ସେ ଯେଉଁଠି ଥିଲେ ସୁଦ୍ଧା ତାର ପ୍ରିୟ ମହାନଗରୀର ସଙ୍ଗୀତ ସେ ଶୁଣି ପାରିବ, ନିଜେ ନ ଗାଇ ପାରିଲେ ବି ଓସ୍ତାଦମାନଙ୍କୁ ଅନୁକରଣ କରି ନାନା ମୁଖଭଙ୍ଗୀ କରି ଗଳା ଥରେଇ ଥରେଇ ଆ-ଆ-ଆ କରି ପାରିବ । ଭାତ ଖାଇଲାବେଳେ ପରିଷ୍କାର ପତ୍ରରେ କି ଥାଳିରେ ହାତରେ ସାଉଁଳା ସାଉଁଳି ଅତି ଧୋବ ନିଃସାର ମିଲ ଚାଉଳର ଭାତ ଦୋଟି, ଚଢ଼େଇଖିଆ ଗିନାରେ ଡାଲି ତରକାରୀ–ଏତେ ଟିକିଏ ହେଉ ପଛେ, ଆଇଁଷପାଣି ଟିକିଏ ।

 

ତାପରେ ଦୁଇକଳ ଧୂଆଁ, ବିଡ଼ି କି ସିଗାରେଟ ।

 

ସବୁଠୁ ବେଶି ପ୍ରିୟ ଗୋଟାଏ କଳ୍ପିତ ଆଭିଜାତ୍ୟ,–‘‘ମୁଁ ବୁଦ୍ଧିଜୀବୀ, ମୋର ସଂସ୍କୃତି ସ୍ୱତନ୍ତ୍ର, ତା’ର ବିଶିଷ୍ଟତା ଅଛି, ପରମ୍ପରା ଅଛି । ସାଧାରଣଙ୍କଠୁ ଉଚ୍ଚରେ ମୋର ସ୍ଥାନ ।’’

 

ଜେଜେମା କହୁଥିଲେ ତାଙ୍କର ବି କେଉଁଠି ଗୋଟିଏ ଗାଁ ଥିଲା । କାହାଣୀ ରହିଯାଇଛି–ଗୁହାଳଭର୍ତ୍ତି ଗାଈଗୋରୁ, ମାଛଭର୍ତ୍ତି ପୋଖରୀ ଧାନଭର୍ତ୍ତି ଅମାର, ମନଭର୍ତ୍ତି ସ୍ନେହ । ଗାଁର ନୀତି ଅନୁଷ୍ଠାନ ମାନୁଥିଲେ । ପୂଜା ଓଝା କରୁଥିଲେ, କଳିଗୋଳ ତୁଟୁଥିଲା ଗାଁର ମହାଜନ ସଭାରେ ନ୍ୟାୟ ନିଶାପରେ । ସୁସ୍ଥି ଓ ଶାନ୍ତିରେ ବଢ଼ୁଥିଲେ, ଗାଁ ବାହାରକୁ ଯିବାକୁ ଦରକାର ପଡ଼ୁନଥିଲା । ପୁଅ ଯଦି ଗାଁ ଛାଡ଼ି ତିନିକୋଶ ଦୂରକୁ କେବେ ଯିବାକୁ ବାହାରୁଥିଲା, ମା କନ୍ଦାକଟା କରୁଥିଲେ, ସତେ ଯେପରି ସେ ଦୂରବିଦେଶକୁ ଯାଉଛି, ସେ ଆଖିରୁ ଅନ୍ତର ହେବାଯାକେ ଭାରିଯା, କାନ୍ଥରେ ଲେପଟେଇ ପଡ଼ି ଚାହିଁ ରହୁଥିଲା ।

 

ତାପରେ ବଢ଼ିଲା ସହର ଓ ବେପାର, ଜଣେ ଓ ଆର ଜଣଙ୍କ ଭିତରେ ଧନର ତାରତମ୍ୟ ବଢ଼ିଲା, ଲୋକେ ଖିନିଭିନି ହେଲେ, ବଞ୍ଚିବାପାଇଁ ଧରାପରା କାମୁଡ଼ାକାମୁଡ଼ି, ଲାଗିଗଲା, ମନରୁ ସ୍ନେହ ତୁଟିଲା, ପଡ଼ିଶା ପ୍ରତି ଶତୃଭାବ ଆସିଲା, ଯେ ଯେତେ ଅସତ ଠକାମି ନିଷ୍ଠୁରତା ଦେଖାଇ ଆପଣାକୁ ଟାଣୁଆ କରିପାରିଲା, ଦେହି ଦେଲା ତା’ ବିଚକ୍ଷଣତା, ତା ପାରିଲାପଣ, ଏଇ ଭଉଁରି ଏଇ ଅସ୍ଥିରତା ଏଇ ଉତ୍କଟ ଜୀବନ-ସଂଗ୍ରାମ ଭିତରେ କି ରୂପ ଶିରୀ ହେଲା ସେହି ପରମ୍ପରା ଗତ ସଂସ୍କୃତିର !

 

କୁହୁଡ଼ି ପରି ଉଡ଼ି ଉଡ଼ି ବୁଲୁଛନ୍ତି ମଣିଷ, ଦେଶକୁ, ଦେଶ, ଅଞ୍ଚଳ, ଅସ୍ଥିର, କରୁଣ ।

 

ତାଙ୍କର ଦୁର୍ବଳତାହିଁ ତାଙ୍କ ସମ୍ବଳ ।

 

ଏହି ମହାସମୁଦ୍ର କୂଳରେ କେତେବେଳ ଛୁଟ୍‍କରି ତରୁଣ ରାୟ ଆପଣାର କ୍ଷୁଦ୍ର ଶାମୁକା ଖୋଳ ଭିତରୁ ପଦାକୁ ବାହାରି ପଡ଼ିଥିଲା ସମୁଦ୍ର କଲ୍ଲୋଳର ମହାସଂଗୀତରେ ଓ ନିଜ କଥା ପାସୋରି ଦେଇ ମନୁଷ୍ୟ ଗୋଷ୍ଠୀକଥା ଭାବିଥିଲା, ସେହି ଗୋଷ୍ଠୀର ଦୁର୍ଗତି କଥା ଭାବିଥିଲା, ତା’ ମନରେ କାନ୍ଦଣା ପୂରିଥିଲା, ସେ ଭାବୁଥିଲା–ଜାତିର ଦମ୍ଭ ମେରୁଦଣ୍ଡ ନରମ ହୋଇ ହୋଇ ଆସି ତରଳିଲାଣି, ତା’ର ଦରକଷିବା ଭଙ୍ଗୀ, ଅନୁପ୍ରାସ ଦେବା ଭଙ୍ଗୀ ବଦଳିଗଲାଣି, ଏହି ବାଟେ ଯିବେ ତା’ ଝିଅର ଭବିଷ୍ୟତର ବଂଶଧରମାନେ ଯେଉଁମାନେ ତା’ କୂଳରେ ବତୀ ଜାଳିବେ ।

 

ତାର ମନରେ କାନ୍ଦ ପୂରିଥିଲା, ଏହି ଧ୍ୟାନ ଭାଙ୍ଗିଦେଇ ପାରିପାର୍ଶ୍ୱିକ ଅବସ୍ଥାକୁ ନିଘା କଲାବେଳକୁ ବି ତା’ ଆଖି ଓଦା ହୋଇଥାଏ ।

 

ଆଖି ପାଛି ଅନାଇଲା । ଅନ୍ଧାର ପଡ଼ିଛି । ବାଲି ସେକର ବିଜୁଳି ଆଲୁଅ ଜଳୁଛି, ପତାକା ଖୁଣ୍ଟ ସେପାଖେ ବଡ଼ ଦୋମାହାଲା କୋଠା, ନୂଆ କୋଠପରି ଦିଶୁଛି, ସରକାରୀ ଅଫିସ ହେବ ପରା, ତା’ ଉପରେ ବି ପତାକା ଟାଙ୍ଗିବାକୁ ଖୁଣ୍ଟଟିଏ । ତା’ର ତଳେ ଉପରେ ପ୍ରତି ବଖରାର ବିଜୁଳି ଆଲୁଅ ଜଳୁଛି, ଫାଇଲ ଧରି ଲମ୍ବା ବାରଣ୍ଡାରେ କିଏ ଗୋଟିଏ ଗୋଟିଏ ଏଘରୁ ସେଘର ହେଉଛନ୍ତି ।

 

ତରୁଣ ରାୟର ଛାତି ଦବି ଦବି ଗଲା । ମନେ ପଡ଼ିଗଲା ତା’ ନିଜର, ବୃତ୍ତି, ନିଜର ଜୀବନ, ତା’ର ସେହି ଶାମୁକା ଖୋଳର ସୀମିତ ପୃଥିବୀ । ତା’ର ପରିସ୍ଥିତି ବଦଳିଗଲା ।

 

ଏଥର ଦିଶିଲା, ଆଲୁଅ, ଅନ୍ଧାର, ବାଲି ଉପରେ ଲମ୍ବେ ଲମ୍ବେ ଅନ୍ଧାର ଶୋଇଛି, ସମୁଦ୍ର ଗର୍ଜୁଛି । ଏଥର ସେ ଭୟଙ୍କର ଦିଶୁଛି । ଅନ୍ଧାରି ସମୁଦ୍ର, ତା’ର ଆଲୁଅ ଦାଉ ଦାଉ ଲମ୍ବା ଢେଉ, ଗୋଟାକ ପରେ ଗୋଟାଏ । ତଳେ ଅନ୍ଧାର, ଉପରେ ଅନ୍ଧାର, ଚାରିଆଡ଼େ ଅନ୍ଧାର, ହଠାତ୍‍ ତାହାରି ମଝିରେ,–ହଠାତ୍‍ ହଠାତ୍‍ କାଳୀ, କରାଳୀର ତତଲା ତରଳ ବାଙ୍କହସ ବାରମ୍ବାର ଝଟକୁଛି, ନିଭୁଛି, ପୁଣି ଜଳୁଛି, ଲାଗୁଛି, ସେହି ହସର ଶବ୍ଦ ବି ସେ ଶୁଣି ପାରୁଛି । ଅନ୍ଧାର ହସୁଛି, ଖାଲି, ଅନ୍ଧାର, ଅଥଳ, ଅକୂଳ, ଆକାଶରେ ମେଘ ଘଟିଛି । ଚିକ୍‍କଣ କଳାବଉଦ କେତେ ତଳକୁ ଖସି ଆସି ପଖି ବିଛେଇ ଦେଇ ସମୁଦ୍ରଆଡ଼ୁ କୂଳଆଡ଼କୁ ଭାସି ଭାସି ଆସୁଛି, ତା’ଆଡ଼କୁ ମାଡ଼ି ଆସୁଛି, ଆଉ ସହରଆଡ଼କୁ । ରାଉ ରାଉ ପବନ ଗର୍ଜୁଛି ! ସ୍ପଷ୍ଟ ଭାଷାରେ କହୁଛି ସେ ସୁସ୍ଥି ଛଡ଼େଇ ନେବ, ଆଶ୍ରା ତୁଟାଇ ଦେବ, ତା’ର ଦୟାମାୟା ନାହିଁ । ତରୁଣ ରାୟର ମନ ଭିତରେ ଅକୁହା କାନ୍ଦଣା ଏକାଠି ଠୁଳ ହୋଇଛି, ନିରାଶାର ବ୍ୟଥା, ଅଭାବର, ଦୁର୍ଭାଗ୍ୟର, ଖାଲି ତା’ ନିଜର ନୁହେଁ, ଦେଶ ଗୋଟାକର, ଏ ପୃଥିବୀର ।

 

ଏଇତ ଦୁଃଖ, ସବୁ ଖଟିଖିଆ ମଣିଷଙ୍କର ! –ସେ ଭାବିଲା ।

 

ଆପଣା ମହାମାନବିକତାରେ ଆପେ ଉଦାର ହୋଇ ଫୁଲି ଉଠିଲା ସତେକି ବରଷିବ ଆଗରୁ ଦଲଦଲ ଥମଥମ କଳାମେଘ ଖଣ୍ଡିଏ ।

 

ତରୁଣ ରାୟ ସ୍ତ୍ରୀ ଓ ଝିଅଙ୍କୁ ସଙ୍ଗରେ ଘେନି ହୋଟେଲଆଡ଼କୁ ଲେଉଟି ଚାଲିଲା ।

 

ହୋଟେଲରେ ତା’ର ବଖୁରିଏ ଘର, ସେ ଘରେ ରହିବା ପାଇଁ ଭଡ଼ା ଓଳିକୁ ଚାରିଟଙ୍କା, ଦିନକୁ ଛ ଟଙ୍କା, ଦି’ଦିନକୁ ଦଶଟଙ୍କା, ତା’ପରେ ଦିନକୁ ପାଞ୍ଚଟଙ୍କା ହିସାବରେ । ଏହାଛଡ଼ା ଖୋରାକ, ଜଣକ ପିଛା ଅତି ଅଳ୍ପରେ ଦେଢ଼ଟଙ୍କା, ତାଠୁଁ ଅଧିକ ବି ଅଛି ।

 

ଚାହା ପିଇବାବେଳ ଗତ ହୋଇଯାଉଛି, ସେତିକିବେଳେ ସେମାନେ ପହଞ୍ଚିଲେ । ଯେ ଯେଉଁଠି ଥଆନ୍ତୁ, ଚାହା ପିଇଲାବେଳହେଲେ ସମସ୍ତେ ରୁଣ୍ଡ ହୁଅନ୍ତି; ତେଣୁ ସମୁଦ୍ରକୂଳ ଖାଲି ହୋଇଯାଏ । ସାମ୍ନା ଅଗଣାରେ, ପିଣ୍ଡାରେ, ଦାଣ୍ଡଘରେ, ଚୌକିରେ ବସି ଲୋକେ ଚାହା ପିଉଛନ୍ତି, ଟୁପଟାପ ଗପ ଲାଗିଛି । ଅତି ଚିହ୍ନା ପରି ଏକାଠି ପାଖକୁ ପାଖ ବହୁତ ଅଚିହ୍ନା ଲୋକ, ସ୍ତ୍ରୀ ପୁରୁଷ, ଦଳ ବଦଳୁଛି, ଏ ଉଠି ଯାଉଛି ସେଠିକି, ସେ ଆସୁଛି । କାହା ସହିତ କାହାର କି ସମ୍ପର୍କ କେହି ଜଣେ ନାହିଁ, ତଥାପି ସେମାନେ ପରସ୍ପରର ହୃଦୟ ବୁଝିଲାପରି ମୁଣ୍ଡ ହଲାଉଛନ୍ତି, ହସାହସି ହେଉଛନ୍ତି, କେତେବେଳେ ନୀରବ ହୋଇ ରହି ଯାଉଛନ୍ତି ସାନ୍ନିଧ୍ୟର ଚେତନାରେ । ସେଠି ବି ଏମିତି–ହୋଟେଲର ଖାଇବା ଘରେ, ଭୋଜି ସଭାରେ, ମେଳରେ, ପଙ୍ଗତରେ–ତରୁଣରାୟ ଭାବିଲା, ମହାନଗରୀ ଏଠିକି ବି ଗୋଡ଼ାଇ ଆସିଛି । ଏଇ ସାନ୍ନିଧ୍ୟହି ତ ଜୀବନକୁ ଉଶ୍ୱାସ କରେ, ଦିଏ ଉଷୁମ ଆଉ ଆଶା । ସେ ଅନାଇଁ ଅନାଇଁ ଦେଖିଲା ।

 

ଅନାଉଁ ଅନାଉଁ ତା’ ମନରେ ଗୋଟିଏ ଧାରଣା ଗଢ଼ି ହେଲା । ସଂସାରୀ ହିସାବୀ ମଣିଷ ହୋଇଯାଇ ସେ ଭାବିଲା, କିଏ କହିପାରେ–ଏମାନଙ୍କ ଭିତରେ କାଳେ ତା’ର ଝିଅଟି ପାଇଁ ଉପଯୁକ୍ତ ପାତ୍ରଟିଏ ମିଳି ପାରିବ !

 

ଏପରି ଘଟିବାର ସେ ଶୁଣିଛି ।

 

ଆସିଲାବେଳେ ମଝିରେ ମଝିରେ ସେ ଭାବିଥିଲା, ସେତେବେଳେ ଚାଇଁ ଚାଇଁ ହୋଇ ନିରେଖି ନିରେଖି ଚାହୁଁଥିଲା । ପୁଣି ସେଇ ଆଶା, ସେ ଅନାଇଁଲା ।

 

ହେଇ ଆଗରେ ବସିଛନ୍ତି ଦଶଜଣ ଯୁଆନ, ଚାହାଖିଆ ମେଳ ଭିତରେ । ଆଠଜଣଙ୍କ ଆଖିରେ ଚଷମା । ଶୁଖିଲା ମୁହଁ, ହାଡ଼ୁଆ ହାଡ଼ୁଆ ତେଜି ପିଲା, ମୁଣ୍ଡରେ ଲମ୍ଵାବାଳ ଘଷା ମଜାହୋଇ ମୁଣ୍ଡ ପଛଆଡ଼କୁ ପରା ହୋଇଛି ଚିକ୍‍କଣ ଜିକିଜିକି ହୋଇ । ଏମାନଙ୍କ ଭିତରେ ଥିବେ ବିଦ୍ୱାନ, ବହୁତ ବିଦ୍ୱାନ । ମୁହଁର ଠାଣି ଗମ୍ଭୀର, ଗୋଜିଆ ମୁହଁ, ଦାଢ଼ୁଆ ଚିବୁକ । ଜଣେ ଦିଶୁଛି କେମିତି ପାଗଳ ପରି, ମୋଟା କାଳିଆ ଡେଙ୍ଗା, ମୁଣ୍ଡବାଳ ଆଲୁବାଲୁ, ସମସ୍ତିଙ୍କଠୁ ଟିକିଏ ଆଡ଼େଇ ହୋଇ ଆଡ଼ବାଗରେ ବସି ରହିଛି, ଅନ୍ଧାରରେ ସମୁଦ୍ରଆଡ଼କୁ ଅନାଇ । ସେହି ଜଣକୁ ଛାଡ଼ିଦେଲେ ଅନ୍ୟ ନଅଜଣଯାକ ତାହାରି ଦଳଆଡ଼କୁ ଅନାଇଛନ୍ତି । ଥିବେ ଏମାନଙ୍କ ଭିତରେ କେହି ?

 

“ଆସନ୍ତୁ ଆସନ୍ତୁ ଆଜ୍ଞା’’–ପୁରୁଣା ବନ୍ଧୁପରି ସମାଦର ଜଣାଇ ଉଠିପଡ଼ି ତା’ଆଡ଼କୁ ଜଣେ ଅଚିହ୍ନା ଭଦ୍ରବ୍ୟକ୍ତି ଚାଲି ଆସିଲେ । ଗୋଲ ମୁହଁରେ ଧଳା ହସ ଜିକିଜିକି ଦିଶୁଛି, ଚନ୍ଦାମୁଣ୍ଡ ଓ ଚଷମା ଆଲୁଅରେ ଜିକିଜିକି ଦିଶୁଛି, ଭାରି ଆଗ୍ରହରେ ସେ କହିଲେ, ଏ ପାଖକୁ ଆସନ୍ତୁ, ଅନ୍ତତଃ କପେ ଚା ଖାଇଯାନ୍ତୁ ।’’ ତରୁଣ ରାୟ ତାଙ୍କ ଆତିଥ୍ୟ ସ୍ଵୀକାର କଲା, ତାଙ୍କ ସଙ୍ଗରେ କଥାଭାଷା ହେଉ ହେଉ ସେ ପଦାକୁ ଆସିଲା । କେଡ଼େ ଆଶ୍ଚର୍ଯ୍ୟ ମେଳାପୀ ଲୋକଟିଏ ସେ ! ଉପରେ ପଡ଼ି, ପରକୁ ଆପଣାର କରି ପକାନ୍ତି, କଥା କହୁ କହୁ ଚାହୁଁଚାହୁଁ ପାହାଚ ପାହାଚ ଡେଇଁ ଡେଇଁ ଚାଲି ଯାଆନ୍ତି ଅତି ବ୍ୟକ୍ତିଗତ ଭଲମନ୍ଦ ଆଲୋଚନା ଭିତରକୁ, ଅଥଚ ତାଙ୍କର ସେ ବ୍ୟବହାର ସ୍ୱାଭାବିକ ବୋଲି ଜଣାପଡ଼େ, ସତେକି ସେ କେଉଁକାଳର ଚିହ୍ନା ବନ୍ଧୁଟିଏ, ସ୍ନେହ ସହାନୁଭୂତି ବଳରେ ପରର ସବୁ ଘରୋଇ କଥାରେ ମୁଣ୍ଡ ଲଗାଇବାକୁ ତାଙ୍କର ଅଧିକାର ଅଛି । ତାଙ୍କୁ ଡାକନ୍ତି ବିମାନ୍‍ ବାବୁ ବୋଲି, ସେ କହୁଥିଲେ, ଯେ ଆସେ ସମସ୍ତିଙ୍କ ସଙ୍ଗରେ ତାଙ୍କର ଚିହ୍ନା, ଟୋକାଏ ଡାକନ୍ତି ବିମାନ୍‍ ମାମୁଁ କି ବିମାନ୍‍ କକା ବୋଲି, ଟୋକାଙ୍କର ଯେତେ ଅଳି ପରା ସବୁ ତାଙ୍କରି ଠେଇଁ ।

 

ପଦାକୁ ପନ୍ଦର ପାହୁଣ୍ଡ ନ ଯାଉଣୁ କଥା କଥାକେ ସେ କହିଦେଲେ–‘‘ଝିଅଟିକୁ ଵିଭଦେବେ ପରା ?’’

 

ହଁ, ଉପଯୁକ୍ତ ପାତ୍ର ମିଳିଲେ ତ ।

 

"ସେଇଆତ ଅଡ଼ୁଆ ଆଜ୍ଞା, ମୁଣ୍ଡଗଣତି କଲେ ଲୋକ ବହୁତ, କିନ୍ତୁ ମଣିଷ ନାହାନ୍ତି । ସେହି ଯୋଉଁ ଟୋକାମାନଙ୍କୁ ଆପଣ ଅନୋଉଥିଲେ, ମୁଁ ନିଘା କରିଛି–ଯାହାଙ୍କୁ ଆପଣ ଏଡ଼େ ଶରଧାରେ ଚାହୁଁଥିଲେ’’–

 

ତରୁଣ ରାୟ ଆପତ୍ତି କରି କହିଲା–‘‘ସ୍ନେହ ଶରଧାରେ କ’ଣ ଆଜ୍ଞା ।’’

 

ବିମାନ କହିଲେ, ‘‘ଆଃ ! ମୋ କଥାକୁ କେହି ଛଳ କରନ୍ତି ନାହିଁ, ଆପଣ ବି ଛଳ କରନ୍ତୁ ନାହିଁ । ଅନୋଉଁଥିଲେ ତ, ସେଥିରେ ଆଉ ଦୋଷ କ’ଣ ହେଲା, ସ୍ନେହରେ ନ ହେଲା, ରାଗରେ ଅନାଉଥିଲେ ଧରନ୍ତୁ–

 

"ନା–ନା–"

 

"ଶୁଣନ୍ତୁ ମୁଁ କହୁଛି । ସେଗୁଡ଼ାକ ସମସ୍ତେ ତ ମୋର ଚିହ୍ନା । ବିମାନ କକା ନହେଲେ ଯେମିତିକି କାହାରି ଭାତ ହଜମ ହୁଏ ନାହିଁ । ଛାଡ଼ନ୍ତୁ । ଗଣ୍ଡାଏ ଖଣ୍ଡେ ତହିଁରୁ ହେଉଛନ୍ତି ଇନ୍‍ସ୍ୟୁରେନ୍‍ସ ଏଜେଣ୍ଟ । ଆଉ ଗଣ୍ଡାଏ ଖଣ୍ଡେ–ବିଭିନ୍ନ ବ୍ୟବସାୟୀଙ୍କ ବୁଲା ପ୍ରତିନିଧି, ହେଇ ଯେମିତିକି ସାବୁନ, ଔଷଧ, ଶାଢ଼ି, ଏହିପରି । ଜଣେ ନିଜକୁ କହେ ଇଲେକ୍‍ଟ୍ରିକାଲ ଇଞ୍ଜିନିୟର ବୋଲି, କିନ୍ତୁ ସେଥିରେ କିଛି ଆସେ ଯାଏ ନାହିଁ, ଯେ ନିଜକୁ ଆଗାଖାଁଙ୍କ ନାତି ବୋଲି ବା ପ୍ରଚାର କରିବ, ଆମର କି ଯାଏ ? ମତେ ଲାଗୁଛି ସେ ଗୋଟିଏ ମେକାନିକ୍‍, ନହେଲେ ତା ବି ନୁହେଁ, ଉଡଞ୍ଚ । ଆଉ ଜଣେ, ସେ ଯେଉଁ ଡେଙ୍ଗା ମୋଟା ଜଣକ, ସେ ବି.ଏ. ଫେଲ୍‍ ହୋଇ ଚାଲି ଆସିଛି, ସକାଳେ କବିତା ଲେଖେ, ସଞ୍ଜରେ ବାଲି ଉପରେ ଡ୍ରଇଂ ଆଙ୍କେ, ରାତିରେ ଏକୁଟିଆ ବସି ଭାବେ-। ଲାଗେ, ତା ବାପର ପଇସା ଅଛି କିନ୍ତୁ କାହାପାଖେ ସେ ବସାଉଠା କରେ ନାହିଁ ।

 

"କି ଜାତି ସେ ?"

 

"ହୋଟେଲ ଖାତାରେ ତା ନା ଅମୀୟ ରାୟ, ଯାହା ବୁଝିବେ ।" ଚେଷ୍ଟା କରନ୍ତୁ । ଅବାଗିଆ ଚଢ଼େଇ, ବଣୁଆ, ବୋଧହୁଏ ତରକା ବି । ଆଗ ପାଖକୁ ଆସିଲେ ତ ପଛେ ଧରିବେ, ନା କ’ଣ ଅଠାକାଣ୍ଡିଆ ଯୋଖିବେ ?"

 

"ବହୁତ ଧନ୍ୟବାଦ ", ତରୁଣ ରାୟ ହସି ଦେଇ କହିଲା, ତା’ପରେ ଦୀର୍ଘଶ୍ୱାସ ପକାଇଲା । ପଚାରିଲା, ‘‘ଆପଣଙ୍କ ନିଜ ବ୍ୟବସାୟ କଣ, ପଚାରି ପାରେଁ କି ?’’

 

କହିଦେଲେ ଆପଣ ଚମକିବେ ଆଜ୍ଞା, ଆଜିକାଲି ଦୁନିଆ ହେଲାଣି ଓଲଟା, ଭଲ କହିଲେ ଲୋକଙ୍କୁ ଅଡ଼ୁଆ । ତେବେ ଆମେ ଯାହା କହୁଁ ଭଲ କଥା କହୁଁ । ମଣିଷ ଜୀବନଟା କ’ଣ-? ପାଣି ଫୋଟକା ପରି ତ !’’

 

ତରୁଣ ରାୟ କୁତୂହଳରେ ଅପେକ୍ଷା କରି ରହିଥାଏ, ଯେପରିକି ମଣିଷ ମଣିଷ ଭାବରେ ସଙ୍କେତମୟ ରୂପ ପରି ଲାଗୁଛି, ଚାଲିଛି ସେ ସିଧା ସଳଖେ ଆକାଶ ଭିତରକୁ, ନିର୍ବିକାର ହୋଇ ଶୂନ୍ୟ ଭିତରେ ଆପଣାକୁ ଉଦ୍ୟତ କରି ଠିଆ ହୋଇ ରହିଛି । ଧ୍ୟାନରେ ରହି ଯାଇଛି । ଚାରିପାଖେ ଏତେ ଲୀଳାଖେଳା–

 

ବିମାନ ବାବୁ କହିଲେ, "ଯେଉଁମାନେ ଚାକିରି କରି ପେଟପୋଷନ୍ତି–ସେପରି ଲୋକ ତ ଅଳ୍ପ ନାହାନ୍ତି–ଆଜି ମଲେ କାଲି ପିଲାଛୁଆଙ୍କ ଅବସ୍ଥା କ’ଣ ହେବ ? ଅନ୍ଧାର ତ ! ପିଲାଛୁଆ ଭାସିଯିବେ । ସେତେବେଳେ ସାହାପକ୍ଷ ହେବାପାଇଁ ଜୀବନବୀମା କରି ରଖିଥିବା ଦରକାର । ଆପଣ ଯେତେ କମ୍ପାନୀ ଦେଖିଥିବେ, ସେମାନେ ଟୋକାଙ୍କଦ୍ୱାରା ଇନ୍‍ସ୍ୟୁରେନ୍‍ସ କରାଇବାକୁ ଆଗ୍ରହୀ, ଆମେ ବୁଢ଼ାଙ୍କଦ୍ଵାରା ବି କରାଉଁ ବରଂ ସେଇଥିରେ ଆମେ ବେଶି ଆଗ୍ରହୀ ।

 

ତରୁଣ ରାୟ ବୁଝିଲା ପରି ହସିଲା, କହିଲା, ‘‘ୟେ କି ଓଲଟାବାଗ ? ବୁଢ଼ାଙ୍କଠୁ ଇନ୍‍ସ୍ୟୁରେନ୍‍ସ କଲେ କମ୍ପାନୀ ଦେବାଳିଆ ହେବ ନାହିଁ ? ବିମାନବାବୁ ହସିଲେ, କହିଲେ, ସମସ୍ତେ ଭାବନ୍ତି ବୁଢ଼ାମାନେ ଚଞ୍ଚଳ ମରିବେ, କିନ୍ତୁ ଫଳରେ ଓଲଟାହିଁ ସତ । ଆମ ଦେଶରେ ବୁଢ଼ାଏ ଚଞ୍ଚଳ ମରନ୍ତି ନାହିଁ, ପଁଷଠି ଅନେକେ ଟପନ୍ତି । ପେନ୍‍ସନ ଟଙ୍କା ମିଳୁଥିବ, ପୁଅ ଚାକିରି କରିଥିବ, ବୁଢ଼ା ନାତିନାତୁଣୀଙ୍କୁ ପାଠପଢ଼ାଇ ବେଳ କାଟିଲେ ତ ଆହୁରି ଭଲ, ଟିଉସନ ମାଷ୍ଟର ରହିବନାହିଁ । ଆପଣ ଦଶବର୍ଷକୁ ପାଞ୍ଚ ଜହାର ଟଙ୍କା କରି ନିଅନ୍ତୁ, ମାସକୁ ପଇଁଚାଳିଶ ଟଙ୍କା ପଡ଼ିବ-। ଦେଖନ୍ତୁ ଏ କାଗଜରେ ଏହି ଯେଉଁଠି ମୁଁ ଚିହ୍ନ ଦେଇଛି ସେହି ବାଗଟା ଆପଣଙ୍କ ଅବସ୍ଥାକୁ ଠିକ୍‍ ଖାପିବ ।’’

 

"ଆଜ୍ଞା, ମୋ ଅବସ୍ଥା ଆପଣ କେମିତି ଜାଣିଲେ ?”

 

ଆପଣ ଏଠିକି ଆସିଲାବେଳୁ ଜୀବନବୀମା ଆପଣଙ୍କ କଥା ଭାବୁଛି, ସେ ତା’ର କର୍ତ୍ତବ୍ୟ ? ଆପଣ ଭାବୁଛନ୍ତି ଆପଣଙ୍କୁ ମୁଁ ନୂଆ ଦେଖୁଛି ବୋଲିତ ? ଆଛା କହିଲେ, ମାସକୁ ଟ୨୦୦ ଦରମାରେ ଆପଣ ମହାନଗରୀରେ ଗୋଟିଏ ବ୍ୟବସାୟୀର ଅଫିସରେ କାମ କରନ୍ତି କି ନାହିଁ ?

 

ତରୁଣ ରାୟ ବିସ୍ମିତ ହେଲା, ତା’ର ଖାଲି ସେହି ପ୍ରଶ୍ନ–‘‘ଆପଣ କେମିତି ଜାଣିଲେ ?’’

 

ବିମାନବାବୁ ହସିଲେ, କହିଲେ–‘‘ପୁରୀ ଆସିବାପାଇଁ ଗଲା ଚାରିବର୍ଷ ହେଲା ଆପଣ ଚେଷ୍ଟା କରୁଥିଲେ, ସେଥିପାଇଁ ମାସକୁ ମାସ କିଛି କିଛି କରି ସଞ୍ଚୟ କରିଥିଲେ, ଆସିବାକୁ ଯୋଗ ପଡ଼ୁ ନଥିଲା ।

 

ତରୁଣ ରାୟ ଆହୁରି ଆଶ୍ଚର୍ଯ୍ୟ ହେଇ ଯାଇ କହିଲା, ‘‘ଆପଣ କେମିତି ଜାଣିଲେ ?’’

 

ବିମାନବାବୁ ହସିଲେ । କହିଲେ, ‘‘ଏ ଇନ୍ଦ୍ରଜାଲ ନୁହେଁ । ପ୍ରତ୍ୟେକ ଲୋକ ଭାବେ ଯେ ସେ ନୂଆ, ତାପରି ଆଉ କେହି କେବେ ହୋଇ ନାହିଁ । କିନ୍ତୁ ସୃଷ୍ଟିକର୍ତ୍ତା ଯେତେ ଯେତେ ନୂଆ ନୂଆ ରୂପ ଉଦ୍‍ଭାବନ କଲେ ବି ତାଙ୍କ ଶକ୍ତିର ଗୋଟାଏ ସୀମା ଅଛି ।’’

 

“ଆଶ୍ଚର୍ଯ୍ୟ କଥା !”

 

‘‘ପ୍ରତ୍ୟେକ ଅବସ୍ଥା, ପ୍ରତ୍ୟେକ ଉଗ୍ର ଚିନ୍ତା, ଆକାଙ୍‍କ୍ଷା, ମଣିଷର ମୁହଁ ଉପରେ ଗୋଟାଏ ସ୍ଵତନ୍ତ୍ର ମୋହର ମାରି ଦେଇଯାଏ । ବହୁତ ଲୋକଙ୍କ ଚିନ୍ତା କାମନା କି ଅବସ୍ଥା ସେହି ଏକାପ୍ରକାରର ହୋଇଥିଲେ ସେମାନଙ୍କ ମୁହଁ ଉପର ଛାପାଟା ବି ଊଣାଅଧିକେ ଏକାପ୍ରକାରର ହୋଇଥିବ, ଯେ ତାକୁ ପଢ଼ି ପାରିବ ସେ ବୁଝିବ ।’’

 

ତରୁଣ ରାୟ କହିଲା, "ଆପଣ ଏତେକଥା ଜାଣି ପାରୁଛନ୍ତିତ, ତେବେ କହନ୍ତୁ ତ ମୁଁ ଆପଣଙ୍କ ଇନ୍‍ସ୍ୟୁରେନ୍‍ସ ପ୍ରସ୍ତାବରେ ରାଜି ହେବି କି ନାହିଁ ?

 

ବିମାନବାବୁ ହସିଲେ, କହିଲେ, ‘‘ରାଜି ହେବେନାହିଁ ପରି ଲାଗୁଛି । ପ୍ରଥମ କାରଣ, ଘରଖର୍ଚ୍ଚ ତୁଲେଇ ସାରି ଦରମା ଦୁଇଶହ ଟଙ୍କାରୁ ପଚାଶ ଟଙ୍କା ସଞ୍ଜୟ କରି ରଖିପାରିବା ଆପଣଙ୍କୁ ଅସମ୍ଭବ ଜଣା ପଡ଼ୁଛି । ଦ୍ଵିତୀୟ ଏବଂ ପ୍ରଧାନ କାରଣ, ଆଗ ଝିଅ ବିଭାଘର ମୁଣ୍ଡ ଉପରେ ଓ ଆପଣ ଇନ୍‍ସ୍ୟୁରେନ୍‍ସ କରିବେ ବୋଲି ପୁରୀ ଆସି ନାହାନ୍ତି ।"

 

ତରୁଣ ରାୟ କହିଲା–‘‘ଅବିକଳ ! ଆଶ୍ଚର୍ଯ୍ୟ !’’

 

"ତଥାପି ମୋର ଆଶା ଓ ବିଶ୍ୱାସ, ଆପଣ ଶେଷକୁ ବୁଝିପାରିବେ, ରାଜି ହେବେ । ଝିଅ ବିଭା କରିବାକୁ ଆପଣଙ୍କର ସାମାନ୍ୟ ସଞ୍ଚୟ ବି ତ ଅଛି, ପ୍ରାୟ ସାଢ଼େ ଛଅ ହଜାର ଟଙ୍କା ଯାକେ ହେବ, ଆପଣ ଭାରି ହିସାବୀ ମଣିଷନା, ସେଇଥିପାଇଁ ।’’

 

ତରୁଣ ରାୟକୁ ଆଖାଡ଼ୁଆ ଲାଗୁଥାଏ, ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ–ଚିହ୍ନା ନାହିଁ ପରିଚୟ ନାହିଁ କେମିତି ଏ ଲୋକଟା ଠିକ୍‍ ଠିକ୍‍ କରି ଏତେ କଥା କହି ଯାଉଚି । କିନ୍ତୁ ତାଙ୍କ କଥାକୁ ହସରେ ଉଡ଼ାଇଦେଇ ସେ କହିଲା–‘‘ଏଥର ବାଜିଲା ନାହିଁ ଆଜ୍ଞା, ପ୍ରବଳ ବେଗରେ ଆପଣ କଳ୍ପନାର ଘୋଡ଼ା ଦୌଡ଼େଇ ଦେଇଛନ୍ତି ।’’

 

ବିମାନବାବୁ ହୋ ହୋ ହୋଇ ହସିହସି ଗଡ଼ିଲେ, କହିଲେ, ‘‘ପୁରୀ କାହିଁକି ଆସିଛନ୍ତି । ଏଇ କଳ୍ପନାର ଘୋଡ଼ାଦୌଡ଼ କରିବେ ବୋଲି ତ ? ନହେଲେ ଆଉ କାହିଁକି । ବାଲିରେ ଦେଉଳ ତୋଳିବେ, ସ୍ୱର୍ଗ ଦେଖିବେ, ବୈକୁଣ୍ଠ ବୁଲିବେ, ମଣିଷ ବି ଦେଖିବେ । ଆପଣାକୁ ହଜାଇ ଦେଇ ପାରିଲେ ସବୁ କଳ୍ପନା ସତ ହେବ ।’’

 

ତରୁଣ ରାୟ କହିଲା, ‘‘ତା ବୋଲି ଅସମ୍ଭବକୁ ଭାବିବି ସତ ବୋଲି ?’’

 

‘‘ଅସମ୍ଭବ କ’ଣ ? ଆପଣ ଯେଡ଼େ ଚିପି ହୋଇ ଚଳୁଥାନ୍ତୁ ପଛେ, ଆହୁରି ଚିପି ହୋଇ ଚଳିବା ବି ସମ୍ଭବ । ମନ ନ ମାନୁଛି, ମୋର ଏ କାଗଜ ଖଣ୍ଡକ ଛିଣ୍ଡାଇ ଫୋପାଡ଼ି ଦେବେ । ନହେଲେ ଭାବି ଦେଖିବେ, ଜିନିଷଟା ଭଲ । ଦଶବର୍ଷ ପରେ ଏକାଠି ପାଞ୍ଚହଜାର ଟଙ୍କା ମିଳିଲେ ଆପଣ ପୁଣି ଆସି ଏ ପୁରୀରେ ବସା ଭଡ଼ାକରି ବହୁତ ଦିନ ରହିଯାଇ ପାରିବେ, ନହେଲେ ଖଣ୍ଡେ ସାନ ଘର କିଣି ରହିଯିବେ, ସମୁଦ୍ର ଦିଶୁଥିବ, ଦେଉଳ ପାଖ ହୋଇଥିବ । ଗୋଟାଏ କଥା ପାଇବାକୁ ହେଲେ ଆଉ ଗୋଟାଏ କଥା ତ୍ୟାଗ ଦେବାକୁ ପଡ଼ିବ । ଏଥର ଦେଉଳକୁ ଯିବେ ତ ? ଧରନ୍ତୁ ଏ ରିକ୍‍ସା, କେତେ ନବୁ କହ, ଦେଉଳକୁ ଛ’ଅଣା । ଡାକିଆଣନ୍ତୁ ସେମାନଙ୍କୁ । ହଉ, ମୁଁ ଯାଉଛି, ନମସ୍କାର ।’’

 

ବିମାନ ଅନ୍ଧାରରେ ମିଶିଗଲାଣି, ଯେମିତି ହଠାତ୍‍ ସେ ଆସି ପହଞ୍ଚିଥିଲା ସେମିତି ହଠାତ୍‍ ଉଭେଇ ଯାଇଛି । ତରୁଣ ରାୟ ତାହାରି କଥା ଭାବୁଥାଏ, ଲୋକଟା ଚତୁର, ତଥାପି ମୁଣ୍ଡଟା କେମିତି ଢିଲା ଢିଲା । ବୋଧ ହେଉଛି ସେ ବି ସେହି ଚତୁରପଣର ଗୋଟାଏ ମୁଖା । କିଏ ଜାଣିଛି ? କିନ୍ତୁ ହାବଭାବରେ ଅତି ଆପଣାର ହେଲାପରି ଗୋଟାଏ ପ୍ରକାର ସରଳ ଅଖଳାପଣ, ଆନ୍ତରିକତା, ତା’ ବି ଭୁଲିହୁଏ ନାହିଁ ।

 

ସେ ମନ୍ଦିରକୁ ଯିବ ବୋଲି ସ୍ତ୍ରୀ ଓ ଝିଅଙ୍କୁ ସାଙ୍ଗରେ ଧରି ସେହି ଗୋଟାଏ ରିକ୍‍ସାରେ ବସିଲା । ଅଧେରୁ ବେଶି ଜାଗା ମାଡ଼ି ବସିଛନ୍ତି । ତା’ର ସ୍ତ୍ରୀ କାନ୍ତିମୟୀ, ଝିଅ ମା’ର କୋଳରେ ବସିଛି, ସେ ନିଜେ ଚିପି ହୋଇ ବସିଛି । ତେଣିକି ତା’ର ପାତ୍ରଟିଏ ପାଇବ ? ଝିଅର ବୟସ ବଢ଼ି ଯାଉଛି । ବିଭାଘର ଆଉ କେବେ ହେବ ? ଭାବୁଭାବୁ ସେ ମନେମନେ ଜଗନ୍ନାଥ ମହାପ୍ରଭୁଙ୍କୁ ଡାକୁଥାଏ, ଗୁହାରି ଜଣାଉଥାଏ ।

 

ଟିଣିଂ ଟିଣିଂ ରିକ୍‍ସା, ଜକାଜକି ଦେହ ତିନୋଟି ବୁହାହୋଇ ଚାଲିଛି ଅନ୍ଧାର ଭିତରେ, ଏକାଠି ଗୋଟିଏ ପରିବାର । ସେଥିରୁ ଗୋଟିକର ଅନ୍ତର ଭିତରୁ ଧୂପ ଉଠୁଥାଏ, ତରୁଣ ରାୟ ନିବେଦନ ନିବେଦନରେ ଆପଣାକୁ ବ୍ୟକ୍ତ କରି ଯାଉଥାଏ ।

 

ଜଗନ୍ନାଥ, ଜଗନ୍ନାଥ, ଦେଖିପାରୁଛ ତୁମେ ମତେ ? କାହିଁ ନିଖିଳ ବିଶ୍ୱର ଅର୍ବୁଦ ଅର୍ବୁଦ ପ୍ରାଣୀମାନଙ୍କ ମଧ୍ୟରେ କ୍ଷୁଦ୍ର ନଗଣ୍ୟ ଭଗ୍ନସ୍ୱାସ୍ଥ୍ୟ ହୋଇ ଗୋଟିଏ ମନୁଷ୍ୟ, ଏ ବିଶାଳ ସଂସାର ଭିତରେ କେଉଁ ଅଖ୍ୟାତ ଗଳି ଭିତରେ ତାର ବସତି । ଦେଖି ପାରୁଛ ପ୍ରଭୁ ସେହି ଧୂଳିକଣାକୁ, ଆଉ ତା’ର ଦୁଃଖକୁ ?

 

ତୁମର ଗରୁଡ଼ ସ୍ତମ୍ଭ ତଳେ ଯେଉଁ ଲକ୍ଷ ଲକ୍ଷ ଘିଅ ଦୀପ ଜଳେ, ତାହାରି ଭିତରୁ ଗୋଟିଏ ନିଭିଲା ନିଭିଲା ସାନ ଦୀପଟିଏ, ସେହି ମୁଁ, ତରୁଣ ରାୟ, ଚିହ୍ନିପାରୁଛ ପ୍ରଭୁ ମତେ ?

 

ଜାଣୁଥିବ ନିଶ୍ଚୟ, ତୁମେ ଅନ୍ତର୍ଯ୍ୟାମୀ । ମୁଁ ସେହି ଅଣୁ, ନିରାଶା ଓ ବିଫଳତାର, ତା’ ଭିତରେ ବଜ୍ର ଘଡ଼ଘଡ଼ି, ଝଡ଼ତୋଫାନ, ବାହାରେ ସେ କିଛି ନୁହେଁ ।

 

ଆଜିର ଏ ଦୁନିଆରେ ସେହି ମଣିଷ–ପରମାଣୁ ବୋମା ତୁମରି ସୃଷ୍ଟି ଉପରେ ଫାଟିବାକୁ ବସିଛି । ଅଟକାଅ ତାକୁ, ଘୁଞ୍ଚାଅ ତା’ ମନଦୁଃଖ, ପେଟ ହାକୁ ହାକୁ, ନହେଲେ ସେ ଫାଟିବ ।

 

ଅନ୍ଧାରି ଗଳି ସରିଗଲା, ତା’ପରେ ହଠାତ୍‍ ବଡ଼ଦାଣ୍ଡ ଓ ସିଂହଦ୍ୱାର । ତରୁଣ ରାୟ ପରିବାର ସମେତ ବଡ଼ ଦେଉଳରେ ପଶିଲା, ତା’ପରେ ସେ ଭାବପ୍ରବଣ ହୋଇଗଲା, ମୁଣ୍ଡ ଭିତରେ ସବୁ ଗୋଳିଆଗୋଳି ।

 

ସେ ଭାବିଲା, ଏହି ସେ ଜଗନ୍ନାଥ ମନ୍ଦିର ! କେତେ ଶହ ବର୍ଷ ବିତିଗଲାଣି, ସେ ମନ୍ଦିର ସେମିତି ଠିଆ ହୋଇଛି, ଯୁଗେ ଯୁଗେ ପୂଜା ପାଇ ଆସିଛି । ଭାରତବର୍ଷର କେତେ ଦୂର ଦୂରାନ୍ତରୁ, କେଉଁ ଅନ୍ଧାରିପଲ୍ଲୀ ଭିତରୁ ବି ପୁରୁଷ ପୁରୁଷକର ଥାଟ ଦର୍ଶନ ପାଇ ଆସିଛନ୍ତି, ପଣ ଅଜାଙ୍କ ଉତ୍ତାରୁ ପଣନାତି ପଲ, ସେମାନେ ବି ପଣଅଜା ହୋଇଛନ୍ତି । ଏଇ ବାଇଶି ପାହାଚରେ ପଥରକୁ ସେମାନେ ବି ମୋଡ଼ିଥିଲେ, ସେହି ଅଗଣତି ପାଦସ୍ପର୍ଶରେ ଏ ପଥର ସାଉଁଳିଆ ହୋଇଛି ।

 

ଏହି ସେ ବଡ଼ ଦେଉଳ, ଏହା ପଛରେ ରହିଛି ବିରାଟ ଅତୀତ । ସେହି ଯେଉଁ କୋଟି କୋଟି ଲୋକ ଆଉ ଏ ସଂସାରରେ ନାହାନ୍ତି, ସେମାନେ ବି ତୁନିତୁନି କରି ଆପଣା ଦୃଦୟ ଭିତରେ, ଆପଣା ଆପଣା ବିଶିଷ୍ଟ ଭାଷାରେ ଜଗତର ନାଥଙ୍କ ପାଖେ ଗୁହାରି କରିଥିଲେ, ସେମାନେ ବି ଅଳି କରିଥିଲେ, ସଂସାରୀ ଲୋକ ଯାହା ଯାହା ଲୋଡ଼େ, ସବୁ ତାଙ୍କୁ ମିଳୁ ।

 

ରୋଗ ଭଲ ଦେଉ, ସମ୍ପତ୍ତି ବଢ଼ୁ, ପୁଅଝିଅ ହେଉନ୍ତୁ, ଝିଅକୁ ଭଲ ବର ଭଲ ଘର ମିଳୁ, ପୁଅଙ୍କୁ ଭଲ ବୋହୂ, ମିଳୁ, କେତେ ଯେ କାମନା ତାର ସଂଖ୍ୟା ନାହିଁ ।

 

ଠେଲାଠେଲି ପେଲାପେଲି ହୋଇ ଏହି ଯେତେ ମଣିଷ ପଶୁଛନ୍ତି ସମସ୍ତିଙ୍କ ମନରେ ସେହିପରି କେତେ ଆଶା କେତେ ଗୁହାରି । ଏଠି ବି ଉତ୍କଟ ଜୀବନ ସଂଗ୍ରାମ, କେଜାଣି ଅବା ଆଗ ଆଗ ହୋଇ ଦିଅଁଙ୍କ ପାଖରେ ପହଞ୍ଚିଲେ ଆଗ ଫଳ ମିଳିବ । ସେଥିପାଇଁ ଠାକୁରଙ୍କ ଆଗରେ ବୁଢ଼ୀକୁ ଧକାମାରି ପେଲି ଦେଇ ପିଲାର ପାଦ ଉପରେ ଚଢ଼ି ତାକୁ କହୁଣିଆ ମାରି ଭେଣ୍ଡାଲୋକ ଆଗକୁ ଚାଲି ଯାଉଛି, ପୁଣି ତାକୁ ବି ଠେଲି ଠେଲିକା ଆଗେଇ ଯାଉଛି ଯୁବତୀ ।

 

ପଣ୍ଡାମାନେ ହାତ ଧରାଧରି ହୋଇ ସାନସାନ ଘେର କରୁଛନ୍ତି । ବିଭିନ୍ନ ଦେଶରୁ ଆସିଥିବା ତାଙ୍କ ଯଜମାନମାନଙ୍କୁ ସେହି ଘେର ଭିତରେ ରଖି ମଣିଷ ଠେଲା ଦାଉରୁ ରକ୍ଷା କରି ଦିଅଁ ଦର୍ଶନ କରାଉଛନ୍ତି ତରୁଣ ରାୟ ଓ ତା’ର ସ୍ତ୍ରୀ ଏବଂ ଝିଅ ସେହିପରି ଗୋଟିଏ ଘେର ଭିତରେ ଆଶ୍ରା ନେଲେ ।

 

ସନ୍ଧ୍ୟା-ଆଳତି ଲାଗିଯାଇଥାଏ । ତରୁଣ ରାୟ ଅନାଇଥାଏ । କାଠ ଆଗୁଳ ସେପାଖେ ମଣିଷ କଣ୍ଠରୁ ସମୁଦ୍ରର କଳରୋଳ । ତା’ ସେପାଖେ ଗମ୍ଭୀରା ଭିତରେ ସତେକି ଆଲୁଅ ଭାସୁଛି, ଠାକୁର ଭାସୁଛନ୍ତି । ମନଯାକର ଆବେଗ ଠୁଳକରି ସେ ସେହି ଚକାଡ଼ୋଳା ଉପରେ ଧ୍ୟାନ ଲଗାଇଲା । ଅନୁଭବ କଲା ହେଇ, ସେ ଓଟାରୁଛନ୍ତି, ସେ ଥରୁଛି, ତା’ର ଚେତନା ଭିତରେ ସମୁଦ୍ରର ଜୁଆର ଉଛୁଳୁଛି । ଭାବ ଅନୁଭୂତିରେ ସେ ଅର୍ଥ କରିବାକୁ ଲାଗିଲା, ଦିଅଁଙ୍କ ଶ୍ରୀମୁଖରେ ସେହି ସୂକ୍ଷ୍ମ ଢାଲୁ ଓ ଢେଉରେ ଯେପରିକି କାଳ ଓ ସମୁଦ୍ରର ଛନ୍ଦକୁ ରୂପ ଦିଆ ହୋଇଛି, ଯେଉଁଆଡ଼ୁ ଚାହିଁଲେ ବି ତାକୁ ଲାଗୁଛି, ସେହି ଆଖି ତାକୁ ଦେଖୁଛି ।

 

ତରୁଣ ରାୟ ସଂସାରକୁ ଆହୁରି ତୀଵ୍ରଭାବେ ମନେ ପକାଇଲା, ତା’ର ସବୁ ଦୁଃଖ ନିରାଶା ଯେପରିକି ସେହି ଆଖିର ଓଟରାରେ ଉଛୁଳି ଉଛୁଳି ଉଠିଲା, ସେ ମନେମନେ କହିଲା–‘‘ତୁମେ ଦେଖିଛ, ଜାଣିଛ, ଅଥଚ ସାହାଯ୍ୟ କରିନାହଁ, କରି ପାରିଥାନ୍ତ ।’’

 

ସେ ନୀରବରେ କାନ୍ଦିବାକୁ ଲାଗିଲା ।

 

ଜୀବନଯାକ ସେ ଏପରି ଜଣକୁ ଖୋଜିଛି, ଯାହା ଉପରେ ସେ ଅଭିମାନ କରି କାନ୍ଦନ୍ତା ମନ ଉଶ୍ୱାସ କରନ୍ତା । ତା’ର ବାପ ମା ନାହାନ୍ତି, ଦୋଷ ଆଉ ଦାୟିତ୍ୱକୁ ପର ଉପରେ ଫୋପାଡ଼ି ଦେଇ ପରକୁ ଦାୟୀ କରି ନିଜେ ମୁକ୍ତ ହେବାପାଇଁ ସେ ମଣିଷ ପାଇ ନାହିଁ । ଏତେ ଦିନକେ, ଆଗରେ ଏହିତ ଜଣେ !

 

ଏତେ ଲୋକ ସେହିଆଡ଼କୁ ଅନାଇ ରହିଛନ୍ତି । କିଏ କେଉଁ ଭାଷାରେ ସ୍ତୋତ୍ର ବୋଲୁଛି, ଗୀତରେ କ’ଣ ଜଣାଣ କରୁଛି, କିଏ ହାତ ଯୋଡ଼ିଛି, କିଏ ତଳେ ପଡ଼ୁଛି, ଆଉ କେଉଁମାନେ ଏକାଠି ଗହଳି ହୋଇ ପାଟି କରି ଉଠୁଛନ୍ତି, ଖୁନ୍ଦି ହୋଇଛନ୍ତି ମଣିଷ, ସଂକୀର୍ତ୍ତନର ଗହଳି ଶୁଭୁଛି, ଫୁଲ ଓ ଧୂପର ମହକ ଉଠୁଛି, ଅବସ୍ଥିତି ରୂପାନ୍ତରିତ ହୋଇ ଯାଇଛି । ତରୁଣ ରାୟ ଦେବତାବିଗ୍ରହ ଦେଖୁନାହିଁ, ସେ ଦେଖୁଛି ଅତି ଆପଣାର ହୋଇ ସେହି ମନର ମଣିଷକୁ, ସେହି ଯାହାକୁ ସେ ଆପଣା ମନଗହନର ଅନ୍ଧାରି ଗମ୍ଭୀରା ଭିତରେ ଆଉ ପଦାରେ ଲୋକ ଗହଳ ଭିତରେ ଜୀବନଯାକ ଖୋଜି ଖୋଜି ବୁଲିଥିଲା, କେତେବେଳେ କ୍ଳାନ୍ତ ଉଦାସ ହୋଇ ବସିପଡ଼ି ଅନ୍ୟମନସ୍କ ହୋଇ ଦୂରକୁ ଚାହିଁ ରହିଥିଲା ବେଳେ, କେତେବେଳେ ମୁଣ୍ଡଘୂରା ଭଉଁରି ଭିତରେ ବୁଲୁବୁଲୁ ମୁହୂର୍ତ୍ତକର ସ୍ମରଣରେ ହେତୁ କରିଥିଲା, କେତେବେଳେ ପାଶୋରି ଯାଇଥିଲା, ତାକୁ ଲାଗୁଥାଏ ସେ ଦେଖି ପାରୁଛି ଏଇଠିତ ସେ, ତା’ ଆଗରେ ଏଇଠି କେଉଁଠି ।

 

ସେ ଅଛନ୍ତି ।

 

ଆଖିରୁ ଲୁହଧାର ନିଗୁଡ଼ୁଛି ।

 

ଆଗ ଗଲା ଅଭିମାନ ।

 

ଅଙ୍ଗେ ନିଭେଇଥିବା ଦୁଃଖର ଚେତନା ସେହି ଲୁହଧାରରେ ଗୋଳିହୋଇ ଟପଟପ ଝରିପଡ଼ିଲା ।

 

ତାପରେ ଆସିଲା ତାଠିଁ ଅତି ନିଉନପଣ, ଯେପରିକି ସେ କିଛି ନୁହେଁ, ନାଁଟାଏ ବି ନୁହେଁ ।

 

ତାପରେ ସେ ଉଦାରପଣରେ ତରଳ ହୋଇ ବୋହି ଚାଲିଲା ଚାରିଆଡ଼େ । ମିଞ୍ଜିମିଞ୍ଜି ଲୁହ ଜାଲୁଜାଲୁଆ ଆଖିରେ ଚାରିଆଡ଼କୁ ଚାହିଁଲା । ଚାରିପାଖେ ଯେତେ ମଣିଷ ଖୁନ୍ଦାଖୁନ୍ଦି, ସ୍ତ୍ରୀ, ପୁରୁଷ, ପିଲା, କିଏ କେଉଁଠି ଠିଆ ହୋଇଛି, କିଏ କେଉଁପଟୁ ତାକୁ ଠେଲୁଛି । ସମସ୍ତେ ତାକୁ ତା’ର ଆପଣାର ମଣିଷ ପରି ଦିଶିଲେ, ତାକୁ ଲାଗିଲା ସେ ସମସ୍ତିଙ୍କୁ ଚିହ୍ନିଛି, ତା’ର ଫମ୍ପା ଘଟ ଆନନ୍ଦରେ ପୂରି ଉଠିଲା । ପୁଣି ଯେପରିକି ସେ ନୂଆ ହୋଇ ଗଢ଼ିହେଲା । ସେ ପୁଲକରେ ଥରିଥରି ଉଠିଲା । ଇଚ୍ଛା ହେଲା, ସେ ତା’ର କୃତଜ୍ଞତା ଜଣାନ୍ତା କି ! ମନ୍ତ୍ର ସ୍ତୋତ୍ର ମନେ ପଡ଼ିଲା ନାହିଁ । ନାମ ମନେପଡ଼ିଲା । ଜଗନ୍ନାଥ ! ଜଗଦୀଶ୍ଵର ! ପ୍ରଭୋ ! ଗୋପାଳ ! ଗୋପୀବଲ୍ଲଭ ! ଅଚ୍ୟୁତ ! କେଶବ ! କୃଷ୍ଣ ! ଦାମୋଦର ! ରାମ ! କଂସାରୀ ! ମୁରାରି ! ଭାବାବେଶରେ ସେ ମନେମନେ ଗୋଟିକ ପରେ ଗୋଟିଏ ନାମ ଉଚ୍ଚାରଣ କରି ଲାଗିଲା ।

 

ଠେଲା ଖାଉଛି, ଧକ୍କା ଖାଉଛି, ତା’ର ତେଣିକି ନିଘା ନାହିଁ । କ୍ରମେ ନିଘା ବି ହେଲା, ଦେଖିଲା ଯେ ଜଗନ୍ନାଥ ଆଉ ଦିଶୁନାହାନ୍ତି, ତା’ ଆଗରେ ଜଣେ ଲୋକ ଠିଆ ହୋଇ ପାଟି କରୁଛି, ‘‘ନିଅ ବାବୁ ତଟକା ପଦ୍ମଫୁଲ ମାଳ, ଦେଖ କେଡ଼େ ସୁନ୍ଦର, ଦିଅଙ୍କୁ ଲାଗୁଣି କର ।’’ ସେପାଖୁ ପାଟି ହେଉଛି, ‘‘ଆଣ ପଇସା ଆଣ, ପକାଅ, ପଇସା ପକାଅ, ଦିଓ ଦିଓ ଦିଓ–’’ । ତାର ଧ୍ୟାନ ଭାଙ୍ଗିଗଲା-। ଶୁଣିଲା ଖାଲି ପଇସା ପଇସା ଧ୍ୱନି ଶୁଭୁଛି । ଜଣେ ଗୋଟିଏ ବଡ଼ ଥାଳି ଧରି ସେଥିରେ ଗୋଟାଏ ଟଙ୍କା ପିଟିପିଟି ଏପରି ଠଣଠଣ ଶବ୍ଦ କରୁଛି, ଯେପରି ଅନେକ ଟଙ୍କା ସେଥିରେ ବୃଷ୍ଟି ହେଉଛି । ଲୋକେ ଦେଉଛନ୍ତି ବି । ଅନେକ ଲୋକ ପାଦୁକ ପାଣି ଚନ୍ଦନ ଓ ଧଣ୍ଡା ଯାଚୁଛନ୍ତି, ପଇସା ନେଉଛନ୍ତି । ଲୋକେ ଠେଲାଠେଲି ହୋଇ ଭଉଁରି ହେଲାବେଳେ ବାରମ୍ବାର ପାଟି ଶୁଭୁଛି–‘‘ଦିଅ ! ଦିଅ ! ପକା ! ପଇସା ପକା !’’

 

ଲମ୍ବ ହୋଇ ଗୋଡ଼ତଳେ ପଡ଼ିଲା । ପିଲାପିଲିଙ୍କୁ ଘେନି ପଦାକୁ ଆସିଲା । ତିନିଜଣ ପଣ୍ଡା ପିଛା ଧରିଥାନ୍ତି, ପଇସା ମାଗୁଥାନ୍ତି । ବେଢ଼ା ଭିତରେ ମଣିଷ ସୁଅ ପଡ଼ିଛି । ସେମାନେ ବି ମିଶିଗଲେ । ଭାରତର ନାନା ପ୍ରଦେଶର ଲୋକ ଏକାଠି ହୋଇଛନ୍ତି । ନାନା ଭାଷାରେ ଜଣାଣ ଶୁଭୁଛି । କୀର୍ତ୍ତନ ଶୁଭୁଛି । ନାନା ଦେଉଳ ସେ ବୁଲି ବୁଲି ଦେଖିଲା । ଯେଉଁଠିକି ପଶିଗଲେ ଶୁଭୁଛି ‘‘ଦିଅ–ଦିଅ–ପଇସା ପକା– ।’’

 

ବେଢ଼ା ବୁଲି ଲେଉଟି ଯିବା ଆଗରୁ ତା’ର ଆହୁରି ଥରେ ମନେ ହେଲା ସେ ଜଗନ୍ନାଥଙ୍କୁ ଦେଖି ମେଲାଣି ନେଇ ଫେରି ଯାଆନ୍ତା । କିନ୍ତୁ ଭିତରକୁ ପଶି ହେଲା ନାହିଁ । ଦୁଆର ମୁହଁରେ ଜଗୁଆଳ । ଭିତରେ ମହାପ୍ରଭୁଙ୍କ ଛାମୁରେ ପଢ଼ିଆରି ଓ ସୁଆରଙ୍କ ଭିତରେ ପାଉଣା ପତ୍ର ବିଷୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଖାକି କାମିଜ ପିନ୍ଧି ଅଣ୍ଟାର ପଟି ମୁଣ୍ଡରେ ପଗଡ଼ି ଭିଡ଼ି ଗୁଆଖୋଳପାର ଶସ୍ତ୍ର ଧରି ସରୁଆ ଦେଉଳ ପୁଲିସ୍‍ ଲୋକଙ୍କୁ ଅଟକାଇ ରଖୁଛି । ପଦାରେ ଦଣ୍ଡବତ ହୋଇ ପୁଣି ଦୀପଜାଳି ଗରୁଡ଼ଖମ୍ବ ପାଖେ ଦଣ୍ଡବତ ହୋଇ ସେ ଲେଉଟି ଆସିଲା ।

 

ପୁଣି ରାସ୍ତା, ଭଡ଼ା ରିକ୍‍ସା, ତା’ପରେ ହୋଟେଲ ।

 

ସେମାନେ ଚଞ୍ଚଳ ଖାଇସାରି ଆଲୁଅ ନିଭେଇ ଶୋଇପଡ଼ିଲେ, ବାଟର କ୍ଳାନ୍ତିକୁ ନିଦରେ ମାରିବେ ବୋଲି ।

 

କିନ୍ତୁ ତରୁଣ ରାୟର ଆଖିକୁ ନିଦ ଆସିଲା ନାହିଁ । କାନରେ ସମୁଦ୍ରର ଉଚ୍ଚାଟ ଶବ୍ଦ, ହୋଟେଲ୍‍ ସେପାଖେ ରାସ୍ତା ସେପାଖେ ବାଲି ପନ୍ତାରା, ନାନା ଚିନ୍ତା ଆସି ମନରେ ପଶିଲା ।

 

ବେଶି ମନେ ପଡ଼ିଲା ତା’ ବଡ଼ ଭଉଣୀ ମାୟା ଅପା, ସେ ମରିଛି ।

 

ତାକୁ ଅଣନିଶ୍ୱାସୀ ହେଲାପରି ଲାଗିଲା, ସେ ପଦାକୁ ଆସିଲା । ଉପରମାହାଲାରେ ସେମାନଙ୍କ ବଖୁରିଟି, ଆଗରେ ଖୋଲା ଫରଚା ହୋଇ ପିଣ୍ଡାଟିଏ । ସେଇଠି ସେ ଚଉକିରେ ବସି ବସି ବିଡ଼ି ଟାଣିଲା, ସମୁଦ୍ରଆଡ଼କୁ ଅନାଇ ରହିଲା ।

 

ରାଉରାଉ ପବନ ଓ ସମୁଦ୍ରର ଗର୍ଜନ । ଅନବରତ ଘୁ ଘୁ ଛଳଛଳ ଲାଗି ରହିଛି । ସମୁଦ୍ର ଉପରେ କେଡ଼େ ବଡ଼ କେଡ଼େ ଖୋଲା ଅନ୍ଧାରି ଆକାଶ, ଅସଂଖ୍ୟ ତାରା ଫୁଟିଛନ୍ତି, ସରଗର ଫୁଲ । ତାହାରି ତଳେ ସମୁଦ୍ର ଉଛୁଳୁଛି । ଅନ୍ଧାର ଭିତରୁ ବାରମ୍ବାର ଆଲୁଅର ଢେଉ ଆସି କଚାଡ଼ି ହେଉଛି, ଜିକିଜିକି ଧଳାଧଳା ହୋଇ ତା’ ପଛକୁ ତା’ ପଛ ଲାଗି ରହିଛି ।

 

ମନେ ପଡ଼ିଗଲା, ଶୁଣିଥିଲା ସେ ଜନ୍ମ ନ ହେଉଣୁ ତା’ ବାପା ବୋଉ ମାୟା ଅପାକୁ ସଙ୍ଗରେ ଘେନି ପୁରୀ ଆସିଥିଲେ । ପଚାଶ ବର୍ଷରୁ ବେଶି ଦିନର କଥା ହେଲାଣି ।

 

ତା ବାପା କହୁଥିଲେ ସେ ନିଜେ ଯେତେବେଳେ ବାରବର୍ଷର ହୋଇଥିଲେ, ସେତେବେଳେ ଜେଜେବାପା, ଜେଜେମା ଓ ବାପା ବଳଦଗାଡ଼ିରେ ଚଢ଼ି ପୁରୀ ଆସିଥିଲେ । ଜେଜେମାଙ୍କର ଭାରି ତୀର୍ଥ ବୁଲିବା ଝୁଙ୍କଥିଲା । ସେତେବେଳେ ଖାଲି ପାଦରେ ଚାଲି ଚାଲି ନହେଲେ ଶଗଡ଼ରେ ଚଢ଼ି ବୁଲିବା ଦିନରେ ଲୋକେ ଯେତେ ଯେତେ ବୁଲୁଥିଲେ, ଦୂର ଦୂର ପ୍ରାନ୍ତର ଲୋକଙ୍କ ସଙ୍ଗେ ଯେତେ ଘନିଷ୍ଠଭାବେ ମିଶି ପାରୁଥିଲେ, ଏ ରେଲ ମଟରଗାଡ଼ି ଯୁଗରେ ସେପରି ଆଉ ହେଉ ନାହିଁ । ଜେଜେମା କହୁଥିଲେ, ସେତୁବନ୍ଧ ରାମେଶ୍ୱର ଯାଉ ଯାଉ ସେମାନେ କେମିତି ଡକାଏତଙ୍କ ହାବୁଡ଼େ ପଡ଼ିଥିଲେ ଯେ ମାଲୟାଲମ୍‍ ଭାଷା କହୁଥିବା ମୋପ୍‍ଲା ପଠାଣଙ୍କ ଆତିଥ୍ୟରେ ରହିଯାଇଥିଲେ ଦୁଇମାସ ।

 

ଅବାନ୍ତର କଥା । କିନ୍ତୁ ପିଲାଦିନେ ଜେଜେମା ସେହି ଡକାଏତଙ୍କ କାହାଣୀକୁ ନାନାବେଶରେ ବଜାଇ ବର୍ଣ୍ଣନା କରିଥିଲେ । କହୁକହୁ ତାଙ୍କ ଆଖି ବଡ଼ବଡ଼ ହୋଇ ଯାଇଥିଲା, ସେହି କାହାଣୀ ଗପୁଗପୁ ସେ ଯେତେବେଳେ ପକ୍ଷୀତୀର୍ଥରେ ପହଞ୍ଚନ୍ତି, ସେତିକିବେଳେ ସେ ଶୋଇପଡ଼େ ।

 

ଭାବୁ ଭାବୁ ତା’ର ଆଖିପତା ଲାଗିଗଲା ।

 

ପୁଣି ସେ ଭୁଷ୍‍କିନା ଉଠି ପଡ଼ିଲା । ଠିଆ ହୋଇପଡ଼ି ଆଖି ରଗଡ଼ି ରଗଡ଼ି ସମୁଦ୍ରକୁ ଅନାଇଲା । ଅନ୍ଧାର ଭିତରୁ ଆଲୁଅର ଢେଉ ମାଡ଼ି ଆସୁଛି ଗୋଟାକୁ ଗୋଟା । କାଲି ବି ନିଶ୍ଚୟ ଆସିଥିଲା, ଆଜି ବି ଆସୁଛି । କାଲି ସେ ଦେଖି ନ ଥିଲା, ନା ନା–ତା ବାପା ଦେଖିଥିଲେ । ସେତେବେଳେ ସେ ତା’ ମା ପେଟରେ ଥିଲା କି ନ ଥିଲା । ତା’ ଆଗରୁ ବି ସେ ଦେଖିଥିଲା ।

 

ସେ ଦେଖିଥିଲା, ଏମିତି ଯେତେବେଳେ, ଚାରିଆଡ଼ୁ ଅନ୍ଧାର ଘେରି ରହିଥାଏ, ସେତିକିବେଳେ ବେଶି ବେଶି ଆଲୁଅର ଢେଉମାନ ଉଠୁଥାଏ । କେଉଁ ଅଜଣା ଗହୀରରୁ କି ଦିଗନ୍ତରୁ ମାଡ଼ିଆସେ ଆଲୋକ, ଏ ଢେଉ ସେ ଦେଖିଥିଲା ।

 

ନା ନା, ସେ ନୁହେଁ, ତା’ ଅଜା ଦେଖିଥିଲେ । ତାଙ୍କର ରକ୍ତର କେଉଁ ଅଣୁ ଭିତରେ ଥିଲା ତାହାରି ଚେତନାର ଉପାଦାନ । କେବେ ?

 

କାହିଁ ଶହେ ବର୍ଷ ତଳର କଥା ।

 

ପୁଣି ତା’ ଆଗରୁ ?

 

ଅସ୍ପଷ୍ଟ ହୋଇ ମନେ ପଡ଼ିଯାଉଛି, ଜେଜେମା, କହୁଥିଲେ ଯେ ସେ ବୋହୂ ହୋଇ ଆସିଲା ବର୍ଷ ତାଙ୍କ ଶ୍ୱଶୁର ପୁରୀ ଆସିଥିଲେ, ପୁଅ, ବୋହୂ, ସାହିର ଆହୁରି କେତେ ସ୍ତ୍ରୀଲୋକ, ସମସ୍ତିଙ୍କୁ ସଙ୍ଗରେ ଘେନି ଆସିଥିଲେ ।

 

ଶହେ ଚାଳିଶ ବର୍ଷ ତଳର କଥା, ଫିରିଙ୍ଗିମାନେ ନୂଆ ନୂଆ ଆସିଥାନ୍ତି କି ନାହିଁ, ଜେଜେମା କହୁଥିଲେ ସେ ବର୍ଷ ଭାରି ନଈବଢ଼ି, ଭାରି ହଇଜା, ଭାରି ଦୁର୍ଭିକ୍ଷ । ସେତେବେଳେ ତାଙ୍କ କଥା ବିଶ୍ୱାସ ହେଉନଥିଲା । ସତ ହୋଇଥିବ ପରା ।

 

ତା ଆଗରୁ ?

 

କିଏ କହିବା ତା’ର କେଉଁ ପୂର୍ବପୁରୁଷ ଆସିଥିଲେ, ନାଁ ମନେ ନାହିଁ । ଏମିତି ଶହଶହ ବର୍ଷ ହୋଇ ପଛକୁ ପଛକୁ, ମଣିଷ ଏଠିକି ଆସିଥିଲେ ।

 

ହୁଏତ ଏମିତି ରାତି ହୋଇଥିଲା, ଏଇ ତିଥି ।

 

ଏମିତି ସେତେବେଳେ ଅନ୍ଧାରି ଦରିଆରେ ବିଜୁଳି ପରି ଆଲୁଅ ଝଲଝଲୋଉଥିଲା, ଆଲୁଅର ଢେଉ ଖେଳୁଥିଲା ।

 

ଆଜି ଦେଉଳ ଭିତରେ ଯେଉଁଠି ଠିଆହୋଇ ସେ ଦର୍ଶନ କରୁଥିଲା, ସେମାନେ ବି ସମୟର ଥାକେ ଥାକେ ଠିକ୍‍ ସେଇଠି ଠିଆ ନ ହୋଇଥିବେ କିଏ କହିବ ତା’ ?

 

ସେତେବେଳେ ବି ସେହି ଜଗନ୍ନାଥ, ସେହି ସମୁଦ୍ର, ଆଜି ବି ।

 

ଭାବୁଭାବୁ ଅନୁଭବ କଲା, କେତେ ପାଖରେ ସେ ସେମାନଙ୍କର ! ସେହି ଏକା ପୃଷ୍ଠଭୂମି ଆଗରେ ସମସ୍ତିଙ୍କର ଉଦୟ ଓ ଅସ୍ତ, ସେହି ୟେ ଆକାଶ, ୟେ ସମୁଦ୍ର, ଏ ଦେଉଳ ।

 

ସତେ ତ’, କେଡ଼େ ପାଖରେ ସେମାନେ ତା’ର !

 

ଅନ୍ଧାର !

 

ଚାରିଆଡ଼େ ଅନ୍ଧାର । ଥଣ୍ଡା ଓଦା ପବନ ଉଡ଼ି ଆସି ଦେହରେ ଲାଗୁଛି । ସେ କେଉଁ ବହିରେ ପଢ଼ିଥିଲା, ପ୍ରେତମାନଙ୍କ ସ୍ପର୍ଶ ଏହିପରି, ସେମାନଙ୍କର ସ୍ଥୂଳ ଶରୀର ନଥାଏ, ଏହି ସ୍ପର୍ଶରୁ ସେମାନଙ୍କୁ ବାରିହୁଏ । ତା’ର ମୁଣ୍ଡବାଳ ହଲୁଛି, କିଏ ଯେପରି କଅଁଳ ହାତପାପୁଲିରେ ତା’ର ମୁଣ୍ଡକୁ ସାଉଁଳେଇ ଦେଉଛି । ଜେଜେମା ହୋଇ ପାରନ୍ତି । ଅଣ୍ଟା କିଏ ସାଉଁଳୋଉଛି । ଗୋଡ଼ ସାଉଁଳୋଉଛି । ଏ ନିଶ୍ଚୟ ତା’ ବୋଉ । ସେ ଡରିଲା ନାହିଁ । ତା’ର ଦୃଷ୍ଟି ସମୁଦ୍ରରେ ଲାଖି ରହିଛି, ସେହି ଯେଉଁଠି ମହା ହର୍ଷରୋଳ ଭିତରେ ଅନ୍ଧାର ପ୍ରସବ କରୁଛି ଆଲୁଅକୁ, ବାଲିପନ୍ତରାଆଡ଼କୁ ଗଡ଼ାଇ ଦେଉଛି, ପୁଣି ନୂଆ ପ୍ରସବ କରୁଛି ।

 

ଏହି ତା’ର ସ୍ନେହର ପୂର୍ବପୁରୁଷଙ୍କ ପାଖରେ ସେ ଅଛି ।

 

ସେ ଘରେ ଶୋଇଛି ‘ସେ’,–ତାର ପତ୍ନୀ । ସେ ପୁଅ ଜନ୍ମକଲା ନାହିଁ, ପୁଅ ଅଂଶ ତାହାରିଠୁଁ ଶେଷ । ମନରେ ଶତ୍ରୁତା ଆସିଲା, ଭାବିଲା, ସେହି ମୋଟୀ, ଅଚଳ ମାଦଳ ଟଙ୍କାପରି ! ଶତ୍ରୁ । ଓଃ ! କେଡ଼େ ଓଜନ ! ଡରମାଡ଼େ । ଜୀବନଯାକ ସେହି ଚର୍ବି ଓ ମାଂସର ଥାଳିକୁ ସେ ଡରି ଡରି ପୂଜା କରି ଆସିଛି, ସେହି ପୂଜା ପାଇ ସେ ଏଠି ବନ୍ଦୀ ହୋଇ ପଡ଼ି ରହିଛି, ଆଉ କେଉଁଆଡ଼କୁ ଫିଟି ଯାଇନାହିଁ । ଘରକରଣା ଆତ୍ମତୁଷ୍ଟି, ସବୁ ଏଇଆକୁ କେନ୍ଦ୍ର କରି । ଗୋଟାଏ ପ୍ରକାଣ୍ଡ ‘‘କାହିଁକି-?’’ ପ୍ରଶ୍ନ ଚିହ୍ନ ତା’ର ଚେତନା ଭିତରେ ଜନ୍ମ ହେଲା ।

 

କାହିଁକି ? କାହିଁକି ?

 

ପାଖେ ଉଦାର ବିଶାଳ ଉନ୍ମତ୍ତ ସମୁଦ୍ର । ସେ କ’ଣ ଅନାଏ ପରହାତ ଗଢ଼ା ମାପଯନ୍ତ୍ରକୁ-? ମାନ ଅପମାନର ଧାରଣାକୁ ? ନିନ୍ଦା ସ୍ତୁତିକୁ ? ସେ କ’ଣ ଖାତିରି କରେ କାଳେ କିଏ ତାକୁ କହିବ ଲଙ୍ଗଳା କି ଅରଣା କି ଅଭଦ୍ର ବୋଲି ? ପାଖେ ତା’ରି ସମାଜ, ଯେ ନିଜ ଦୁର୍ବଳତାକୁ ମହୈଶ୍ୱର୍ଯ୍ୟ ବୋଲି ମୁଣ୍ଡେଇ ଧରି ବାଡ଼େଇ କରେ, ନିଜ ଅଧଃପତନକୁ ବଖାଣି ବସେ ସମ୍ମାନାର୍ହ ଉନ୍ନତ ଜୀବନ ବୋଲି, ଅନ୍ୟ ଅବସ୍ଥାରେ ଯେଉଁମାନେ ଅଛନ୍ତି ତାର ବିକୃତ ଅର୍ଥ କରେ, ଆପଣା ଅତୀତର ବି ବିକୃତ ଅର୍ଥ କରେ ।

 

ତୀବ୍ର ସମାଲୋଚକ ହୋଇ ତିକ୍ତ ଭାବନାରେ ସେ ଭାବି ଯାଉଛି, ସେହି ପରିବେଷ୍ଟନୀ ତାକୁ ବନ୍ଦୀ କରିରଖିଛି, ସେହି ସମାଜ ତାକୁ ଛନ୍ଦିରଖିଛି, ତା’ର ଦୟା ଆସୁନାହିଁ ।

 

ତରୁଣ ରାୟ ଭାବି ଲାଗିଥାଏ । ଏହି ତ ତାର ସମାଜ ! ଗାଁରେ ତାର ଚେର ଥିଲା, ମାଟିରେ ତାର ଚେର ଥିଲା, ସେ ଚେର କେଉଁ ପୁରୁଷରୁ କଟି ଯାଇଛି, ସେ ସମାଜ ଉଡ଼ି ଉଡ଼ି ବୁଲୁଛି, ଆହାର ଓ ଜୀବିକା ଖୋଜି ଖୋଜି ପୁରୁଷ ପୁରୁଷ ହେଲା ବୁଲୁବୁଲୁ ସ୍ୱାର୍ଥ ଓ ସୁବିଧା ଉପରେ ନିର୍ଭର କରି ତା’ର ଆଚାର ବିଚାରରେ ଅନେକ ସଂସ୍କାର ଗଢ଼ି ହୋଇ ଯାଇଛି । ତା’ର ଭିତ୍ତି ନୁହେଁ ତ୍ୟାଗ ଓ ପରୋପକାର, ତା’ର ଦୃଷ୍ଟି ନାହିଁ ଭବିଷ୍ୟତ ଉପରେ କି ଆଦର୍ଶ ଉପରେ । ଆଖିକୁ ଭୁଲାଇଲା ପରି ଏହି ମୁହୂର୍ତ୍ତକ ପାଇଁ ସାମାନ୍ୟ ଉତ୍ତେଜନା ହେଲାପରି ଚୁଟୁଚୁଟୁକିଆ ଜିନିଷ ପ୍ରତି ତା’ର ଆଗ୍ରହ, ସୁନାରୁପା ନୁହେଁ, ପ୍ଲାଷ୍ଟିକ । ଓଲିଆ ଗାଈ ପରି ଯାହା ତା’ ହାବୁଡ଼େ ପଡ଼ିଗଲା, ତହିଁରେ ସେ ମୁହଁ ମାରିଦିଏ । ଆପଣାର ସ୍ୱାର୍ଥ ନ ଥିଲେ ସେ ପରକୁ ଏତେ ଟିକିଏ ସୁବିଧା ଦେବାକୁ ରାଜି ନୁହେଁ, ତେଣୁ ସେ ରେଳଗାଡ଼ିରେ ଗଲାବେଳେ ପାଞ୍ଚଜଣ ବସିବା ଜାଗା ମାଡ଼ିବସି ଲମ୍ବ ହୋଇ ଛଟାଗାଳି ଶୋଇପଡ଼େ, ଭିତରୁ କବାଟ କିଳେ, ଝରକା ବାଟେ ମୁହଁ ବଢ଼ାଇ କହେ, ‘‘ଜାଗା ନାହିଁ ।’’

 

ସେ ଭାବିଲା, ଏହି ଯେତେ ଯେତେ ଫନ୍ଦିଫିକର,–ବୃଥା ସେଗୁଡ଼ାକ, ଏ ସମାଜରେ ଥାଇତାପଣ ନାହିଁ, ସମସ୍ତେ ଫଟାଫଟା, ଜଣେ ଝୁଣ୍ଟି ପଡ଼ିଲେ ସାହାଯ୍ୟ କରିବାକୁ ଆଉ ଜଣେ ଧାଇଁ ଆସିବ ନାହିଁ, ବିଶାଳ ପୃଥିବୀ ଭିତରେ ମଣିଷ ଆପଣା ପାଇଁ ଗଢ଼ିଛି ଟିକିଟିକି ଅନ୍ଧାରି ଖୋପ, ଭେଦ ବିଭେଦ, ଶତ୍ରୁତା, ବିପଦ, ଦୁଃଖ, ନିଜପାଇଁ ଗାତ ଖୋଳୁଛି । ଏଠି ସ୍ନେହ ନାହିଁ, ଯଦି ବା କିଛି ସ୍ନେହ ମମତା ରହି ଯାଇଛି, ସେ ଖାଲି ବହୁତ ଦିନ ବଞ୍ଚି ରହିଥିବା ଜେଜେମା ପରି, ପରମ୍ପରା ଯୋଗୁଁ ରହି ଆସିଛି, କେହି ତାକୁ ଲୋଡ଼ନ୍ତି ନାହିଁ, ସେ ଦୁର୍ବଳ, ଅସ୍ତପ୍ରାୟ ।

 

ଏହି ଉଦାର ମହାସମୁଦ୍ର ଆଗରେ ତାର ଅତୀତ ଦିଶିଦିଶି ଯାଉଛି, ଗୋଟାଏ ନିରର୍ଥକ ଜୀବନ ବଞ୍ଚିବାର ଇଚ୍ଛାହୀନ ବୈଶିଷ୍ଟ୍ୟହୀନ ବୈଚିତ୍ର୍ୟହୀନ ଇତିହାସ । କିଏ ତାକୁ ଦିନେ ଗଡ଼ାଇ ଦେଇଥିଲା ଯେ ସେ ଗଡ଼ି ଚାଲିଛି, ପରିସ୍ଥିତିର ଢାଲୁଏ ଢାଲୁଏ, ଏଣିକି ତା’ ବେଗ କମି ଆସିଲାଣି, ସେ ଅଟକିବ, ପଥରକୁଢ଼ ଭିତରେ ଖଣ୍ଡେ ପଥର ହିଁ, ତା’ ଉତ୍ତାରୁ ସବୁ ଅନ୍ଧାର ।

 

ନା, ସେ ଅବଶ ହେବ ନାହିଁ, ଅନ୍ଧାରରେ ମିଶିବ ନାହିଁ, ସମୁଦ୍ର ଉଛୁଳୁଛି, ଆଲୁଅର ଢେଉ ଗଡ଼ୁଛି, ତା’ର ଅନ୍ତରର ଅନ୍ଧାର ଭିତରେ ସନାତନ ଜୀବନୀଶକ୍ତି ଖୋଜୁଛି ଚିରକାଳର ଆଲୋକକୁ, ଅନୁଭୂତିର ଭାଷା ସ୍ଫୁରୁଛି, ଯେ ତୁଣ୍ଡର କଥା ନୁହେଁ, ବ୍ୟାକରଣ କି ଶବ୍ଦକୋଷର ନୁହେଁ, ସେହି ସେ ନିଃଶବ୍ଦ ଭାଷା ଯେ ମଞ୍ଜିକୁ ଗଜା କରେ, ହୃଦୟକୁ ଦୃଦୟରେ ଯୋଡ଼େ ।

 

ଆପଣା ଅନ୍ତର ଭିତରେ ସେ ତା’ର ସନ୍ଦେଶ ଘେନୁଛି–

 

‘‘ଦେ ଛାଡ଼ିଦେ ତୋ ଆହୁଲା ।’’

 

ଭାସି ଯା ଆଲୁଅର ଧାରେ ଧାରେ, ଉପର ଅନ୍ଧାର ତଳ ଅନ୍ଧାର, ମଝିରେ ଆଲୁଅ ସୁଅରେ ଭାସିଯା ଦିଗନ୍ତକୁ ।

 

ଦେ ଛାଡ଼ିଦେ ତୋର ସାନ ମମତା, ସାନ ସ୍ୱାର୍ଥ, ମନୁଷ୍ୟ ଜାତି ସହିତ ଏକ ହ, ଯାଉ ଚାଲି ରେଳଡବାରେ ତୋ ଜାଗାଟିକକ, ବ୍ୟାଙ୍କରେ ଭଣ୍ଡାରୀ ମୁଠି ଟଙ୍କା କେଇଟି, ଆଉ ଏ ଯୋଡ଼ିଏ ସ୍ତ୍ରୀଲୋକଙ୍କ ପ୍ରତି ତୋର ମୋହ, ଯାହାକୁ କହୁ ତୁ ତୋ ଘରକରଣା ।

 

ତ୍ୟାଗରୁ ତତେ ଆନନ୍ଦ ମିଳୁ, ମୁକ୍ତ ହ, ବିଶାଳ ହ, ଜୀବନ୍ତ ହ ।

 

ଗର୍ଜୁଛି ସମୁଦ୍ର । ତା’ର ଅନ୍ତର ପୁରୁଷ ସତେଅବା ମୁକ୍ତିପାଇଁ ପଦାକୁ ବାହାରିଛି । ତା’ର ଏ ନୂଆ ପ୍ରକାଶରେ ସେ ତା’ର ଇଚ୍ଛାକୁ ରୁଚିକୁ କଳୁଛି ଆରପାଖକୁ ଚାହିଁ ଚାହିଁ । ଏ ଦେହ ଦୁର୍ବଳ ବୋଲି କୁତ୍ସିତ, ସେ ତା’ର ଲୋଡ଼ା ନାହିଁ । ଏ ଜୀବନ ସୁସ୍ଥିର, ନିଷ୍କ୍ରିୟତାର, ଏଠି ମଣିଷ ଭାଗ ନ ଦେଇ ଖାଏ, ଫାଉ ମାରି ମାରି ବଞ୍ଚେ, ଗଛ ଉପରେ ମଲାଙ୍ଗ ପରି, ଜନ୍ତୁ ଦେହରେ ରୋଗ ଜୀବାଣୁ ପରି । ସେ ତା’ର ଲୋଡ଼ା ନାହିଁ ।

 

ସମୁଦ୍ର ହସୁଛି, ସେ ଦୁର୍ବାର, ଦୁର୍ବିନୀତ ।

 

ତରୁଣ ରାୟ ମନେମନେ ମୁକ୍ତି ପାଇଛି, ଶାନ୍ତି ପାଇଛି, ବିଶାଳ ମାନବିକ ଚେତନାରେ ସ୍ଵଚ୍ଛନ୍ଦରେ ସମୁଦ୍ରର ସଙ୍ଗୀତରେ ଭାସୁଛି ।

 

କାହାର ଆର୍ତ୍ତ ଚିତ୍କାର ଶୁଣି ସେ ଚମକିପଡ଼ି ଉଠି ଠିଆହେଲା । ସେହି ହୋଟେଲର ସେମୁଣ୍ଡ ଘରୁ ଦୂରକୁ ଶୁଭୁଛି ଗୋଟିଏ ସ୍ତ୍ରୀଲୋକର ଚିତ୍କାର ।

 

‘‘ଏ କ’ଣ ହେଲା । ଏମିତି କ’ଣ ହେଲା ! ଏତେ ରକ୍ତ ! ଏମିତି କଣ ହେଇ ଯାଉଚି ! ମୁଁ କି ବୁଦ୍ଧି କରିବି ! ଡାକ୍ତର ! କିଏ ଅଛ କୋଉଠି !’’

 

ତରୁଣ ରାୟ ଉତ୍ତେଜନାରେ ଠେଲି ହୋଇ ସେହିଆଡ଼କୁ ଚାଲିଲା । ବିଦେଶରେ ବିପନ୍ନା ନାରୀ, ନିଶା ଅନ୍ଧାର, ରାତି ଗୋଟାଏ ବେଳହେବ । ତା’ ଭିତରେ ଚେଇଁ ଉଠିଥିଲା ମଣିଷର ଅନ୍ତର ଭିତରେ ଥିବା ସ୍ୱେଚ୍ଛାସେବକ, ଯେ ଚାପି ହୋଇ ରହିଯାଏ, ବଢ଼େ ନାହିଁ ।

 

ପରର ସେବା କରିବାକୁ, ଦୁଃଖୀର ସହାୟ ହେବାକୁ ସେହି ସ୍ୱେଚ୍ଛାସେବକ କେବେ ତାକୁ ପ୍ରେରଣା ଦେଇଥିଲା ।

 

ପିଲାଦିନେ ସେହିତ ତାକୁ ଠେଲି ପେଲି ପଠାଇଥିଲା, ଇସ୍କୁଲ ପିଲାଙ୍କ ଦଳରେ ମିଶି ଗଳି ଗଳି ବୁଲି ସେ ବନ୍ୟାବିପନ୍ନ ଲୋକଙ୍କ ସାହାଯ୍ୟପାଣ୍ଠି ପାଇଁ ଚାନ୍ଦା ମାଗି ବୁଲିଥିଲା, ଯକ୍ଷ୍ମାନିରୋଧ ପାଣ୍ଠିପାଇଁ, ଆହୁରି, ରେଡ୍‍କ୍ରସ ପାଇଁ । କିଏ ଥଟ୍ଟା କରିଥିଲେ, କିଏ ବିରକ୍ତ ହୋଇ କହିଥିଲେ ‘‘ଆଇଲେ ଫେର୍‍ ଏଥିରୁ କୁକୁର ମାଛି ପଲେ ।’’ କିଏ ବିରକ୍ତ ହୋଇ କହିଥିଲେ, ଗାଆଁରେ ପିଲା ଆଉ ଗୋଟିଏ ଗୀତ ।’’ ଆଉ ସେ ବୁଲିଥିଲା, ଯୁଦ୍ଧରେ ମରିଥିବା ସୈନିକମାନଙ୍କ ଛୁଆପିଲାଙ୍କ ସାହାଯ୍ୟପାଇଁ ଓ ଯୁଦ୍ଧରେ ଖଣ୍ଡିଆ ଖାବଡ଼ା ହୋଇଥିବା ସୈନିକମାନଙ୍କ ସାହାଯ୍ୟପାଇଁ ଚାନ୍ଦା ମାଗିମାଗି । ଗାଳି ଖାଇଥିଲା–‘‘ଭାକ୍‍ ଭାକ୍‍ ପଳା, ପଇସା ମାଗି ଶିଖିଗଲାଣି-! ୟା ତା ନା କହି ପଇସା ନେଇ ଚିନାବାଦାମ କିଣି ଖାଇବେ । ଯାଉଚ ନା ଦେଖିବ-?’’ ସେତେବେଳେ ସେ ଗାଳି ଭଲ ଲାଗୁଥିଲା । ସହାନୁଭୂତିରେ ଭାବୁଥିଲା,–‘‘ଆହା ବିଚରା ସୈନିକ, ହୁଏତ ତା’ର ଯୋଡ଼ିକଯାକ ଆଖି ଫୁଟି ଯାଇଛି । ହୁଏତ ତା’ର ଗୋଟିଏ ଗୋଡ଼ କଟି ଯାଇଛି–ନା, ନା–ଦୁଇଗୋଡ଼ କଟି ଯାଇଛି, ଦୁଇ ଆଖି ଫୁଟିଛି, ଛାତିତଳୁ ଗୋଟାଏ ଫୁସ୍‍ଫୁସ୍ କାଟି ଫୋପାଡ଼ି ଦେଇଛନ୍ତି, ଗୋଟିଏ ଫୁସଫୁସରେ ସେ କାମ ଚଳାଉଛି–ଗୋଟିଏ ବାହା କଟିଯାଇଛି–ହୁଏତ–’’ । ସେତେବେଳେ ସେହି ସ୍ୱେଚ୍ଛାସେବକ ହୋଇ ଖରାଏ ଖରାଏ ବୁଲିଲାବେଳେ ଯୀଶୁଖ୍ରୀଷ୍ଟଙ୍କ ଛବି ମନେ ପଡ଼ୁଥିଲା, କଣ୍ଟାରେ ମୁକୁଟନାଇ କାଠଛକି ଉପରେ ତାଙ୍କ ଦେହ ଲୁହାକଣ୍ଟା ପିଟାହୋଇ ରହିଥିଲା, ମନେ ପଡ଼ୁଥିଲେ ମହାତ୍ମାଗାନ୍ଧୀ, ଇଂରେଜ ତାଙ୍କୁ ଜେଲରେ ରଖିଥିଲେ ।

 

ସେତେବେଳେ ଆଖି ଆଗରେ ତ୍ୟାଗ ଓ ତ୍ୟାଗୀର ଆଦର୍ଶ ଜଳଜଳ ହୋଇ ଦିଶୁଥିଲା-। ଆପଣା ଭୁଜାଖିଆ ପଇସାରୁ କାଟି ବଞ୍ଚେଇ ଭିକାରିଙ୍କି ଦେବାକୁ ଭଲ ଲାଗୁଥିଲା-। ଅନ୍ତର ଭିତରର ସେହି ସ୍ଵେଚ୍ଛାସେବକର ପ୍ରେରଣାରେ କେତେ ସେ ଖରାତରାରେ ବୁଲିଛି, ଗାଳି ମାଡ଼ ସହିଛି, କଷ୍ଟ ସହିବାକୁ ସୁଖ ମଣିଛି । ବେଠି ଖଟିଛି । ସଭା ହେବ ବୋଲି ଚଉକି ବୋହି ବୋହି ନେଇ ସଜେଇଛି । ଉପସ୍ଥିତ ଭଦ୍ରବ୍ୟକ୍ତି କି ଭଦ୍ରମହିଳାମାନଙ୍କୁ ପିଇବା ପାଣି ଆଣି ଦେଇଛି-। ଭଦ୍ରମହିଳାମାନଙ୍କ ପିଲାଙ୍କୁ କାଖେଇ ପଦାକୁ ମୂତେଇ ନେଇଛି, ପୁଣି ଆଣି ଛାଡ଼ିଛି । ଗାଡ଼ି ଦୁର୍ଘଟଣା ଘଟି ସଡ଼କ ଉପରେ କିଏ ରକ୍ତାକ୍ତ ହୋଇ ପଡ଼ିଥିଲା, ତାକୁ ଡାକ୍ତରଖାନାକୁ ନେଇଛି-। ଡାକ୍ତରଖାନାରେ କେଉଁ ରୋଗୀପାଖେ ରାତି ରାତି ଦିନ ଦିନ ଜଗି ବସିଛି । ଆପଣା ଭିତରର ସେହି ସ୍ୱେଚ୍ଛାସେବକ ତାକୁ ଶିଖାଇଥିଲା ପରପାଇଁ ଝାଳ ଆଉ ଲୁହ ଢାଳି ପାରିଲେ କେଡ଼େ ଆନନ୍ଦ ଲାଗେ ।

 

ତା’ପରେ ଏତେ କାଳ ସେ କେଉଁଠି ଛପି ଯାଇଥିଲା, ଆଉ ମନେ ନାହିଁ ।

 

ପୁଣି ସେ ପିଲା ହୋଇଛି । କାନ୍ଧ ଉପରେ ସ୍ୱେଚ୍ଛାସେବକର ଚିହ୍ନୋଟ ପଦକ । ଦମଦମ ଛାତିରେ ନାନା ଆଶଙ୍କା କରି କରି ସେ ତରତର ହୋଇ ଧାଇଁଗଲା ।

 

ଶୁଭୁଛି–‘‘ଊ !’’

 

ଗୋଟାଏ ଲମ୍ବା ଚିତ୍କାର ।

 

ତାପରେ କାନ୍ଦଣା ମିଶା ଅନୁନୟ–‘‘ହେ ! ଶୁଣ ! ସେମିତି କାହିଁକି ଅନେଇଁ ରହିଛ ? କ’ଣ କହ । କଥା କହ । ଓ ହୋ !’’ ସେ ସ୍ତ୍ରୀଲୋକ କାନ୍ଦି କାନ୍ଦି ଲୋଟିଗଲା ।

 

କ’ଣ ହେଲା ? ସବୁ ସରିଗଲା କି ? ସରିଗଲା ତା’ ଘରକରଣା ? ତରୁଣ ରାୟ ଆପଣା ମନକୁ ପଚାରିଲା ।

 

ଖଁ ଖଁ ଖଁ କାଶ ଶବ୍ଦ ଶୁଭିଲା । ଥରିଲା ଦୁର୍ବଳ ପାଟିରେ ସଂଯତ କଥା କହି ପୁରୁଷ ବୋଧ ଦେଉଛି,–‘‘ଛି । କାନ୍ଦନା । ସେମିତି କାହିଁକି ହେଉଛ ? ହେଇତ, ମୁଁ ଭଲ ଅଛି । ଆଗଠୁଁ କେତେ ଭଲ ଅଛି । ତୁମେ ଦମ୍ଭ ନ ହେଲେ ଏ ବିଦେଶ ଜାଗାରେ ରହିବା କେମିତି ? ଲୋକେ ନିଦରୁ ଉଠିପଡ଼ିବେ ଯେ ! ସେଉଠୁ ତ ଅଡ଼ୁଆ ଲାଗିଯିବ !

 

କାନ୍ଦଣା ବନ୍ଦ ହୋଇଗଲା । ବଖରା ଭିତର ଆଲୁଅ ନିଭିଗଲା । ତରୁଣ ରାୟ ଦୁଆରମୁହଁ ସଳଖେ ହୋଇଗଲାଣି । କବାଟ ଖୋଲା ଅଛି । ତାକୁ ଲାଗୁଥାଏ, କଥା କହିଦେଇ ପୁରୁଷଟି ହାଲିଆ ହୋଇ ଧକେଇ ହେଉଛି । ବୋଧହୁଏ ଫୁସ୍‍ଫୁସ୍ କରି କହିଲା କହିଲା, ‘‘କିଏ ଜଣେ ଆସୁଛି କି କ’ଣ ।’’

 

‘‘କଣ ହେଲା ?’’ ତରୁଣ ରାୟ ବଡ଼ ପାଟିରେ ଡାକିଲା । ପୁଣି ପାଟିକଲା, ‘‘ଶୁଣନ୍ତୁ କ’ଣ ହେଇଚି ?’’

 

ସ୍ତ୍ରୀଲୋକଟି ଧଡ଼ପଡ଼ ହୋଇ ଚମକି ପଡ଼ିଲା, ପାଟିରୁ ବାହାରି ପଡ଼ିଲା ସେହି ‘‘ଊ’’ ପଦକ । କିନ୍ତୁ କିଏ ଯେମିତିକି ତା’ ପାଟିରେ ହାତଦେଇ ତାକୁ ତୁନି କରିଦେଲା ଯେ ସେ ଆଉ କିଛି କହିଲା ନାହିଁ । ତା’ପରେ ଧଡ଼୍‍କରି କବାଟ ବନ୍ଦ ହେଲା ।

 

ସ୍ୱେଚ୍ଛାସେବକ ଅଟକିଲା । ବଖରା ଭିତର ତୁନି ପଡ଼ିଛି । ଅନ୍ଧାର ଦୋହଲୁଛି । ସମୁଦ୍ର ଗର୍ଜନ କରୁଛି । ସମୁଦ୍ରକୂଳିଆ ଶୀତୁଆ ପବନ ଦେହରେ ବାଜୁଛି, ଦେହ ଶିରଶିରୋଉଛି । ଡାକିଲା-। ଭିତରୁ ଉତ୍ତର ନାହିଁ ।

 

ସେ ନିଜର ଅସହାୟ ଅବସ୍ଥା ଅନୁଭବ କଲା । ତା’ପରେ ଲାଗିଲା, ସେ ଅଲୋଡ଼ା, ସେ ଅକାମୀ । ଏଡ଼େ ଆବେଗରେ ଏତେ ସହାନୁଭୂତି ଘେନି ସେ ଧାଇଁ ଆସିଥିଲା, କିନ୍ତୁ କେହି ତାକୁ ଆବଶ୍ୟକ କରୁନାହିଁ, ତା’ ସହାନୁଭୂତିର କଡ଼ାକର ମୂଲ୍ୟ ନାହିଁ ।

 

ଆପଣା ହୃଦୟ ଭିତରେ ଯନ୍ତ୍ରଣା ଅନୁଭବ କଲା, ଭାବିଲା,–ଏମିତି ଏ ଦୁନିଆଟା, ଲୋକେ ତାଙ୍କ ଦୁଃଖରୁ ବି ଭାଗ ଦେବେନାହିଁ । ପଛେ ନୀରବରେ କଷ୍ଟ ପାଇବେ ଆଉ ମରିବେ ।

 

କାହିଁକି ?

 

ଛାତି ଉପରେ ମୁଣ୍ଡକୁ ଭାଙ୍ଗିଦେଇ ଗଣିଲା ପରି ପାଦ ପକାଇ ପକାଇ ଗୋଡ଼ ଘୋଷାରି ଘୋଷାରି ଲେଉଟି ଆସିଲାବେଳେ ତା’ର ମନ ଭିତରେ ଅଭିମାନରେ ସେହି ‘କାହିଁକି’ର ମୂର୍ଚ୍ଛନା ଉଠୁଥାଏ, ଖଣ୍ଡଖଣ୍ଡ ହୋଇ ଭାଙ୍ଗିପଡ଼ୁଥାଏ ତା’ର ମହାମାନବିକତା ।

 

ଟିକିଏ ଆଗରୁ ତ, ସେ ସେତେବେଳେ ଆପଣା ଘଟରେ ପଶି ନ ଥିଲା, ପରିବେଷ୍ଟନୀରେ ବାନ୍ଧି ନ ହୋଇ ସେବାଭାବର ଉନ୍ମାଦନାରେ ବିଶାଳ ପୃଥିବୀ ଭିତରକୁ ଭାସି ଯାଇଥିଲା, ଯେଉଁଠି ସମସ୍ତେ ତା’ ଆପଣାର, ତା’ର ନିହିତ ମଣିଷପଣ ବିକାଶ ପାଇଁ ଲୀଳାୟିତ ହେଉଥିଲା ଏହି ସମୁଦ୍ରପରି ।

 

କିନ୍ତୁ ଏହି ଗୋଟିଏ ଘଟନାର ଆଘାତ ବାଜି ସେ ସଂକୁଚିତ ହୋଇଯାଇଛି । କ’ଣ ତା’ର ଅପରାଧ ଯେ ତା’ ପୂଜା ଘେନା ହେଲାନାହିଁ ?

 

ପୁଣି ଲେଉଟି ଆସୁଛି ସ୍ମରଣ, କିଏ, କଣ, କାହିଁକିର ସାଧାରଣ ଚେତନା । ତାକୁ ଲାଗୁଛି ନିଦ ଘରରେ ତା’ ମୁଣ୍ଡ ଗୋଳମାଳ ହୋଇଯାଇଥିଲା, ଏଥର ମୋହ କଟିଯାଇଛି ।

 

ଏଇ ତା’ର ବଖରା, ଆଉ କାହାର ନୁହେଁ, ତାହାରି । ଏଇଠି ତାର ସ୍ତ୍ରୀ, ତାର ଝିଅ, ଆଉ କାହାରି ନୁହନ୍ତି, ତାହାରି । ଏହି ଅଛି ତା’ ସଂସାର ତାହାରି ସଙ୍ଗେ ସଙ୍ଗେ, ଯେପରି ସମୁଦ୍ର ଭିତରେ ଖଣ୍ଡେ ଦ୍ୱୀପ, ତା’ର ସ୍ୱାର୍ଥର, ତା’ର ଅସ୍ତିତ୍ୱର । ଏହା ବାହାରେ ତା’ର ନୁହେଁ । ସଂସାରଯାକ ବହୁତ ଦୁଃଖ, ବହୁତ ସମସ୍ୟା । ଥାଉ । ସେ ତାକୁ ଦୂର କରିପାରିବ ନାହିଁ, ତା’ର ଦରକାର ବି ନାହିଁ ।

 

ଲୋକେ ରୋଗରେ ମରୁଥିବେ, ଅଧାବୟସରେ ମରୁଥିବେ, ତାଙ୍କ ସଂସାର ଉଜୁଡ଼ୁଥିବ-। କିଏ ଭୋକରେ ମରୁଥିବ । କିଏ ଜୀବନ ବିକଳରେ ହେଉଥିବ ଚୋର, ଖଣ୍ଟ, ଠକ, ସେଠି ତା’ର କର୍ତ୍ତବ୍ୟ ସେ ଦେଖୁନାହିଁ ।

 

ସମୁଦ୍ର କୂଳରେ ପହଞ୍ଚୁ ପହଞ୍ଚୁ ଯେତେ କଣା, ଛୋଟା, ରୋଗୀ, ଅନ୍ଧ ଧାଇଁ ଆସିଥିଲେ ହାତ ପତାଇଥିଲେ, ସେ କାହାରିକି କିଛି ହେଇନାହିଁ, ଠିକ୍‍ ଏହି ବିଚାରରେ ଦେଇ ନାହିଁ । ଦେବ ବି ନାହିଁ ।

 

ମୂର୍ଖ ସେ, ପରର ଦୁଃଖସୁଖ ବୁଝିବାକୁ ପରଘର ଦୁଆର ମୁହଁକୁ ଦୌଡ଼ି ଯାଇଥିଲା, ଏଣେ ଆପଣା ଘର ଖୋଲାପଡ଼ିଛି । ତରୁଣ ରାୟ ଟର୍ଚ୍ଚ୍‍ ବୋତାମ ଚିପି ଟର୍ଚ୍ଚ୍‍ ଆଲୁଅରେ ଘର ଭିତରଟାକୁ ଦେଖିନେଲା । ମା’ ଝିଅ ଶୋଇଛନ୍ତି, ଜିନିଷପତ୍ର ଯେଉଁଠି ଥିଲା ସେଇଠି ଅଛି । ଟର୍ଚ୍ଚ୍‍ ନିଭେଇବା ଆଗରୁ ଭିତରୁ କବାଟ କିଳିଲା, ତଳ ଉପର ମଝି ସବୁ ଛିଟିକିଣି ଲଗାଇଦେଲା, ତା’ପରେ ନିଜ ବିଛଣାରେ ଶୋଇପଡ଼ି ସେ ନିଜକୁ ଗାଳିଦେବାକୁ ଲାଗିଲା । ମୂର୍ଖ ! ମୂର୍ଖ ! ମୂର୍ଖ ! ଆଗପଛ ଭୁଲି ପରର ବୋଝ ଉଠେଇବାକୁ ଧାଇଁ ଯାଇଥିଲା ପରା ! ଆଉ ଏ ଦୁନିଆରେ ଲୋକେ ଯାହାକୁ ଦେଖନ୍ତି ବେଠିଆ, ତା’ରି ଉପରେ ସବୁଯାକ ବୋଝ ଲଦି ଦେଇ ବସନ୍ତି ।

 

ସେ କଳ୍ପିତ ବିଭୀଷିକାର ରୂପ ଦେଖୁଥାଏ । ଭାବୁଥାଏ, ଧର ସତକୁସତ ସେପାଖ ଘରର ରୋଗୀଟା ଆଜି ମରିଯାଇଥାନ୍ତା, ତାହେଲେ ତା’ ବିଧବା ଧରିଥାନ୍ତା ତା’ ଗୋଡ଼କୁ ଜାବୁଡ଼ି । ମୁର୍ଦ୍ଦାର ଉଠେଇବାର ସବୁ ବନ୍ଦୋବସ୍ତ ହୁଏତ ତାକୁ ହିଁ କରିବାକୁ ପଡ଼ିଥାନ୍ତା । ହୁଏତ ସେ ମୁର୍ଦ୍ଦାର କାନ୍ଧେଇ ଯାଇଥାନ୍ତା । ତା’ ଉତ୍ତାରୁ ବିଧବାକୁ ନେଇ କେଉଁ ଦୂର ସ୍ଥାନରେ ତା’ ଘରେ ଛାଡ଼ିଦେଇ ଆସିବା ଭାର ବି ତା’ ଉପରେ ପଡ଼ିଥାନ୍ତା ।

 

ଏଇଥିପାଇଁ ଏତେ ଖର୍ଚ୍ଚକରି ଛୁଟିନେଇ ସେ ଏଠିକି ଆସିଛି, ଓଃ ! ଭଗବାନ ବଞ୍ଚେଇଲେ !

 

କିନ୍ତୁ ଆଉ ଗୋଟିଏ ଆଶଙ୍କା ବଢ଼ିବଢ଼ି ଉଠୁଛି, ଆଖିପତା ମାଡ଼ି ପଡ଼ୁପଡ଼ୁ ପୁଣି ସେ ଚମକି ଉଠୁଛି । ଭାବୁଛି, ସେ ମୁଣ୍ଡ ବଖୁରିରେ ସେ ରୋଗୀଟାର କି ରୋଗ ?

 

ସେ କ’ଣ ଯକ୍ଷ୍ମା !

 

ସତେ ଯଦି ସେଇଆ ହୋଇଥିବ ! ଯକ୍ଷ୍ମା ! ଆଉ ସେ ତ ସେ ଦୁଆର ମୁହଁକୁ ଯାଇଥିଲା, ଯଦି ଯକ୍ଷ୍ମା ରୋଗର ଜୀବାଣୁ ତା’ ଉପରେ ଚଢ଼ିଥିବେ !

 

ଜୀବାଣୁ ତା’ ନିଶ୍ୱାସବାଟେ ଫୁସ୍‍ଫୁସ୍‍ ଭିତରକୁ ଯାଇଥିବେ କି ତା’ ଚମଡ଼ା ଉପରେ ବୁଲି ବୁଲି ଭିତରକୁ ପଶିବାକୁ ବାଟ ଖୁଜୁଥିବେ ସେକଥା ସେ ତା’ର ଅଧାନିଦୁଆ ଗୋଳମାଳିଆ ମୁଣ୍ଡରେ ଠିକଣା କରିପାରିଲା ନାହିଁ । ତା’ ଦେହର ଦି’ଜାଗାରେ ସଲସଲ ଲାଗିଲା, ତା’ ଆପଣା ଆଗରେ ଆପଣାର ମନ ସତେ ଯେପରି ପ୍ରସ୍ତାବ ପକାଇଛି ଯେ ତା’ର ଦି ଗୋଡ଼ର ଆଣ୍ଠୁ ପାଖରୁ ପିଠି ଉପରକୁ ଗୋଟାଏ କେମିତି ସଲସଲ ବଢ଼ିବଢ଼ିକା ଚାଲିଛି । ସେ ଭାବିଲା, ଏଇ କ’ଣ ଗୁପ୍ତ ଜୀବାଣୁ ଯକ୍ଷ୍ମାରୋଗର ! ତା’ ମନ ଫାନ୍ଦି ଲାଗିଲା, ଯେପରିକି ସେହି ସଲସଲଟା ମନ୍ଥର ଗତିରେ ଉପରକୁ ଉପରକୁ ମାଡ଼ିମାଡ଼ିକା ଚାଲିଛି, ଯେମିତି ସେ ଦେଖିଛି ସୈନ୍ୟମାନେ ମାର୍ଚ୍ଚ କରନ୍ତି, ହାତରେ ବନ୍ଧୁକ, ପାଦରେ ବୁଟ୍‍ ଯୋତା, ମଚ୍‍ ମଚ୍‍ ମଚ୍‍ । ଖାଲି ମାର୍ଚ୍ଚ, ମାର୍ଚ୍ଚ, ମାର୍ଚ୍ଚ । ହାତରେ ଧ୍ଵଂସକାରୀ ଅସ୍ତ୍ର, ଆଖିରେ ଦୃଢ଼ପ୍ରତିଜ୍ଞା, ଦାଢ଼ୁଆ ପଥର ପରି କଠୋର ଚାହାଣି, ମାର୍ଚ୍ଚ–ମାର୍ଚ୍ଚ–ସେମାନେ ଖୋଜି ବୁଲୁଛନ୍ତି ତରୁଣ ରାୟକୁ, ଝାଳ ଫିଟିଯାଉଛି, ସେ ପଳୋଉଛି, ପଳୋଉଛି, ସେମାନେ ଚାଲିଛନ୍ତି, ହେଇ ବନ୍ଧୁକ ଉଞ୍ଚାଇଲେଣି, ଲାଖ କଲେଣି, ଯୁଆଡ଼େ ଚାହିଁଲେ ସଳଖ ପଟାପରି ପଡ଼ିଆ, ଲୁଚିବାକୁ ରାହା ନାହିଁ, ଏକାଠି ଢୁ ଢା ହୋଇ ଫୁଟିଲା ବନ୍ଧୁକ ମାଳମାଳ, ସେ ମରୁନାହିଁ, ଧାଇଁଛି । ଧାଇଁଛି ବନ୍ଧୁକ ଜଙ୍ଗଲ ଭିତରେ, ବନ୍ଧୁକ ଅଗ ଆଗରେ, ପୁଣି ପୁଣି ଫୁଟୁଛି ବନ୍ଧୁକ, ଲୁଚିବାକୁ ରାହା ନାହିଁ, ସେ ଆର୍ତ୍ତନାଦ କରି ଉଠୁଛି, କିନ୍ତୁ ତଣ୍ଟି ଭିତରୁ ନାଦ ବାହାରୁ ନାହିଁ, ଖାଲି ଗଁ ଗଁ ଗଁ ।

‘‘ଶୁଣୁଚ ? ହେ ! ଏମିତି କାହିଁକି ହଉଚ ? କ’ଣ ହେଲା ତମର ?’’

‘‘ଏଁ ? କ’ଣ !’’

ତମେ ଏମିତି କାହିଁକି ହେଲ ?

କେବେ ? କ’ଣ ମତେ କହୁଚ ? ନା, ଏ ତା’ର ସ୍ତ୍ରୀ, ପିଠି ଆଉଁସି ପକାଉଛି, ମୁଣ୍ଡ ଆଉଁସି ଦେଉଛି ।

ଏତେ ସ୍ନେହ ! ସତକୁସତ ମରିଯାଇଥିଲେ !

ସେ ଗୋଟାଛାଏଁ ଅଛି, ଭଲରେ ଅଛି, ବିପଦରେ ନାହିଁ ।

ଆଖିରୁ ଲୁହଧାର ପୋଛିଦେଲା । କର ଲେଉଟାଇ ହସିଦେଇ କହିଲା, ‘‘କ’ଣ ହେଲିକି ମୁଁ ?’’

‘‘ବିଳିବିଳୋଉଥିଲ ।’’

‘‘ଆଉ ବିଳିବିଳେଇବି ନାହିଁ । ଶୋଇପଡ଼ । କାନେଇଲ ସମୁଦ୍ର ଗର୍ଜନକୁ । ଏତେ କାନ ଅତରା ପକାଉଛି ତଥାପି କାନକୁ ଖରାପ ଲାଗୁନାହିଁ । କାନାଅ, ନାନା ଜାତି ଶବ୍ଦ ପାଇବ ।

‘‘ମୁଁ କାନେଇଥିଲି ତମ ବିଳିବିଳାକୁ । ବାପରେ ! ଯୋଉ ଡର ମାଡ଼ିଲା !’’

‘‘ଶୋଇପଡ଼, ଶୋଇପଡ଼ !’’

ସମୁଦ୍ର ଗର୍ଜନକୁ କାନଡ଼େରି ଶୁଣୁଶୁଣୁ ତାକୁ ନିଦ ହୋଇଗଲା ।

‘ସବୁ ଠିକ୍‍ ଅଛି’–ଏହି ଆଶ୍ୱସ୍ତିରେ ତା’ର ନିଘୋଡ଼ ନିଦ ହେଲା । ଆଉ ଗଁ ଗଁ ନୁହେଁ, ଛନ୍ଦରେ ଛନ୍ଦରେ ଚାଲିଲା ତା’ର ଘୁଙ୍ଗୁଡ଼ି ।

ସବୁ ଶବ୍ଦ ସମୁଦ୍ର ଗର୍ଜନରେ ମିଶିଗଲା, ସେ ବି ମିଶିଗଲା ସମୁଦ୍ରରେ ।

ପୁଣି ସେ ଗୋଟାଛାଏଁ ହୋଇଗଲା । ତହିଁଆରଦିନ ସକାଳେ ସେତେବେଳେ ତା’ ନିଦରେ ବ୍ୟାଘାତ ଜନ୍ମାଇ ମଝି ବଖରାର ଦି’ଦିନିଆ ଭଡ଼ାଟିଆର ଭଉଣୀ ବଡ଼ ପାଟିରେ ସଙ୍ଗୀତ ଗାଇବାକୁ ଆରମ୍ଭ କରିଦେଲା । ରାଗରେ ତମତମ ହୋଇ ନିଦରୁ ଉଠିପଡ଼ି ସେ ସଂସାର ଉପରେ ତା’ ବିରକ୍ତିକୁ ଅଜାଡ଼ିଦେଇ ପାଟିକଲା, ‘‘ଭଲା କଥା ! ମଣିଷ ଟିକିଏ ଶାନ୍ତିରେ ଶୋଇବ ତା’ ବି ନାହିଁ ! ଭୋର ପାହାନ୍ତିଆରୁ ହାର୍ମୋନିଆଁ ପେଁ ପେଁ । ଏଃ ! ଆପତ୍ତି ବି କରିପାରିଲେ ନାହିଁ କେହି ହେ !’’

 

କିନ୍ତୁ ମଝି ବଖରା ଭଡ଼ାଟିଆର ଭଉଣୀର ଆତ୍ମବିଶ୍ୱାସ ଥାଏ ଯେ’ ସେ ସୁଗାୟିକା, ସେ କବାଟ କିଳି ନାନା ଭଙ୍ଗୀରେ ଆକାର ସାଧି ସାଧି ଗଳା ଲମ୍ବେଇଦେଇ ଢେଉମାନଙ୍କ ସଙ୍ଗରେ ପ୍ରତିଯୋଗିତା ଆରମ୍ଭ କରିଦେଇଛି ଓ ଏ ଅଦ୍ଭୁତ ସଙ୍ଗୀତ ଉପଭୋଗ କରିବାକୁ ଛଳନା ଓ ତା’ ବୋଉ ଉଠି ପିଣ୍ଡା କରର ବାଡ଼କୁ ଧରି ଠିଆ ହୋଇଛନ୍ତି ଓ ଅନେକେ ତଳେ ଠିଆହୋଇ ଉପରକୁ ଅନାଇଛନ୍ତି ।

 

ତାକୁ ସେହିପରି ଲାଗୁଥାଏ, ଯେପରି ସକାଳେ ନିଦ ଭାଙ୍ଗିଲେ ତାକୁ ଲାଗେ, ଯଦି କେବେ ଆଖିରେ ପଡ଼େ, ଯେ ମଶାରି ଭିତରେ ଗୁଡ଼ାଏ ମଶା ପଶିଛନ୍ତି, ଆଉ ସେ ଅନୁମାନ କରେ ଯେ ରାତିଯାକ ସେମାନେ ତା’ର ରକ୍ତ ଶୋଷିଥିବେ, କିନ୍ତୁ ଯେମିତି ମଶାରି ଟେକାହୁଏ, ମଶା ପଳାନ୍ତି, ସେ ଦେଖେ ସୁନ୍ଦର ସକାଳ ।

 

ସୁନ୍ଦର ମୃଗବର୍ଣ୍ଣର ସକାଳ ଫିଟିଛି । ସେ ଦେଖିଲା, ତୁହାଇ ତୁହାଇ ହୋଇ ସମୁଦ୍ରର ଧଳା ହସ ଲାଗି ରହିଛି, ଢେଉମାନେ ଧାଇଁଛନ୍ତି, ଧଳା ବାଲିରେ ଅଙ୍କା ହୋଇଛି କୋମଳ କମନୀୟ ତୃପ୍ତି ଓ ଶାନ୍ତି ।

 

ମନେ ପଡ଼ିଗଲା,–ସେ ଶୁଣିଛି ଏଠି ସୂର୍ଯ୍ୟ ସମୁଦ୍ରପାଣି ଭିତରୁ କୁଦା ମାରିଲାପରି ଉଠେ । ଦେଖିପାରୁଛି କେତେଲୋକ ସମୁଦ୍ର କୂଳରେ ଟହଲିଲେଣି । ସେ ତରତର ହୋଇ ପ୍ରସ୍ତୁତ ହେଲା । କହିଲା, ‘‘ଚାଲ ବାହାରି ସମସ୍ତେ, ଏଣେ ଚାହା ମିଳୁ କି ନ ମିଳୁ ତେଣେ ସୂର୍ଯ୍ୟୋଦୟ ଦେଖିବାଟା ମାଟି ହେବ ।

 

ତଳକୁ ଓହ୍ଲାଇଗଲା ମାତ୍ରେ ଚାରିଆଡ଼ୁ ‘ଚାହା, ଚାହା’ ରବ ସେ ଶୁଣିଲା । ଚାହା ବି ପ୍ରସ୍ତୁତ । କିଏ ଠିଆ ଠିଆ, କିଏ ବସି ବସି ଚାହା ପିଆଲା ଫନ୍ଦରେ ବାରମ୍ବାର ମୁହଁ ଲଗାଇ ଶୋଷୁଛନ୍ତି, ନଇଁ ପଡ଼ିଥିବା ଉଠୁଥିବା ମୁହଁରେ ଚଷମା ଜିକିଜିକି ଦିଶୁଛି, ସେ ମୁହଁକୁ ଧୂପପରି ଉଠୁଛି ଗରମ ପାଣିର ବାମ୍ଫ, ବିଡ଼ି ସିଗାରେଟ୍‍ର ଧୂଆଁ । ଏ ଯେପରି କି ଗୋଟିଏ ଆନୁଷ୍ଠାନିକ କ୍ରିୟା, ଏଥିରେ ସବୁ ସଙ୍କେତମୟ । ତାକୁ ଲାଗିଲା, ଏ ତା’ର ପୁରୁଣା, ଅବସ୍ଥିତିର ସ୍ମାରକ । ସେହି ଚାହା ଶବ୍ଦ ଶୁଣି, ଧଳା ପିଆଲାରେ ବଢ଼ିପାଣି ପରି ଗୋଳିଆ ଦିଶୁଥିବା ଚାହାପାଣିକୁ ଦେଖି, ପିଆଲା ଓ ଥାଳିଆ ଠକ ଠକ ବାଜି ଯେଉଁ ଧୀର ଟ୍ଳଂଗ ଶବ୍ଦ ଶୁଭୁଥିଲା ତାକୁ ଶୁଣି ସେ ପୁଣି ଯେପରିକି ପୁରୀରୁ ଲେଉଟିଗଲା ତା’ର ପୁରୁଣା ସ୍ଥାନକୁ, ସେହି ପ୍ରକାଣ୍ଡ ସହର, ସେଠି ତା’ର ରହିବା ବସାଘର, ତା’ର ଅଫିସ ଆଉ ଅଫିସକୁ ଯିବା ଅଫିସରୁ ଫେରିବା ବାଟ, ସେଠାରେ ଦୃଶ୍ୟ-

 

ଖାଲି ସେହି ପୁରୁଣା ଦୃଶ୍ୟ ମନେ ପଡ଼ିଲା ଏତିକି ନୁହେଁ, ସେହି ପୁରୁଣା ପରିବେଷ୍ଟନୀରେ ଥିଲାବେଳେ ସେଠା ଦୃଶ୍ୟକୁ ଟପିଯାଇ ସେ ଯେପରି କେଉଁ ଭାବନା କି ରୂପକୁ ମନରେ ସ୍ଥାନ ଦିଏ, ତହିଁରୁ ବି କିଛି କିଛି ଏଠି ଯେପରିକି ତା’ର ମନେ ପଡ଼ିଗଲା ସେହି ଚାହା ଶବ୍ଦରେ ।

 

ସାମ୍ନାରେ ଚାହା ପାତ୍ର–ତା ପାଇଁ ନ ହେଉ, ଅନ୍ୟମାନଙ୍କ ପାଇଁ । ସେ ପୁରୀରେ ଥାଇ ବଡ଼ ସହରକୁ ଫେରି ଯାଇଛି, ବଡ଼ ସହରରେ ବସି ଅନ୍ୟ ଦୃଶ୍ୟକୁ ଆଖିରେ ଦେଖୁଛି । ଏମିତି ତାର ହୁଏ । ଅଫିସରେ ବସି କାଗଜ ଉପରେ କଳପରି ରାମ୍ପିଗଲାବେଳେ କେତେବେଳେ ସେ ଟିକିଏ ଅଟକି ରହେ । ଅଫିସ୍‍ଘର ପିଣ୍ଡାରେ କୁଣ୍ଡରେ ପଶି ଦିଦିହାତ ଉଚ୍ଚ ତାଳଜାତୀୟ ଗଛ ସଜା ହୋଇ ଥୁଆ ହୋଇଛି, ଦେଖୁ ଦେଖୁ କେତେବେଳେ ସେ ଅନ୍ୟମନସ୍କ ହୋଇପଡ଼େ, ଆଖି ଆଗରେ ଭାସିଉଠେ ଗାଁ ଛେଦର ତାଳବଣ । ଗାଁ ମନେପଡ଼େ, ପାସୋରି ଆସୁଥିବା ଗାଁ । ମନ ହାଇଁପାଇଁ ହୁଏ । ଜାଣି ଜାଣି ସେ ଗାଁକୁ ଛାଡ଼ି ନାହିଁ । ଅବସ୍ଥାଚକ୍ରରେ ସେ ଛାଡ଼ି ହୋଇଯାଇଛି । ମନ ଖୋଜିଛି ଯେ ତା’ ଗାଁରେ ଦୁଃଖସୁଖରେ ପଡ଼ିଥାନ୍ତା, ସେଠି ତା’ର ନିଜର ବୋଲି ଘର ଥାଆନ୍ତା, ପୋଖରୀ, ତୋଟା, ମଶାଣି, ସବୁ ଥାଆନ୍ତା । ଆଉ ଥାଆନ୍ତା ବିସ୍ତୃତି । ବଡ଼ ସହର ପରି ଠେଲାଠେଲି ଜକାଜକି ନୁହେଁ, ଖୋଲା ଫରଚା ।

 

ସେତେବେଳେ ବଡ଼ ସହରରେ ଅଫିସ ଘରେ ବସି ରହି ସେ ମନେମନେ ଦେଖେ ଗାଁର ଆକାଶକୁ, ଝରକା ଖୋଲିଦେଲେ ସେ ଦିଶେ, ଚାଳର କଣାବାଟେ ଦିଶେ, ବଡ଼ ସହରରେ ଆକାଶ ଦେଖିବାକୁ ହେଲେ ତୀଖ ପାହାଡ଼ ପରି ଦିଧାଉଡ଼ି କୋଠା ମଝିରେ ତାକୁ ବେକଭାଙ୍ଗି ଉପରକୁ ଅନାଇବାକୁ ପଡ଼େ । ସେମିତି ସେଠି ବସି ରହି ଗଁ ପବନର ସଜ ବାସ୍ନା ସେ ହେତୁ କରେ-

 

ଆଉ କେତେବେଳେ, ଯଦି ସଅଳ ସଅଳ ଅଫିସରୁ ଫେରିପାରେ ଆଉ ଚାଇଁଖରା ମଉଳି ନ ପଡ଼ୁଣୁ ସହର ମଝିରେ ଥିବା କେଉଁ ପାର୍କରେ କି କେଉଁ ଖେଳ ପଡ଼ିଆରେ ସେ ଯାଇ ପହଞ୍ଚିପାରେ, ଯେଉଁଠି ସାନ ପିଲାମାନେ ଚହଳ ପକାଇ ଖେଳ ଖେଳୁଥାନ୍ତି, ତେବେ ପକେଟରୁ ବିଡ଼ି ଖଣ୍ଡେ କାଢ଼ି ଦମେ ଟାଣିନେଲେ ତା’ ମନ ଏପରି ଗୋଟିଏ ଅବସ୍ଥାରେ ପହଞ୍ଚିଯାଏ, ଯେଉଁଠି ତାର ଚାକିରିର ବନ୍ଧନ ନାହିଁ, ବେକରେ ପଘା ନାହିଁ, କାଲି କ’ଣ ହେବ କେମିତି ଚଳିବ ଏ ଚିନ୍ତା ନାହିଁ, ଝିଅପାଇଁ କେଉଁଠି ବରଘର ଠିକଣା ହେବ ସେ ଚିନ୍ତା ନାହିଁ । ଖେଳକୁ, ଘାସକୁ, ଆକାଶରେ ବର୍ଣ୍ଣ ପରିବର୍ତ୍ତନକୁ, କେବେ ନ ଦେଖିବା ଦୃଶ୍ୟକୁ ଅନୁଭବ କରେ–ଚାହା ଡାକରେ ସେହି ହଜିଲା ଧାରଣାର ଅସ୍ପଷ୍ଟ ଛବି ଅସ୍ପଷ୍ଟ ଗୁଣୁଗୁଣୁ ଲେଉଟି ଆସିଛି ।

 

ତା ପରିସ୍ଥିତିରେ ତା’ ସମୟରେ ଜଡ଼ତାର ବନ୍ଧନରୁ ମୁକ୍ତି ପାଇବା ପାଇଁ ଚା’ ଚା’ ଡାକ ସତେ ଯେପରି କି ତନ୍ତ୍ରସାଧନାର ବୀଜମନ୍ତ୍ର । ସେ ବି ନିଜ ଅଜାଣତରେ କହି ସାରିଥିଲା––

 

‘‘ଚା–ଚା–’’

Unknown

 

ତାପରେ ତା’ ପାଇଁ ଚା’ ଆସିଲା, ସେ ଚା’ ତାଟିଆରେ ମୁହଁ ଲଗାଇଲା, ପାଟି ଓ ଓଠ ଉପରେ ମଧୁର ଚିଆଁ, ଅତି ଚିହ୍ନା ପ୍ରବାହ । ଏହା ଉତ୍ତାରୁ କ’ଣ ତା’ ଭିତରକୁ ଆସିବ ତା’ ତଣ୍ଟି ଜାଣେ, ତା’ର ଅନ୍ତ ଜାଣେ, ତା’ର ଅନ୍ତର ବି ଜାଣେ । ତା’ର ଚେତନା ଉପରେ ଏତେ ପ୍ରଭାବ ପକାଇବାକୁ କି ମନରେ ସ୍ୱପ୍ନ ଭସାଇବାକୁ ସେ ଚାହାପାଣିର ନିଜର ଶକ୍ତି ନାହିଁ, କିନ୍ତୁ କୌଣସି ଗୋଟିଏ ମାନସିକ ଆବସ୍ଥାକୁ ଏହି ଚାହାପିଆ ବେଳ ସଙ୍ଗରେ ଛନ୍ଦି ରଖିବାକୁ ତା’ ମନର ଶକ୍ତି ଅଛି-

 

ସକାଳେ ଚାହାରେ ମୁହଁ ଲଗାଇ ସେ ଅନୁଭବ କଲା, ତା’ର ସେହିପରି ଗୋଟିଏ ମାନସିକ ଅବସ୍ଥା ସେତେବେଳେ ଆସିଯାଇଛି, ମନଟା ଉଲୁସି ଉଲୁସି ଫୁଲି ଫୁଲି ଉଠୁଛି, ଉଦାର ଲାଗୁଛି, ସବୁଆଡ଼େ ତା’ର ଶାନ୍ତି । ଇଚ୍ଛା ହେଉଛି, ଶ୍ରୋତା ଥାଆନ୍ତେ କି ସେ ଉତୁରି ପଡ଼ନ୍ତା, କିଛି ନ ହେଲେ ସେ ଖାଲି ଉପଦେଶ ଦିଅନ୍ତା । କିନ୍ତୁ ସେପରି କେହି ଚିହ୍ନାଲୋକ ଦିଶୁନାହିଁ । ବିମାନବାବୁ ମନେ ପଡ଼ିଲେ, ଲାଗିଲା, କେଡ଼େ ମେଳାପୀ ଲୋକ ସେ, କେଡ଼େ ଉଦାର । କିନ୍ତୁ ସେ ଏଠି ନାହାନ୍ତି । ମନ ଦବି ଯାଉ ଯାଉ ସେ ପୁଣି ମନେ ପକାଇଲା, ଆଜି ଦିନଟିକୁ ପୂର୍ଣ୍ଣମାତ୍ରାରେ ଉପଭୋଗ କରିବାକୁ ପଡ଼ିବ, ସେଇଥିପାଇଁ ତ ସେ ଆସିଛି । ଉଦ୍ଦେଶ୍ୟ ମନେପଡ଼ିଲା ମାତ୍ରେ ଖର୍ଚ୍ଚ ଓ ଲାଭର ହିସାବ ଭାବିହେଲା, ଲାଗିଲା ଯେ ପଇସା ଖାଲି ପଇସା ନୁହେଁ, ଶ୍ରମର ଫଳ, ଦେହର ରକ୍ତପରି । ତା’ପରେ ମୁହଁଟେକି ସେ ସମୁଦ୍ର ବାଲିକୁ ଅନାଇଲା, ସେହି ଯେଉଁ ଲମ୍ବିଯାଇଛି ସମୁଦ୍ର କୂଳେ କୂଳେ ଆଉ ତା’ର ଲାଭ ଲୋକସାନର ହିସାବ କଷା ଯେପରିକି ଚାହୁଁଚାହୁଁ ଉଭେଇଗଲା । ଆଖିରେ କୁତୂହଳ ଫୁଟି ଉଠିଲା, କଳ୍ପନା ତେଜିଲା । ଭାବିଲା, ଏଠି ଏପରି କିଛି ସେ ପାଇବ, ଯାହା ସେ ଏପର୍ଯ୍ୟନ୍ତ ଭାବି ପାରିନାହିଁ । ସତେକି ଏଇଠି କେଉଁଠି ଛପି ରହିଛି ତା’ର ନୂଆ ଜୀବନର ମଞ୍ଜି, ସେ ଆନନ୍ଦମୟ, ସେ ପରଶମଣି, ସେ ତାକୁ ନୂଆ କରିଦେବ । ସମୁଦ୍ରରୁ ପୁଣି ସମୁଦ୍ର ବାଲିରୁ ଛପିଛପି ଉଠି ଆସୁଛି ଗୋଟିଏ ସଙ୍କେତ । ତାକୁ ଚଞ୍ଚଳ ଯିବାକୁହିଁ ହେବ । ଏତେ ଲୋକ ଯେ ବୁଲୁଛନ୍ତି, ସେମାନେ ସେହି ଏକ ପ୍ରକାର ଅସ୍ଥିରତାରେ ଘାରି ଦେଉଛନ୍ତି । ସେ ବି ବୁଲିବ ।

 

‘‘ଆସ, ଧଅସି ବାହାର ସମସ୍ତେ, ସୂର୍ଯ୍ୟ ଉଇଁଯିବ ଯେ ।’’ ମା ଝିଅ ତା’ ପଛେ ପଛେ ଗଲେ ।

 

ସୂର୍ଯ୍ୟ ଉଇଁନାହିଁ । ସମୁଦ୍ର ଉପରୁ ଅନ୍ଧାରର ଢାଙ୍କୁଣି ଉଠି ଯାଇଛି, ଚିରନୂତନ ସମୁଦ୍ର ଢେଉ ଗଡ଼ାଉଛି । ଧୀରେ ଚାଲିଛି ପବନ । ପୂର୍ବ ଦିଗରେ ଝାଉଁବଣ ମୁଣ୍ଡ ଉପରେ ସିନ୍ଦୂର ଲାଗିଲାଣି । ସମୁଦ୍ରରେ ନାନାବର୍ଣ୍ଣ । ଅଛି ଅଛି ଦୂରର ନେଳି ମଝିରେ ଅନହୁତି ଧଳା ଢେଉ ମୁଣ୍ଡ ଟେକୁଛି । କୂଳ ପାଖରେ ଚାରିଧାଡ଼ି ହୋଇ ଧଳା ଲହଡ଼ି, ପଛକୁପଛ ହୋଇ ମାଡ଼ି ଆସୁଛି ।

 

ସୂର୍ଯ୍ୟ ଉଇଁବ ପରା ଏଥର !

 

ସମସ୍ତେ ପୂର୍ବଦିଗକୁ ଅନାଇଁ ରହିଛନ୍ତି, ସେହି ଯେଉଁଠି ସମୁଦ୍ର ଓ ସ୍ଥଳଭାଗ ଏକାଠି ମିଶିଛି ।

 

କିନ୍ତୁ ସେମାନଙ୍କ ଆଶା ଓ ପ୍ରତୀକ୍ଷାକୁ ଆସ୍ତେ ଏଡ଼ିଦେଇ ସ୍ଥଳଭାଗରେ ଝାଉଁବଣ ଉପରେ ହିଁ ସୂର୍ଯ୍ୟ ଉଦୟ ହେଲା, ସମୁଦ୍ରରେ ନୁହେଁ । ସୂର୍ଯ୍ୟର ଉତ୍ତରାୟଣ ହୋଇଛି, ଉତ୍ତରଆଡ଼କୁ ଝାଙ୍କି ହେଉ ହେଉ ସୂର୍ଯ୍ୟୋଦୟର ସ୍ଥାନ ସ୍ଥଳଭାଗର ବହୁତ ଭିତରକୁ ହୋଇ ଗଲାଣି ।

 

ହସି ହେଇ ତରୁଣ ରାୟ ତା’ର ସ୍ତ୍ରୀଙ୍କୁ କହିଲା, ‘‘ଦେଖ, ଏତ ସେହି ବୁଢ଼ା, ସୂର୍ଯ୍ୟ, ନୂଆ ଆଉ କ’ଣ ?’’ କାନ୍ତିମୟୀ ଏକମତ ହେଲେ ନାହିଁ । କହିଲେ, ‘‘ନୂଆ ନୁହେଁ ! ଏଠି ସବୁ ନୂଆ ! ଏଠି ସୂର୍ଯ୍ୟ କେଡ଼େ ସୁନ୍ଦର ! ଆକାଶ କେଡ଼େ ସୁନ୍ଦର ! ଝାଉଁବଣ, ସମୁଦ୍ରକୂଳରେ ବାଲି, ସମୁଦ୍ର, ସବୁ କି ସୁନ୍ଦର ! ମନ ହେଉଛି, ଏଇଠି ଆମେ ସବୁଦିନେ ରହିଥାନ୍ତେ କି ।’’

 

ଝିଅ କହିଲା, ‘‘ସତେ ବାପା, କେଡ଼େ ଚମତ୍କାର ଲାଗୁଛି ! ଆରେ ! ହେଇ ଦେଖିଲଣି, କେତେ ଚିଲ ! ଏଠି ତ ଚିଲ ମିଟିଙ୍ଗ୍‍ ବସିଛି ! ବାପରେ !’’

 

ଚାଲୁ ଚାଲୁ ସେମାନେ ସେ ନୂଆ ଦୃଶ୍ୟ ଭିତରେ ଆସି ପହଞ୍ଚି ଯାଇଥିଲେ । ବାଲି ଉପରେ ବଡ଼ ଅରାଏ ଜାଗା ମାଡ଼ିବସି ଶୁଖୁଆ ଶୁଖୁଛି । ବର୍ଷାଦିନେ ଝରିପୋକ ଉଡ଼ିଲା ପରି ତଳୁ ଉପରଯାକେ ନାନା ପତ୍ତନରେ ଲଗାଲଗି ହେଲା ପରି ଚିଲ ଉଡ଼ୁଛନ୍ତି । ଏଠି ସେଠି ସାନ ସାନ କୁଡ଼ିଆ । ଠେଙ୍ଗାଧରି ଜଗୁଆଳି ବସି ଚିଲ ହୁରୁଡ଼ୋଉଛନ୍ତି । ଲୁଣି ବାଲିରେ ଶୁଖୁଆ ଗନ୍ଧ କମି ଯାଇଛି । ସେହିତକ ବାଲି ପାରିହେବାକୁ ଶୁଖୁଆ ପଡ଼ିଆ ଭିତରେ ପଶିଗଲାବେଳକୁ କାନ ପାଖେ ମୁଣ୍ଡ ପାଖେ ଚାରିପାଖେ ଠିକ୍‍ ହାତପାଆନ୍ତି ସେ କରେ ସାଇଁ ସାଇଁ ହୋଇ ଶଙ୍ଖଚିଲ ଉଡ଼ିଲେ, ଲାଗୁଥାଏ ଯେପରି କି ସେମାନେ ତାଙ୍କୁ ଆକ୍ରମଣ କରିବେ । ସତେ କି ସେମାନେ ଚିଲ ହିଁ ନୁହନ୍ତି, ଧଳା କାମିଜ, ମାଟିଆ ପ୍ୟାଣ୍ଟ, ଧଳାଟୋପି, ତୀକ୍ଷ୍‍ଣ ନାକ ଆଉ ଦୃଷ୍ଟି । ହଠାତ୍‍ ଯେପରି କି ଚିହ୍ନା ପୃଥିବୀ ବଦଳି ଯାଇଛି, ସେଠି ସମୁଦ୍ର, ବାଲି, ଆଉ ଏହି ଜନ୍ତୁ, ମଣିଷ ସେଠି ଅବାଞ୍ଛିତ । ଆଗ ବିସ୍ମୟ ଘୋଟିଲା, ତା’ ଉତ୍ତାରୁ ଭୟ, ତା’ ଉତ୍ତାରୁ ଆତଙ୍କ । ଛଳନା ପାଟି କରି କରି ଦୌଡ଼ିଲା, ‘‘ବାପା ଏ କାମୁଡ଼ିବେ !’’

 

‘‘ଆରେ ବାପରେ !’’ ଧାଇଁଲେ କାନ୍ତିମୟୀ ।

 

ଆରେ ! ଆରେ ! ଦୌଡ଼ ନାହିଁ । ଦୌଡ଼ ନାହିଁ ! କହୁ କହୁ ତରୁଣ ରାୟ ବି ଦଉଡ଼ିଲା । ଭାବିଲା, ‘‘କିଏ କହିପାରିବ ? କାଳେ ଯଦି ସତକୁସତ ହାଣିବେ !’’ ଚିଲଙ୍କ ଦୁନିଆଁ ସରୁ ନାହିଁ, ସବୁଠି ସେମାନେ ।

 

ସେହି ଏକା ପ୍ରକାରର କିଳିକିଳା ବୋବାଳି, ସେହି ଏକା ପ୍ରକାର କାଚ ଆଖି, ଦଢ଼ୁଆ ଥଣ୍ଟ, ଆଉ ସେହି ଭଙ୍ଗୀ, ଯେଉଁ ଭଙ୍ଗୀରେ ସେ ସାଇଁ କରି ତଳକୁ ଚିଲାମାରେ । ପ୍ରାଣ ଭିତରେ ଭୟ ପୂରିଥାଏ ।

 

ଖଣ୍ଡେ ବାଟ ଦଉଡ଼ିଯାଇ ଦେହ ହାଲୁକା ଲାଗିଲା । ଏଥର ଦେଖାଗଲା ଯେ, ପଲପଲ ହୋଇ ଲୋକେ ସମୁଦ୍ରକୂଳରେ ଆତଯାତ ହେଉଛନ୍ତି, ଚିଲ ଥିବା ଅଞ୍ଚଳରେ ବି ନିର୍ଭୟରେ ବୁଲି ପାରୁଛନ୍ତି । ଛଳନା ହସୁଛି, ଯେପରି କି ନିଜର ଭୟକୁ ସେ ନିଜେ ଉପହାସ କରୁଛି । କହିଲା, ‘‘ଯାହା ହେଉ, ଆମ ସମସ୍ତିଙ୍କର ଟିକିଏ ପରିଶ୍ରମ ହୋଇଗଲା ।’’

 

ତରୁଣ ରାୟ କହିଲା, ‘‘ଆମେ ଯଦି ସବୁଦିନେ ଏମିତି ଟିକିଏ ଟିକିଏ ପରିଶ୍ରମ କରି ପାରନ୍ତେ, ତେବେ ଆଉ ଦେହ ଅସୁସ୍ଥ ହୁଅନ୍ତା ନାହିଁ ।

 

ଏତେବେଳଯାଏ ସେ ସକାଳର ନିଶାରେ ହିଁ ଓଟାରି ହୋଇ ଚାଲିଥିଲା । ସୁସ୍ଥ ଅସୁସ୍ଥ କଥା ପକାଇବାରୁ ରାତିର ଅଭିଜ୍ଞତା ମନେ ପଡ଼ିଗଲା ।

 

ଏଣେ ଛଳନା ବାରମ୍ବାର ସମୁଦ୍ର ପାଣିକୁ ଧାଇଁ ଗୋଡ଼ାଉଛି । ପାଣି ମାଡ଼ିଆସିଲାବେଳେ ସେ ପାଣିରେ ପାଦ ବୁଡ଼ାଇ ବୁଡ଼ାଇ ଧୀରେ ଧୀରେ ପଛକୁ ହଟିଆସେ, ପାଣି ଲେଉଟି ଗଲାବେଳେ ସେ ତା’ ପଛେ ପଛେ ଗୋଡ଼ାଇ ଯାଏ । ଏମିତି ଅନେକେ ଖେଳୁଛନ୍ତି । ଠାଏ ଠିଆ ହୋଇ ଗମ୍ଭୀର ହୋଇ ତରୁଣ ରାୟ ଏ ଖେଳକୁ ଲକ୍ଷ୍ୟ କରି କରି ଫାନ୍ଦି ଫାନ୍ଦି କହିଲାପରି ତା’ ସ୍ତ୍ରୀଙ୍କୁ କହିଲା, ‘‘ଦେଖ ଏ ଖେଳକୁ । ଏହି ବୁଦ୍ଧିହିଁ ମଣିଷକୁ ରକ୍ଷାକରେ, ବର୍ଷା ଦେଖି ଛତା ଦେଖାଇବ, ଅବସ୍ଥା ଦେଖି ବ୍ୟବସ୍ଥା କରିବ । ଲୋକେ କହିବେ ଏଥିରେ ପୌରୁଷ ଫୁଟେ ନାହିଁ, ଏଥିରେ ଗୌରବ ନାହିଁ । କିନ୍ତୁ ଏ ଦୁନିଆରେ ଏହିତ ଆତ୍ମରକ୍ଷା ଲାଗି ଉପାୟ, ନ ହେଲେ ଆଉ ଅଛି କ’ଣ ?

 

ଦେଖୁଛଟି ଏ ସମୁଦ୍ରକୁ, ଜାଣିଛ କେତେ ଲୋକ ଏଠି ହୁଣ୍ଡାମି କରି ପ୍ରାଣ ଦେଇଛନ୍ତି ? ସମୁଦ୍ର କାହାରି ନୁହେଁଟି ! ମନେ ପଡ଼ୁଛି, ଆମେ ଆଗେ ଯେଉଁଠି ଥିଲୁ, ଆମ ବସା ଆରପାଖେ ଜିତେନ୍ଦ୍ର ବାବୁଙ୍କ ବସା ? ତାଙ୍କର ଗୋଟାଏ ଝରକା ସବୁବେଳେ ବନ୍ଦ ହୋଇ ରହିଥାଏ, ସେ ଘରଟାହିଁ ବନ୍ଦ ଥାଏ । ସେ ଘରେ ହୁଙ୍କା ହେଲା, ପାଣି ନଳାବାଟେ ନେହୁଳ ଯା'ଆସ କରି ଛୁଆ କଲେ, ତଥାପି ଜିତେନ୍ଦ୍ରବାବୁ ସେ ବଖରାର କବାଟ ଫିଟେଇଲେ ନାହିଁ । କାହିଁକି ? ଜାଣିଚଟି ?"

 

ଦୀର୍ଘଶ୍ଵାସ ପକାଇ କାନ୍ତିମୟୀ ସମୁଦ୍ରଆଡ଼କୁ ଅନାଇ ରହିଲେ, ଲାଗିଲା, ଏ କାଳ୍ପନିକ ନୁହେଁ, ଅତି ବାସ୍ତବ । ଜିତେନ୍ଦ୍ରବାବୁଙ୍କ କଥାଟି ମନେ ପଡ଼ିଗଲା ମାତ୍ରେ ସେ ଆପେ ତାଙ୍କ ଝିଅକୁ ପାଟିକରି ଡାକି ସତର୍କ କରାଇଦେଲେ,–

 

"ହେଇ ଅନା, ହୁସିଆରି ଝିଅ, ପାଣିକି ଏତେଥର ଯା ନାଇଁ ।"

 

ସ୍ୱାମୀଙ୍କି କହିଲେ "ଜାଣିଛି । ଜିତେନ୍ଦ୍ରବାବୁଙ୍କ ସାନଭାଇ ମ୍ୟାଟ୍ରିକ ପରୀକ୍ଷା ଦେଇସାରି ବୁଲିବାପାଇଁ ପୁରୀ ଆସିଥିଲା । ସମୁଦ୍ରରେ ଗାଧେଇବାକୁ ଆସିଲା । ଏଇଠି–"

 

ତରୁଣ ରାୟ କହିଲା–"ତାକୁ ୟେ ସମୁଦ୍ର ଓଟାରି ନେଇଗଲା । ପଛେ ପରୀକ୍ଷା ଫଳ ବାହାରିଲା, ସେ ବୃତ୍ତି ପାଇଥାଏ ।"

 

“ସେ ତ ଆଉ ନ ଥିଲା !" କାନ୍ତିମୟୀ କହିଲେ ।

 

"ସେହିଦିନୁ ଜିତେନ୍ଦ୍ରବାବୁ ଆଉ ତା’ ପଢ଼ା ବଖୁରିଟି ଫିଟେଇ ନାହାନ୍ତି । ତା’ର ଲୁଗାପଟା ବହିପତ୍ର ସବୁ ଏକାଠି ମିଶି ଉଇହୁଙ୍କା ହେଲା । ଆଉ ଏଇ ସେ ସମୁଦ୍ର, ସେଇ ହତ୍ୟାକାରୀ !" ତରୁଣ ରାୟ କହିଲା ।

 

କାନ୍ତିମୟୀ ତା’ ପାଖରେ ହିଁ ଠିଆହୋଇ ଏକାଠି ତାହାରି ସଙ୍ଗରେ ମିଶି ଏକା ଧାରଣା ଏକା ଭାବନା ଭିତରେ ସମୁଦ୍ରକୁ ଦେଖୁଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥାଏ ଯେ ମନର ଉଚ୍ଛ୍ୱସିତ ଅବସ୍ଥାରେ ଦୁହିଁଙ୍କର ଚିନ୍ତା ଏକା ତାଳରେହିଁ ଚାଲିଥାଏ କିପରି । ଦୁହେଁ ମିଶି ଗୋଟିଏ ବିଭୀଷିକାକୁ ଗଢ଼ିଥିଲେ, ତା’ପରେ ଦୁହେଁ ତାକୁ ଗଡ଼େଇ ତଡ଼େଇ ଦେଖୁଥିଲେ ।

 

କିନ୍ତୁ ସମୁଦ୍ର ତା’ର ସୌନ୍ଦର୍ଯ୍ୟରେ ସେ ଭୟ ଉଡ଼େଇନେଲା । ସମୁଦ୍ର ସୁବୋଧ ଦିଶୁଛି, ଯେପରିକି ମଣିଷର ଖେଳସାଥୀ । ନେଳି ଶାଗୁଆ ପାଣି ଉପରେ ଖରା ପଡ଼ିଛି, ନାନାପ୍ରକାର ରଙ୍ଗ ହୋଇଛି, ଏତେ ରଙ୍ଗ ଏତେ ବେଶ ହୋଇଛି ମଣିଷ ସଙ୍ଗରେ ଖେଳିବ ବୋଲି ।

 

ମଣିଷ ବି ବହୁସଂଖ୍ୟାରେ ଆସି ପହଞ୍ଚିଲେଣି । ସମୁଦ୍ରରେ ଗାଧୁଆ ଭିଡ଼ ଆରମ୍ଭ ହୋଇଗଲାଣି । ମୁଣ୍ଡରେ ଦେଉଳପରି ଗୋଜିଆ ଗୋଜିଆ ତାଳପତ୍ର ଟୋପି ନାଇ କୌପୁନି ପିନ୍ଧି କଳା ମିଚିମିଚି ଡଉଲ ଡାଉଲ ନୋଳିଆ ଯୁବକମାନେ ଲୋକଙ୍କୁ ଗାଧୋଇବାକୁ ସାହାଯ୍ୟ କରିବେ ବୋଲି ଆସି ପହଞ୍ଚିଗଲେଣି, ମୂଲ ଗୋଟିଏ କୁଟୁମ୍ବ ଲାଗି ଅଠଅଣା ।

 

ଯୁବତୀମାନେ ହିଁ ସମୁଦ୍ରରେ ଗାଧେଇବାପାଇଁ ବେଶି ବ୍ୟଗ୍ର । ସମୁଦ୍ର ଲହଡ଼ିର ଅଦ୍ଭୁତ ସ୍ପର୍ଶ, ବିପଦ ଭିତରକୁ ପଶିଯାଇ ପୁଣି ବିପଦରୁ ଉଦ୍ଧାର ପାଇବାର ଚମକ ଓ ଆତ୍ମତୁଷ୍ଟି ଯେପରି କି ସେମାଙ୍କର ପାଇଁ ପ୍ରଧାନ ଆକର୍ଷଣ ।

 

ଟାଣକରି ନେଳିଆ ହାତକୁ ମୁଠାଇ ଧରି ବଳାଗଣ୍ଠିଏ ପାଣିରେ ଠିଆହୋଇ କେହି କେହି ହୁସିଆର ଝିଅ ଫୁକୁରୁ ଫୁକୁରୁ ହୋଇ କୁଦା ମାରୁଛନ୍ତି । କିଏ ବା ବେଶି ପାଣିକୁ ଗଲାଣି, ଲହଡ଼ି ଅସିଲାକ୍ଷଣି ପ୍ରାଣ ବିକଳରେ ହେହର ସବୁଯାକ ଯାବୁଡ଼ି ଧରିଛି, ଲହଡ଼ି ଚାଲିଗଲା ପରେ ବୀରପଣ ଦେଖାଇ କୁଦାମାରୁଛି । କିନ୍ତୁ ଦୁରବସ୍ଥା ହୁଏ ପିନ୍ଧା ଲୁଗା ଘେନି । କାହାର ମୋଟା ରଙ୍ଗଣୀ ଶାଢ଼ି, କଛା, ମାରିଥାଏ, ଟାଣକରି ଲୁଗାକୁ ଦେହରେ ଗୁରେଇଥାଏ । କିଏ ପିନ୍ଧିଥାଏ ପରସ୍ତ ପରସ୍ତ ହୋଇ ଘାଗରା କି ପାଇଜାମା, ତା’ ଉପରେ ମୋଟା କୁରୁତା କି ଫତୁଆ, ସେମାନଙ୍କର ଅସୁବିଧା ହୁଏନାହିଁ । କିନ୍ତୁ ଆହୁରି ଥାଆନ୍ତି ଅନ୍ୟମାନେ, ଦେହରେ ଜାଲପରି ସୂକ୍ଷ୍ମ ଶାଢ଼ି, ଭିତରେ ମଶାରି କନାପରି ସୂକ୍ଷ୍ମ କନାରେ ପୋଷାକ, ଦେହ ଚାରିକରେ ହାଲୁକା କୁହୁଡ଼ି ଘୋରେଇ ହେଲାପରି, ସତେ କି ସମୁଦ୍ର ସେହିମାନଙ୍କ ପରିଚ୍ଛଦ ସହିତ ଦୁଷ୍ଟାମି କରିବାକୁ ମନ ବଳାଏ ।

 

ଗୋଟିକ ଉତ୍ତାରୁ ଆଉ ଗୋଟିକୁ ନେଇ ନୋଳିଆ ସମୁଦ୍ର ପାଣିରେ ପଶୁଥାଏ । ସେ ତା’ର ବୃତ୍ତି, ଯେଡ଼େ ଢେଉ ଆସୁ, ଯେତେ ପଛେ ଲାଗୁ ଝାଙ୍କ, ଟାଣ ଦେହ ତା’ର ନରମେ ନାହିଁ । ଡାକ୍ତର ଅପରେସନ କଲାପରି ଗୋଟିକ ଉତ୍ତାରୁ ଗୋଟିକର କାମସାରି ନେଇ କୂଳରେ ଛାଡ଼େ, କାହା ପିନ୍ଧାଲୁଗା ଯଦି ଫାଟି ଭାସିଯାଏ, ସେ ଗୋଟେଇଆଣି ଦେଇଯାଏ । ଆପଣା ବୃତ୍ତି ତୁଲାଇବାରେ ହିଁ ସେ ମନ ଢାଳିଦିଏ । ଗୋଟିଏ ପରିବାରକୁ ଗାଧେଇ ଆଣିଲେ ଆଠଣା, ଖୁସି ହେଲେ କିଏ ଆହୁରି ବି ଦେବ ।

 

କିନ୍ତୁ ଗାଧୋଇବା ଲୋକଙ୍କୁ କୂଳରେ ଥାଇ ଲକ୍ଷ୍ୟ କରୁଥାନ୍ତି ନ ଗାଧୋଇବା ଲୋକଗୁଡ଼ାଏ, ତରୁଣ ରାୟ ବିରକ୍ତିରେ ସେମାଙ୍କୁ ଅନାଇଦେଇ ପିଠିବୁଲାଇ ଚାଲିଗଲା, ବେଶଭୂଷାରୁ ଚେହେରାରୁ ହାବଭାବରୁ ସେ ବାରିପାରୁଛି, ଏମାନେ ବି ତାହାରି ପରି ଦୂର ଦୂର ମହାନଗରୀମାନଙ୍କ ଲୋକେ; କିନ୍ତୁ ଏମାନେ ସତେକି ଚିଲ ପଲପଲ ।

 

ଆଗରେ ଠାଏ ଦୁଇଜଣ ସାହେବ ଦୁଇଜଣ ମେମ୍‍ ଗାଧୋଉଛନ୍ତି । ବର୍ଷାତି କନାର ସୁନ୍ଦର ପୋଷାକ ସେମାନେ ପିନ୍ଧିଛନ୍ତି, ଦେହରେ ଚିପି ହୋଇଛି । ବାରମ୍ବାର ଢେଉ ଭାଙ୍ଗିଲେ ବି ବାରମ୍ବାର ହଂସ ଦେହ ପରି ତାଙ୍କ ପୋଷାକ ଶୁଖିଲା ଦିଶୁଛି । ପରିପୂର୍ଣ୍ଣ ସ୍ୱାସ୍ଥ୍ୟ ନାନା ଭଙ୍ଗୀରେ ଦେହ ଖେଳାଇ ଖେଳାଇ ସେମାନେ ଗାଧୋଉଛନ୍ତି । ବାଲିପନ୍ତାରେ ଠିଆହୋଇ ଚଷମାପିନ୍ଧା ଦରବୁଢ଼ା ଲୋକ ଜଣେ ସେହିଆଡ଼କୁ ମୁହଁ କରି ଦେଖୁଥାଏ । ତା’ର ପେଟ ବଢ଼ି ଟୁମୁକା ହୋଇଛି, ଗାଲ ଓହଳି ପଡ଼ିଛି, ତା’ର ହଳଦିଆ ଲମ୍ବା ଜାମା ଓ ବାଙ୍କୁଲି ମୋଟା ବେତ ଯେପରି କି ତା’ର ବୟସକୁ ଆହୁରି ବଢ଼ାଇ ଦେଖାଉଥାଏ ।

 

ଆଗରେ ଅଳ୍ପ ଦୂରରେ, ଅଧାବୟସୀ ହୋଇ ତିନୋଟି ମୋଟୀ ସ୍ତ୍ରୀ ଲୋକ ଓ ଦି’ ଜଣ ଯୁବତୀ ପାଣି ସରସର ବାଲିରେ ଗଡ଼ୁଛନ୍ତି, କୂଳପାଖରେ ପ୍ରଥମ ଢେଉ ସେମାନଙ୍କୁ ଗଡ଼େଇଦେଇ ଏଇ ମୁହୂର୍ତ୍ତକ ଆଗରୁ ଚାଲିଯାଇଛି, ତା’ପରେ ଲୁଗା ଠାଏ, ମଣିଷ ଠାଏ, ଏକାଥରକେ ଶୈଶବ । କୂଳରେ ତାଙ୍କ ଦଳର ପୁରୁଷମାନେ ଠିଆ ହୋଇଛନ୍ତି, ହସୁଛନ୍ତି, ଯେଉଁମାନେ ତାଙ୍କର କେହି ନୁହନ୍ତି, ସେପରି ଗୁଡ଼ାଏ ଲୋକ ବି ଠିଆହୋଇ ହସୁଛନ୍ତି, ସମସ୍ତେ ଏକାଠି, ମୋଟା ମୋଟା ପୋକପରି ପାଞ୍ଚଟା ମଣିଷ ଦେହ ପେଟେଇପଡ଼ି ଘୁଷୁରି ଘୁଷୁରି ଆଗକୁ ଆସୁଛନ୍ତି ।

 

ଏମାନେ ବି ଆନନ୍ଦ ଖୋଜିବା ପାଇଁ ଦୂରର ବଡ଼ ସହରରୁ ପୁରୀ ଆସିଥିଲେ ।

 

ଛଳନା କହିଲା,"କେଡ଼େ ଥାକୁଲୁ ଥାକୁଲୁ ଲୋ ମା ! ମୁଣ୍ଡଠୁଁ ଗୋଡ଼ଯାକେ ଖାଲି ମାଉଁସ ପିଣ୍ଡୁଳା ।"

 

କାନ୍ତିମୟୀ କହିଲେ, "ଲଜ୍ଜାନାଇଁ ସେ ମୁହଁକୁ ଯେ ହସୁଚନ୍ତି ପୁଣି ! ଛି ଛି ।"

 

ତରୁଣ ରାୟ କିଛି କହିଲା ନାହିଁ, ଖାଲି ହସିଦେଲା । କିନ୍ତୁ ମନେମନେ ସେ ତା ସ୍ତ୍ରୀ ଓ ଝିଅର ମନ୍ତବ୍ୟକୁ ସମାଲୋଚନା କଲା । ସେ ଭାବିଲା ସ୍ତ୍ରୀ ଲୋକ କେଡ଼େ ଚଞ୍ଚଳ ଅନ୍ୟ ସ୍ତ୍ରୀ ଲୋକର ଦୋଷ ବାଛେ ।

 

ପୁରୁଷଠିଁ ଦୋଷ ଦେଖିଲେ ପଛେ ସେ କ୍ଷମା କରିପାରେ, କିନ୍ତୁ ଆପଣା ଜାତିର ଆଉ କାହାରିଠି ଦୋଷତୃଟି ତା’ ଆଖିରେ ଯାଏ ନାହିଁ, ଦେଖିଲାମାତ୍ରେ ସେ ଭିଣିଭିଣା କରିବାକୁ ମନକରେ ।

 

ସେ ଭାବୁଥାଏ–ଅବସ୍ଥାଚକ୍ରରେ ଏହି ଯେଉଁ ପାଞ୍ଚୋଟି ମଣିଷ ହଠାତ୍‍ ଅଦ୍‍ଭୁତ ହୋଇଗଲେ–ତା ପଛରେ ରହିଲେଣି, କି ଦୋଷ କଲେ ସେମାନେ ? ଅନହୁତି ଢେଉମାଡ଼, ସମୁଦ୍ର ବ୍ରହ୍ମଚାପୁଡ଼ା, ସୁନ୍ଦର ସୁଠାମ ଦେହର ଏ ବିକୃତ କଦାକାର ବଢ଼ତି, ସବୁ ତା’ ମନକୁ ଘଟେ । ସେମାନେ କେବେ ପଣ କରି ଆସି ନ ଥିଲେ ଯେ ପ୍ରକାଶ୍ୟରେ ଏପରି ଶିଶୁ ଅବସ୍ଥାରେ ପହଞ୍ଚିବେ-। ଏ ପେଣ୍ଡୁମୟ ଅଚଳ ଦେହ ସେମାନେ ଲୋଡ଼ି ନ ଥିଲେ । ତା’ ସ୍ତ୍ରୀ କାନ୍ତିମୟୀଙ୍କୁ ଏହିପରି ଏ ବାଲିରେ ଗଡ଼େଇ ଦେଲେ ସେ ବି ସେମାନଙ୍କ ସଙ୍ଗେ ମିଶି ଯାଆନ୍ତେ, ସେମିତି ଦିଶନ୍ତେ-

 

ସେ ଦୀର୍ଘଶ୍ୱାସ ପକାଇ ସମୁଦ୍ରକୁ ଅନାଇଲା ଆଉ ଭାବିଲା । ଏଇ ଖେଳୁଛି ଚିରଯୌବନ, ସୁଠାମ, ଲୀଳାୟିତା, ସୁନ୍ଦର । ଆଉ ଏ ପାଖେ ମଣିଷର ଦେହ, କେଉଁଟା ଶୁଖି କ୍ଷୟ ପାଉଛି, କେଉଁଟା ଫୁଲି ଫୁଲି ନଷ୍ଟ ହେଉଛି । ଜଣେ ମରିଗଲେ ତା’ର କେଉଁ ରୂପକୁ ମଣିଷ ମନେରଖିବ ? ପିଲାବେଳର ଚେହେରାକୁ, କି ଯୌବନ ବେଳର ଚେହେରାକୁ କି ବୁଢ଼ା ରୂପକୁ ? ପୁଣି କେଉଁ ଦିନ ବାର କେଉଁ ତାରିଖର ମୂର୍ତ୍ତିକୁ ? କେଉଁ ରୂପଟା ତା’ର ମାର୍କା ହୋଇ ମନରେ ରହିବା ଉଚିତ ?

 

ନିଜେ ସେ ସରୁ ହୋଇଛି, କାନ୍ତିମୟୀ ମୋଟୀ ହୋଇଛନ୍ତି । ଉଭୟେ ଏକା ବିନାଶମୟ କ୍ରମର ହିଁ ଫଳ, ଅବସ୍ଥାକୁ ରୋକି ହୋଇ ନାହିଁ, ସେ ତା’ ସୁଖେ ଆଗେଇ ଚାଲିଛି ପାହୁଣ୍ଡ ହୋଇ । କାହାଦେହର କେଉଁ ବିଶିଷ୍ଟ ସ୍ଥାନରେ ମୋଟା ଲାଗିଯାଏ, କିଏ ପାଏ ପେଟରେ, କିଏ ବେକରେ, କିଏ ଆଉ କେଉଁଠି, ସମ ବିଷମ ହୋଇଯାଏ, ରୂପ ହୁଏ କୁରୂପ । କାନ୍ତିମୟୀ ଓ ତାଙ୍କରି ପରି ଅନ୍ୟମାନଙ୍କ ଦେହର ପରିବର୍ତ୍ତନ ସେ ଲକ୍ଷ୍ୟ କରିଛି, ଘଟଣା ଗୋଟେଇ ଶ୍ରେଣୀରେ ଖାପି ପାରିବ, ଦିଶି ଯାଉଛି ଜଳଜଳ ହୋଇ ତିରିଶି ବର୍ଷ ଡେଉଁ ଡେଉଁ ବେକଟା ମୋଟା ହୋଇ ସେ କି ଲୋପ ହୋଇଯାଏ; ଥୋମଣି ଆସି କାନ୍ଧ ଉପରେ ଭରା ଦିଏ, ଅଣ୍ଟାଟାର ଗୋଲେଇ ବଢ଼ିଯାଏ, କଟି ରହେ ନାହିଁ, ସମୁଦାୟ ଗଣ୍ଠିଟା ଶିଳପୁତା ପରି ଗୋଟାଳିଆ ହୋଇ ବଢ଼ିଉଠେ । ତା’ପରେ ଦେହର ସବୁଯାକ ଓଜନ ବସିବା ଅଂଶ ଉପରେ ଭରାଦେଇ ଦେଇ ତିଆରି ହୁଏ ଦୁଇଟା ସତେ କି ଓଳିଆ । ତା’ ଉତ୍ତାରୁ ଦେହ ଯୋଟାକଯାକ କୁହୁଡ଼ି ବାମ୍ଫପରି ଏଣେ ତେଣେ ହୋଇ ବଢ଼ିଉଠେ, ମେଞ୍ଚା ମେଞ୍ଚା ଚର୍ବିବୋଳା ମାଂସ ପିଣ୍ଡୁଳାଗୁଡ଼ାଏ, ବଳ ନ ଥାଏ, ଓଜନ ଥାଏ, ଆକୃତି ନ ଥାଏ, ଆକାର ଥାଏ । ଯେତେ ପ୍ରକାର ପ୍ରକାର ପରିଚ୍ଛଦରେ ଢାଙ୍କି ଯେତେ ବର୍ଣ୍ଣରେ ଛାଉଣି କରି ରଖିଲେ ବି ସେ ସେହି ପାଳଭୂତର ଦେହ, ଅଙ୍ଗସୌଷ୍ଠବ ଗତିର ଛନ୍ଦ ସବୁ ଚାଲିଯାଇ ଗୋଟାଏ ଦେହମାତ୍ର, ନାନା କୁରୂପ ବିରୂପ ହୋଇ ବଦଳି ବଦଳି ଲାଗିଥିବ ପିଣ୍ଡରୁ ପ୍ରାଣ ଛାଡ଼ିବାଯାକେ । କାନ୍ତିମୟୀ ବଦଳିଛନ୍ତି, ଛଳନା ବଦଳିବ, ସଂସାର ବଦଳୁଥିବ । ତାହାରି ଭିତରେ ମଣିଷ କାମନା କରୁଥିବ,–ଆୟୁର୍ଦେହି, ରୂପଂ ଦେହି । ବିରୂପ କୁରୂପଠାରେ ରୂପ ଆରୋପ କରି ମମତା ଲଗାଉଥିବା । କାନ୍ତିମୟୀ ହସିଦେଲେ, ଛଳନା ପିଲାଳିଆ ବୁଦ୍ଧିରେ ହସିଦେଲା, କିଏ ହସୁଛି କାହାକୁ ?

 

ତାର ନିରାଶାମୟ ଭାବନା ଭିତରୁ ତାକୁ ପଦାକୁ ଓଟାରି ନେଉଥିଲା ସକାଳର ସମୁଦ୍ର । ଶରୀରର ଧାରଣା ଭିତରେ ସେ ସମୁଦ୍ରକୁ ଦେଖୁଥିଲା ଗୋଟାଏ ବିରାଟ ଜୀବନ୍ତ ଶରୀର ପରି, ଯାହାର ସାନ୍ନିଧ୍ୟରେ ହିଁ ଆପଣା ଦେହ ଭିତରେ ତେଜ ପୂରିଯାଏ । ଲୁଣିପବନର ସ୍ପର୍ଶ ତା’ ଦେହ ଭିତରକୁ ଚାଇଁ ଚାଇଁ ହୋଇ ପଶି ଯାଉଛି, ତା’ର ନିଶ୍ଵାସ ଦେହ ଭିତରେ ଉଷ୍କେଇ ଲାଗିଛି, ଚଞ୍ଚଳତା ଖେଳୁଛି । ସେ ମୁହଁ ଟେକି ଦେଖୁଛି–ଆଗରେ ସେହି ପାଣି ପବନ ଛାଇଆଲୁଅର ମିଶାମିଶି ଅବିଚ୍ଛିନ୍ନ ବିସ୍ତୃତି । ଭୂଇଁ ସରି ଯାଇଛି, ସମାଜ ସରି ଯାଇଛି, ଯେଉଁ ଚିହ୍ନା ମାଧ୍ୟମରେ ମଣିଷ ବଞ୍ଚେ, ରହେ, ଘରକରଣା କରେ, ସବୁ ଶେଷ ହୋଇ ଆରମ୍ଭ ହୋଇଛି ନୂଆ ପ୍ରକାର ସୃଷ୍ଟିର ବିସ୍ମୟ । ଲାଭ କ୍ଷତି ମନେ ପଡ଼ୁନାହିଁ ।

 

ତାର ସେ ତନ୍ମୟତାକୁ ଦୋହଲାଇ ଦେଇ ଆଖି ଆଗରେ ଫୁଟି ଉଠିଲା ଆଉ ଗୋଟିଏ ଦୃଶ୍ୟ । ସେ ଗୋଟିଏ ପରିବାର । ହୃଷ୍ଟପୁଷ୍ଟ, ଉତ୍ସାହୀ । ସମୁଦ୍ରକୂଳରେ ବନ୍ଧା ହୋଇଥିବା ଖାତାଗୁଡ଼ିଏ ଗଦା ହୋଇଛି । ଦଳେ ତାକୁ ଘେରି ଠିଆ ହୋଇଛନ୍ତି । ସାନସାନ ପିଲାଗୁଡ଼ିଏ ସେଥିରୁ ପୁଳାଏ ଲେଖାଁ ଖାତା ନେଇ ସମୁଦ୍ରରେ ପକାଉଛନ୍ତି, ସମୁଦ୍ର ପୁଣି ତାକୁ ମୁଣ୍ଡରେ ମୁଣ୍ଡାଇ ଆଣି କୂଳରେ ଏଠି ସେଠି ଥୋଇଦେଇ ଯାଉଛି । କୁତୂହଳ ବଢ଼ିବାରୁ ତରୁଣ ରାୟ ସେଥିରୁ ଗୋଟିଏ ଖାତା ପାଣିକୂଳରୁ ଉଠାଇ ନେଇ ଖୋଲି ଦେଖିଲା । ତା’ତଳକୁ ତା’ତଳ ଦିନ ଦିନକର ତାରିଖ ଛପା ହୋଇ ରୁଲ୍‍ ପଡ଼ିଛି, ଉପରୁ ଗାରପଡ଼ି ପ୍ରତି ତାରିଖ ଲାଗି ହଜାରେଟି ଖୋପ ଛପା ହୋଇ ରହିଛି । ପ୍ରତି ଖୋପରେ ହାତରେ କିଏ ଲେଖିଛି–"ରାମ" ।

 

ପରିବାର ଗୋଷ୍ଠୀ ଭିତରୁ ଜଣେ ତା’ ପାଖକୁ ଚାଲି ଆସି ପଚାରିଲେ, "କଣ ଦେଖୁଛନ୍ତି-? ସମୁଦ୍ରରେ ପକାଇ ଦିଅନ୍ତୁ ।"

 

"କଣ ଏ ଖାତା ?"

 

"ଦିନକୁ ହଜାରେ ଥର ରାମନାମ ଲେଖିବା ପାଇଁ । ଦିନଯାକର କାମ ସରିଗଲା । ସବୁ ଲେଖାଲେଖି ସରିଗଲା । ତା’ପରେ ଧରିଲେ ଏ ଖାତା । ନାଁ ସ୍ମରଣ କଲେ । ଲେଖିଲେ । ହଜାରେଟି ଖୋପ ସରିଗଲା । ହଜାରେ ଥର ରାମନାମ ନେଲେ । ଆପଣା ମନକୁ ଗଣି ହୋଇ ହଜାରେ ଥର, ଗୋଟିଏ ବି ଊଣା ନୁହେଁ । ଆପଣ ରାମନାମ ନିଅନ୍ତି ନାହିଁ ?"

 

ସେ କିଛି କହି ପାରିଲା ନାହିଁ । ତାଙ୍କ ମୁହଁକୁ ଅନାଇ ରହିଲା । ଖାତାଟି ତାଙ୍କ ହାତକୁ ବଢ଼ାଇ ଦେଇ ପୁଣି ଚାଲିଲା । ପଛରେ ଚାଲିଥାଏ ରାମନାମ ଖାତା ଜଳଶାୟୀ କରାଇବାକୁ ପ୍ରବଳ ଉଦ୍ୟମ । ସେ ଭାବୁଥାଏ ରାମନାମ ଖାତାର ତାତ୍ପର୍ଯ୍ୟ ।

 

ଦୋକାନର ହିସାବ, ଦୈନିକ ଘରକରଣାର ହିସାବ ଲେଖିସାରି ରାମନାମର ହିସାବ ଲେଖା । ସବୁ ପାପ ଧୋଇଯିବ । କେବେଳ ଲାଭ ଆଉ ଶୁଭ ।

 

ଅଳ୍ପ ଦୂରରେ ସେହିପରି ଆଉ ଗୋଟିଏ ପରିବାର । ସେମାନେ ରାମନାମ ଭସାଉ ନାହାନ୍ତି, ଅଭିନବ ଉପାୟରେ ସ୍ନାନ କରୁଛନ୍ତି । ଲାଭ ହେବ ଅଥଚ ଦାୟିତ୍ୱ ଏଡ଼ିଦେଇ ହେବ, କ୍ଷତି ଲାଗିବ ନାହିଁ, ସ୍ନାନ ପାଇଁ ବି ଏହିପରି ତାଙ୍କର ଯୋଜନା । ସମୁଦ୍ର ପାଣି ପାଖରୁ ଦୂରେଇ ବାଲି ଉପରେ ସେମାନେ ଏପରି ଗୋଟିଏ ସ୍ଥାନ ବାଛିଛନ୍ତି ଯେ, ଢେଉ ହେଲେ ସେ ସ୍ଥାନରେ ପାଣି ମାଡ଼ିବ, ତା’ପରେ ପାଣି ଗଡ଼ି ଚାଲିଯିବ । ସେମାନେ ନିଶ୍ଚେ ହିସାବ କରି ଦେଖିଥିବେ ଯେ କୋଡ଼ିଏ ହାତ ଦୂରରେ ଯଦି ଢେଉ ଭାଙ୍ଗିବ ତେବେ ସେ ସ୍ଥାନରେ ଚାଖଣ୍ଡେ ଗହୀରର ପାଣି ହେବ, ତେଣୁ ସେ ବାଲି ଖୋଳି ଅଳ୍ପ ଖାଲ କରି ଲେପ୍‍ଟି ପଡ଼ିଥିଲେ, ଢେଉ ହାବୁକା ପାଣି ପ୍ରତି ତିନି ମିନିଟରେ ଥରେ ଲେଖାଁ ତାଙ୍କ ପିଠିଯାକେ ଓଦା କରିଦେଇ ଚାଲି ଯାଉଥିବ । ଏତିକିରେ ବି ସେମାନେ ନିଶ୍ଚିନ୍ତ ନୁହନ୍ତି, ହୁଏତ ଭାବୁଥିବେ–ଏମିତି କ’ଣ ହୁଏ ନାହିଁ ଯେ ପେଟେଇ ପଡ଼ି ବି ମଣିଷ ଏ ବାଲିର ଢାଲୁଏ ଢାଲୁଏ ଗଡ଼ିଗଡ଼ିକା ସମୁଦ୍ର ଭିତରକୁ ଚାଲିଯାଇ ପାରେ ? ତେଣୁ ଏକାଠି ପାଖକୁପାଖ ପଡ଼ି ରହିବାକୁ ପଡ଼ିବ, ଯେମିତି ପାଖକୁପାଖ ଜକାଜକି ଘର ।

 

ଲମ୍ବ ଲମ୍ବ ହୋଇ ସ୍ତ୍ରୀ ପୁରୁଷ ପାଖକୁପାଖ ହୋଇ ପେଟେଇ ପଡ଼ିଛନ୍ତି । ଢେଉ ଆସି ତିନ୍ତେଇ ଦେଇ ଚାଲିଯାଉଛି । ଶୁଖିଲା ଠାଉ ଠାଉ ବାଲିପଠାରେ ବି ସେମାନେ ମହାଉଲ୍ଲାସରେ ଗୋଡ଼ହାତ ବାଡ଼ୋଉଛନ୍ତି । ବାଲିମିଶା ହୋଇ ଚାଖଣ୍ଡେ ପାଣି ପିଠି ଉପର ଛୁଇଁଦେଇ ଗଲାବେଳେ ନାନାପ୍ରକାର ବୋବାଳି ଛାଡ଼ୁଛନ୍ତି । ଯେପରିକି ମହାସମୁଦ୍ରର ପାହାଡ଼ିଆ ଢେଉ ଆସି ତାଙ୍କ ଉପରେ ଗଡ଼ିଯାଉଛି । କଳ୍ପନାରେ ହେଉପଛେ, ତାଙ୍କ ଜୀବନର ଏ ବଡ଼ ଘଟନା ।

 

ସମୁଦ୍ର ବାଲିସ୍ନାନ ।

 

ତରୁଣ ରାୟ ଦେଖି ଦେଖି ଗଲା । ତା’ର ସେ ବାଲିଗାଧୁଆ ବି ହେଲା ନାହିଁ । ବାରମ୍ବାର ନୋଳିଆମାନେ ଆସି ପଚାରି ପଚାରି ଯାଉଛନ୍ତି, "ଓହ୍ଲେଇବେ ବାବୁ ସମୁଦ୍ର ଭିତରକୁ ? କିଛି ଭୟ ନାହିଁ । ଆମେ ତ ପାଖେ ପାଖେ ଥିବୁଁ ।

 

"ନା, ଆମେ କେହି ସମୁଦ୍ର ଭିତରକୁ ଯିବୁନାହିଁ ।"

 

"କିଛି ହେବନାହିଁ ବାବୁ !"

 

"ହେବ ନାହିଁ ତୁମେ ଜାଣିଛ ? ଜାଣିଛ କେତେ ଲୋକ ଏ ସମୁଦ୍ରରେ ମରନ୍ତି ? ପାଣି ତଳେ ତଳେ ସୁଅ ଅଛି, ମୋଡ଼ିମାଡ଼ି ଦେଇ ଭିତରେ ଭିତରେ ଦୂରକୁ ଓଟାରି ନେଇଯାଏ ।"

 

ନୋଳିଆ ହସିଲା, କହିଲା "ଆମେ ଜାଣିନୋଉଁ କିଏ ଆଉ ବେଶି ଜାଣିଚି ବାବୁ ? ଆମେ ପାଣି ଉପରକୁ ଅନାଇ କହିଦେବୁଁ ଭିତିରି ସୁଅ ଆଜି ପଡ଼ିଚି କି ନାହିଁ । ଆଜି ସେ ନାହିଁ । ଡରୁଛନ୍ତି କାହିଁକି ?"

 

"ଥାଉ ଆମର ଦରକାର ନାହିଁ ।"

 

ଘୋ ଘା ହୋଇ ସମୁଦ୍ର ଗାଧୁଆ ଲାଗିରହିଛି । ସେ ଖାଲି ଦେଖେଣାହାରି । ଆଗରେ ଦିଶିଲେ ହୋଟେଲରେ ଯେଉଁ ଯୁବକ ପଞ୍ଝାଙ୍କୁ ସେ କାଲି ସଞ୍ଜରେ ଦେଖିଥିଲା । ସେମାନେ ସମୁଦ୍ର କୂଳେ କୂଳେ ଧୀରେ ଧୀରେ ଟହଲୁଛନ୍ତି । କେତେବେଳେ କେଉଁଠି ଠିଆ ହୋଇପଡ଼ି ବାଁରେଇ ହୋଇ ପାଣିକି ଅନାଉଛନ୍ତି । ସେମାନେ ବି ପଛରେ ରହିଗଲେ । ଏଥର ସେ ଲେଉଟି ଯାଆନ୍ତା । କିନ୍ତୁ ଝିଅ ଅଳି ଧରିଲା ଯେ ସମୁଦ୍ରରେ ଗାଧୋଇବାକୁ ପଡ଼ିବ । ତା’ ବୋଉ ସମର୍ଥନ କଲେ । କହିଲେ,"ଏତେ ଲୋକ ଗାଧୋଉଛନ୍ତି, ଆମକୁ ଖାଲି ଡର ଖାଇଯାଉଛି ?"

 

"କିଏ ଡରୁଛି ?" ତରୁଣ ରାୟ ଚମକି ପଡ଼ି କହିଲା ।

 

"ନହେଲେ ଆଉ କ’ଣ ? ପୁରୀକୁ ଆସି ସମୁଦ୍ରରେ ନ ଗାଧୋଇ ଫେରିଯିବା ? ଡାକ ସେ ନୋଳିଆକୁ ।"

 

ନୋଳିଆ ଆସିଲା । ଆଗ ଗଲା ତରୁଣ ରାୟ । ତା’ ପରେ ଗଲେ କନ୍ତିମୟୀ । ସେମାନେ ପେଟେ ପାଣିକୁ ଯାଇ ଲହଡ଼ି ଭାଙ୍ଗି ଲେଉଟି ଆସି ଅଳ୍ପ ପାଣିରେ ଠିଆହୋଇ ଡିଆଁଡେଇଁ କରୁଥାନ୍ତି । ଦେହଟା ଥରେ ପାଣିରେ ବୁଡ଼ି ପାଣି ସଙ୍ଗେ ଚିହ୍ନାହେଲା ଉତ୍ତାରୁ ଆଉ ଚାଲିଯିବାକୁ ମନ ହେଉନଥାଏ, ଲାଗୁଥାଏ,–ଆନନ୍ଦ ପାଇବାକୁ ଏ ନୂଆବାଟ ସେମାନଙ୍କର ଆଗରେ ଖୋଲିଯାଇଛି । ଲହଡ଼ି ନ ଆସୁଣୁ ଡେଇଁପଡ଼ନ୍ତି, ଲହଡ଼ି ଆସିଲେ ପଛକୁ ଧକ୍‍କା ମାରି ବାଲିରେ ଥୋଇଦିଏ । ପୁଣି ଉଠିପଡ଼ି ଟିକିଏ ପଛକୁ ପାଣିରେ ଠିଆ ହୁଅନ୍ତି ।

 

ତାପରେ ଗଲା ଛଳନା । ନୋଳିଆର ହାତକୁ ଯାବୁଡ଼ି ଧରିଥାଏ, ମନରେ ସଞ୍ଚୁଥାଏ ସାହସ, ମୁରୁକି ହସୁଥାଏ । ପହିଲି ଢେଉରେ ସେ ଉବେଇ ଟୁବେଇ ହୋଇ ପଛକୁ ତଡ଼ିହୋଇ ଆସିଲା । ସତେ ସତେ ଢେଉ ଭାଙ୍ଗିଲାଭଳି କିଛି ସମୟ ସେ ଫୁକୁରୁ ଫୁକୁରୁ ହୋଇ ଡେଇଁସାରିଲା ପରେ ନୋଳିଆ ତାକୁ ପଛରେ ଛାଡ଼ିଦେଇ ପୁଣି ଧରିନେଲା ତରୁଣ ରାୟକୁ । ଛଳନା ପଛକୁ ଲେଉଟିଲା ନାହିଁ, ଆଣ୍ଠିଏ ପାଣିରେ ରହି ଢେଉକୁ ଅପେକ୍ଷା କଲା ।

 

ହେଇ ସେ ଆସୁଛି ।

 

ଉଲ୍ଲାସରେ ଅନାଇଁ ରହିଛି, ସତେକି ତା’ର ଦୃଷ୍ଟିବନ୍ଧନ ହୋଇଛି ।

 

କିନ୍ତୁ ସେ ଭାବିବାକୁ ତର ପାଇଲା ନାହିଁ । ଗୋଟାଏ ବଡ଼ ଲହଡ଼ି ଚମକି ଆସି ଏକାଥରକେ ତା’ ଗୋଡ଼ରୁ ଟେକି ତାକୁ ତଳେ କଚି ଦେଇ ବାଲି ଆଉ ପାଣି ମିଶାକରି ଗଡ଼ଗଡ଼େଇ ଗଡ଼ଗଡ଼େଇ ଆଣି ବାଲି ଉପରେ ଫୋପାଡ଼ି ଦେଇଗଲା । ତା’ ମୁଣ୍ଡବାଳ ଫିଟିପଡ଼ିଛି, ଦେହରେ ଖାଲି ସାୟା ବ୍ଲାଉଜ, ଶାଢ଼ିଟା ବାଲି ସରସର ହୋଇ ଆଉ ଠାଏ ପଡ଼ିଛି, ଦେହରେ ବଥା, ମନରେ ଆହୁରି ବେଶି । କାନ୍ତିମୟୀ ପାଟି କରି ଉଠି ତା’ ପାଖକୁ ଦୌଡ଼ିଗଲେ, ତରୁଣ ରାୟ ବୁଲିପଡ଼ି ଅନାଇଲା, ତା’ ପାଖକୁ ଆସିଲା । ଛଳନା ଚଞ୍ଚଳ ଉଠିପଡ଼ି ଲୁଗାପଟା ଗୋଟେଇ ସଜାଡ଼ି ଆପଣାକୁ ସମ୍ଭାଳିଲା, ତା’ପରେ ବାପଝିଅ ଏକାବେଳେକେ କୂଳକୁ ଅନାଇଲେ । ସେଠି ସେହି ବଡ଼ ସହରର ଚିଲ, ରେଳଚଢ଼ି ଏତେ ବାଟକୁ ଯେଉଁମାନେ ଆନନ୍ଦ ଖୋଜି ଆସିଛନ୍ତି, ବେଶରେ ହବଭାବରେ ପରିପୂର୍ଣ୍ଣ ଭଦ୍ରତା, କିନ୍ତୁ ଠିକ୍‍ ଏଇ ସ୍ଥାନରୁହିଁ ସମୁଦ୍ରକୁ ଅନାଇବାକୁ ସେମାନଙ୍କ ଆଖିକୁ ସୁଖ ଲାଗୁଛି, ଏଇଠି ଯେଉଁଠି ଗୁରୁ ଗମ୍ଭୀର ସମୁଦ୍ର ଗୋଟିଏ ଅଲିଅଳୀ ଝିଅକୁ ଛେଚି କଚାଡ଼ି ଶାସନ କରିଛି । ତରୁଣ ରାୟ ନିଘାକଲା, ହେଇତ ସେମାନେ, କାଲି ରାତିରେ ବିମାନବାବୁ ଯାହାଙ୍କୁ ଚିହ୍ନାଇ ଦେଇଥିଲେ ତାଙ୍କରି ଭିତରୁ କେତେଜଣ, ଟିକିଏ ଆଗରୁ ପୁଣି ଦେଖା ପଡ଼ିଥିଲେ, କାହା ଓଠରେ ସିଗାରେଟ, କାହା କାନ୍ଧରୁ ଝୁଲୁଛି ଫଟୋ କ୍ୟାମେରା, କିଛି ନଜାଣିଲା ପରି ଟହଲୁଥିଲେ । ଛଳନା ଚାହିଁଦେଲା । ତା’ର ଅଠାଳିଆ ବଙ୍କା ହସ ସତେକି ଶୀତଳ କଟୁରିର ଜିକିଜିକି ଦାଢ଼, ସେତିକିରେ ସେ ସେମାନଙ୍କୁ କଳିନେଇ ସାରିଛି, ତାଚ୍ଛଲ୍ୟରେ ପିଠି ମୋଡ଼ିଦେଇ ପଛଆଡ଼ କରି ଠିଆହେଲା । ବାପା କହୁଛନ୍ତି, "କହୁଥିଲି କି ନାହିଁ ? ମିଛରେ କାହିଁକି ଏ ହଇରାଣ ମା ?" ଛଳନା ସାହସ ଦେଖାଇ ହସିଦେଇ କହିଲା, "ଟିକିଏ ପଡ଼ିଗଲିତ କ’ଣ ଆଉ ହେଲା ?"

 

ଟହଲିଆ ଦଳକ ଅନ୍ୟଆଡ଼କୁ ଗଲେ, ସତେ ଯେପରିକି ଏ ଜାଗାର ଓଜୋନ ବାଷ୍ପ ଖର୍ଚ୍ଚ ହୋଇଗଲାଣି, ନୂଆ ଜାଗାରେ ସତେଜ ପବନ ଦରକାର ।

 

ଛଳନା ଓ ତା’ ବାପା ମା’ ସମୁଦ୍ର କୂଳେ କୂଳେ ଲେଉଟି ଚାଲିଲେ । ସମୁଦ୍ରରେ ଗାଧୋଉ ଗାଧୋଉ ଲୋକେ କେତେ ଅବସ୍ଥାରେ ପଡ଼ୁଛନ୍ତି, ତଥାପି ଲାଗିଛି ସମୁଦ୍ର ଗାଧୁଆର ଚହଳ, ଛଳନାର କଚଡ଼ାବି ପାସୋରି ହୋଇଗଲା, କିନ୍ତୁ ତରୁଣ ରାୟ କହି ଲାଗିଥାଏ–"ହୁସିଆର ହୋଇ ଗାଧୋଇବ । ସତର୍କ ହୋଇ ଗାଧୋଇବ । କଚଡ଼ା ଖାଇ ହାଡ଼ ଭାଙ୍ଗି ଯାଇଥିଲେ ?"

 

ଆଗରେ ଜଣେ ହୁସିଆର ହୋଇ ଗାଧୋଉଛି । ପ୍ରକାଣ୍ଡ ଆକାରର ମୋଟା ମାଦଳ ମଣିଷ, ପେଟଟା ଘୁମ, ତରୁଣ ରାୟ ଅନୁମାନ କଲା–ଛୋଟ ହାତଟିଏ, ଓଜନ କେତେ ହେବ ? ସାଢ଼େ ପାଞ୍ଚ ମହଣ ? ତିନିଆଡ଼ୁ ତିନିଜଣ ନୋଳିଆ ଧରାଧରି କରି ଗାଧେଇ ଦେଉଛନ୍ତି । ତଥାପି ସେ ବିଶାଳ ଦେହରେ ଯୋଡ଼ାଏ ଗୋଲ-ଗୋଲ ଫୁଲୁକା ଫୁଲୁକା ନାଲି ରବର ନଳି ଗଳିଛି, ପବନ ଭର୍ତ୍ତି ହୋଇ ଅଣ୍ଟା ଚାରିକରେ ଗୁରେଇ ହୋଇଛି । ତିନିଜଣ ନୋଳିଆଙ୍କ ହାତରୁ ଖସିଗଲେ ସୁଦ୍ଧା ସେ ଦେହ ବୁଡ଼ିବ ନାହିଁ, ଭାସୁଥିବ । ଆଗ ନିରାପତ୍ତା ବିଷୟରେ ନିଶ୍ଚିନ୍ତ ହୋଇ ସାରି ତା’ପରେ ସେ ଆନନ୍ଦ ପାଇବା ପାଇଁ ସତେ ଯେପରି କସରତ କରୁଛି । ଦେହରେ ଖାଲି ଖଣ୍ଡେ କୌପୁନି, ସେ ପିଲାପରି ଡେଉଁଛି ।

 

ସମୁଦ୍ର ଉଛୁଳୁଛି । ମଣିଷ ଉଛୁଳୁଛନ୍ତି । ତରୁଣ ରାୟ ଓ ତା ପରିବାର ହୋଟେଲକୁ ଫେରି ଆସିଲେ । ମନ ଭିତରେ କେତେଠିଁ କେତେ ନୂଆ କବାଟ ଫିଟି ଯାଇଛି । ଚିହ୍ନା ଜୀବନର ପରିବେଷ୍ଟନୀ ହଠାତ୍‍ କୁଆଡ଼େ ପଛେଇ ଯାଇଛି, ଭୁଲି ହୋଇଯାଉଛି, ପୁଣି ବେଳେବେଳେ ଝଲକି ଉଠିଛି । ନୂଆ ଉତ୍ସାହ ମନରେ ପୂରିଛି, କଣ ଯେପରିକି ଆନନ୍ଦକର ଆବିଷ୍କାର ଆରମ୍ଭ ହୋଇଛି, ଆହୁରି ହେବ, ପୁଣି ଆହୁରି ଆହୁରି । ସେମାନେ ଆଉ ଥରେ ଭଲ ପାଣିରେ ଗାଧୋଇ ଲୁଗା ପାଲଟିଲେ । ସମୁଦ୍ରଆଡ଼କୁ ଅନାଇ ବସି ରହିଲେ । ସମସ୍ତେ ଖୁସି ଦିଶୁଛନ୍ତି, ଅତୀତ ନାହିଁ, ଅନୁଶୋଚନା ନାହିଁ । ତରୁଣ ରାୟ ଆପଣା ପରିବାରଟିକୁ ସ୍ନେହରେ ଅନାଇଁ ହସିଦେଲା । ସେମାନେ ବି ହସିଲେ । ତାକୁ ଲାଗିଲା ଭାରିଯା ମୁହଁରେ ଝିଅ ମୁହଁରେ ଏପରି ହସ ସେ କେବେ ଦେଖିନାହିଁ । ବିରାଟ ସମୁଦ୍ର ଆଗରେ ଏକାଠି ଗୋଲ ବୁଲିଛି ସେ ଓ ତା’ର ପରିବାର–ବୁନ୍ଦାଏ ଢଳଢଳ ହସ ।

 

ଉପରୁ ସେ ହୋଟେଲ କୋଠାରୁ ଦିଶୁଛି–ସମୁଦ୍ର ପାଣିରେ ପାଣିଭଅଁର ପରି ଟିକିଟିକି ଲଙ୍ଗଳା ନୋଳିଆପିଲା ଡେଉଁଛନ୍ତି ବୁଡ଼ୁଛନ୍ତି, ପହଁରୁଛନ୍ତି, ପାଞ୍ଚବର୍ଷରୁ ବାରବର୍ଷଯାକେ ଅନେକ ପିଲା । ଆଉ ଦିଶୁଛି, ଅନହୁତି କୁଆଡ଼ୁ ପଲପଲ ଡଙ୍ଗା ସମୁଦ୍ରଭିତରୁ କୂଳଆଡ଼କୁ ଆସୁଛନ୍ତି, ଆଗେ ସେମାନଙ୍କର ପତ୍ତା ନଥିଲା । ମାଛଧରା ଡଙ୍ଗାରେ କୂଳକୁ ମାଛ ଆସୁଛି, କୂଳରୁ ଦଳଦଳ ଲୋକ ଯାଉଛନ୍ତି ।

 

ସେମାନେ ଓହ୍ଲେଇ ପଡ଼ିଲେ ।

 

ଭିଡ଼ ଭିତରେ ଠେଲିପେଲି ହୋଇ ତରୁଣ ରାୟ ଯେତେବେଳେ ପ୍ରଥମ ଡଙ୍ଗା ପାଖରେ ପହଞ୍ଚିଲା, ସେ ଦେଖିଲା ଲୋକ ବେଢ଼ିଛନ୍ତି, ଡଙ୍ଗାଭିତରେ ଜାଲରେ ପଶି ଡଙ୍ଗାଏ ମାଛ । ଜାତିଜାତିକା ମାଛ, ଆଙ୍ଗୁଳରୁ ମୁଣ୍ଡା ମଗର ପର୍ଯ୍ୟନ୍ତ ।

 

ମାଛ ! ମାଛ ! ସେ ମୋହାକ୍ରାନ୍ତ ହେଲା, ମାଛ ସଙ୍ଗରେ ତା’ର ସମ୍ବନ୍ଧ ପୁରୁଷ ପୁରୁଷରୁ, ସ୍ୱଭାବରେ ସେ ମାଛରଙ୍କୁଣା । ସେ ଠିକଣା କଲା, ଏଠୁ ମାଛ କିଣିନେବ, ଷ୍ଟୋଭ୍‍ ଜାଳିବ, ତା’ ସ୍ତ୍ରୀ ଭାଜିବ, ସମସ୍ତେ ଖାଇବେ । ମାଛର ମୂଲ ପଚାରି ବୁଝିଲା ସେ ଅମୂଲମୂଲ । ଅପେକ୍ଷା କଲା । ଗୋଟାକ ପରେ ଆଉ ଗୋଟାଏ ହୋଇ ବହୁତ ମାଛଡଙ୍ଗା ଆସୁଛି । ଡଙ୍ଗା ବାଲି ଉପରକୁ ଚଢ଼ିଆସି ଅଟକୁଛି, ତିନି ତିନିଜଣ ନାଉରୀ ଲାଗିଯାଇ କାନ୍ଧରେ କନ୍ଧେଇ ସେହି ତିନି ତିନି ଫାଳିଆ ଡଙ୍ଗାଟିମାନଙ୍କୁ ଖଣ୍ଡେ ଦୂରକୁ ବୋହି ଆଣୁଛନ୍ତି, ପଛେ ପଛେ ଭିଡ଼ । ତରୁଣ ରାୟ ଗୋଟାଏ ଡଙ୍ଗା ପାଖେ ଭାଉ ପଚାରି ସାରି କାଳେ ଆଉ ଟିକିଏ ଶସ୍ତାରେ ମିଳିବ ବୋଲି ଆରଡଙ୍ଗା ପାଖକୁ ଧାଇଁଯାଏ ।

 

ଏହିପରି ସମୟରେ ତା’ର ନିଘା ପଡ଼ିଗଲା ଜଣେ ବାବାଜି ଉପରେ । ମୁଣ୍ଡରେ ଜଟା, ବେକରେ ବହୁତ ମାଳିସରି, କପାଳରେ ଚିତା । କିନ୍ତୁ ବାବାଜି ଚୁଙ୍ଗୁଡ଼ିମାଛ ମୂଲୋଉଛି । ପାଟବର୍ଣ୍ଣର ଗଣ୍ଠି-ଗଣ୍ଠିକିଆ ସମୁଦ୍ର ଚୁଙ୍ଗୁଡ଼ି । ବାବାଜି ଓଠ ଚାଟୁଛି । ଭାଉ ପଟୁ ନାହିଁ । ତା’ର ଯୁକ୍ତି କାଟୁ କରୁନାହିଁ । ତଥାପି ବାବାଜି ଲଗାଇଛି ।

 

"ଆରେ ଦେ ମ" ଆଠଣା ପଇସାକୁ, ଆଠଣା କ’ଣ କମ୍‍ ହେଲାଣି ?"

 

"ପାଁ' ସୁକା–"

 

"ଆଠଣାକୁ ଦେ, ବାବା ଖାଇବା, ତୋର ଧର୍ମ ହେବରେ–"

 

"ହଉ ହଉ ଯା ବାବାଜି, ଟଙ୍କାକରୁ ଊଣା ହେବନାହିଁ । ସେରେ ଚୁଙ୍ଗୁଡ଼ି ହେଲାଣି । ଟଙ୍କାରୁ କମ୍‍ ହେଲେ ହେବ କୁଆଡ଼ୁ ?"

 

ତରୁଣ ରାୟ କୌତୁକରେ ଅନାଇଲା ଆଉ ଭାବିଲା, ଏମିତି ସଞ୍ଜବୁଡ଼ ହେଲେ ସେ ହୁଏତ ଯାଇ ମଦ ଦୋକାନରେ ପହଞ୍ଚିଯାଉଥିବ, ଆଉ କିଛି ପଇସା ଯାଚୁ ଯାଚୁ ଧର୍ମ ଯାଚି କହୁଥିବ–

 

"ଦେ ଦେ ଗିଲାସେ ତୋର ଧର୍ମ ହେବ !"

 

ବେକରେ ଘାଗଡ଼ାମାଳି କପାଳଯାକ ଚିତା ଲଣ୍ଡାମୁଣ୍ଡ ହୋଇ କେହି କେହି ମାତାଜୀ ଆସୁଥିବେ, ତାଙ୍କୁ ବି ଏ ଯାଚୁଥିବ ଧର୍ମ, ସ୍ୱର୍ଗ ।

 

ହେଇ ସେ ଦର୍ପରେ ଠିଆ ହୋଇ ରହିଛି, ବିକାର ନାହିଁ, ଲଜ୍ଜା ନାହିଁ । ସେ ତା’ର ମନକଥା ବଡ଼ ପାଟିରେ ହାଟରେ ଠିଆ ହୋଇ କହି ପାରିବ । ତା’ର ବଳିଷ୍ଠ ଦେହ । ଡେଙ୍ଗା, ବଡ଼ ବଡ଼ ଓସାରିଆ ହାଡ଼ । ବଣର ଲଟା ଜଙ୍ଗଲ ପରି ଜଟ ଆଉ ନିଶଦାଢ଼ି ବଢ଼ିଛି । ତା’ର ଟାଣ ଦାନ୍ତ, ପରିଷ୍କାର ବଡ଼ ବଡ଼ ଆଖି । ସେ ଘାଷିମାଜି ଦେହଟାକୁ ସଫାକରେ, ବାଲିଗରଡ଼ା ପଥର ଧରି ଚମଡ଼ାକୁ ରଗଡ଼େ, ତା’ପରେ କୋଥଳି ଭିତରୁ ଟିକେ ଆରସି ବାହାର କରି ପ୍ରସାଧନ କରେ ବହୁତ ବେଳଯାକେ । ଦେହଯାକ ଧଳା ଗଇଁଠା ପାଉଁଶ ବୋଳେ, ତା’ପରେ ଯେଉଁଠି ଆଉ ଯାହା ବୋଳିବାର ଥାଏ, କେଉଁଠି ଚନ୍ଦନ, କେଉଁଠି ସିନ୍ଦୂର, କେଉଁଠି ଆଉ କିଛି ରଙ୍ଗ, ସବୁ ସେ ନିଠେଇ ନିଠେଇ ବୋଳି ହୁଏ । ସେ ହାତ ଚକିରେ ଚକିଏ ଲେଖାଁ ବରଗଛ ଖିର ଏ ଓଳି ସେ ଓଳି ଚଳୁ କରେ, ଜଟାରେ ବରଖିର ବୋଳି ଜଟା ବଢ଼ାଏ । ଉପଯୁକ୍ତ ଭକ୍ତ ମିଳିଗଲେ ଦିନକୁ ପାଞ୍ଚସେର ଦୁଧ, ଅଟା, ଘିଅ, ପରିବା ତାକୁ ମିଳିଯାଏ । ସେତେବେଳେ ସେ ଧର୍ମ ପ୍ରଚାର କରେ, ଇଅଁଳା ପିଅଁଳା ସୁଷୁମ୍ନା ନାଡ଼ିମାନଙ୍କ ନାଁ ଧରେ, ଲୋକଙ୍କୁ ଶିଖାଏ ଈଶ୍ୱର ବିଶ୍ୱାସ, ବିପଦରେ ଧୈର୍ଯ୍ୟ ଧରିବ ବୋଲି କହେ, ଖାଇପିଇ ମନଖୁସିରେ ଆଶୀର୍ବାଦ କରେ । ଯେ କହେ ମୁଁ ରୋଗୀ ସେ ତା’ ଦେହରେ ହାତ ବୁଲାଇ ଦେଇ କହେ, "ତୋ ରୋଗ ଭଲ ହୋଇଯାଉ ।" ଯେ କହେ, "ମୁଁ ହତଭାଗିନୀ, ମୋର ପୁଅ ନାହିଁ " ସେ କହେ "ତୋର ପୁଅ ହେଉ ।" ଚେକା ପକାଇ ବସି ଆଖି ମିଞ୍ଜିମିଞ୍ଜି କରି କିଛି ସମୟ ନିଜ ନାକ ଅଗକୁ ନିଘା କରି ରହି ସେଉଠୁ ଡାକ ଛାଡ଼େ,

 

"ମା ଜଗଦମ୍ବା, ମା ଆଦ୍ୟାଶକ୍ତି, ଗୋସାଉଣୀ ଲୋ, ମା’ ହୋଇ ଜନ୍ମକଲୁ ଭାରିଯା ହୋଇ ପୁଣି ଗର୍ଭରେ ଧରିଲୁ, ୟା ଦୁଃଖ ଶୁଣା ହେଉ ଲୋ ମା–"

 

ତାର ତେଜ ରକ୍ତ, ତେଜ ଦେହ, ଗମ୍ଭୀର ସ୍ୱର । ତା’ର ବଳିଷ୍ଠ ଡାକ ଶୁଣି ବିଶ୍ୱାସ ଆସେ-

 

ସେ ମନଇଚ୍ଛା ବୁଲେ । ରାତିରେ ନିଛାଟିଆ ନଈ କଣ୍ଡିଆରେ ମଶାଣି ପାଖେ ଚିତ୍‍ ହୋଇ ଶୋଇ ରହି ସେ ଆକାଶକୁ ଅନାଇଁ ତାରାମାନଙ୍କୁ ଅନାଇଁ ଅନାଇଁ ତା’ ଜୀବନକୁ ଉପଭୋଗ କରିଛି, ଢେଉଢେଉକା ଟାଙ୍ଗି ଧଡ଼ିରେ ଗୋଟିକିଆ ଗଛତଳେ ଉଦୁଉଦିଆ ଦିପହରେ ବସି ରହି ଦେଖିଛି, ଖରାଧାସ ସେଠି କେମିତି ଲହଡ଼ି ଭାଙ୍ଗେ, ଫାଙ୍କା ଆକାଶରେ କେମିତି ହଠାତ୍‍ ମେଘ ଘୋଟିଆସେ, ନାଲି ଧୂଳିଝଡ଼ କେମିତି ଅରଣା ଗୀତ ଗାଇ ବିଜୟ ପଟଆରରେ ମାଡ଼ିଚାଲେ-। କେତେବେଳେ ଦୃଶ୍ୟ ଦେଖୁ ଦେଖୁ ପୃଥିବୀ ଓ ଆକାଶର ବିସ୍ତୃତିକୁ ଅନୁଭବ କରୁ କରୁ ସେ ଛାତି ଫୁଲେଇ ବେକ ସଳଖେଇ ଦେଇ ମନେମନେ ସେ ବ୍ୟାପ୍ତି ସହିତ ମିଶି ଯାଇଛି । ପୁଣି ଲେଉଟିଛି-

 

ସବୁଯାକ ଇଦ୍ରିୟ ସାହାଯ୍ୟରେ ସେ ଏ ସୃଷ୍ଟିକୁ ଶରଧା କରିଛି, ସର୍ଜନକୁ ସ୍ୱାଗତ କରିଛି, କାହାର ମୃତ୍ୟୁ ହେଲେ ବିଳାପ କରିଛି, ଆଉ ଗୋପନ ଅର୍ଥର ଇଙ୍ଗିତ ଦେଲା ପରି କହି କହି ବୁଲିଛି–

 

"ମାଟି ନା ମାଆଟି,

 

ୟେ ସଂସାରରେ ସବୁଠୁ ବଡ଼

 

ଧାନଟି ଭିତରେ ଚାଉଳଟି,

 

ସେଇତ ସବୁଠୁ ଆଶ୍ଚର୍ଯ୍ୟ, ଚିହ୍ନ ତାକୁ ।"

 

ସଂସ୍କୃତର ଅର୍ଥ ନ ବୁଝିଥିବା ଲୋକେ ବି ଗୁରୁଗମ୍ଭୀର ହୋଇ ମନ୍ତ୍ର ବୋଲନ୍ତି, ସେ ଶବ୍ଦ ଖାଲି ସଂସ୍କାର ଲାଗି ବୋଲାହୁଏ, ସେଠି ସତ୍ୟ କେବଳ ସେ ଶବ୍ଦ ଉହାଡ଼ରେ ଯେଉଁ ନିଃଶବ୍ଦ ଭକ୍ତି ରହିଥାଏ ସେତିକି । ସେମିତି ଏ ବାବାଜି କେବଳ ନିଜେ ବାବାଜି ବୋଲି କେତେଗୁଡ଼ିଏ ସଂସ୍କାର ମାନିଲାଭଳି ଉପଦେଶ ଉଚ୍ଚାରଣ କରେ, ତା ଅର୍ଥ ସେ ବୁଝେ ନାହିଁ । ସେ କହେ 'ଏ ଜଗତ ମିଥ୍ୟା, ସୁଖଭୋଗ ମିଥ୍ୟା, ଇନ୍ଦ୍ରିୟମାନଙ୍କୁ ନିରୋଧ କର, ଜିହ୍ୱା ଲଡ଼ବଡ଼ ଜପ ନାହିଁ, ଇନ୍ଦ୍ରିୟ ଲଡ଼ବଡ଼ ତପ ନାହିଁ ।" ସେ ଅବଧୂତପନ୍ଥୀ ନୁହେଁ, କିନ୍ତୁ କେବେ ମହାଉଲ୍ଲାସରେ ଗର୍ଜନ କରି ଗାଉଥାଏ କେଉଁ ଅବଧୂତ ବାବାଙ୍କଠୁଁ ଶୁଣି ଶୁଣି ମନେରଖିଥିବା ଭୀମଭୋଇ ଭଜନ–

 

"ଆରେ ବାଇ ମନ, ଅବନା ଧନକୁ ଚିହ୍ନ,

 

ଅଣାକାର ପୁରେ ବିଜେ କରିଛନ୍ତି ଅଶବ୍ଦ ଅରୂପ ଶୂନ୍ୟ"

 

କିନ୍ତୁ ସେ ଏସବୁ ବୁଝେ ନାହିଁ ।

 

ସେ ତା’ର ଦାନ୍ତରେ ଓ ଚର୍ମରେ ସୁଆଦିଆ ନରମ ମାଂସର ସ୍ପର୍ଶ ଭଲପାଏ । ସେ ଚୁଙ୍ଗୁଡ଼ି ଖାଏ, କଙ୍କଡ଼ା ବି ଖାଏ । ଶୀତ ଋତୁରେ ଯେତେବେଳେ କଙ୍କଡ଼ାଠିଁ 'ଇଟ' ହୁଏ ସେତେବେଳେ ସେ ଧରେ ଚିଲିକା କୂଳେ କୂଳେ ଦକ୍ଷିଣାପଥ, ଆଖି ପୂରାଇ ଚଢ଼େଇ ଦେଖେ, ପେଟ ପୂରାଇ କଙ୍କଡ଼ା ଖାଏ, ଆଉ ଦର୍ଶନ କରି ବୁଲେ ଭୂଷଣ୍ଡପୁରରେ ଉଗ୍ରତାରା, ବାଣପୁରରେ ଭଗବତୀ, ହନ୍ତୁଆଡ଼ରେ ଉଗ୍ରତାରା, ଆଉ ଯେଉଁଠି ଯେଉଁ ଦେବଦେବୀ ପାଏ ।

 

କେବେ କେଉଁ ଗାଁରେ ସେ ବୁଝାଏ ଈଶ୍ୱରଙ୍କ ମହିମା, କହେ–"ଦେଖ, ଶିଶୁ ଜନ୍ମ ହେଲାବେଳକୁ ତା’ ପାଇଁ ମା କ୍ଷୀର ସମ୍ପାଦି ହୋଇ ରହିଛି, ମଞ୍ଜିର ଗଜା ବାହାରିଲା ବେଳକୁ ସେହି ମଞ୍ଜି ଭିତରେ ତା’ ପାଇଁ ଖାଦ୍ୟ ସାଇତା ହୋଇ ରହିଛି, ପ୍ରଭୁ ଦୟାମୟ ସବୁ ସଜାଡ଼ି ରଖିଛନ୍ତି, ସବୁ ଭଣ୍ଡାର ପୂର୍ଣ୍ଣ ଅଛି ।"

 

କେବେ କାହା ଆଗରେ ସେ ସଂସାର ତତ୍ତ୍ୱ ବୁଝାଏ, କହେ–"ଯେ ଚଞ୍ଚଳ ଚଞ୍ଚଳ ଚାଲିଯାଏ ବୋଲି ୟାକୁ କହନ୍ତି ସଂସାର, ଯେମିତି ଆଲୁଅ ପଳାଏ, ପବନ ଚାଲିଯାଏ । ମଣିଷ ଜୀବନ ସରିଯାଏ । ଏଠି ଦେଖ ସମସ୍ତେ ବୁଲୁଛନ୍ତି, ସୂର୍ଯ୍ୟ ବି ବୁଲୁଛି ପୃଥିବୀ ତ ସହଜେ । ଯାହାକୁ ଭାବୁଚ ପଥରେ ଖଣ୍ଡେ ବୋଲି ପୃଥିବୀ ବୁଲିଲାବେଳେ ସେ ବି ବୁଲୁଛି । କାହା ବୁଲିବାଟା କାହା ଆଖିକି ଦିଶୁଛି ? ତେମେ ଆମେ ଭାବିବା ଯେମିତି ଥିଲା ସେମିତି ଅଛି । ତାରି ନା ମାୟା ।"

 

ଆହୁରି ଗୂଢ଼ତର ତତ୍ତ୍ୱ ବୁଝାଇଲା ଭଳି ସେ କହେ, "ବ୍ରହ୍ମା ଯେ ସୃଷ୍ଟିକର୍ତ୍ତା, ତା’ ମା କିଏ-? ଆଦିମାତା, କାଳୀ । ତାରି କୋଡ଼ରେ ସେ ଶୋଇଛି । କାଳ ଯେ କାଳୀ ସେ । କାଳୀ ବୋଲନ୍ତେ ପଦ୍ମ ଯାହା ଭିତରେ ମଣି ଅଛି । କାଳ ବୋଲନ୍ତେ ଶକ୍ତି, ଯାହା ଭିତରେ ଶିବ ଅଛି । ସବୁ ପଦାର୍ଥ ଯେ ଚାଲି ଯାଉଛି, ସେଇ ଗତି ଭିତରେ ତୁମେ କାଳର ଛିଲିକାଏ ଲେଖାଁ ଦେଖୁଥିବ ଯେ-। ଯେଉଁ ଦିନଟା ଚାଲିଗଲାଣି ତାକୁ ତୁମେ 'କାଲି' ବୋଲି କହ କି ନାହିଁ ? ଯେଉଁ ଦିନଟା ଆସିବ ସେ ବିତ 'କାଲି' । 'କାଳ 'ରୁ 'କାଲୀ' ସେ ଅଛି, କିନ୍ତୁ ତା’ କଣ୍ଟରେ ଦେଖିଲେ ତୁମେ ଚାଲି ଚାଲି ଯାଉଚ, ସବୁ ଚାଲି ଚାଲି ଯାଉଚି, ଗଲାଣି, ଯିବ । ସେହି 'କାଲୀ' ଦେବତାକୁ ତୁମେ ପୂଜା କରୁଛ ସେ ସବୁବେଳେ ରହିଛି ବୋଲି ।"

 

ଆଉ ସେ ତା’ର ଦର୍ଶନ ବଖାଣେ ବି କାହା କାହା ଆଗରେ ଯେତେବେଳେ ତା’ର ମନ ହୋଇଥାଏ । କହେ–

 

"ସବୁଠୁଁ ବଡ଼ ପାପ କ’ଣ ? ଆପଣା ଦୁର୍ବଳତା । ସବୁଠୁଁ ବଡ଼ ବନ୍ଧନ କ’ଣ ? ସଞ୍ଚୟ । ସଞ୍ଚୟଟା ଭଗବାନଙ୍କ ପ୍ରତି ଦ୍ରୋହ, ତାଙ୍କଠିଁ ଯାହାର ବିଶ୍ୱାସ ନଥିବ, ସେଇ ସିନା ସଞ୍ଚୟ କରିବ ? ଗଛମୂଳେ ରୋଷେଇ କର, ଭାତ ଡାଲି ମାଉଁସ ତରକାରୀ ରାନ୍ଧି ଖାଅ, ପେଟପୂରା ଖାଅ, ସେହି ଛାଇତଳେ ଶୁଅ, ମଉଜ କର, ଗଲାବେଳେ ହାଣ୍ଡି ବାଡ଼େଇ ଦେଇ ଚାଲିଯାଅ, ପଛକୁ ଅନାଅ ନାହିଁ-।’’

 

ଗଣ୍ଠିଆ ଚୁଙ୍ଗୁଡ଼ି ମିଳୁଛି । ବାବାଜି ପୁରୀରେ ଅଛି । କିନ୍ତୁ ତରୁଣ ରାୟ ତାକୁ ଚିହ୍ନେ ନାହିଁ, ଏହି ଯେଉଁମାନେ ମାଛ କିଣୁଛନ୍ତି ସେମାନେ ତାକୁ ଚିହ୍ନି ନାହାନ୍ତି । କେଉଟ ଜାଣନ୍ତି ଚୁଙ୍ଗୁଡ଼ିଖିଆ ବାବାଜି ବୋଲି । କିନ୍ତୁ ପଦାରେ କେଉଁ ଦୂର ପଲ୍ଲୀରେ କେତେ ଅଛନ୍ତି, ଯେଉଁମାନେ ତାକୁ ଭକ୍ତି କରନ୍ତି । ତା’ କଥା ମନଦେଇ ଶୁଣନ୍ତି । ସେମିତି ସହରତଳିମାନଙ୍କରେ, ଗରିବ ମଳିମୁଣ୍ଡିଆଙ୍କ ବସ୍ତିରେ । ସେ ଆଶାର ବାଣୀ ଶୁଣାଏ, ଭରସା ଦିଏ । ଯେଉଁଠି ଔଷଧ କିଣିବାକୁ ପଇସା ନାହିଁ, ସେଠି ରୋଗୀ ଅପେକ୍ଷା କରି ବସିଥାଏ ବାବାଜି ଆସିଲେ ଝଡ଼ାଫୁଙ୍କା କରିବ, ଆଉଁସିଦେବ । ତା’ର ଲମ୍ଵା ଦାଢ଼ି ମରମର ରୋଗୀ ଉପରେ ଅଜାଡ଼ି ହୋଇପଡ଼େ ଉଛୁଳା ଆଶୀର୍ବାଦ ପରି, ରୋଗୀ ମୁଣ୍ଡରେ ହାତ ଥୋଇ ସେ ମନେମନେ ଠାକୁରଙ୍କୁ ଡାକେ, ପ୍ରାଣର ଉଦାରତାରେ ଜଣା କରେ––

 

"ଏତେ ଲୋକଙ୍କୁ ଏତେ ଦଉଚୁ ୟେ ଗରିବଟା କି ଦୋଷ କଲା ? ୟାକୁ ଭଲ କରିଦେ-। ସମସ୍ତେ ସୁଖରେ ଥାଉନ୍ତୁ ମା, କାହାରିକି ଦୁଃଖ ଦେ’ନା ।"

 

ମୁମୂର୍ଷୁ ପାଇଁ ଆୟୁଷ ଭିକ୍ଷା ମାଗେ, କହେ–"ମା, ଏ ମୁଣ୍ଡ ନେ, ସେ ମୁଣ୍ଡ ଦେ, ମୋରି ମୁଣ୍ଡକୁ ପଛେ ଖା, ପିଲାଛୁଆବାଲା ଗରିବଟା, ୟାକୁ ଛାଡ଼ିଦେ ।"

 

କାଲି ସେ ବାବାଜି ଅଳି କରୁଥିଲା ପାଣ ସାହିରେ, ଯେଉଁଠି ମଇଳା ଖାତା ପାଖେ ପାଖେ ଗରିବଗୁରୁବା ଆସି ମୁଣ୍ଡ ଗୁଞ୍ଜିବାକୁ ଚାଳ ଟେକିଛନ୍ତି । ଭଜନା ପାଣ । ରିକ୍‍ସା ଟାଣେ । ବଜାରରୁ କ’ଣ ଖାଇକରି ଆସିଲା ଯେ ଘରେ ପହଞ୍ଚି ଗୋଟା ଗୋଟା ଭାତଗୁଡ଼ାକ ବାନ୍ତି ହେଲା । ରାତି ବାରଟାବେଳକୁ ଭଜନାର ପୁଅ କୁମରା ଯାଇ ବାବାଜିକି ଡାକି ଆଣିଲା । ସେହି ଅନ୍ଧାର ରାତିରେ ବାବାଜି କୁହାଟ ଛାଡ଼ୁଥାଏ–"ମା, ମା, ଗରିବ ରିକ୍‍ସାବାଲାଟାଏ, ଜାତିରେ ପାଣ, ଆଉ ଜଣକର ରିକ୍‍ସା, ୟେ ତାକୁ ଦିନକୁ ଦି’ଟଙ୍କା ମାଲିକାନା ଦେଇ ରିକ୍‍ସା ଚଳାଏ । ଏଇଥିରୁ ଯାହା ମିଳୁଥିବ ତତେ କି ଅଜଣା । ୟା ବେକରେ ପାଞ୍ଚ ପାଞ୍ଚଟା ପିଲା ବନ୍ଧାଲୋ ମା’ । ମାଲୋ, ଏ ନୁଖୁରା ମୁଣ୍ଡଟାକୁ ତୁ ଆଉ ନେ ନା, ନବୁତ ମତେ ନେ–"

 

ସତକୁସତ, ମା’ ଆଉ ଗରିବ ରିକ୍‍ସାଵାଲାଟାକୁ ନେଲା ନାହିଁ, ଛାଡ଼ିଦେଇ ଗଲା ।

 

ଲୋକେ ଭଲ ହେଲେ ତା ମହିମା ଗପନ୍ତି, କହନ୍ତି "ବାବାଜି ନ ଥିଲେ ଏଥର ସରିଥିଲା-।" ଭଲ ନ ହେଲେ ସେମାନଙ୍କର ବନ୍ଧୁବାନ୍ଧବ କହନ୍ତି "ତା’ କପାଳରେ ନ ଥିଲା ନା, ନ ହେଲେ ବାବାଜି ଏତେ ଡାକିଲେ, ଫଳ ହେଲା ନାଇଁ । କର୍ମରେ ନାହିଁ, ବାବାଜିଙ୍କି କାହିଁକି ନିନ୍ଦିବା-?"

 

ଏତେ ଇତିହାସ, ଏତେ ବିଚିତ୍ରତା, ସେ ସେମିତି ଠିଆହୋଇ ରହିଛି ମାଛ ପାଖରେ । ତା’ର ନିଘା ସେହି ନାଲି ଚୁଙ୍ଗୁଡ଼ିଗୁଡ଼ାକ ଉପରେ । କାବା ହୋଇ ତାକୁ ଅନାଇଁ ଅନାଇଁ ଦେଖୁଛନ୍ତି ତରୁଣ ରାୟ, କାନ୍ତିମୟୀ, ଛଳନା । ବାବାଜି ତାଙ୍କୁ ଅନିଷା କରିନାହିଁ । ମୂଲ କରୁଛି, "ଆରେ ଦେ ନଅଣାରେ ଦବୁତ ଦେ–"

 

"ନାଇଁ ନାଇଁ, ଟଙ୍କାରୁ କମ୍‍ ହେବନାହିଁ ।"

 

ବାବାଜି ମୁହଁ ଉପରେ ଦର୍ପ ଝଳି ଉଠୁଛି, ସତେକି ସେ ମନେମନେ କହୁଛି–"ମୋ ମୁହଁ ଉପରୁ ଆଉ କିଏ ସେ ଆସି କେମିତି ନେଇଯିବ ଦେଖିବା ଭଲା–"

 

ଏକା ସଙ୍ଗରେ ଗୋଟିଏ ଶବ୍ଦ ଯେପିରିକି ତରୁଣ ରାୟ ଓ ତା’ର ସ୍ତ୍ରୀ ଓ ଝିଅ ମୁଣ୍ଡରେ ଲେଉଟ ପାଉଟ ହେଉଛି, ଗୋଳିଆ ପୋଖରୀରେ ବଡ଼ ମାଛପରି, ଏକାବେଳକେ ତିନିଜଣଯାକ ମନେମନେ ସେ ବାବାଜିକୁ ସେହି ବିଶେଷଣ ଦେଉଛନ୍ତି–"ଭଣ୍ଡ । ଭଣ୍ଡ–ଭଣ୍ଡ–ଭଣ୍ଡ–ଚୁଙ୍ଗୁଡ଼ି ଖିଆ-।"

 

ଚଟ୍‍କିନା ବାବାଜି ବୁଲିପଡ଼ି ତରୁଣ ରାୟର ଆଖିରେ ତା’ର ଜିକିଜିକି ମୁନିଆ ଦୃଷ୍ଟି ବିନ୍ଧିଦେଲା, ତରୁଣ ରାୟ ପାଟି ଅଳ୍ପ ଆଁ କରି ଚମକିଲା ପରି ହୋଇ ବେକକୁ ପଛକୁ ଢାଳିଦେଲା, କିନ୍ତୁ ବାବାଜିର ଆଖିରେ ବନ୍ଧା ପଡ଼ିଛି ତା’ର ଦୃଷ୍ଟି, ମନେମନେ ଭଣ୍ଡଭଣ୍ଡ ବୋଲି ଉଚ୍ଚାରଣ କରିବାକୁ ଚେଷ୍ଟା କରୁ କରୁ ସେ ଯେପରିକି ପହିଲି ଅକ୍ଷରରେ ଅଟକି ଯାଉଛି, ଆଖି ଜଳି ଯାଉଛି, ଛାତିଭିତର ଆସ୍ତେ ଥରି ଉଠୁଛି । ସେହି ମିନିଟିଏ ବେଳର ବିଚିତ୍ର ଯନ୍ତ୍ରଣା–ଅନୁଭୂତି, ତାପରେ ତା’ର ଆଖିକି ସେମିତି ଅନାଇଁ ରହି ବାବାଜି କହିଲା–"ମୁଁ ଭଣ୍ଡ ନୁହେଁ ।" ତା’ପରେ ସେ ଦୃଷ୍ଟି ଓଟାରି ନେଲା, ତରୁଣ ରାୟ ମୁହଁ ବୁଲାଇ ଦେଇ ଚଞ୍ଚଳ ବୁଲିପଡ଼ି, ତାକୁ ଉଶ୍ୱାସ ଲାଗିଲା, ତା’ ମୁହଁ ଝାଳେଇଥିଲା, ଝାଳ ଶୁଖିଗଲା । ଅତି ଚଞ୍ଚଳ ପାଶୋରି ହୋଇଗଲା ଗୋଟାଏ ବିଚିତ୍ର ଅଥଚ ଅପ୍ରୀତିକର ଅନୁଭୂତି ।

 

ମାଛ କିଣିବାକୁ ପୁଣି ତା’ର ଆଗ୍ରହ ବହକିଛି । ଆହୁରି ଗୋଟାଏ ଡଙ୍ଗା ଆସୁଛି, ତିନିହେଁ ତରତର ହୋଇ ସେହିଆଡ଼କୁ ଚାଲିଲେ ।

 

କେଜାଣି କାହିଁକି ମନେ ପଡ଼ିଗଲା ସେ କେଉଁଠି ପଢ଼ିଛି ଯେ ଗୋଟାଏ ପ୍ରକାର ସୁଆଦିଆ ସମୁଦ୍ରମାଛ ମିଳେ ଯାହାକୁ ଇଂରେଜି ଭାଷାରେ କହନ୍ତି 'ମ୍ୟାକରେଲ୍‍' । ବହୁତବେଳୁ ଏ ତିନିହେଁ ଏ ଡଙ୍ଗା ପାଖରୁ ସେ ଡଙ୍ଗା ପାଖକୁ ଯା ଆସ ହେଉଛନ୍ତି, ମାଛ ମୂଲୋଉଛନ୍ତି କିଛି କିଣୁ ନାହାନ୍ତି, କେତେ ଲୋକ ନିଘା ବି କଲେଣି ଏମାନଙ୍କୁ । ସେ ମନେମନେ ଭାବୁଛି "ମ୍ୟାକରେଲ୍" ମାଛ କଥା, ଦେଖିନାହିଁ, କେବେ ଖାଇନାହିଁ ।

 

ଗମ୍ଭୀର ହୋଇ ତରୁଣ ରାୟ ପଚାରିଲା, "ମ୍ୟାକରେଲ୍‍ ଅଛି ?" ମାଛବିକାଳି ନୋଳିଆ ତା’ ମୁହଁକୁ ଅନାଇଲା । ଭାବିଲା କି ମାଛ ସେ ମ୍ୟାକରେଲ୍‍ ?

 

ପୁଣି ସେହି ପ୍ରଶ୍ନ, "ଅଛି ମ୍ୟାକରେଲ୍‍ ?"

 

ନୋଳିଆ ମୁଣ୍ଡରେ ଅର୍ଥ ହେଲା ପରି ଶବ୍ଦ ରୂପାନ୍ତରିତ ହେଉଛି ।’’ କି ମାଛ ସେ ମ୍ୟାକରେଲ୍‍ ? ମାଗରେଲ୍‍ ? ମଗର । କ୍ଷତି କ’ଣ ?" ଦୁଷ୍ଟାମି ମନେ ପଡ଼ି ତା’ ଓଠ କଣରେ ହସ ଉକୁଟିଲା, ସେ ତାକୁ ସଙ୍ଗେ ସଙ୍ଗେ ଦାବିଦେଲା । କହିଲା–"ହଁ, ଅଛି ମାଗାରେଲ୍‍ । ଆଠଣାରୁ ପଇସାଟିଏ ଊଣା ହେବ ନାହିଁ ।" ନାଲି ଟହଟହ ପାଟି । କାତି ନାହିଁ । ସୁନ୍ଦର ଛନଛନିଆ ଦିଶୁଛି । ମୁଣ୍ଡାମଗର ଛୁଆଟାଏ ବାହାର କରି ବଢ଼େଇ ଦେଇ ସେ କହିଲା–"ନିଅ" ।

 

ଏଇ ତା’ର ମ୍ୟାକରେଲ୍‍ । ଫାଙ୍କି ନାହିଁ, ନିଦା ମାଛ । ଝିଅ କହିଲା, "କି ସୁନ୍ଦର ମାଛ !"

 

ସ୍ତ୍ରୀ କହିଲେ–"କଣ ଏ ମ୍ୟାକରେଲ୍‍ କେଜାଣି, ମୁଁ ତ କେବେ ଦେଖି ନାହିଁ ବାବୁ ।"

 

ତରୁଣ ରାୟ କହିଲା, ‘‘ସହଜରେ ମିଳେନାହିଁ । ଖାଇବ, ବୁଝିବ ।" ସେ ବୁଝାଇ ବସିଲା-। ବରାଦ ଦେଲା, "ଦିଖଣ୍ଡ ଭଜା, ଦିଖଣ୍ଡ ଝୋଳ, ଟିକିଏ ଦହି ମିଶାଇ । ଆଉ ଦିଖଣ୍ଡ ବେସର-।" ତରୁଣ ରାୟ ଓ କାନ୍ତିମୟୀ ଅନୁଭବ କଲେ, ଲୋକେ ଅନାଉଁଛନ୍ତି । ସେମାନେ ଅନାଅନି ହେଲେ-। କାନ୍ତିମୟୀ ତୁନି ତୁନି କରି କହିଲେ, "ଲୋକଙ୍କର ଏଇ ଯେଉଁ ଦୃଷ୍ଟି ।"

 

"କହୁଥିଲି ପରା । ସହଜରେ ମିଳେ ନାହିଁ । ଲୋଭୋଉଛନ୍ତି ।"

 

"କହନ୍ତି ଦୃଷ୍ଟି ପଡ଼ିଲେ ସୁଆଦ ତୁଟିଯାଏ ।"

 

"କ’ଣ ଆଉ କରିବା, ଖବର କାଗଜ ଖଣ୍ଡେ ଥିଲେ–"

 

ହୋଟେଲରେ ପଶିଲେ । ସେଠି ବି ଲୋକେ ଅନାଉଁଛନ୍ତି । ଦାଣ୍ଡଘର ଗହଳି ଭିତରୁ ଉଠି ଠିଆ ହେଲେ ବିମାନ ବାବୁ, ତାଙ୍କ ସଙ୍ଗରେ ଗୋଲଗାଲ ମୋଟାସୋଟା ବାବାଜି ଦିଜଣ, ମୁଣ୍ଡ ଲଣ୍ଡା, କୁସ୍ତି ଆଖଡ଼ାର ପାହିଲିମାନ୍‍ ପରି ଚେହେରା, ବଡ଼ ବଡ଼ ପେଟ । ଗେରୁଆ ଲୁଙ୍ଗି ଉପରେ ଲମ୍ବା ଗେରୁଆ ଖୋଳ ଗଳେଇଛନ୍ତି । ସେତିକିବେଳେ ସେମାନେ ବିଦା ହେଲେ ।

 

ବିମାନ ବାବୁ ପାଖକୁ ଆସି ନମସ୍କାର କରି ପଚାରିଲେ, "ଆଜ୍ଞା ଏଇଟା କ’ଣ ହେବ ? କ’ଣ ସ୍ପିରିଟରେ ପୂରେଇ ରଖିବେ ନା କ’ଣ ?"

 

ତରୁଣ ରାୟ ହସି ଦେଇ କହିଲା, "ଆପଣ କ’ଣ ନିରାମିଷାଶୀ ନା କ’ଣ ? ମାଛ କ’ଣ କିଣାହୁଏ ଯାଦୁଘର ପାଇଁ ?"

 

"କି ମାଛ ?"

 

"ମ୍ୟାକରେଲ୍‍ ପରା ! ଦେଖୁ ନାହାନ୍ତି । ମିଳିଗଲା ଗୋଟାଏ ।"

 

"କେତେ ଦେଲେ ?"

 

"ବେଶି ନୁହେଁ, ଅଠଣା ନେଲା ।"

 

"ଯାହା ହେଉ, ଆଠଣାକୁ ଗୋଟାଏ ପ୍ରକାଣ୍ଡ ଜିନିଷ ପାଇଗଲେ ଆପଣ ।"

 

ତରୁଣ ରାୟ ଆତ୍ମପ୍ରଶଂସା ଅନୁଭବ କରି ମୁରୁକି ମୁରୁକି ହସିଲା । କହିଲା, "ନାହିଁ କରିବେ ନାହିଁ । ବର୍ତ୍ତମାନ ହୋଇଯିବ । କପେ ଚା ସଙ୍ଗରେ ଖଣ୍ଡେ ମ୍ୟାକରେଲ୍‍ ଭଜା ଖାଇସାରି, ଯୁଆଡ଼େ ଯିବେ । ଟିକିଏ ଅପେକ୍ଷା କରନ୍ତୁ ।" ସ୍ତ୍ରୀକୁ କହିଲା, 'ହଇହୋ, ଶୁଣୁଚ ?"

 

କାନ୍ତିମୟୀ ହସିଲେ ।

 

ବିମାନ ବାବୁ କହିଲେ, "ମ୍ୟାକରେଲ୍‍ ! ଭାଗ୍ୟ ଭଲ, ଛୁଆଟାଏ, ସେ ପୁଣି ଜିଅନ୍ତା ନୁହେଁ ମଲା । ଜିଅନ୍ତା ହୋଇଥିଲେ ଆପଣ ତାକୁ ଏମିତି ଅପମାନ ଦେଖାଇ ଲାଞ୍ଜ ଧରି ଓହଳେଇ ନେଇ ପାରନ୍ତେ ନାହିଁ । ସିଂହଃ ଶିଶୁରପି ନିପତତି ମଦମଳିନକପୋଳେଷୁ ଗଜେଷୁ । ନହେଲେ କିମ୍‍ହୀରକୁ ଯେ ଟାକୁକିନା ଖାଇଦେଇ ପାରେ ମଣିଷ ତ ତାର ରସଗୋଲା । ତା’ର ଏ ଶାବକ କିଛି ନହେଲେ ଆପଣଙ୍କ ହାତକୁ ଦି’ଗର କରି ଦେଇ ପାରିଥାନ୍ତା ତ !"

 

"ଏ !" ଚିତ୍କାର କରି ଉଠି ତରୁଣ ରାୟ ସେଇଟାକୁ ତଳେ ପକାଇ ଦେଇ ଦୂରକୁ କୁଦାଟାଏ ମାରିଲା, ତା’ ଦେଖାଦେଖି ତା’ର ସ୍ତ୍ରୀ ଓ ଝିଅ । ସମସ୍ତେ ଏକାସଙ୍ଗେ ପଚାରିଲେ–"କଣ ଏଇଟା ?"

 

ବିମାନ ବାବୁ ଗମ୍ଭୀର ହୋଇ କହିଲେ–"ମୁଣ୍ଡା ମଗରର ଛୁଆ, ଇଂରେଜିରେ ଯାହାକୁ କହନ୍ତି ଶାର୍କ୍‍ । ବଡ଼ ଭୀଷଣ ଏ ଜନ୍ତୁ । ତା’ ପାଟିରେ ଯେଉଁ ଧାଡ଼ି ଧାଡ଼ି ଦାନ୍ତ ଅଛି ସେ କରତଠୁଁ ଆହୁରି ମୁନିଆ ।"

 

ସେମାନେ ମୂର୍ଛିତ ହୋଇ ନ ଥିଲେ, ବାକି ସବୁ ହୋଇସାରିଥିଲେ ।

 

ମା’ ଝିଅ ଭିତରକୁ ଚାଲିଗଲେ ।

 

ଏହି ଘଟଣାକୁ ଉପଲକ୍ଷ୍ୟ ଦେଇ ବିମାନ ବାବୁ ଦର୍ଶନ ବ୍ୟାଖ୍ୟାନ ଦେଲେ, କହିଲେ–"ଆପଣ ଦୁଃଖିତ ହୁଅନ୍ତୁ ନାହିଁ, ଜୀବନଟାହିଁ ଏମିତିଆ ତ, କେତେଗୁଡ଼ିଏ ଆଶ୍ଚର୍ଯ୍ୟ ଘଟଣା ମିଶି ଏକାଠି । ମଣିଷ କ’ଣ ପାଇବ ବୋଲି ଆଶା କରେ, ଆଉ କ’ଣ ପାଏ । ଅନୁମାନ କରନ୍ତୁ, କାଉ ଯେତେବେଳେ କୋଇଲିର ଡିମ୍ବ ଉଷୁମେଇଁ ଉଷୁମେଇଁ ଛୁଆ ଫୁଟାଇ ଛୁଆ ପାଳି ତା’ ତୁଣ୍ଡରୁ ଦିନେ ଶୁଣେ କୁହୁକୁହୁ, ମନ ତାର କ’ଣ ହେଉଥିବ । ଆପଣଙ୍କର ଉପସ୍ଥିତ କର୍ତ୍ତବ୍ୟ ହେଉଛି, ମନରୁ ନୈରାଶ୍ୟ ଦୂର କରିବା ଓ ଦଶଲୋକଙ୍କ ସହାନୁଭୂତି ଦାଉରୁ ଆତ୍ମରକ୍ଷା କରିବା । ଫୋପାଡ଼ି ଦିଆଯାଉ ଏ ଭୟଙ୍କର ଜନ୍ତୁଟାକୁ । କୁତୂହଳରେ ଦେଖିବାକୁ ଆଣିଥିଲେ, ଆଉ କ’ଣ ? ବଡ଼ ମୁଣ୍ଡା ମଗର ମରିଥିଲେ ନୋଳିଆମାନେ ବୋହି ବୋହି ନେଲାବେଳେ ଲୋକେ ତ ତାକୁ ଦେଖିବାକୁ ରୁଣ୍ଡ ହୁଅନ୍ତି, ଆପଣ ଆଣିଥିଲେ ତା’ ଛୁଆଟା କେମିତି ତାକୁ ଦେଖିବେ ବୋଲି । କ’ଣ ହେଲା ?"

 

ତରୁଣ ରାୟ ତାଙ୍କ ପ୍ରତି କୃତଜ୍ଞ ହୋଇ ଅନାଇଲା । ଦୁଇବନ୍ଧୁ ବସି ପଡ଼ିଲେ । ବିମାନ ବାବୁ ପଚାରିଲେ, "କରିପାରିଲେ କିଛି ଝିଅ ବିଭାଘର ବିଷୟରେ ? କାହା ସଙ୍ଗେ କଥାଭାଷା ହୋଇଥିଲେ ?"

 

ତାର ସେହି ପୁରୁଣା ନୈରାଶ୍ୟ ଲେଉଟି ଆସିଲା ।

 

ସେ କହିଲା, "ଆପଣ କହିଥିଲେ ବୋଲି ଆପଣଙ୍କ ଉପରେ ତ ଭରସା କରି ବସିଛି ଆଜ୍ଞା, ଏଠି କିଏ ମୋର ଚିହ୍ନା ନା ଜଣା !"

 

ବିମାନ ବାବୁ ଭାବି ହେଲା ପରି କହିଲେ । ଗମ୍ଭୀର ହୋଇ କହିଲେ, "ମନେ ରଖିଛି, ଦେଖିବି । ମୋ ନିଘାରେ ବି କେହି ଆସିନାହିଁ । ଅପେକ୍ଷା କରନ୍ତୁ । ବର୍ତ୍ତମାନ ନହେଲେ ବି ପରେ ଚିଠି ଲେଖିବି ।"

 

ଝିଅ ପାଇଁ ପାତ୍ର ଏମିତ ପରକୁ ପଦେ କହିଦେଇ ବାଟରୁ ଗୋଟାଇ ନେଲା ପରି ମିଳେ ନାହିଁ, ସେ ଜାଣିଛି । ସ୍ଥିର ଭାବେ ବିଚାର କଲେ ପରକୁ ସେ ଉପଦେଶ ଦେଇ ପାରନ୍ତା ଯେ ଭାବି ଦେଖିଲେ କୌଣସି କଥାରେ ବିବ୍ରତ ହେଲାଭଳି କିଛି ନାହିଁ, ସେ ହୁଏତ ଭାଗ୍ୟର ନାଁଧରି ପରକୁ ବୁଝନ୍ତା କର୍ମକୁ ଆଦରି ସୁସ୍ଥ ହୋଇ ରହିବାକୁ, ସେପରି ଉପଦେଶ ବି ସେ ଦେଇଛି ।

 

କିନ୍ତୁ ନିଜର ଏ ସମସ୍ୟାବେଳକୁ ଧନ୍ଦି ହେବାହିଁ ତା’ର ଅଭ୍ୟାସ, ଏ ବି ତା’ ଜୀବନର ଚଳନ୍ତି ବନ୍ଧା ଗତ ଭିତରୁ ଗୋଟିଏ, ନହେଲେ ତା’ର ଜୀବନ ସମ୍ପୂର୍ଣ୍ଣ ହେବନାହିଁ । ସେହି ପୁରୁଣା ଚିନ୍ତା ସଙ୍ଗେ ସଙ୍ଗେ ନେଉଟି ଆସିଛି ତା’ର ପୁରୁଣା ଜୀବନର ସ୍ମୃତି, ତା’ର ପୁରୁଣା ପରିବେଷ୍ଟନୀ, ସେ ସେହି ହୀନବଳ ହୀନଧନ ଡର ଡର ମଣିଷଟିଏ ଯେ ଆପଣା ଦୁର୍ଭାଗ୍ୟ ହେତୁକରି ଆପଣା ଉପରେ ଅନୁକମ୍ପା ଦେଖାଇ ବିକଳ ହେବାକୁ ସୁଖପାଏ । ପୁରୀରେ ଏଠି ନୂଆ ସ୍ତରରେ ନୂଆ ଜୀବନର ଝଲକ, ଫୁଲି ଫୁଲି ଉଠୁଥିବା ବ୍ୟକ୍ତିତ୍ୱର ଅନୁଭୂତି ମନର ବିରାଟ ଉଦାରତା ହଠାତ୍‍ କୁଆଡ଼େ ଯାଇଛି ଉଭେଇ । ଆଉ ତାଠିଁ ତେଜ ନାହିଁ, ଉତ୍ସାହ ନାହିଁ, କୁତୂହଳ ନାହିଁ । ସେ ସମୁଦ୍ରକୁ ଅନାଉ ନାହିଁ, ସମୁଦ୍ରର ଚହଳ ଶୁଣୁନାହିଁ, ସମୁଦ୍ରପବନ ଅନୁଭବ କରୁନାହିଁ । ସେ ନୋଚାକୋଚା ହୋଇଯାଇଛି । ଟେବୁଲ ଉପରେ ଦୁଇ କହୁଣି ମାଡ଼ି ଦେଇ ପାପୁଲି ଉପରେ ମୁଣ୍ଡରେ ମୁଣ୍ଡର ଓଜନ ଲଦି ଦେଇ ବସି ରହିଛି ସେହି ଲୋକଟା, ଠିକ୍‍ ଏଇ ଭଙ୍ଗୀରେ ଯେ ଆପଣା ଘରେ ବସିରହି ଅକାତ ଭାବନା ଭିତରେ ରହି ରହି ଏଣେ ତେଣେ କାତଟାଏ ମାରି ଦେଇ ପୁଣି ଥକ୍‍କା ହୋଇ ହାଲେଇ ପଡ଼େ ।

 

ତାର ଏ ଭାବାନ୍ତର ଦେଖି ବିମାନ ବାବୁ ଦୁଃଖିତ ହେଲେ । କଥା ବୁଲେଇ ଦେଇ କହିଲେ, "ଏଇ ଯେଉଁ ବାବାଜି ଦିଜଣଙ୍କୁ ଆପଣ ମୋ ସଙ୍ଗରେ ଦେଖିଥିଲେ–"

 

"ଏଁ ? ବାବାଜି ? ହଁ–" ତା’ ଆଖିରେ କୁତୂହଳ କି ଉତ୍ସାହ ନଥିଲା ।

 

ବିମାନ ବାବୁ କହିଲେ, ‘‘ହଁ ସେହି ବାବାଜି ଦିଜଣ, ଆପଣ ଆପଣଙ୍କ ମ୍ୟାକରେଲ୍‍ ଧରି ଆସିଲାବେଳେ ଗଲେନାହିଁ ଚାଲି ସେମାନେ ?"

 

"ମ୍ୟାକରେଲ୍‍ ! ଆରେ ବାପରେ !"

 

"ସେଇଟାରେ ଫୋପଡ଼ା ହେଲାଣି । ଭାରି ବିଚିତ୍ର ଲୋକ ସେ ଦୁହେଁ ।" ତରୁଣ ରାୟ ଧୀରେ ଧୀରେ ପରିସ୍ଥତିକୁ ଫେରି ଆସିଲା । ସେ ପାଖେ ଖଣ୍ଡେ ଛାଡ଼ି ସଡ଼କ । ତା’ପରେ ସମୁଦ୍ରବାଲି । ତା’ପରେ ସମୁଦ୍ର । ଆଖି ପାଉ ନାହିଁ ଆକାଶ ଆଉ ପାଣି । ଲହଡ଼ି ଗଡ଼ୁଛି ।

 

ପଚାରିଲା, "କିଏ ସେମାନେ ?"

 

ବିମାନ ବାବୁ କହିଲେ, "ନାଁ ଡାକ ଦିହିଁକା ଦିହେଁ, ଜଣେ ସ୍ୱାମୀ ରାମାନନ୍ଦ, ଜଣେ ସ୍ୱାମୀ ଚିଦାନନ୍ଦ । ଶିଷ୍ୟମାନେ କିଏ କିଲଟର କିଏ ପୁଲିସ ସାହେବ କିଏ ଇଞ୍ଜିନିଅର କିଏ ଆଡ଼ଭୋକେଟ୍‍ । ଚାକିରିଆ ବାବୁମାନଙ୍କ ଭିତରେ ଗେଜେଟେଡ଼ ଅଫିସରଙ୍କ ତଳକୁ ତାଙ୍କର ରେଜିଷ୍ଟ୍ରିଭୁକ୍ତ ଶିଷ୍ୟହିଁ ନଥିବେ ।"

 

ତରୁଣ ରାୟ ବଡ଼ବଡ଼ ଆଖି କରି ଅନଇଁଲା, ତା’ର ଅଭ୍ୟସ୍ତ ସଂସ୍କାର ବଳେ ତା’ ମନରେ ସମ୍ଭ୍ରମ ଆଣିଦେଲା । ପାଖେ ମନେ ପଡ଼ିଗଲା ଚୁଙ୍ଗୁଡ଼ିଖିଆ ବାବାଜି, ଏବେ ବି ଭାବିଲେ ମନେମନେ କହିପାରୁଛି, "ଭଣ୍ଡ–ଭଣ୍ଡ–" ଆଉ ଆରପାଖେ ସେହି ହୃଷ୍ଟପୃଷ୍ଟ ଗେରୁଆ ସୁସ୍ଥ ସୌମ୍ୟ ମୂର୍ତ୍ତି ଯୋଡ଼ିକ । କହିଲା, "ଭାରି ଜ୍ଞାନୀ ହୋଇଥିବେ ।"

 

ବିମାନ ବାବୁ କହିଲେ, "ସେଥିରେ ଆଉ ସନ୍ଦେହ ଅଛି ? ଦିହେଁ ଏମ.ଏ., ଜଣେ ସଂସ୍କୃତରେ ତ ଆଉ ଜଣେ ଦର୍ଶନ ଶାସ୍ତ୍ରରେ ।"

 

ଦୀର୍ଘନିଶ୍ୱାସ ପକାଇ ତରୁଣ ରାୟ କହିଲା, "ତଥାପି ସେମାନେ ଚାକିରି ବାକିରି କଲେ ନାହିଁ । ସନ୍ଥପୁରୁଷ । କି ସାଧାରଣ !"

 

"ସାଧାରଣ ହଁ, ତେବେ ମାସକେ କୋଡ଼ିଏ ଦିନ ମଟର ଚଢ଼ି ବୁଲୁଥିବାର ଦିଶନ୍ତି ।"

 

"ତା ଆଉ ହେବନାହିଁ ? ଏଡ଼େ ବଡ଼ବଡ଼ ଲୋକ ସେମାନଙ୍କ ଶିଷ୍ୟ । କେବେ ସୁଯୋଗ ଘଟନ୍ତା କି, ଶୁଣିଥାନ୍ତି ତାଙ୍କ ତୁଣ୍ଡରୁ କିଛି ।"

 

ବିମାନ ବାବୁ କହିଲେ, "ଯାହା ପଚାରିବେ ତା’ର ଉତ୍ତର ପାଇବେ । ତେବେ ସେ ଉତ୍ତରର ଅର୍ଥ ବୁଝି ପାରିବାହିଁ ଯାହା କଷ୍ଟ । ସେମାନେ ଜୀଵତତ୍ତ୍ୱ ବୁଝାଇବାକୁ ଆରମ୍ଭ କଲେ ସେ ବାକ୍ୟ ଶୁଣୁଶୁଣୁ ଆପଣଙ୍କର ମୁଣ୍ଡ ନଇଁପଡ଼ିବ । ଦାସ୍ୟଭାବ ଆସିବ । ଆପଣଙ୍କର କୌଣସି ପ୍ରକାର ସ୍ୱାଧୀନ ଅସ୍ତିତ୍ୱ ଥାଇପାରେ ଏପରି ଧାରଣା ଆଉ ଆପଣଙ୍କ ମନରେ ରହିବ ନାହିଁ ।"

 

ତରୁଣ ରାୟ କହିଲା, "ଆମେ ସଂସାରୀ ମଣିଷ, ଅନ୍ଧାରରେ ଘାଣ୍ଟି ହେଉଛୁ । ସେମାନେ ମୁକ୍ତ ମଣିଷ । ତାଙ୍କ ଜୀବନ ଧନ୍ୟ ।"

 

ବିମାନ ବାବୁ କହିଲେ, "ମୁକ୍ତ ମଣିଷ କାହିଁକି ଏଠିକି ଆସିଥିଲେ ଜାଣନ୍ତି ? ବାବାଜି ଦୁହେଁ ଇନ୍‍ସ୍ୟୁରେନ୍‍ସ କରିବେ ବୋଲି ଦରିଦ୍ର ବିମାନ ପାଖକୁ ଆସିଥିଲେ ।"

 

ତରୁଣ ରାୟର ଧାରଣା ସବୁ ଓଲଟ ପାଲଟ ହୋଇଗଲା । ସେ ଚମକିପଡ଼ି କହିଲା, "ବାବାଜି କରିବେ ଇନସ୍ୟୁରେନସ ? କାହା ପାଇଁ ?"

 

ବିମାନ ବାବୁ କହିଲେ, "କାହାପାଇଁ ମଣିଷ ଇନସ୍ୟୁରେନସ କରେ ? ଆପଣା ପୁତ୍ର କଳତ୍ର ପାଇଁ । ଆଉ କାହା ପାଇଁ ?"

 

ତରୁଣ ରାୟ ବିସ୍ମୟରେ କହିଲା, "ଏମାନଙ୍କର ପରିବାର ଅଛି । ପୁଣି ପରିବାର ପାଇଁ ମୋହ ଅଛି । "ସେ ଚୌକିରୁ ଉଠି ଠିଆ ହୋଇ ପଡ଼ିଥାଏ ।

 

ବିମାନବାବୁ ତା’ ମୁହଁକୁ ଚାହିଁ ହସିହସି କହିଲେ, "ଖାପୁନାହିଁ ? ନୁହେଁ ? ବାବାଜି ଆଉ ଇନ୍‍ସ୍ୟୁରେନ୍‍ସ । ବାବାଜି ଆଉ ପରିବାର ମୋହ । କେଉଁଟା ସଙ୍ଗରେ କ’ଣ ଆସିବା ଦରକାର ଆମେ ତା’ ଆମ ମନ ନାଖି ଠିକଣା କରି ନେଇଥାଉଁ, ତେଣୁ ଆଉ କିଛି ଆମକୁ ଅସ୍ୱାଭାବିକ ଜଣା ପଡ଼େନାହିଁ ।"

 

"ନାହିଁ ନାହିଁ, ଏ ତ ଅତି ଆଶ୍ଚ୍ୟର୍ଯ୍ୟ କଥା ।"

 

"ସେଇ ଆଶ୍ଚ୍ୟର୍ଯ୍ୟଟା ଆମ ନିଜ ମନର, ସେଇଟା ଆମ ମନର ଭ୍ରାନ୍ତି, ମୋହ, ଯାହା କହନ୍ତୁ । ଜଣେ ବାବାଜି ହେଲା ବୋଲି ସେ ତା’ ସ୍ତ୍ରୀର ସ୍ୱାମୀ ଆଉ ସନ୍ତାନମାନଙ୍କ ପିତା ନ ହେବ କାହିଁକି ? ଅଡ଼ୁଆଟା କ’ଣ ହେବ ? ବାବାଜି ହେଲେ ବି ସେ ଦିନେ ମରିବ । ଅଧା ବୟସରେ ଇନ୍‍ସ୍ୟୁରେନ୍‍ସ କରିବା ସୁବିଧା ପାଇଲେ ଛାଡ଼ିବ କାହିଁକି ? ସ୍ତ୍ରୀ ଆଉ ସନ୍ତାନଙ୍କ ପ୍ରତି ତା’ର ମମତାଟା କେଉଁଗୁଣେ ଆପଣଙ୍କ ମମତାଠୁଁ ଊଣା ?"

 

"ତେବେ ଲୋକ ବାବାଜି ହେବ କାହିଁକି ?"

 

"ବୃତ୍ତି ଅଜ୍ଞା, ବୃତ୍ତି । ସେଥିପାଇଁ ଏ ସ୍ୱତନ୍ତ୍ର ପୋଷାକ, ପୁଲିସ କି ସୈନିକ ଯେମିତି ତାଙ୍କର ସ୍ୱତନ୍ତ୍ର ପୋଷାକ ପିନ୍ଧନ୍ତି ସେମିତି । କାହାର ବୃତ୍ତି କଳିଗୋଳ ହେଲେ ଠେଙ୍ଗେଇବା, କାହାର ବୃତ୍ତି ଧର୍ମ ଓ ବିଶ୍ୱାସର ଅଦ୍ଭୁତ ମହିମା ପ୍ରଚର କରିବା । ରାମାନନ୍ଦ କହନ୍ତି, ନିଜେ ଲକ୍ଷ୍ମୀ-ଠାକୁରାଣୀ ତାଙ୍କୁ କୋଳରେ ଧରି ଗୁଣ୍ଡା ଗୁଣ୍ଡା କରି ଭାତ ଖୋଇ ଦେଉଥିଲେ, ନିଜେ ଭଗବାନ ସ୍ନେହରେ ଅନାଇଁ ଅନାଇଁ ହସୁଥିଲେ । ଚିଦାନନ୍ଦ ବି କହନ୍ତି ଭଗବାନଙ୍କୁ ସେ ଭେଟିଥିଲେ, ଆଉ ଦିନେ ରେଳଗାଡ଼ି ଆଗେ ଆଗେ ଆକାଶରେ ସେ ଉଡ଼ି ଉଡ଼ି ଯାଉଥିଲେ । ଏତେ ନିଠେଇ ନିଠେଇ କହନ୍ତି ନାହିଁ, ଅନ୍ୟ କଥା କହୁକହୁ ବାଁରେଇ ଦେଇ କହି ଦିଅନ୍ତି, ଫେର ସେ କଥାକୁ ଘୋଡ଼େଇ ପକାଇ କହନ୍ତି, 'ଏ କିଛି ନୁହେଁ’, ‘ଏ କିଛି ନୁହେଁ'–"

 

ତରୁଣ ରାୟ ତାତି ଉଠି କହିଲା–"ଭଣ୍ଡାମି ଆଉ କାହାକୁ କହନ୍ତି ? ବାବାଜି ନ ଭଣ୍ଡ ?"

 

ବିମାନ ବାବୁ କହିଲେ, "ଗଞ୍ଜେଇ ଟାଣୁ ନ ଥିବ, ଲଙ୍ଗଳା ହେଉ ନ ଥିବ, ଟୁଥପେଷ୍ଟରେ ଦାନ୍ତ ଘଷୁଥିବ, ସାବୁନରେ ଦେହ ସଫା କରୁଥିବ, ବ୍ୟବହାରରେ ଜଣା ପଡ଼ୁଥିବ ଶିକ୍ଷିତ ମାର୍ଜିତ ଭଦ୍ରଲୋକ ପରି ଏମ.ଏ. ପାସ କରିଥିବ, ଇନ୍‍ସ୍ୟୁରେନ୍‍ସ କରିବାକୁ ଆଗ୍ରହୀ ହେଉଥିବ ତେବେ ଆପଣ ସେପରି ଲୋକକୁ ଭଣ୍ଡ ବୋଲି କହିଲେ ମୁଁ ଆଉ କି ଉତ୍ତର ଦେବି ?"

 

"ତା ବୋଲି ଏ ମିଛ କଥାଗୁଡ଼ାକ କହି ବୁଲିବ ?"

 

"ମିଛ କ’ଣ ? ସେ ତା’ର କଳ୍ପନା । ଅଳ୍ପ ବୁଦ୍ଧି ଲୋକ କେଶ ବିନ୍ୟାସ କରେ, ବୁଦ୍ଧି ଥିଲେ ଲୋକ କରେ କଳ୍ପନାଶକ୍ତିର ବିନ୍ୟାସ । ଲୋକେ ତା’ଠୁ ସେହିଆ ପାଇବାକୁ ଖୋଜନ୍ତି, ସେ ଯୋଗେଇ ଦିଏ । ସାଧାରଣ ମଣିଷ ଖୋଜେ ତାରି ପରି ଜଣେ ସାଧାରଣ ମଣିଷ ହୋଇଥିବ, ସେ ଯେଉଁ ଅସାଧାରଣକୁ କଳ୍ପନା କରିଥିବ, ଆରଜଣକ ସେହି ଅସାଧରଣକୁ ସାଧିଥିଲା ପରି ଜଣା ପଡ଼ୁଥିବ, ତେବେ ସେ ଖୁସି ହେବ, ତା’ର ଆଶା ବଢ଼ୁଥିବ, ଉତ୍ସାହ ବଢ଼ୁଥିବ । ରାମାନନ୍ଦ ଚିଦାନନ୍ଦ ସେକଥା ବୁଝିଛନ୍ତି । ଖାଲି ସେତିକି କ’ଣ ? କେତେ ବୟସ ହୋଇଛି ବୋଲି ପଚାରିବେତ । ମୋ ପଚାରିବା ଭିନେ, ଇନ୍‍ସ୍ୟୁରେନ୍‍ସ ପାଇଁ ରାମାନନ୍ଦ ମୋ ଆଗରେ କହିଲେ ଯେ ତାଙ୍କୁ ବୟାଳିଶ ବର୍ଷ, ଚିଦାନନ୍ଦ କହିଲେ ତାଙ୍କୁ ପଇଁଚାଳିଶ । କିନ୍ତୁ ଆପଣ ଚାହାନ୍ତି ଯେ ଏଡ଼େ ପ୍ରଶାନ୍ତ ହସ ହସି ହାତଟେକି ଆପଣଙ୍କୁ ଆଶୀର୍ବାଦ କରିବ, ତା’ର ସ୍ୱାସ୍ଥ୍ୟ ଥାଉ ରୂପ ଥାଉ, କିନ୍ତୁ ସେ ହୋଇଥାଉ ଅଶୀବର୍ଷର ବୁଢ଼ା । ରାମାନନ୍ଦ କହିବେ ତାଙ୍କୁ ବୟାନବେ ବର୍ଷ ଚାଲିଛି । ଚିଦାନନ୍ଦ କହିବେ ତାଙ୍କୁ ଚୌରାନବେ । କ୍ଷତି କ’ଣ ? ସେ ବି ସେହି ସାଜ ସଙ୍ଗେ ଏକାଠି ଖାପିବ । ଯେ ଯେତିକି ବିଶ୍ୱାସ କରି ପାରିଲା ତାକୁ ସେ ସତ ।"

 

ବିମାନ ବାବୁ ବିକଟ ହସରେ ସତେକି ଫାଟି ଫାଟି ପଡ଼ିଲେ–ହୋଃ ହୋଃ ହୋଃ ହୋଃ–ଅଛିଣ୍ଡା ନଟରା ହସ ।

 

କିନ୍ତୁ ତରୁଣ ରାୟ ସେ ହସରେ ଆଦୌ ଯୋଗ ଦେଲାନାହିଁ, ଏତେ ଟିକିଏ ବି କୁଞ୍ଚକୁଞ୍ଚ ହେଲା ନାହିଁ ତା’ ଓଠର କଣ, ଓଲଟି ଲାଗିଲା ସେ କେଉଁଠି ଆଘାତ ପାଇଛି ।

 

ନଟୁ ଯେମିତି ଅନ୍ୟ କୁଆଡ଼କୁ ନିଘା ନକରି ଆପଣାକୁ କେନ୍ଦ୍ରକରି ମନଇଚ୍ଛା ଘୂରେ, ବିମାନ ବାବୁ ସେମିତି ଆପଣା ଆପେ ହସରେ ବିଭୋର ହେଲେ, ଯେପରିକି ସେ ହସ ନୁହେଁ, ବହୁତ ବେଳୁ ଥମ୍ବି ଥମ୍ବି ରୁନ୍ଧି ହେଉଥିବା ଚାପ ଉତ୍ତାରୁ ଗୋଟାଏ ଶୁଖିଲା ଘଡ଼ଘଡ଼ି, ତା’ପରେ ସ୍ଥିର ହୋଇ ରହି ସେ ତରୁଣ ରାୟର ଆଖିକି ଅନାଇଲେ, ଦବିଗଲେ, ସେଠି ଦେଖିଲେ ଜିକିଜିକି କରୁଛି ଗହୀର ନିରାଶାର ଅନ୍ଧାରି ତେଜ, ମଣିଷଟା ନତନତ ହୋଇ ଆଉଜି ପଡ଼ି ତାଙ୍କରି ମୁହଁକୁ ଚାହିଁଛି ।

ସାନ୍ତ୍ୱନା ଦେଲା ପରି ଶାନ୍ତ ହୋଇ ସେ ବୁଝାଇ ବସିଲେ, "ଆପଣ ଭାବୁଥିବେ, ଏ ବିମାନ ଲୋକଟା ଗୋଟାଏ ନିପଟ ନାସ୍ତିକ । ଡରନ୍ତି ନାହିଁ, ଆପଣଙ୍କ ମନର ଫୁଲ ମୁଁ ଛିଣ୍ଡାଇ ଓଟାରି ଦଳି ମକଚି ପକାଇବାକୁ ଚାହେଁ ନାହିଁ । ବିଶ୍ୱାସ ରଖିଥାନ୍ତୁ । ବାବାଜି ବହୁତ । ସମସ୍ତେ ଏକାପରି ନୁହନ୍ତି । ରାମାନନ୍ଦ କି ଚିଦାନନ୍ଦ ସମସ୍ତେ ନୁହନ୍ତି । ଏମାନେ ସ୍ୱତନ୍ତ୍ର, କୌଣସି ସମ୍ପ୍ରଦାୟର ନୁହନ୍ତି । ଏମାନେ ବି ସବୁବେଳେ ସଂସାର କଥା ଭାବୁ ନ ଥିବେ, କେଉଁ ମୁହୂର୍ତ୍ତରେ କିଏ କ’ଣ । ଗୋଟାଏ ସମୟରେ ଯେ ଯେପରି ଦିଶେ ଅନ୍ୟ ସମୟରେ ସେ ସେମିତି ଦିଶେ ନାହିଁ, ଯେମିତି ଦେଖନ୍ତୁ ଏ ସମୁଦ୍ର, କେମିତି ବେଳକୁବେଳ ଏ ରଙ୍ଗ ବଦଳୋଉଛି । ଗୋଟାଏ ସମୟରେ ଯାହାର ଯେଉଁ ମୁଖା, ଯେଉଁ ବେଶ ଅନ୍ୟ ସମୟରେ ତାକୁ ପିନ୍ଧି ବାହାରିଲେ ସେଇଟା କେମିତି ବେଖାପ ଦିଶେ ମାନେ ନାହିଁ ।"

ତରୁଣ ରାୟ ବସି ରହିଥିଲା, କିନ୍ତୁ ସେ ଶୁଣୁ ନ ଥିଲା । ଏ ତାତ୍ତ୍ୱିକ ଆଲୋଚନା ଛାଡ଼ିଦେଇ ତା’ ମନ ଧରିଥିଲା ଅନ୍ୟ ବାଟ । ପେଟ ପୋଷିବାକୁ କେତେ ଉପାୟ ଅଛି, ମଣିଷ ବାଛନ୍ତି, ସେ ବି ବାଛି ନେଇଥିଲା । ସେ ଦେଖିଥିଲା, ଦେହ ବଞ୍ଚାଇବାକୁ ହେଲେ ଯୋଡ଼ାଏ ସର୍ତ୍ତ ଭିତରୁ ଅନ୍ତତଃ ଗୋଟାକୁ ମାନିନେବାକୁ ପଡ଼େ, ରକ୍ତ ପାଣି କରି ପରିଶ୍ରମ ନ ହେଲେ, ନିଜତ୍ୱକୁ ଗୁଣ୍ଡା କରିଦେବା ଆପଣା ଭିତରୁ ଗୋଟାଏ ଫାଳକୁ ନିଆଁରେ ମୋହି ଦେବାକୁ ପଡ଼ିବ, ବୁଢ଼ୀ ଅସୁରୁଣୀ ଯେମିତି ଗୋଟାଏ ଗୋଡ଼କୁ ଚୁଲିରେ ପୂରାଇ ଧାନ ଉଷୁମାଏଁ ସେମିତି ମଣିଷ ଆପଣା ବ୍ୟକ୍ତିତ୍ୱର ଗୋଟାଏ ଫାଳ ଜାଳି ଆପଣା ପେଟ ପୋଷେ, କୁଟୁମ୍ବ ପୋଷେ । ଖରାଏ ତରାଏ ମଣିଷ ଧାଇଁଛନ୍ତି । ମାଟି ଖୋଳୁଛନ୍ତି, ଇଟା ବୋହୁଚନ୍ତି, ମଇଳା ଗାଡ଼ି ବାହୁଛନ୍ତି, ଅଣନିଶ୍ୱାସୀ ଅନ୍ଧାରୀ ପାତାଳପୁରକୁ ଓହ୍ଲାଇଯାଇ କୋଇଲା ଭାଙ୍ଗୁଛନ୍ତି, ଧୂଆଁ ଆଉ ବିଷାକ୍ତ ତେଲ ବାମ୍ପକୁ ଛାତିରେ ପୂରାଇ କଳପାଖେ ଠିଆହୋଇ ଆପେ କଳ ହୋଇ ସେହି ଗୋଟାଏ କାମ କରି ଲାଗିଛନ୍ତି ଜୀବନଯାକ, ଗୋଟାଏ ବୋତାମ ଟିପିବା ହେଉ କି ଗୋଟାଏ ଜିନିଷକୁ ଖଣ୍ଡେବାଟ ପେଲିଦେବା ହେଉ । ଛାତିକୁ ଟେବୁଲରେ ଠେଁସିଦେଇ ମୁହଁକୁ କାଗଜ ଉପରେ ଝୁଲାଇ ଦେଇ ରାମ୍ପି ଯାଉଛନ୍ତି ସକାଳୁ ଅଧରାତିଯାକେ, ମୁଣ୍ଡ ଝାଇଁ ଝାଇଁ, ଆଖି ଝାପ୍‍ସା ଝାପ୍‍ସା, ଲାଗିରହିଛନ୍ତି ଯେ ଯେଉଁ ଉପାୟରେ । ସେଇଠି ବୁଲୁଛନ୍ତି ରାମାନନ୍ଦ ଚିଦାନନ୍ଦ, ତ୍ୟାଗର କଥା କହି କହି ପରର ମଟର ଚଢ଼ି ବୁଲି, ଭଲଖାଇ, ଭଲରେ ଚଳି ଇନ୍‍ସ୍ୟୁରେନ୍‍ସ କରିପାରୁଛନ୍ତି, ଇହକାଳ ପରକାଳ ଜୀବ ପରମ ନିବୃତ୍ତି ଅନାସକ୍ତି ନାନା ବିଷୟରେ ଵ୍ୟାଖ୍ୟାନ ଦେଉଛନ୍ତି, ସେ ବି ପରିଶ୍ରମ !

ଆଜି ବୋଧହୁଏ ଏମିତି ପରିଶ୍ରମ କରୁଥିବ ଆନନ୍ଦ, ତା ସଙ୍ଗରେ ପଢ଼ୁଥିଲା, ସେ ହେଲାଣି ତ୍ରିଗୁଣାନନ୍ଦ । ସେକାଳର ଆନନ୍ଦ ବୋଲି ଟୋକାଟିକୁ ସେ ଜଳଜଳ ଦେଖିପାରୁଛି, ବଜାରୀପଣର ଯେଉଁ ଦାଗ ସେ ରଖିଯାଇଥିଲା, କେହି ତାକୁ ଟପି ନ ଥିବ । ଦେବତା, ବ୍ରାହ୍ମଣ, ଧର୍ମବିଶ୍ୱାସ, ସନ୍ଥ, ସମସ୍ତିଙ୍କି ସେ ହସରେ ଉଡ଼ାଉଥିଲା । ଛାତ୍ରାବସ୍ଥା ଗଲା, ସେ ବି ତା’ ପାଖେ ବ୍ୟବସାୟୀର କାର୍ଯ୍ୟାଳୟରେ କାର୍ଯ୍ୟରେ ଯୋଗଦେଲା, ଦର୍‍ହମା ଷାଠିଏ ଟଙ୍କା । ବିଭା ହୋଇ ନ ଥିଲା, ତା’ର କାରଣ ଚାରିଜଣ ଭିତରୁ ସେ କେଉଁଟିକି ବିଭାହେବ ସେ ଠିକଣା କରିପାରି ନ ଥିଲା । ଜଣକ ଘରେ ସକାଳଓଳିଟି କଟେ, ସେଠି ସେ ଜଳଖିଆ ଖାଏ, ସକାଳେ କୁଆଡ଼େ ସେ ଭାରି ଭଲ ଲାଗେ । ଆରଜଣକର ବାପଘରେ ସେ ସଞ୍ଜଟି କଟାଏ, ସେଠି ବି ଜଳଖିଆ । ସେ ଭଲ ଗୀତ ବୋଲେ, ଆନନ୍ଦ ସେଠୁ ଫେରିଲାବେଳେ ଗୋଟିଏ ଗୀତ ଗୁଣୁଗୁଣୁ ହୋଇ ଆସୁଥାଏ । ଆର ଦି ଜଣଙ୍କ ଘରୁ ବାରମ୍ବାର ନିମନ୍ତ୍ରଣ ଆସେ, ଜଣେ ବହୁତ ଉପନ୍ୟାସ ରଖିଛି, ବହି ଦିଏ । ଆରଜଣକର ଭାଇ ସିନେମାରେ କର୍ମଚାରୀ, ମାଗଣାରେ ନୂଆ ନୂଆ ସିନେମା ଦେଖାଏ । ଏ ଚାରୋଟି ସ୍ନେହ ସମ୍ପର୍କ ଅଲଗା ଅଲଗାରଖି ଏକାଠି ତୁଲାଇବାହିଁ ଥିଲା ଆନନ୍ଦର ବିଚକ୍ଷଣତା । ତା’ର କଳା କୁଞ୍ଚୁକୁଞ୍ଚୁ ମୁଣ୍ଡବାଳ, ଜହ୍ନରାତି ପରି ଗୋରା ଫରଚା କପାଳ, ବହଳ ଭ୍ରୂଲତା ଏ ମୁଣ୍ଡୁ ସେମୁଣ୍ଡ ସରଳ ରେଖାଟିଏ ପରି, ମଝିରେ ଫାଙ୍କ ନାହିଁ, ବଡ଼ବଡ଼ ଢଳଢଳ ଆଖି, ମୁହଁରେ ସବୁବେଳେ ହସ । ଛନଛନିଆ ସୁନ୍ଦର ଚେହେରା ଆନନ୍ଦର । ସତେ ଯେମିତି ହେଇ ଆଗରେ ଠିଆ ହୋଇ କହୁଛି, ଯିବା ଆଜି ସିନେମା ଦେଖି ? ହଠାତ୍‍ ଦିନେ ଦେଖିଲାବେଳକୁ ଆନନ୍ଦ ଗଲାଣି ଚାଲି, ତା'ପରେ ସ୍ୱାମୀ ତ୍ରିଗୁଣାନନ୍ଦ, ସାଇଗନରୁ ଉଡ଼ାଜାହାଜରେ ଯାଏ ନିଉୟର୍କ, ବକ୍ତୃତା ଦେଇ ଆମେରିକାଯାକ ବୁଲୁଛି, ସେଠି କୁଆଡ଼େ ଲୋକଙ୍କ ଧାରଣ ସେ ଯାହା କହେ ତା’ ବେଦ ନ ହେଲେ ଉପନିଷଦ୍‍ ।

 

ହୁଏତ ଜୀବନ ବଞ୍ଚିବାକୁ ଭିନେ ବାଟ ଥିଲା ।

 

ସେ, ତରୁଣ ରାୟ–ସେ ବି ବୋଧହୁଏ ହୋଇ ପାରିଥାନ୍ତା ତ୍ରିଗୁଣାନନ୍ଦ !

 

କେଉଁ କଥାରୁ କେଉଁ କଥା ଆସି ମନେ ପଡ଼ିଯାଉଛି । ସେ ଦେଖୁଚି ଆପଣା ଜୀବନର ନ ହୋଇଥିବା ଦିଗଟାକୁ ।

 

ଫାଙ୍କା ଶୂନ୍ୟରେ ଦେଖୁଛି ନ ଫୁଟିଥିବା ହାବେଳି ବାଣର ଫୁଲକୁ ।

 

ବ୍ୟବସାୟୀଠାରୁ ଆରମ୍ଭ କରି ବାବାଜି ପର୍ଯ୍ୟନ୍ତ ଲୋକେ ନାନା ଉପାୟରେ ସୁଖ ସାଉଣ୍ଟି ନିଅନ୍ତି, ନେଇ ନାହିଁ ଖାଲି ସେ, ଉଁ ଚୁଁ ନ କରି ପ୍ରଶ୍ନ ନ ପଚାରି ଖାଲି ଦେହକୁ କଷ୍ଟ ଦେଇ କାମ କରିଯାଇଛି ।

 

ଆଜି ଦେହଟା ଜୀର୍ଣ୍ଣ, ମନଟା ଫମ୍ପା ।

 

ଧ୍ୱଜା ଭାଙ୍ଗିପଡ଼ିଛି, ଆଉ ଟେକ ନାହିଁ, ସରାଗ ନାହିଁ ।

 

ବିମାନ ବାବୁ ତାକୁ ନିରେଖି ବସି ଭାବି ଯାଉଥିଲେ, ଧାରଣା ହେଉଥିଲା ସେ ବହି ପଢ଼ିଲାପରି ତାକୁ ପଢ଼ି ଯାଉଚନ୍ତି, ଠାଏ କିଛି ନ ଭାବୁଣୁ ପଚାରିଦେଲେ, "ଆପଣ ଇନ୍‍ସ୍ୟୁରେନ୍‍ସ କରିବା କଥା କ’ଣ ଭାବିଲେ ?" ତାକୁ ସେହି ଅନ୍ଧାରି ଗାଡ଼ ଭିତରୁ ଉଠାଇବାକୁ ସତେ କି ସେତେକି ଦରକାର ଥିଲା, ତାଙ୍କ ପ୍ରଶ୍ନର ଫଳ ହେଲା ତାକୁ ଛାଟରେ ପିଟିଲାପରି । ଚମକିପଡ଼ି ସେ କହିଲା, "କିଛି ଭାବିନାହିଁ ଆଜ୍ଞା, ମୁଁ ସିନା ଦି’ ଦିନ ପାଇଁ ବୁଲି ଆସିଥିଲି, ମୁଁ କ’ଣ ଇନ୍‍ସ୍ୟୁରେନ୍‍ସ କରିବାକୁ ଆସିଥିଲି ? ବଞ୍ଚିବା କଥା ଭାବୁଛି ଆଜ୍ଞା, ମରିବା କଥା ନୁହେଁ । ମଲେ ତ ସଇଲା, ତା’ପରେ କିଏ କାହା ପାଇଁ କ’ଣ କରିପାରିବ ? ଭାଗ୍ୟରେ ନ ଥିଲେ ଥୋଇଗଲେ କ’ଣ କିଏ ଖାଇ ପାରିବ ? ଦେଖୁନାହାନ୍ତି, ମାଛ କିଣୁ କିଣୁ ମଣିଷ ମଗର କିଣେ ।"

 

ବିମାନ ବାବୁ ଭୁଲ ସୁଧାରିବାକୁ ଚେଷ୍ଟା କରି କହିଲେ "ଖାଇସାରି କ’ଣ କରିବେ ? ବୁଲିଯିବା ଚାଲନ୍ତୁ ।"

 

କିନ୍ତୁ ସେ କହିଲା "ଖାଇସାରି ଲମ୍ବ ହୋଇ ଶୋଇପଡ଼ିବା ସବୁଠୁ ଭଲ । ବୋଧହୁଏ ସେଇଆ କରିବି ।"

 

ବିମାନ ବାବୁ କହିଲେ, "ଆପଣ ଠିକ୍‍ ବୁଝିଛନ୍ତି ।"

 

ସେ ଖାଲି ହସିଦେଲା, କହିଲା, "ସେମାନେ ଗାଳି ଦେଉଥିବେ । ଯାଏଁ ?"

 

ତାର ସ୍ତ୍ରୀ କହିଲେ, "ଆଚ୍ଛା ଗପୁଡ଼ି ମଣିଷ । ଏମିତି କଣ ମ ! ଭୋକଶୋଷ ଭୁଲିଯାଅ-!"

 

ରେଲକୁ ଯିବାବେଳ । ସେମୁଣ୍ଡ ବଖରାରେ ଯେଉଁ ଭଡ଼ାଟିଆ ଥିଲା, ରାତିରେ ରକ୍ତବାନ୍ତି କରିଥିଲା ବୋଲି ତା’ ଭରିଯା ଚିତ୍କାର କରୁଥିଲା, ସେ ଓ ତା’ ସ୍ତ୍ରୀ ଚାଲିଯାଉଛନ୍ତି । ଅତି ଦୁର୍ବଳ ମଣିଷଟିଏ, ଶେଥା ଚମ ସତେ କି ସ୍ୱଚ୍ଛ ହୋଇ ଯାଇଛି ଜଳଜଳ ଦିଶୁଛି । ଶଙ୍ଖରେ ତିଆରି ମଣିଷ, ହାତଗୋଡ଼ ସରୁସରୁ । ଓଠ ଅଙ୍ଗାର, ଗହୀରିଆ ଆଖିରେ ରଡ଼ନିଆଁ ।

 

କିନ୍ତୁ ସେ ପାଦକୁ ଛାଟି ହାତ ହଲାଇ ଛାତି ଫୁଲାଇ ଚାଲିଛି । ସଙ୍ଗରେ ତା’ ସ୍ତ୍ରୀ, ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣା, ସେ ବି ଉତ୍ସାହରେ ଚାଲିଛନ୍ତି, ସେ ମୁହଁରେ ଆଶଙ୍କା ନାହିଁ, ଭାବଭଙ୍ଗୀରେ ଗଲା ରାତିର ଚିହ୍ନବର୍ଣ୍ଣ ବି ନାହିଁ ।

 

ତରୁଣ ରାୟ ଚାହିଁ ରହିଛି, ସଂକୋଚ ଆସୁନାହିଁ । ତାକୁ ଦିଶିଯାଉଛି ଏ ଯୁବକଟି ଶାନ୍ତ, ସାହସ ସହକାରେ ତା’ର ଭବିତବ୍ୟକୁ ଭେଟିବାକୁ ଚାଲିଯାଉଛି, ଯୁବତୀଟି ତା’ର ଭବିଷ୍ୟତ ବିଷୟରେ ନିର୍ବିକାର । ସେମାନେ ଚାଲିଗଲେ, ତା’ ମନରୁ ବି କଟିଗଲା ଅବସାଦ, ସାହସ ଓ ଆନନ୍ଦର ସ୍ପର୍ଶ ଲାଗିଯାଇ ସେ କଅଁଳି ଉଠି ସହାନୁଭୂତିରେ ଅନାଇ ରହିଲା । ସାମ୍ନାରେ ସମୁଦ୍ର । ସମୁଦ୍ର ଡାକୁଛି । ବିନା କାରଣରେ ସେ ହସିଦେଲା ।

 

ଖାଇସାରି ମା ଝିଅ ବିଶ୍ରାମ କଲେ, ଏକୁଟିଆ ଖରାଏ ଖରାଏ ତରୁଣ ରାୟ ଚାଲିଲା, ସମୁଦ୍ରକୂଳକୁ । ଗୋଟିଏ ଦିଗନ୍ତ ବିସ୍ତୃତ ଅର୍ଦ୍ଧବୃତ୍ତ । ହଠାତ୍‍ ସ୍ଥଳଭାଗ ଆସି ଆସି ସେ ବୃତ୍ତର ବ୍ୟାସରେହିଁ ଶେଷ ହୋଇଯାଇଛି । ତା’ ପରେ ଖାଲ, ଏକା ପତ୍ତନରେ ଗୋଟାଏ ବିରାଟ ଖାଲ, ଯେତେ ଦୂରକୁ ସେ ଦେଖିପାରୁଛି । ବ୍ୟାସରେ ଶହେହାତ ଓସାରରେ ବାଲି, ତା’ ପଛକୁ ଗୋଟାଏ ପଟେ ଜକାଜକି କୋଠାଗହଳି, ଆରପଟେ ଫାଙ୍କା । ସବାଉପରେ ବିରାଟ ଆକାଶ, ଢାଙ୍କୁଣି ପରି ଉଗୁଡ଼େଇ ହୋଇଛି, ସେଠି ଖଣ୍ଡଖଣ୍ଡ ମେଘ ଧୂଆଁଳିଆ ନେଳିକୁ ପିଠିପଟେ ରଖି ଅଳସ ହୋଇ ଭାସୁଛି । ବ୍ୟାସର ଦୁଇମୁଣ୍ଡ କୁହୁଡ଼ିଆ ଦିଶୁଛି । ତା’ ମେଳରେ ଏପାଖକୁ ଝାଉଁବଣ । ସାମ୍ନାରେ ଦୂରରେ ପାଣି ଶାଗୁଆ ଦିଶୁଛି, ତା’ ଏପାଖକୁ କୂଳଆଡ଼କୁ ଯେତେ ଜାତିଜାତିକା ହାଲୁକା ବର୍ଣ୍ଣ, ଫିକାନାଲି, ନେଳି, ବାଇଗଣି, ଆଉ ହାଲୁକା ହାଲୁକା ହୋଇ କେତେ ମିଶାମିଶି ବର୍ଣ୍ଣ । ଏତକ ଛାଡ଼ି ସମୁଦ୍ର ଗୋଟାକଯାକ ସତେ କି ପାଠଲେଖା ସିଲଟର ବର୍ଣ୍ଣ, ଅଳ୍ପ ଢେଉଢ଼େଉକା, ସେହି ସିଲଟରେ ଛାଁକୁ ଛାଁ ଧଳାଧଳା ହୋଇ କ’ଣ ସବୁ ଲେଖା ହୋଇଯାଉଛି ନିଭିଯାଇଜି । ଦିଗନ୍ତରେ ସରୁ ଅର୍ଦ୍ଧବୃତ୍ତର ରେଖାରେ ବ୍ୟାପ୍ତିର ଧାରଣା ହଜିଯାଇଛି ।

 

କୂଳଠୁଁ ଅଧମାଇଲିଏ ଦୂରରେ ଶାନ୍ତ ସମୁଦ୍ର, ସେଠି ଢେଉ ଫୁଲିବା ବି ସହଜରେ ବାରି ହେଉନାହିଁ । ଯେତେ ହଲ୍‍ଚଲ୍‍ ସବୁ ଖାଲି କୂଳରୁ ଅଧମାଇଲିଏ ଭିତରେ । ସେଠି ପଛକୁପଛ ଧାଡ଼ିକିଧାଡ଼ି ଲହଡ଼ି ହଠାତ୍‍ ଉଠି ଠିଆ ହୋଇ ପଡ଼ୁଛି । ଅନହୁତିରେ ଆଗକୁ ମାଡ଼ି ମାଡ଼ି ଆସୁଛି । ଖରାରେ ଜିକିଜିକି ଦିଶୁଛି ପ୍ରକାଣ୍ଡ ପ୍ରକାଣ୍ଡ ଢେଉ ।

 

ଏକା ସଙ୍ଗରେ ଲାହଡ଼ିମାନ ଉପରକୁ ଉଠିଲେ ବି ଏକାବେଳେକେ ଅଜାଡ଼ି ହେଉନାହିଁ, କେଉଁଟା ଆଗ ପଡ଼ୁଛି, କେଉଁଟା ତା’ ଉତ୍ତାରୁ । କେଉଁ ଲହଡ଼ିର ମହୁଡ଼ରେ ଆଗ ଲାଗୁଛି, ଧଳାଫେଣର ଭାଙ୍ଗଣ, ରୂପେଲି ନିଆଁ ପରି, କ୍ରମେ ଢେଉ ଚାଲୁଚାଲୁ ସେ ଧଳା ବଢ଼ି ବଢ଼ିକା ଓସାର ହୋଇ ହୋଇ ତଳକୁ ଚହଟି ଯାଉଛି, ତା’ପରେ ସେହି ଚଳନ୍ତି ପାଣିକୁଦଟା ଗୋଟାସୁଦ୍ଧା ଧଳା ଫେଣ ହୋଇ ଉଛୁଳିପଡ଼ି ଭାଙ୍ଗି ଯାଉଛି, ପୁଣି ତା’ କରେ କରେ ଧଳା ଧରୁଛି । ପଛ ଧାଡ଼ିରେ ଲହଡ଼ି ଭାଙ୍ଗିଲେ ଆଗ ଧାଡ଼ିରେ ଲହଡ଼ି କୁଦା ମାରୁଛି, ଉପରକୁ ଉଠୁଛି, ପୁଣି ପଡ଼ୁଛି ଭାଙ୍ଗୁଛି, ପୁଣି ଉଠୁଛି, ଫେଣରେ ଚୁନିଚୁନି ହୋଇ ଫାଟିପଡ଼ି ଆଗକୁଆଗକୁ ଧାଇଁଧାଇଁ ଯାଉଛି, ସେଥିରେ କତିକିକତି ଲାଗିଲାଗିକା ଅସଂଖ୍ୟ ତାରକସି କାମ ଆପେ ଗଢ଼ିହୋଇ ଆଗେଇ ଚାଲି ଆସୁଛି, ଅସଂଖ୍ୟ ଟିକିଟିକି ପାଣିଦେଉଳ, ଅସଂଖ୍ୟ ଛୁଞ୍ଚିକାମ ତାରକସି କାମର କମକୁଟ ଆଖି ପିଛୁଡ଼ାକେ ଠିଆ ହେଉଛି, ଆଖି ପିଛୁଡ଼ାକେ ମିଳାଇ ଯାଉଛି । ଅସଂଖ୍ୟ ପାଣି ଫୋଟକା ମୁହୂର୍ତ୍ତକେ ସୃଷ୍ଟି ହେଉଛି ଅରମୁହୂର୍ତ୍ତରେ ଧ୍ୱଂସ ପାଉଛି ।

 

ସଜ ଦୁଧପରି ଫେଣ ଛଳଛଳେଇ ଉଠୁଛି, ସାଇଁ ସାଇଁ ଶବ୍ଦ ସଙ୍ଗେ ସଙ୍ଗେ ଅସଂଖ୍ୟ ନାସିରେ ଅସଂଖ୍ୟ କେନାରେ ଜିଭ ଲହ ଲହ କରି ବାଲି ଉପରକୁ ମାଡ଼ି ଯାଉଛି, ପୁଣି ଲେଉଟି ଚାଲି ଯାଉଛି, ପାଣିଚିଆ ବାଲିର ଢାଲୁରେ ରହି ଯାଉଛି । ମୁହଁଦେଖା ଦର୍ପଣ, ଚାହୁଁଚାହୁଁ ଉପର କରରୁ ଶୁଖି ଶୁଖି ଅନ୍ତର୍ଦ୍ଧାନ ହୋଇ ଯାଉଛି ।

 

ବାଲି ଢାଲୁରେ ଦୁଧସର ପରି ଫେଣ ବିଛେଇ ହେଉଛି, ପବନରେ ଉଡୁଛି, ପୁଣି ଚାହୁଁଚାହୁଁ ଉଭେଇ ଯାଉଛି । କୂଳପାଣିରେ ଛଉଛଉକା ହୋଇ ଫେଣ ଭାସୁଛି, କଳାଧଳା ଚକାଚକା, ଆଲୁଅ ଅନ୍ଧାର ମିଶାମିଶି ।

 

ନାନା ବର୍ଣ୍ଣ ଫୁଟି ଉଠୁଛି, ନାନା ବର୍ଣ୍ଣ ମିଳେଇ ଯାଉଛି ।

 

ମାଡ଼ି ଚାଲିଛି ଜୁଆର, ତାଳି ମାରି ମାରି ଭଉଁରି ଭଉଁରି ହୋଇ ଲହଡ଼ି ଉପରକୁ କୁଦା ମାରୁଛି, କଚାଡ଼ି ହେଉଛି, ଧୂଆଁ ଫୋପାଡ଼ିଲା ପରି ପାଣିକୁ ଉପରକୁ ଫୋପାଡ଼ୁଛି, ଢେଉ ଚାଲୁଛି ସତେକି ଚିମିନିରୁ ଧୂଆଁ ଉଡ଼େଇ ଉଡ଼େଇ । କଣେଇ ଚାହିଁଲେ ଦିଶୁଛି ମାଳମାଳ ହୋଇ ଧୂଆଁ ଉଡ଼ୋଉଥିବା ଚିମିନି ମାଡ଼ିଯାଉଛି, ତଳେ ଜାହାଜ ଚାଲିଲା ପରି ଦିଦିଭାଗ ହୋଇ ଯାଉଛି ପାଣି, ଲାଗୁଛି ଯେପରିକି ଅସଂଖ୍ୟ ମାୟା ଜାହାଜ ଚାଲିଛନ୍ତି, ଉପରର ଧୂଆଁ ଦିଶୁଛି; ତଳେ ପାଣିର ହଲାପଟା ଦିଶୁଛି, ମଝିରେ ଜାହାଜ ନାହିଁ ।

 

ଗଡ଼ି ଗଡ଼ିକା ଚାଲିଛି ସମୁଦ୍ର, ଗଡ଼ି ଯାଉଛି ନାନାଵର୍ଣ୍ଣ, ଗଡ଼ି ଲାଗିଛି ମାଡ଼ି ଲାଗିଛି ଧାଡ଼ିଧାଡ଼ି ଜଳପ୍ରପାତ, ଥମ୍ବୁ ନାହିଁ ।

 

ଖରା ଲାଗି ହୋଇ କେଉଁ କେଉଁ ଢେଉ ସ୍ଵଚ୍ଛ ସ୍ଫଟିକ ଦିଶୁଛି, ବାରି ହେଉଛି–କେଉଁଠି ଲାଞ୍ଜ ଉପରକୁ ମୁଣ୍ଡ ତଳକୁ କରି ଢେଉରେ ମାଛ ଡୁବ ମାରୁଛନ୍ତି ।

 

ଯାହା ଦିଶୁଛି ସବୁ ଚାଲି ଯାଉଛି । କେବେଳ ଅନବରତ ରହିଛି ଦୁଇପ୍ରକାର ଶବ୍ଦ ମିଶାମିଶି ହୋଇ, ଗୋଟାଏ ଗମ୍ଭୀର ବୋମ୍‍ ବୋମ୍‍ ଶବ୍ଦ, ଅରଟି ସୁ ସୁ ସାଇଁ ସାଇଁ ।

 

ତରୁଣ ରାୟ ସେହି ଦୃଶ୍ୟକୁ ଚାହିଁ ଅଭିଭୂତ ହୋଇଗଲା । ତାକୁ ଅନୁଭବ ହେଲା, ଏଠି ସେ ଆଉ ସମୁଦ୍ର ଏକୁଟିଆ, ଗୋଟିଏ ଆଉ ଗୋଟିକର । କେତେବେଳେ ଏ ସମୁଦ୍ର ତାରି, ଏ ତା’ର ଚେତନା ଭିତରେ ଖେଳି ଲାଗିଛି, ସେ ତାକୁ ଆଖିରେ ଦେଖୁନାହିଁ, ମମତାରେ ଗୋଟା ସୁଦ୍ଧା ଘେନି ଯାଉଛି ଆଉ ନିଜେ ସେ ନିଜ ଅନ୍ତରର ପ୍ରତିଧ୍ଵନି ଶୁଣୁଛି, ବିକଶି ଉଠୁଛି ଅସଂଖ୍ୟ ନୂଆ ନୂଆ ରୂପରେ । ଆଉ କେତେବେଳେ ଆପଣାର ସବୁ ସତ୍ତା ଭୁଲି ଓଟାରି ହୋଇ ସେ ଚାଲିଯାଉଛି ଏଇ ସମୁଦ୍ରର ହୋଇ, କାହିଁ ଦୂରକୁ ଦୂରକୁ, ସେ ନାହିଁ, ଖାଲି ସମୁଦ୍ର । ନିଛାଟିଆ । ଆଉ କୌଣସି ମଣିଷକୁ ସେ ଦେଖୁ ନାହିଁ, ଅନୁଭବ କରୁନାହିଁ, ଖାଲି ସେ ଆଉ ସମୁଦ୍ର ।

 

ସତେ ଯେପରି ଏମିତି ଲାଗିଆସିଛି ଯୁଗଯୁଗ ଧରି ସେ ଓ ଆଉକିଏ ମିଶି ଏକୁଟିଆ ଓଲଟ ପାଲଟ ଖେଳ, ସୋଽହମ ହଂସଃ ସୋଽହମ ହଂସଃ, ଆଉ କିଛି ନାହିଁ ।

 

ସ୍ତ୍ରୀ ନାହିଁ, ଝିଅ ନାହିଁ, ବୃତ୍ତି ନାହିଁ, ପରିଚୟ ନାହିଁ, ଖାଲି ବିନ୍ଦୁ ଆଉ ସିନ୍ଧୁ, ମହାଶୂନ୍ୟ ମହା ବିସ୍ତୃତି ମହାକାଳ ଭିତରେ କେବେଳ କ୍ରମିକ ସ୍ପନ୍ଦନର ଅନୁଭୂତି ।

 

ସେ ଆସୁଛି, ଚାଲି ଯାଉଛି ପ୍ରକାଶ ପାଉଛି ଭାଙ୍ଗିଛି ଗଢ଼ି ହେଉଛି, ଉଭେଇ ଯାଉଛି, ମୁହୂର୍ତ୍ତକର ପ୍ରକାଶ ଆର ମୁହୂର୍ତ୍ତକୁ ଭିନେ ।

 

ତାର ଧ୍ୟାନ କେମିତି ଭାଙ୍ଗିଲା ତା’ର ହେତୁ ନାହିଁ, ମୁଣ୍ଡ ଭିତରେ ଝିମିଝିମି ହୋଇ ମତେ ଯେପରି ଅତି ଚଞ୍ଚଳ କଣ ସ୍ୱପ୍ନ ପାଶୋରି ହୋଇ ଯାଉଛି । ଏମିତି ଅନୁଭୂତି ଯେତେବେଳେ ତାକୁ ଛୁଇଁ ଛୁଇଁ ଯାଉଥାଏ ସେ ନିଘାକଲା, ସମୁଦ୍ର ତା’ର ବିଶାଳତାରେ ଗଡ଼ୁଛି, ତାରି ଦାଢ଼ରେ ଟିକି କଙ୍କଡ଼ାଟିଏ ଠିଆ ହୋଇଛି, ସତର୍କ ହୋଇ ଚାରିଆଡ଼କୁ ଅନାଉଛି, ଗୋଟିଏ ନୁହେଁ, ଓଦାବାଲିରେ ଅସଂଖ୍ୟ ଟିକିଟିକି କଙ୍କଡ଼ା ଗାତ ଖୋଳୁଛନ୍ତି, ଗାତରେ ପାଣି ମାଡ଼ି ଆସୁଛି । ଗାତରେ ପଶୁଛି, ଭାତ ହାଣ୍ଡିରେ ପାଣି ଫୁଟିଲା ପରି ଗବଗବ ହୋଇ କଙ୍କଡ଼ା ଗାତରୁ ଭୁଟକା ବାହାରୁଛି, ପାଣି ଅପସରି ଯାଉଛି, ପୁଣି କଙ୍କଡ଼ା ପଦାକୁ ବାହାରି ଠିଆ ହୋଇପଡ଼ି ଆଖି ଟେକି ଅନାଇ ଦେଇ ଘର କରଣାରେ ଲାଗି ଯାଉଛି ।

 

ସମୁଦ୍ର ଉପରେ କେବେ କଦବା ଗୋଟିଏ ଗୋଟିଏ ଚଢ଼େଇ ଉଡ଼ୁଛନ୍ତି, ନ ହେଲେ ଉପରେ ଖାଲି ଆକାଶ । କୂଳରେ କାଉମାନେ ଠାଏ ଠାଏ ବସିଛନ୍ତି, କେଉଟମାନେ ଯେଉଁଠି ମାଛ କୁରହେଇଥିଲେ ସେଠି କ’ଣ ଟିକିଟିକି ପୋକ ଓ ଜନ୍ତୁ ଖୁଣ୍ଟିଖୁଣ୍ଟି ଖାଉଛନ୍ତି ।

 

ସେ ଉଠିପଡ଼ି ଟହଲି ବୁଲିଲା । ସମୁଦ୍ର ଗାଧୁଆ ତଥାପି ଲାଗିଛି । କାହିଁ କାହାଠିଁ ଆନନ୍ଦ-? ଖାଲି ଭୟ–ସେ ସମାଲୋଚକ ପରି ସେମାନଙ୍କୁ ଅନାଇଁ ଅନାଇଁ ଗଲା । ଦିଜଣ ତିନିଜଣ ନୋଳିଆ ବେଢ଼ିଛନ୍ତି ଆଉ ଏମାନେ ଲହଡ଼ି ଆସିବା ଦେଖି ଆତଙ୍କରେ ମୁହଁ ବିକୃତ କରୁଛନ୍ତି, ନୋଳିଆ ହାତକୁ ମୁଠେଇ ଧରି ବଳିର ପଶୁ ପରି ଲହଡ଼ି ଚାପତଳେ ନଇଁପଡ଼ି ରହୁଛନ୍ତି, କୂଳରେ ବାଡ଼େଇ ହୋଇସାରି ଲହଡ଼ି ପାଣି ସମୁଦ୍ର ଭିତରକୁ ଲେଉଟି ଗଲାବେଳେ ସେମାନଙ୍କ ଆତଙ୍କ ବଢ଼ି ଉଠୁଛି, ଆଖି ଫାଡ଼ି ଫାଡ଼ି ହୋଇ ଯାଉଛି, ପାଦଯୋଡ଼ାକ ତଳ ବାଲିରୁ ଉଠି ଯାଉଛି, ଦେହଟା ଭାସୁଛି, ପ୍ରାଣ ବିକଳରେ ନୋଳିଆରେ ହାତକୁ କି ଗୋଡ଼କୁ ଯାବୁଡ଼ି ଧରି କୂଳଆଡ଼କୁ ଓଟାରି ହେଉଛନ୍ତି । କାହିଁକି ଏମାନେ ସମୁଦ୍ରରେ ଗାଧୋଉଛନ୍ତି ?

 

ଆପଣା ଅନ୍ତରର ନିହିତ ଭୟକୁ ସମୁଦ୍ର ପାଣିରେ ତିନ୍ତେଇ ଖେଳେଇବା ପାଇଁ ?

 

ଏମିତି ଏ ଭୟ, ଏ ଛାତି ଦକ ଧଡ଼ଧଡ଼ ଏଇଥିରେ ତାଙ୍କ ଜୀବନର ପ୍ରକାଶ, ଅଭ୍ୟାସ ହୋଇ ଯାଇଛି ।

 

ଏଇ ବିପଦ ଚେତନାରହିଁ ବଖାଣି ବୁଲିବା ପାଇଁ ବୀରତ୍ୱର କାହାଣୀ ବାହାରିବ–"ଆଉ ଟିକିଏ ହୋଇଥିଲେ ମୁଁ ଯାଇଥିଲି ।"

 

"ନୋଳିଆ ନଳିଗୋଡ଼କୁ ମୁଠେଇ ଧରି ଭିଡ଼ି ଓଟାରି ହୋଇ ପାଣି ତଳେ ତଳେ କୂଳଆଡ଼କୁ ମାରିଲି ଏକ ମୁଣ୍ଡଭୂଷା, ତା’ପରେ ଦେଖିଲି ମୃତ୍ୟୁ ନାହିଁ, ଦୂରକୁ ଚାଲି ଯାଇଛି, ମୁଁ ବାଲିରେ ଠିଆ ହୋଇଛି ।" ଦିଶି ଯାଉଛି ଶୁଣାଳୀମାନଙ୍କ ମୁହଁର ଭଙ୍ଗୀ, ଦେହର ଠାଣି ।

 

ଚାଲିଛି ଆଗକୁ । ନିଛାଟିଆ ବାଲି ଅପନ୍ତରା ତଳେ ଗୋଟିକିଆ କୁକୁରଟିଏ ବସି ସମୁଦ୍ରପାଣିରେ ଗାଧୋଉଛି । ଢେଉ ଆସୁଛି, ବୁଡ଼େଇ ଦେଇ ଚାଲି ଯାଉଛି । ସମୁଦ୍ରଆଡ଼କୁ ପିଠି କରି ହସିଲା ମୁହଁରେ ବସି ରହି ସେ ତା’ର ଚିହ୍ନା ଢେଉର ଆଉଁସାରେ ସୁଖ ପାଉଛି, ଆଖି ମିଟିମିଟି କରୁଛି । ଢେଉ ଚାଲିଗଲାବେଳେ ଆସ୍ତେ ତା’ ଦେହକୁ ପଛକୁ ଝାଙ୍କି ଦେଇ ଯାଉଛି । ଧେଡ଼କୁତୀ ଆହୁରି ହସୁଛି । ଧେଡ଼କୁତୀ ପାଣିରେ ନିଜକୁ ଦେଖି ଚମକିବାକୁ ଆସିନାହିଁ, ଡରିବାକୁ ଆସିନାହିଁ, ବୀରତ୍ୱ ଦେଖାଇବାକୁ ଆସିନାହିଁ । ତା’ ବଳାଵଳ ଦେଖି ଜାଗା ବାଛିଛି, ଆଗକୁ ଯାଇନାହିଁ । ଭୁଲିନାହିଁ, ଏ ସମୁଦ୍ର ଆଉ ସେ ଧେଡ଼କୁତୀ ।

 

ଆହୁରି ଯୋଡ଼ିଏ କୁକୁର ସମୁଦ୍ରରେ ଗାଧୋଇବାକୁ ଆସୁଛନ୍ତି ।

 

ଆଗକୁ, ଆହୁରି ଆଗକୁ । ସେ ଦେଖୁଛି ସରୁବାଲି ଆସ୍ତେ ଢାଲୁ ହୋଇ ନଇଁ ପଡ଼ିଛି ସମୁଦ୍ର ଭିତରକୁ, ସେଥିରେ କେତେ ସରୁସରୁ ଗାର କେତେ ଛବି କେତେ ଟିକିଟିକି ଜୀବଜନ୍ତୁଙ୍କ ପାଦଚିହ୍ନ ଟିକିଟିକି ବାଲିଗୁଣ୍ଡା ଘୋଷାରି ହେବାର ଗତିରେଖା । ଚାହୁଁଚାହୁଁ କେଡ଼େ ତୁନିତାନିରେ ବାଲିଗୁଣ୍ଡା ଏଠୁ ସେଠିକି ଯାଉଛି, ପବନରେ ସେହି ଟିକିଟିକି ବାଲିଗୁଣ୍ଡାମାନଙ୍କ ଭେଟାଭେଟି ମେଳ ପଙ୍ଗତ ।

 

ଚାଲିଛି, ସବୁ ଚାଲିଛି, ଉପରେ ଉପରେ ଗୋଟାଏ ଥାଇତାପଣର ମୁଖା, ତାହାରି ତଳେ ତଳେ ସବୁ ଚାଲି ଯାଉଛି, ରହୁନାହିଁ ।

 

ସମୁଦ୍ରରେ ଜୁଆର ଉଠୁଛି । ଯେଉଁଆଡ଼କୁ ଚାହିଁଲେ କୂଳଠୁଁ ଅଧ ମାଇଲିଏଯାକେ ଡେଇଁଲା ଚାଲିଲା ଅବସ୍ଥାରେ ଧାଡ଼ି ଧାଡ଼ି ହୋଇ ସାନ ସାନ ପାହାଡ଼ ଓ ଖାଲଖୋଲ, ବାଲି ଢିପ ଉପରକୁ ଡେଇଁ ଡେଇଁ ଲହଡ଼ି ଚମକି ଆସୁଛି । ତରୁଣ ରାୟ ମନେମନେ କହିଲା, ଏ ବି କମିଯିବ, ହଟିଯିବ ଏ ବି ନୁହେଁ ଚରମ । ଯାହା ଦିଶୁଛି ସେ ଯିବ, ଯାହା ନାହିଁ ସେ ବି ଆସିଲେ ଯିବ, ଲାଭ ବି ଯିବ ଲୋକସାଣି ବି ଯିବ ।

 

କିଏ କେତେବେଳେ ଏଠି ଆସୁଛି, ଯାଉଛି ? ସେହିତ ଆଶ୍ଚର୍ଯ୍ୟ । ଏହି ଯେଉଁ କଙ୍କଡ଼ାଟି ସାହସରେ ଭରାଦେଇ ଠିଆ ହୋଇ ସୈନିକ ଯୁଦ୍ଧ ଭୂମିକୁ ଦେଖିଲାପରି ଚାରିଆଡ଼କୁ ଚାହୁଁଚି, ଜଣା ନାହିଁ ଆଗ ମୁହୂର୍ତ୍ତରେ ସେ ଥିଲା କି ନ ଥିଲା, କି ଏ ନବାଗତ, ସମୁଦ୍ର ଫେଣରୁ ସଦ୍ୟ ଉଠି ଆସିଛି । କେଡ଼େ ତରତରରେ ସେ ପାଣିଆଡ଼କୁ ଧାଇଁ ପଳାଇ ଯାଉଛି ! ଚୁନି ଚୁନି ହୋଇ କଟା ହୋଇଥିବା ତାଳସଜ ପରି ଏହି ଯେଉଁ ସ୍ୱଛ ସ୍ଫଟିକ ଟିକିଟିକି ମାଛଗୁଡ଼ିକ ବାଲି ଉପରେ ପଡ଼ି ଛଟଛଟ ହୋଇ ମରୁଛନ୍ତି, ଜଣାନାହିଁ ଏମାନେ ଏଠିକି କେତେବେଳେ ଆସିଲେ । ପ୍ରଜାପତି ପରି ଚିତ୍ର ବିଚିତ୍ର ଦିଦିଫାଳ ହୋଇ ଏହି ଯେଉଁ ସରୁ ସରୁ ଶାମୁକା ଏ ବାଲିରେ ଅଧା ପୋତିହୋଇ ପଡ଼ିଛି, ଶୁଖିଲା ବାଲିରେ ଏହି ଯେଉଁ ଫାଳ ହୋଇ ନାନା ଆକାରର ଟିକିଟିକି ଅସଂଖ୍ୟ ଶାମୁକା ଗଦା ହୋଇ ପଡ଼ିଛି, ଜଣାନାହିଁ କେବେ ସେମାନେ ଜୀଅନ୍ତା ଥିଲେ, କେବେ ମଲେ, କେବେ ଆସି ଗଦାହେଲେ । ଜଣାନାହିଁ କ’ଣ ଥିଲା ତାଙ୍କ ଜୀବନର କାହାଣୀ–ଏହି ଯାହାଙ୍କ ଧୁଆପିଟା ହାଡ଼କୁ କିଏ ଗୋଡ଼ରେ ମାଡ଼ଦେଇ ଯାଉଛି କିଏ ନେଇ ଆଖି ଆଗରେ ଟେକିଧରୁଛି, ପକେଟରେ ପୂରାଉଛି । ଜଣାନାହିଁ ଏ ବାଲିକଣାମାନଙ୍କ ଭିତରୁ କିଏ କଣ, କେଉଁଠୁ ଆସିଲା ।

 

ଖାଲି ଗତି, ଗତି, ଆଉ ଗତି ।

 

କାହାର ବିଭା ମୁକୁଟରୁ ଜରି ପନିଲଗା ଶୋଲ ଫୁଲଟିଏ କେଉଁ ଦୂରରୁ ଅତି ଦ୍ରୁତବେଗରେ ବାଲି ଉପରେ ଧାଇଁ ଧାଇଁ ଆସୁଛି, ସେତିକି ମହା ଉଲ୍ଲାସରେ ଆସୁଛି ସମୁଦ୍ର ଢେଉକୁ ଭେଟିବ ବୋଲି । ଜଣନାହିଁ କିଏ ସେ ବରକନ୍ୟା କେଉଁଠି ଅଛନ୍ତି କେମିତି ଅଛନ୍ତି । କିଛି ଜଣାନାହିଁ । ଖାଲି ଗତି, ଅସ୍ଥିରତାର ହୃଦୟମନ୍ଥା ।

 

ଗମ୍ଭୀର ଛନ୍ଦ, ପାଣି ଫୋଟକା ଫୋଟକା, ହେବାର ବାମ୍ଫ ହେବାର । ପବନ ଆଉ ସମୁଦ୍ର ଦୋହଲି ଦୋହଲି ଚାଲିଛନ୍ତି ଗୋଟିଏ ସଙ୍ଗୀତମୟ ପ୍ରକାଶରେ ।

 

ଆକାଶକୁ ମୁହଁଟେକି ଦେଖିଲା, ଚମକିପଡ଼ି ଦେଖିଲା, ଦୂରରେ ଆକାଶ କଣରେ ଠାଏ ଅପୂର୍ବ ନୀଳିମା, କାଣିଚାଏ ଅରାଏ ମୋଟେ, ଏଇ ଗହଳି ଆଉ ଗର୍ଜନର ମଝିରେ ଆଉ ଉପରେ ଗୋଲ ହୋଇ ଅରାଏ, ଯେପରିକି ସେପାଖର ଅଦେଖା ଦୁନିଆର ଗଡ଼କାନ୍ଥରେ ଠାଏ କଣା ହୋଇଛି, ଓଃ କି ସୁନ୍ଦର । କି ନୀଳ; କି ଶାନ୍ତି !

 

ସତେ ଯେପରିକି ସେହି ଶାନ୍ତିର ପାଖରେ ପହଞ୍ଚିବାଲାଗି ତଳେ ଏହି ଯେତେ ଅଶାନ୍ତି, ଯେତେ ଛଳଛଳ ଉଚ୍ଛଳତା ।

 

ଭାବୁଭାବୁ ଚାଲୁଚାଲୁ ସମୁଦ୍ରର ଦୃଶ୍ୟ ବଦଳିଗଲାଣି । ଦୂରରେ ଦିଶୁଛି ଧୋବାଘର ନେଳି, ତା’ ଏକରକୁ ସମୁଦ୍ରଯାକ ତେଲିଆ ତେଲିଆ ଶାଗୁଆ-ନେଳି, ତହିଁରେ ଧଳା ଧଳା ଫେଣ । ଖରାରେ ଝଟକି ଉଠୁଛି । ଦୂରର ସମୁଦ୍ର ଦିଶୁଛି ଦୂରର ପାହାଡ଼ ପରି । ମଝିର ଶାଗୁଆ-ନେଳି ଯେପରିକି ଡାଆଣିଆ ଖରାରେ ଦୂରର ଘାସପଡ଼ିଆ, ଢେଉପରି ମୋଡ଼ିମୋଡ଼ିକା, ପାଖର ସମୁଦ୍ର ଯେପରିକି ଫୁଙ୍ଗା ପବନରେ ଫୁଲଭର୍ତ୍ତି ବେଣାବଣ ।

 

ଚାରିଆଡ଼ ଆଲୁଅ ଜକଜକ, ଖାଲି ଟିକିଏ ସେପାଖ ଚକ୍ରବାଳ ଉପରେ ଅଳ୍ପ ଅରାଏ କଳାମେଘ ଏଡ଼େ ବଡ଼ ଛବିପଟ ଉପରେ କଳା ସ୍ୟାହି ପରି ନେସି ହୋଇଛି । ଯେତେଥର ଅନାଇଲେ ସେହି କଳା ବୁନ୍ଦା ଦିଟୋପା ଉପରେ ହିଁ ତା’ର ଦୃଷ୍ଟି ଲାଖିଯାଉଛି ବିରକ୍ତିରେ । ଏଡ଼େ ସୁନ୍ଦର ଜିଅନ୍ତା ଚିତ୍ରରେ ସେ ଦୁଇଟା ବୁନ୍ଦା ଅବାନ୍ତର, ଅବାଞ୍ଛିତ, ଅସୁନ୍ଦର, ଆଖିକୁ ସହୁନାହିଁ, ଦେହକୁ ସହୁନାହିଁ ।

 

କିନ୍ତୁ ସେ ସ୍ୟାହିବୁନ୍ଦା ଦିଟା ଗଲାନାହିଁ, ଫୁଲି ଫୁଲି ବଢ଼ିଲାପରି ଦିଶିଲା । ଆଲୁଅର କଳା ମଥାମଣି ପରି ଅନ୍ଧାରର ଦୁଇଟା ବୁନ୍ଦା, ଅନାଦୃତ ହେଉ ପଛେ, ଅପ୍ରତିହତ ।

 

ସେ ଟିକିଏ ଦୂରକୁ ଚାଲିଆସିଛି । ସମୁଦ୍ର କୂଳରେ ଶୁନ୍‍ଶାନ୍‍ କୋଠାଗୁଡ଼ାଏ । ନିଛାଟିଆ ଦ୍ୱିପହର । କ୍ଷୀଣ ବାଲିକଣା ଧୀରେ ଧୀରେ ଉଡ଼ି ଉଡ଼ି ଦମ୍ଭ କୋଠାର ଚମ ଉପରେ ଆଞ୍ଚୁଡ଼ି ଲାଗୁଛି । ଲୁଣି ପବନ ମାଡ଼ରେ ଚୂନ ସୁର୍କି ଝଡିପଡ଼ିଛି । ରୁମ ଓପଡ଼ା ହୋଇଥିବା ମଲାକୁକୁଡ଼ା ପରି କେତେ କୋଠା ପଡ଼ି ରହିଛି, ପଲସ୍ତରା ଖସିଥିବା ଖାଇ ଯାଇଥିବା ଇଟାଗୁଡ଼ାକ ଦିଶୁଛି ଘାଉଡ଼ା ।

 

କେତେ କୋଠା ବାଲିକୁଦରେ ଢାଙ୍କିହୋଇ ଖସିଯାଇଛି, ସେମିତି ଗୋଟିଏ କୋଠାର ଛାତି ଉପରେ ଅଜାଣତରେ ବାଲି ଉପରେ ପାଦ ପକାଇ ସେ ଡାହାଣ କରକୁ ଅନାଇଁ ଦେଲା, ଭିତରପଟୁ ପାଚିରୀ କାନ୍ଥ ଦିଶୁଛି, ଅଗଣାରୁ କିଛି ତଥାପି ପୋତି ନ ହୋଇ ରହିଛି, ଗୋଟିଏ ଅକାମୀ ପାଣିପମ୍ପ୍‍ ଓ ଗୋଟିଏ ଜିଅନ୍ତା ନଡ଼ିଆ ଗଛ ଏବେ ବି ଠିଆ ହୋଇଅଛି ସେ ଦେଖିଲା । ଏମିତି ଆହୁରି କେତେ କୋଠା ସେ ଦେଖି ଦେଖି ଗଲା, କେଉଁଟା ବାଲି ପୋତି ହୋଇଛି, କେତେଟା ଠିଆ ଠିଆ ଭାଙ୍ଗୁଛି, ଆଉ ଅକସ୍ମାତ କେଉଁଠି କେଉଁଠି ଗୋଟିଏ ଗୋଟିଏ କୋଠା ସୁକୁସୁକୁ ହେଉଛି, ବାଲି ଚଢ଼ିଆସିଲାଣି, କବାଟ ଝରକାରୁ କାଚ ଖଣ୍ଡଖଣ୍ଡ ହୋଇ ବିଞ୍ଚି ହୋଇ ପଡ଼ିଛି, ସ୍ଥାନେ ସ୍ଥାନେ ଘର ଅଳପେ ନଇଁଲାଣି ତଥାପି ତା’ ଭିତରୁ ବୁଢ଼ାଙ୍କ କାଶ ଶବ୍ଦ ଶୁଭୁଛି, ପିଲାଙ୍କ କାନ୍ଦଣା ଶୁଭୁଛି ।

 

ତାର ମନ ଭାସି ଭାସି ପହଞ୍ଚିଥିଲା ଯାଇ ଅତୀତରେ, ପଟିକିଆ ପୋକରା ନାହାପିରି । ଧୀରେ ଧୀରେ ସେହି ଅତୀତରେ ସେ ତା’ର ସ୍ୱତନ୍ତ୍ର ସତ୍ତା ହଜାଇଦେଲା, ଗୋଟିଏ ଟିକି ବୁନ୍ଦାପରି, ପୁଣି ଖୋଲା ସମୁଦ୍ର ଭିତରେ ବାରମ୍ବାର ବାରମ୍ବାର କ୍ଷଣେ ପ୍ରକାଶ ପାଇ କ୍ଷଣେ ଲୁଚି ସେ ବର୍ତ୍ତମାନକୁ ଫେରୁଥାଏ ଅତୀତକୁ ଘୁଞ୍ଚି ଯାଉଥାଏ । ତା’ପରେ ସେ ବର୍ତ୍ତମାନରେ ହିଁ ସ୍ଥିର ହେଲା ଆଉ ସମୁଦ୍ରଆଡ଼କୁ ଅନାଇଁ ଦେଖିଲା, ଦୂର ଦିଗନ୍ତରେ ସେ ଯେଉଁ ଅନ୍ଧାରି ବୁନ୍ଦା ଦୁଇଟାକୁ ଦେଖିଥିଲା ସେ ବଢ଼ିବଢ଼ି ଘୋଟିଗଲାଣି ଆକାଶର ବଡ଼ ଫାଳକ । ସମୁଦ୍ର ସତେକି ଗୋଟାଏ ବିରାଟ ତାଟିଆ, ଆକାଶର ଗୋଟାଏ କଣରୁ ଉପରର କାଳି ବହଳ ଧାରରେ ତାଟିଆ ଭିତରକୁ ବୋହି ପଡ଼ୁଛି । ପୁଣି ଦେଖିଲା, ତଳର କଳା ଉପରକୁ ଉପରର କଳା ନଇଁନଇଁ ଆସୁଛି, ସମୁଦ୍ର ଉପରେ ଶୂନ୍ୟ ସଂକୀର୍ଣ୍ଣ ହୋଇ ଆସୁଛି, ଯେପରିକି ଗୋଟାଏ ଗୁମ୍ଫା, ତାହାରି ଭିତରେ କଳା ନିରାଶାର ପାହାଡ଼ି ଢେଉକୁ ଉପରୁ ତଳକୁ ଜାଳିଜାଳିକା ବ୍ୟାପୁଛି ଉଜ୍ଜ୍ୱଳ ଧଳା ଆଶା, ମୋଡ଼ିମୋଡ଼ିକା କଳାପାଣି ଉପରେ ଏଠିସେଠି ହୋଇ ସବୁଠି ସେ ଚହଟି ଯାଉଛି । ସତେ ଯେପରିକି ସେହି ବିରାଟ ଗୁମ୍ଫା ଭିତରେ ଦୂର ଦିଗନ୍ତରେ ଉବେଇ ଟୁବେଇ ପୋକରା ହୁଲିନାହାଟି ମିଟିମିଟି ହେଉଛି । ସେଇଠି ସେ, ତରୁଣ ରାୟ, ଏଠି ନାହିଁ । ପୁଣି ଦେଖିଲା, କାହିଁ ସେ ନାହିଁ ?

 

ସେ ନାହିଁ । ସେ ନଥିଲା ।

 

କେବଳ ପରିବ୍ୟାପ୍ତ ମହାଶୂନ୍ୟ, ମହାକାଳ, ମହା ବୁଦ୍‍ବୁଦ୍‍ ।

 

କେବେ ସେ ରୂପ ଘେନିଥିଲା, ନାଁ ନେଇଥିଲା ତରୁଣ ରାୟ ।

 

ନ ହେଲେ ସେ ଖାଲି ମଣିଷ, ସବୁ ମଣିଷ ।

 

ସେହି ମଣିଷ ସେହି ଦୂରକୁ ଚାହିଁରହି ନିଜର ସ୍ୱତନ୍ତ୍ର ସତ୍ତା ପାଶୋରିଥିଲା, ଆପଣାର ସ୍ୱତନ୍ତ୍ର ଖୋଳକୁ ଭୁଲି ପାରିଥିଲା । ତାକୁ ଲାଗିଥିଲା, ଯେତେ ଅତୀତ ସବୁ ସେହି ଗୁମ୍ଫା ଭିତରକୁ ଚାଲିଯାଇଛି, ସେଇଠିକି ଚାଲିଛି ବର୍ତ୍ତମାନ । ସ୍ଥାନ କି ପାତ୍ର, ଭାଷା କି ଜାତି, ସବୁ ବିଭେଦ ହଜିଛି ଏହି ମହାସମୁଦ୍ରରେ ।

 

କେବଳ ବାଲି ପଡ଼ି ରହିଛି । ସେହି ସେ ଅତୀତର ସ୍ମାରକ । ଆଗପଛ ହୋଇ କେତେ ଇତିହାସ କେତେ ସଭ୍ୟତା । ଏଇ ବାଲି ତା’ର ସନ୍ତାନ । ଏଇ ବାଲି ଧାରାରେ କେବେ ଲାଗିଥିଲା ସଂକୀର୍ତ୍ତନ, ଆଉ ଏଇଠି କେଉଁଠି ହଜିଗଲେ ଦିନେ ଶ୍ରୀଚୈତନ୍ୟ, ଏଇ ସମୁଦ୍ରରେ ।

 

ଆଗରେ ପବିତ୍ର ଶ୍ମାଶନ, ସ୍ୱର୍ଗଦ୍ୱାର । ଉଡ଼ି ଉଡ଼ି ଅଙ୍ଗାରଗୁଡ଼ାଏ ବାଲିବନ୍ତ ଉପରେ ପଡ଼ିଛି । ତା’ ତଳକୁ ସାନବଡ଼ ହୋଇ ଧାଡ଼ିଏ ସମାଧି । ତା’ ଉପରକୁ ବାଲି ଉପରେ ଆରାଏ ସ୍ଥାନରେ ମୁର୍ଦ୍ଦାର ପୋଡ଼ା ହୁଏ, ନିଆଁ ଜଳୁଛି, ଜଣେ କିଏ ପୋଡ଼ା ହେଉଛି । ଆସିଲା ଆଉ ଜଣକର ଶବ । କୋକେଇକି ତଳେ ଥୋଇଦେଲା, ଦାହକାର୍ଯ୍ୟର ଉପକରଣ ସଂଗ୍ରହ କାର୍ଯ୍ୟରେ ଲାଗିପଡ଼ିଲେ । ତରୁଣ ରାୟ ସମାଧି ପାଖରୁ ସେହିଆଡ଼କୁ ଅନାଇଦେଲା ଆଉ କ୍ରମେ କ୍ରମେ ଉଦାର ସାର୍ବଜନୀନତାରୁ ସେ ତରତର ହୋଇ ଫେରିବାକୁ ଲାଗିଲା ତା’ର ସଂକୀର୍ଣ୍ଣ ଖୋଳ ଭିତରକୁ ।

 

ତାର କଳ୍ପନାରେ ଗଢ଼ା ପାଣିଖିଆ ପୋକରା ନାହାଟା କଳଆଡ଼କୁ ଆସୁଛି, ସେହି ଯେଉଁଟା ତିନିଫଡ଼ା ଶିମିଳି କାଠ ବନ୍ଧା ହୋଇ ତିଆରି ହୋଇଛି, ଦଉଡ଼ିରେ ଏକାଠି ବନ୍ଧା ହୋଇଛି-। ଦୂରରେ ଦିଗ୍‍ବଳୟ ସେପାରି ସେ ହୋଇଥିଲା ଅଦୃଶ୍ୟ, ମହାନ, ସାର୍ବଜନୀନ, ତାଠିଁ ଦେଶ କି ବର୍ଣ୍ଣର ବିଭେଦ ଦିଶୁ ନ ଥିଲା । ଏଥର ତା’ର ସଂକୀର୍ଣ୍ଣ ଅବୟବ ଅନୁଭବ ହେଉଛି, 'ନୁହେଁ' 'ନାହିଁ' ହୋଇ ତା’ର ସୀମାର ବାଡ଼, ଏତିକି ସେ, ଏହାରି ଭିତରେ, ଏତିକି ସେ, ଆଉ ଅଧିକା ନୁହେଁ, ଆଉ ଭିନେ ନୁହେଁ ।

 

ଏ ପାଖେ ବାଲି ଉପରେ ଚିତା ନିଆଁ ଜଳୁଛି, ଗୋଟିଏ ଶବ ପୋଡ଼ା ହେଉଛି । ସେପାଖେ ସତେ କି ଆଉ ଗୋଟାଏ ଶବ ପାଣିରେ ଭାସୁଛି, ପାହାଡ଼ ଉଞ୍ଚ ଟେକି ହେଉଛି, ତଳକୁ କଚାଡ଼ି ହେଉଛି ପୁଣି ଟେକି ହେଉଛି ପୁଣି କଚାଡ଼ି ହେଉଛି ।

 

ଏଇ ଯୋଡ଼ାକ ମଝିରେ ସେ ନିଜେ, ଚେତନାର ସ୍ପନ୍ଦନ ଅନୁଭୂତ । କେତେବେଳେ ସେହି ଡଙ୍ଗା ସଙ୍ଗେ ମିଶି ଏକ ହୋଇଯାଉଛି, ଅନୁଭବ କରୁଛି କୂଳପାଖେ ଭାସିବାର ଯନ୍ତ୍ରଣା, ଆଶା ନିରାଶ ଲାଭ ଲୋକସାଣ ବୋଧମୟ ପ୍ରସାରିତ ସଙ୍କୁଚିତ ଜୀବନ ଅନୁଭୂତି । କେତେବେଳେ ସେ ନିଆଁରେ ପଡ଼ିଥିବା ଅଧାପୋଡ଼ା ମୁର୍ଦ୍ଦାରଟା ସଙ୍ଗରେ ଏକ ହୋଇଯାଉଛି, ରୂପ ବଦଳାଇ ନିଃଶେଷ ହୋଇ ନିଶ୍ଚିହ୍ନ ହେବାର କରୁଣ ପରିଣତି ଭିତରେ ମୃତ୍ୟୁର ବିଭୀଷିକାକୁ ଅନୁଭବ କରୁଛି, ଦୁଇଟା ଭିତରୁ ଶଙ୍କିଯାଉଛି ସେହି ଗୋଟାକଠୁଁ ବେଶି, ତେଣୁ ବିକଳ ହୋଇ ସେହି ଚିତାକୁହିଁ ସେ ଚାହିଁ ରହିଛି ।

 

ଯେପରିକି ସେ ଜୀବନରେ ଏହି ପ୍ରଥମ ଥରକ ଚିତାଗ୍ନିକୁ ଦେଖୁଛି । ତା’ର ଅନ୍ତର ଓଲଟ ପାଲଟ କରି ଢେଉ ଉଠୁଛି, ଏହି ଚିତାଗ୍ନିକୁ ପ୍ରତିରୋଧ କରିବାକୁ ଟାଣ ମନକରି ସେ ପ୍ରାଣପଣେ ଇଛା କରୁଛି ସେ ବଞ୍ଚିବାକୁ ଚାହେଁ, ସେ ମରିବାକୁ ଚାହେଁ ନାହିଁ ।

 

ଦୋମହଲା ହୋଇ ବାଲିଭିତରୁ ଉପରକୁ ଗୋଟିଏ ସମାଧି ଉଠିଛି, ଉପର ମାହାଲାରେ ଶଙ୍ଖମଲମଲ ପଥର ଉପରେ ସ୍ମାରକ ଲିପି, ପୁରୁଷେଉଚ୍ଚ ତଳମାହାଲା ଭିତରେ ଅସଲ ସମାଧିଟି । ସେଥିରେ ଦିଫାଳ କବାଟ ଲାଗିଛି । ତା’ର ଆଖି ଆଗରେ ସମାଧିଘରର କବାଟ ଦିଫାଳ ଧୀରେ ଧୀରେ ଖୋଲି ଖୋଲି ଗଲା; ଫାଙ୍କ ବଢ଼ିଗଲା, ତା’ର ଛାତି ଧଡ଼ଧଡ଼, ଦେହ ଥରଥର, ଵିଭଙ୍ଗ ବିକୃତ ହୋଇଗଲା ତା ମୁହଁ, ବଡ଼ବଡ଼ ଆଖି ଫାଡ଼ିଫାଡ଼ି ସେ ଅନାଇ ଦେଖିଲା ସମାଧି ଘର ଫିଟିଗଲା, ତା ଭିତରୁ ବାହାରି ପଡ଼ିଲା ଜଟାଜୂଟ ହୋଇ ପ୍ରକାଣ୍ଡ ଆକାର ବାବାଜିଟାଏ । ଚିହ୍ନିଲା, ସକାଳେ ଯାହାକୁ ଦେଖିଥିଲା ସେହି ଏ, ଚୁଙ୍ଗୁଡ଼ିଖିଆ ବାବାଜି । ପରିପୂର୍ଣ୍ଣ ଜୀବନମୟ ବଳିଷ୍ଠ ପ୍ରାଣୀ । ଓସାର କାନ୍ଧ, ଡେଙ୍ଗା ଦେହ । ନିଶଦାଢ଼ିଜଟା ତା’ର ବଡ଼ ମୁହଁକୁ ଆହୁରି ପ୍ରକାଣ୍ଡ କରିଦେଇଛି ତା’ର ଦେହ ଗଛର ଚାରିକରେ କରଡ଼ା ମୋଟା ମାଳତୀଲଟାର ଗଣ୍ଡିପରି ଆବୁଆବୁ ହୋଇ ମାଂସପେଶୀ ଗୁରେଇ ହୋଇଛି । ତା’ର ଫରଚା କପାଳ ଉପରେ ପଟିପଟି ହୋଇ ଖଡ଼ି ସିନ୍ଦୂର ଓ ସଢ଼େଇକଳାର କୋଠି, ଧଳା କଳା ହୋଇ ଦେହ ଉପରେ ନାନା ଚିତ୍ର । କୁମ୍ଭାଟୁଆ ଆଖିପରି ନାଲି ଆଖିରେ ସେ କଜଳ ନାଇଛି । ତରୁଣ ରାୟ ତାଟକା ହୋଇ ଅନାଇ ରହିଲା, ସତେ ଯେମିତି ତା’ର ଭୟ ଭିତରୁ ଏ ବାହାରି ପଡ଼ିଛି । ଗୋଟାଏ ଅତିକାୟ ଗାରଡ଼ ପରି ହଠାତ୍‍ ସେହି ସମାଧିଭିତରୁ ବାହାରି ପଡ଼ି ସେ ଦୁର୍ବଳ ବଙ୍କା ତରୁଣ ରାୟକୁ ତତଲା ଆଖିରେ ଆନାଇ ରହିଲା । ଚାଇଁଖରା ପରି ଚାଉଁକିନା ହସି ଦେଇ ଶୋଷି ନେଲା ତା’ର ସବୁ ଦମ୍ଭ ସାହସ ।

 

କହିଲା, "କ’ଣ ଅନାଇଁ ଦେଖୁଛ ବାବୁ, ସମସ୍ତେ ଏମିତି ଜଳିବେ, ତମର ବି ଦିନ ଆସୁଛି । ମୋର ବି ଆସୁଛି ।"

 

ବାବାଜିର କଥା ତରୁଣ ରାୟକୁ ମୁଣ୍ଡକୁ ପଶିଲାନାହିଁ, ସେ ତ ବକାହୋଇ ଅନାଇ ରହିଥିଲା ସେ ବାବାଜିର ଆଖିକୁ । ସେହି ଆଗଥରକ ପରି, ପାଟି ଅଳ୍ପ ଆଁ, ବେକ ଅଳ୍ପ ଭାଙ୍ଗି ହୋଇ ରହିଛି ତା’ ପିଠିଆଡ଼କୁ, ଦେହ ଭିତର ଥରି ଉଠୁଛି, ମୁଣ୍ଡ ଗୋଳମାଳ ହୋଇଯାଇଛି, ନିଜପଣ ଲୋପ ହୋଇଯାଉଛି ।

 

ଏଇ ଆଖିକି ସକାଳେ ଅନାଇଥିଲାବେଳେ ସେ ଝାଙ୍କେ ପାଇଥିଲା, ବର୍ତ୍ତମାନ ଅନୁଭବ କରୁଛି, ଲାଗି ରହିଛି ଓଟରା, ମୁଣ୍ଡର ପଛଆଡ଼ ଅରକରେ ବେକ ଉପର ଅଂଶରେ ସେ କ’ଣ ଯନ୍ତ୍ରଣା ଅନୁଭବ କରୁଛି, ସେଇଠୁ ସାମ୍ନାପଟଆଡ଼କୁ ମୁଣ୍ଡ ଉପରେ ଶିରାଶିରା ହୋଇ ଡହଡହ ତାତି ଚହଟି ଚହଟି ଚାଲିଛି, ତା’ପରେ ସେ ଅନୁଭୂତି ବି ଚାଲିଯାଉଛି, ସବୁ ସ୍ୱାଭାବିକ ଲାଗୁଛି, ଖାଲି ବାବାଜି ଆଖିରେ ତା’ ଆଖି ବନ୍ଧା ପଡ଼ିଯାଇଛି, ପଲକ ପଡ଼ୁନାହିଁ । ସତେ ଅବା ସେ ଆଖିରେ ମୋହିନୀ ଅଛି, ସେ କିମିଆଁ ଲଗାଇ ଦେଉଛି, ତରୁଣ ରାୟ ସେ ଆଖିକୁ ଚାହିଁ ରହିବା ଅବସ୍ଥାରେ ତା’ ମନରେ ନାନା ବିଚିତ୍ର ଧାରଣା ଆସୁଛି, ତାକୁ ଲାଗୁଛି ଏ ତା’ର ନିଜର ଜ୍ଞାନ, ତା’ର ଅନୁଭୂତି ।

 

ବାବାଜିର ଆଖିକୁ ଅନାଇଁ ଅନାଇଁ ସେ ଦେଖୁଛି ସଠି ସେହି ଚିତାନିଆଁ ଜଳୁଛି । ଭାବିପାରୁଛି, ଏ ଅସମ୍ଭବକୁ ସମ୍ଭବ କରି ପାରୁଥିବ । ରାତିରେ ଏ ଆଖି ବିଲେଇ ଆଖିପରି ଜଳୁଥିବ-। ରାତି ଆସୁଥିବ, ଅନ୍ଧାର ପୂରିଯାଉଥିବ ଏଠି, ବାଲିବନ୍ତ ଉପରୁ ଢାଲୁଏ ତଳକୁ ତଳକୁ ହୋଇ ଏହି ସମାଧି କରବାଟ ଦେଇ ଖାଲର ବାଲିସରାକୁ ପୁଣି ଆହୁରି ତଳକୁ ସମୁଦ୍ର ଭିତରକୁ ବୋହି ଯାଉଥିବ କଳା ରାତି, ଅନ୍ଧାରି ସମୁଦ୍ର ଉପରେ ଏଠି ସେଠି ହୋଇ ଜଳୁଥିବ ଫସ୍‍ଫରସ୍‍ର ଶାଗୁଆ ଚିରିଗୁଣୀ ନିଆଁ, ମଣିଷ ପୋଡ଼ା ଶୀତଳ ଅଙ୍ଗାରକୁଢ଼ ଉପରେ ସ୍ଥାନେ ସ୍ଥାନେ ଜୁଳୁଜୁଳିଆ ବସି ପଡ଼ୁଥିବେ, ତାଙ୍କ ଲାଞ୍ଜରେ ବି ସେହି ଚିରଗୁଣି ନିଆଁ, ଉଲ୍‍କାମୁଖୀ ବିଲୁଆ 'ହାଁ' କରୁଥିବ, ତା’ ପାଟିରେ ବି ଜଳି ଉଠୁଥିବ ଚିରିଗୁଣୀ ନିଆଁ, କଳା ଆକାଶରେ ନିଃଶବ୍ଦରେ ଜଳି ଲାଗିଥିବ ଗୋଟି ଗୋଟି ହୋଇ ସେହି ଶାଗୁଆ ଆଲୁଅ, ମିଟିମିଟି ହୋଇ, ତାହାରି କଣି ପରି ଖଣ୍ଡଖଣ୍ଡ ହୋଇ ନିଃଶବ୍ଦରେ ଖସିପଡ଼ୁଥିବ ଉଲ୍‍କା, ଆକାଶରେ ଜଳନ୍ତା ରେଖା ଟାଣି କେଉଁ ଛଟକରେ ଅଦୃଶ୍ୟ ହେଉଥିବ, ପୁରୁଣା କୋଠା ଛାତ ଉପରେ ବସି କେଉଁ ଯୁଗର ପୁରୁଣା ପେଚାମାନେ କେଉଁ ହଜିଲା ଅତୀତର କାହାଣୀ କୁହାକୁହି ହେଉଥିବେ, ଫୁଙ୍ଗାପବନ ହାଉ ହାଉ ହୋଇ କଥା କହି ଉଠୁଥିବ ସମୁଦ୍ରକୂଳର ଫମ୍ପା ପୁରୁଣା ଦର୍‍ହଭଙ୍ଗା ଘରଗୁଡ଼ାକର ହାଉଁ ମୁହଁ ବାଟେ, ଦେହ ଶୀତେଇ ଉଠୁଥିବ, ସମୁଦ୍ର ଆଲୁଅରେ ତାରା ଆଲୁଅରେ ଥରିଲା ଥରିଲା ହୋଇ ଅସ୍ପଷ୍ଟ ରୂପମାନ ଦିଶିଯାଉଥିବ, ସେତେବେଳେ ସମାଧିର ଅନ୍ଧାରିଗୁମ୍ଫା ଭିତରେ ମଲା ମଣିଷର ହାଡ଼କୁଢ଼ ପାଖେ ବସି ଏହି ଭୟଙ୍କର ଆମିଷାଶୀ ସୁରାପାୟୀ ବଳିଷ୍ଠ ବାବାଜି ପାଉଁଶିଆ ମଣିଷ-ଖପୁରି ଭିତରେ କ’ଣ କିଛି କରୁଥିବ ।

 

ଆଉ କବାଟ ପେଲିଦେଇ ପଦାକୁ ଝପଟି ଆସୁଥିବ ଅନ୍ଧାରର ତୋଫାନପରି, ବିକଟାଳ ହୋଇ ହସି ଉଠୁଥିବ ଫସ୍‍ଫରସ୍‍ର ହସ, ଯାହାର ଶବ୍ଦ ନଥିବ, ଖାଲି ଥିବ ବର୍ଣ୍ଣ ।

 

ଆଉ ସେତେବେଳେ ସେ ମଲା ମଣିଷଙ୍କ ପ୍ରେତାତ୍ମାମାନଙ୍କ ସଙ୍ଗରେ ମିଶି ଡେଉଁଥିବ ଧାଉଁଥିବ ଖେଳୁଥିବ, ପୁଣି ଫସ୍‍ଫରସ୍‍ ଆଲୁଅରେ ଜିକିଜିକି ହେଉଥିବା ସେହି ଅନ୍ଧାରି ଢେଉମାନଙ୍କ ସଙ୍ଗେ, ଆଉ ଚିରିଗୁଣି ଆଲୁଅ ସଙ୍ଗରେ ଯେ ପବନରେ ଜଳିଜଳି ଉଡ଼ିଯାଏ, ମୋଡ଼ିମୋଡ଼ି ହୋଇ ଧୋବ ଧୋବ ଧୂଆଁ ଉଠେ, ଆଇଁଷିଣିଆ, ଗନ୍ଧ ବଡ଼ବଡ଼ ଧଳା ଭଉଁରି ଦୂରକୁ ଦୂରକୁ ଉଡ଼ିଯାଏ ।

 

ପେଚା ସଙ୍ଗରେ ଦୁଃଖସୁଖ ହେଉଥିବ, ଉତ୍ତର ଦେଉଥିବ ପେଚା ସେହି ନିଭୃତ ଗମ୍ଭୀର ହିସାବୀ ଗଳାରେ, ଅଧରାତିରେ ନିଦଭାଙ୍ଗିଲେ ଶୁଭିଯାଏ ଯେପରି ତା’ଆଳାପ, ଆଉ ଏହି ବାବାଜିର ନିର୍ଦ୍ଦେଶ ପାଳିବାକୁ ଗୋଟି ଗୋଟି ହୋଇ ପେଚା ଉଡ଼ି ପଳାଉଥିବେ, ଯେପରିକି କ’ଣ ଗୋପନ ରହସ୍ୟମୟ କାର୍ଯ୍ୟ କରିବାକୁ, ଆଉ ତାହାରି ନିର୍ଦ୍ଦେଶରେ ହଠାତ୍‍ କେଉଁଆଡ଼ୁ ଫଡ଼ଫଡ଼ ହୋଇ ଉଡ଼ି ଆସୁଥିବେ ବାଦୁଡ଼ି ପଲପଲ, ଯେପରିକି କେଉଁ ଅଶରୀରୀ ପ୍ରେତମାନଙ୍କ ଛାୟାରୂପ, ଫଡ଼ଫଡ଼ ଡେଣା ଦୁଇକରେ ହଲହଲ ଅନ୍ଧାର, ଆଉ ଏ ବାବାଜିର ଚାରିକରେ ଘୁରି ବୁଲୁଥିବେ ବେଙ୍ଗଳା ପକାଇଲା ପରି, ତରା ଆଲୁଅରେ ଦିଶିଯାଉଥିବ ତାଙ୍କର ବଡ଼ବଡ଼ ଜିକିଜିକି ମୂଷା-ଆଖି କଳା-ହୀରାରେ ତିଆରି, କଳା ମୁହଁରେ ଅତି ଧଳା ସରୁସରୁ ଦାନ୍ତ ଦି'ପାଟି, ମଣିଷ ମୁହଁପରି ମୁହଁର ଠାଣି, ଝଲକେ ଝଲକେ ଧାର ଧାର ଧଳାହସ, ଭଉଁରି ବୁଲୁଥିବେ ତାକୁ ହିଁ କେନ୍ଦ୍ରକରି, ଆଉ ଖପଖପ ହୋଇ ତାହାରି ଆଡ଼କୁହିଁ ନିଃଶବ୍ଦରେ ଧାଇଁ ଆସୁଥିବେ ବଡ଼ବଡ଼ ସୁନାବେଙ୍ଗ ଅନ୍ଧାରି ଖୋଲରୁ ଫାଟରୁ ବାହାରି, ଆଉ ୟା ଲାଞ୍ଜକୁ ତା’ ମୁହଁ ଧରାଧରି ଛନ୍ଦାଛନ୍ଦି ହୋଇ ମାଳମାଳ ଚୁଚୁନ୍ଦ୍ରା, ଠାଆକୁଠାଆ ବାଲିବନ୍ତ ଉପରେ ଥିବା ଅତି ପ୍ରାଚୀନ ମଣିଷ ହାତଗଢ଼ା ମାଟିଖପରା ଫେଣ୍ଟକରା ଚୁନସୁର୍କିଛୁଆଣି ଭଙ୍ଗାଦଦରା ଗୁମ୍ଫାଭିତରୁ ବାହାରି ଅରଖ ବୁଦାମାନଙ୍କ ତଳେତଳେ ଘୁଷୁରି ଘୁଷୁରି ତାହାରିଆଡ଼କୁ ମୋହିଁ ଆସୁଥିବେ କେଉଁ ହଜିଲା ଅତୀତ କାଳର ମୋଟା ମୋଟା ବୋଡ଼ା ସାପମାନେ, ଆଉ ସେତେବେଳେ–

 

କାହାର ଚାରୋଟି ହାତ କାହାର ଆଠହାତ କାହାର ନିଶ ଅଛି କାହାର ଗଣେଶ ଶୁଣ୍ଢ କାହାର ବାର୍‍ହା ମୁହଁ କାହାର ସିଂହ ମୁହଁ କିଏ ମୟୂର ଉପରେ ଠିଆ କିଏ ଗଞ୍ଜା କୁକୁଡ଼ା ଉପରେ କିଏ ବେଙ୍ଗ ଉପରେ କିଏ ହାତୀ ଉପରେ କିଏ ଖଣ୍ଡା ଢାଲ ଧରିଛି କିଏ ଧରିଛି ରୁଦ୍ରାକ୍ଷ ମାଳା କିଏ ମୁକୁଟ ନାଇଛି କାହାର ଖାଲି ଜଟା କିଏ ଷୋଡ଼ଶୀ କିଶୋରୀ କିଏ ବୃଦ୍ଧା ଶୁଷ୍କମାଂସା ଗଳିତଚର୍ମା ଏହିପରି ନାନା ରୂପ ହୋଇ ଥେଇଥେଇ ନାଚୁଥିବେ ଚଉଷଠି ଯୋଗିନୀ,–

 

ଆଉ ସମୁଦ୍ରଗର୍ଜନ ପଟ୍ଟଭୂମିରେ ଥାଇ ଅନ୍ଧାର ଭିତରେ ଚର୍ବିରେଇ ଉଠିବ କିଳିକିଳା ରାବ ଆଉ ସେହି ସଂକେତ ଶୁଣି ଏକାଠି ବୋବେଇ ଉଠୁଥିବେ ବିଲୁଆ, ଶାଗୁଣା, ଉଲୁକ ଆଉ ହୁଳୁହୁଳିମରା ଚଢ଼େଇ ଆଉ 'ହୁଁ ହାଁ ' ଚଢ଼େଇ, ଆଉ ଦପଦପ ହୋଇ ଚାରିଆଡ଼େ ନାଚିବ କ୍ଷୀଣ ଶାଗୁଆ ଆଲୁଅ ଆଉ ଧକଧକ ହୋଇ ଜଳୁଥିବ ଚିତାଗ୍ନି ଆଉ ନାଚି ନାଚି ଭଉଁରି ବୁଲୁଥିବେ ଦରପୋଡ଼ା ଶବମାନେ କାହାର ମୁହଁ ଜଳିଯାଇଛି କାହାର ବେକଠୁ ଉପରକୁ ନାହିଁ କାହାର ଅଣ୍ଟାଠୁ ତଳକୁ ନାହିଁ କାହା ଦେହରେ ଫଳେ ଅଛି କାହାର ଖାଲି ଧଳା ହାଡ଼ମୟ କଙ୍କାଳ !

 

ଆଉ ଏଇ ଭୟଙ୍କର ମଣିଷଟା ସେମାନଙ୍କୁ ସମସ୍ତିଙ୍କି ନଚୋଉଥିବ, ଏହି ମଣିଷ ଯାହାର ଆଖି ଦିଟା ଜଳିଜଳି ବଡ଼ ହୋଇ ହୋଇ ସତେ ଯେପରିକି ତରୁଣ ରାୟର ମୁହଁ ପାଖକୁ ଚାଲି ଆସୁଛି, ଡୋଳା ଦି’ଟା ଫରକଟା ହୋଇ ମେଲା ହୋଇଯାଇଛି ସତେ ଯେପରିକି ଗୋଟାଏ ଘରର ଦୁଆରମୁହଁ ମେଲାହୋଇ ରହିଛି ଆଉ ସେହି ଦୁଆରମୁହଁ ଭିତରକୁ ଧୀରେ ଧୀରେ ସେ ପଶିଯାଉଛି, ହେଇ ପାଦେ, ଦି’ପାଦ,–"

 

ହଠାତ, କ’ଣ ମନକଲା ସେ ଲୋକଟା ଯେ ସେ ଆଉଆଡ଼େ ମୁହଁ ବୁଲେଇଦେଲା, ସମୁଦ୍ରଆଡ଼କୁ, ସଙ୍ଗେ ସଙ୍ଗେ ଯେପରିକି ଛାଟିପିଟି ହୋଇ ତରୁଣ ରାୟ ତାର ଆଖିଭିତରୁ ପଳାଇ ଆସିଲା, ତା’ର ଛାତି ଦାଉଁଦାଉଁ ପଡ଼ୁଛି, ମୁଣ୍ଡ ଝିମିଝିମି, ଦେହ ଭିତର କ’ଣ ହୋଇଯାଉଛି, ନଳିଗୋଡ଼ ଥରଥର, ଆଣ୍ଠୁଦି’ଟା ଠକଠକ ବାଜୁଛି, ତଣ୍ଟି ଶୁଖିଯାଉଛି, ସେ ତିନି ଆଙ୍ଗୁଳି ଜିଭ କାଢ଼ି ଶୁଖିଲା ଓଠଟାକୁ ଚାଟିଚାଟି ସେହି ସମାଧି ଘରର କାନ୍ଥରେ ଦୁଇ ହାତରେ ଭରାଦେଇ ଠିଆଠିଆ ତାହାରି ଉପରେ ଢଳି ପଡ଼ି ମୁହଁ ମାଡ଼ିଦେଇ ଧକେଇ ହେଲା ।

 

କାନରେ ସୁ ସୁ ଶୁଭୁଛି । ତାହାରି ଭିତରେ ଶୁଭିଲା, ବାବାଜି କହୁଛି,

 

"ଦେଖିନେଲ ସବୁ ?" ଏଇ ତ ସେ ହସୁଛି, ପୁଣି କହୁଛି, "ସବୁ ଦେଖିନେଲ ବାବୁ ? ସବୁ ସେ ଯୋଗମାୟାର ଖେଳ । ଘଡ଼ି ଘଡିକେ ଦେଖୁଥିବ ସୃଷ୍ଟି ସ୍ଥିତି ପ୍ରଳୟ, ପୁଣି ଆଉ ଘଡ଼ିକେ ସୃଷ୍ଟ ନାହିଁ, କି ସ୍ଥିତି ନାହିଁ କି ପ୍ରଳୟ ନାହିଁ ଖାଲି ଶୂନ୍ୟ ଶୂନ୍ୟ ମହାଶୂନ୍ୟ । ଆଉ ୟେ ବାବା ଏଇଠି ମୁର୍ଦ୍ଦାରଖାନାରେ ବସି ଧ୍ୟାନ କରୁଛି, ଅନ୍ଧାର ଭିତରେ ଆଲୁଅକୁ ଲୟ ଲଗାଉଛି, ମରଣ ଭିତରେ ଜୀବନକୁ, ଯେତେ ଯୁଆଡ଼େ ଦେଖ ଖାଲି ଧାନଟି ଭିତରେ ଜୀବନକୁ, ଯେତେ ଯୁଆଡ଼େ ଦେଖ ଖାଲି ଧାନଟି ଭିତରେ ଚାଉଳଟିଏ, ଆଉ କୋଉଠି କିଛି ନାହିଁ । ବୁଝିପାରିଲଟି ମୋ କଥା ?"

 

କିଛି ବୁଝିବା ତା’ର ଦରକାର ନାହିଁ, ସେ ଲୋଡ଼ୁଛି ଏ ଲୋକଟା କବଳରୁ ମୁକ୍ତି, ସେ ଚଞ୍ଚଳ କହିଦେଲା ‘‘ହଁ ।"

 

ହସି ଦେଇ ବାବାଜି କହିଲା, "କିଛି ଦେଇଯାଅ ବାବୁ ୟେ ବାବାକୁ । ତମରି ରୂପ ମନେପକାଇ ବାବା ଖାଇବ । ବାବା କ’ଣ ଏକୁଟିଆ ଖାଇବ ? ନାଇଁ । ଆଗ ୟେ ସ୍ଥଳୀ ଖାଇବ । ଯୋଗମାୟା ଖାଇବ । ଡାଆଣୀ ଚିରିଗୁଣି ଡାଙ୍କୁଣୀ ପିଶାଚୁଣୀ ଭୂତପ୍ରେତ ପିଶାଚ ବେତାଳ କବନ୍ଧ ସମସ୍ତେ ଖାଇବେ । ଚଉଷଠି ଯୋଗିନୀ ଆସିବେ ସେ ସବୁ ଖାଇବେ ସମସ୍ତିଙ୍କି ଖାଇବେ । ସେଇଠୁ ସମସ୍ତିଙ୍କ ସଙ୍ଗରେ ୟେ ବାବା ଖାଇବ । ଆଣ, ଦିଅ କିଛି ବାବାକୁ, ବାବାକୁ ଭୋକ କରୁଛି–"

 

ତରୁଣ ରାୟ ଟିକିଏ ପ୍ରକୃତିସ୍ଥ ହେଲାଣି । ସେ ତରତର ହୋଇ ପାକେଟ ଅଣ୍ଡାଳି ଯାହା ପାଇଲା କାଢ଼ି ଆଣିଲା, ଗୋଟାଏ ଦି’ଟଙ୍କିଆ ନୋଟ, ବାବାଜି ହାତକୁ ବଢ଼ାଇଦେଲା ।

 

ବାବାଜି କଲ୍ୟାଣ କଲା, "ଆୟୁଷ ପାଇଥା ବାବୁ," ତା’ପରେ ଚେତାଇ ଦେଇ କହିଲା–

 

"ୟେ ସମୁଦ୍ରକୂଳରେ ଜୋତା ମାଡ଼ିବ ନାଇଁଟି ବାବୁ, ଏଇ ବାଲିରେ କୋଉଁ ମହାପୁରୁଷଙ୍କ ଦେହ ଧୂଳି ହୋଇ ମିଶିଥିବ, କିଏ କହିପାରିବ ? ଆଗରେ ପଡ଼ିବ ନାନକ ବାବାଙ୍କ ମଠ, ଦେଢ଼ଶୁର ଭାଇବୋହୂ କୂଅ, ହରିଦାସ ବାବାଙ୍କ ମଠ, ସେଇଠୁ ବଡ଼ରୁ ବଡ଼ ଅତିବଡ଼ି ଜଗନ୍ନାଥ ଦାସେ ଯେଉଁଠି ସାଧନା କରୁଥିଲେ, ଭାଗବତ ଲେଖୁଥିଲେ, ସ୍ୱୟଂ ମହାପ୍ରଭୁଙ୍କ ସଙ୍ଗେ ଏକ ହୋଇ ମିଶୁଥିଲେ, ସେହି ସାତଲହଡ଼ି ମଠ ପଡ଼ିବ, ଛପନକୋଟି ଦେବତା ତାଙ୍କୁ ଘେରି ରହୁଥିଲେ । ତୁମେ ତ ଖାଲି ଦେଖିବ ବାଲିକୁଦଟିଏ, ଅଧାପୋତା ଭଙ୍ଗା ଦେଉଳ, ପୋତାକୂଅ, ଭଙ୍ଗାଗୁମ୍ଫା । କୁଦିବ ନାଇଁଟି ଜୋତାରେ ସେ ଥଳ । ସମୁଦ୍ର କୂଳେ କୂଳେ ଖାଲି ସିଦ୍ଧପୀଠମାନ ବାପା, ହୁସିଆର ହୋଇଯିବ, ହୁସିଆରି–"

 

ଚାହୁଁଚାହୁଁ ତରୁଣ ରାୟ ଆହୁରି କେତେ ପରିମାଣରେ ପ୍ରକୃତିସ୍ଥ ହୋଇଗଲାଣି । କପାଳରୁ ଝାଳ ବୋହିଯାଉଛି, କାମିଜ ତଳ ଓଦା, ସେ ଅନୁଭବ କରି ପାରିଲାଣି । କିନ୍ତୁ ମନ ଭିତରେ ଆଉଣ୍ଡି ହେଉଛି ତା’ର ନିଷ୍କୃତି ଦରକାର, ଅତି ଶୀଘ୍ର । ସେ ଅଣ୍ଟାରୁ ଭାଙ୍ଗିପଡ଼ି ଦୀର୍ଘ ପ୍ରଣାମ କଲା । ମନେମନେ ତାକୁ ଅନୁନୟ ବିନୟ କଲା, ମତେ ନିଷ୍କୃତି ଦିଅ, ମୁଁ ଯାଏଁ । ଆଉ ଦିନେ ନାଇଁ, ଆଉ ଦିନେ ନାଇଁ । ତା’ ପରେ ମୁଣ୍ଡ ଟେକି ଟଳିଟଳି ବକାବକା ହୋଇ ସେ ଖଣ୍ଡେ ବାଟ ଚାଲିଲା, ଯେପରିକି ହଠାତ୍‍ ସେ ଆଲୁଅ ଜକଜକ ରଙ୍ଗମଞ୍ଚ ଭିତରୁ ବାହାରିପଡ଼ି ପଶି ଯାଇଛି କିଟିକିଟିଆ ଅନ୍ଧାରି ଗଳି ଭିତରେ ।

 

ତା ପରେ ସେ ହେତୁକଲା ସେ ଦୁଇଟଙ୍କା ଦେଇ ଆସିଛି । ଦୁଇଟଙ୍କା; ଓଃ! ଏତେ ବଡ଼ ଦାନ ସେ କାହାରିକୁ କେବେ ଦେଇନାହିଁ । ଆର୍ତ୍ତନାଦ କରି ଉଠିଲା ଅଫିସ କୋଠିର ସେ ତରୁଣ ରାୟ । ମାସ ଶେଷରେ ଦରଦାମ ପାଇଲେ ସେ ଗୋଟି ଗୋଟି ପଇସାର ହିସାବ ଲେଖି ଲେଖି ଖର୍ଚ୍ଚ କରେ । ବଜାରକୁ ଗଲେ ଜିନିଷ ମୂଲାଉଥାଏ, ମଣ୍ଟୋଉଥାଏ । ସରି ସରନ୍ତି ପାରିବା ଶସ୍ତାରେ କିଣି ମୁଣିରେ ପୂରାଇ ଚାଲିଆସେ । ତାରିଠାରୁ ଗଲା ଦୁଇଟଙ୍କା । ଭାବିଲା, ଗଲା କାହା ପେଟକୁ । ସେହି ଲୋକଟା ତ ସେ, କାଲି ସକାଳ ଦଶଟା ବେଳେ ଯେତେବେଳେ ମାଛ ଡଙ୍ଗା କୂଳରେ ଲାଗିବ ସେ ଚାଲିଯିବ ଚୁଙ୍ଗୁଡ଼ି କିଣିବାକୁ । ଆଜି ରାତିରେ ହୁଏତ ସେ କିଛି ନିଶାପାଣି କରି ଦେବ । ସେହିବାଟେ ଯିବ ତା’ର ଦୁଇଟଙ୍କା । କିନ୍ତୁ ଏମିତି ଭାବୁଭାବୁ ସେ ଚମକି ପଡ଼ିଲା । ଭାବିଲା, ସତେ ଅବା ତ ମନର ନୀରବ ଭାବନା ବି ସେ ଲୋକଟା ଜାଣି ପକାଇବ ! ତରତର ହୋଇ ଚାଲିଗଲା । ଆଉ ଆଗକୁ ଯିବ ସେ । ପୁଣି କେଉଁ ସିଦ୍ଧପୀଠ ମାଡ଼ିବ କେଉଁ ବାବାଜି ହାବୁଡ଼େ ପଡ଼ିବ । ଥାଉନ୍ତୁ ସିଦ୍ଧମାନେ ବାଲି ତଳେ ତଳେ । ତା’ର ଦରକାର ତାର ହୋଟେଲ, ତାର ସ୍ତ୍ରୀ, ତା ଝିଅ, ଆଉ ତାର କିଛି ଦରକାର ନାହିଁ ।

 

ସ୍ୱର୍ଗଦ୍ୱାର ପାଖେ ସମୁଦ୍ର କରେ କରେ ସେ ଗଲା । ଯେପରି ଉପରୁ ଦିଶିବ ନାହିଁ ।

 

ମେଘ ହେଲାଣି ଗାଢ଼ରୁ ଗାଢ଼ତାର, ତା’ ପଛଆଡ଼େ କେଉଁ କଣରେ ସୂର୍ଯ୍ୟ ଛପି ରହିଛି, ତାହାରି ଛପିଲା ଧାସରେ ରାତି ପାହାନ୍ତିର ଉଷା ଫୁଟି ଉଠିଛି, ଅଥଚ ଦ୍ୱିପ୍ରହର ଗଡ଼ିଗଲାଣି । ଉପରେ ଆକାଶର କଳା ଢାଙ୍କୁଣି, ତଳେ କଳା ଚାଦର ପରି ସମୁଦ୍ର, ମଝିରେ ଏ ବିଚିତ୍ର ଆଲୁଅ, ସତେ ଯେପରିକି ଉପରେ ତଳ ଏ ଦୁଇ କଳା ବିସ୍ତୃତିର ଆକୃତି ଫୁଟାଇ ଦେଖାଇବା ପାଇଁ ତା’ର ସୃଷ୍ଟି, ଆଉ ବିଚାରି ବିଚାରି ଘଟଣା ଦେଖିବା ପାଇଁ । ଯେପରିକି ସମୟ ଓ ବ୍ୟାପ୍ତି ଏ ଉଭୟ ଅଜଣା ମଝିରେ ଏହି ହାଲୁକା ଶୀତଳ ଆଲୁଅରେ ଦିଶୁଛି ଜାଗ୍ରତ ବର୍ତ୍ତମାନ, ସ୍ୱପ୍ନ ନାହିଁ, ସମ୍ମୋହନ ନାହିଁ, କେବଳ ବିଚାର ବୁଦ୍ଧି ବାଗରେ ବାସ୍ତବତା । ତରୁଣ ରାୟ ସେହି ବାଗରେ ଚାହିଁଚାହିଁ ଭାବୁଥିଲା ।

 

ସେ ଭାବୁଥିଲା,–ସାଧାରଣ ମଣିଷର ଜୀବନରେ ଯାହା ଘଟେ ସବୁ ଖାଲି କାରଣର ଫଳ, ସତେ ଯେପରିକି ଜଣାଶୁଣା ଆଉ ମପାଚୁପା । ଭାବର ଊନ୍ମାଦନାରେ ମଣିଷ ମାତିପାରେ, ସେ ଖାଲି ନିଜକୁ ଆନନ୍ଦ ଦେବାଲାଗି କଳ୍ପନାର ବିଳାସ । କରୁଥାଉ ସେ ମନଇଛା ପୂଜାଭୋଗ, ଡାକୁଥାଉ ତା’ର ଠାକୁର ଦେବତାଙ୍କୁ, ତା’ର ମନ ଉସତ ହେଉଥିବ, କିନ୍ତୁ ଫଳ ଫଳୁଥିବା କାରଣ ଘେନି, ଆମ୍ବ ଗଛରେ ପଣସ ଫଳିବ ନାହିଁ ।

 

ଆଉ ଏହି ବିଚାର ଭଙ୍ଗୀ ବାଟେ ଏତେ କାଳ ପରେ ହଠାତ ସେ ମନେ ପକାଉଥିଲା ତା’ ବାପା ବୋଉଙ୍କୁ ।

 

ପନ୍ଦର ବର୍ଷତଳେ ତା ବାପା ମରିଥିଲେ, ବାରବର୍ଷ ତଳେ ବୋଉ । ବାପାଙ୍କ ଚାକିରି ସରିଯାଇଥାଏ, ବାପା ମା ପୁଅ ପାଖେ ଥିଲେ । ଉଭୟେ ପୂଜା ଓଝାରେ ମନ ଢାଳି ଦେଇଥିଲେ ।

 

ତା ବାପା,–ଆମ୍ବୁଆଳିଆ ଦେହ, ଟିକିଏ ବାଙ୍ଗର, ପେଟଟି ବଡ଼, ହାତରେ ଥାଏ ପାନ କୋରଣାଟିଏ । ଲୁହା କମ୍ପାନୀର ହିସାବ ରଖିବା କାର୍ଯ୍ୟରେ ଜୀବନଟା ବିତାଇ ଦେଇ ସାରି ସେ ତାଙ୍କ ଉତ୍ତର କାଳରେ ଘୋଷଣା କଲେ,–କଳି କାଳରେ ହରିନାମ ହିଁ ସାର, ସବୁଠୁଁ ନିଦା ସେଇ, ତାକୁ ସାଧିବାକୁ ପଡ଼ିବ । ଆପେ ସାଧି ତାଙ୍କର ସନ୍ତୋଷ ଆସିଲା ନାହିଁ, ସେ ଅନ୍ୟମାନଙ୍କୁ ମତାଇଲେ । ପରିବାର ସହିତ ସେ ବି ନାମ ଜପିଥିଲା ସେ ଥିବା ଯାକେ, ତାଙ୍କର ଆଶ୍ୱାସ ତୁଟାଇବାକୁ ସାହସ ପାଇନାହିଁ ଯେ ଘରର ମୁରବି, ସେ ଚାଳକ, ନେତା, ସେ ଏହି ପରିବାରର ମେରୁଦଣ୍ଡ । ପ୍ରସନ୍ନ ହୋଇ ସେ ମରି ପାରିଥିଲେ ।

 

କିନ୍ତୁ ତାଙ୍କର ସେ ଏହି ଶେଷ ଅବସ୍ଥା ପୂର୍ବରୁ ଜୀବନଯାକ ତାଙ୍କ ଆଦର୍ଶ ଓ ଉପଦେଶ ଥିଲା ଭିନେ, ସେ ଅନୁଶୀଳନ କରୁଥିଲେ ଯେ ଅଳ୍ପ ଆୟରେ ଘରକରଣା କେମିତି ଚଳିପାରିବ, କିଛି ସାଇତିରଖି କିଛି ଖର୍ଚ୍ଚ କରି କିଛି ଭୁଲି ଯାଇ କିଛି ପଛକୁ ପକାଇ ଦେଇ କେମିତି ଦିନଗୁଡ଼ାକର ଦାଉ ଟାଳିଦେଇ ହେବ, ସମୟ ବିତାଇ ହେବ ।

 

ସେତେବେଳେ ସେ ବହୁତ ଦାମୀଦାମୀ କଥା କହୁଥିଲେ । ଲାଗିପାଗି ବୋହୂକୁ ତିଆରୁଥିଲେ, କହୁଥିଲେ–"ମୁହଁକୁ ଥୋବରା କରି ଟିକିଏ ବେହିଆ ହୋଇ ହସିଦେଇ ପାରିଲେ କେତେ ଖର୍ଚ୍ଚରୁ ତ୍ରାହି ମିଳିପାରେ । ଲୋକେ କହିବେ ଦିପଦ, କହନ୍ତୁ, ଆମେ ନ ଶୁଣିଲେ ଗଲା ।

 

ପର ତ ପର, ଆପଣା ଗିରସ୍ତ ନ ହେଲା କହିଁକି ? ତା’ ପାଟି ଖୋଜୁଥିବ ସୁଆଦିଆ ଖାଇବ ବୋଲି, କେତେ ଫରମାସି କରୁଥିବ, ନ ଶୁଣିଲେ ଭୋକିଲା ପେଟରେ ତୋରି ଉପରେ ଶୋଧା, କିଛି ଶୁଣିବୁ ନାହିଁଟି, ସବୁ ପିଠିକି ପକେଇଦବୁ, ଛିଗୁଲାନ୍ତୁ ମନଇଛା, ହାତରୁ ମୁଠି ଛାଡ଼ିବୁ ନାହିଁ ।

 

ଘରର ଥିଲା ନ ଥିଲା କାହାରିକି କିଛି ଦେଖାଇବୁ ନାହିଁ । ଅଛି ବୋଲି ଜାଣିଲେ ଲୋକେ ଉଧାର ମାଗନ୍ତି, ନେଲେ ଆଉ ଫେରନ୍ତି ନାହିଁ । ତୁ ଓଲଟି ସାହି ପଡ଼ିଶାଙ୍କୁ ଉଧାର ମାଗିବୁ, ଦରକାର ନଥାଉ, ତୋର ଅଭାବ ଅଛି ବୋଲି ସେମାନେ ଜାଣିବେ ତ; ଆଉ ମାଗିବେ ନାଇଁ । କରଜ ପଛେ କରିବୁ ମାସକୁମାସ ପଇସା ଛଞ୍ଚିବୁ, ସେଉଠୁ ଗହଣା ଗଢ଼େଇ ନାଇବୁ ।

 

ଚାଉଳ ଦାନାଏ ଦାନାଏ ହୋଇ ମୁଠିଏ, କାଉ ପିମ୍ପୁଡ଼ିଙ୍କି ସାମାନ୍ୟ ମଣିବୁ ନାହିଁ । ମୁଠିଏ ମୁଠିଏ ହେଲେ ମହଣେ, ଭିକାରିଙ୍କି ମୁହଁ ଦେବୁ ନାହିଁ ଟି ।

 

ଚୁଲିରେ ଥରକେ ଖଣ୍ଡକରୁ ବେଶୀ କାଠ ପଡ଼ିବ ନାହିଁ । ଚୁଲି ଅଙ୍ଗାରକୁ ଧୋଇ ଦେଇ ଶୁଖେଇ ରଖିଥିବୁ । ବାସନକୁ ବେଶି ରଗଡ଼ିବୁ ନାହିଁ, ଘୋରି ହୋଇଯିବଟି, ସୋଡ଼ା ଲଗେଇ ଧୋଇଦବୁ ।"

 

ତ ବାପା ତାକୁ ବି କେତେ ଉପଦେଶ ବୁଝାଉଥିଲେ–

 

"ଲୋକେ ଟେକାଟେକି କରି କହିବେ, ଖବରଦାର, ଅଣ୍ଟାରୁ ପଇସା କାଢ଼ିବୁ ନାହିଁ । ନିଜ ଘରେ ବୈଠକ ବସାଇବୁ ନାହିଁ, ବୃଥାରେ ଖାଲି ପାନ ବିଡ଼ି ଚାହା ଖର୍ଚ୍ଚ । ନିଜେ ଯାଇ ପର ଘରେ ଗପ କରି ଆ, ଚାହା ଜଳଖିଆ ମିଳିଲେ ମନା କରିବୁ ନାହିଁ । ବୈଠକଖାନା ସଜେଇବୁ ନାହିଁ, ଭଲ ଚଉକି ଟେବୁଲ ସୋଫା କିଣିବୁ ନାହିଁ, ସେଗୁଡ଼ାକ ସମିତି ଜାଗାକୁ ଭଲ, ନିଜ ଘରକୁ ଭଲ ନୁହେଁ । ଦାଣ୍ଡ ଘରେ ପଛେ ଖଣ୍ଡେ ଦିଖଣ୍ଡ ଭଙ୍ଗା ଦରଭଙ୍ଗା ଚୌକି ଟେବୁଲ ଭଲ, ହଲୁଥିବ ଟଳୁଥିବ କଣ୍ଟା ବାହାରିଥିବ, ମଣିଷ ଥରେ ବସିଥିଲେ ମନବୋଧ, ଆଉ ଥରେ ଆସି ତୋ ସମୟ ନଷ୍ଟ କରିବାକୁ ମନ କରିବା ନାଇଁ । କେହି ଆସିବା ଦରକାର ନାହିଁ । ପେଟ ପୋଷ, ନାହିଁ ଦୋଷ, ଗୁମର ଫିଟେଇଦେଲେ ସବୁ ମାଟି ।"

 

ଆଜି ବାବାଜି ଦାଉରୁ ନିବର୍ତ୍ତି ଆସି ଠିଆ ହୋଇ ଦୂରକୁ ଚାହିଁରହିଲା ବେଳେ ତା ବାପାଙ୍କର ସେହି ସଂସାରୀ ମୂର୍ତ୍ତି ମନେ ପଡ଼ିଯାଉଛି, ଜୀବନଯାକ ସେହି ସତର୍କ ଚତୁର ବିଷୟବୁଦ୍ଧିସମ୍ପନ୍ନ ହିସାବୀ ବ୍ୟକ୍ତିତ୍ୱ ତାକୁ ବାଟ କଢ଼ାଇ ଆଣିଛି, ଦମ୍ଭ ଦେଇଛି ।

 

ତାଙ୍କ ହାତ ଖାଲି ରହୁ ନଥିଲା, ପ୍ରତ୍ୟକ କାର୍ଯ୍ୟର ଉଦ୍ଦେଶ୍ୟ ଥିଲା ହୁଏତ ଖର୍ଚ୍ଚ କମାଇବା ନା ହେଲେ ଆୟ ବଢ଼ାଇବା । ସେ ଖବରକାଗଜ ସଂଗ୍ରହ କରି ଠୁଙ୍ଗା ତିଆରି କରୁଥିଲେ, ସାହିମୁଣ୍ଡର ଦୋକାନ ହିଁ ସବୁ ଠୁଙ୍ଗା କିଣିନିଏ, ବଳେ ନାହିଁ । ତା’ ଛଡ଼ା ଆପଣା ବସାରେ ସେ ସାନ ସାନ ପିଲାଙ୍କ ପାଇଁ ଲେମନ୍‍ଜୁସ, ପେନସିଲ୍‍, ଖାତା ଏମିତି ନାନାଦି ସାନ ସାନ ଜିନିଷରଖି ବିକ୍ରି କରୁଥିଲେ, ପିଲାଙ୍କୁ ଡାକି ଭେଲେଇ ବେଳେବେଳେ କିଛିକିଛି ବିକ୍ରି କରିଦେଇ ପାରୁଥିଲେ, ପୁଣି କାଗଜଠୁଙ୍ଗା ତିଆରି କରିବା ପାଇଁ ତାଙ୍କରିଠୁ ସଂଗ୍ରହ କରୁଥିଲେ ପୁରୁଣା ଖାତାମାନ ।

 

କେବେ ଯୌବନରେ ସେ ତୀର୍ଥ କରି ଆସିଥିଲେ, ତା’ପରେ ଆଉ ନାହିଁ । ଠାକୁର ଦେବତାଙ୍କ କଥା ସେ ଭାବୁ ନଥିଲେ, କେତେବେଳେ ହାତ ଟେକି ଦଣ୍ଡବତଟାଏ କରିଦେଲେ ପୂଜା ସରିଗଲା, ଦେଉଳକୁ ଯିବା କ୍ଵଚିତ । ଅଥଚ ଦିନେ ଦେଖିଲା ବେଳକୁ ହଠାତ୍‍ ସେ ନାମ ନାମ ବୋଲି ପାଗଳ । ଗଲେ ମାଛ, ମାଂସ, ପିଆଜ, ରସୁଣ । ଆସିଲା ହବିଷ୍ୟ । ସଜାହେଲା କାଚରେ ବନ୍ଧା ହୋଇ ନାନା ଛବି । ଝୁଣା ଧୂଆଁରେ ଘର ମହକିଲା, ଦିନକୁ ତିନିଥର ଘଣ୍ଟି ଟିଣିଟିଣି । ଚନ୍ଦନ, ଚିତା, ନାମାବଳିରେ ମଣ୍ଡି ହୋଇ ସ୍ତୋତ୍ରବୋଲା, ପୁରାଣପଢ଼ା, ପୂଜା, ଏଇଥିରେ ସମୟ କାଟିଲା । ରାତିରେ ନିଦରୁ ଖେଣ୍ଟି ସେ ନାମ ବୋଲନ୍ତି । ବୁଢ଼ାବୁଢ଼ୀ ଉଭୟେ ଧର୍ମରେ ବୁଡ଼ିଲେ । ଚାରିବର୍ଷ ଏହିପରି ବିତିଗଲା । ତା’ପରେ ଦିନେ ଦେଖାଗଲା ତାଙ୍କ ବାଁ ଜଙ୍ଘ ଉପରେ ଗୋଟାଏ ଦୁଷ୍ଟ ଘା ହେଲା, ବଢ଼ି ବଢ଼ି ଚାଲିଲା, ଡାକ୍ତର ପରୀକ୍ଷା କରି କହିଲେ ଘା ସାଙ୍ଗକୁ ଦେହରେ ଡାଇବିଟିସ ରୋଗ ଅଛି । ଦିନ ରାତି ଯନ୍ତ୍ରଣା ଭୋଗୀ ଭୋଗୀ ଆତୁର ହୋଇ ସବୁ ଦେବାଦେବୀଙ୍କି ଡାକିଡାକି ଦିନେ ସେ ସେହି ଅସନା ଘଉଡ଼ା ଶୁଖିଲା ଦେହଟାକୁ ଫୋପାଡ଼ି ଦେଇ ଉଡ଼ି ଚାଲିଗଲେ ।

 

ବୁଢ଼ୀ ଶିଳୁପତା ଧରିଲା । ଗୋଟି ଗୋଟି କରି ସବୁ ଦେବାଦେବୀ ଛବିକୁ କାନ୍ଥରୁ ଓଟାରି ଛେଚିଲା ଫୋପାଡ଼ିଲା, ତା’ପରେ ଡାକି ହାକି କହିଲା, "ଏତେ ତ ଛେଚିଲି ଚୂରିଲି କାହିଁ କେଉଁଠି ତ କେଉଁ ଠାକୁରଙ୍କୁ ପାଇଲି ନାହିଁ । କାହିଁ କିଏ ? ଥିଲେ ତ ଆଗ ମତେ ଖାଇଥାନ୍ତା । କଳିଯୁଗରେ ଏ ଚମ ଆଖି ଯେତିକି ଦେଖିବ ଖାଲି ସେତିକି ସତ । ଯାହା ହେବାକୁ ଯୋଗଥିବ ତା ହେବ, କେହି ଅଟକାଇ ପାରିବେ ନାହିଁ । ଏତେ ଠାକୁର ଦେବତା ଜଉତିଷ ପୁରୋହିତ ଏଗୁଡ଼ାଙ୍କୁ କାହିଁକି ଖୋସାମନ୍ତ ?"

ବୁଢ଼ୀ ପୁଣି ମାଛ ମାଂସ ଖାଇଲେ, ବ୍ରତ, ବାର, ଓଷା, ଦିନେ ହେଲେ କଲେ ନାହିଁ, ଆହୁରି ଚାରିବର୍ଷ ବଞ୍ଚି ଦିନେ ଶୋଇଲାଠୁଁ ଉଠି ବସୁ ବସୁ ଛାତି କ’ଣ ହେଇଗଲା ବୋଲି କହି ପୁଣି ଚିତ ହୋଇ ଶୋଇପଡ଼ିଲେ, ଆଉ ଉଠିଲେ ନାହିଁ ।

ତରୁଣ ରାୟ ବାପା ବୋଉଙ୍କୁ ସ୍ମରଣ କରୁଥାଏ ଆଉ ଭାବୁଥାଏ–ସେମାନେ ଦିନେ ଥିଲେ, କୁଆଡ଼େ ଗଲେ ? ମଣିଷ ରହିଥାଏ, ତା’ପରେ ନ ଥାଏ ।

ସେ ଥିଲାବେଳେ ଲୋକେ ତାକୁ ଦେଖିବାକୁ ଯେମିତି ଅଭ୍ୟସ୍ତ ହୋଇଥାନ୍ତି ସେ ମରିଗଲେ ତାକୁ ନ ଦେଖିବାକୁ ସେମିତି ଅଭ୍ୟସ୍ତ ହୋଇଥାନ୍ତି ।

ମୁହଁ ଆଗରେ ଏଇ ବଡ଼ ଢେଉଟା ଠିଆ ହୋଇଛି, ହେଇ ଆଉ ସେ ନାହିଁ । ସମୁଦ୍ର ଥିଲା, ସମୁଦ୍ର ଅଛି ।

ଆପଣା ଆଶା ଆକାଂକ୍ଷା ଏକାଠି ଗୋଟେଇ ମଣିଷ ପୂଜା କରିବାକୁ ରୂପ ଗଢ଼େ, ଆପଣା ଭିତରୁ ବୁଢିଆଣୀ ସୂତାପରି ବିଶ୍ୱାସ ବାହାର କରି ସେଥିରେ ବାନ୍ଧିହୁଏ, ସେମିତି ଏ ପୁରୀ, ଯୁଗ ଯୁଗର ମଣିଷଙ୍କ ବିଶ୍ୱାସସ୍ତୂପ । ସ୍ୱର୍ଗ ମିଳୁ, ମୋକ୍ଷ ମିଳୁ, ଧନ ବଢ଼ୁ, ସୁଖ ବଢ଼ୁ, ସନ୍ତାନ ବଢ଼ନ୍ତୁ, ଶତ୍ରୁ ମରୁ, ଏଇ ଡାକମାନ ଏକାଠି ଠୁଳ ହେଲେ ତା’ ନାଁ ହୁଏ ଆରାଧନା, ଖୁନ୍ଦାଖୁନ୍ଦି ଜକାଜକି ହୋଇ ସେହିଆତ ସେମାନେ ସେତେବେଳେ କରୁଥିଲେ ।

ଅଚିହ୍ନ ଲୋକଟା ତାହରିଠାରୁ ଓଟାରି ନେଲା ଦୁଇଟା ଟଙ୍କା; ଓଃ ! ଦୁଇଟା ଟଙ୍କା !

ଆଗରେ ସମୁଦ୍ର ଉପରେ ସେହି ଆଲୁଅ ପଡ଼ିଛି, ସେ ବାଲିରେ ବସି ପଡ଼ି ଆପଣାର ସହି ଅବସ୍ଥା କଥା ଚିନ୍ତା କଲା ଚିଆଁ ଦାଗ ପରି କେତେ ଅପ୍ରୀତିକର ଅନୁଭୂତି । ସବୁ ମନେ ପଡ଼ୁନାହିଁ । ହଁ, ସେ କେତେ ଭୟଙ୍କର ମୂର୍ତ୍ତି ଦେଖିଥିଲା, ଚୌଷଠି ଯୋଗିନୀ । ଚୌଷଠି ବୋଲି କେଉଁଠୁ ଜାଣିଲା ? କେଉଁଠୁ ଶୁଣିଥିଲା ? ତା’ ବାପା କହୁଥିଲେ ? ପୂଜାବେଳେ ନାନା ଭାଷାରେ ଲେଖା ଯେଉଁ ପ୍ରବନ୍ଧମାନ ନାନା ବହିରେ ବାହାରେ, କେତେ ଚିତ୍ରଥାଏ, ସେଇଠି କେଉଁଠି ପଢ଼ିଥିଲା ? ହେତୁ ପଡ଼ୁନାହିଁ । ଖାଲି ମନେପଡ଼ୁଛି ସେହି ବାବାଜିର ଜଳନ୍ତା ଆଖି । ହଁ, ସେହି ଦେଇଥିଲା ତା’ ମନରେ ସେ ଧାରଣା, ବାବାଜି ଯାହା ଇଛା କରିଥିଲା ସେହିଆ ସେ ଦେଖିଥିଲା । ଏପରି ହୁଏ ସେ ଶୁଣିଥିଲା, ନିଜେ ଅଙ୍ଗେ ନିଭେଇ ନ ଥିଲା । ଓଃ ! ଦୁଇ ଟଙ୍କା ତଣ୍ଡ ଦେଇ ସେ ଉଧୁରି ଆସିଛି ! ସେ ଭାଗ୍ୟବାନ୍‍ ।

ଦୁଇ ଟଙ୍କା କ୍ଷତି ହୋଇଥିବାର ଦୁଃଖ ଭୁଲି ବିପଦରୁ ଉଦ୍ଧାର ପାଇଛି ବୋଲି ଉସତ ହୋଇ ସେ ପିଲାପରି ଚଞ୍ଚଳ ହୋଇ ଉଠିଲା । ଗାଢ଼କଳା ମେଘ ଛତା ପରି ଢାଙ୍କି ରହିଛି, ବର୍ଷା ପଡ଼ିନାହିଁ । ଲୋକେ ସମୁଦ୍ର କୂଳରୁ ଚାଲିଗଲେଣି । ସେ ଏକୁଟିଆ ଚାଲିଛି । ମନ ଉଲ୍ଲାସରେ ସେ ଟିକିଟିକି ଶାମୁକା ଗୋଟେଇ ନେଉଛି, ବାଲିରେ ଦେଉଳ ତୋଳୁଛି, କଙ୍କଡ଼ା ପଛରେ ଗୋଡ଼ାଇ ଯାଉଛି, ପୁଣି ତୁନିତାନି ହୋଇ ଠିଆ ହୋଇ ସମୁଦ୍ରକୁ ଅନାଇ ରହିଛି, ସତେ ଯେପରି ସେ ଆଗରୁ ସମୁଦ୍ର ଦେଖି ନଥିଲା ନୂଆ ହୋଇ ଦେଖୁଛି ।

 

ବାଟରେ ଠାଏ ଛାତ ନ ଥାଇ ସାନ ପକ୍‍କା ଘର ପରି ଖଣ୍ଡେ କ’ଣ ଠିଆ ହୋଇଛି, ପାଞ୍ଚ ହାତ ଉଚ୍ଚ ଇଟା କାନ୍ଥ, ଦୁଆର ମୁହଁ ସାମ୍ନାରେ ପର୍ଦ୍ଦା ପରି ଆଉ ଗୋଟିଏ କାନ୍ଥ । ପଦାରେ ଶଙ୍ଖମଲମଲ ପଥରର ଫଳକରେ ଜଣକର ନାଁ ଲେଖା ହୋଇଛି, ଲିପି କହୁଛି ସେ ୟାକୁ ଲୋକଙ୍କ ମଙ୍ଗଳ ପାଇଁ ଗଢ଼ିଛନ୍ତି । ଆବିଷ୍କାରକ ପରି ଅନୁସନ୍ଧାନ କରିବାକୁ ସେ ଭିତରକୁ ପଶିଲା, ଉତ୍କଟ ନାକଫଟା ପରିସ୍ରା ଗନ୍ଧ, ମେଜିଆ ନାହିଁ, ଭିତରର ବାଲି ମୁତରେ ବୁଡ଼ିଛି । ଆବିଷ୍କାର ସମ୍ପୂର୍ଣ୍ଣ ହେଲା । ପଦାକୁ ଆସିଲା । କିଏ ତିନି ମହାଲା ଧର୍ମଶାଳା ତୋଳି ନାଁ ଛାପା ମାରି ଦେଇଛି, କିଏ ପରିସ୍ରା ଘର ଗଢ଼ି ନିଜ ନାଁ ମାରି ଦେଇଛି, ଲୋକେ ପଢ଼ିବେ, ତା’ ପରେ ପରିସ୍ରା କରିବାକୁ ଯିବେ । ନାମ–ନାମ–ରାତି ଆକାଶରେ ନିଅନ୍‍ ଆଲୁଅରେ, ଦେଉଳ କାନ୍ଥରେ ଅଙ୍ଗାରରେ, ସମୁଦ୍ର ବାଲି ଉପରେ ଆଙ୍ଗୁଠିରେ ଆଞ୍ଚୁଡ଼ି, ଆଞ୍ଚୁଡ଼ି, କାଗଜରେ ପଥରରେ, ସମସ୍ତେ ଡାକୁଛନ୍ତି ଆମ ନାଁକୁ ପଢ଼, ମନେରଖ, ଚିହ୍ନ, ଭୁଲ ନାହିଁ । ଓଃ ! କେତେ ନାଁ ।

 

ସବୁ ଚିନ୍ତା ଭୁଲି ସେ ପୁଣି ସମୁଦ୍ରଆଡ଼କୁ ଅନଇଁଲା । ସିଧା ମୁହଁ ପଟେ ଆକାଶରେ ଗୋଟାଏ ବଡ଼ ଇନ୍ଦ୍ରଧନୁ ପଡ଼ିଛି, ଗୋଟାଏ ପଟୁ କଳାମେଘ ଅପସରି ଗଲାଣି, ଉଜ୍ଜ୍ୱଳ ଖରାରେ ତେଲିଆ ତେଲିଆ ବହଳ ଶାଗୁଆ ହୋଇ ସମୁଦ୍ର ହସି ଉଠିଲାଣି, ତା’ ସେକରେ ଗାଢ଼ ଇନ୍ଦ୍ରନୀଳ ବର୍ଣ୍ଣ । ବାଲି ପନ୍ତାରେ ତାହାରିଆଡ଼କୁ ପିଠି ବୁଲାଇ ଦେଇ ଦୁଇଜଣ ମହିଳା ନଇଁପଡ଼ି ଶାମୁକା ଗୋଟୋଉଛନ୍ତି ।

 

ତରୁଣ ରାୟର ମନରେ ଝୁଙ୍କ ଉଠିଲା ସେ ତା’ର ନିଜ ଲୋକଙ୍କ ପାଖକୁ ଫେରିଯିବ । ସେତେବେଳେ ସେ ବାହାର ଦୃଶ୍ୟରୁ ଆଖି ଓଟାରି ନେଇ ଏକ ମୁହାଁ ହୋଇ ହୋଟେଲ୍‍କୁ ଚାଲିଲା, ସିଧା ଆପଣା ବଖୁରିକୁ । ଦୁଆର ମୁହଁରୁ କୁହାଟ ଛାଡ଼ିଲା, "ହେଇଟି, ଶୁଣ–" । ତା’ପରେ ବିବ୍ରତ ହୋଇ ଚାହିଁଲା । ସେଠି ଜଣେ ଅଚିହ୍ନା ଯୁବକ ।

 

ସ୍ମରଣ ଭିତରେ ଝିମିଝିମି ହେଲା କେଉଁ କାଳର ତା’ର ଯୌବନ ବେଳର ଗୋଟାଏ ସ୍ମୃତି । ବିଭାଘର ସରି ଅଳ୍ପଦିନ ହୋଇଥାଏ । ନିରୋଳାରେ ସ୍ତ୍ରୀ ସଙ୍ଗରେ ବସି ଆଳାପ ହେଲାବେଳେ ହଠାତ୍‍ ଘର କବାଟଟା ଖୋଲି ଯାଇଥିଲା, ପାଖ ଘରର ପଡ଼ିଶା ଘର ଅଚିହ୍ନା କୁଣିଆଁ ଭୁଲରେ ପଶି ଆସି କହିଥିଲେ "ଭାରି ଦୁଃଖିତ ହେଲି, ଭୁଲ ହୋଇଗଲା, ସବୁ ଘର ଏକାପରି ବୋଲି–" ସେ ସେହିକ୍ଷଣି ଚାଲିଯାଇଥିଲେ । ସରଗ ନିଭି ଯାଇଥିଲା ।

 

ମିଞ୍ଜିମିଞ୍ଜି ହୋଇ ପାଶୋରି ହୋଇଯାଉଛି ସେ ସ୍ମୃତି । ଏଥର ସେ ଚାହିଁ ଦେଖୁଛି ।

 

ମା ଝିଅ ପାଖକୁପାଖ ହୋଇ ତଳେ ବସିଛନ୍ତି, ଦିହାତ ଛାଡ଼ି ସେ ଅଚିହ୍ନା ଯୁବକଟି, ଗୋରା, ଶାନ୍ତ, ସଲଜ୍ଜ । ଯୋଡ଼ି ଧନୁପରି ଭ୍ରୂଲତା ଧାରଧାର ଓସାର ଆଖି । ରଙ୍ଗରଙ୍ଗ ସତେଜ ଓଠ ଦିଫାଳ । ଦମ୍ଭ ନାକ, ଦାଢ଼ୁଆ ଚିବୁକ, ଶାନ୍ତ କପାଳ । ମୁହଁରେ ଶାନ୍ତି ଓ ସଂଯମ । ଓସାର କପାଳ ସେକରେ ଅତି ଗହଳ ହୋଇ ବଢ଼ିଛି ତା’ ମୁଣ୍ଡବାଳ, ଛାଆଁକୁ ଢେଉଢେଉକା । ଦେଶୀ ତନ୍ତୀବୁଣା ଧୋବଲୁଗା ପିନ୍ଧିଛି, ନେଳିଆ ଡୋରିଆ କାମିଜ୍‍ ଖଣ୍ଡିଏ । ତା’ ହାତରେ ଘଣ୍ଟା ନାହିଁ, ପକେଟରେ ଫଉଣ୍ଟେନ୍‍ ପେନ୍‍ ନାହିଁ, ମୁହଁରେ ସରଳତା ।

 

କଣ ଗୋଟାଏ ହସ କଥା ପଡ଼ିଥାଏ । ମା ଝିଅ ହସିହସି ଗଡ଼ି ଯାଉଥିଲେ, ଅଚିହ୍ନା ଯୁବକଟି ଅଳ୍ପ ଅଳ୍ପ ହସୁଥିଲା । ତା’ର କୁନ୍ଦିଲା ପରି ଦାନ୍ତଗୁଡ଼ିକ, ଯେପରିକି ଦୁଧସର ବର୍ଣ୍ଣର ।

 

ହସ ଥମ୍ବିଗଲା । ଅଚିହ୍ନା ଟୋକାଟି ଠିଆ ହୋଇ ପଡ଼ି ଦଣ୍ଡବତ କଲା । ଆଖି ସହିଲା ପରି ସୁଠାମ ସ୍ୱାସ୍ଥ୍ୟ, ହାତ ଗୋଡ଼ ଗରି ଗରି । ଦୁଇ ଗୋଡ଼ ପେଣ୍ଡା ପେଣ୍ଡୁପରି ଗୋଲ ଗୋଲ, ଯେପରିକି ସେ ବହୁତ ଚାଲିଛି ।

 

ତରୁଣ ରାୟ ଟିକିନିଖି କରି ତାକୁ ଦେଖୁଥାଏ, ଅନୁଭବ କରୁଥାଏ ଯେ ତା’ର ମନ ଭିତରର ବିରୋଧୀ ଭାବ ଅତି ଶୀଘ୍ର ଉଭେଇ ଯାଉଛି, ଆସୁଛି ସସ୍ନେହ କୁତୂହଳ, ଅଚିହ୍ନା ଟୋକାଟି ଆପେ ନିଜର ପରିଚୟ ଦେଇ କହିଲା ।

 

"ମୋ ନାଁ ଅଇଁଠୁ ସାମନ୍ତ ସିଂହାର, ଏଇଠି ପୁରୀ କଲେଜରେ ବି.ଏ ଫୋର୍ଥ ଇଅରରେ ପଢ଼େ । ଆମ ଘର ସତ୍ୟବାଦୀ ପାଖରେ । ଆମ ଗାଁର ଜଣେ ଏ ହୋଟେଲରେ ପୂଝାରି କାମ କରନ୍ତି ଯେ ତାଙ୍କ ନାଁ ଗୋପାଳ ମିଶ୍ର, ଗାଁ ଲେଖାରେ ମୁଁ ତାଙ୍କୁ କକେଇ ବୋଲି ଡାକେ । ଘରକୁ ଯଇଥିଲି ଦେଖି ଆସିଲି ତାଙ୍କ ଭାରିଜାଙ୍କୁ ଭାରି ଜ୍ୱର । ସେହି ଖବର ତାଙ୍କୁ କହି ଦେବାକୁ ଆସିଥିଲି, ଯାଉଥିଲି, ଏ ମା ଡାକିଲେ ଯେ ଏଇଠି ଚାଲି ଆସିଲି ।"

 

"ଭଲ କଲ ବାପା ଭଲ କଲ," ତରୁଣ ରାୟ କହିଲା, "ଆମେ ସବୁ ଏଠିକି ବୁଲି ଆସିଛୁଁ ଯେ ଗୋଟିଏ କେହି ଚିହ୍ନା ନାହିଁ କାହା ସାଙ୍ଗରେ ମଣିଷ ପଦେ କଥାଭାଷା ହେବ ବୋଲି ।"

 

ତା ପାଟିରୁ କଥା ଛଡ଼ାଇ ନେଇ ତା’ ସ୍ତ୍ରୀ କହିଲେ, "ସେଇଥିପାଇଁ ପରା ତାଙ୍କୁ ଡାକିଲି । ତୁମେ ତ ଗଲ ବୁଲି, ବସି ବସି ବେଳ କଟିଲା ନାହିଁ, କଥା କହିବାକୁ ପାଟି ଖଲଖଲ ଯେ ବିଲେଇ ଛୁଆଟିଏ ବି ନାହିଁ ।" ହସିହସି କହିଲେ, "ଚାହିଁ ଦେଉ ଦେଉତ କାହିଁକି ମାୟା ଲାଗିଗଲା । ବିଚରା ଏମିତି ସରଳ ଅଖଳା ମଣିଷ, ଆମ ସାଙ୍ଗରେ ବୋଝେ କଥାଭାଷା ହୋଇ ସାରିଲେଣି ପରା ।"

 

ଅଇଁଠୁ ମୁରୁକି ମୁରୁକି ହସୁଛି ।

 

ଛଳନା ପିଲାଳିଆ ହସ ହସି ମୁହଁରେ କୌତୁକ ଫୁଟାଇ କହିଲା "ନାଁ କେଡ଼େ ଚମତ୍କାର ଶୁଣ ବାପା, ୟେ ହେଲେ ଅଇଁଠୁ ୟାଙ୍କ ତଳେ ଗୋଟିଏ ସାନଭାଇ ଅଛି ତା’ ନାଁ କଇଁଠୁ । ଅଇଁଠୁକୁ କଇଁଠୁ, ସାମନ୍ତ ପୁଣି ସିଂହାର । ସାମନ୍ତ ବୋଇଲେ ରାଜପୁରୁଷ ସିଂହାରଟା କ’ଣ ଟି ? ପାଶୋରି ଦେଲି ।"

 

ଅଇଁଠୁ କହିଲା "ସିଂହାର ମାନେ ସିଂହ । "

 

ଛଳନା ଛଳଛଳେଇ ହସି ଉଠି କହିଲା "ମାନେ ସ୍ୱୟଂ ପଶୁରାଜ । ବାପରେ । ରାଜପୁରୁଷ ପୁଣି ସିଂହ ।" ସମସ୍ତେ ହସୁଛନ୍ତି ।

 

ହଠାତ୍‍ ସେମାନେ ଗମ୍ଭୀର ହୋଇଗଲେ ।

 

ଅଇଁଠୁ ସାମନ୍ତ ସିଂହାର ହସ ରୋକିଦେଇ ଅନାଇଲା, ଆଉ କେହି ହସୁ ନାହାନ୍ତି । ତା’ ମୁହଁରେ ଆସ୍ତେ ଖେଳିଗଲା ଆଶ୍ଚର୍ଯ୍ୟ ହେଲାପରି ଠାଣି । ତା’ ପରେ ସେ ମୁହଁ ସ୍ଥିର ହୋଇ କେମିତି ଗୋଟିଏ ହାଲୁକା ମୁଖ ପାଲଟି ଗଲା । ସେ କହିଲା, "ଯାଉଛି, କାମ ଅଛି ।"

 

ସେତିକିବେଳେ ସେ ନିଘା କଲା, ତେରଛ ହୋଇ ତା’ ମୁଁହରେ ଝିଅଟିର ଚାହାଣି ପଡ଼ି ରହିଛି, ତା’ର ମୁଖା ଉଭେଇ ଗଲା, ସେଠି ତରଳ ଔତ୍ସୁକ୍ୟ ସରୁ ଢେଉପରି ଚହଲି ଉଠିଲା, ତଥାପି ସେ ଆଗକୁ ପାହୁଣ୍ଡେ ପକାଇଲା । ସେତିକିବେଳେ ଅଳି କଲାପରି ଛଳନା କହିଲା, "କ’ଣ ଏମିତି କାମ ବଳେଇ ପଡ଼ିଛି ।"

 

ଚାଇଁ କରି ତରୁଣ ରାୟ ଓ ତା’ ସ୍ତ୍ରୀ ଅନାଅନି ହେଲେ, ତରୁଣ ରାୟ ତା’ ସ୍ତ୍ରୀଙ୍କ ଆଖିରୁ କ’ଣ ଅକୁହା ପ୍ରଶ୍ନର ଉତ୍ତର ଲୋଡ଼ୁଥିଲେ, ଚଞ୍ଚଳ ସେ ଚାହାଣିକୁ ଏଡ଼ି ଦେଇ ମୁହଁ ବୁଲେଇ ନେଇ କାନ୍ତିମୟୀ କହିଲେ "ପଛକୁ ଆସିବା ବାପା ।" ସେମିତି ମୁଗ୍‍ଧ ସ୍ୱରରେ ଛଳନା କହିଲା "ଦି ଦିନ ହେଲା ଆସିଲୁଣି ଯେ ଖାଲି ଏଇଠି ଏଇଠି । ବୁଲେଇ ଦେଖେଇବାକୁ କେହି ଟିକିଏ ନାହିଁ ।" ସଙ୍ଗେ ସଙ୍ଗେ କାନ୍ତିମୟୀ କହିଲେ, "ଆସିବ ବାପା, ଆସିଲେ ତୁମ ସାଙ୍ଗରେ ଆମେ ବୁଲିଯିବୁ । ପରଦେଶୀକୁ ପରଦେଶୀ, ଆଉ ତା’ ଆମର କେହି ଚିହ୍ନା ନାହିଁ । ତମକୁ ଦେଖି ମତେ ଲାଗୁଛି ସତେକି ଆପଣାର କେହି, କେଉଁ କାଳର ଚିହ୍ନା । ସଂସାରରେ ଆଉ କ’ଣ ଅଛି, ଏଇ ଦି ଦଣ୍ଡର ମାୟା ଟିକିକତ !" ତରୁଣ ରାୟ ପ୍ରତିଧ୍ୱନି କଲା ପରି କହିଲା, "ଆସିବ ବାପା, ଆସିବ ।"

 

ତରୁଣ ରାୟକୁ ସବୁ ବିଚିତ୍ର ଲାଗୁଥାଏ । ଆଗରେ ତା’ର ସ୍ତ୍ରୀ, ତା’ ଝିଅ, ସେପାଖେ ଆଉ ଜଣେ । ନା, ଝିଅ ନୁହେଁ, ଝିଅ ନାହିଁ, ବହଳ କଳା ସମୁଦ୍ର ଉପରେ ଧୋବଲା ଢେଉଟିଏ ଅଜଣା ଆଲୁଅରେ ଉଠି ଫଣା ପରି ଦୋହଲି ଦୋହଲି ଟେକି ହୋଇ ଗଡ଼ି ଚାଲିଛି ଅଜାଡ଼ି ହେବାକୁ । ସେହି ଢେଉରେ ଅଛି ସ୍ୱପ୍ନର ରୂପ, ତାକୁ ତ ସେ ଦେଖିଥିଲା କେଉଁ ଅତୀତରେ । ନା, ଢେଉ ଉଭେଇ ଗଲାଣି, ଜୀବନ ଉଙ୍କି ମାରିଥିଲା, ପୁଣି ସେ ସାମାଜିକ ସମ୍ବନ୍ଧମୟ ସାଧାରଣ ଠାଣି ଉହାଡ଼ରେ ଛପି ଯାଇଛି । ଚଢ଼େଇ ଉଡ଼ିଯାଇଛି, ଫୁଲର ପାଖୁଡ଼ା ଝଡ଼ି ପଡ଼ିଛି, ସଂଗୀତ ନିସ୍ତବ୍‍ଧ ହୋଇଛି । ଅଇଁଠୁ ସାମନ୍ତ ସିଂହାର ଚାଲିଗଲାଣି । ଛଳନା ଠିଆ ହୋଇ ରହିଛି । ଛଳନା; ସେ ନାଁ ଟି ତା’ର ଆବିଷ୍କାର । ସବୁ ସୌନ୍ଦର୍ଯ୍ୟର ଖଣି ସବୁ ଶକ୍ତିର ଆଧାର ନିତ୍ୟ ଲୀଳାମୟୀ କ୍ଷଣେ କ୍ଷଣେ ବିଚିତ୍ର ମାୟା ରୂପିଣୀ ଆଦିଶକ୍ତିକୁ କେଉଁ ଭକ୍ତ ବର୍ଣ୍ଣନା କରିଥିଲା ପଦେ କଥାରେ, କହିଥିଲା ଛଳନାମୟୀ । ଅତି ସ୍ନେହରେ ସେହି ନାଁ ରଖିଥିଲା ସେ । ସେହି ତା’ର ସନ୍ତାନ, ସେ ଆପେ ଅଛି ତା’ ଦେହରେ । ପୁଅ ସେ । ଝିଅ ସେ । ପ୍ରବଳ ସ୍ନେହ ଓ ଭାବପ୍ରବଣତାରେ ସେ ଅଧୀର ହୋଇ ଉଠିଲା । ଆଉ ସଙ୍ଗେ ସଙ୍ଗେ ତୀବ୍ର ଅନୁଶୋଚନା ଆସିଲା, ଭାବିଲା, ସେ ତା’ ପାଇଁ କିଛି କରିନାହିଁ, ତା’ର ସାମାନ୍ୟ ଆନନ୍ଦ ଟିକିକରେ ବି ସେ ବାଧା ଦେଇଛି । କେଡ଼େ ମନ ଖୁସିରେ ସେମାନେ ଗପସପ ହେଉଥିଲେ, ଆଉ ସେ ଆସୁ ଆସୁ ପଙ୍ଗତ ଭାଙ୍ଗିଗଲା !

 

ଅନୁଭବ କରୁଛି,–ସେ ବୁଢ଼ା ହୋଇଯାଇଛି ।

 

ପୁଣି ସେ ଧୀରେ ଧୀରେ ଆପଣା ଭିତରୁ ଉଠିବାକୁ ଚେଷ୍ଟା କଲା, ସେ କଳ୍ପନା ଲମ୍ବାଇ ଦେଲା,–ଅଇଁଠୁ ସାମନ୍ତ ସିଂହାର ତା’ର ଜ୍ୱାଇଁ ହୁଅନ୍ତା ? ସାହସ କରି ମନ ଭିତରେ ଥରେ କହି କହିଦେଇ ସାରି ସେ ଆପଣା ମନକୁ କଳିଲା । ତାକୁ ଲାଗିଲା, ଅଚିହ୍ନା ଟୋକାଟିକି ଚାହିଁ ଦେଉ ଦେଉ ସେହି ଧାରଣାତ ତା’ର ମନକୁ ଛୁଇଁଥିଲା । ତାକୁ ଲାଗିଲା, ଏଠିକି ଆସି ତା’ର ବୁଝିବା ଶକ୍ତି ବଢ଼ିଛି, ହୃଦୟ ଉଦାର ହୋଇଛି । ସମୁଦ୍ରର ଧର୍ମ ଜଗନ୍ନାଥଧର୍ମ ତା’ ଉପରେ ପ୍ରଭାବ ପକାଇଛି । ସେ ମଣିଷପଣିଆକୁ ସମ୍ମାନ ଜଣାଉଛି ସ୍ଥାନ କି ଭାଷା କି ଜାତି କି ସମ୍ପ୍ରଦାୟକୁ ଭାବୁନାହିଁ । ତା’ର ଯୋଗ୍ୟ ପାତ୍ର ଦରକାର, ଏଇ ତ ସେ, ତା’ର ହୃଦୟ ବୁଝି ସାରିଛି, ଆଉ କି ଖରାପ ?

 

ଆପଣା ଚିନ୍ତାକୁ ବଳ ଦେବାକୁ ସେ ନନା ମୌଳିକ ତତ୍ତ୍ୱ ଭାବି ଲାଗିଲା । ମନୁଷ୍ୟ,–ସେ କଣ ଗୋଟିଏ ଅଖଣ୍ଡ ଜାତି ନୁହେଁ ? ମାଟି, ପାଣି, ଆକାଶ ପରି ଏକ ଉପାଦାନ । ଗୋଟିଏ ସ୍ଥାନକୁ ଆପଣାର କରୁ କରୁ କେତେ ସ୍ଥାନରେ ସେ ବିଞ୍ଚି ହୋଇ ପଡ଼ିଛି ! ସବୁ ତା’ର ଆପଣାର ।

 

ସେ ନିଜେ ବି ଯେପରିକି ସେହି ଯୁଗ ଯୁଗର ବାଟଚଲା ମଣିଷ, କାଲି କେଉଁ ଗଛମୂଳେ ତା’ର ଚୁଲି ଧୂଆଁ ଉଠୁଥିଲା, ଆଜି ଉଠୁଛି ଏଠି, ପୁଣି କାଲି ଆଉ କେଉଁ ନଈକୂଳେ । ତା’ର ଦୃଷ୍ଟି ଆଗରେ ବିଶାଳ ବ୍ୟାପ୍ତି, ଅଛିଣ୍ଡା ଧାନକ୍ଷେତ, ଅସରନ୍ତି ବାଲି ପଠା ଆଉ ସମୁଦ୍ର ।

 

ଭାବୁଭାବୁ ଲାଗିଲା, ତା’ ଭିତରେ ଅଛି ଆଉ ଜଣେ । ପାଣିର ମାଛ ପରି ଗୋଟିଏ ମାଧ୍ୟମରେ ଅବସ୍ଥାନ ତାର ଅଭ୍ୟାସ ହୋଇଯାଇଛି, ଅନ୍ୟ ମାଧ୍ୟମରେ ସତେକି ତା’ର ମୃତ୍ୟୁହେବ । ସେହି ଅଭ୍ୟସ୍ତ ମାଧ୍ୟମ ସଂକୀର୍ଣ୍ଣତାରେ ଗଢ଼ା, ନିଜର ସ୍ୱାର୍ଥ, ନିଜର ଗୋଷ୍ଠୀ, ନିଜର ବାଟ ସେତିକି ଘେନି ସେ ମୁଁ ପଣର ସଂକୀର୍ଣ୍ଣ ଗୋଲେଇ, ତା’ ପାଇଁ ସେହି ଟିକିକ ଆଲୁଅ, ତେଣିକି ଆଉ ନାହିଁ । ସେଠି ସେ ଆଗ ପଚାରେ ଅଧିକାର କଥା, 'କାହାର ୟେ ?' ହାତ ପାଆନ୍ତି ଯାହା ପାଏ ତା’ ଉପରେ 'ମୋର' ବୋଲି ମୋହର ମାରିଦିଏ । ସେହି ଭିତରର ଲୋକଟା ତାକୁ ଅଶାନ୍ତି ଦେଇଛି, ତା’ ଆଖିରେ ଅନ୍ଧପୋଟଳି ବାନ୍ଧି ଦେଇଛି । ସେ ଧନ୍ଦି ହୋଇ ମାରିଛି ଝିଅ ପାଇଁ ବର ଠିକଣା କରି ନାହିଁ ବୋଲି । ସେହି ମଣିଷଟା ପୁଣି ବଡ଼ ହୋଇ ଉଠୁଛି, ତାରି ଦେହରେ ସେ ମିଶି ଯାଉଛି, ସତେତ, ପାତ୍ର କାହିଁ ? ପୁଣି ଲଦି ହୋଇ ପଡ଼ୁଛି ସେହି ଚିନ୍ତା । ତା’ର ସ୍ତ୍ରୀ କହୁଛନ୍ତି ।

 

"ବୁଲି ବୁଲି ଆସିଲ, ପୁଣି କଣ ଏତେ ଚିନ୍ତା ? ନିଆଁ ଲଗା ଚିନ୍ତା ତମର ପିଛା ଛାଡ଼ି ନାହିଁ, ସେଠୁ ଯେ ଲାଗି ରହିଛି ଏଠା ଯାକେ । ଟିକିଏ ମନ ଭୁଲେଇବ ବୋଲି ଏତେ ପଇସା ଖର୍ଚ୍ଚ କରି ଏଠିକି ଆସିଲ ଯେ ସେଇଆ ।"

 

ପଇସା ଶବ୍ଦଟା ଟାଣ କରି ତା’ କାନରେ ବାଜିଗଲା । ମନ ଭିତରର ସେହି ମଣିଷଟା ବଢ଼ି ଉଠୁଛି, ପଇସା ଅଭାବ ଆଉ ନିରାଶା ଆଉ ସଂକୀର୍ଣ୍ଣ ସ୍ୱାର୍ଥପରତା, ସବୁ ତାହାରି ଅନ୍ଧାରି ଧାସ-। ଆଉ ସେପାଖୁ ସମୁଦ୍ରଆଡ଼ୁ ଉଡ଼ି ଆସୁଛନ୍ତି ଭିନେ ଭାବ । ନା, ସେମାନେ ତା’ର ଆଉ କେଉଁ ମୌଳିକ ବ୍ୟକ୍ତିତ୍ୱର ଖଣ୍ଡଖଣ୍ଡ ଅଂଶ ଯାହାକୁ ସେ କେଉଁ ଜନ୍ମରେ ଏହି ବାଲିରେ ଛାଡ଼ି ଦେଇ ଯାଇଥିଲା, ଭୁଲି ଯାଇଛି ।

 

ସତେକି ଏହି ସମୁଦ୍ର ବାଲିରେ ମିଶିଯାଇ ହଜିଯାଇ ଶୋଇ ରହିଛନ୍ତି ମଣିଷପଣର ମୂଳଗୁଣ ସବୁ ଉଦାର ଏକତାର, ଉଦାର ପରିବ୍ୟାପ୍ତ ସମତାର, ଯହିଁରେ ସବୁ ମଣିଷ ଜନ୍ମ ହୁଅନ୍ତି, ମରନ୍ତି, ଏକାପରି ହାତରେ କାମ କରନ୍ତି ପାଦରେ ଚାଲନ୍ତି, ଅନୁଭବ କରନ୍ତି ।

 

ସେହି ଭାବ ହିଁ ଆସୁଛି । ଏକ ଅଖଣ୍ଡ ଜୀବନ ସବୁ ଦୀପରେ ଜଳୁଛି, ବୋଲି କି ଭେକର ବିଭେଦ ନାହିଁ ।

 

ଅଇଁଠୁ ସାମନ୍ତ ସିଂହାରର ଚେହେରା ମନେ ପଡ଼ିଯାଉଛି, ମନରେ ସ୍ନେହ ଓ ଆଶୀର୍ବାଦ-

 

"କଣ ଗୁମ ହୋଇ ବସିପଡ଼ିଲ ? ବୁଲିଯିବା ଚାଲ ?" ସ୍ତ୍ରୀ କହୁଛନ୍ତି । ପୁଣି ସେହି ଆର ଲୋକଟା ତାକୁ ଆପଣାର କରି ବସିଲାଣି, ଚେତାଇ ଦେଉଛି, ସେ ବିଶିଷ୍ଟ, ସ୍ୱତନ୍ତ୍ର, ସେ ତରୁଣ ରାୟ, ଏଠିକାର ନୁହେଁ, ଏଇ ତା’ର ସ୍ତ୍ରୀ, ଦୂରରେ ବଡ଼ ସହରରେ ତାର ବସା, ଆଉ ଦୁଇଦିନେ ତା’ର ଛୁଟି ସରିଯିବ, ସେ ଲେଉଟିଯିବ, ଏଠି ଆଉ ନଥିବ ଏ ଦୃଶ୍ୟ ଏ ପରିସ୍ଥିତି ତା’ ସଙ୍ଗରେ ଗୋଡ଼ାଇ ଯିବ ନାହିଁ ।

 

କିଏ ସେ ତେବେ ? କେଉଁ ଜଣକ ? ସ୍ତ୍ରୀ ଉଚ୍ଛନ୍ନ କଲେଣି, "ଶୁଣୁଚ ? ଯିବା ଚାଲ, ବୁଲି ଆସିବା ।"

 

ନା, ସେ ଆଉ ଭାବିବ ନାହିଁ ସେ କିଏ, କ’ଣ ତା’ର ସ୍ୱରୂପ, କ’ଣ ତା’ର ଦରକାର । ଏ ଦେହ ନିଦ ଖୋଜୁଛି ।

 

ସେ କହିଲା, ‘‘ଟିକିଏ ଶୋଇପଡ଼େଁ ? ଦି ଘଣ୍ଟା ଛାଡ଼ି ଉଠେଇ ଦେବ ।’’

 

ସେମାନେ ତାକୁ ନିଦରୁ ଉଠାଇ ଦେଲାବେଳକୁ ଖରା କେଡ଼େଘାଏଁ ମଉଳି ପଡ଼ିଲାଣି, ସେ ଅନୁମାନ କଲା ବେଳ ବୁଡ଼ିବାକୁ ଅଧ ଘଣ୍ଟାକରୁ ବେଶୀ ନଥିବ । ସମସ୍ତେ ସମୁଦ୍ର କୂଳକୁ ମୋହିଛନ୍ତି, ସେତିକି ନିର୍ଘଣ୍ଟ ଅନୁସାରେ ଏତିକି ବେଳକୁ ଏଇ କାମ । ତା’ର ସ୍ତ୍ରୀ ଓ ଝିଅ ଲୁଗାପଟା ପିନ୍ଧି ପ୍ରସ୍ତୁତ ହୋଇ ଅପେକ୍ଷା କରିଛନ୍ତି । ସେମାନଙ୍କ ସଙ୍ଗେ ସେ ବି ହୋଟେଲରୁ ବାହାରି ବାଲିଏ ବାଲିଏ ସମୁଦ୍ର କୂଳଆଡ଼କୁ ତରତର ହୋଇ ଚାଲିଗଲା ।

 

ଧୀରେ ଧୀରେ ତାଙ୍କ ଗତିର ବେଗ ବଢ଼ି ଯାଉଛି, ଯେପରିକି କ’ଣ ଉଦ୍ଦେଶ୍ୟ ରହିଛି, ଡେରି ହେଲେ ଫସର ଫାଟିଯିବ । ବାଲିରେ ଯେତେ ତରତର ହୋଇ ଚାଲି ଆସିଲେ ବି ଆଗରେ ସମୁଦ୍ର, ବାଲି ଛିଣ୍ଡି ପଡ଼ିଛି ସମୁଦ୍ର ଭିତରକୁ ଢାଲୁଏ ଢାଲୁଏ, ପୃଥିବୀର ଟାଣ ଭାଗଟା ଶେଷ ହୋଇଛି । କିନ୍ତୁ କେହି ଅଟକୁ ନାହିଁ । ଏଥର ବାଟ ସମୁଦ୍ରର ଧଡ଼ିଏ ଧଡ଼ିଏ ପୂର୍ବକୁ କି ପଶ୍ଚିମକୁ । କିଏ ଚାଲିଛି ତ ଚାଲିଛି, ନାକ ସଳଖେ ବଳିଆ ପଣ୍ଡାଆଡ଼କୁ କି ଝାଉଁବଣଆଡ଼କୁ । କିଏ ବା ଦିଗ ବଦଳାଉଛି । ଅସଂଖ୍ୟ ମଣିଷ, କିଏ କେଉଁ ପ୍ରାନ୍ତରୁ ଆସିଛନ୍ତି ।

 

ସମୁଦ୍ର ଗାଢ଼ ନେଳି, ପୁଣି ଆରାଏ ଶାଗୁଆ । କୋଟି କୋଟି ଜିକିଜିକି ଆଖିରେ ଯେପରିକି ସେ ନେଳି ପାଣି ଚାହିଁ ରହିଛି । ଅତି ଅଦ୍ଭୁତ ନେଳି-ଧଳା ଚାଦର କେତେ ଭାଙ୍ଗ ହୋଇ କୁଞ୍ଚୁକୁଞ୍ଚିଆ ହୋଇ ଯାଉଛି । ତେଲ ଜିକିଜିକି ନେଳି ଢେଉ ଭାଙ୍ଗିଲେ ଦିଶୁଛି ସତେ ଯେପରିକି ମୁଣ୍ଡା ମୁଣ୍ଡା ସ୍ଫଟିକ ପଥର ଭାଙ୍ଗି ଯାଉଛି । ତରଳି ଯାଉଛି । ଗଡ଼ି ଯାଉଛି ।

 

ପଶ୍ଚିମ ଆକାଶରେ ସୂର୍ଯ୍ୟ ତଳକୁ ତଳକୁ ଖସି ଖସି ପଡ଼ିଲାଣି । ତର ମଝିର ମଣ୍ଡଳ ନେଳି ଦିଶୁଛି, ତାକୁ ଅନାଇ ଦେଉଛି, ଆଖିକି କାଟୁ ନାହିଁ । ତା’ ଉପରକୁ ନାରଙ୍ଗି ଓ ନାଲି ରଙ୍ଗ, ସେଠି ଖଣ୍ଡ ଖଣ୍ଡ ବଉଦ ନାନା ବର୍ଣ୍ଣରେ ଝଟକି ଉଠିଲାଣି ।

 

ଅସ୍ତ ଯାଉଥିବା ସୂର୍ଯ୍ୟର ଆଲୁଅରେ ସମୁଦ୍ର ଉପରେ ବହୁତ ଦୁରକୁ ଦୃଷ୍ଟି ଚାଲିଯାଉଛି । ଦୁରକୁ ଶାନ୍ତ ବିସ୍ତୃତି । ଲହଡି ଗାଢ଼ ବର୍ଣ୍ଣ ଦିଶୁଛି ।

 

ସମୁଦ୍ର କୂଳେ କୂଳେ ମଣିଷଙ୍କ ଗତି ଲାଗି ରହିଛି । ଦଳଦଳ ହୋଇ ଆସୁଅଛନ୍ତି । ଖେଳିଲା ଖେଳିଲା ପରି ହାତ ଗୋଡ଼ ଛଟା ଛଟି, ହସ, ପାଟି, ନାନା ପଛରେ ପିନ୍ଧା ବେଶ, ନାନା ବର୍ଣ୍ଣ ବିନ୍ୟାସ । ପୁଣି ସେମାନେ ଦୁରେଇ ଯାଉଛନ୍ତି, ନିଭି ନିଭି ଯାଉଛନ୍ତି ଏହି ସୂର୍ଯ୍ୟ ପରି ।

 

ଆଗରେ ସେହି ପିଲାଟି, ଅଇଁଠୁ ସାମନ୍ତସିଂହାର, ନମସ୍କାର ଉଞ୍ଚେଇ ହସିହସି ଆଗେଇ ଆସୁଛି । ତରୁଣ ରାୟକୁ ଦେଖି ପକାଇଲା, ନମସ୍କାର ଅଛି, ହସ ଥମ୍ବିଗଲା ।

 

ହସି ଦେଇ ତରୁଣ ରାୟ କହିଲା, "ହେଇଟିତ ୟେ ଆସିଲେଣି, ତୁମେ ସବୁ ଯାଅ, ବୁଲି ବୁଲି ଦେଖ, ମୁଁ ଏଣେ ବୁଲୁଛି ।" ପୁଣି ସେମିତି ସେ ହସିହସି କହିଲା, "ଆମେ ବୁଢ଼ା ହେଲୁ । କେଉଁଠି ଟିକିଏ ଏକୁଟିଆ ଥିରି ହୋଇ ବସି ଠାକୁରଙ୍କୁ ସ୍ମରଣ କରିବା ନା ଜୀବନ ଯାକ ଖାଲି ଗୋଠ ଜଗିଜଗି ଗୋଠ ପଛେପଛେ ବୁଲୁଥିବା ?" କିନ୍ତୁ ତାର ଏ ରହସ୍ୟ କଥା ଶୁଣିବାକୁ ଲୋକ ନାହାନ୍ତି । ସେମାନେ ଏକାଠି ହୋଇ ଗପିଗପିକା ଗଲେଣି ପଶ୍ଚିମଆଡ଼କୁ । ତରୁଣ ରାୟ ନିଜ ଉପରେ ହସି ଉଠିଲା, ବୁଲି ପଡ଼ି ପୂର୍ବ ମୁହାଁ ହୋଇ ପାଣି କୂଳେ କୂଳେ ତରତର ହୋଇ ଚାଲିଲା ।

 

ଯାଉ ଯାଉ ତା’ର ବେଗ ବଢ଼ିଲା, ଅନ୍ତର ଭିତରୁ ଆନନ୍ଦ ଉଛୁଳି ଉଠିଲା, ଲାଗିଲା ସତେକି ସେ ବନ୍ଧନରୁ ମୁକ୍ତ ହୋଇଛି । ସେ ନଇଁପଡ଼ି ଶାମୁକା ଗୁଡ଼ିଏ ଗୋଟାଇଲା । ଆକାଶକୁ ଅନାଇଁ ଗୁଣୁଗୁଣୁ ହୋଇ ଗୀତ ବୋଳିଲା, ପୁଣି ତରତର ହୋଇ ଦୂରକୁ ଚାଲିଲା, ଯେଉଁଆଡ଼କୁ ତା’ର ସ୍ତ୍ରୀ ଝିଅ ଯାଇଛନ୍ତି ତା’ର ବିପରୀତ ଦିଗକୁ, ସେମାନଙ୍କଠୁ ଦୂରକୁ । ତା’ର ଏ ବାହାରର କ୍ରିୟା ସତେ ଯେପରିକି ଟା ଅନ୍ତର ଭିତରର ଗୋଟିଏ ବାଞ୍ଛା ପୂରଣ କଲାଭଳି ରୂପାନ୍ତରିତ ସଂକେତ କ୍ରିୟା । ସେ ସେତିକି ସେହି ଅନ୍ତର ଭିତରେ ଗୋଟାଏ ଧାରଣାରେ ଚେତୁଥିଲା, ଯେ ପରିବାର ତା’ର ବେକରେ ବନ୍ଧା ବୋଝ, ତା’ର ଜଞ୍ଜାଳ । ସେ ମନକୁମନ ଭାବିଲା ମଣିଷର ପରିବାର ଗେଣ୍ଡାର ଖୋଳ ପରି, ସୁସ୍ଥି ନିରାପତ୍ତା ସଂସ୍ଥିତି ପାଇଁ ତା’ର ସୃଷ୍ଟି, ତା’ର ବୋଝ ବେଶୀ, ସେ ବନ୍ଧନ-

Unknown

 

ଝାଉଁବଣ ଉପରେ ତେର୍ଚ୍ଛା ହୋଇ ସରନ୍ତି ଖରା ବୋହି ପଡ଼ିଛି । ଗୋଟି ଗୋଟି ହୋଇ ଗଛଗୁଡ଼ିକ ବାରି ହୋଇ ପଡ଼ୁଛି । କେତେ ଦୂରରେ, ବାଲିବନ୍ତ ଖାଲ ଢିପ ବାଲିବନ୍ତ ସେକରେ ପରସ୍ତ ପରସ୍ତ ହୋଇ ଧାଡ଼ିଧାଡ଼ି ହୋଇ ଆଗ ଝାଉଁଗଛ, ତା’ ପଛକୁ ତାଳ ଗଛ, ନଡ଼ିଆ ଗଛ, ତା’ ପଛକୁ ଗଛର ଗହଳି ।

 

ଆହୁରି ଆଗକୁ ଗଲା, ମଣିଷ ଭିଡ଼ ପଛରେ ରହିଲା, ଝାଉଁ ଵାରିଟିଏ ଗଲା, ତା’ ପରେ ବଡ଼ କୋଠାଘରର ବଡ଼ ଝାଉଁ ବଗିଚା, ତା’ ପରେ ଅଳ୍ପ ଛାଡ଼ି ବଡ଼ବଡ଼ କଥାଗୁଡ଼ିକ, ଖାଁ ଖାଁ ନିଶିବଦ କୋଠା, ନିଛାଟିଆ ସମୁଦ୍ର ଅପନ୍ତରା, ସେଇଠି ବସି ବୁଲିପଡ଼ି ସେ ପଶ୍ଚିମକୁ ଅନାଇଁ ଦେଖିଲା ସୂର୍ଯ୍ୟ ଅସ୍ତ ହେଉଛି, ସରୁ କଅଁଳ ସମୁଦ୍ର ବାଲି, କେଡ଼େ ଶୀତଳ; ସୁନ୍ଦର ସମୁଦ୍ର, ପଶ୍ଚିମଆଡ଼େ ଆକାଶ ଓ ସମୁଦ୍ର ନାଲି ଦିଶୁଛି, ସେହି ସଳଖେ ସୂର୍ଯ୍ୟର ନାଲି ଟହଟହ ଛବି ସଳଖ ହୋଇ ଗାରେଗାରେ ପାଣିରେ ଫୁଟି ଚହଟି ଆସୁଛି ତା’ ପାଖକୁ ସେହି ଯେଉଁଠି ପାଣି କୂଳର ଓଦା ପାଣିଚିଆ ବାଲି ଉପର ବି ନାଲି ରଙ୍ଗ ବୋଳି ହୋଇଛି ସୂର୍ଯ୍ୟ ଅସ୍ତ ଯାଉଛି ।

 

ସେ ଦେଖିଛି, ଦିନଯାକର ଦୁଇଟା ବଡ଼ ବିପ୍ଳବରୁ ଗୋଟାଏ ତା’ ଆଖି ଆଗେ ଆଗେ ଘଟିଯାଉଛି, ଗୋଟାଏ ଜୀବନର ଅବସାନ ସେ ଦେଖୁଛି । ତା ମନରେ ଗମ୍ଭୀର ମହାଭାବ । ସତେ ଯେପରି ସୂର୍ଯ୍ୟାସ୍ତ ଦେଖିବା କ୍ରିୟା ସଙ୍ଗେ ସଙ୍ଗେ ତା’ର ନିଶ୍ୱାସ ପ୍ରଶ୍ଵାସ ବି ଛାନ୍ଦଛନ୍ଦି ହୋଇ ରହିଛି ।

 

ନାଲି ହୋଇ ଗୋଟାଏ ପ୍ରକାଣ୍ଡ ପିଣ୍ଡୁଳା, ସେ ସମୁଦ୍ର ପାଣିରେ ବସି ବସି ଦବି ଦବି ଯାଉଛି । ଦିଶିଲାଣି ଗୋଟାଏ ନିଆଁ ଲାଗିଥିବା ଘର ପରି, ତା’ପରେ ସେ ଗୋଟାଏ ଜଳନ୍ତା ବୋଇତ, ତା’ ପରେ ସେ ଗୋଟିଏ ଜଳନ୍ତା ଚିତାଗ୍ନି, କେତେ ସାନ ହୋଇ ଜଳୁଥିଲା । ଚାହୁଁଚାହୁଁ ସେ ବି ଅଦୃଶ୍ୟ ହୋଇଗଲା । ତା’ର ଯୋଡ଼ା ପାପୁଲି ଆପେ ଆପେ ଠିଆ ହେଲା, କପାଳରେ ଲାଗିଲା, ସୂର୍ଯ୍ୟର ଶେଷ ଧାସ ନ ଲୁଚୁଣୁ ସେ ତାକୁ ନମସ୍କାର କଲା । ସବୁ ସରିଗଲା, ନିଭିଲା ନିଆଁର ଧାସ ପରି ଟିକିଏ ନାଲି, ତା’ ଉପରକୁ ଧୂଁଆର ଢାଙ୍କୁଣି ପରି ମେଘ ଲମ୍ବି ଯାଇଛି । ଚାହୁଁଚାହୁଁ ସେହି ନାଲି ଧାସ ଟିକକ ବି କାହିଁ ଅଦୃଶ୍ୟ ହୋଇଗଲା, ଏଥରକ ସବୁ ଶୂନ୍‍ଶାନ, ପୂର୍ବକୁ ଅନାଇଲେ କି ପଶ୍ଚିମକୁ ଅନାଇଲେ କେହି କାହିଁ ପାରିବ ନାହିଁ ଯେ ଏତେ ବଡ଼ ଆଉ ଏଡ଼େ ପରାକ୍ରମୀ ସୂର୍ଯ୍ୟ ଆଜି ଉଇଁଥିଲା, ଆଲୁଅ କରିଥିଲା, ଅସ୍ତ ହୋଇ ଯାଇଛି । ମେଘରେ ଯେଉଁ ନାଲି ନାରଙ୍ଗି ଛବିମାନ ଫୁଟି ଉଠିଥିଲା ସେ ବି ନିଭି ଯାଇଛି । କେବଳ ଅଛି ସମୁଦ୍ର, ଢେଉ ମାଡ଼ି ଆସୁଛି, ଢେଉ ଭାଙ୍ଗୁଛି, ଯହୁଁ ଯହୁଁ ଅନ୍ଧାର ହେଉଛି ତହୁଁ ତହୁଁ ଢେଉ ମୁଣ୍ଡରେ ଜିକିଜିକି ଧଳା ଫେଣ ଆହୁରି ଆହୁରି ସ୍ପଷ୍ଟ ହେଉଛି, ସତେ ଯେପରି ପାଣି ଉପରେ ବିଜୁଳି ଖେଳି ଯାଉଛି ।

 

ମୃତ୍ୟୁର ଵିପୁଳତା ତା’ ମନକୁ ଆଚ୍ଛନ୍ନ କରିଥିଲା, ସୃଷ୍ଟିର ଆଦିମ ଦୁଃଖକୁ ସେ ଆପଣାଠିଁ ଅନୁଭବ କରି ବିଷଣ୍ଣ ହେଉଥିଲା । ସେ ଦୁଃଖ କେବଳ ଗୋଟିଏ ହଜିଲା ଦିନ ପାଇଁ ନୁହେଁ କି କୌଣସି ଜଣକ ପାଇଁ ନୁହେଁ, ସେ ଗୋଟାଏ ବ୍ୟାପକ ବିଳାପ, ଯେତେ ଚିହ୍ନା ଅଚିହ୍ନା ତା’ର ସ୍ମରଣ ଭିତରେ ମାରି ହଜି ଯାଇଛନ୍ତି ସମସ୍ତିଙ୍କ ପାଇଁ ।

 

ଏମିତି ଏ ସନ୍ଧି ବେଳାରେ ସେମାନଙ୍କ ପାଇଁ ତା’ର ପ୍ରାଣ ଝୁରିଥିଲା । ଦୂର ଦିଗ୍‍ବଳୟ ତଳେ ସମୁଦ୍ରର ଫନ୍ଦ ଉପରେ କ୍ଷୀଣ ହୋଇ ଟିକି ନାଲି ବୁନ୍ଦାଟିଏ ହୋଇ ହଜିଗଲା ଯେଉଁ ସୂର୍ଯ୍ୟ ସେ ସେହି ଶାଶ୍ୱତ ମରଣରହିଁ ଅଭିନୟ ଦେଖାଇ ଦେଇ ଚାଲିଗଲା ।

 

କାହାର କି ଥଇତା ପଣ ?–ସେ ଭାବିଲା । ତା’ ନିଜ ଆୟୁଷ ବି ଆଙ୍ଗୁଠି ଟିପ ଅଗରେ କଳି ହେବ । ଆଶାୟୀ ହୋଇ ଭାବିଲା,–କୋଡ଼ଏ ବର୍ଷ କି ତିରିଶି ବର୍ଷ ତ ଆଉ ? ଯେତେ ବର୍ଷ ହେଉ, ତେଣିକି ସବୁ ଶୂନ୍ୟ ।

 

ସମୟର ଅଟ୍ଟହାସ୍ୟ ପରି ସମୁଦ୍ର ଲହଡ଼ି ଅଜାଡ଼ି ହେଉଛି, ବିହ୍ଵଳ ହୋଇ ପଶ୍ଚିମର ଫାଙ୍କା ଆକାଶକୁ ସେ ଅନାଇଁ ବସି ରହିଛି । ସ୍ତ୍ରୀ ଓ ଝିଅ କେଉଁଆଡ଼େ ଗଲେ ସେ କଥା ତା’ର ମନରେ ନାହିଁ । ସେ ଯେପରିକି ଦୂରକୁ ଚାହିଁଚାହିଁ ଦେଖୁଛି ପରିଣତିକୁ, ତାର ପରିଣତିକୁ, ତରୁଣ ରାୟ ହେଇ ମରିଯାଇଛି । ଧକଧକ ହେଉଛି ତାର କା' ଟା ଯେ ତାକୁହିଁ ଆବୋରି ତା’ର ଭିତରେ ରହିଥିଲା, ସେ ମୁକ୍ତ ନହେବ ବୋଲି ପ୍ରାଣପଣେ ଲୋଡ଼ି ଲୋଡ଼ି ମୁକ୍ତ ହୋଇଛି ।

 

ତାର ଦେହ ଚାରିପାଖେ ଟିକିଟିକି ଜୀବନ ଚଞ୍ଚଳ ହୋଇ ଉଠୁଛି । ସେଠି ବାଲିକୁ ଚାଲୁଣି ଫୁଟାଇ କଙ୍କଡ଼ାମାନେ ଗୋଟିଏ ବସ୍ତି ଗଢ଼ିଛନ୍ତି, ଅଳିଆ ସରିଯାଉଛି, ତାଙ୍କର ନାନା ଧନ୍ଦା, ବାଲି ସନ୍ଧିରୁ ଖାଦ୍ୟ ଗୋଟାଇ ନେବେ, ଚିହ୍ନାଜଣା ମୁହଁକୁ ଚିହ୍ନା ପରିସ୍ଥିତିକୁ ମନଇଛା ଚାହିଁଦେଇ ଯିବେ । ଦଶ ଗୋଡ଼ରେ ବୁହାହୋଇ ଟେକିହୋଇ କେତେ କଙ୍କଡ଼ାଦେହର ରଥ ଏକର ସେକର ଗଡ଼ି ଯାଉଛି । ଗୋଜିଆ ଗୋଜିଆ ହୋଇ ଠିଆ ହୋଇଛି ଯାଉଁଳି ଆଖି, ଦେଖୁଛି, କଳୁଛି । ସେହି କଙ୍କଡ଼ାଙ୍କ ରାଜ୍ୟ ଉପରେ ସେ ଗୋଟାଏ ପର୍ବତ ହୋଇ ବସି ରହିଛି । ସରୁସରୁ ଟିକିଟିକି ଗୋଡ଼ ବଢ଼ାଇଦେଇ ସେମାନେ ତାକୁ ତରକି ତରକି ଛୁଇଁଦେଉଛନ୍ତି ପୁଣି ଗୋଡ଼ ଓଟାରି ନେଉଛନ୍ତି, ଧାଇଁଧାଇଁ ଗାତ ଭିତରେ ପଶିଯାଉଛନ୍ତି । ଉଉଁ ଅବା ମରୁ ସୂର୍ଯ୍ୟ, କଙ୍କଡ଼ା ବଞ୍ଚୁ କିଛିଦିନ ବା ମରୁ ଏହି ମୁହୂର୍ତ୍ତରେ, କଙ୍କଡ଼ା ତା’ର ଜୀବନର ଖେଳ ଖେଳି ବୁଲୁଛି । ମଣିଷଟି ସ୍ଥିର ହୋଇ ବସି ରହିଛି, ମୃତ୍ୟୁ ବିଚ୍ଛେଦ ଓ ପରିବର୍ତ୍ତନର ଦୁଃଖ ମୁଣ୍ଡାଇ ସେ ଚିନ୍ତାରେ ବୁଡ଼ିଛି ।

 

କିଛି ସମୟ ପରେ ସେ ସେହି ଚିନ୍ତାରୁ ଚେଇଁ ଉଠିଲା । ଅତି ନରମ ଅତି ଉଦାସ ହୋଇଥିଲା ତା’ ଦୃଷ୍ଟି । ଲାଗୁଥାଏ ଆଜି ସେ ଏକୁଟିଆ ହୋଇଛି, ଆପଣାକୁ ଏଡ଼େ ଏକୁଟିଆ ହୋଇ ଅନୁଭବ କରିବାକୁ ତା’ ଜୀବନରେ କ୍ଵଚିତ ବେଳେ ଆସିଛି, ନାନା ସମ୍ପର୍କ ନାନା ପରିସ୍ଥିତି ଚେର ପରି ତାକୁ ବାନ୍ଧିରଖିଥାଏ ।

 

ସେ ଭାବିଲା, ସବୁ କ’ଣ ତେବେ ମିଥ୍ୟା ? ଅସ୍ତ ହିଁ ସତ୍ୟ ? ଏହି ଯେଉଁ ଗେରୁଆ ପିନ୍ଧା ବାବାଜି ଦିହେଁ ସମୁଦ୍ର କୂଳେ କୂଳେ ଗଲେ, ସେମାନଙ୍କୁ ପଚାରିଲେ କହନ୍ତେ ଏ ଜଗତ ମାୟା, ମିଥ୍ୟା । ସେତିକି କ’ଣ ସତ୍ୟ ?

 

ସେପାଖର ଆକାଶଅଧାରେ ଅଷ୍ଟମୀର ଅଧଚାନ୍ଦ ଉଇଁଲାଣି କେତେ ବେଳ ହେଲାଣି, କିଏ କୁଆଡ଼େ ଗଲେଣି । ଢେଉଢେଉକା ବାଲିବନ୍ତ, ସେଠି ବାଲିକଣା ସଙ୍ଗେ ମିଶାମିଶି ଅତି ଟିକିଟିକି ଧୋବ ଶାମୁକାଟିମାନ ଜିକିଜିକି ଦିଶୁଛି । ଜହ୍ନ ଆଲୁଅ ପାଣିପରି ତରଳିଯାଇ ଦର୍ପଣ ହୋଇ ଢେଉ ଉପରେ ଲାଗି ରହିଛି । ଧଳା ଜିକିଜିକି ଢେଉ ତୁହାଇ ତୁହାଇ ତାହାରିଆଡ଼କୁ ମାଡ଼ି ଆସୁଛି । ପଛଆଡ଼େ ହାଉଁହାଉଁ କୋଠା, ସେଠି ଆଲୁଅ ଜଳୁନାହିଁ ।

 

ହଠାତ ସେ ଭାବିଲା, ସୂର୍ଯ୍ୟ ଆଉ ବୁଡ଼ିଲା କ’ଣ ? ଆଉ କେଉଁଠି ହେଲେ ସୂର୍ଯ୍ୟୋଦୟ ହେଉଥିବ । ସୂର୍ଯ୍ୟ ମରିନାହିଁ କେବଳ ସୂର୍ଯ୍ୟ ସହିତ ଏ ସ୍ଥାନଟିର ଯେଉଁ ସମ୍ବନ୍ଧ ଥିଲା ତା’ ବଦଳିଛି-। ପୁରୁଣା ଦିନ ମରୁଛି, ନୂଆ ଦିନ ଆସୁଛି । ଗୋଟାଏ ପ୍ରକାର ଆଲୋକ ଯାଇଛି, ଅନ୍ୟ ପ୍ରକାର ଆଲୋକ ଆସିବ ।

 

ଜୀବନରେ ଆନନ୍ଦ ଅଛି, କ୍ଷୟ ନାହିଁ । ତା’ର ନୈରାଶ୍ୟ କଟିଯାଉଛି, ତାକୁ ଲାଗୁଛି, କ୍ଷୟଶୀଳ ହୋଇ ତାହାର ଯେଉଁ ପୁରୁଣା ଘଟ ଥିଲା, ତା’ର ବିସର୍ଜନ ହୋଇ ସାରିଛି, ଏ ତାର ନୂଆଘଟ, ପୁନର୍ଜନ୍ମ, ଏଥିରେ ଜୀବନ ଅଛି, ମରଣ ନାହିଁ, ଆନନ୍ଦ ଅଛି, ଦୁଃଖ ନାହିଁ ।

 

ଏହି ପୁଣି ସେ ତା’ର ଅତୀତକୁ ଆଡ଼ ଆଖିରେ ଚାହିଁଚାହିଁ ହେଉଛି । ଖାଲି ପରିବାର ଚିନ୍ତା, ସ୍ତ୍ରୀ ଆଉ ଝିଅ । ସେହିମାନଙ୍କ ପଛରେ ଧାଇଁବା ହିଁ ତା’ର ଜୀବନର କ୍ରିୟା, କେତେବେଳେ ତାଙ୍କ ହିତ ପାଇଁ ଭାବିଭାବି ଧନ୍ଦି ହେଉଛି, କେତେବେଳେ ତାଙ୍କ ଅହିତ ଆଶଙ୍କା କରି ଦକଦକ ହୋଇଛି, ସେହିସବୁ ଭାବନାର ରଙ୍ଗ ବୋଳିହୋଇ ତା’ର ଆବିର୍ଭାବ । ମୋହରୁ ଉପୁଜୁଛି ଚିନ୍ତା, ସେହିତ ହାରିଛି ତା’ର ସୁସ୍ଥ ଚପଳତା, ପିନ୍ଧାଇଛି ବନ୍ଧନର ବେଡ଼ି । ସେହି ତା’ର ବାର୍ଦ୍ଧକ୍ୟ ଆଣି ଦେଇଛି ।

 

ସେ ଭାବିଲା, ଧନ୍ଦି ନ ହୋଇ ରହିପାରେ ନାହିଁ ବୋଲି ବୋଧହୁଏ ମଣିଷ ଧନ୍ଦି ହୁଏ, ଭାବେ ସେ ବୁଦ୍ଧିର ଉପଯୋଗ କରୁଛି, କାର୍ଯ୍ୟ କରୁଛି, ସାଫଲ୍ୟ ପାଇବାକୁ ଯୋଜନା ଫାନ୍ଦୁଛି ।

 

ଆଉ ତା’ର ଦକଦକ ଛଟପଟ ଅସ୍ତିତ୍ୱର ପିଠିଆଡ଼େ ଥାଇ ହସୁଥାଏ ମୃତ୍ୟୁ, କାରଣ ଏଇ ତା’ର ପାହାଚଗୁଡ଼ିକ, ଗୋଟିକ ପରେ ଗୋଟିଏ ।

 

ପିଞ୍ଜରା ଯନ୍ତାରେ ମୂଷାପରି ବଡ଼ ସହରର ଛଟପଟ ଡହଡହ ତରୁଣ ରାୟକୁ ଏଠି ଖୋଜିଲେ ଲୋକ ମୂର୍ତ୍ତିକୁ ଅନାଇଁ ବିସ୍ମିତ ହୁଅନ୍ତା ପରା, ଏ ଆଖିର ଜ୍ୟୋତି ଭିନେ, ଏ ମୁହଁର ଠାଣି ଭିନେ । ତା’ର ଚିରାଚରିତ ଜୀବନର ଟାଣ ବକଳ ଏଠି ଟ ଦେହରୁ ଝଡ଼ି ପଡ଼ିଛି । ଚେତନାରେ ଚେତନାରେ କାହିଁ କେତେ ଦୂରକୁ ସେ ଭାସିଯାଇ ପାରିଛି । କେତେ ବଢ଼ିଯାଇଛି ତା’ର ସାହସ ।

 

ସେ ସେହି ବାଲି ଉପରେ ହିଁ ଚିତ୍‍ ହୋଇ ଲମ୍ବିଗଲା, ଆକାଶକୁ ମୁହଁ କଲା ଆଉ ତା’ର ମାନସ ଦେହ ଏ ପୃଥିବୀକୁ ଛାଡ଼ି ସିଧା ସଳଖେ ଉଡ଼ିଗଲା ଆକାଶକୁ । ସେଠି ଜହ୍ନ ଚାରିପାଖେ କି ସୁନ୍ଦର ଦୀପ୍ତିମଣ୍ଡଳ ପଡ଼ିଛି । ଗୋଟି ଗୋଟିକିଆ ତାରା ଏଠି ସେଠି ମିଟିମିଟି ହେଉଛନ୍ତି । ବଙ୍କାଢଙ୍କା ହୋଇ ରୂପେଲି, ନାରଙ୍ଗୀ, ନାଲିଧଡ଼ି ବନ୍ଧାହୋଇ ଗୋଟିଏ ଗୋଟିଏ ବଉଦ ଭାସୁଛନ୍ତି, ସେତିକି ସେ ଏ ଦୃଶ୍ୟ ସ୍ୱପ୍ନରେ ଦେଖିଥିଲା ପୁଣି ସତେ ସତେ ଦେଖୁଛି । ଗାଢ଼କଳା ଅରାଏ ଅରାଏ, ଚାହୁଁଚାହୁଁ କୁତୂହଳ ବଢ଼ି ଉଠୁଛି । ସେହି ବଉଦ ଖଣ୍ଡମାନ ଉଣ୍ଡି ଉଣ୍ଡି ସେ ଚାଲିଛି । କେତେ ରୂପ ! କେତେ ରୂପ ! ଜହ୍ନ ମୁହଁ ଉପରେ ସେ ଜାଲଜାଲୁଆ ଓଢ଼ଣା ଓହଳାଇ ଦେଉଛି, ଜହ୍ନକୁ ଗୋଟାଛାଏଁ ଢାଙ୍କିପକାଉଛି, ପୁଣି ଆପଣା ଖିଆଲରେ ତାକୁ ଖୋଲିଦେଇ ଉଡ଼ିଯାଉଛି । ଜହ୍ନ ଓ ବଉଦମାନଙ୍କ ଗୋଡ଼ିଆ ଗୋଡ଼ି ଖେଳ ଲାଗି ରହିଛି ।

 

ସେହି ଉପରୁ ସେ ତଳକୁ ଦୃଷ୍ଟି ପକାଇଲା, ଖସି ଖସି ଓହ୍ଲାଇ ଆସିଲା । ସତେକି ସେ ସହରର ଆଲୁଅ ଦେଖିପାରୁଛି । ବିଭିନ୍ନ ପତ୍ତନରେ ଟୋପା ଟୋପା ହୋଇ ଅସଂଖ୍ୟ ଆଲୁଅ, ଧୂଳିଧୂଆଁରେ ଆଲୁଅଧାସ ପଡ଼ି ଜକଜକ କୁହୁଡ଼ିସୁଅ, ସବୁ ଏକାଠି ହୋଇ ଗୋଟିଏ ଅଦ୍ଭୁତ ରୂପ ଧରି ଅପେକ୍ଷା କରି ରହିଛି ।

 

ସେ ଆହୁରି ପାଖକୁ ଆସୁଛି । ଟୋପି ଟୋପି ଆଲୁଅରେ ବିଶାଳ ସହରର ଅବୟବ ବାରି ହେଉଛି । ବିଚିତ୍ର ସେ । ଲକ୍ଷ ଲକ୍ଷ ମଣିଷଙ୍କୁ ଏକାଠି ଧରି ରହିଛି, କିନ୍ତୁ ଏକାଠି କରିପାରିନାହିଁ, ଖୋପ ଖୋପ କରି ଅଲଗା କରିଛି । ଏକାଠି ରହି ବି ସେମାନଙ୍କର ସ୍ୱତନ୍ତ୍ର ରହଣି, ସମସ୍ତେ ଆପଣା ଆପଣା ପାଇଁ । ଗୋଠ ପାଇଁ କୋଠ ପାଇଁ ନୁହେଁ, ନିଜର ଉଦ୍ୟମ ନିଜ ପାଇଁ ।

 

ଏଇ ମଣିଷ କେବେ ଗୋଟି ଗୋଟିକିଆ ହୋଇ ବଣ ଜଙ୍ଗଲରେ ରହି ଶିକାର କରି ଚଳୁଥିଲେ, ତା’ପରେ ପରକୁ ସାହାଯ୍ୟ ଦେବା ପରଠୁଁ ନେବା ବାଣ୍ଟିକୁଣ୍ଟି ଖାଇ କୋଠା ଆଉ ଗୋଠର ନୀତିରେ ଚଳିବାକୁ ସର୍ତ୍ତ କରି ଏକାଠି ହୋଇ ଗଢ଼ିଥିଲେ ସମାଜ, ଗାଁ, ଗୋଷ୍ଠୀ । ବିଶାଳ ସହରରେ ସେ ସର୍ତ୍ତ ହଜି ଯାଇଛି, ଦେହ ଏକାଠି ରହିଛି, ମନ ନାହିଁ ।

 

ଏଥର ଦେଖି ପାରୁଛି ସେମାନଙ୍କୁ ସେ । ଉଜ୍ଜ୍ୱଳ ବିଜୁଳି ଆଲୁଅରେ ବିଡ଼ି ସିଗାରେଟର ନେଳି ଧୂଁଆ ଭିତରେ ସେମାନେ ବସି ରହିଛନ୍ତି । ସେଠି ଜହ୍ନ ଆଲୁଅ ନାହିଁ, ବିଜୁଳି ଆଲୁଅ, ସ୍ୱଚ୍ଛନ୍ଦ ପବନ ନାହିଁ, ବିଜୁଳି ପଙ୍ଖା ବୁଲୁଛି, ନଈ ନାହିଁ, ପାଣିକଳ ଅଛି ।

 

ସେଠି ମଣିଷ କାମ କରିଯାଏ ଯନ୍ତ୍ରରେ । ବୁଝିପାରୁଛି ସେମାନଙ୍କ ଜୀବନ, ଘିଅ ନାହିଁ, ଭେଜିଟେବଲ୍‍ ଘିଅ, ପ୍ରଚୁର ପୃଷ୍ଟିକର ପେଟେ ଲେଖାଁ ଆଖିଦରଶା ଆହାର ପରିବର୍ତ୍ତେ ଯତ୍ରେ କତ୍ରେ ଖାଇ ବଞ୍ଚିବା, ତା ସଙ୍ଗରେ ଖାଇବା ବୋତଲ ଭିତରୁ କାଢ଼ି ଖାଦ୍ୟସାର ଓ ଔଷଧ, ପ୍ରକୃତିର ସୌଦର୍ଯ୍ୟ ଦେଖିବା ପରିବର୍ତ୍ତେ ସିନେମାର ଜକଜକ ଚଳନ୍ତି ଛାଇ ଦେଖି ସୁଖ ପାଇବା । ସେଠି ନାନା ଘରେ ଏକା ସଙ୍ଗୀତ ବାଜିଉଠେ ପରର ମନନାଖି ସୃଷ୍ଟିରେ ରେଡ଼ିଓ ଯନ୍ତ୍ରରେ, କାରଖାନାରେ ଛାଞ୍ଚରେ ଢଳାହୋଇ ଖବରକାଗଜ ଦୁନିଆଁଯାକର ସମ୍ବାଦ ବାଣ୍ଟିଯାଏ, ମତ ସୃଷ୍ଟି କରେ । ସ୍ୱତନ୍ତ୍ର ଉଦ୍ୟମ, ଭଲମନ୍ଦ ପାଇଁ ଖାଲି ନିଜ କଥାକୁ ନିଜେ, କିନ୍ତୁ ମତ ଆଉ ରୁଚି ତିଆରି ହୁଏ ପରର ନିର୍ଦ୍ଦେଶରେ, ମଣିଷ ପାଳି ଧରନ୍ତି, ବନ୍ଧା ଗତରେ ଚଳନ୍ତି ।

 

ସେଠି ଉତ୍କଟ ଜୀବନଯୁଦ୍ଧ ପାଇଁ ମଣିଷ ଆପଣାକୁ ସଜାଏ ରଙ୍ଗାଏ, ଚଳଣି ପାଇଁ ସଜ ହୁଏ । ମୁଣ୍ଡବାଳ ଧଳାହେଲେ କଳାରଙ୍ଗ ବୋଳେ, ଓଠକୁ ସଜାଏ ନାଲି ରଙ୍ଗରେ ପୁଣି ନଖକୁ, ଦୁଶ୍ଚିନ୍ତାରେ ଝାଉଁଳି ପଡ଼ିଥିବା ଗାଲରେ ବୋଳେ ଚିକିଣା ଆଉ ରଙ୍ଗ, କଣା ଆଖିରେ କାଚଡୋଳା, କଟି ଯାଇଥିବା ଗୋଡ଼ ସ୍ଥାନରେ କାଠଗୋଡ଼,–କାଲ କାନରେ ଶୁଣିବା ଯନ୍ତ୍ର ଛାତି ଭିତରେ ଲୁହାପିଞ୍ଜରା ଦେଇ ବି ମଣିଷପଣର ଅଦମ୍ୟ ସାହସରେ ଭରାଦେଇ ମୁଣ୍ଡଟେକେ, କିନ୍ତୁ କିଲିବିଲି ଗହଳିରେ ଉତ୍କଟ ଜୀବନଯୁଦ୍ଧରୁ ଛୁଟି ପାଏ ନାହିଁ, ବନ୍ଧାଗତରୁ ମୁକ୍ତି ପାଏନାହିଁ, ତା’ର ଭାବନା ବି ନିୟମିତ ହୁଏ ।

 

ତଥାପି ସେହି ବଡ଼ ସହରରେ ସେ ଦେଖୁଚି–ପାଚିରି କରରେ ସ୍ଵଚ୍ଛନ୍ଦରେ ଘାସ ବଢ଼ିଛି, ଖିଅର ହୋଇ ସଜା ହୋଇଥିବା ଘାସ ପଡ଼ିଆରେ ଜହ୍ନ ଆଲୁଅ ପଡ଼ିଛି, ପୁରୁଣା ବରଗଛ ଓହଳ ଝୁଲାଇ ଗମ୍ଭୀର ହୋଇ ଠିଆ ହୋଇଛି, ସରଳ ସହଜ ସୁସ୍ଥ ହୋଇ ବଞ୍ଚିଲାଭଳି ସବୁ ପ୍ରବୃତ୍ତି ଘେନି ମଣିଷ ଅଛି, ସେ ହସି ପାରୁଛି, କାନ୍ଦି ପାରୁଛି, ଆଜି ସେ ରୋଗିଣା ହେଲେ ବି କାଲି ସେ ସୁସ୍ଥ ହେବ, ସେହି ଆଶାରେ ତ ମଣିଷ ଦେଉଳରେ ଦୀପ ଲଗାଇ ଥୋଇଦେଇ ଆସୁଛି ।

 

ପୁଣି ସେ ସହର ପାଖରୁ ଦୂରେଇ ଦୂରେଇ ଚାଲିଯାଉଛି । ଚିହ୍ନା ସହରର ବିଶିଷ୍ଟ ଅବୟବ ହଜିଗଲା, ଆଲୁଅଗୁଡ଼ିକ ଜୁଳୁଜୁଳିଆ ହୋଇ ଦୂରରେ ନିଭିଗଲା । ପାତଳ ପବନ ଭିତରେ ଜହ୍ନ ଆଲୁଅରେ ସେ ଉଡ଼ି ଉଡ଼ି ଚାଲିଛି, କେତେବେଳେ ମୁଣ୍ଡ ଉପରେ ରୂପେଲି ବଉଦ, କେତେବେଳେ ତା’ ତଳେ, ଝଲଝଲ ଆଲୁଅ ସମୁଦ୍ର ଭିତରେ ସେ ବୁଲି ବୁଲି ଚାଲିଛି । ଓଃ ! ଏତେ ଆଲୁଅ ! ମଣିଷ ଆଲୁଅ ଖୋଜେ । ଆଲୁଅକୁ କରେ ସବୁଠୁ ବଡ଼ । ସେ କ’ଣ ଆତ୍ମ ପ୍ରତାରଣା ? କିଏ ଏତେ ଆଲୁଅକୁ ସହି ପାରିବ, ଯାହାକୁ ଅନାଇ ପରିବା ତ ଦୂର କଥା, ଭାବି ବି ହେବ ନାହିଁ; ସେ ଏ ଆଲୁଅକୁ ଖାଲି ଟାଳିଯିବ । ଟାଳି ଯାଉଛି । ଆଲୁଅ ଢେଉରେ ଗଡ଼ି ଗଡ଼ି ଚାଲିଛି ।

 

ଲାଗିଲା, ସେ ଦେଖୁଛି ମାଳ ମାଳ ହଂସ, ପଖିକି ପଖି ଲଗାଲଗି, ଜହ୍ନ ଆଲୁଅ ପହଁରି ପହଁରି ଚାଲିଛନ୍ତି ଜଣକ ପିଛା ଜଣେ । ସେମାନେ ସେତିକି କଳ୍ପନା ଭିତରେ କଳ୍ପନା, ଆଶରୀରୀ ଛାଇ । କିଏ ଯେପରି ମୁଠା ମୁଠା ଛିଣ୍ଡା କାଗଜ ଧରି ଆକାଶକୁ ଛାଟିଦେଲା ପରି କେବେ ସେମାନଙ୍କୁ ଛିଞ୍ଚାଡ଼ି ଦେଇଥିଲା, ତା’ପରେ ସେମାନେ ଚାଲିଛନ୍ତି ନା ଚାଲିଛନ୍ତି । ସେମିତି ଏ ବଉଦମାନେ । ସେମିତି ଏ ଜହ୍ନ । କିଏ କେବେ ଗୋଟାଏ ବେଗର ଝାଙ୍କ ଦେଇ ସେମାନଙ୍କୁ ଏ ଶୂନ୍ୟ ଭିତରେ ଫୋପାଡ଼ି ଦେଇଥିଲା ।

 

ଚାଲିଛି ନା ଚାଲିଛି ।

 

ମାଳ ମାଳ ହଂସ ଚାଲିଛନ୍ତି ।

 

ଚନ୍ଦ୍ର ବି ଗତି କରୁଛି ।

 

ଯାହା ଯେଉଁଠି ଥିଲା ତା’ ଆଉ ସେଠି ନାହିଁ ।

 

ସମୟର ବି ଗତି ଅଛି ଯେମିତି ଅଛି ଜଡ଼ସ୍ଥାନର ।

ତା ନାଁଟି ଥିଲା ନିର୍ମଳା, ପଡ଼ିଶା ଘରର ଝିଅ । ପିଲାଦିନେ ତାକୁ ସେ ଅପା ବୋଲି ଡାକୁଥିଲା । ଚାଳିଶି ବର୍ଷ ପରେ ନିର୍ମଳା ଅପା ମନେ ପଡ଼ିଛି । ସେହି ଚେହେରା, ସେହି ହସ, ସେହି ହସ ଚିକିଚିକି ତରତର ଚାହାଣି ।

 

ସେ ତ ନୁହେଁ ରମେଶର ଆଈ, ସେହି ଯେଉଁ ମୋଟୀ ବୁଢ଼ୀଟିକୁ ସେ ପାଞ୍ଚବର୍ଷ ତଳେ ଦେଖିଥିଲା ଅଫିସକୁ ଯିବା ବାଟରେ । ଥରେ ତିନି ମିନିଟ୍‍ ଦେଖିଥିଲା । ଚର୍ବିଗୁଡ଼ାକ ପୁଳାପୁଳା ହୋଇ ହୁଗୁଳା ଚମରେ ବୁଜୁଳା ପରି ଦେହଯାକ ସବୁଠୁଁ ଓହଳି ପଡ଼ିଥିଲା ।

 

ମନେପଡ଼ୁଛି କେତେଥର ଚେଇଁ ରହି ରହି ସେହି ନିର୍ମଳା ଅପାକୁ ମନେମନେ ଦେଖିଛି, ଅଳସେଇ ଅଳସେଇ ଖଟ ଉପରେ ଗଡ଼ିଛି, ନିଜର ଜଗୁଆଳି ପରି ଦୁଇପାଖେ ତକିଆ କୁର୍‍ ହେଇ ଦେଇଛି ଆଉ ତୁହାଇ ତୁହାଇ ଭାବିଛି ।

 

ସମୟର ଗତି ଅଛି ।

 

ତାର ସହକର୍ମୀ ପ୍ରେମେନ୍ଦ୍ରର ଭାରିଜା ପ୍ରତିମା । ପ୍ରେମେନ୍ଦ୍ର ତାଠୁ ପାଞ୍ଚବର୍ଷ ସାନ । କେମିତି ତା’ ଘର ସଙ୍ଗେ ଚିହ୍ନା ହେଲା ସେ କଥା ଆଜି ମନେ ନାହିଁ, କାହିଁ କୋଡ଼ିଏ ବର୍ଷ ତଳର କଥା, କିନ୍ତୁ ଏତିକି ମନେଅଛି ଯେ କାନ୍ତିମୟୀ ଓ ପ୍ରତିମା ଏକାଠି ହୋଇଥିବେ ଅତି ବେଶୀ ହେଲେ ଛଅଥର, କିନ୍ତୁ ସେ ନିଜେ ମାସକେ କୋଡ଼ିଏ ଥର ପ୍ରେମେନ୍ଦ୍ର ଘରକୁ ଯାଇ ଚାହା ଖାଇ ଆସେ । ପହିଲି ଦେଖାରେ ହିଁ ପ୍ରତିମା ତା’ ଆଖିକି ରୁଚିଥିଲା, ଲାଗିଥିଲା ସେତିକି ସେ ତା’ର କେଉଁ ଜନ୍ମରୁ ଆପଣାର । ପ୍ରତିମା ବି ସେମିତି ଚିହ୍ନାଳିଆ ଚାହାଣିରେ ସମ୍ଭାଷଣ ଜଣାଇଥିଲା । ଆପଣାର ମଣିଷ ପରି ହସିଥିଲା, ନିଃସଂକୋଚରେ ତାକୁ ଡାକିଥିଲା 'ଭାଇ' ବୋଲି । ସେ ଡାକ ସେ ସ୍ୱୀକାର କରି ପ୍ରେମେନ୍ଦ୍ରର ଶଳା ହେବାକୁ ସୁଖ ପାଇଥିଲା ଆଉ ନିତି କାନ୍ଥଘଣ୍ଟାକୁ ଅନାଉଥିଲା କେତେବେଳେ ଛୁଟି ହେବ ବୋଲି । ସାତମାସ ତାକୁ ସେ ଭଉଣୀ ଭଉଣୀ ଭବିଛି ଓ ବହୁତ ଭାବିଛି ତାକୁ ଓ ତା’ କଥା । ହଠାତ୍‍ ଦିନେ ପ୍ରେମେନ୍ଦ୍ର ଅଫିସକୁ ଆସିଲା ନାହିଁ, ତହିଁ ଆରଦିନ ବି ଆସିଲା ନାହିଁ । ଅଫିସ ଫେରନ୍ତି ସେ ଯେତେବେଳେ ତା’ ଘରକୁ ବୁଝିବାକୁ ଗଲା କାହିଁକି ସେ ଆସିନାହିଁ ବୋଲି, ସେ ଦେଖିଲା ଯେ ପ୍ରେମେନ୍ଦ୍ର ପିଲାଙ୍କ ପରି ଭୁଇଁରେ ଗଡ଼ି ଗଡ଼ି କାନ୍ଦୁଛି, ପ୍ରତିମା ବିସର୍ଜନ ସରିଯାଇଛି ।

 

ସେଦିନ ବି ସେ ପିଲାଙ୍କ ପରି କାନ୍ଦିଥିଲା, ଆଜି ବି କାନ୍ଦୁଚି ହେଇ, ଯଦିଚ ଲାଗୁଚି, କୋଡ଼ିଏ ବର୍ଷ ତଳର ପ୍ରତିମାରେ ସେହି ନୀରବ ସନ୍ଦେଶମୟ ଆବେଗ ଛଳଛଳ ମୁହଁଟି ହସିହସି ତାହାରିଆଡ଼କୁ ଚାହିଁଚାହିଁ ଏହି ଜହ୍ନ ଆଲୁଅରେ ଠିକ୍‍ ତା’ ହାତ ପାଆନ୍ତି ବାହାରେ ଭାସି ଭାସି ଚାଲିଛି, ଯେପରିକି ସେ ତାକୁ ଛାଣି ନେବାକୁ ହାତ ବଢ଼ାଉଥିବ, ଛୁଇଁପାରିବ ନାହିଁ ।

 

ଏହି ତା’ର ମାନସହଂସର ଅଶରୀର ମାୟା ଯାତ୍ରାପଥ, ଯେପରିକି ମାନବ ଅବସ୍ଥିତିର ଗୋଟିଏ ନୂଆ ପତ୍ତନ, ନୂଆ ମାଧ୍ୟମଟିଏ । କେତେ ଆକାଂକ୍ଷା ରୂପ ଘେନି ଉଡ଼ି ଚାଲିଯାଏ ସତେ ଯେପରିକି ହାଲୁକା ବଉଦ । ଆକାଶର ଅସରନ୍ତି ବ୍ୟାପ୍ତି ଭିତରେ କାହିଁ କାହା ଜୀବନଯାକର ଅନୁଭୂତି ଗୋଟିଏ କ୍ଷୀଣ ଦୀର୍ଘଶ୍ୱାସରେ ପ୍ରକାଶ ପାଇଥିଲା, ସେ ସେତିକି କମଳା ବର୍ଣ୍ଣ ଓ ରୂପେଲି ଧଳା ମିଶାମିଶି ମେଘ ବାମ୍ଫ ପରି ଭାସି ଚାଲିଛି, ଚାଲିଛି କେଉଁ ବହିରୁ ପଢ଼ିଥିବା ଯୁଗର ଇତିହାସ, ତା’ର ହଜିଲା ଜୀବନଗୁଡ଼ିଙ୍କୁ ଘେନି, ଗୋଟିଏ ଟିକି ବଉଦର ଜାହାଜ ରୂପରେ । ତା’ ମଝିରେ ଯେଉଁ ଅନ୍ଧାରି କଳା ଅରାକ ଅଛି, ତାରି ଧଡ଼ିରେ ଲାଗିଛି ଏ ବିଚିତ୍ର ଅନୁଭୂତିର ମାୟା ରଙ୍ଗ, ତୀବ୍ର ଧଳା ରୂପାର ଧଡ଼ି ତା’ କରେ କରେ ନାଲି ହଳଦି କମଳା ରଙ୍ଗ ହୋଇ ଗୋଳମାଳିଆ ହୋଇ ମିଳାଇ ଯାଉଥିବା ରଙ୍ଗ, ଚାଲିଯାଉଛି ଭାସି ଭାସି, ଖଣ୍ଡେ ଦୂରରେ ଆକାଶରେ ମିଶିଯାଉଛି ।

 

ଏହି ସ୍ତରରୁ ତରୁଣ ରାୟ ମଣିଷକୁ ଓ ତା’ର ଅନୁଷ୍ଠାନମାନଙ୍କୁ ଦେଖି ଦେଖି ଯାଉଛି, ଏହି ଯେଉଁଠି ଏ କରେ କରେ ପର୍ବତମାଳ ପରି ମେଘ ଲଦି ହୁଏ, ସମୁଦ୍ର ପରି ଜହ୍ନ ରାତି ଝଲଝଲ ଦିଶେ, ଦ୍ୱୀପ ପରି ଖଣ୍ଡ ଖଣ୍ଡ ବଉଦ ଭାସୁଥାନ୍ତି, ଆଉ କ୍ଷଣକ୍ଷଣକେ ଏ ଦୃଶ୍ୟ ବଦଳିଯାଏ, ପର୍ବତ ଶୂନ୍ୟେ ଶୂନ୍ୟେ ମିଳେଇଯାଏ, ଜହ୍ନରାତି ହୋଇଯାଏ ଅନ୍ଧାର, ଅନ୍ଧାର ହୋଇଯାଏ ମହାଶୂନ୍ୟ, ସୂର୍ଯ୍ୟର ତେଜୋରାଶି ଉପରେ ଶୂନ୍ୟର ପରବ୍ୟାପ୍ତି ହିଁ ଅନୁଭୂତ ହୁଏ, ମଣିଷ କିବା କଥା, ଗ୍ରହ ଉପଗ୍ରହ ବି ସତେକି ଗୋଟିଏ ଜନତା ସମୁଦ୍ରରେ ଗୋଟିଏ ଗୋଟିଏ ମୁଣ୍ଡ ପରି ଚେତନାକୁ ଲାଗନ୍ତି, ସେଠି ତା’ ଚେତନାରେ ଗୋଟିଏ ଗୋଟିଏ ସୌରଜଗତ ଅନୁଭୂତ ହୁଅନ୍ତି, ଖାଲି ସେତିକି ନୁହେଁ, ମାଳ ମାଳ ବ୍ରହ୍ମାଣ୍ଡହିଁ ଝଲସି ଉଠନ୍ତି ପୁଣି ହଜିଯାଆନ୍ତି ।

 

ସେ ଭାବୁଥିଲା,–

 

ଗୋଟାଏ ପାର୍ଥିବ ଘଟ ଗଢ଼ାହେଲା ଉତ୍ତାରୁ ଭାଙ୍ଗିବା ଭିତରେ କାହିଁ ଛୁଟ୍‍ କରି ଟିକିଏ ବେଳ, ଭାବିଲେ ଆଖିପିଛୁଡ଼ାକ ପରି, ତା’ର ପୁଣି ସୁଖ ଆଉ ଦୁଃଖ; ତା’ର ପୁଣି କାହାଣୀ; ତା’ର ପୁଣି ସମସ୍ୟା; ଆଉ ହାହାକାର; ଆଉ ହସ; ପୁଣି ଅଭିମାନ; ପୁଣି ଅହଙ୍କାର; କିଛି ନାହିଁ କେଉଁଠି, କେବଳ ତା’ ନିଜ ଅନୁଭୂତି, ଏହି ପୂର୍ଣ୍ଣତାର ପୁଣି ଏ ଶୂନ୍ୟତାର, ସବୁରି ଉପରେ ଏକ ପ୍ରାଣର, ଯେ ସ୍ରଷ୍ଟା, ନିୟନ୍ତା, ସର୍ବପରିବ୍ୟାପ୍ତ । ତା’ର ଭାଷା ନାହିଁ, ଜାତି ନାହିଁ, ଗୋଟାକଠୁଁ ଆଉ ଗୋଟିକଠିଁ ଭେଦ ନାହିଁ, କବଳ ମାନବଜାତି ମଧ୍ୟରେ ନୁହେଁ, ସୃଷ୍ଟିଯାକ ସବୁରି ସମତାର ସମନ୍ୱୟ ଡୋର ସେହି ପ୍ରାଣ, ସେହି ତ ସେ,–ଜଗନ୍ନାଥ ! ଜଗନ୍ନାଥ !

 

ଯେପରିକି ତା’ ଚେତନା ମଧ୍ୟରେ ସେହି ମହାଶୂନ୍ୟ ଓ ମହାପ୍ରାଣର ଅନୁଭୁତିରେ ଲୀନ ହୋଇଗଲା, ପୁଣି ଯେପରିକି ସେ ବି ଭାସିଉଠିଲା, ସକାଳର ସୂର୍ଯ୍ୟ ଯେପରି ସମୁଦ୍ର ଭିତରୁ ଉଏଁ ସେହିପରି ।

 

ଧୀରେ ଧୀରେ ତା’ର ଚେତନା ତଳକୁ ଲେଉଟି ଆସିଛି । କେହି ନାହାନ୍ତି । ସମୁଦ୍ର ଗର୍ଜୁଛି । ସେ ଗର୍ଜନରେ ଗୋଟିଏ ଛନ୍ଦ ଅଛି । ଦେହକୁ ବାଲିକଣାଗୁଡ଼ିକ କାକର ଲାଗିଲାଣି । ଜହ୍ନ ତଥାପି ଅଛି । ତାର ଅଭିବ୍ୟକ୍ତି ଗ୍ରାହୀ ମନରେ ନୂଆ ପର୍ଦ୍ଦାରେ ସାରିଗାମା ବନ୍ଧା ହୋଇଛି, ସେ ଅଭିବ୍ୟକ୍ତି ଗ୍ରହଣ କରି ପ୍ରକାଶ କରୁଛି ସଙ୍ଗୀତରେ । ତା’ର ନୂଆ ଆଖି, ନୂଆ ଚେତନା, ତା’ ପଛରେ ତା’ର ଘର ନାହିଁ, ସ୍ତ୍ରୀ ନାହିଁ, ସଂସାର ନାହିଁ, ତା’ର ବନ୍ଧନହିଁ ନାହିଁ । ମୁକ୍ତ ଆତ୍ମା ମୁକ୍ତ ଚେତନାରେ ଏ ସମୁଦ୍ରକୁ ଦେଖିବ ବୋଲି ସେ ଏଠି ଅଛି ।

 

ଏହି ଦେଖୁଛି ସେ । ଜହ୍ନରାତିର ନିଛାଟିଆରେ ସମୁଦ୍ର ପାଣି ଉପରେ ଏହି ଯେଉଁ ଛାଇଆଲୁଅ ମିଶା ଅଦ୍ଭୁତ ରୂପମାନ ଦିଶୁଛି, ଯେ ଢେଉ ନୁହେଁ, ଆଲୁଅ ନୁହେଁ, କୁହୁଡ଼ି ନୁହେଁ, ସବୁ ମିଶାମିଶି ହେଲାପରି, ଏ ମୁହୂର୍ତ୍ତରେ ଦିଶୁଛି, ଆର ମୁହୂର୍ତ୍ତରେ ନାହିଁ, ସେ ବି କାହା ବ୍ୟକ୍ତିତ୍ୱର ପ୍ରକାଶ । ଏ ସମୁଦ୍ର କୂଳର ନିର୍ଜନ ନୁହେଁ, ଏଠି ମଣିଷ ଅଛନ୍ତି ଯଦିଚ ସେମାନେ ରକ୍ତମାଂସର ଦେହ ଧରି ନାହାନ୍ତି, ଜମିର ମାଲିକପଣ ଘରଦୁଆର ଧନସମ୍ପତ୍ତିର ମାଲିକପଣ ସବୁ ପାଣିକି ଫୋପାଡ଼ି ଦେଇ ଶବ୍ଦହୀନ ସ୍ପର୍ଶହୀନ ଛାଇରୂପ ହୋଇ ଆସିଛନ୍ତି ।

 

ସେମାନଙ୍କୁ ସେ ଦେଖିପାରୁଛି ।

 

ଆପଣ ଭିତରେ କେଉଁଠି ଠାଏ ସେମାନଙ୍କ ସଙ୍ଗେ ସେ ସମଅବସ୍ଥିତିର ଅନୁଭୂତି ପାଇ ପାରୁଛି । କାହିଁ ? ଲାଗୁନାହାନ୍ତି ତ ସେମାନେ ତା’ ପର ବୋଲି; ସେ ନିଜେ ହିଁ ତ ସେମାନେ, ନିଜେହିଁ ଏତେ ରୂପରେ ଏତେ ସ୍ଥାନରେ ରହି ସେ ଅନୁଭୂତି ଭୋଗ କରୁଛି, ଏକ ସମୟରେ ବହୁ ଘଟରେ ବହୁ ଅନୁଭୂତି ପାଉଛି, ଯେପରି ଯେତେ ଗୋପୀ ସେତେ କୃଷ୍ଣ, ଯେତେ ମନ ସେତେ ସେହି ଏକ ଚୈତନ୍ୟ, ସବୁଠିଁ ସେ । ପୁଣି ବହୁ ସମୟରେ ବହୁ ଘଟରେ, ରାମକୃଷ୍ଣ ସବୁ ଏକା ଧାରରେ ।

 

ସେ ଅନୁଭୂତି ଚାଲିଯାଇଛି, ସେ ତାକୁ ବାନ୍ଧିରଖି ପାରିନାହିଁ । ପୁଣି ଭାବୁଛି, ସେ ଥିଲା ତା’ର କଳ୍ପନା । ଭାବୁଛି, ମନକୁ ସେହି ଚେତନା ପାଇଁ ଉପଯୁକ୍ତ କରିହୁଏ କେବଳ ସାଧନା ବଳରେ, ତା’ର ସେ ସାଧନା ନାହିଁ । ଦର୍ପଣକୁ ଚାହିଁଲେ ଆପଣା ମୁହଁ ଦିଶିବ, ସେତ ସାଧାରଣ କଥା, ନିଜକୁ ନଦେଖି ଦର୍ପଣର ତଳି ଦେଖିପାରିବାହିଁ ତ ଅସାଧ୍ୟ । ଥିର ପାଣି ଉପରେ ଓଲଟ ହୋଇ ଗଛଛାଇ ଝୁଲି ରହେ, ହଂସର ଛାଇ ଝୁଲି ରହେ, ଡଙ୍ଗା କି ମଣିଷ କି ବଉଦ କି ସାମାନ୍ୟ ଘାସ ଗଛଟିଏ, ସବୁରି ଛାଇ ପଡ଼ିବ ସେତ ସାଧାରଣ ନିତି ଦେଖା କଥା । ସଂସାର ଭିତରେ ଚାଲିଗଲେ ମନରେ ସବୁ ଦେଖାଶୁଣା କଥାର ଛାଇ ପଡ଼ିବ, ସେଥିରେ ଆଉ ସନ୍ଦେହ କ’ଣ ଅଛି ? ବଞ୍ଚିଥାଇ ସୁସ୍ଥ ସବଳ ଥାଇ ଯାହା ମନରେ ଛାଇ ନ ପଡ଼ିବ ସେହି ମୁକ୍ତ, ବୁଦ୍ଧ ସବୁ, ସେହିତ ଜିତିବ, ସେହିତ ସ୍ଥିର, ସ୍ଥିର ରହିବ ସଂସାର ଚକର କେନ୍ଦ୍ରବିନ୍ଦୁରେ !

 

ସେ ସାଧନା କରିନାହିଁ ।

 

ତା ମନରେ ଛାଇ ପଡ଼ି ଛବି ହୋଇ ରହିଛି ।

 

ଛବିଟିଏ ମନେ ପଡ଼ିଗଲାଣି, ସେହିଆକୁ ସେ ଧ୍ୟାନ ଦେଇଛି । ସୂର୍ଯ୍ୟ ଅସ୍ତ ହେଉଥିଲା । ସେ ସମୁଦ୍ର କୂଳରେ ବୁଲି ବୁଲି ଦେଖୁଥିଲା । ସାମ୍ନାରେ ଆକାଶରେ ଫାଳକେ ମେଘ, ଫାଳକେ ପରସ୍ତ ପରସ୍ତ ବଉଦ ତଳେ ତଳେ ଫୁଟୁଫୁଟିକିଆ ଟୋପି ଟୋପି ହୋଇ ବହଳ ନେଳିଆ ଆକାଶ ଦିଶୁଥାଏ । ବଉଦ ଓ ଆକାଶର ପରସ୍ପର ସମ୍ପର୍କରୁ ନାନା ରୂପ ଉପୁଜୁଥାଏ । ଠାଏ ଦିଶୁଥାଏ, ଦୁଇ ପାଖର ବହଳ ବଉଦ ମଝିରେ ଆକାଶ ବାଙ୍କ ବାଙ୍କ ହୋଇ ଗୋଟିଏ ନଈ ହୋଇଛି, ସେ ନଈରେ ଡଙ୍ଗା ଭାସୁଛି । କେଉଁଠି ଆକାଶ ଅରାଏ ସ୍ଥିର ପାଣି, ନେଳି ହ୍ରଦ, ବଉଦ ତା’ କରେ କରେ ପାହାଡ଼-। ବଉଦ ରୂପରେ ଚାଲିଛନ୍ତି ମଣିଷ, ହାତୀଘୋଡ଼ା, ନାନାଜାତି ଅନ୍ୟ ଜନ୍ତୁ । ସମୁଦ୍ର କୂଳରେ ନୋଳିଆ ମାଛ ଧରୁଛନ୍ତି, ଗୋଚ୍ଛା ଗୋଚ୍ଛା ହୋଇ କଳା ମିଶିମିଶି ନୋଳିଆ ପିଲାମାନେ ଜଳଜନ୍ତୁ ପରି ସମୁଦ୍ର ଲହଡ଼ି ଉପରେ ଘୋଡ଼ା ଚଢ଼ୁଛନ୍ତି, ନାଚୁଛନ୍ତି, କୁଦୁଛନ୍ତି ।

 

ସେତିକିବେଳେ ନିଘା ପଡ଼ିଗଲା ସେହି ତରୁଣୀଟି ଉପରେ । ସୂର୍ଯ୍ୟାସ୍ତଆଡ଼କୁ ମୁହଁ କରି ସମୁଦ୍ର କୂଳେ କୂଳେ ସେ ଚାଲିଛି । ଦୂରରୁ ଦିଶୁଛି, ସେତିକି ନାନାରଙ୍ଗର ଚଢ଼େଇଟିଏ । ରଙ୍ଗସବୁ ସୁନ୍ଦର ଭାବେ ମିଶିଛି, କିଏ ଯେପରି ତଳିରେ ଆଙ୍କି ଆଙ୍କି ମିଶାଇଛି । ସେଥିରୁ କେତେ ତା ନିଜର, ଯେମିତି ତାର କେତକୀ ଗୋରାଦେହର ବର୍ଣ୍ଣ, ତା’ର କଜଳ କଳା ଆଖି । କେତେ ରଙ୍ଗ ସେ ଉଧାର ଆଣିଛି ବିଜ୍ଞାନଗଢ଼ା ବଡ଼ବଡ଼ ଯନ୍ତ୍ରର ଉତ୍ପାଦନରୁ ।

 

ଗୋଟିଏ ସୁନ୍ଦର ମୁଖାପରି ମୁହଁକୁ ଚିତ୍ରେଇଛି, ଅଧା ହସ ଅଧାବାଙ୍କରେ ଏକାପ୍ରକାର କରି ସେ ମୁଖାଟିକୁ ପିନ୍ଧି ହୁଏ, ଆଉ ତ ଆଖିରେ ଚଷମା । ବେଶୀ ସେ ରଙ୍ଗ ଫୁଟି ଉଠୁଛି ତ ପୋଷାକରୁ । ଯେଉଁ ହଳଦିଆ ବର୍ଣ୍ଣର ଲମ୍ବା କୋଟ୍‍ଟି ସେ ହାଲୁକା କରି ପାଖିଆ ପରି ଆଉଜେଇ ହୋଇ ଚାଲିଛି, ସେ ଯେପରିକି ଗୋଟିଏ ଚଢ଼େଇର ପିଠି, କୋଟ୍‍ର ଯୋଡ଼ିକ ହାତ ତ ଦି'କରେ ଝୁଲୁଛି, ଟହନୀରେ ସେ ହାତ ଗଳେଇ ନାହିଁ, ସେ ଯୋଡ଼ିକ ଯେପରିକି ସାନ ସାନ ପକ୍ଷୀ ଯୋଡ଼ିଏ-। ଆଉ ତା’ର ସାମ୍ନାପଟ, ଯେତେ ପ୍ରକାର ରଙ୍ଗର ସମାବେଶ ସବୁ ସେଇଠି, ବେକଠୁଁ ପାଦଯାକେ-। ହେଇ ତାର ସ୍ନାୟୁରେ ତୋଫାନ ଉଠୁଛି, ସେ ଏକ ଦୃଷ୍ଟିରେ ଅନାଇ ରହିଛି । ମଣିଷ ଗହଳି ଭିତରେ କେଉଁ ଆଡ଼େ ହଜିଗଲଣି ସେ ମୂର୍ତ୍ତି ।

 

ତରୁଣ ରାୟ ଧକେଇ ହେଉଛି ।

 

ଏବେ ତା’ର ମୋହ ଈର୍ଷା ପାଲଟିଗଲାଣି, ସେ ତାହାରି କଥାହିଁ ପୁଣି ଭାବୁଛି, କିନ୍ତୁ ଘୃଣା ତାଚ୍ଛଲ୍ୟରେ, ତିକ୍ତ ଭାବରେ ।

 

ସ୍ଥବିର ଲୁପ୍‍ଧକ୍ଷ ହୁଏତ ଭାବନ୍ତା ଏହିପରି ।

 

ସେ ଭାବୁଛି, ଦେହକୁ ଏପରି ସଜାଇ ସଜାଇ ପ୍ରଦର୍ଶନୀର ବସ୍ତୁ କରି ବୁଲାଇ ବୁଲାଇ ଦେଖାଇବାର ପ୍ରୟୋଜନ କ’ଣ ? ସେଠି ଏତେ ଲୋକ ଥାଉଥାଉ ସେତିକି ଖାଲି ତାହାରି ନୈତିକ ଚେତନାରେ ଆଘାତ ଲାଗିଯାଇଛି ।

 

କିଏ ସେ ଚାଲିଗଲା, କ’ଣ ତା’ କାହାଣୀ ସେ କିଛି ଜଣେ ନାହିଁ, ଦାନ୍ତରେ ଦାନ୍ତ ମାଡ଼ିଦେଇ ନିଷ୍ଠୁର ନୃଶଂସ ହୋଇ ବିଷଭାବନା ଭାବି ଯାଉଛି,–

 

ଖାଦ୍ୟଟା ସୁଆଦ ହୋଇ ରନ୍ଧ୍ୟାହେଲେ ଯଥେଷ୍ଟ ହେଲାନାହିଁ, ଆଖିକୁ ଲୋଭେଇଲା ଭଳି ତାକୁ ରଙ୍ଗରେ ନ ରଙ୍ଗାଇଲେ ଚଳିବ ନାହିଁ ପରା ! ସତେ ତ, ଯେଉଁଠି ଝିନିଝଟ୍‍ ତରବର ଆଶଙ୍କା ଆତଙ୍କରେ ଛଟପଟ ହୋଇ ହୋଇ ମଣିଷର ଚେତନା ବି ଯାଇଛି ବିଗିଡ଼ି, ସେଠି କାଁହୁ ଆସିବ ସ୍ୱାଭାବିକ ଗ୍ରାହିକା ଶକ୍ତି, ସେଠି ଆଖିଦରଶିଆ ହେବାପାଇଁ ଲୋଡ଼ା ପଡ଼ୁଛି ଚମକ, ଆକସ୍ମିକତା, ନାନାରଙ୍ଗ, ଛଇଛଟା । ତେବେ ମଣିଷ ପରର ଆଖିଦରସଶିଆ ହେବାଲାଗି ଆଗ ଚେଷ୍ଟା ବା କରିବ କହିଁକି ? କି ମର୍ଯ୍ୟାଦା ମିଳିବ ତହିଁରୁ ?

 

ପୁଣି ତା’ର ସବୁ ଯୁକ୍ତି ହଜିଯାଇଛି, ଗାଳିଦେଲା ପରି ଭାଷା ସଜାଉ ସଜାଉ ସେ ନିଜେ ବି ଭାସିଯାଉଛି ସେହି ମୋହରେ, ହେଇ ସେ ରୂପ ପୁଣି ଲେଉଟି ଆସୁଛି । ସୂର୍ଯ୍ୟ ବୁଡ଼ି ଆସୁଛି, ଆହୁରି ମନଲୋଭା ହୋଇ ଦିଶୁଛି । ସେତେ ଯେପରି ତରୁଣୀଟି ଭାସି ଭାସି ଚାଲିଆସୁଛି । ତା’ର ଅନ୍ୟମନସ୍କତା ତାକୁ ଆହୁରି ସୁନ୍ଦର କରିଦେଇଛି । ତରୁଣ ରାୟ ନାକପୁଡ଼ା ଫଣକାଇ ଅନାଇ ରହିଛି । ସେ ଭୁଲି ଯାଇଛି ସେ ବୃଦ୍ଧ, ତା’ର ଶରୀରରେ ଵଳ ନାହିଁ, ତା’ର ସେ ଦେହ ତ ସବୁ ବଳ ଠୁଳ କରି ଟାଙ୍କିହୋଇ ଛାଞ୍ଚ ପରି ରହିଛି । ସେ ଆଉ ସୂର୍ଯ୍ୟାସ୍ତକୁ ଅନୁଭବ କରୁନାହିଁ, ତା ଆଖି ଆଗରେ ରଙ୍ଗରଙ୍ଗର ତୋଫାନ, କାନରେ ସେହି ତୋଫାନର ସୁ ସୁ ।

 

ସମୁଦ୍ର ଉପରେ ଯେମିତି ମଗର ଭାସି ଉଠେ, ପୁଣି ବୁଡ଼ିଯାଏ, ପୁଣି ଉଠେ, କେତେବେଳେ ତା ମୁଣ୍ଡ ଦିଶିଯାଏ, କେତେବେଳେ ତା’ ଲାଞ୍ଜ, ସେମିତି ତା’ ଆଗରେ କାମନାର ରୂପଟିଏ, ସେ ରୂପ ତା’ର ମନର ତଳି ଭିତରକୁ ବୁଡ଼ି ଯାଉଛି, ପୁଣି ଉଠୁଛି, ସେ ରୂପ ନିଜେ ସ୍ପଷ୍ଟ ନୁହେଁ, କିନ୍ତୁ ତାକୁ ଅନାଇଁ ରହିଲା ବେଳେ ଆପଣ ଭିତରେ ଯେଉଁ ଅନୁଭୂତିର ସ୍ପନ୍ଦନ ଉଠୁଛି, ସେତିକି ସେତିକି ସ୍ପଷ୍ଟ, ସେତିକି ହିଁ ସତ ।

 

ସେ ରୂପ ବି ହଜି ଯାଇଛି, ସେହି ଉଗ୍ର, ପାଗଳ, ଅନୁଭୂତି ଗ୍ରାହିତାରେ ସେ ତରୁଣ ରାୟ ନିଜେ ଉବେଇ ଟୁବେଇ ହୋଇ ଭାସିଯାଉଛି, ତା’ପରେ ପୁଣି ସବୁ ମାୟା, ସବୁ କିମିଆ, ଏ ଛନଛନ ଜହ୍ନ ରାତିରେ ସେ ଆପଣାକୁ ମିଶାଇ ଦେଇଛି । ଖାଲି ମାୟା ରୂପ, ମାୟାରୂପ–

 

କେତେବେଳ ପରେ, ସେ ଦେଖୁଚି ସେ ନିଜେ ହିଁ ସେହି ମାୟା ରୂପମାନ, ଏମିତି କେଉଁ ଆକଳନ ଯୁଗରୁ ଚାଲି ଆସିଛି ତା’ର ଖେଳ, କେତେ ଘଟରେ ସେ କେତେ ଭୋଗ କରିଛି, କେତେ ସୁଖ ଆଉ ଦୁଃଖର ଅନୁଭୂତି, ରୂପ, ରସ, ଗନ୍ଧ–କେତେ ଭାଗରେ କତେ ପ୍ରକାରେ କେତେଥର ସେ ଆପଣାଠୁଁ ମିଶାଇଛି, ଅପରଠିଁ ମିଶିଥିବାର ଦେଖିଛି, ଗଢ଼ି ହୋଇଛି, ଭାଙ୍ଗି ଯାଇଛି, ଚାଲିଛି ସେ ଖେଳ ଥମ୍ବି ନାହିଁ ।

 

କିନ୍ତୁ ସେ ତ ତା’ ସତ୍ତାର ଗୋଟାଏ ଦିଗ, ସବୁ ମିଶିଲେ ଗୋଟାଏ ଖେଳ, ଗୋଟାଏ ଲୀଳା, ଅନନ୍ତକାଳ ଭିତରେ ଏ ଜୀବନର ଗୋପଲୀଳା କି ମଥୁରା ଲୀଳା କି ବୃନ୍ଦାବନ ଲୀଳାର ପରମାଣୁ ପରି ଅଂଶଟିଏ, ତହିଁରେ ସେ ବାନ୍ଧି ହୋଇ ପାରିନାହିଁ । ଏ ମନ ନାନା ରଙ୍ଗରେ ଖେଳ ଖେଳିଛି, ଏ ଚଇତନ ସବୁ ଖେଳ ଘର ଭାଙ୍ଗିଦେଇ ରହିଛି ସନାତନ ।

 

ମନେ ପଡ଼ୁଛି, ଏଇ ସମୁଦ୍ର କୂଳରେ ତ, ଏଇଠି କେଉଁଠି ସେ ଅଗଣିତ ଲହଡ଼ି ମାଳରେ ଅଗଣିତ କୃଷ୍ଣ ଦେଖିଥିଲା, ଆଉ କୃଷ୍ଣ କୃଷ୍ଣ ହୋଇ ଧାଇଁଯାଇଥିଲା ସମୁଦ୍ର ଭିତରକୁ, ଯାଉ ପଛେ ଭାସି ତା’ର ସେ ଶରୀର, ଲୋକେ ଯାହାକୁ କହୁଥିଲେ ସୁନ୍ଦର, ଗୋରା, ଯାହାକୁ ମହାପ୍ରଭୁ କହି ଲୋକେ ପୂଜା କରୁଥିଲେ, ଯେ ଯହିଁରୁ ଯାହା ପାଇବ ତା’ ସେ ପାଉ, ତା’ର ମୁକ୍ତ ଆତ୍ମା ଆପଣାକୁ ଭେଟି ଆପଣାଠିଁ ଲୀନ ହୋଇ ଯାଇଥିଲା । ସେ ହୋଇଥିଲା ଶ୍ରୀଚୈତନ୍ୟ, ସେ ନିଜେ, ଏବେ ଯାହାକୁ କହନ୍ତି ତରୁଣ ରାୟ ।

 

ଏଇଠି ଦିନେ ଲୋକେ ତାକୁ ଡାକୁଥିଲେ ଜଗନ୍ନାଥ ଦାସ ବୋଲି । ସେ ଦେଖିଥିଲା, ବାହାରର ଏ ରୂପ ବନ୍ଧନ ଉହାଡ଼ରେ ଏକ ଅଖଣ୍ଡ ପରମେଶ୍ୱର ଅଛନ୍ତି, ଖାଲି ଦୁଃଖୀ ରଙ୍କୀ ମଣିଷ ନୁହେଁ, ଛପନ କୋଟି ଜୀବଜନ୍ତୁ ଆଉ ବ୍ରହ୍ମାଣ୍ଡଯାକର ଯେତେ ଜଡ଼ବସ୍ତୁ ସେଠି ବି ସେ ଦେଖିଥିଲା ଏକ ଅଭିନ୍ନ ଈଶ୍ୱର, ସବୁରି ସହିତ ଏକାଠି ସେ ସ୍ପନ୍ଦନ ଅନୁଭବ କରିଥିଲା ଆପଣା ଭିତରେ ।

 

ଏଇଠି ଦିନେ, ସେ ହୋଇଥିଲା ଶଙ୍କର, କହିଥିଲା ସେ ମୁଁ, ତାହା ମୁଁ, ସବୁଠିଁ ମୁଁ, ମୋଠିଁ ସବୁ ।

 

ସେଦିନ ସେ ସାଧନା କରି ନ ଥିଲା ଖାଲି ମଣିଷର ଭାତ ଲୁଗା ଘର ସମସ୍ୟା ମେଣ୍ଟାଇବାକୁ ଧନୀ, ଓ ନିର୍ଦ୍ଧନ ଭିତରେ ବାଡ଼ ଭାଙ୍ଗିବାକୁ, ଧାନ ବଢ଼ାଇବାକୁ, ସେତେ ୟାକୁ ସମସ୍ୟା ବୋଲି ଭାବି ନ ଥିଲା । ସେତେବେଳେ ସେ ଭାବିଥିଲା ସମସ୍ତେ ସନ୍ଥ ହେଲେ ସବୁ ଘଟ ହେବ ଦେଉଳ, ଏ ପୃଥିବୀ ହେବ ଶ୍ରୀକ୍ଷେତ୍ର, ସେଥିପାଇଁ ବାହାରର ଔଷଧ କ’ଣ ହେବ ?

 

ହେତୁ ହେଲା, ତା’ର ସେ ଚେତନା ଉଭେଇ ଯାଇଛି, ସେ ସ୍ୱପ୍ନ ନାହିଁ । ଏଇ ତା’ର ଦେହ, ତା’ର ଦେହରେ ବନ୍ଧା ଦୃଷ୍ଟି ଅନୁଭୂତିର ପରିସର ! ସେହି ଦେହ ଭିତରେ ଆର୍ତ୍ତ ହୋଇ ଉଠିଲା ତା’ ମନ, ସେ ଜେଲ କାନ୍ଥ କରେ କରେ ବୁଲି ବୁଲି ମୁଣ୍ଡପିଟୁଛି, ସତକୁସତ ତା’ ଆଖିରୁ ଲୁହ ବୋହୁଛି, ସେ ଲୁହ ପୋଛୁଛି । ସେ ଛଟପଟ ହେଉଛି, ଆଉ ଭାବୁଛି–ସବୁ ଚାଲିଗଲା ! ସବୁ ଚାଲିଗଲା !

 

ତରୁଣ ରାୟ ଉଠିପଡ଼ି ଠିଆହେଲା । ଜହ୍ନକୁ ଅନାଇଲା, ଆଉ ଭାବିଲା, ରୁଷ ଦେଶରୁ ପଠାହୋଇଥିବା ହାବେଳିଲଗା ଉଡ଼ାଜାହାଜ ଚନ୍ଦ୍ର ଚାରିକରେ ବୁଲୁ ବୁଲୁ ତା’ର ଫଟୋ ଉଠାଉଥିବ-। ଏ ଚନ୍ଦ୍ର ଆଉ ପୃଥିବୀର ମଣିଷଙ୍କର ଅଚିହ୍ନା ନୁହେଁ, ମଣିଷ ହାତତିଆରି ହାବେଳି ନାନାଯନ୍ତ୍ରପାତି ନେଇଯାଇ ସେଠି ପହଞ୍ଚି ସାରିଛି, ଅଚଳ ହୋଇ ପଡ଼ିଥାଉ ପଛେ ସେ, କେଉଁ ଧୂଳିବାଲିର ମରୁଭୂମିରେ, କି ପୋତି ହୋଇ ଯାଇଥାଉ, ଚନ୍ଦ୍ରର ଆକାର ତୁଳନାରେ ରୁଷ ଦେଶର ସେ ପଦାର୍ଥଟି ଯେଡ଼େ ଟିକିଖେଳଣା କଣ୍ଢେଇଟିଏ ସତ୍ତା, ସେ ଗୋଟାଏ ସମ୍ଭାବନାର ମୋହରର ଛାପା, ରୁଷରୁ ହାବେଳି ଗଲା, ଆମେରିକାର ଉଦ୍ୟମ ବି କେବେ ସିଦ୍ଧ ହୋଇଯିବ, ଆଉ କେଉଁ ଦେଶର ବି । ସେଠି ଶୁଖିଲା ଧୂଳି ମରୁଭୂମି ଥାଉ, ଲଣ୍ଡା ମଲା ଆଗ୍ନେୟଗିରି ଥାଉ, ଯାହା ଥାଉ, ପୃଥିବୀର ମଣିଷ ସେଠି ପହଞ୍ଚିବ ଦିନେ, ତା’ପରେ ଲେଉଟି ଆସିବ, ଯା ଆସ ହେବ, ଯେପରି ଗୋଟାଏ ଦେଶରୁ ଆଉ ଗୋଟାଏ ଦେଶ । କଳ୍ପନା ନୁହେଁ, ସତରେ ତ, ସେ ଗୋଟାଏ ଉପଗ୍ରହ, ଗୋଟାଏ ଦେଶ । ଚନ୍ଦ୍ରମା ନୁହେଁ, ପୃଥିବୀର ଉପଗ୍ରହ ଚନ୍ଦ୍ର ।

 

ଏ ଜହ୍ନ ଆଲୁଅ କିମିଆଁ ନୁହେଁ, କେତେ ପ୍ରାକୃତିକ ଉପାଦାନରେ ଏ ଆପେ ଆପେ ତିଆରି ହୋଇଛି ।

 

ଆକାଶରେ ଏହି ଯେଉଁ ରଙ୍ଗରଙ୍ଗର ବଉଦ, ସେବି କିମିଆ ନୁହେଁ, ଖାଲି ପାଣିବାମ୍ଫ ।

 

ଏ ପାଖେ ଏ ସମୁଦ୍ର । ଏ ପାଣିରେ ଲୁଣ ଅଛି । ଆଉ ଆୟୋଡ଼ିନ ବ୍ରୋମିନ । କେତେ କେତେ ରାସାୟନିକ ଦ୍ରବ୍ୟ । ଏ ପାଣିରେ ଓ ଏ ପାଣିରେ ଥିବା ପୋକ ଓ ଜନ୍ତୁମାନଙ୍କ ଦେହରେ ଫସ୍‍ଫରସ୍‍ ଅଛି ବୋଲି ଏ ଢେଉର ଅଗରେ ଆଲୁଅ ଫୁଟି ଉଠୁଛି, ଏକାଠି ହୋଇ ଦିଶୁଛି ଲମ୍ବା ଲମ୍ବା ଅତି ପ୍ରକାଣ୍ଡ ବାର୍‍ ଲାଇଟ୍‍ ଜଳିଲା ପରି ।

 

ଏ ସମୁଦ୍ରରେ ଅଛି ଭିତିରି ସୁଅ, କେତେ ଲୋକଙ୍କୁ ଓଟାରି ନେଇ ମାରି ପକାଇଛି । ରାତିରେ ଏଥିରୁ ଅତି ବିଷାକ୍ତ ସାପ ଉଠି ଆସନ୍ତି ସେ ଶୁଣିଛି, କାମୁଡ଼ିଦେଲେ ଆଉ ଔଷଧ ନାହିଁ । ଆଉ ଶୁଣିଛି, ଏଠି ମଦୁଆ ବୁଲନ୍ତି, ଗୁଣ୍ଡ ବୁଲନ୍ତି, ସେଇ ନିଛାଟିଆ ଖାଲି କୋଠାଗୁଡ଼ାକ ସେମାନଙ୍କୁ ସୁବିଧା କରିଦିଏ ।

 

ବେଳ,–ଏଇତ ଆସି ନଅଟା ବାଜିଲାଣି । ସେମାନେ ଚିନ୍ତିତ ଦେଉଥିବେ । ଏତେ ସମୟ ଏଠି ସେ କଟାଇଦେଲେ !

 

ଆଉ ସମସ୍ୟା ! ହଁ ସମସ୍ୟାହିଁ ତ ପୂରିରହିଛି ପୃଥିବୀଠୁଁ ପରିବାରଯାକେ, ଗୋଟି ଗୋଟିକିଆ ଜୀବନଯାକେ, ସବୁଠିଁ । ଶକ୍ତି ଶକ୍ତି ଲଢାଲଢ଼ି, ଗୋଟାକୁ ଗୋଟା ମରଣାସ୍ତ୍ର ତିଆରି, ଲୋକେ ପଚାରୁଛନ୍ତି, ଏ ପୃଥିବୀ ରହିବଟି ? ନ ଜଳିଯିବ ?

 

ତା ନିଜର ସମସ୍ୟା ଅବା କେଉଁ ଗୁଣେ କମ୍‍ ? ଘଣ୍ଟାର ଟିକ୍‍ ଟିକ୍‍ ଶବ୍ଦ ସଙ୍ଗେ ସଙ୍ଗେ ସତେ ଯେପରିକି କଣା ହାଣ୍ଡିରୁ ଟୋପା ଟୋପା ହୋଇ ପାଣି ଗଳି ପଡ଼ିଲା ପରି ବଳ ବହପ ଆୟୁଷ ସବୁ ତା’ର ବୋହି ବୋହି ଚାଲିଯାଉଛି, ଆଉ ମାଡ଼ି ମାଡ଼ି ପଡ଼ୁଛି କର୍ତ୍ତବ୍ୟ–କର୍ତ୍ତବ୍ୟ–ସେ ତା’ର କର୍ତ୍ତବ୍ୟ ତୁଲାଇବ, ଅବଶ୍ୟ ।

 

ସେ ବିଡ଼ି ଖାଇବାକୁ ଚେଷ୍ଟା କଲା, ସମୁଦ୍ରକୂଳ ପବନରେ ଗୋଟାକୁ ଗୋଟା ଦିଆସିଲି କାଠି ଜଳିଉଠି ନିଭିଗଲା । କିନ୍ତୁ ସେ ଆହୁରି ଚେଷ୍ଟା କଲା, ଆହୁରି ଆହୁରି । ଏଥର ପ୍ରକୃତି ଆଉ ସମୁଦ୍ର ସଙ୍ଗେ ସମନ୍ଵୟ ନୁହେଁ, ତା’ ବିରୁଦ୍ଧରେ ସେ ମଣିଷପଣ ଖଟାଉଛି, ପ୍ରାଣପଣେ ଲଢ଼ୁଛି । ହେଇ, ଲାଗିଗଲା ବିଡ଼ି । ସେ ଭାରି ଖୁସି ହୋଇ ଦମେ ଟାଣିନେଲା । ସେ ଜିତିଛି । ମଣିଷ ଜିତିଛି-। ପୁଣି ଭାବିଲା, ସେ ତା’ର କର୍ତ୍ତବ୍ୟ ନିଶ୍ଚୟ ତୁଲାଇ ପାରିବ ।

 

ଏଥର ତା’ର ସହର ମନେ ପଡ଼ିଲା, ଭିନ୍ନ ରୂପରେ । ବଣ ଜଙ୍ଗଲ ସଫା କରି ଆପଣା ଜ୍ଞାନ ଓ ଅଧ୍ୟବସାୟ ବଳରେ ମଣିଷ ତା’ର ସହର ବସାଇଛି, ସୁଖ ସ୍ୱଚ୍ଛନ୍ଦ୍ୟ ସାଇତିଛି । ଆଉ ଏଠି, କ’ଣ ହୋଇ ପଡ଼ିଛି ଏ ପୁରୀ ସମୁଦ୍ର କୂଳ !

 

ମନ ଉଷୁମ କରିବାକୁ ସେ ସେହି ଅଚିହ୍ନା ଚିତ୍ରିତା ତରୁଣୀକୁ ମନେ ପକାଇଲା । କେଉଁ ମହାନଗରୀର ମହାନିଶାରେ ତା’ର ଜନ୍ମ, ତାରି ପରି । ଭାବିଲା, ଆଶଙ୍କସେ ଯଦଗ୍ନିଂ ତଦିଦଂ ସ୍ପର୍ଶକ୍ଷମମ୍‍ରତ୍ନ । ନିଶ୍ଚୟ, ନିଶ୍ଚୟ । ନଦେଖୁ କେବେ ଆଉ, ଥରେ ଦେଖିଛି । ମନେ ପକାଇଲା, ଅଙ୍ଗ ଆଉ ରଙ୍ଗ । ପିଆଜ ପାଖୁଡ଼ା ପାଖୁଡ଼ା କରି ଛଡ଼ାଇ ଛଡ଼ାଇ ଥୋଇଲା ପରି ସେ ମନେମନେ ତାକୁ ଛଡ଼ାଇବାକୁ ଲାଗିଲା । ଆଗ ହଳଦିଆ ପାଖୁଡ଼ାଟି ପରି ସେହି ଲମ୍ବା କୋଟ୍‍ଟି ତା’ ପରେ ଆଉ ପରସ୍ତେ, ତା’ ପରେ ଆହୁରି ।

 

ଇଞ୍ଜିନର ଘୁଡ଼ୁଘୁଡ଼ୁ ପରି ସେ ଆପଣା ଭିତରେ ଉତ୍ତେଜନା ଅନୁଭବ କରୁଛି । ମନ ଖୁସିରେ ଦୋହଲି ଦୋହଲି ସେ ହୋଟେଲଆଡ଼କୁ ଚାଲିଛି ।

 

କାନ୍ଧ ଉପରବାଟେ ପଛଆଡ଼କୁ ମୁହଁ ଲୁଚାଇ କାନ୍ତିମୟୀ ତେର୍ଚ୍ଛାକରି ଅନାଇ ଦେଖିଲେ ଯେ ତାଙ୍କ ସ୍ୱାମୀ ଓଲଟା ପଟେ ଚାଲିଯାଉଛନ୍ତି । ତାଙ୍କ ଓଠ ଗୋଟିଏ ସରୁ ହସରେ ବଙ୍କେଇ ପୁଣି ସିଧା ହେଲା, ଆଖି କୌତୁକରେ ତେଜି ଉଠି ପୁଣି ସାମ୍ନାକୁ ମୋହିଲା । ଝିଅ କଥା ଗପିଗପି ଆଇ ଅଇଁଠୁ ସାମନ୍ତସିଂହାର ସାଙ୍ଗରେ ଆଗକୁ ଚାଲିଛି । ଗପୁଗପୁ ଆଗକୁ ଯାଉଯାଉ ସେ ଦୁହିଁଙ୍କ ଭିତରେ ବ୍ୟବଧାନ ସେତିକି ସେତିକି ବଢ଼ିବଢ଼ି ଯାଉଛି । ସେ ମୋଟୀ ମଣିଷ, ଚାଲି ଧିମେଇଲାଣି-। ସେ ଠିଆ ହୋଇ ରହିଗଲେ ।

 

ଭାବିଲେ କେଡ଼େ ସୁନ୍ଦର ମାନୁଛନ୍ତି ଦୁହେଁ, କ’ଣ ନାଙ୍କେରା ହୁଅନ୍ତା ? କେମିତି ତା’ ହୋଇପାରିବ ?

 

ଏ ଉଦାର ଭାବନା ବି ଆସିଥିଲା, ସମ୍ଭବ ହୋଇନାହିଁ । ଏଇ ଗୋଟିକ ଗୋଟିକରୁ ଦୁଇଟି ସନ୍ତାନ ତାଙ୍କର ନାହିଁ । ମନନାଖି ଉପଯୁକ୍ତ ପାତ୍ର ପାଇଲେ ଦେଇଦେଲେ ସେ ସୁଖୀ ହୁଅନ୍ତେ । ପୂର୍ବେ ରହୁଥିଲେ ଗାଁରେ, ଗାଁ ମାଟି ସଙ୍ଗେ ବୃତ୍ତି ବନ୍ଧାହୋଇ ରହୁଥିଲା, ସେହି ଚଳଣିର ବନ୍ଧନକୁ ଟାଣରଖିବା ପାଇଁ ଗଢ଼ା ହୋଇଥିଲା ଜାତିର ସମ୍ପ୍ରଦାୟର ଗୋଷ୍ଠୀ, ଜୀବନ ବଦଳିଛି, ବୃତ୍ତି ବଦଳିଛି, କିଏ ଏତେ ନିଠେଇ ଧରି ବସୁଛି ସେ ପୁରୁଣା ସଂସ୍କାରର 'ହୋଇ'–'ନାଇଁ'କୁ ? ସହରରେ କେତେକ ଏମିତି ହୋଇଯାଉଛି ।

 

ତାଙ୍କର ଆଶା ପୂରିନାହିଁ । ଖାଲି ଆଶା । ପର ପିଲାଙ୍କୁ ଆସୁଆସିଆ କରି ସେ ବି ତାଙ୍କ ପିଛା ସମୟ ଆଉ ପଇସା ଖର୍ଚ୍ଚ କରିଛନ୍ତି । ସେମାନଙ୍କୁ ଚାହା ଜଳଖିଆ ଦେଇଛନ୍ତି, ଛଳନା ଆସିଛି, କଥାଭାଷା ହୋଇଛି । ସେମାନେ ତା’ର ଭାଇ ହୋଇ ଉଠି ଚାଲିଯାଇଛନ୍ତି । କିଏ କୃତଜ୍ଞ ହୋଇ ମା' ବୋଲି ଡାକିବାକୁ କେବେ ଆସେ, କିଏ କେବେ ଚିଠିଟିଏ ଲେଖେ, ଆଶୀର୍ବାଦ ମାଗେ, କିଏ ପଠାଏ ସାନ ଭେଟିଟିଏ, କିଏ ଅବା ବେଳଯାଏ କେବେ କଦବା ବସି ହସଖୁସିରେ କଥାଭାଷା ହୋଇଯିବାକୁ । ଛଳନାର ସେହି ଭାଇମାନଙ୍କ ଭିତରୁ କିଏ କେବେ ବିଭା ହୁଅନ୍ତି, ନିମନ୍ତ୍ରଣ ପତ୍ର ପଠାନ୍ତି, କିଏ ତା’ ବି ପଠାଏ ନାହିଁ, ଭୁଲିଯାଏ ।

 

କାନ୍ତିମୟୀ ଠିଆହୋଇ ଭାବୁଥିଲେ । ଦୁନିଆ ବଦଳିଛି । ମଣିଷ ବଦଳିଛନ୍ତି । କେତେ ପିଲା ବିଭାହେବାକୁ ଡରୁଛନ୍ତି ! ବୋହୂ ଡରୁଛନ୍ତି ମା' ହେବାକୁ । ତେଣୁ ପଞ୍ଝା ପଞ୍ଝା ଓଥରା ଓଥରି । ବାପ ନ ହେବାକୁ, ମା ନ ହେବାକୁ ଅପରେସନ ! ଆଗକାଳ ହୋଇଥିଲେ ଜଣେ ପନ୍ଦରଟାର ମା’ ହେଲେ ବି ଷୋଳଟାର ମା’ ହେବ ବୋଲି ଷଠିଦେବୀଙ୍କୁ ଡାକୁଥିଲା । କି ଡର ଖାଉଛି ସେମାନଙ୍କୁ-? ଉପରେ ଦେଖିଲେ ଟୋକାଏ କେଡ଼େ ଆଗଚଲା, କୁହାଳିଆ, ତାଙ୍କର କେତେ ହସ ପରିହାସ-! ଓର ଉଣ୍ଡି ୟାଡ଼ୁକ ସ୍ୟାଡ଼ୁକୁ ଅନାଇ ହାତପାପୁଲିଟାକୁ ଧରି ପକାଇ ସାଉଁଳା ଆଉଁସା କରି ପକାଇବେ । ତା ପରେ ସରିଗଲା, ଫଁ ଫ ଦୀର୍ଘ ନିଶ୍ୱାସ, ଧଡ଼ଧଡ଼ ଛାତି, ଏତିକି ସେ ଘନିଷ୍ଠତାର ପରିକ୍ରମା । ବିଭାହେବା କଥା ପଡ଼ିଗଲେ ଛେଳିକି ପାଣିକି ନେଲାପରି, ଦେ ଛୁ'-। ଟୋକା ଟୋକୀଙ୍କ ମଞ୍ଜ ଭିତରେ କ’ଣ ଏ ଡର ! ମଣିଷ ଜୀବନର ସାଧାରଣ କଥାଗୁଡ଼ାକୁ ଏଡ଼େ ଛାନିଆଁ-!

 

ହେଇ ସେମାନଙ୍କ ଭିତରେ କଥା କୁହାରେ ଖଇ ଫୁଟୁଛି । କେଡ଼େ ଚଞ୍ଚଳ ଆନ୍ତରିକତା ବଢ଼ିଉଠୁଛି । ଜଳଜଳ ହୋଇ ଦିଶିଯାଉଛି ତା’ ପରେ କ’ଣ ହେବ । ଛଳନା ହସିହସି ଡାକିବ,–"ଅଇଠୁଁ ଭାଇ !" ପରସ୍ପର ଠିକଣା ଟିପାଟିପି ହୋଇ ରହିବ । ଅଇଠୁଁ ହୁଏତ କିଛି ଉପହାର ବି ଆଣିଦେବ, ଶଙ୍ଖ, ଗେଣ୍ଡାମାଳି, ଶାମୁକା, ଖଡ଼ିରେ ତିଆରି ମୂର୍ତ୍ତି । ମହାପ୍ରସାଦ ହାଣ୍ଡିଏ ଆଣିଦେବ । ଗାଡ଼ିରେ ବସାଇ ଦେଇଯିବ ।

 

ତା ପରେ ସବୁ ମିଳେଇଯିବ, ଯେମିତି ରେଳଗାଡ଼ିର ଧୂଆଁ ଆକାଶରେ ମିଳେଇଯାଏ ।

 

ନା, ନା, ତା’ ହେବ ନାହିଁ । ବୋଧହୁଏ–

 

ଭାବନାକୁ ବାଧା ଦେଲା ଗୋଟାଏ ସାଧାରଣ ଦୃଶ୍ୟ, ସମୁଦ୍ର ଗାଧୁଆ । ଏତେଥର ଆଖିରେ ପଡ଼ି ସାରିଥିଲେ ବି ଏଇଦୃଶ୍ୟରେ ବିଶେଷ ହୋଇ କ’ଣ କିଛିଥିଲା, ଦୃଶ୍ୟ ଦେଖୁଦେଖୁ ମନେମନେ ଭାବନା ବି ଚାଲିଲା ।

 

ଯୁବା ଯୁବତୀ ଦିହେଁ, ଯୁବତୀର ସୁନ୍ଥାରେ ସିନ୍ଦୂର ଝଟକୁଛି । ଯୁବକଟି ବେଶି ପାଣିକୁ ଗଲାନାହିଁ, ଫେରିଆସି ଅନାଇଁ ରହିଲା । ଯୁବତୀଟିର ସତେକି ତାହାରି ଆଗରେ ସାହସ ଦେଖାଇବାକୁ ମନ ହୋଇଛି । ସେ ବେଶୀ ପାଣିକୁ ଗଲା, ଟାଣକରି ନୋଳିଆର ହାତ ଧରିଥାଏ । କଳାମିଶିମିଶି ନୋଳିଆଟିଏ, ବଳିଷ୍ଠ ଗଢ଼ଣ, ଡେଙ୍ଗା, ଯୁବକ, ଦେହରେ କୌପୁନି, ମୁଣ୍ଡରେ ଗୋଜିଆ ଟୋପି । ଢେଉ ଉତ୍ତାରୁ ଢେଉ ଆସୁଛି, ଏକାଠି ସେ ଯୁବତୀ ଓ ସେ ନୋଳିଆ ହାତ ଧରାଧରି ହୋଇ ଡେଉଁଛନ୍ତି, ଢେଉ ଭିତରକୁ ମୁଣ୍ଡକୁ ଭୁଷି ଦେଇ ଅଦୃଶ୍ୟ ହୋଇଯାଉଛନ୍ତି, ପୁଣି ଉଠୁଛନ୍ତି । କୂଳରୁ ଅଶ୍ଚର୍ଯ୍ୟ ହେଲାପରି ଅନାଇ ରହୁଛି, ବେଳେବେଳେ ଉତ୍ସାହରେ ଭାରି ପାଟିକରୁଛି, ତାଳି ମାରୁଛି, ହସୁଛି, ସ୍ତ୍ରୀକୁ ଉତ୍ସାହିତ କରୁଛି । ପାଣିକୁଆ ପରି କେତେ ଉବେଇ ଟୁବେଇ ହୋଇସାରି ନୋଳିଆ ସେ ଯୁବତୀଟି ଦିହେଁ ଲେଉଟି ଆସିଲେ । ଅସ୍ତସୂର୍ଯ୍ୟର ଆଲୁଅରେ ଦିଶୁଛି ସତେ ଯେପରିକି ନୋଳିଆ ଯୁବକର ଖୋଲା ଦେହରୁ ନାଲିପାଣି ବୋହି ପଡ଼ୁଛି । ଯୁବତୀଟିର ଦେହ ବି ଖାଲି ଦିଶୁଛି, ସତେ ଯେପରିକି ସମୁଦ୍ର ତା’ର ସବୁ ଖୋଳ ସବୁ ଭେକକୁ ତରଲାଇ ଦେଇ ସେ ଭେକ ଓ ଖୋଳର ତଳଟାକୁହିଁ ରଙ୍ଗେଇ ଦେଇଛି । ସେ ବହୁତ ନାଚିଛି, ବହୁତ ଗାଧୋଇଛି, ତା ମୁହଁରେ ତୃପ୍ତିର ଭଙ୍ଗୀ ଆନନ୍ଦର ଝଳି । ସତେ ଯେପରିକି ସେହି ଅଚିହ୍ନା ଯୁବତୀ ଭିତରେହିଁ କାନ୍ତିମୟୀ ଏତେବେଳଯାକେ ରହିଥିଲେ ଆଉ ଅଭିଜ୍ଞତା ଗୋଟାଉଥିଲେ, ତା’ପରେ ସେ କିମିଆ ଭାଙ୍ଗିଗଲା କିନ୍ତୁ କୁତୂହଳ ଛାଡ଼ିଲା ନାହିଁ ।

 

ସେ ସେହି ଯୁବା ଯୁବତୀଙ୍କୁ ହିଁ ଅନାଇଥିଲେ । ଯୁବତୀଟି କୂଳକୁ ଆସି ସେହି ଯୁବକ ଆଗରେ ଠିଆହେଲା । ଫୁଙ୍କି ଫୁଙ୍କି ନିଆଁ କୁହୁଳେଇଲାପରି ଫାଇଁ ଫାଇଁ ହସିଲା । ତା’ପରେ ସେ ତା’ର ଲୁଗା ପାଲଟିଲା ।

 

ସେ ଭାବିନେଲେ, ଏ ଦୁହେଁ ସ୍ୱାମୀ ସ୍ତ୍ରୀ ଏମାନେ ବି କେଉଁ ସହରରୁ ଏଠିକି ବୁଲି ଆସିଥିବେ ।

 

ଯୁବତୀଟିକୁ ଦେଖୁଛନ୍ତି, ଅଣ୍ଟା ସରୁ ହେଲେ ବି ବିରୁଡ଼ି ଅଣ୍ଟା ନୁହେଁ, ଦେହ ହାଲୁକା ଦିଶୁଥିଲେ ବି ପଛ ଖୁବ୍‍ ଓସାରିଆ, ସିଧା ଚାଲିଛି, ଛଡ଼ ପରି ସୋଡ଼୍‍ ସୋଡ଼୍‍, ଡେଙ୍ଗାଗୋଡ଼ିଆ । ଫଳନ୍ତି ଗଛ ଏମିତି ହୁଏ ପରା,–ବହୁ ସନ୍ତାନର ମା’ ହୁଅନ୍ତା, ହୋଇପାରେ ବି କିଏ କହିପାରିବ ? କିନ୍ତୁ ସେ ଯୁବକଟି ଆଉ ପ୍ରକାରେ । ହସିଲେ ଅନ୍ତ ଦୁହିଁ ହୋଇଯାଉଛି, ତଥାପି ହସୁଛି ତ ସେ, ମୁହଁରେ ସବୁବେଳେ ହସ । ସେ ବୋଧହୁଏ କାହାରି ଅପ୍ରିୟ ହେବାକୁ ଇଚ୍ଛୁକ ନୁହେଁ । କାହାରି ସଙ୍ଗରେ ଖୁରି କରିବାକୁ ସେ ଭରସୁ ନ ଥିବ । ଧଡିଆ, ନହକା । ଦୁଧ ପିଉଥିବ ? ଚା ତେଣ୍ଡୁଥିବ, ବିଡ଼ି ସିଗାରେଟ ଫୁଙ୍କି ପକାଉଥିବ । ହୁଏତ ସେ ଅନ୍ୟମାନଙ୍କୁ ବୁଝାଇ ପାରୁଥିବ କିପରି କଲେ ସ୍ୱାସ୍ଥ୍ୟ ଭଲ ରହିବ । ହୁଏତ କଥା କଥାକେ ସେ ଆଲୋଚନା କରିପାରୁଥିବ, ନାରୀ କ’ଣ ଭାବେ, କ’ଣ ଖୋଜେ ମଣିଷର ମନ କ’ଣ ଚାହେଁ । ଯୁବକ ନାରୀ କଥାହିଁ ତ ବେଶି ଭାବେ ।

 

ହୁଏତ ଏଇ ନାରୀଠାରୁ ଆତ୍ମରକ୍ଷା କରିବାପାଇଁ ସେ ମନ ଅଜାଣତରେ କେତେ ପତିଆରା ଫାନ୍ଦୁଥିବ, ଆପଣାକୁ କେତେ ଶିକୁଳିରେ ବାନ୍ଧି ପକାଉଥିବ, ଦିନରେ ତାର କାମଧନ୍ଦା, ରାତି ଅଧ ସେପାଖଯାକେ ବହିପଢ଼ା, ଚେଇଁଥିବା ବେଳର ଅନ୍ୟ ସମୟରେ ବନ୍ଧୁଘର ବୁଲା, ଗପ । ହୁଏତ ଆପଣା ସ୍ତ୍ରୀ ସଙ୍ଗରେ ଯେଉଁ ଅଳ୍ପ ବେଳ ସେ କଟାଉଥିବ, ସେତେବେଳେ କେତେ କଥା ସେ କହିଯାଉଥିବ, ସ୍ୱାସ୍ଥ୍ୟ, ଜନ୍ମନିରୋଧ ଅକାଳରେ ସନ୍ତାନ ମୃତ୍ୟୁ, ପ୍ରସୂତି ମୃତ୍ୟୁ କଥା ହୁଏତ–

 

ଭିତରେ ଭିତରେ ଚମକି ପଡ଼ିଲା ପରି ହୋଇ ସେ ନିଜର ଦୋଷ ବାଛି ପକାଇ ଭାବିଲେ ଏ କି ଉଦ୍‍ଭଟ କଳ୍ପନା ହେଲା ତାଙ୍କର ? ଏବେ ବି ହସୁଛି ସେ ଯୁବକଟି, କି ଦୋଷ କଲା ତାଙ୍କର ଯେ ତା’ ବିଷୟରେ ସେ ଏଡ଼େ ଅନୁଦାର ହୋଇ ଭାବି ଯାଉଛନ୍ତି ?

 

ତା ମୁହଁଟି ଏଥର ତାଙ୍କୁ ଦିଶୁଛି କଅଁଳିଆ, ଛନଛନିଆ, ଆଖି ଦୋଓଟି ହସିଲା ହସିଲା ପରି । ଏ ମୁହଁରେ ଅଭିମାନ ନାହିଁ, ଉଦାରତା ଅଛି । ଅଧିକା ପାଇବା ପାଇଁ ସେ ଅଳି କରୁ ନ ଥିବ, ଆପେ ସୁଖ ନ କରୁଣୁ ଏଇ ଯୁବତୀଟିକୁ ସୁଖୀ କରିପାରିଲେ ସେ ଖୁସି ହେଉଥିବ । ତା’ର ସବୁ ଅଳି ଅର୍ଦ୍ଦଳି ସେ ସାହିଯାଉଥିବ ଏମିତି ହସିହସି, ଏମିତି ଖେଳିଲା ଖେଳିଲା ପରି । ଆଃ–ଏ ସଂସାରରେ ସୁଖର ବାଣ୍ଟ କେତେ ଅଳ୍ପ, କରୁ ଯେ ଯେମିତି ପାରିବ ସୁଖ କରୁ, ଖାଲି ଏତିକି ଥାଉ ଯେ ସମସ୍ତେ ହସୁ ଥାଉନ୍ତୁ–ବୋଧହୁଏ ଏମିତି ହୋଇଥିବ ତା’ର ଧାରଣା । କେତେ ଲୋକ ତାକୁ ଶରଧା କରୁଥିବେ, ସେମିତି ଲୋକଙ୍କୁ କିଏ ଶରଧା ନ କରିବ ! ହେଇ ସେ ହସିହସି ଅଳି କଲାପରି ସେ ସ୍ତ୍ରୀଲୋକ ହାତରୁ ଓଦାଲୁଗାଗୁଡ଼ାକ ଛଡ଼ାଇ ନେଇ ବୋହିଲାଣି ।

 

ଭାଗ୍ୟବତୀ ଏ ସ୍ତ୍ରୀଲୋକ । କେଡ଼େ ସ୍ୱାର୍ଥପର ! ଖାଲି ଆପଣା ସୁଖଟି ବୁଝେ । କେତେଦିନ ରଖିପାରିବ ଏ ରଙ୍ଗ !

 

ଏ ବୟସରେ ସମସ୍ତେ ଏମିତି ଦିଶନ୍ତି । ତା’ ପରେ ଆଉ ବର୍ଷକୁ ଦେଖିଲାବେଳକୁ ସେ ବେଙ୍ଗ ପରି ଫୁଲିଥିବ । ହଜମ ନ ହୋଇ ଖର୍ଚ୍ଚ ନ ହୋଇ ସବୁ ଖାଲି ଚର୍ବି ହୋଇ ଯାଉଥିବ, ଇସ୍‍ ! ଓଠରେ ରଙ୍ଗ ବୋଳିଥିଲା ପରା ! ଅରାଏ ଅରାଏ ଛାଡ଼ିଯାଇଛି । ପାଖରୁ କେଡ଼େ କଦାକାର ଦିଶୁଛି-! ଆଙ୍ଗୁଠିରେ ଗୋଜିଆ ଗୋଜିଆ ନଖଗୁଡ଼ାକ ସେଥିରେ ନାଲି ଚରିଯାଇଛି ।

 

ପୁଣି ଭାବନା ମଝିରେ ଅଟକିଗଲେ ଆଉ ଭାବିଲେ, ୟେ ତାଙ୍କୁ କ’ଣ ଘୋଟିଛି ।

 

ମନ ଭିତରେ କେଉଁଠି ଠାଏ ହାକୁ ହାକୁ ହେଉଛି, ଯେମିତିକି ଛପିଲା ବିଷଵ୍ରଣରେ ପ୍ରକୋପ, ଆଉ ତାହାରି ଦାଉରେ ଚାଲିଛି ଏ ପ୍ରଳାପ, ହଁ, ପ୍ରଳାପ ତ ସତ ଦୀର୍ଘଶ୍ୱାସ ପକାଇଲେ । ମନେ ପଡ଼ିଗଲା, ସେ ଆଉ ସନ୍ତାନର ମା' ହେବେ ନାହିଁ ।

 

ଅତି ସ୍ନେହରେ ମନେ ପଡ଼ିଗଲେ ସ୍ୱାମୀ, କେଡ଼େ ଦୁଃଖ ହେଲା ଭାବିଲା ବେଳକୁ, ଦିନକୁଦିନ ସେ କେମିତି ଝଡ଼ି ଯାଉଛନ୍ତି !

 

ଆଉ ଟୋକାଟୋକୀ ନୁହନ୍ତି, ବୁଢ଼ାବୁଢ଼ୀ, ଅଥଚ କାଲିପରି ଦିଶିଯାଉଛି ! କେତେ ଚଞ୍ଚଳ ସମୟ ଚାଲିଗଲା ! ଆଙ୍ଗୁଠି ଅଗରେ ଗଣି ହେବ । ତାଙ୍କ ସ୍ୱାମୀଙ୍କର ସେତେବେଳର ଚେହେରା ସେ ମନେ ପକାଇବାକୁ ଚେଷ୍ଟା କଲେ, ସ୍ମରଣ ଅଛି, ବିଭା ହେଲା ବେଳେ ସେ ଥିଲେ ସରୁଆ ହାଡ଼ୁଆ । ସେତେବେଳେ ବି ଭଲ ଲାଗୁଥିଲା ତାଙ୍କର ସେ ନିରୀହ ଆଖିଯୋଡ଼ିକୁ ଅନାଇବାକୁ, ଟିକିଏ କେତେବେଳେ ଅକୁହାର ହୋଇ ଅଡ଼ି ବସି କି ଚିଡ଼େଇ ଦେଇ ସେ ମୁହଁରେ ଭାବ ପରିବର୍ତ୍ତନ ଦେଖିବାକୁ । ସବୁବେଳେ ମିଠା ଭଲ ଲାଗେ ନାହିଁ, କେତେବେଳେ ପିତା ଟିକିଏ କେତେବେଳେ, ଟିକିଏ ରାଗ । ତାପରେ, ସୁଆଦିଆ ରୋଷେଇ ରାନ୍ଧି ବଳେଇ ବଳେଇ ଖୁଆଇ ସେ ନିଜେ ଲାଗିପଡ଼ିଥିଲେ ସେଇ ପୁରୁଷଟିକୁ ମୋଟା କରିବାକୁ । ମୋଟା ବି ହେଲେ ତାଙ୍କ ସ୍ୱାମୀ, ଗୋଲଗାଲ ନଥଲ୍‍ ନଥଲ୍‍ । ସେତେବେଳେ ତାଙ୍କର କେଡ଼େ ଗର୍ବ ହେଉଥିଲା, ଯେ ଏ ଦେହକୁ ମୁଁ ତିଆରିଛି, ମୋରି ହାତର କରଣି ତ ୟେ ! ଛଳନା ଜନ୍ମହେଲା । ଘର ପୂରିଲା । ତା'ପରେ ତାଙ୍କୁ ଧରିଲା ଆମିଵିକ୍‍ ଡିସେଣ୍ଟ୍ରି, ଯେତେ ଔଷଧ ଖାଇଲେ ଆଉ ଛଡ଼ିଲାନାହିଁ । ଡାକ୍ତର ସାନ୍ତ୍ୱନା ଦେଇ କହିଲେ, ଭାରତର ଧୂଳି ଗଣ୍ଡିକରେ ବି ଏହି ରୋଗ ପୂରିଛି, ଶହେ ଜଣରୁ ଅଶୀ ଜଣଙ୍କଠି ୟେ, ପରିବା ଖିଆ ଛାଡ଼ି ମାଂସ ଖାଇ ବଞ୍ଚିଲେ ୟେ ଦବି ରହିବ । ନିତି ଦୁଇଓଳି ମାଂସ ! ଅସମ୍ଭବ ତା’ ଅପେକ୍ଷା ବରଂ ବେଲପୋଡ଼ା, ଇସବ୍‍ଗୁଲ ଭୁଷି, ବସିରିପି ପତ୍ର ବାଟ, ଆଉ ବେଶି ଧରିଲେ ଦବେଇ ଦେବାପାଇଁ ଡାକ୍ତରଖାନା ଔଷଧ । ଦବି ରହିଛି ସତ, କିନ୍ତୁ ସେ ସ୍ୱାସ୍ଥ୍ୟ ଆଉ ଲେଉଟିଲା ନାହିଁ । ଆମିବିକ୍‍ ବି କୁଆଡ଼େ ଯାଇନାହିଁ, ମଝିରେ ମଝିରେ ବାହାରିପଡ଼େ । ଗୋଡ଼ ଦିଟା ଝୁଲି ରହିଲେ ଫୁଲିଯାଏ, ଟିପରେ ଚିପିଲେ କାଦୁଅ ପରି ଦବିରହେ, ବିଶେଷତଃ ଅଫିସରୁ ଫେରି ଘରେ ପହଞ୍ଚିଲାବେଳେ, କହନ୍ତି ମୁଣ୍ଡ ବୁଲାଏ, ଛାତି ଧଡ଼ଧଡ଼ ହୁଏ, ଗୋଡ଼ ଥରେ । ଆଉ କେଡ଼େ ଚଞ୍ଚଳ ନିଃସାର ହୋଇଆସୁଛି ସେ ଦେହଟା, ବୁଢ଼ା ହୋଇଗଲେଣି !

 

ଦୀର୍ଘଶ୍ୱାସରେ ଦୀର୍ଘଶ୍ୱାସରେ ତରୁଣର ତାରୁଣ୍ୟ ଦିନର ଚେହେରାକୁ ସେ ଆଖି ଆଗରେ ରଖିବାକୁ ଚେଷ୍ଟାକଲେ, ହେଉ ନାହିଁ । ଟିକିଏ କେତେବେଳେ ଦପ୍‍ କରି ଜାଳି ଉଠିଲାପରି ସ୍ମୃତି ଝଟକି ଉଠୁଛି, ପୁଣି ନିଭିଯାଉଛି । କେଉଁ ଛଟକରେ ଅତୀତର ସେହି ନାନା ବେଳର ନାନା ବୟସର ନାନା ରୂପ ହଜି ହଜି ଯାଇଛି, ହେତୁ ବି ପଡ଼ୁ ନାହିଁ, ହେତୁ ପଡ଼ୁଛି ଏଇ ବୁଢ଼ା ଦେହ, ଧଡ଼ିଆ, ଦୁର୍ବଳିଆ, ସେହି ଚେହେରାଟି ସତେକି ତାଙ୍କ ଚେତନା ସଙ୍ଗେ ଗୁରାଇ ହୋଇ ରହିଛି, ସତେ ଯେପତି ଲାଗୁଛି ଏମିତି ଏ ଥିଲା, କାଲି ପହରଦିନ ଅପୁରୁଦିନ । କେବଳ ଲାଗୁଛି, ଏଥିରେ ବଳ ଥିଲା, ବଳନାହିଁ ଭାବିଲେ ଆଶା ଆନନ୍ଦ ଆସୁଥିଲା, ଅଇଛା ମନ ଭିତରଟା ସେନ୍ତେରେଇ ଯାଉଛି ।

 

ପୁଣି ଦେଖିଲେ, ନୋଳିଆ ଯୁବକ ପୁରୁଷଠାଣିରେ ଛାତି ଫୁଲାଇ ବୁଲୁଛି । ଜଣେ ନୂଆ ଭଦ୍ରଲୋକ, ଯୁବକ ଜଣେ, ଗୋଟାଏ ପଟା ଉପରେ ଅଣ୍ଟାମାଡ଼ି ଶୋଇ ଢେଉଆଡ଼କୁ ପଛ ବୁଲାଇ ଦେଇ ପଛଆଡ଼ୁ ହାବୁକା ଖାଇ କୂଳକୁ ଆସୁଛନ୍ତି, ନୋଳିଆ ଯୁବକଟି ତାଙ୍କ ନିରାପତ୍ତାକୁ ନିଘା ଅପେକ୍ଷା କରିଛି । ବାରମ୍ବାର ବାରମ୍ବାର ପଟା ଉପରେ ଭରାଦେଇ ପିଠିଆଡ଼ୁ ଢେଉର ଠେଲା ସହିବାପାଇଁ ସେ ପଟା ଧରି ଆଗେଇ ଯାଇ ପଛ ବୁଲାଇଦେଲେ ଅପେକ୍ଷା କରିଛନ୍ତି, ଢେଉ ତାଙ୍କୁ ପେଲିପେଲିକା ଆଣି କୂଳରେ ଛାଡ଼ୁଛି । ଏଇଥିରେ ତାଙ୍କର ତୀବ୍ର ଉତ୍ତେଜନା ହେଉଛି, ସେ ଆନନ୍ଦ ପାଉଛନ୍ତି, ତାଙ୍କ ମୁହଁରୁ ଜଣାପଡ଼ୁଛି । ପୁଣି କାନ୍ତିମୟୀ ଏହି ଗୋଟିକିଆ ଯୁବକଟି ବିଷୟରେ ଭାବି ଲାଗିଲେ । ଲାଗିଲା, ଏବି ତ ଗୋଟାଏ ଚିହ୍ନାଦଳର ମଣିଷ, ଯେମିତି ଯେମିତି ଲେଖାଯୋଖାରେ ତାଙ୍କର ଭାଇ ହେବେ ଅଛନ୍ତି ଜଣେ ଗୋବିନ୍ଦ ଭାଇ, କେଉଁକାଳୁ ତାଙ୍କ କଥା ମନେ ପଡ଼ିନାହିଁ । ଖେଳି ଖେଳି କସରତ କରି ଦେହ ବାଗେଇ ସେ ଜୀବନଟାକୁ ବିତେଇ ଦେଲେ, ଘରେ ନାନା ଆକାରର କାଠ ମୁଦ୍‍ଗର, ଓଜନ ଟେକିବାକୁ ଲୁହାବାଡ଼ି, ସେଥିରେ ମୁଣ୍ଡା ମୁଣ୍ଡା ଲୁହା ଚକ୍ତି ଲାଗିଥାଏ, ମୁଠା ଦମ୍ଭ ହେବ ବୋଲି ଚିପିବାକୁ ଲୁହାର ପଞ୍ଝାଚିପା ଦିଟା, ଛାତି ଓସାର ହେବ ବୋଲି ଭିଡ଼ିବାକୁ ଲୁହର ସ୍ପ୍ରିଙ୍ଗଗୁଡ଼ାଏ, ଏମିତି କେତେ ପଦାର୍ଥ ତାଙ୍କ ଘରେ । ସେ ଆପଣା ସୁଖେ ବଡ଼ କାଚ ଦର୍ପଣଆଡ଼କୁ ଅନାଇ ଅନାଇ ବାହାଟାଙ୍କି ଦେଇ ଆପଣା ବାହାରେ ମାଉଁସ ନାଚନ୍ତି, ଦି କାନ୍ଧରେ ମାଉଁସକୁ ଫୁଲାଇ ଠିଆ କରନ୍ତି ଷଣ୍ଢର କୁଜପରି, ଆବୁ ଆବୁ ହୋଇ ଦେହଗୋଟାକ, କେତେସାଧନ ସେ ଭାଙ୍ଗି ପାରନ୍ତି, କରଡ଼ା ଦେହଟାକୁ ଉଠାଉଥାନ୍ତି ପକାଉଥାନ୍ତି ମନଇଚ୍ଛା । ସେ ଦୌଡ଼ନ୍ତି, ଡିଅଁନ୍ତି, ପହଁରନ୍ତି, ଖେଳୁଥାନ୍ତି ଫୁଟବଲ କ୍ରିକେଟ କେତେ ଖେଳ । ସେଥିପାଇଁ ସେ ବୁଲନ୍ତି ସହରରୁ ସହର, ଆଜି ଏଠି କାଲି ସେଠି । କିନ୍ତୁ ସେ ବିଭାହେଲେ ନାହିଁ, ଆପଣା ଘରର କୁଟାଖଣ୍ଡିକ ଦିଖଣ୍ଡ କଲେନାହିଁ, ଦେହରେ ଏତେ ବଳଥାଇ ବି କେହି କେବେ ଦେଖି ନାହିଁ ସେ ଆପଣା ପିନ୍ଧାଲୁଗା ଖଣ୍ଡିକ ଗାଧୋଇସାରି ଚୁପୁଡ଼ିବାର କେବେ ଘର ଓଳେଇବାର କି କାଠ ଭାଙ୍ଗିବାର କି ମାଟି ତାଡ଼ିବାର । ନିଜେ ନିଜ ଦେହର ଚାକର, ସେତିକି ।

 

ଏକୁଟିଆ ହୋଇ ଅଲଗା ହୋଇ ସମୁଦ୍ର ଢେଉଠୁ ତଣ୍ଟିଆ ଧକା ପେଲା ଖାଇ ମଉଜ କରୁଥିବା ଏହି ଯୁବକଟିର ଏ ସାଇତା ସ୍ୱାସ୍ଥ୍ୟର ଚେହେରା ସେହି ଗୋବିନ୍ଦ ଭାଇକୁ ମନେ ପକାଇ ଦେଉଥାଏ, କାହିଁକି ସେ କଥା ମନେ ପଡ଼ୁଥାଏ ସେ ଜାଣନ୍ତି ନାହିଁ, କିନ୍ତୁ ଲାଗୁଥାଏ ଏ ସେହି ଶ୍ରେଣୀର । ମୁହଁରୁ ଏଇ ଯେଉଁ ଠାଣି, ସେଥିରେ ନାରୀର ଛାଇ ପଡ଼ି ନ ଥିବ, ପଡ଼ିଲେ ସେ ଛାଇ ରହିବ ନାହିଁ । ଆଖିରେ ଏ ଯେଉଁ କୁତୂହଳ, ସେଥିରେ ନାରୀର ନାରୀତ୍ୱ ଲାଗି ସ୍ଥାନ ନାହିଁ । ସେ ଭାବୁଥାନ୍ତି, ଏମାନେ ବିଭା ହୁଅନ୍ତି ନାହିଁ, କେବେ ଭୁଲରେ ବିଭା ହୋଇପଡ଼ିଲେ ୟାଙ୍କ ପାଖେ ସ୍ତ୍ରୀ ଉଧାଏ ନାହିଁ, ଏମାନେ ସନ୍ତାନର ବାପ ହୁଅନ୍ତି ନାହିଁ । ଦେହକୁ ସାଇତି ରଖିଥାନ୍ତି । ଓଜନ ମାପନ୍ତି, ଦେହରେ ଲହୁଣୀ ମାଖନ୍ତି, ତା’ପରେ ଦିନେ ହଠାତ୍‍ କେମିତି କଳ ବିଗିଡ଼ିଯାଏ, କ’ଣ ରଟ୍‍ କରି ଛିଣ୍ଡେ, କ’ଣ ଅଟକିଯାଏ, ତା’ପରେ ଦେହଟା ବି ଯାଏ । ଆପଣା ସ୍ୱାମୀ କଥାକୁ ଉପଲକ୍ଷ ଦେଇ ସେ ଭାବିଲେ, ଏ ଦେହର ସ୍ୱାସ୍ଥ୍ୟ ବି କ’ଣ ଆଉ, ଏ ଜୁଆର ପରି ଆସେ, ଜୁଆର ପରି ପୁଣି ଛାଡ଼ିଯାଏ ।

 

କିନ୍ତୁ ଏ ନୋଳିଆ ଯୁବକଟିର ଗଢ଼ଣ ଭିନେ, ତାକୁ ଚାହିଁ ଭିନେ ଭାବ ଆସୁଛି । ଅନୁମାନରେ ସେ ଅନୁଭବ କଲେ, ଲୁହାପରି ଟାଣ ହୋଇଥିବ ତା’ର ସେ ଡେଙ୍ଗା କସରତିଆ ଦେହ, ଏଇ ଯେଉଁ ଦେହଟାରେ କୌପୁନି ଖଣ୍ଡକ ଛାଡ଼ିଦେଲେ ଆଉ ସବୁ ଫୁଙ୍ଗା ପଡ଼ିଛି, ଖାଲି ଲୁହା ପିଣ୍ଡୁଳା ପରି ଗୋଲ ଗୋଲ ମାଂସ । ପିଚା ଦିଫାଳ ଦିପଟ ଗାଡ଼ୁଆ କରେଇ ପାଖ ପାଖ ହୋଇ ଉଗୁଡ଼ା ହେଲାପରି ଜଙ୍ଘ ଦିଟା ଯେପରିକି ନାନା ଲୁହା ପଟା ଲୁହା ବାଡ଼ି ଲୁହା ଗୁଳି ମିଶି ତିଆରି ହୋଇଥିବା ଦିଟା ବଡ଼ ବଡ଼ ଷଣ୍ଡୁଆସି, ପେଟ ବୋଲି କିଛି ଦିଶୁନାହିଁ, ସମୁଦ୍ରରେ ଡଙ୍ଗା ଓଟାରିବା, ନାହା ବୁଲେଇବା, ମାଛ ମାରିବା ଏହି ସବୁ ଟାଣ ଟାଣ କାମ କରି ସେ ଘୋରି ହୋଇ ହୋଇ ସରିଯାଇଛି । କିନ୍ତୁ ଦମ୍ଭ ଅଣ୍ଟା ଅଛି, ଗୋଲ ଶାଳୁଆ ଖୁଣ୍ଟ ପରି ତା’ ଉପରକୁ ଓଲଟା ଦେଉଳପରି ବଢ଼ି ବଢ଼ିକା ଗଣ୍ଡିଟା, ତା’ ଉପରେ ତା’ର ଓସାର ଛାତି, ସତେକି ଦୁଇପଟେ ତରଳ ଲୁହାର ଢେଉ ଦି’ଟା ଉଠିପଡ଼ି ପୁଣି ଟାଣ ହୋଇଯାଇଛି । ଏ ଦେହ ତା’ର ସଂସାରି ପରିସ୍ଥିତିଠାରୁ ଅଲଗା ହୋଇ ସାଇତି ହୋଇ ବଢ଼ିବାକୁ ତିଆରି ହୋଇନାହିଁ । ତିଆରି ହୋଇଛି ଯେପରିକି ସେ ସେହି ପରିସ୍ଥିତି ସଙ୍ଗରେ ଭିଡ଼ା ଓଟରା ଲଗାଇବ, ବାରମ୍ବାର ଉଠି ଠିଆହୋଇ ପୁଣି ଲାଗୁଥିବ । ଆଉ ଏଇ ଦେହ ଅନାଗତ ଶିଶୁମାନଙ୍କର ଜନକ । ଚିନ୍ତା ନାହିଁ କ’ଣ ହେବ ସେମାନଙ୍କର ଦଶା କି ବୃତ୍ତି । ସେଥିରୁ କିଏ ବଞ୍ଚିବେ କିଏ ମରିବେ । ଦେହରୁ ଦେହ ଉପୁଜିବ, ଗୋଟିକରୁ ଗୋଠ ବଢ଼ିବ, ଗୋଟାଏ ଗଛ ସୁଖୀ ମୁରୁକୁଟି ଗଲାବେଳକୁ ଠିଆ ହୋଇଥିବେ ମୁଥ ମୁଥ ଚାରାଗଛ, ବହଳ, ଛନଛନିଆ ।

 

କଳା ମିଟିମିଟି ଟିକଟିକି ପିଲାଗୁଡ଼ିଏ, କିଏ ଲଙ୍ଗଳା, କିଏ କଉପୁନି ପିନ୍ଧି ସମୁଦ୍ର କୂଳରେ ବୁଲୁଛନ୍ତି, କେଉଁଠି କିଏ ପାଣିରେ ବୁଡ଼ୁଛନ୍ତି । କିଏ ଭିକ ମାଗୁଛି । "ଦିଅ ବାବୁ, ଦିଅ ମା, ଦିଅ ଦିଅ" । କିଏ କହୁଛି "ସମୁଦ୍ରକୁ ପଇସା ଛାଟିଦିଅ ମୁଁ ପାଣିରେ ବୁଡ଼ି ଗୋଟାଇ ଆଣିବି । "କିଏ ପୁଲିଏ ଶାମୁକା ଆଣି ଯାଚୁଛି, ପଇସା ମାଗୁଛି, ଭାଉ ହଳୁଛି ।

 

ବଡ଼ ହେଲେ ଏମାନେ ବି ଏ ନୋଳିଆ ପରି ହେବେ, ଟିପେଇ ଚଢ଼ି ଢେଉ ଉପରେ ନାଚି ନାଚିକା ସମୁଦ୍ରରେ ମାଛ ମାରିବାକୁ କାହିଁ ଦୂରକୁ ଚାଲିଯିବେ, ଆଜୋହୁଁ ତ ପାଣିର ପୋକପରି ହେଲେଣି । କଣ ହେବ ଏମାନଙ୍କ କାମ ? ସମୁଦ୍ରରେ ଜଳ ପକାଇବା, କୂଳରେ ଧାଡ଼ି ହୋଇ ଠିଆହୋଇ ପଢ଼ୋଉ ଡଙ୍ଗାରୁ ଯେଉଁ ଦଉଡ଼ି ସମୁଦ୍ରରୁ କୂଳଯାକେ ଲମ୍ବିଥିବ, ଏକାଠି ସମସ୍ତେ ହାତ ଲଗାଇଦେଲେ ଟାକୁ ଓଟାରି ଓଟାରି ମାଛ ଡଙ୍ଗାକୁ କୂଳକୁ ଆଣିବା, କୂଳ ପାଖେ ପାଖେ ହାଲୁକା ଜଳ ପକାଇ ପକାଇ ମାଛ ଛାଣିନେବା, ସମୁଦ୍ରରେ ବନ୍‍ସୀ ପକାଇବା, ମାଛକୁ ଶୁଖାଇ ଶୁଖୁଆ କରିବା, ମାଛ ବିକି ପଇସା ଆଣି ପଇସା ହେଲେ ସୁନା କିଣି ଘରେ ପୋତିବା, ଦେଖା କଥା, ଶୁଣା କଥାମାନ, ଏଇଆ ତ ?

 

ଏମାନେ କୁଆଡ଼େ ମଦ ଖାଆନ୍ତି, କଜିଆ ବି ଲାଗିଯାଏ ଘମାଘୋଟ, ହୋଇ ତ କାଲି ସଞ୍ଜରେ ଲାଗିଯାଇଥିଲା, ଭାଇରେ ଭାଇରେ ପଞ୍ଝା ପଞ୍ଝା ହୋଇ ଲଢ଼ାଲଢ଼ି, ସେ କଜିଆ ବି ତୁଟିଯାଏ ।

 

ଏଇ ସ୍ୱାସ୍ଥ୍ୟମନ୍ତ ବାପର ପୁଅ ଯଦି ଜନ୍ମ ହୁଅନ୍ତେ ବଡ଼ ସହରର ଧୋବଧାଉଳିଆ ପାଠପଢ଼ା ସମାଜ ଭିତରେ, ଏମିତି ଜୀବନ ଛଳଛଳ ସ୍ୱାସ୍ଥ୍ୟ ଆଉ ବଳ, ତହିଁରେ ସଫାସୁତୁରା, ସଫା ଲୁଗାପଟା, ବନ୍ଧା ରୁଚିରେ କଥାଭାଷା, ବ୍ୟବହାର, କ’ଣ ହୁଅନ୍ତେ ସେମାନେ ।

 

ପୁଣି ଆପଣା କଥା ମନେପଡ଼ୁଛି, ପିଲା ଜଞ୍ଜାଳ ନାହିଁ, ପିଲା ମୂତରେ ବିଛଣା ଓଦା ହେଉନାହିଁ । ସୁସ୍ଥି ନିଦ, ଅତି ସୁସ୍ଥି । କେମିତି ଲାଗେ ଆର ପ୍ରକାରଟା ? ଆପଣାର ପିଲାଦିନ ମନେ ପଡ଼ିଗଲା । ଗୋଟିଏ ପୁରୁଣା ମସିଆ ଶେଜ ତଳେ ସାନ ସାନ ହୋଇ ସାତଟି ଦେହ, ତା ଏକରେ ଆଉ ଜଣେ, ତ ସେକରେ ଆଉ ଜଣେ । ପାଣିଚିଆ ଉଷୁମିଳିଆ, ନାନା ଗନ୍ଧ ମିଶି ସେହି ଗୋଟାଏ ପ୍ରକାର ଗନ୍ଧ ସବୁ ଦିନର ଚିହ୍ନା, ମନେ ପକାଇଦିଏ, ଏକାଠି କୁଙ୍କିରିକାଙ୍କିର, ଛନ୍ଦାଛନ୍ଦି ହୋଇ ଉଷୁମ ହୋଇ ପରିବାରଟିଏ । ଶେଯ ଯେତେବେଳେ କରେକେ ଟେକିହୋଇ ଯାଇଥାଏ, ପଦାରୁ ପବନ ଟିକିଏ ଦେହରେ ବାଜେ, ନିଦ ଭାଙ୍ଗିଯାଏ, ଏଠି ସେଠି ଅରାଏ ଅରାଏ ଓଦା ଓଦା ହୋଇ ବାରିହୁଏ ସେତେବେଳେ, ଗନ୍ଧ ବାରିହୁଏ, ଚହଳ ପଡ଼େ ।

 

ଆଉ ମନେ ପଡ଼ୁଛନ୍ତି ସେମାନେ, ଚିହ୍ନାର ଜଣାର, କେତେ ଅଚିହ୍ନା ପଛେ ପଛେ ଗୁଡ଼ିରି ଗାଡ଼ିରି ଗୋଠ । ତୁଣ୍ଡେ ତୁଣ୍ଡେ କେତେ ଅଭିଯୋଗ,––'‘ଓଃ ! କେଣ୍ଟା କେଣ୍ଟା କରି ଖାଇଗଲେ ମଣିଷକୁ !" କିନ୍ତୁ ସେହି କ୍ଳାନ୍ତି ବ୍ୟସ୍ତତା ଆଉ ଆକୁଳତା ସେକରେ ଶୁଖିଲା ମୁହଁରେ ଗାଡ଼ୁଆ ଆଖିରେ ଝଟକି ଉଠେ ଗୋଟାଏ ଚାହାଣି, ମନେ ପଡ଼ିଲେ ସେ ଉଦାସ ହୋଇ ମୁଣ୍ଡ ନୁଆଁଇ ଦିଅନ୍ତି-

 

ତାଙ୍କର ତ ସେହି ଗୋଟିଏ, ସେ ଆଉ ଜନ୍ମ କରିବେ ନାହିଁ । ଆପଣା ଭିତରୁ କାରୁଣ୍ୟର ଯେଉଁ ଛବି ଉଠି ଆସୁଥିଲା ସେ ସତେକି ତାଙ୍କ ଚାରିପାଖେ ବିଛେଇ ହୋଇ ଯାଉଛି, ଆକାଶକୁ ଉଠିଗଲାଣି, ସେଠି ସେ ଝୁଲୁଛି ।

 

ଭାବୁ ଭାବୁ ସେ ବି କେତେବେଳେ ଏ ଦେହ ଛାଡ଼ିଦେଇ ଆକାଶକୁ ଉଠିଗଲାଣି । କେତେ କିଏ ଏ ସମୁଦ୍ର କୂଳକୁ ଆସିଥିଲେ ଏବେ ଏଠି ନାହାନ୍ତି । ସେହି ନୋଳିଆଟି କେତେବେଳୁ କୁଆଡ଼େ ଗଲାଣି ।

 

ହଠାତ୍‍ କାନ୍ତିମୟୀ ଅନୁଭବ କଲେ ଯେ ସୂର୍ଯ୍ୟ ଅସ୍ତ ହେଉଛି ଓ ସେ ଏକୁଟିଆ ବସି ବସି ସୂର୍ଯ୍ୟାସ୍ତ ଦେଖୁଛନ୍ତି । ତାଙ୍କୁ ଲାଗିଲା ଯେପରିକି ସେ ଏପରିଭାବେ ଆଉ କେବେ ସୂର୍ଯ୍ୟାସ୍ତ ଦେଖି ନ ଥିଲେ, ଯେପରିକି ଏ ସୂର୍ଯ୍ୟାସ୍ତ ସହିତ ସେ ନିଜେ ଏକ ଓ ଅଭିନ୍ନ । ଏ ତାଙ୍କର ଗୋଟିଏ ବିଚିତ୍ର ଅନୁଭୂତି, ଜୀବନର ଏତେ ଅନୁଭୂତିର ଗତାଗତ ଭିତରେ ଏପରି ବାରୁଣୀଯୋଗ ଯେପରିକି ଆଉ କେବେ ଆସି ନଥିଲା । ତା’ ମନକୁମନ ଆସିଯାଇଛି । ନୂଆ ଦୃଷ୍ଟିରେ ଦିଶିଯାଉଛି, ସବୁ କଅଁଳ ମିଶାମିଶି ଆଉ ଘେନାଘେନି, କିଛି କାହାରିଠୁଁ ଛିଣ୍ଡିନାହିଁ । ଏଠି ପାଣିଦାଢ଼ରେ ବାଳିଗାରରେ ଗଢ଼ଣରେ କର୍କଶ ଦାଢ଼ ନାହିଁ, ପାଣିରେ ବାଲିର ବିସ୍ତୃତି ମିଶି ଯାଇଛି, ବାଲିରେ ପାଣିର ବିସ୍ତୃତି । ଅତି ଆପଣାର ଚିହ୍ନାର ଜଣାର ହୋଇ ଏ ବାଲିବନ୍ତା, ଏଠି ପାଣିଗୋଳା ବାଲିର କାଚଦର୍ପଣରେ ଗୋଲାପି ସୂର୍ଯ୍ୟାସ୍ତ ଫୁଟିଛି । ପୂର୍ବରୁ ପଶ୍ଚିମଯାକେ ଦିଗ୍‍ବଳୟ ଉପରେ ନେଳି ସମୁଦ୍ରର ଦାଢ଼ ଉପରେ ଧନୁପାରି ହୋଇ ଲମ୍ବି ରହିଛି ସେହି ବିସ୍ମୟକର ନାଲିଚା ଗୋଲାପି ଆଭା । ସେ ଗୋଟିଏ ବିରାଟ ଧନୁ, ସମୁଦ୍ରକୁ ବେଢ଼ି ଧରିଛି । ତାହାରି ମଝିରେ ଶୋଇ ରହି ଇନ୍ଦ୍ରନୀଳବର୍ଣ୍ଣର ମହାସମୁଦ୍ର ହାଉଲେ ହାଉଲେ କର ଲେଉଟାଉଛି, ତାରି ପଶ୍ଚିମ କଣରେ ଗୋଟାଏ ପ୍ରକାଣ୍ଡ ନାଲି ପିଣ୍ଡୁଳା ଧୀରେ ଧୀରେ ପାଣିକି ଖସୁଛି, ଯେପରିକି ଚାରିଆଡ଼ୁ ସବୁ ଆଲୁଅ ଓଟାରିନେଇ ସେ ତଳକୁ ତଳକୁ ଚାଲିଯାଉଛି ।

 

ସେହି ପଶ୍ଚିମ ଆକାଶରେ ଦିଗ୍‍ବଳୟଠାରୁ ଖଣ୍ଡେ ଉଞ୍ଚରେ ବହଳ କଳାମେଘ ଲାଗିରହିଛି । ସୂର୍ଯ୍ୟ ଯେତିକି ଯେତିକି ତଳକୁ ତଳକୁ ଖସୁଛି ସେତିକି ସେ କଳାମେଘର ଧଡ଼ିରେ ଜଳନ୍ତା ରୁପାପରି ଆଲୁଅ ଖେଳୁଛି, ସୁର୍ଯ୍ୟ ସେ ମେଘ ଉଢ଼ୁଆଳରେ ଲୁଚିଗଲାକ୍ଷଣି ମେଘର ଧଡ଼ି ଆହୁରି ତେଜି ହୋଇ ଜଳୁଛି, ପୁଣି ସେ ସୂର୍ଯ୍ୟ ସେ ମେଘତଳକୁ ଖସି ପଡ଼ିଲାଣି, ଏଥର ସମୁଦ୍ରରେ ପଶିବ । କଳା ମେଘରେ ଚହଟିଯାଉଛି ନାଲି ନିଆଁ, ମେଘରେ ନିଆଁ ଲାଗିଲାପରି ନାନା କଣରେ ନାଲି ଚହଟୁଛି, କମଳାଲେମ୍ବୁ ରଙ୍ଗର ନିଆଁ, ପୁଣି ଇଟାବର୍ଣ୍ଣର–ନିଆଁ, ନିଆଁ, କଳା ଅନ୍ଧାର ଜଳିଯାଉଛି । ତାହାରି ତଳେ ତଳେ ସେହି ବଡ଼ ନାଲି ପିଣ୍ଡୁଳାଟା ପାଣିକି ଖସୁଛି, ପାଣିଠୁ ଛାଡ଼ିକି କାହିଁ ହାତେ କି ଚାଖଣ୍ଡେ, ତାଠୁ ନାଲିରଙ୍ଗ ପାଣିକୁ ବୋହି ପଡ଼ୁଛି, ଅରାଏ ପାଣି ନାଲି ହୋଇଗଲାଣି । ଏଥର ସେ ପାଣିକୁ ଛୁଇଁଲାଣି, ଏଥର ସେ ଗୋଟାଏ ଉଗୁଡ଼ା ହୋଇଥିବା ଜଳନ୍ତା ହାଣ୍ଡି । ପୁଣି ବଦଳିଲାଣି । ଆଗ ତା’ର ଉପରର ଗୋଲେଇ ଚଟା ହୋଇଗଲା, ସିଧାସଳଖ ଚଟା, ତା’ ପରେ ତା’ ତଳକୁତଳ ସେହିପରି ଚଟା ହୋଇଗଲା, ତଳର ହାଣ୍ଡି ମୁହଁ ଆହୁରି ଓସାରିଆ ହୋଇଯାଉଛି । ଚାହୁଁଚାହୁଁ ଚଟା ଅଗର ଦି' କରେ ଯେପରି ଯୋଡ଼ିଏ ସାନ ସାନ କାନ ଗଜୁରିଲା । ତା’ ପରେ ସେ ହୋଇଗଲା ଗୋଟିଏ ଦେଉଳ, ଆଉ ଏଥର ସେ ଧୀରେ ଧୀରେ ପାଣିରେ ବୁଡ଼ିଯାଉଛି, ଏତେବଡ଼ ସୀମାହୀନ ଆକାଶ ତଳେ ସମୁଦ୍ରର ବିରାଟ ବିସ୍ତୃତ କୋଣରେ ଟିକିଏ ନାଲି ବିନ୍ଦୁ ।

 

ଗଲା ସେ ବି ବୁଡ଼ିଗଲା !

 

କାନ୍ତିମୟୀ ଦେଖୁଥିଲେ ।

 

ପଛକୁପଛ ହୋଇ ନାନା ଉଚ୍ଚାତାର ନାନା ପତ୍ତନରେ ଲାଗି ଲାଗିରହିଛି ବାଲିବନ୍ତ । ତା’ ସେକରେ ସହରର ଘର, ଗଛ, ସବୁଠୁଁ ଉପରକୁ ଦିଶୁଛି ଜଗନ୍ନାଥ ଦେଉଳ, ନିଭି ଆସୁଥିବା ଦିଗ୍‍ବଳୟରେ କେବଳ ସେହି ମନ୍ଦିର ହିଁ ଏକମାତ୍ର ବ୍ୟକ୍ତିତ୍ୱ ହୋଇ ଠିଆହୋଇ ରହିଛି, ତା’ ଉଚ୍ଚତାର ତୁଳନାରେ ବାକି ସବୁ କେଡ଼େ ସାନ, ମଣିଷତ ମନ୍ଦାମନ୍ଦା ପିମ୍ପୁଡ଼ି ପରି ।

 

ପଶ୍ଚିମ ଆକାଶରେ ନିଆଁ ଲାଗିଥିଲା, ଧୀରେ ଧୀରେ ନିଆଁ ବି ନିଭି ନିଭି ଆସିଲାଣି । ପୂର୍ବଆଡ଼େ ଦିଗ୍‍ବଳୟରେ ଧଳା କୁହୁଡ଼ି ଘୋଟିଛି । ସମୁଦ୍ରଆଡ଼େ ପୂର୍ବରୁ ପଶ୍ଚିମକୁ ଯେଉଁ ବିରାଟ ଧନୁ ଦିଗ୍‍ବଳୟ ହୋଇଛି, ତା’ ତଳେ ପଟିଏ କସରା ବର୍ଣ୍ଣ ଲିପା ହୋଇଛି, ତା’ ଉପରେ ବୁନ୍ଦାବୁନ୍ଦା ହୋଇ ନାରଙ୍ଗୀ ଓ ସିନ୍ଦୂରା । ପୂର୍ବରୁ ପଶ୍ଚିମଆଡ଼କୁ ଧନୁଏ ଧନୁଏ ଅନ୍ଧାର ଚରି ଯାଉଛି, ତା’ ସହିତ ଚରି ଯାଉଛି ନିରାଶା । ସୂର୍ଯ୍ୟ ବୁଡ଼ିଗଲା ପରେ ଆକାଶରୁ ସମୁଦ୍ର ଭିତରକୁ ସିଧାସଳଖେ ଆଲୁଅ ଝରିପଡ଼ୁଛି । ଗୋଟାଏ ପ୍ରକାଶ ଶେଷ ହେଲା, ଗୋଟାଏ ପର୍ବର ଉଜୁଆଁ ସରିଗଲା, ଏହାପରେ ପୁଣି ଆଉ ଗୋଟାଏ, ଆକାଶ ଅନ୍ଧାର ପଡ଼ି ଅସିଲାବେଳକୁ ତଳଟା ଚେଇଁ ଉଠିଲା, ଯେପରିକି ବହଳ ନେଳିପାଣି ତଳେ ଗହୀରରେ କେଉଁଠି ନୂଆ ଆଲୁଅ ଜଳୁଛି, ପାଣି ଉପରକୁ ତାହାରି ଧାସ ଚହଟିଛି । ସମୁଦ୍ର ହେଲାଣି ନେଳି କାଚର ଚାଦର, ସେ ହଠାତ୍‍ ଫଡ଼୍‍ଫଡ଼୍‍ ହୋଇ ଗୁରେଇ ହୋଇଯାଉଛି, ନେଳି କାଚ ମୋଡ଼ି ମୋଡ଼ି ହୋଇ ଚୂନା ହୋଇ ହୋଇଯାଉଛି, ଅତି ଧଳା କୁହୁଡ଼ି ସତେକି ଏମୁଣ୍ଡୁ ସେମୁଣ୍ଡ ଏକାଧାଡ଼ିକେ ଧଳା ଆଲୁଅର ଲହଡ଼ି ହୋଇଯାଉଛି, ତା’ ଏକରେ ଓସାର ହୋଇ ସମାନ ପତ୍ତନରେ ନେଳି କାଚର ଚାଦର, ତା’ ଏପାଖେ ପୁଣି ଗୋଟାଏ ଧଳାଗାର, ତା’ ଏପାଖେ ପାଣି ଜକଜକ ସିଲଟପଟା ଚେନାଏଁ, ତା’ ଏପାଖରେ ଗୋଟିଏ ଅତି ସରୁ ଧଳା ଲହଡ଼ି କୂଳର ଚୂନାଚୂନା ବାଲିକୁ ସାପ ଗୁରେଇ ପକେଇଲାପରି ଗୁରେଇ ଗୋଟେଇ ପକାଉଛି, ସଙ୍ଗେ ସଙ୍ଗେ ବାଲିର ସରସର ଝଣଝଣ, ଯେପରିକି କାହା ହାତର ଚୁଡ଼ି କାଚ ଝଣଝଣେଇ ଉଠୁଛି ।

 

କାନ୍ତିମୟୀ ତନ୍ମୟ ହୋଇ ଅନାଇ ଦେଖୁଥିଲେ, କେତେ ବର୍ଷ ପରେ ଏମିତି ସେ ଆଜି ଆଖିବାଟେ । ପଦାକୁ ଦେଖୁଛନ୍ତି । ଆଖିରେ ଦେଖା ହୋଇଛି, ବହୁତ କିନ୍ତୁ ସେ ଦେଖିବାର ଅନ୍ତରାଳରେ ଥିଲା ଆପଣା ଭାବନାର ରଙ୍ଗ, କେଉଁ ଇଛା, କେଉଁ ଯୁକ୍ତି, କେଉଁ ମତ, ଏମିତି ଭଉଁରିରେ ପଡ଼ି କିଛି ଚିନ୍ତା କରୁ କରୁ ସେହି ଚିନ୍ତାର ପତ୍ତନରୁ ମୁହଁ ଟେକି ଆପଣା ଭାବନାରେ ଜରଜର ହୋଇଥିବା ଦୃଷ୍ଟିରେ ସେ ବାହାରରେ ପୃଥିବୀକୁ ଅନାଇଛନ୍ତି, ଆପଣା ମନ ଖୁସି ଥିଲେ କଳା ଅନ୍ଧାର ରାତି ବି ତାରା ମଣ୍ଡି ହୋଇ ଦିଶିଛି, ଆପଣା ମନ ଦୁଃଖ ଥିଲେ ଜହ୍ନରାତି ବି ଦିଶିଛି କାନ୍ଦୁରା, ଲାଗିଛି କିରଣ ନୁହେଁ ସେ ତାରା ଦୀର୍ଘଶ୍ୱାସ । କାହିଁ କେବର କଥା ସେ ଯେତେବେଳେ ମନଭିତରୁ ରଙ୍ଗ କାଢ଼ି ଆଖିରେ ଲଗାଇ ପଦାକୁ ଚାହିଁବା ପରିବର୍ତ୍ତେ ପଦାକୁ ଅନାଇ ପଦାରୁ ରଙ୍ଗ ନେଇ ସେ ମନରେ ବୋଳୁଥିଲେ ।

 

ହଁ ଥିଲା ସେ ବେଳ । ସେତେବେଳେ ଆକାଶ କେଡ଼େ ସଫା ଥିଲା, ଘାସ କେଡ଼େ ଶାଗୁଆ ଥିଲା, ଅନାବନା ଲଟା ବି କେଡ଼େ ସୁନ୍ଦର ଥିଲା, ଦିଶୁଥିଲା, ସେଥିରେ ପେନ୍ଥି ପେନ୍ଥି ଫୁଲ-। ସେତେବେଳେ ଦିଶୁଥିଲା, ଢଳିଲା ଖରାତଳେ ଶୋଇଥାଏ ଲମ୍ବା ଲମ୍ବା ଛାଇ, କେଡ଼େ ବିଚିତ୍ର ସେ-! ସେତେବେଳେ ଆକାଶରେ ପହଁରି ପହଁରି ପଛକୁ ପଛ ହୋଇ ଚଢ଼େଇ ଉଡ଼ିଯାଉଥିଲେ, କାହିଁ ଗଲେ ସେମାନେ !

 

ସେହି ହଜିଲା ଯୁଗ ଯେପରିକି ସ୍ମରଣ ଭିତରକୁ ଲେଉଟି ଆସିଛି । ସେତେବେଳେ କେଉଁ ଅଧପଢ଼ା ବହିଟି କେଉଁ ପୃଷ୍ଠାରେ ଖୋଲା ହୋଇ ଥୁଆ ହୋଇଥିଲା, ପୁଣି ସେହି ପୃଷ୍ଠାରେ ଦୃଷ୍ଟି ପଡ଼ିଯାଇଛି ।

 

ମଝିରେ ଏହି ଯେତେ ବେଳ ଗଲା, ସେ ଖାଲି କଥାକୁ ନଥା, ଅଳଙ୍କାରକୁ ଖୋଳ ଭିତରେ ଥୋଇ ଯେଉଁ ତୁଳା କି କାଗଜ ସେ ଖୋଳ ଭିତରେ ଭର୍ତ୍ତି କରି ରଖାଯାଏ, କେବଳ ସେତିକି ।

 

ଦୂରରେ ସହରର କିଛି କିଛି ଦିଶିଯାଉଛି । ସମୁଦ୍ରଠୁଁ ଟିକିଏ ଛାଡ଼ି ସିଧା ହୋଇଛି ଦିଗବାରଣ ଖୁଣ୍ଟ । ବାଁ ପାଖେ ସମୁଦ୍ର, ଡାହାଣପାଖେ ଦୂରରେ ରେଳ ଷ୍ଟେସନରୁ ଧୂଆଁ ଉଠୁଛି । ମାଛି ଅନ୍ଧାର ବଢ଼ି ବଢ଼ି ଚାଲିଛି ।

 

ଏଣିକି କି ମଣିଷ କି ଜନ୍ତୁ ଅନ୍ଧାର ଅବୟବରେହିଁ ସବୁରି ପ୍ରକାଶ । ଫାଙ୍କା ଆକାଶ ତଳେ ଫମ୍ପା ବିସ୍ତୃତି । ତାହାର ମଝିରେ ନାନା ଆକାର ଧରିଛି ଅନ୍ଧାର, କେଉଁ ଗୋଟାକ ମଣିଷ କେଉଁଟା ଗଛ କେଉଁଟା ଅବା ଡଙ୍ଗା । ଅନ୍ଧାର ଛବିମାନ ହଲୁଛି, ଚାଲିଛି, ଅତି ସ୍ପଷ୍ଟ ହୋଇ ତା’ର ଧଡ଼ି ବାରି ହୋଇପଡ଼ୁଛି । ଦଳ ଦଳ ହୋଇ ତା’ ପଛକୁ ତା’ପଛ ହୋଇ ସମୁଦ୍ର କୂଳେ କୂଳେ ଏହି ଅନ୍ଧାର ରୂପମାନେ ସତେ ଅବା ଶୂନ୍ୟେ ଶୂନ୍ୟେ ଭାସି ଭାସି ଚାଲିଯାଉଛନ୍ତି । ବାଲିବନ୍ତ ସେକରେ ସେମାନଙ୍କ ଅଣ୍ଟାରୁ ତଳକୁ ଦିଶୁନାହିଁ, ଖାଲି ଅଵୟକ, ଖାଲି ଗତି । କିଏ ପିନ୍ଧୁଛି କୋଟ, କାହା ଦେହ ଖାଲି, କାହାର ଶାଢ଼ି, କାହାର କାମିଜ, କାହା ହାତରେ ଜାଲ, କିଏ ଓହଳାଇଛି ଫଟୋ କ୍ୟାମେରା । ସମସ୍ତେ ଖଳି ଅନ୍ଧାରର ଭିନେ ଭିନେ ରୂପ, ନାଁ ନାହିଁ, ଜାତି ନାହିଁ, ଦେଶ କି ଭାଷାର ବିଭେଦ ନାହିଁ ।

 

କାନ୍ତିମୟୀ ଭାବୁଥିଲେ, ଏମିତି ମଣିଷ ଆସେ, ଏମିତି ଚାଲିଯାଏ, ଆସିବା ଆଉ ଯିବା ସମସ୍ତିଙ୍କର ସମାନ, ଭିନେ କେବଳ ଥିବାତକ । ଗେରୁଆପିନ୍ଧା ବାବାଜି, ଲେଙ୍ଗୁଟିମରା କେଉଟ, କୋଟ୍‍ପ୍ୟାଣ୍ଟ୍‍ ପିନ୍ଧା ବାବୁ ଏମାନଙ୍କ ଭିତରେ ଏତେ ଭାଇଆଳି ସାମଞ୍ଜସ୍ୟ ଅଛି ସେ ଆଉ କେବେ ଭାବି ନ ଥିଲେ । ସତେକି ଘଡ଼ଘଡ଼ି ମାରିଛି, ଝକ୍‍କରି ମାରିଦେଇ ବିଜୁଳି ନୂଆ ଦୃଶ୍ୟ ଦେଖାଇଛି, ଖାଲି ବ୍ୟାପ୍ତି, ଉପରେ ଆଉ ତଳେ, ତାହାରି ଭିତରେ ମଣିଷ । ସେ ଏକାପରି ।

 

ଆଜି ସେ ଜୀବନର ସର୍ବବ୍ୟାପି ରୂପ ଦେଖି ଆସିଛନ୍ତି, ମନରେ କ୍ଳାନ୍ତି ନାହିଁ, ଦୁଃଖ ନାହିଁ, କାହାରି ଉପରେ ଅଭିମାନ ନାହିଁ, କେଉଁ କଥାକୁ କ୍ଷୋଭ ନାହିଁ ।

 

ଜହ୍ନ ଉଇଁବା ଆଗରୁ ସେ ହୋଟଲରେ ପହଞ୍ଚି ସାରିଥିଲେ । ତା’ପରେ ହୋଟେଲ୍‍ର ଦୋମହଲା ଉପରୁ ସେ ଜହ୍ନ ଝଲମଲ ସମୁଦ୍ରକୁ ଅନାଇଁ ରହିଥିଲେ, ସତେ ଯେପରି ସେ ଏ ଜହ୍ନକୁ ଖାଇବସୁଛନ୍ତି, ଖାଉ ଖାଉ ଆଉସବୁ ଭୁଲି ହୋଇ ଯାଉଛି । ଲାଗୁଛି ଜୀବନର ସୁଆଦ ୟେ, ଜହ୍ନକୁ ଖାଇବା, ଅସ୍ତ ଯାଉଥିବା ସୂର୍ଯ୍ୟକୁ ଖାଇବା, ଚନ୍ଦ୍ର କିରଣକୁ ନିଶ୍ୱାସ ପରି ଆପଣା ଭିତରକୁ ଟାଣିନେବା, ପାଣି ପବନ ଆଲୁଅକୁ ଖାଇବା । ଭାତ ଡାଲି ଖାଇବା ଧାରଣାର ଲାଭଲୋକସାଣର ଦୁନିଆ କାହିଁ କେଉଁ ତଳେ ପଡ଼ି ରହିଛି, ମନ ଉଡ଼ିଉଡ଼ି ଚାଲିଛି ଉପରକୁ ଉପରକୁ ।

 

ସେତିକିବେଳେ ସେ ଦେଖୁଥିଲେ ଅଇଁଠୁ ସାମନ୍ତସିଂହାର ସଙ୍ଗରେ ତାଙ୍କ ଝିଅ ଫେରିଆସୁଛି । ତାଙ୍କ ପଛେ ପଛେ ଆହୁରି କେତେ ଯୁବକ ଯୁବତୀ କଥା ଗପି ଗପି ହୋଟେଲ୍‍ କୋଠା ଦୁଆର ମୁହଁଆଡ଼କୁ ଆସୁଛନ୍ତି । ଅତି ସ୍ୱାଭାବିକ ଲାଗିଲା ଏ ଦୃଶ୍ୟ, କିଛି ବଳକା କୁତୂହଳ ବି ହେଲାନାହିଁ, ଦୃଷ୍ଟିରେ ପଡ଼ିଥିଲା, ଖାଲି ସେତିକି । ସେ ଜହ୍ନକୁ ଅନାଇଁ ରହିଲେ । ସମୁଦ୍ର ସତେକି କଳା ଦର୍ପଣ । ଜହ୍ନ ତା’ ମୁହଁ ଦେଖୁଛି । ଧୋବଲା ବାଲିତଣ୍ଡା କେଡ଼େ ନିର୍ଜନ ଆଉ ସୁନ୍ଦର ଦିଶୁଛି ।

 

ଲାଗୁଛି, ତା’ର ସେ ଅବସ୍ଥିତ ଖାଲି ତାଙ୍କ ଆପଣା ଜୀବନରେ ନିଭୃତ ଗୋପନ କଥାସବୁ ମନେ ପକାଇଦେବାକୁ, ସ୍ମରଣ କଲେ ବି ଚାଇଁଚାଇଁ ଲାଗେ । ସୁନ୍ଦର ଦିଶିଥିଲା ସୂର୍ଯ୍ୟାସ୍ତ, ସେ ନିଭିଗଲା । କିନ୍ତୁ ଏଇ ସୁନ୍ଦର ଜହ୍ନ ବି ସେହି ସୂର୍ଯ୍ୟର ହିଁ ସତେକି ଆହୁରି ଗୋଟିଏ ପ୍ରକାଶ, ରୂପ ବଦଳାଇଛି ।

 

ଚାହୁଁଚାହୁଁ ମନଭିତର ପହ୍ନେଇ ଉଠୁଛି । ସତେ ଯେପରି ନିଜେ ବାଛୁରୀ ପ୍ରତୀକ୍ଷାରେ ଗାଈ । ଜଗତଯାକର ମଙ୍ଗଳ କରିବା ପାଇଁ କ୍ଷୀର ବୋହି ଯାଉଛି ।

 

ହୃଦୟରେ ଯୁଆରପରି ଉଛୁଳୁଛି ତ୍ୟାଗର ଆବେଗ । ଆପଣାର ସବୁ ଆଣ୍ଟ ଛାଡ଼ିଦେଇ ସେ ଏହି ଜହ୍ନ ଝଲଝଲ ସମୁଦ୍ରରେ ମିଶି ଯାଆନ୍ତେ କି ! ଯେମିତି ମନେମନେ ସେ ମିଶିଯାଇଥିଲେ ସୂର୍ଯ୍ୟାସ୍ତ ବେଳର ଚିତାଗ୍ନିପରି ନାଲି ଧାସରେ, ମିଶିଯାଇ ବୁଡ଼ି ଯାଇଥିଲେ, ହଜି ଯାଇଥିଲେ, ଅନୁଭବ କରିଥିଲେ–ଆପଣାଠିଁ ଆଉ କିଛି ନାହିଁ । ଜହ୍ନ ଆଲୁଅରେ ସମୁଦ୍ରକୂଳର ଆଶ୍ଚର୍ଯ୍ୟ ବାଲି ନାସି ସେପାରି ଆଲୁଅସମୁଦ୍ରକୁ ଆଉ ତା’ ସେକରର ବିସ୍ମୟକର ଅନ୍ଧାରି ବିସ୍ତୃତି ଅନାଉଁ ଅନାଉଁ ସେ ସେହି ତ୍ୟାଗରେ ତ୍ୟାଗରେ ମିଶି ଯାଉଥିଲେ, ଲାଗୁଥିଲା ଆପଣା ଭିତରେ ବି ଅଛି ନିର୍ମଳ ଉଦାର ଓ ପ୍ରଶସ୍ତ ହୋଇ ମନର ଆକାଶ, ସେଠି ଚିନ୍ତା ଆତ୍ମାମୟ, ତା’ର ସବୁଠିଁ ଆନନ୍ଦ, ଭିତରେ ଆଉ ବାହାରେ । ସେହି ଆନନ୍ଦ ଭିତରେ ଉଇଁ ଉଠି ଖାପିଗଲା ଅଇଁଠୁ ସାମନ୍ତସିଂହାର, ଆଉ ଛଳନା, ଆଉ ଉଭାହେଲା ଜଗନ୍ନାଥ ମନ୍ଦିର, ଆର ପାଖେ ମହୋଦଧି ଉଛୁଳୁଛି, ସମୁଦ୍ର ଉପରେ ଦିନର ରାତିର ଆଉ ଋତୁମାନଙ୍କର ବର୍ଣ୍ଣବର୍ଣ୍ଣର ପ୍ରକାଶ ଆସି ଚାଲିଗଲା ପରି ସବୁ ଇତିହାସ ଭାସି ଭାସି ଚାଲିଯାଉଛି, ଉଦାର ଉନ୍ମୁକ୍ତ ହୋଇ ରହିଛି ଅଖଣ୍ଡ ଜୀବନ ଆଉ ଆନନ୍ଦ–ରହିଛି ।

 

ଛଳନାକୁ ବି ସୂର୍ଯ୍ୟାସ୍ତ ଡାକି ନେଇଥିଲା, ସଙ୍ଗରେ ଅଇଁଠୁ ସାମନ୍ତସିଂହାର । ବାପା ବୋଉ କତିରେ ନାହାନ୍ତି, ସେମାନେ ଦିଶୁ ନାହାନ୍ତି ବି ଆଉ, ସମୁଦ୍ରକୂଳରେ ଏହି ଯେତେଯେତେ ଯୁବକ ଯୁବତୀ ପାଖକୁ ପାଖ ହୋଇ ହସଖୁସିରେ ବୁଲୁଛନ୍ତି ତାଙ୍କର ଭିତରେ ସେ ଦୁହେଁ ବି ଦି’ ଜଣ-। ଚାଲିଛନ୍ତି ଆଗକୁ ଆଗକୁ । ବାଲି ଉପରେ ସ୍ଥାନେ ସ୍ଥାନେ ଜାଲସବୁ ଗଦା ହୋଇଛି ସ୍ଥାନେ ସ୍ଥାନେ ଧାଡ଼ିଧାଡ଼ି ହୋଇ ତିନିଫାଳିଆ ହୁଲି ଡଙ୍ଗାମାନଙ୍କର ଫାଳ ଫାଳ କାଠ ଲମ୍ବେ ଲମ୍ବ ହୋଇ ପଡ଼ିଛି, ସତେ ଅବା ଶଙ୍ଖୁଆ କିମ୍ଭୀର ମାଳମାଳ । ବାଲିରେ କେଉଁଠି ମନ୍ଦାମନ୍ଦା ମଣିଷ, କେଉଁଠି ସେମାନେ ଏକା ପରିବାରର, କେଉଁଠି ଗୋଟିଏ ଗୋଟିଏ ଦଳର, କିନ୍ତୁ ଆହୁରି ଆଗରେ, ଯେଉଁଠି ପରସ୍ପର ପରସ୍ପରକୁ ବେଶି ମାଡ଼ିମାଡ଼ି ପଡ଼ନ୍ତି ସେଠି ଗହଳି ପାତଳ ପଡ଼ି ପଡ଼ି ଯାଇଛି, ତା’ ତେଣିକି ମଣିଷ ଊଣା, ଜଣିକିଆ ଦି’ଜଣିକିଆ ।

 

ସେହି ଆଗକୁ ଯିବାକୁ ସୂର୍ଯ୍ୟାସ୍ତ ଛଳନାକୁ ଡାକି ନେଉଛି । ଦୂରରେ ସେଠି ଅସ୍ତସୂର୍ଯ୍ୟ ଜାହାଜ ରୂପ ହୋଇ ବୁଡ଼ି ନ ଯାଉଣୁ ତାହାରି ପାଇଁ ସତେକି ଅପେକ୍ଷା କରିଛି । ଚଞ୍ଚଳ ଦୂରକୁ ଚାଲିଯିବାକୁ ପଡ଼ିବ, ତର ସହୁନାହିଁ । ତାକୁ ହାଲୁକା ଲାଗୁଛି, ସତେ ଯେମିତି ସେ ଚାଲୁନାହିଁ, ଉଡ଼ୁଛି । ଆହୁରି ଚଞ୍ଚଳ ଧାଇଁ ଯାଆନ୍ତା । ଖାଲି ସେହି ସୂର୍ଯ୍ୟାସ୍ତଆଡ଼କୁ । ଖାଲି ଗହଳି ନୁହେଁ, ମଣିଷଠୁଁ ଦୂରକୁ ଦୂରକୁ, ଯେଉଁଠି ମଣିଷର ଛାଇ ପଡ଼ନ୍ତା ନାହିଁ । ଖାଲି ଏହି ସୂର୍ଯ୍ୟାସ୍ତରେ ରଙ୍ଗ ରଙ୍ଗବାଲି, ଆଉ ଦୂରରେ କେଉଁ ଝାଉଁବଣର ଅସ୍ପଷ୍ଟ ଛବି ଆଖି ଆଗରେ କୁହୁଡ଼ି ଗୋଳିହୋଇ ଭାସୁଥାନ୍ତା, ପାଖକୁ ଆସନ୍ତା ନାହିଁ । ଯୋଡ଼ିଏ ହରିଣ ହରିଣୀ ମୁହଁ ତେର୍ଚ୍ଛେଇ ପବନଆଡ଼କୁ ନାକ ଡେରିଦେଇ କତିକି କତି ହୋଇ ଧାଉଁଥାନ୍ତେ, ଧାଉଁଥାନ୍ତେ ସେହି ସୂର୍ଯ୍ୟାସ୍ତଆଡ଼କୁ, ସମୁଦ୍ର କୂଳେ କୂଳେ । ତା’ପରେ ସୂର୍ଯ୍ୟ ବୁଡ଼ିଯାଆନ୍ତା, ଅନ୍ଧାର ଓଲ୍ଲାଇ ଆସନ୍ତା, ବାଲିବନ୍ତ ଉହାଡ଼ରେ ସେ ଲୁଚନ୍ତା, ଏ ଖୋଜନ୍ତା, ଲାଗି ରହନ୍ତା ଖୋଜାଖୋଜି, ଯେମିତି ସେ ସିନେମାରେ ଦେଖିଛି, ଭାବିଛି, କେବେ ଘଟିବାର ଦେଖିନାହିଁ ।

 

ଛଳନାର ମନ ଭିତରେ ଉତ୍ତେଜନା ଛପି ରହିଛି, ସେ ତରତର ହୋଇ ଚାଲିଛି । ଏପରି ଅନୁଭୂତି ଆଗେ ସେ କେବେ ପାଇନାହିଁ । ସହରରେ ସେମାନଙ୍କୁ ସେ ଦେଖିଛି, ଯେତେ ଆଖି ଦରଶା ଦିଶୁଥିଲେ ବି ସେଠି ସେମାନଙ୍କ ଠାଣିରେ ଥାଏ କେତେବେଳେ ଚତୁବତା, କେତେବେଳେ କପଟ, କେତେବେଳେ ଅତି ମପାଚୁପା ସଙ୍କୋଚ, କେତେବେଳେ ଆତୁରତା, ଦେଖିଲେ ସେ ମନେମନେ ଶଙ୍କିଯାଏ । କାହାର ନିକୁଟା ଆଖିରେ ସେ ଦେଖିଚି ଅନ୍ଧାରି ଗୁମ୍ଫାର ହାଉଁମୁହଁ ଯେ ଲୋଡ଼େ ଶୋଷି ନେବାକୁ, କିଏ କତିରେ ଥିଲେ ବି ଆଉ କେଉଁଠି ତା’ ମନ ବୁଲୁଥାଏ, ତାକୁ ସ୍ୱୀକାର କରେ ଖାଲି ବାଟ କରର ପଥରକୁ କି ଯାନବାହନରେ ସହଯାତ୍ରୀର ଅବସ୍ଥିତିକୁ ସ୍ୱୀକାର କଲାଭଳି, ତେଣୁ ସେଠି ସେ ମପାଚୁପା ବଡ଼ ଭିତରେହିଁ ବୁଲେ, ତଉଲୁଥାଏ, ହିସାବ କରୁଥାଏ, ସାତ ପାଞ୍ଚ ଭାବୁଥାଏ, ତାକତରକରେ ଚାଲିବାର ଛନଛନ ଚମକରୁ ଯେତିକି ଯାହା ପାଏ ମନେମନେ ତିଳକୁତାଳ କରି କେତେବେଳେ ସୁଖ ପାଏ କେତେବେଳେ ଦୁଃଖ ପାଏ ।

 

ସେତିକି ତା’ର ଅନୁଭୂତି, ତା’ ଜୀବନରେ ବଡ଼ ଢେଉ କେବେ ଆସି ନାହିଁ, ବଡ଼ ଘଟନା କିଛି ଘଟି ନାହିଁ । ବାପ ମାଙ୍କର ଗୋଟିଏ ବୋଲି ଛୁଆ, ଅତି ଗେହ୍ଲା ଅତି ଅଲିଅଳୀ, ସେ କେବେ ଭାବିନାହିଁ ସେତିକି ଛଡ଼ା ତା’ର ଆଉ ସ୍ୱତନ୍ତ୍ର ଜୀବନ ଥାଇପାରେ । ସେ କିଣିବାକୁ ଆଣିବାକୁ ପଦାକୁ ବାହାରିଛି, ଯେପରି କେବେ ଥୋଡ଼ାଏ ଚକୋଲେଟ, ଖଣ୍ଡେ ଶାଢ଼ି, ହଳେ ଜୋତା, କି ସଜାସଜି ହେବ ପାଇଁ କିଛି ଉପକରଣ । ଆଣେ, ସେ ସରିଯାଏ, ଚିରିଯାଏ, ସେ ସେତିକି ସମୟର ଖିଆଲ, ସେ ଘଟନା ନୁହେଁ ।

 

ସେ ତା’ର ବିଭାଘର କଥା ବି ଭାବିଥିଲା । ବିଭାଘର ଗୋଟାଇ ଘଟନା, ତା’ର ଏତିକି ଧାରଣା ଥିଲା । ତା’ ସାଙ୍ଗର କେତେ ଝିଅ ବିଭା ହେଲାଣି, କେତେବେଳେ ଆପଣା କଳ୍ପନାରେ ଫାନ୍ଦି ଫାନ୍ଦି ସେ ଭାବେ ସେ କ’ଣ ଗୋଟାଏ ଅତି କାମ୍ୟ ଅତି ରୁଚିକର ଅବସ୍ଥା ଯାହା ସେ ପାଇ ପାରିନାହିଁ, ମନ ସାନ ହୋଇଯାଏ, ଆଉ କେତେବେଳେ ଯେତେବେଳେ ସେ ସମୟ ଦେଇ ଗହୀର କରି ଭାବି ବସେ, ତା’ ମନରେ ଡର ପଶିଯାଏ, ବାପା ବୋଉ ଘରର ନିଶ୍ଚିତତା ତା’ ଓ ସୁସ୍ଥିକୁ ଛାଡ଼ି ସେ ପୁଣି କ’ଣ ଆଉ ଗୋଟାଏ ଅବସ୍ଥା, କଣ ଅଜଣା ଦାୟିତ୍ୱ, ଜଞ୍ଜାଳ ଆଉ ବିପଦ । ସେ ଶୁଣେ ତା’ ପାଇଁ ସେହି ପରିଣତି ଭିଆଇବା ଲାଗି ବାପା ବୋଉ ଲାଗି ପଡ଼ିଛନ୍ତି, ଧନ୍ଦି ହେଉଛନ୍ତି, ସେ ସୁଖୀ ହୁଏନାହିଁ । ଭାବେ, ହୁଏତ ଏ ତାଙ୍କର ଗୋଟିଏ ଅପ୍ରୀତିକର କର୍ତ୍ତବ୍ୟ, ସେଥିରେ ତା’ର କିଛି ଯାଏ ନାହିଁ, ତଥାପି ମୁହଁ ସୁଖେ, ହସ ମରିଯାଏ, ଛାତି ଭିତର ଥରି ଉଠେ । ସେହି ପରିଣତି ସହିତ କୌଣସି ଯୁବକର ବ୍ୟକ୍ତିତ୍ୱକୁ ଯୋଖି ସ୍ୱପ୍ନ ଦେଖିଲା ଭଳି କେବେ ତା’ର ଧାରଣା ଆସିନାହିଁ ।

 

ଚିହ୍ନାଜଣା ସହର ଓ ଚିହ୍ନା ପରିବେଷ୍ଟନୀକୁ ପଛରେ ରଖି ଛଳନା ଯେତେବେଳେ ପୁରୀ ଆସିଲା, ଏଠି ତା’ର ଆଖିରେ ଲାଗିଗଲା ମାୟା ଅଞ୍ଜନ, ତା’ ଭିତରେ କେଉଁଠି ତୁନିପଡ଼ି ଶୋଇ ରହିଥିଲା, ସେ ଚେଇଁ ଉଠିଲା । କେଉଁ ଗୁପ୍ତ ଝରଣାର ମୁହଁ ଫିଟିଗଲା, ତା’ର ଆପଣା ଭିତରୁ ବାହାରି ସେ ପୁଣି ତାରି ଆଖି ବାନ୍ଧିଦେଲା, ସତେ ଯେପରି ଚାରିଆଡ଼େ ଫୁଲ ଫୁଟିଛି, ଆନନ୍ଦ ଖେଳି ବୁଲୁଛି, ଯାହା ଦେଖୁଛି ସବୁ ସୁନ୍ଦର, ଯାହା ଭାବୁଛି ସବୁ ଆନନ୍ଦମୟ, ସବୁମିଶି ଗୋଟିଏ ସୁନ୍ଦର ସ୍ୱପ୍ନ । ସେହି ସ୍ଵପ୍ନମୟ ପରିବେଷ୍ଟନୀ ଭିତରେ ପହଞ୍ଚିଲା ଅଇଁଠୁ ସାମନ୍ତ ସିଂହାର, ସତେ ଯେପରିକି ସେ କାଉଁରୀ ଦେଶର ରାଜପୁତ୍ର, ଛଳନା ମୁଗ୍‍ଧ ହେଲା ।

 

ହେଇ ସେ ଚାଲିଛି ତାହାରି ପାଖକୁପାଖ ହୋଇ । ଛଳନାର ଆଖିରେ କେବେ ନ ଦିଶିଥିବା ଉଜ୍ଜ୍ୱଳ ଆଲୁଅ, ତା’ ମୁହଁରେ ସ୍ୱପ୍ନିଳ ଭଙ୍ଗୀ, ସେ ହସୁଛି କଥା କହୁଛି ଚାଲିଛି । କ’ଣ କହୁଛି ତା’ର ତାତ୍ପର୍ଯ୍ୟ ନାହିଁ, ସତେକି ସେ କଥା କହୁନାହିଁ, ମନ ଖୁସିରେ ଗୀତ ଗାଇ ଯାଉଛି ବାରମ୍ବାର । ସେ ଚାଲୁନାହିଁ, ସତେ ଅବା ନାଚି ଯାଉଛି । ପଦାକୁ ନ ଶୁଭୁ ସେ ଗୀତ, ନ ଦିଶୁ ସେ ନାଚ, ସେ ତା’ର ଅନୁଭୂତି, ଅଜାଣତରେ ଆସିଛି, ଭସେଇ ନେଇ ଚାଲିଛି ତାକୁ ।

 

ପଦାକୁ ଦିଶୁଛି,–ସେ ସଜାସଜି ହୋଇ ବାହାରିଛି, ଓଠରେ ନଖରେ ନାଲିରଙ୍ଗ ବୋଳିଛି, ସେମିତି ତା’ ପାଦରେ । ନାଲିରଙ୍ଗର ଅଧା ଜୋତା ମାଡ଼ିଛି । ତିନି ପରସ୍ତ ହୋଇ ଫେର ବୁଲିଥିବା ଶାଗୁଆ ହଳଦିଆ ନାଲି ଶାଢ଼ି ସେ ପିନ୍ଧିଛି, ପିଠି ଉପରେ ତା’ର କାନି ପଡ଼ିଛି ଗୋଟିଏ ନାନା ବର୍ଣ୍ଣର ବଳିଲା ବଳିଲା ସାପ ପରି । ତା’ ତଳେ ଶୁଆପଖିଆ ବ୍ଲାଉଜ, ପିଠିଆଡ଼ୁ ଦିଶୁଛି । କାନ୍ଧରୁ ଚମଡ଼ାର ଖୋଳ ଓହଳିଛି, ମୁଣ୍ଡବାଳଯାକ ରଙ୍ଗରଙ୍ଗର ଫିତା ନାନା ପ୍ରକାର ଗଣ୍ଠି ହୋଇ ମାଳମାଳ ଠିଆ ପତାକା ପରି ଦିଶୁଛି । ସ୍ନୋ ପାଉଡ଼ର ବୋଳା ହୋଇ ମୁଖାପରି ମୁହଁ ଚିତ୍ର ହୋଇଛି, ମଝିରେ ଯୋଡ଼ିଏ ଔତସୁକ୍ୟମୟ ଚପଳ ଆଖି, କେବଳ ସେତିକି ସେ ଚିତ୍ର କରିନାହିଁ । ସେହି ଆଖିର ଚାହାଣି ସାମନ୍ତ ସିଂହାରକୁ ଆକୃଷ୍ଟ କରିଥିଲା, ଅକୁହା କଥାରେ ମୈତ୍ରୀ ଭାବରେ ସେହି ଚାହାଣି ତାକୁ ବାଟେଇ ନେଇ ଚାଲିଥିଲା, ନ ହେଲେ ହୁଏତ ସେ ଲାଜ କରିଥାନ୍ତା ।

 

କିନ୍ତୁ ଛଳନା ତା’ର ବେଶ କଥା ଆଦୌ ଭାବୁ ନଥିଲା, ସେସବୁ ଖାଲି ଅଭ୍ୟାସ, ଅଧିକା ତାତ୍ପର୍ଯ୍ୟ ନାହିଁ । ଖାଲି ଗୋଟାଏ ଚଳଣିର ବାଗ, ପଦାକୁ ବାହାରିଲେ ଏମିତି ସେ ବାହାରେ । ସେ ନିଜେ ଖାଲି ଝଲକେ ଉତ୍ସାହ, ଗୋଟିଏ ସ୍ପନ୍ଦନ, ଏହି ବେଳାଭୂଇଁରେ ଝଳି ଉଠିଛି । ମଝିରେ ମଝିରେ ଆଡ଼ ଆଖିରେ ସେ ସାମନ୍ତସିଂହାରକୁ ଅନାଇ ଦେଉଛି, ସ୍ୱପ୍ନ ପରି ଅତୀତର ମୁହଁଟିଏ ଉଇଁ ଉଠି ନିଷ୍ପ୍ରଭ ହୋଇ ପୁଣି ନିଭି ଯାଉଛି, ସତ ଏତିକି, ଏଇ ଯେଉଁ ସରସ ସରଳ ନିରୀହ ସ୍ନେହୀ ମୁହଁଟି ତା ମୁହଁ ସାମ୍ନାରେ ଅଛି, ହାତ ପାଆନ୍ତିରେ ଏଇ ଯେଉଁ ବ୍ୟକ୍ତିତ୍ୱଟି ଅଛି ସେହି ସୁନ୍ଦର, ବଳିଷ୍ଠ, ସରସ, ସବୁ । ପରିପୂର୍ଣ୍ଣ ସ୍ନେହରେ ଗମ୍ଭୀର ହୋଇଛି ଏହି ଗୋଟିଏ ପ୍ରାଣ, ତ ଉପରେ ହସ କୁତୂହଳର ଆଲୁଅ ପଡ଼ିଛି, କଳ୍ପନା ରୂପ ପାଇଛି, ଏଇ ସୁନ୍ଦର, ଏଇ ଚମତ୍କାର, ଏତିକି ତା ଚେତନା ଘେନୁଛି ।

 

କଣ ଲୋଡ଼ୁଛି ଛଳନା ତାଠୁଁ ? କିଛି ନାହିଁ । ଖାଲି ଏଇ ସାନ୍ନିଧ୍ୟ । ଆପଣା ଭିତରେ କେତେ କ’ଣ ଯେପରିକି ଶବ୍ଦ କରି ଉଠୁଛି, ନଈବଢ଼ିର କଳରୋଳ, କେତେବେଳେ ତାତି ଚହଟିଯାଉଛି, ଆପଣା ନିଶ୍ୱାସ ଆପଣାକୁ ତତଲା ଲାଗୁଛି କେତେବେଳେ କେଉଁ ଭଙ୍ଗୀ ଫୁଟି ଉଠୁଛି ତା’ ଦେହରେ । ସେ ବି ସତେକି ସହଜ ସ୍ୱାଭାବିକ, ଏମିତି ଏ ବେଳରେ ତା’ର ସ୍ୱାଭାବିକ, ଏମିତି ଏ ବେଳରେ ତା’ର ସ୍ୱାଭାବିକ ପ୍ରକାଶ, ସେ ତା’ର ଅର୍ଥ ବୁଝେନାହିଁ କୌଣସି ଅର୍ଥ କି ଉଦ୍ଦେଶ୍ୟ ଚିନ୍ତା କରି ଖିଅ ଧରିବାକୁ ତା’ର ପ୍ରବୃତ୍ତି ନାହିଁ, ଚେତନା ନାହିଁ । ସମୁଦ୍ରର ବେଳାଭୂମି, ସେ ଆଉ ସାମନ୍ତସିଂହାର, ସେତିକି ସେ ଘେନୁଛି ।

 

ସାମନ୍ତସିଂହାର ଅନୁଭବ କରୁଥିଲା, ତା’ ଜୀବନରେ ଗୋଟିଏ ସୁନ୍ଦର ସ୍ୱପ୍ନ ଆସି ପହଞ୍ଚିଛି । ସତେକି ଏମିତି ଗୋଟିଏ ଅନୁଭୂତି ପାଇଁ ତା’ର ବଢ଼ି ଉଠୁଥିବା କୈଶୋରର ମନ ଅପେକ୍ଷାକରି ରହିଥିଲା, ଏମିତି ଏ ସୂର୍ଯ୍ୟାସ୍ତର ରଙ୍ଗବୋଳା ମାୟା ଢେଉ ପାଇ, ଆଉ ଏମିତି ଗୋଟିଏ ମାୟାସମ୍ପର୍କ ପାଇଁ ଯହିଁରେ ମନ ଉଲୁସା ସ୍ପର୍ଶଥିବ ଓଜନ ନ ଥିବ, ସାମ୍ନାରେ ଆକୃତି ଥିବ ବିଶ୍ଳେଷଣ ନ ଥିବ, ସାମୟିକ ସମ୍ବନ୍ଧର ଜାଲ ବିଛେଇ ହୋଇପଡ଼ିବ ଖରାରେ ଝଲଝଲ କାକରା ଟୋପା ଲାଗି ହୋଇ ବୁଢିଆଣୀ ଜାଲ ପରି, କିନ୍ତୁ ବର ଓହଳ ପରି ଚିରସ୍ଥାୟୀ ଖୁଣ୍ଟ ହେବନାହିଁ ।

 

ମୁହଁ ପଟେ ସୂର୍ଯ୍ୟାସ୍ତ, ବାଁଏଁ ସମୁଦ୍ର, ଡାହାଣେ ବାଲିବନ୍ତ ଯେ ସହରର କୋଠାବାଡ଼ିର ଗହଳି କାହିଁ କେତେ ପଛରେ ରହିଗଲାଣି । ଆଗରେ ହେଇ ସମୁଦ୍ର ଭିତରକୁ ବାଲି ନାସି ପଶିଛି । ଦୂରରେ ସେ କ’ଣ ? ଦିଗ୍‍ବଳୟ ଉପରେ ଗୋଟିଏ ବୁନ୍ଦା,–ନା, ଶାନ୍ତ ସମୁଦ୍ରରେ ଗୋଟିଏ ପାଲଟଣା ଡଙ୍ଗା । ଆଗେ ଅଳ୍ପ ଅଳ୍ପ ହୋଇ ଦିଶୁଥିଲା, କେଡ଼େ ନାଲି ଦିଶୁଥିଲା । ଏବେ ବେଶି ବେଶି ବାହାରିଲାଣି, ନାଲି ନୁହେଁ, ଧଳା ଦିଶୁଛି, ଯେପରିକି ଗୋଟିଏ ବଗ । ଆକାଶରେ ଗୋଟିଏ ଗୋଟିକିଆ ଚଢ଼େଇ, ପାଖି ଫଡ଼କେଇ ସେ ଗୋଟିଏ ଜାଗାରେ ସ୍ଥିର ହୋଇ ରହି ତଳକୁ ଅନାଇ କ’ଣ ଖୋଜୁଛି । ଗୁଣ୍ଡା ଗୁଣ୍ଡା ଛିଣ୍ଡା କାଗଜ ଉଡ଼ିଲା ପରି କେତେ ଟିକିଟିକି ଚଢ଼େଇ ହଠାତ୍‍ ଆକାଶରେ ନୀଳିମା ଭିତରୁ ଦୃଷ୍ଟି ପରିସର ଭିତରକୁ ଖସି ପଡ଼ୁଛନ୍ତି, ପୁଣି ଆଲୁଅ ବଦଳିଲା କ୍ଷଣି ସେଇଠି କେଉଁଠି ଅଦୃଶ୍ୟ ହୋଇଯାଉଛନ୍ତି । ସମୁଦ୍ର ସମତଳ ପରି ଦିଶୁଛି, ସତେ ଯେପରିକି ଥାଳି ମାରିଦେଲେ ଥାଳି ଚାଲିଯିବ, ହେଇ ସେଠି ମଗର ଭାସୁଛନ୍ତି, ବୁଡ଼ି ଉଠି ସେମାନେ ଖେଳ ଖେଳୁଛନ୍ତି । ଦୂରରେ ପାଣି ଦାଢ଼େ ଦାଢ଼େ ଗୁନ୍ଥାହାର ପରି ମାଳ ହୋଇ ଟିକିଟିକି ଚଢ଼େଇ ଗୁଡ଼ିଏ ବସି ପଡ଼ିଛନ୍ତି, ଢେଉ ଯେତେବେଳେ ଲେଉଟି ଯାଉଛି ସେତେବେଳେ ଗୋଟିକ ପଛକୁ ଆଉ ଗୋଟିଏ ହୋଇ ସେମାନେ ନାଚି ନାଚି ଆଗେଇ ଯାଉଛନ୍ତି, ଢେଉ ଯେତେବେଳେ କୂଳକୁ ମାଡ଼ି ଆସୁଛି ସେତେବେଳେ ସେମିତି ପଛକୁପଛ ହୋଇ ନାଚି ନାଚି ସେମାନେ ପଛେଇ ଆସୁଛନ୍ତି । ଲାଗି ରହିଛି ସେ ନାଚ ।

 

ସେହି ନାଚ ଦେଖାଆଡ଼ୁ ମୁହଁ ବୁଲେଇ ନେଇ ଅଇଁଠୁ ସାମନ୍ତସିଂହାର ଯେତେବେଳେ ଛଳନାଆଡ଼କୁ ଅନାଇଁ ଦେଲା ସେ ଦେଖିଲା ଛଳନା ବି ତା’ ମୁହଁକୁ ହସିହସି ଅନାଇ ଦେଲା, ତାକୁ ଲାଗିଲା ସେ ବି ସେହି ନାଚ ଦେଖୁଥିଲା ।

 

ଖାଲି ସେତିକି ନୁହେଁ, ତାକୁ ଲାଗିଲା ଯେ ଯେଉଁ ଦୃଶ୍ୟକୁ ସେ ଏକୁଟିଆ ଦେଖୁଥିଲା ବୋଲି ଭାବୁଥିଲା, ସେହି ଦୃଶ୍ୟଦେଖା ଓ ସେ ଭାବନା ଭିତରେ ବି ତା’ ପାଖେ ପାଖେ ପାଦକୁପାଦ ମିଳାଇ ମିଳାଇ ଚାଲୁଥିଲା ସେହି ଆଉ ଜଣକ ।

 

ସେହି ମୁହୂର୍ତ୍ତରେ ସେ ଆପଣାକୁ କଳିଲା ଲଜ୍ଜାରେ ତା’ ମୁହଁ ଉଷୁମ ହୋଇଗଲା । ଖେଳ ଭିତରେ ହଠାତ୍‍ ପାଠପଢ଼ା ମନେ ପଡ଼ିଗଲା ପରି ସେ ଚେତି ଉଠିବାକୁ ଚେଷ୍ଟାକଲା । ଚାରିଆଡ଼କୁ ଅନିଷା କଲା, ଚିହ୍ନାର ଜଣାର କିଏ ଅଛି ? କିଏ ତାକୁ ଲକ୍ଷ୍ୟ ରଖିଛି ? ଲୋକ ଅଛନ୍ତି, ସେ କାହାରିକି ଚିହ୍ନେ ନାହିଁ । ତଥାପି ତା’ର ଉଦ୍‍ବେଗ ଗଲା ନାହିଁ, ତାକୁ ଲାଗୁଥାଏ, ସମସ୍ତିଙ୍କୁ ଅଛପା ହୋଇ ତା’ର ଅନ୍ତର ଭିତରେ କେଉଁଠି ଠାଏ ଥିଲା ଅତି ନିଭୃତ ଅତି ନୀରବ ହୋଇ ଅରାଏ, ସେଇଠିକି ଏ ନୂଆ ମଣିଷଟି ପଶି ଆସିଛି, ସେଠି ଆଉ ନୀରବ ନୁହେଁ, କୋଳାହଳ ଲାଗିଛି, ସେଠି ସେ ଆଉ ଅଛପା ନୁହେଁ, ପ୍ରକଟ ହୋଇପଡ଼ିଛି । ସେ ଆଉ ସରଳ ହୋଇ ପାରୁନାହିଁ, ମୁକ୍ତିରେ ବନ୍ଧନ ଆସି ପହଞ୍ଚିଛି ।

 

ସେ ଶଙ୍କିଶଙ୍କି ଅନାଇଲା, ଦେଖିଲା ଆରକ ହସୁଛି, କେବଳ ଆଖିରେ ନୁହେଁ, ତା’ର ଭ୍ରୂଲତା ହସୁଛି ତା’ର ଠାଣି ହସୁଛି, ଖରାବେଳେ ସମୁଦ୍ରର ମନଭୁଲାଣିଆ ପାଣି ତାକୁ ଯେମିତି ବୁଡ଼ିବାକୁ ପହଁରିବାକୁ ନିମନ୍ତ୍ରଣ କରେ ସେମିତି ଡାକୁଛି ଏଇ ଆଖିଯୋଡ଼ିକ, ସେ ତା’ର ଭାବନା ଭିତରେ ହସିହସି ସେ ହସକୁ ସ୍ୱୀକାର କଲା, ତା’ପରେ ତାର ଦୃଷ୍ଟି ପଡ଼ିଲା ତା’ର ବେଶ ଓ ପ୍ରସାଧନ ଉପରେ । ଅତି ଖୁସି ହୋଇ ଅତି ଅଯତ୍ନରେ ଆପଣା ରହିବା ବଖୁରି ଭିତରକୁ ପଶି ଆସିଲାବେଳେ ସେ ଯଦି ଦେଖନ୍ତା ଯେ ଯେଡ଼େ ଦାମୀ ହେଉ ପଛେ ଆଉ କାହାର ଜୋତା ହଳକ ତା’ ଖଟର ମଶାରିଵାଡ଼ ଉପରୁ, ତା’ର ଟଣା ଦଉଡ଼ିର ଲୁଗା ଅଲୁଗୁଣିରୁ ଆଉ କାହାର କାମିଜ ଓହଳିଛି, ସେମିତି ତା’ ମନଭିତରେ ଲାଗିଗଲା ଆପଣା ଓ 'ଆଉ କିଏ' ଭିତରେ ଗୋଟିଏ ଦ୍ୱନ୍ଦ୍ୱ, ତା’ର ଆପଣାଭୁଲା ଅବସ୍ଥା କଟିଯାଇ ଆସିଗଲା ଗୋଟାଏ ଚିନ୍ତାର୍ଥୀ ସମୀକ୍ଷାଶୀଳ ମନୋଭାବ, ସେ ଅସଜପଣରୁ ସହଜ ହେଲା, ଉଷୁମରୁ ଶୀତଳ ହେଲା,ଆଉ ଭାବିଲା–କିଏ ୟେ ? କି ପଟ୍ଟଭୂମି-? କି ପ୍ରକାର ମନ ? କେଇଟା ଦିନକୁ ଏଁ ଚିହ୍ନାଚିହିଁ ? କୁଆଡ଼ୁ ଆସିଲା, କୁଆଡ଼େ ଯିବ-?

 

ଏ ବେଶ ଏ ପ୍ରସାଧନ ସାଙ୍ଗର ତା’ର ପରିଚୟ ନ ଥିଲା । ୟେ ତା’ ଅଭିଜ୍ଞତା ଭିତରେ କେବେ ଆସିନାହିଁ, ୟେ ମନେ ପକାଇ ଦେଉଛି ୟେ ବାହାରର କେହି ଜଣେ, ତା’ ଗୋଷ୍ଠୀର କେହି ନୁହେଁ । ଏତେ କଥା ଗପିଛି, ତା’ ସଙ୍ଗରେ ଏତେ ବାଟ ଆସିଲାଣି,–କିନ୍ତୁ ସେଇଠି ସେହି ସଙ୍ଗେ ସଙ୍ଗେ ତାକୁ ସମର୍ଥନ କରିବାକୁ ଯୁକ୍ତି ମିଳିଗଲା । ଅଚିହ୍ନା ଲୋକଙ୍କୁ ସାହାଯ୍ୟ କରି ବୁଲାଇ ଦେଖାନ୍ତି କେହି କେହି, କିଏ ଅବା ତାକୁ ବୃତ୍ତି କରିଛି, ପୁରୀରେ ଏମିତି ପଲପଲ ଲୋକଙ୍କୁ ପଣ୍ଡାମାନେ ସ୍ଥାନ ଦେଖାଇ ଦେଖାଇ ବୁଲନ୍ତି, ସେମିତି ଜାଣି ସେ ବି ଜଣେ ।

 

ଛଳନା ପ୍ରତି ଆପଣାର ପଟ ସଜାଡ଼ିଦେଲା ମାତ୍ରେ ତା’ର ଆତ୍ମବିଶ୍ୱାସ ଲେଉଟି ଆସିଲା, ସେ ମଧୁର ସୌଜନ୍ୟର ହସ ହସିଦେଲା । ସେତେବେଳକୁ ଛଳନା ଭାବବିହ୍ୱଳ ହୋଇ ହୋଇ ଅତି ସୁକ୍ଷ୍ମ-ଅନୁଭୂତି ଗ୍ରହଣକ୍ଷମ ଭାବରୂପ କରି ଅନିଷା କରି କରି ଅନ୍ତରରେ ଅନ୍ତର ଯୋଖିଦେଲା ପରି ସତେକି ତା’ର ଭାବର ପ୍ରତ୍ୟେକ ସ୍ପନ୍ଦନ ବି ଅନୁଭବ ମାର୍ଗରେ ବୁଝୁଥିଲା ବୋଲି ଭାବୁଥିଲା, ତା’ ଠାଣିରେ ସେ ଦେଖୁଥିଲା ମୁଗ୍‍ଧ ତନ୍ମୟ ଭାବର ପ୍ରତୀକ୍ଷିତ ଅର୍ଥ ଓ ସୂଚନା, ଗର୍ବ ଓ ଉଲ୍ଲାସ ଆସୁଥିଲା । ତା’ପରେ ସେ ଦେଖିଲା ଏ ନୂଆ ଠାଣି, ପାଶୋରି ଦେବାର ପରକରି ଦେବାର ହସ, ଚିହ୍ନା ଅଚିହ୍ନା ହୋଇ ଯାଉଛି, ପାଖ ଦୂର ହୋଇ ଯାଉଛି, ଛଳନା ଦୀର୍ଘଶ୍ୱାସ ପକାଇଲା, ସତେକି ଜାଣତା ମନରେ ସମ୍ମୋହନ କାମନା କରି ତୀକ୍ଷ୍‍ଣ ଆକାଂକ୍ଷାରେ ସେ ତାକୁ ଚାହାଣି ଛାଟିଲା, ଅଜାଣତରେ ଦେହରେ ଭଙ୍ଗୀମାନ ମୁଦ୍ରାମାନ ଯେପରିକି ଯୁଦ୍ଧରେ ଥାଟ ବାନ୍ଧି ଧାଡ଼ି ଦେଲାପରି ତାକୁ ସାହାଯ୍ୟ କରିବାକୁ ଲାଗିଲା । ସ୍ୱପ୍ନର ସ୍ମୃତି ହେଉ ହେଉ ସେହି ଘଟ ବଦଳିଯାଇ ହୋଇଗଲା ଆତୁରାନାରୀ ।

 

କିନ୍ତୁ ଅଇଁଠୁ ସାମନ୍ତସିଂହାର ସେତେବେଳକୁ ଭିନ୍ନ ପତ୍ତନକୁ ଚାଲିଯାଇଥିଲା । ସେ ସେତେବେଳକୁ ଭିନ୍ନ ପତ୍ତନକୁ ଚାଲିଯାଇଥିଲା । ସେ ସେତେବେଳକୁ ଦୃଶ୍ୟ ଦେଖାଇବା ଲୋକ, ନିଜେ ବି ସଙ୍ଗେ ସଙ୍ଗେ ସେ ଦୃଶ୍ୟ ଦେଖି ଯାଉଛି, କିନ୍ତୁ ମୁଗ୍‍ଧ ଦ୍ରଷ୍ଟା ହୋଇ ଦେଖୁନାହିଁ, ତା’ ଭଙ୍ଗୀରେ ମିଶିଯାଇଛି ସମୀକ୍ଷକର ଦୃଷ୍ଟିଭଙ୍ଗୀ । ସେ ଦେଖିଲା, କେବଳ ସେ ଆଉ ଛଳନା ନୁହନ୍ତି, ସେ ଦୁହେଁ ଯେତେ ଦୂରକୁ ଆସିଲେ ବି ଆହୁରି ଦଳଦଳ ହୋଇ ଲୋକ ଚାଲିଛନ୍ତି, ସ୍ତ୍ରୀ, ପୁରୁଷ, ସେମାନଙ୍କର ନାନା ବେଶ ଆଉ ନାନା ବର୍ଣ୍ଣର ।

 

କେତେ ସ୍ତ୍ରୀଲୋକ ପିନ୍ଧିଛନ୍ତି ସାଧାରଣ ପିନ୍ଧା ମୋଟା ଧଳା ଶାଢ଼ି, ହାଲୁକା ବର୍ଣ୍ଣର ଫତୁଆ କି ବ୍ଲାଉଜ । ପୁଣି ଅନେକଙ୍କର ରଙ୍ଗଢଙ୍ଗର ବେଶ । ହେଇ, ଗଲା ଜଣେ, ଅତି ପାତଳ ଧଳାଶାଢ଼ି ପିନ୍ଧିଛି । ହାର ନାଇଲା ପରି ବେକ ଚାରିପାଖେ କଲା ବେଣୀ ଘେର ବୁଲିଛି । ଗଲେ ଆଉ ଜଣେ ଭଦ୍ର ମହିଳା, ପିନ୍ଧାଲୁଗା ଜାମା ଉପରଯାକ ବଡ଼ବଡ଼ ରଙ୍ଗରଙ୍ଗର ଫୁଲ ପଡ଼ିଛି । ଆଉ ହେଇଗଲେ ଦିଜଣ, ଯୁବକଟି ଟିକିଏ ଫୁଲୁକା ଦିଶୁଛି, ଦେହରେ ଚର୍ବି ଲାଗିଛି, ଅନ୍ୟାନ୍ୟ ସରୁ ସରୁ ଲୋକଙ୍କ ଭିତରେ ତୁଳନାରେ ସେ ଦିଶୁଛି ଟିକିଏ କୋଦା । ସେତିକି ଲାଗି ସତେ ଯେପରିକି ତାର ଗର୍ଵ ଖର୍ବ ହେଉଛି, ସେ ତା’ର ବାହା ଯୋଡ଼ିକୁ ଧନୁପରି ବଙ୍କାଇ ରଖି ଛାତି ଓ ପେଟ ସମେତ ତା’ ଗଣ୍ଡିଟିକୁ ଆଗକୁ ଟୋଲେଇ ଦେଇ ପହିଜ ଦେଖାଇ ଝାଙ୍କି ହୋଇ ହୋଇ ଚାଲିଛି । ତା’ ସଙ୍ଗରେ ଯେଉଁ ଯୁବତୀଟି ଚାଲି ଚାଲି ଯାଉଛି ସେ ହାଡ଼ୁଆ ଧାଡ଼ିଆ ମଣିଷଟିଏ, ତା’ର ଶଙ୍ଖପରି ବର୍ଣ୍ଣ, ଶଙ୍ଖବର୍ଣ୍ଣର ଜୋତା ପିନ୍ଧୁଛି ଓ ଶଙ୍ଖ ବର୍ଣ୍ଣର ହାତମୁଣି ସେ ଓହଳାଇଛି, ତା’ର ଜିକିଜିକି ଚଷମା, ଚୁନ ହୋଇଥିବା କାନ୍ଥ ପରି ଗାଲ ।

 

ଖାଲି ଯୁବକ ଯୁବତୀ ନୁହନ୍ତି । ଏଇ ଏ ଡେଙ୍ଗା ଭଦ୍ରଲୋକ, ବୟସ୍କ, ହଳଦିଆ ପ୍ୟାଣ୍ଟ ପିନ୍ଧିଛନ୍ତି, ଟାଇ ପିନ୍ଧିଛନ୍ତି, ପାଟିରେ ବାଙ୍କ ଚିଲମଟିଏ, ଧୂଆଁ ବାହାରୁଛି । ମୁଣ୍ଡର ମଝି ଅରାକ ଚନ୍ଦା, ଘିଅବର୍ଣ୍ଣର ଶାଢ଼ି ଗୁରେଇ ହୋଇଛନ୍ତି, କିନ୍ତୁ ଚାଲିଟି ଶାଢ଼ିପିନ୍ଧା ଚାଲି ନୁହେଁ, ହୁଏତ ସାହେବି ପୋଷୋକ ପିନ୍ଧୁଥିଲେ, ଶାଢ଼ି ନୂଆ ପିନ୍ଧୁଛନ୍ତି । ମୁଣ୍ଡବାଳ ସାନ ସାନ, ତହିଁରେ ଯେତିକି ସମ୍ଭବ ହୋଇପାରିବ ସେତିକିଟିଏ ବେଣୀ ।

 

ଅଇଁଠୁ ସାମନ୍ତସିଂହାର ସେହିମାନଙ୍କ ଜୀବନ ଉପରେ ଭାବନା ଢାଳିଦେଇ ମନ ଭୁଲାଇଲା । ଏତେ ଲୋକେ, ଏତେ ବିଭିନ୍ନ ପ୍ରକାରର, କ’ଣ ସେମାନଙ୍କ ଇତିହାସ ! କେଉଁତକ କାନ୍ଦଣା, କେଉଁତକ ହସ !

 

ଛଳନା କୌତୁକ କରି ବୁଝାଇବାକୁ ଚେଷ୍ଟାକଲା–‘‘ଦେଖିଲେ ତ ଏମାନଙ୍କୁ ? ଭାରତ ସ୍ୱାଧୀନତା ପାଇସାରି କେତେ ବର୍ଷ ହେଲାଣି ତା’ ବୋଧହୁଏ ଏ ଭଦ୍ରମହିଳାଙ୍କର ମୁଣ୍ଡବାଳ ମାପିଲେ ଜଣାପଡ଼ିବ, ତା’ ପୂର୍ବରୁ ୟେ ନିଶ୍ଚୟ ଥିଲା ବବ୍‍ଡ଼୍‍ ହେଆର–କିନ୍ତୁ ଏପରି କହି ଛଳନା ଅଇଁଠୁ ସମ୍ପର୍କରେ ନିଜର ସ୍ଥାନର ଉନ୍ନତି କରିପାରିଲା ନାହିଁ, ଅଇଁଠୁକୁ ଏ ମନ୍ତବ୍ୟ ଲାଗିଲା ଅବାନ୍ତର ଓ ରୁଚିବିହୀନ, । ତା’ ଦୁଇପାଖେ ଯୋଡ଼ିଏ ଯୁବକ । ଯୁବତୀଟି ବାଟ ଚାଲିଲା ବେଳେ କେତେବେଳେ ଏପାଖକୁ କେତେବେଳେ ସେପାଖକୁ ଅଜାଡି ହେଲାପରି ଆଉଜି ପଡ଼ୁଛି । ବହୁତ ହସୁଛି । ଉଭୟ ଯୁବକ ଖୁଶି ଅଛନ୍ତି । ଛଳନାର ଅରୁଚିକର ମନ୍ତବ୍ୟ ଓ ଆଖି ଆଗର ଏ ଦୃଶ୍ୟ ତା’ ମନରେ କେଉଁଠି ଠାଏ ଏକାଠି ହୋଇଗଲା । ମଣିଷ ମେଳାରୁ ତା’ ମନ ପୁଣି ଫିଟିଚାଲିଗଲା ସମୁଦ୍ରଆଡ଼କୁ ।

 

କି ସୁନ୍ଦର ଦିଶୁଛି ସୂର୍ଯ୍ୟାସ୍ତ ! ଯେପରିକି ସ୍ୱୟଂ ପ୍ରକୃତିର ରଙ୍ଗମାନଙ୍କର ପଟୁଆର ଲାଗିରହିଛି । ଦିଗ୍‍ବଳୟ ଉପରେ ବାଇଗଣି ରଙ୍ଗ, ସମୁଦ୍ରପଟେ ତା’ ଉପରେ କ୍ଷୀଣ ସୁନ୍ଦରା । ପଶ୍ଚିମ କୋଣରେ ଯେଉଁଠି ସୂର୍ଯ୍ୟ ଅସ୍ତହେବ ସେଠି ବାଇଗଣି ଭିତରେ କମଳାବର୍ଣ୍ଣ ଲେପି ହୋଇଛି, ତା’ ଉପରେ ସିନ୍ଦୂର ବୋଳି ବୋଳି ଧୀରେ ଧୀରେ ସୂର୍ଯ୍ୟ ତଳକୁ ତଳକୁ ଖସୁଛି । ପାଣିରେ ତାରି ପ୍ରତିବିମ୍ବ । ସମୁଦ୍ର ଉପରେ ପଟି ପଟି ହୋଇ ନାନା ରଙ୍ଗ, ଆଉ ସବୁ ରଙ୍ଗମାନଙ୍କ ଉପରେ ଗୋଟାଏ ବିରାଟ ରଙ୍ଗହୀନ ଭାବର ପ୍ରଶାନ୍ତି, ସତେ ଯେପରି ଐଶ୍ଵର୍ଯ୍ୟ ଭିତରେ ହଠାତ୍‍ ମହା ସମୁଦ୍ର ସନ୍ୟାସୀ ହୋଇଯାଇଛି, ହେଇ ଯେଉଁଠି ପୃଥିବୀର ଠାଏ ଭୂଇଁର ଧଡ଼ି ଲୁଚିଗଲା, ଯେଉଁଠି ଗୋଟାଏ ପାଖରୁ ଆଲୁଅ ସରି ସରି ଆସୁ ଆସୁ ଆର ପାଖେ ବିଲୟର ପୂର୍ବ ମୁହୂର୍ତ୍ତରେ ଆଲୁଅ ବଢ଼ି ବଢ଼ି ଉଠୁଛି, ସେଇଠି ତ ।

 

ସୂର୍ଯ୍ୟ ଆଜି ପ୍ରକାଣ୍ଡ ଦିଶୁଛି । ସେ ତଳକୁ ନ ଓହ୍ଲାଉଣୁ ତାକୁ ସରୁ ଚାଦର ଘୋଡ଼ାଇଲା ପରି ସରୁ ମେଘଟିଏ ତା’ର ଠିକ୍‍ ମଝିରେ ବେଢ଼େଇ ଧରି ଆଗ ତାକୁ ଦୁଇଭାଗ କରି ତା’ପରେଧୀରେ ଧୀରେ ଦୁଇଆଡ଼କୁ ଲମ୍ବିଲମ୍ବି ତାକୁ ଢାଙ୍କିବାକୁ ଚେଷ୍ଟାକଲା । ତହିଁରେ ସେ ଆହୁରି ଝଟକି ଉଠିଲା । ପୁଣି ସେହି ମାୟାବନ୍ଧନକୁ ସହଜଭାବେ ଆଡ଼େଇ ଦେଇ ସୂର୍ଯ୍ୟ ତଳକୁ ତଳକୁ ଦବିଦବି ଗଲା । ପାଖର ଦୂରର ଢେଉଧାର ଉପରେ ଧଳା ହସ ଛଳଛଳୋଉଛି । ସମୁଦ୍ର ଉପରେ ପୂର୍ବଆଡ଼ୁ ପଶ୍ଚିମଆଡ଼କୁ ପରିସର ସଙ୍କୁଚିତ ହେଲାପରି ଜଣାଗଲା । ସମସ୍ତିଙ୍କ ଦୃଷ୍ଟି ସେହି ଅସ୍ତ ଯାଉଥିବା ସୂର୍ଯ୍ୟ ଉପରେ ।

 

ଭିକାରୁଣୀ ବୁଢ଼ୀଟିଏ ପଶ୍ଚିମଆଡ଼କୁ ମୁହଁ ବୁଲାଇଲା, ଆଉ ସେ ଦୃଷ୍ଟି ଫେରାଇ ଆଣି ପାରିନାହିଁ । କିଏ ଜଣେ ଯାତ୍ରୀ ଭାବଗଦଗଦ ହୋଇ ସମୁଦ୍ର ଉପରେ ଓହଳି ପଡ଼ି ସ୍ତୋତ୍ର ବୋଲି ବୋଲି ସମୁଦ୍ରପାଣି ନେଇ ମୁଣ୍ଡରେ ମାରୁଥିଲା, ସେହି ଅବସ୍ଥାରେ ସେ ଅସ୍ତସୂର୍ଯ୍ୟକୁ ଅନାଇଁ ରହିଛି-। ପଞ୍ଝା ପଞ୍ଝା ହୋଇ ଲୋକେ ସେହି ସୂର୍ଯ୍ୟାସ୍ତଆଡ଼କୁ ଅନାଇଛନ୍ତି, ଅନେକେ ଭବମଗ୍ନ-। ଆଉ କେତେ ଜଣ ସୂର୍ଯ୍ୟାସ୍ତଆଡ଼କୁ ପିଠି ବୁଲାଇ ପୂର୍ବକୁ ମୁହଁକରି ବଡ଼ ପାଟିରେ କଥା କହି କହି ଚାଲିଛନ୍ତି, ସତେ ଯେପରି ଏ ସୂର୍ଯ୍ୟାସ୍ତ ସେମାନଙ୍କୁ ଆହତ କରିଛି, ସେହି କ୍ଷତ ଘୋଡ଼ାଇବା ପାଇଁ ସେମାନେ ଏ ଉପାୟ ଧରିଛନ୍ତି ।

 

ଅଇଁଠୁ ଦେଖିଲା, ଗୋଲ ସୂର୍ଯ୍ୟ ପାଣିକି ଛୁଇଁଲା, ତା’ର ରୂପ ବଦଳିଲା, ସେ ହେଲା ଗୋଟିଏ ଅଦ୍ଭୁତ ନାଲି ବୋଇତ । ଅତୀତରେ କେତେ ଅସୁମାରି ବୋଇତ ଏଠୁ ଦରିଆକୁ ଯାଇଥିଲା, ତହିଁରୁ ଗୋଟିଏ ଫେରିଆସିଛି ପରା । କିନ୍ତୁ କି ରୂପ ହୋଇଛି ! ଖାଲି ରକ୍ତ ନାଲି ! ଖାଲି ମାୟା ବୋଇତ ନୁହେଁ, ସେ ଗୋଟିଏ ଶରୀର । ଅତି ବାସ୍ତବ, ଅତି ନିକଟ, ଅତି ପରିଚିତ, ଅତି ଆପଣାର ପରି ଲଗୁଛି । ଏହି ଧାରଣା ତା’ ମନରେ ବଢ଼ି ଉଠୁଉଠୁ ସେ ଦେଖିଲା ସେହି ଅତି ପ୍ରିୟ ରୂପ ଧୀରେ ଧୀରେ ବୁଡ଼ି ଯାଉଛି । ଗୋଟାଏ ଗାର ଗୋଟାଏ ବିନ୍ଦୁ, ସବୁ ଶେଷ ।

 

ଅଇଁଠୁ ବିମୂଢ଼ ହୋଇ ଚାହିଁ ରହିଛି । କେତେ ଥର ତା’ର ପିଲାଦିନୁ ଏଯାକେ ସେ ଏହି ସୂର୍ଯ୍ୟାସ୍ତ ଦେଖିଛି, କିନ୍ତୁ ଆଜି ତା’ର ନୂଆ ଭାବ, ସତେ ଯେପରିକି ତା’ର ଜୀବନ ଏ ସୂର୍ଯ୍ୟାସ୍ତ ସଙ୍ଗେ ଜଡ଼ିତ ହୋଇଯାଇଛି । ଯେପରିକି ଏ ସୂର୍ଯ୍ୟହିଁ ହୋଇଥିଲା ତା’ ନିଜର ବାସ୍ତବତାବୋଧର ସବୁଯାକ ଭୂମି । ପଶ୍ଚିମରେ ସେ କେଉଁଠି ମିଳାଇ ଯାଇଛି, ଅଥଚ ସମୁନ୍ଦ୍ରର ଅତଳ ଜଳରେ ବୁଡ଼ିଯାଇଛି–ସେହି ତା’ର ଏକୋଇଶଟି ବର୍ଷ ସବୁଯାକ ବାସ୍ତବ ଚେତନା । ଆଉ ତା’ର ମନେ ନାହିଁ ସେ କିଏ, କେଉଁ କେଉଁଟା ତାର ଅଙ୍ଗପ୍ରତ୍ୟଙ୍ଗ, କ’ଣ ତା’ର ରୁଚି, ଆଶା, ସ୍ନେହ, ବିତୃଷ୍ଣା । ତା’ର ସମୁଦାୟ ବ୍ୟକ୍ତିତ୍ୱ, ପ୍ରକାଶ ପାଉଛି, ଗୋଟିଏ ଆର୍ତ୍ତ, ବିମୂଢ଼, ଶଙ୍କିତ ହତାଶ ଭାବ-ଅନୁଭୂତିରେ । ପଶ୍ଚିମ ସୂର୍ଯ୍ୟବିହୀନ ଦିଗ୍‍ବଳୟରେ ଯେଉଁ ନାଲି ଧାସ ଜଳୁଛି ସେ ସେହି ଭାବକୁ ତେଜି ତେଜି ଦେଉଛି । ସେ ଜଳି ଜଳି ଆଖି ଆଗରେ କଳାଧୂଆଁ ହୋଇଯାଉଛି । ଆଉ ସେହିପରି ବହଳ କଳାଧୂଆଁ ତା’ସାମ୍ନାରେ ଦକ୍ଷିଣଆଡ଼ ଦିଗ୍‍ବଳୟ ଉପରେ ମାଡ଼ିମାଡ଼ି ଆସୁଛି ପଶ୍ଚିମଆଡ଼କୁ, ସେଠି ଯେଉଁ ସିନ୍ଦୂରା ଫୁଟିଥିଲା ତାକୁ ଢାଙ୍କି ଢାଙ୍କି ମାଡ଼ି ମାଡ଼ି ଚାଲିଛି । ମହାନ ଦିଗ୍‍ବଳୟ ଫାଙ୍କା ପଡ଼ି ରହିଛି । ପୂର୍ବକୁ ଦକ୍ଷିଣକୁ ପଶ୍ଚିମକୁ ଯେତେ ଦୂରକୁ ଚାହିଁଲେ ଖାଲି ଫାଙ୍କା, ବିସ୍ତୃତି, ତଳେ ଆଉ ଉପରେ, ଆଉ ଉପରେ ଫାଙ୍କା ଆକାଶ ।

 

ଆଉ ସେ ଅନିଷା କରୁଛି କେଡ଼େ ଚଞ୍ଚଳ ଶେଷାଶେଷି ଆଲୁଅ ଲୁପ୍ତ ହୋଇ ହୋଇ ବଢ଼ି ବଢ଼ି ଚାଲିଛି, ଅନ୍ଧାର,–ଯାହା ପ୍ରକାଶ ପାଇଥିଲା ସେ ହେଲାଣି ଲୁପ୍ତ ।

Unknown

 

ଆଉ ସେହି ସୂକ୍ଷ୍ମାତିସୂକ୍ଷ୍ମ ଘଡ଼ିସନ୍ଧି ବେଳ ସତେକି କେଉଁଠି ବାଛୁରୀ ଖୋଜୁଛି ତା’ ମାଆକୁ, ଯେ ଆଉ ନାହିଁ, ବୋବାଳି ଛାଡ଼ୁଛି । ଟିକି ଚଢ଼େଇ ବିଶାଳ ସମୁଦ୍ର ଉପରେ ଖୋଜି ବୁଲୁଛି ତା’ର ଦୂରର ବସା, ଲାଗୁଚି ଯେପରିକି ସେ ଏହି ଅକୂଳ ଶୂନ୍ୟତାରେ ରାହା ପାଇପାରୁନାହିଁ କି ପାଇଁ ପାରିବ ନାହିଁ । ତା’ର କଳାପଖି ଦିଫାଳିର ଥରଥର ହଲହଲ ବି କାହିଁ ହଜିଯାଉଛି, ଆଉ ଦିଶୁନାହିଁ ।

 

ଆଉ ଲାଗୁଛି–ଯେତେ ଦୃଶ୍ୟ ସ୍ଥୂଳତାବୋଧର ସଙ୍କେତ ଦେଇଥିଲା ତା’ର କେବେ ସ୍ଥୂଳତା ନଥିଲା, ବାସ୍ତବତା ନ ଥିଲା, ସେ ଖାଲି ଅନ୍ଧାରର ଛାଞ୍ଚ, ପତିଆରା ଜନ୍ମାଇଲା ଭଳି ଛାଇଗୁଡ଼ାଏ, ଖାଲି ମିଛର ଛାଇ ।

 

ଆଉ ଲାଗୁଛି ଯେପରିକି ଏହି ସବୁ ଆତ୍ମପ୍ରତାରଣାମୟ ମିଛ ଛାଞ୍ଚ ଉହାଡ଼ରେ କେଉଁଠି ଅଛି ମିଛର ହେତୁ, ମିଛର ସତ୍ତା, ତାହାରି ଛାଇ ଏ, ସହି ଚରମ ଭ୍ରାନ୍ତି ଚରମ ଅନ୍ଧକାରର । ଆଲୁଅରେ ଅନ୍ଧାରର କଣିକା ମିଶି ସବୁ ସ୍ଥୂଳତାର ପ୍ରକାଶ ହୁଏ, ବୁଦ୍ଧି ଉପରେ କଳ୍ପନାର ଛେଇ ପଡ଼ି ଗଢ଼ାହୁଏ ଚେତନା, ସେ ଏ ସ୍ଥୂଳତାକୁ ସତ ବୋଲି ଘେନେ ।

 

ନିଜେ ସେ କ’ଣ ? ମିଥ୍ୟାର ଛାଇମାନଙ୍କ ଭିତରେ ସେ ନିଜେ ବି ଗୋଟାଏ ମିଥ୍ୟା, ଗୋଟାଏ ଭ୍ରାନ୍ତି, ଗୋଟାଏ ସ୍ୱପ୍ନ । ତଥାପି ଆପଣା ଭିତରେ ସେ ଅନୁଭବ କରୁଛି ଗୋଟାଏ ପ୍ରବଳ ଉଦ୍‍ବେଗ, ପାଣି ଫୋଟକା ସତେକି ବିଦ୍ରୋହ କରୁଛି,–ସେ ଫାଟିବାକୁ ଚାହେଁ ନାହିଁ ।

 

ମୋଡ଼ିମୋଡ଼ିକା ଫଣାଟେକା ସାପମାନଙ୍କ ପରି ଅନ୍ଧାରି ଢେଉମାନେ ମାଡ଼ି ଆସୁଛନ୍ତି, ପରସ୍ପର ଉପରକୁ ଫୁ ଫୁ କରି ଧଳା ଫେଣ ଫୋପଡ଼ା ଫୋପଡ଼ି ହେଉଛନ୍ତି । ଆକାଶରେ ଗାଢ଼ ନେଳି କଳା ବହଳ ହୋଇ ବଢ଼ି ଚାଲିଛି । ଲୋକେ ଚାଲିଯାଉଛନ୍ତି । ଜାଲଗୁଡ଼ିକ ଶୁଖାଇ ଦେଲେଣି, ଡଙ୍ଗାଗୁଡ଼ିକ ଟେକି ଥୋଇ ଦେଲେଣି । କିନ୍ତୁ ଅଇଁଠୁର ମନରେ ଏତେ ଦୃଶ୍ୟର କିଛି ଅଲଗା ଅର୍ଥ ନାହିଁ, ଅସ୍ତ, ତିରୋଧାନ, ନିଶ୍ଚିହ୍ନ ହେବା, ଖାଲି ଏତିକି ଭାବ ସେଠି ଲାଗିରହିଛି ଆଉ କିଛି ନାହିଁ ।

 

ସମୁଦ୍ରର ଘୁ ଘୁ ଶବ୍ଦ ବି ତା’ ମନରେ ସେହି ମହାପ୍ରସ୍ଥାନର ଗତି ଶବ୍ଦର ସଙ୍କେତ ହୋଇ ବାଜୁଛି ।

 

ସମୁଦ୍ର ତାକୁ ଭୟଭୀତ କରୁଛି । ଆକାଶ ତାକୁ ହେୟଜ୍ଞାନ କରୁଛି । ଏଇ ଯେଉଁ ବାଲିପନ୍ତା ତା’ ଆଗରେ ଲମ୍ବିରହିଛି, ଏ ମୁଣ୍ଡରୁ ସେ ମୁଣ୍ଡ ସେ ତାକୁ ଉପହାସ କରୁଛି ।

 

କୁଦାକୁଦି ହୋଇ ସେଠି ଅଗଣିତ ପାଦଚିହ୍ନ, ସେ ଚିହ୍ନରେ ନା ନାହିଁ, ସେ ଲୋକେ ନାହାନ୍ତି ।

 

ଏଇ ଟିକିଟିକି କଙ୍କଡ଼ାଟିମାନେ ତାଠୁଁ ଅଧିକ ବିଜ୍ଞ ଯନ୍ତ୍ରନଳ ପରି ଉପରକୁ ଉଠିଥିବା ନାଡ଼ ଉପରେ ସେହି ଗୋଲ ଗୋଲ ଆଖି ଯୋଡ଼ା ଯୋଡ଼ା ତାକୁ ଉପହାସ କରୁଛନ୍ତି । କେତେ ଲୋକ ଆସିଥିଲେ କେତେ ଗଲେଣି, ସେମାନେ ସମସ୍ତେ ଏଠି ଏଇ କଙ୍କଡ଼ାକୁ ଗୋଡ଼େଇଥିଲେ, ଧରି ପାରି ନଥିଲେ । ନାତି–ତା ଆଗରୁ ତା’ ବାପ–ତା ଆଗରୁ ତା’ ଅଜା–ପଣଜା–ତା ଆଗରୁ ଅଲେଖା ପରମ୍ପରାରେ ଅସଂଖ୍ୟ ମଣିଷ । ସେହି ସମସ୍ତିଙ୍କର ଦିନେ ନା ଦିନେ ଥିଲା ଏମିତି ବାଲିରେ ଖୋଳି ଖୋଳି ମିଛି ମିଛିକିଆ ଘରଦୁଆର ସୃଷ୍ଟି କରିବା ବୟସ, କଙ୍କଡ଼ା ଗୋଡ଼େଇବା ବୟସ, ଗୀତ ଗୁଣୁଗୁଣେଇବା ବୟସ, ଏକର ସକର ଚାହିଁବା ବୟସ, ତା’ପରେ ପୁଣି କେବେ ଆସିଥିଲା ସେହି ବୟସ ଯେତେବେଳେ ମଣିଷ ଏ ବାଲିରେ ବସି ଭଗବାନଙ୍କ ନାମ ନିଏ । କେତେ ଆସିଛି, କେତେ ଯାଇଛି ହସିବା ବୟସ ଆଉ କାଶିବା ବୟସ । କଙ୍କଡ଼ାମାନେ ଏମିତି ଆନାଇ ରହୁଥିଲେ, ଏମିତି ଧାଇଁ ପଳାଉଥିଲେ, ସେଦିନ ବି, ଆଜି ବି ସେମିତି । ସେଦିନ ସବୁ ଚାଲିଯାଇଛି ।

 

ସମୁଦ୍ରକୂଳ ବାଲି ପନ୍ତାଯାକ ଏ ଯେତେ ମଡ଼ାଚକଟା ଚିହ୍ନ, ଭୂଇଁଚଣା ଖୋଳପା, ପାନପିକ ଦାଗ, ତୁଚ୍ଛା ସିଗାରେଟ୍‍ ଖୋଳ, ଖଣ୍ଡିଆବିଡ଼ି ସିଗାରେଟ ଲାଞ୍ଜ, ଦିଆସିଲି ଖୋଳ, ଏହି ଯେତେ ବାସିଫୁଲ ଓ ଶୁଖିଲା ନଡ଼ିଆ, ସବୁ ତ ସେହି ବିରାଟ ନିଷ୍କ୍ରମଣରହିଁ ସଙ୍କେତ, ଯେ ଲୋକେ ଆସନ୍ତି ଯାଆନ୍ତି, ଦିନଗୁଡ଼ାକ ରାତିଗୁଡ଼ାକ ସବୁ ସରିଯାଏ, କୋଠା ଗୁଣ୍ଡାହୋଇ ଝଡ଼ିପଡ଼େ, ଧନସମ୍ପତ୍ତି ବଳ ଆୟୁଷ ସବୁ ସରିଯାଏ ସୌନ୍ଦର୍ଯ୍ୟ ଲୁପ୍ତ ହୋଇଯାଏ ।

 

ପାଣିଚା ବାଲି ଉପରେ ନାନା ଜାତି ଛୁଞ୍ଚିକାମ ଫୁଟେଇଲା ପରି କମକୂଟ ହେଇ ଫୁଲପଡ଼ିଛି, କେତେ ଚିତ୍ର ହୋଇଛି । ଟିକିଟିକି ସମୁଦ୍ରପୋକଙ୍କର ସେ ଗତିରେଖା । ବାଲି ଶୁଖିଗଲେ ସେ ଚିତ୍ର ଉଭେଇଯିବ, ପାଣି ମାଡ଼ି ଆସିଲେ ସେ ନିଭିଯିବ । ଆଉ ସେମିତି ଏ ବାଲିରେ ଲେଖା ହୋଇଛି ଅକ୍ଷର, କିଏ କେଉଁ ଭାଷାରେ ଲେଖି ଯାଉଛି । ଧାଡ଼ି ଧାଡ଼ି ସଙ୍ଗୀତ । ପ୍ରେମ ଚିଠି । ଦିଧାଡ଼ି ଠାର ଲିପି । ଗୋଟାକୁ ଛଳନା ପଢ଼ିବାକୁ ଚେଷ୍ଟା କରୁଛି, ବାଲିର କବିତା । ସେ ବି ବାଲିରେ ହିଁ ନିଭିଯିବ ।

 

ପାପୁଲିରେ ଗାଲ ଥୋଇ ଦେଇ ତୁନି ହୋଇ ମଣିଷଟା ଠାଆକେ ବସିରହିଛ, ସମୁଦ୍ରଆଡ଼କୁ ଅନାଇଛି, କେତେ କ’ଣ ଭାବୁଥିବ ! କେଡ଼େ ଶାନ୍ତ ଆଉ ଭଦ୍ର ! ଛଳନା ଭାବିଲା । କିନ୍ତୁ ସେପରି ଭାବି ସେ ସୁଖୀ ହେଲା ନାହିଁ, କି ଅଇଁଠୁ ପ୍ରତି ତା’ର ସମ୍ମାନ ଆସିଲା ନାହିଁ ।

 

ସେ ଖାଲି ଅନୁଭବ କଲା ଏକପ୍ରକାର ନିଷ୍ଫଳତା, ଗୋଟାଏ ନୈରାଶ୍ୟ । ଯେପରିକି ବାଦବୁଦିଆ ହୋଇ ସେମାନେ ଗୋଡ଼ିଆଗୋଡ଼ି ହେଉଥିଲେ, ସେ ମହାଉଲ୍ଲାସରେ ମହା ଉତ୍ତେଜନାରେ ଆଗେଆଗେ ଦୌଡ଼ିଦୌଡ଼ି ଆସୁଥିଲା କାଳେ ପଛରୁ ଆରକ ତାକୁ ଧରି ପକାଇବ ବୋଲି, ତା’ ପରେ ହଠାତ୍‍ ପଛକୁ ଅନାଇ ସେ ଦେଖୁଛି କେହି ତାକୁ ଗୋଡ଼ାଉ ନାହିଁ, ପଛରେ କେହି ନାହିଁ, ନିଛାଟିଆ ବେଳାଭୂମିରେ ସେ ଖାଲି ଏକୁଟିଆ । ବସିଛି ଜଣେ ହଁ, ହେଇତ ତା’ର କତିରେ ବସିଛି, ସେ ଜୀଅନ୍ତା ମଣିଷ ନୁହେଁ, ଗୋଟାଏ ପଥର ମୂର୍ତ୍ତି ।

 

ମନ ତା’ର ପ୍ରାଣପଣେ ଅଳି କରି ଯାଉଛି, ଆବେଗ ଆଉ ନିରାଶାର କୋହରେ, ପଥର ମୂର୍ତ୍ତି ମଣିଷ ହଁ, ମନ ବୁଝୁଛି ପଥର ମୂର୍ତ୍ତି ମଣିଷ ହେବ ନାହିଁ, ସେ ଖାଲି ସୁନ୍ଦର ସ୍ଥାପତ୍ୟ ।

 

ଅଳସ ଭଙ୍ଗୀରେ ଆଉଜି ରହିଛି ଛଳନା, ଗୋଡ଼ ଲମ୍ବେଇ ବସିଛି, ପିଠିଆଡ଼େ ବାଲିରେ ମାଡ଼ିରଖି ଦୁଇ ହାତକୁ ଢିରାଦେଇଛି, ଚାହାଣି ଅଳ୍ପ ତେରଛେଇ ଡାହାଣଆଡ଼କୁ ଢଳିଛି, ସେହି ଯେଉଁଠି ଅଇଁଠୁ ଟିକିଏ ଛାଡ଼ି ବସି ରହିଛି ସେହିଆଡ଼କୁ । ବାରମ୍ବାର ତା’ ମୁହଁରେ ତାତି ଚହଟିଥିଲା, ଓଠ, ଆଖିତଳ, କାନମୁଣ୍ଡା ଅସ୍ୱାଭାବିକ ଭାବେ ତାତି ଯାଇଥିଲା, ବାରମ୍ବାର ତା’ ଦେହରେ ବିଜୁଳି ଖେଳିଥିଲା, ନିଶ୍ଵାସ ତରତର, ଆଖିରେ ଅସ୍ୱାଭାବିକ ଜ୍ୟୋତି । ତା’ର ମନ ଗହୀରର ଅନ୍ଧାରି ଗମ୍ଭୀରାରେ ଥିଲା ଆଉ ଗୋଟିଏ ଛଳନା, ସାତତାଳ ସମୁଦ୍ର ଭିତରେ ଫରୁଆ ଭିତରେ ଫରୁଆ, ତା’ ଭିତରେ ସେ । ପଦାରେ ତା’ର ଠାଣି ଉପରେ ଭଙ୍ଗୀ ଉପରେ ଖେଳୁଥିଲା ସେହି ଭିତରର ଛଳନାର ଆଲୁଅ । ସେ ଦେଖିଥିଲା–ନିଛାଟିଆ ସମୁଦ୍ର କୂଳ, ସଞ୍ଚଘଡ଼ି, ଆଗରେ, ଅସରନ୍ତି, ସମୁଦ୍ର, ସେଠି ମଣିଷର ଗନ୍ଧ ନାହିଁ ଚିହ୍ନ ନାହିଁ, ପଛରେ ଢେଉଢେଉକା ବାଲିବନ୍ତ, ଲୋକାଳୟଠୁଁ ଦୂରରେ, ଫାଙ୍କା ଛିନା ଛିନା, କିଏ ଯଦି କେତେବେଳେ ଚାଲିଯାଉଛନ୍ତି ସେମାନେ ଅଚିହ୍ନା, ସେମାନେ ଅବାସ୍ତବ । ବାସ୍ତବ ଖାଲି ସେ ନିଜେ, ଆଉ ତା, କତିରେ ବସିଥିବା ଏଇ ଯୁବକ, ଆଉ ଏ ଅନ୍ଧାର, ତଳେ ଉପରେ, ଯେ ବଢ଼ିବଢ଼ିକା ଘୋଟି ଘୋଟି ମଝିର ପରିସରକୁ ସାନ କରି କରି ସେ ଦୁହିଁଙ୍କୁ ପାଖକୁପାଖ ଲଗାଲଗି କରି ଦେଉଛି । ତା’ର ସଂସାର କେବଳ ସେତିକି ।

 

ମନ ଭିତରେ ପଦାରୁ ଗୋଟେଇ ସାଇତିଥିବା ସଂସ୍କାର ଠିଆ କରିଥିଲା ସତେକି ଗୋଟାଏ ବୁଢ଼ା ଜଗୁଆଳି, ସେ ହାଇମାରି ଢୁଳେଇ ପଡ଼ୁଥିଲା, ନିଦୁଆ ନିଦୁଆ ହୋଇ ଗୋଟାଏ ଉଦ୍ଭଟ କଳ୍ପନା ସଜାଇ ଗୋଟାଏ କୋକୁଆ ଭୟର କାହାଣୀ କହୁଥିଲା, ଗୋଟାଏ ଅସଜ ଅବସ୍ଥାର କଥା, ତା’ର ଉତ୍ତର ଦେଇଥିଲା ସେ,–ଛଳନା । ସେ ଚିତ୍କାର କରିଥାନ୍ତା,–"ଅଭଦ୍ର ! ରାକ୍ଷସ ! ପଶୁ-!’’ ତୀବ୍ର ଆନନ୍ଦରେ ତା’ ଦେହରେ ଢେଉ ଖେଳିଗଲାବେଳେ ସେ ଆହୁରି ଚିତ୍କାର କରିଥାନ୍ତା, ମହାଉଲ୍ଲାସରେ ତା’ର ଦଶ ଆଙ୍ଗୁଠିର ରଙ୍ଗବୋଳା ନାଲି ଟହଟହ ମୁନିଆଁ ନଖରେ ଆମ୍ପୁଡ଼ନ୍ତା, ହାତରେ ପିଟନ୍ତା ଛାଟନ୍ତା ଆଉ ଅବଶ ହୋଇ ଆଉଜି ପଡ଼ି ଭାଗ୍ୟକୁ ମୁଣ୍ଡ ନୁଆଁଇଦେଇ ସୁଖରେ ଆଖିବୁଜନ୍ତା, ଆଉ ଅନ୍ଧାରରେ ଲୁଛି ରହନ୍ତା । ସେହି ଭିତରର ଛଳନା ଉପରକୁ ଭାବର ସଙ୍କେତ ଛାଟିଥିଲା, ଏଇ ମଣିଷକୁ ଏମିତି ବେଳରେ ସେ ନିଜେ ତ ଗଢ଼ିଛି ତାରି ଅବଲମ୍ବନ ହେବ ବୋଲି, ତା’ର ସ୍ୱତନ୍ତ୍ରତା ନାହିଁ, ସେ ତାରି ଅଧିକାରର, ସେ ଲୋଡ଼ିଥିଲା ତାଠୁଁ ମିଳିବ ଆକସ୍ମିକ ଉଦ୍‍ବେଗରେ ଚମକ, ଆତଙ୍କ, ବନ୍ଧନ ପୀଡ଼ା, ସବୁ ମିଶିଗଲେ, ସାତବର୍ଣ୍ଣ ଏକାଠି ମିଶି ଧଳା ଆଲୁଅ ହେଲାପରି ସେହି ଏକ ଆକାଙ୍‍କ୍ଷିତ ଆନନ୍ଦ । ଅନ୍ଧାର ଭିତରେ ନିଛାଟିଆ ଦେଉଳ ଦୁଆର ମୁହଁରେ ସେହି ଗୋଟିକିଆ ଦୀପର ଧାସ ଜଳୁଥିଲା ତା’ ପାଇଁ, ତା’ ନିଜ ଭିତରର ବୁଢ଼ା ଜଗୁଆଳି କେଉଁଠି ସ୍ୱପ୍ନରେ ହଜି ଯାଇଥିଲା ।

 

ସେତିକିବେଳେ ତା’ ମନରେ ନୂଆ ମୂଲ୍ୟବୋଧ ଉପୁଜିଥିଲା, କେଉଁଟା ସତ କେଉଁଟା ମିଛ, କେଉଁଟା ବାସ୍ତବ କେଉଁଟା ଅବାସ୍ତବ ସେହି ଧାରଣା । କେଉଁଠି ସେ ଜନ୍ମ ହୋଇଥିଲା, କିଏ ତାକୁ ଏଡ଼ୁଟିରୁ ଏଡ଼େଟିଏ ହେବାଯାକେ ମଣିଷ କଲେ ସାମାଜିକ ସମ୍ବନ୍ଧ ଡୋରିରେ କେମିତି ସେ ବନ୍ଧାହୋଇ ଗୋଟିଏ ବିଶିଷ୍ଟ ବାଗରେ ପ୍ରକାଶ ପାଇ ରହିଛି, ସେ ସବୁ ଖାଲି ଅବାସ୍ତବ ହିଁ । ପାଣି କୂଳେକୂଳେ ଦଳଦଳ ହୋଇ ଲୋକେ ଲେଉଟି ଚାଲିଲେ । ସେମାନେ ବି କେଉଁ ଦୂର ସହରର ଲୋକ, ତାରି ପରି ବୁଲି ଆସିଥିଲେ, ବାଲିରେ କବିତା ଖୋଜି । ଅଳ୍ପ ମନେ ପଡ଼ିଥିଲା, ସେମାନେ ଯେମିତି ଗପି ଗପି ଚାଲି ଯାଉଛନ୍ତି ସେ ବି ସେମାନଙ୍କ ପାଦରେ ପାଦ ମିଶାଇ ଲେଉଟି ଯାଆନ୍ତା, ସେମାନଙ୍କର, ବିଶିଷ୍ଟ, ସାଜ, ସିଗାରେଟ୍‍ ଟାଣୁଛନ୍ତି, କ୍ୟାମେରା ଝୁଲେଇଛନ୍ତି, ଆଲୋଚନା କଲାପରି କଥା କହୁଛନ୍ତି, । ସେମିତି ଏ ଯୁବତୀମାନେ, ସେହି ଚିହ୍ନା ବେଶ, ପ୍ରସାଧନ ଓ ଦେହର ମହକ ।

 

କିନ୍ତୁ ସେମାନେ ବି ଅବାସ୍ତବ । ଗ୍ରହଠାରୁ ଉପଗ୍ରହ ପରି ଘଟଣାଠାରୁ ଦୂରରେ ରହି ଖବରକାଗଜ ପଢ଼ି ଅଚିହ୍ନା ରାଇଜର ସମ୍ବାଦକୁ ଏଠୁ ଟିକିଏ ସେଠୁ ଟିକିଏ ପଢ଼ି ଅତି ଚଞ୍ଚଳ ମନରୁ ଝାଡ଼ିଦେଲାପରି, ଯେମିତି ଧାନ ବିଲରେ ଭାସିଭାସି ଯାଏ ଚିଲିକାର ହଂସ, ପାଚିଲା ଧାନ ଭିତରେ, ଏଠୁ ସେଠୁ ଦିଟା ଧାନ ପାଟିଭିତରକୁ ନେଇ ବେକେ ଧାନଗଛକୁ ଦଳି ମନ୍ଥି ପାଣିରେ ମାଡ଼ିଦେଇ ଆଗକୁ ଆଗକୁ ଭାସିଯାଏ, ସେମିତି ଏ ଚଳନ୍ତି ଦୃଶ୍ୟର ଭାବକୁ ଅଧାଟିଆଁ ଭାବ ଭିତରେ କେଉଁଠି ଟିକିଏ ଗ୍ରହଣ ନ କରୁଣୁ ସେ ବିସ୍ମୃତିରେ ବୁଡ଼ାଇ ଦେଇ ପହଁରି ପହଁରି ଚାଲିଯାଉଛି, ସେ ବି ଅବାସ୍ତବ ।

 

ବାସ୍ତବ ଏ ବେଳାଭୂଇଁ, ଏ ମାଡ଼ି ଆସୁଥିବା ଅନ୍ଧାର । ଆଉ ଏଇ ବିଚିତ୍ରଗୁଡ଼ାକଙ୍କ ଫୁଲର କଣ୍ଟା ପେଣ୍ଡୁଳା, ଅନ୍ଧାର ଘୋଡ଼ି ହୋଇ ନାଚି ନାଚି ଜୀଅନ୍ତା ପ୍ରାଣୀ ପରି ଦଳକୁଦଳ ସମୁଦ୍ର ପବନ ପେଲାରେ ବାଲି ଉପରେ କୁଆଡ଼ୁ ଆସି କୁଆଡ଼ୁ ଧାଇଁ ପଳଉଛି ।

 

ବାସ୍ତବ ସେହି ଅନ୍ଧାରି ଦେଉଳ ଆଗର ଦୀପ ସଳିତାର ଥରଥର ନିଆଁ ଧାସ ।

 

ଆଉ ତା’ର ବିଚିତ୍ର ପ୍ରତୀକ୍ଷା ।

 

ଦୀପ ଜଳୁଛି ।

 

ଅନ୍ଧାର ଘୋଟିଛି ।

 

ପରିଣତି ଘଟିନାହିଁ ।

 

ପଥରର ମୂର୍ତ୍ତି ବସିଛି, ଭଦ୍ର, ଶାନ୍ତ ।

 

ଭିତରର ଛଳନା ଦୁଃଖ ପାଇଛି, କିଏ ତାକୁ ଅବହେଳା କରିଛି, ସ୍ଵୀକାର କରିନାହିଁ ।

 

ତାର ଦୁଃଖ ଆଘାତ ନ ପାଇବାର ଆଘାତରୁ ଉପୁଜିଛି, ତା’ପରେ ସେ ତା’ର ଉତ୍ତେଜନାମୟ ଯାତନାମୟ ଦେହବ୍ୟକ୍ତିତ୍ୱରୁ ନିଷ୍କୃତି ଘେନି ଆକାଶରେ ମିଶିଯାଉଛି । ସେ ଦେହରେ ବନ୍ଦିନୀ ନୁହେଁ । ସିନ୍ଦୂରା ଲାଗିଥିବା କଳା ଆକାଶତଳି ପରି ସେ ବି ଗୋଟିଏ ବ୍ୟାପକ ପ୍ରକାଶ, ରହସ୍ୟମୟୀ । ବିଶାଳ ପ୍ରକୃତିର ଗୋଟିଏ ଭାବର ସ୍ପନ୍ଦନ ।
 

 

ଅନୁଭବ କରୁଛି, ସେ ସମସ୍ତିଙ୍କର ସୁଖ ଆନନ୍ଦ କାମନା କରୁଛି, ନିଜପାଇଁ ନୁହେଁ ।

 

ସେ କଲ୍ୟାଣମୟୀ ।

 

ସେ ଅଶୋକଭଞ୍ଜିକା । ତା’ ପାଦ ବାଜିଲେ ମଲାଗଛ କଅଁଳି ଉଠିବ, ମରୁଭୂମି ଶସ୍ୟଶ୍ୟାମଳା ହେବ । ତା’ର ପ୍ରତି ଅଣୁ ସୁଦ୍ଧା ପରର ସେବାରେ ଲାଗିରହିବ । ତା’ ଆନନ୍ଦ ତ୍ୟାଗର । ତା’ ମନରେ ନୂଆ ସ୍ୱପ୍ନ, ସେ ନୂଆ ପତ୍ତନରେ ବିକାଶ ପାଇଛି ।

 

ହଠାତ ଅଇଁଠୁ ଉଠି ଠିଆହେଲା । ଆକାଶଆଡ଼କୁ ହାତ ଦେଖାଇ କହିଲା, ''ଯାଃ ! ଜହ୍ନ ପଡ଼ିଲାଣି ! ବେଳ ଚାଲିଗଲା ଜାଣିହେଲା ନାହିଁ ।'' ଛଳନାର ସ୍ୱପ୍ନ ଭାଙ୍ଗିଗଲା । ସେ ପୁଣି ଆକାଶରୁ ଲେଉଟି ଆସିଲା ତା’ର ପୃଥିବୀକୁ ଆଉ ତା’ର ସେ ଦେହକୁ ଯେଉଁଠି ଏବେ ବି କ’ଣ ତୋଫାନ ପରି ରାଉରାଉ ହେଉଛି, ନଈମୁଣ୍ଡ ଡାକୁଛି । ତା’ ଆଖି ଦୃଶ୍ୟର ଭାବ ଗ୍ରହଣ କଲା–ଆକାଶରେ ଜହ୍ନ, ତା ଉପରେ ଗୋଟିକିଆ ତରା, ନିଛାଟିଆ ସମୁଦ୍ରକୂଳ, ଜହ୍ନ ଝଲଝଲ ଲହଡ଼ି, ପିଠିଆଡ଼େ ଢେଉଢେଉକା ବାଲିବନ୍ତ, ଦୂରରେ ଝାଉଁବଣ, ଜହ୍ନ ଆଲୁଅରେ ଭାସିଲା ଛବି । ଖଣ୍ଡେ ଦୂରରେ ଚୁପଚାପ ପୁରୁଣା କୋଠାଗୁଡ଼ିଏ, ସେହି ଯେଉଁଠି ଆଲୁଅ ଜଳେ ନାହିଁ, ପାଟି ଶୁଭେ ନାହିଁ ।

 

ପୁଣି ସେହି ପୁରୁଣା ଭାବ । ଦେହ ଉଠୁନାହିଁ । ଛାତି ଭିତର ଚାଉଁ ଚାଉଁ ଲାଗୁଛି ।

 

ଅଇଁଠୁ କହିଲା, ''କ୍ଷମା କରିବେ । ଆଗରୁ କହିଲି ନାହିଁ, ଆପଣଙ୍କର ଏତେ ଡେରି ହୋଇଗଲା ।'' ଅଇଁଠୁ ଚାଲିଲା । ତା’ ପଛେ ପଛେ ସେ ବି ଚାଲିଲା । ଜଣେ ନାହିଁ, ଚାଲୁଛି । କଳ ପଛେପଛେ କଳ ।

 

ଚେତି ଉଠିଲା, ସେ ଓଟାରି ହୋଇ ନିଆହେଲା ପରି ଚାଲି ଯାଉଛି, ଗାଡ଼ି ଚାଲିଯାଉଛି-। ପଛରେ ରହିଗଲା ଏ ଗୋଟାଏ ସ୍ଥାନ, ଜୀବନର ଗୋଟିଏ ମୁହୂର୍ତ୍ତ, ସବୁ ଲୁଚିଯାଉଛି ଝଲ ଝଲ ଜହ୍ନ ଆଲୁଅରେ ।

 

ସବୁ ଅମେଣ୍ଟା, ଅତୁଟା, ଅସମାପ୍ତ–

 

କାନ୍ଦ ମାଡୁଛି । କାନ୍ଦିବା ମନା ।

 

ଆଗରୁ ଅଇଁଠୁ ଉପଦେଶ ଦେଇଛି " ହୁସିଆର, ତଳକୁ ଓଲ୍ହାନ୍ତୁ ନାହିଁ । ଢେଉରେ ଚଟି ଓଦା ହେବ, ସମୁଦ୍ର ସାପ ବି କୂଳରେ ପଡ଼ିଥିଲେ, ଭାରି ବିଷ, ଉପରେ ଶୁଖିଲାରେ ଚାଲନ୍ତୁ ।"

 

ବାଲିରେ ପାଦ ଘୋଷାରି ଘୋଷାରି ଛଳନା ଚାଲିଛି । ହୁସିଆର ହୋଇ ଚାଲିଛି, ଯେମିତି ଆଗ ଗୋଡ଼ରେ ପାଣି ନ ଲାଗିବ ।

 

ସମୁଦ୍ରକୂଳରୁ ହୋଟେଲକୁ ଲେଉଟି ଆସି ଛଳନା ପୁଣି ତା’ ଚିହ୍ନା ସଂସାରର ମାପ ଓ ମୂଲ୍ୟ ଫେରସ୍ତ ପାଇଥିଲା । ମା ଉତ୍ସୁକ ହୋଇ ଚାହିଁଲେ, ବାପା ମୁହଁ ବୁଲାଇ ଦେଇ ଅଳ୍ପ ଦୂରରେ ବସି ରହିଲେ ।

 

ତାକୁ ଲାଗିଲା, ସେମାନେ ତାଠୁଁ ସମ୍ବାଦ ଜାଣିବାକୁ ଉତ୍ସୁକ । ଏମିତି ଏ ଅକୁହା ପ୍ରଶ୍ନକୁ ସେ ଅନୁଭବ କରିପାରେ, ଏଥିରେ କବିତା ନାହିଁ, ଖାଲି ଗୋଟିଏ ହିସାବୀ ଯୋଜନା, ସତ୍‍ପାତ୍ର ମିଳିଲେ ରାଜିହେଲେ ସେମାନେ ତାକୁ ବିଭା କରିଦେଇ ନିଶ୍ଚିନ୍ତ ହୁଅନ୍ତେ, ତା’ର ଆତ୍ମମର୍ଯ୍ୟାଦା ଏ ଆଗ୍ରହୀ ଦୃଷ୍ଟି ଆଗରେ ଝାଉଁଳି ପଡ଼େ, ତା'ପରେ ସବୁ ଝାଞ୍ଜି ଦେହସୁହା ହୋଇ ଭୁଲି ହୋଇଗଲା ପରି ସେ ବି ଭୁଲି ହୋଇଯାଏ, ଛଳନା ପୁଣି ହୁଏ ଗେହ୍ଲା ଝିଅ, କିଛି ଜଣେ ନାହିଁ, ଦାୟିତ୍ୱ ମୁଣ୍ଡେଇବା ଗରଜ ତା’ର ନୁହେ ।

 

ତା ମୁହଁକୁ ଚାହୁଁଚାହୁଁ ଆଗ ଫୁ କରି ଦୀର୍ଘଶ୍ୱାସ ପକାଇଲେ ତା’ ବୋଉ । ଛଳନା ଆଶ୍ଵସ୍ତା ହେଲା । ସେ ଜାଣିଲା ସେ ବୁଝିପାରିଛନ୍ତି, ସବୁ ଯେମିତି ଥିଲା ସେମିତି, ମାଛ ପଡ଼ିନାହିଁ, କଙ୍କଡ଼ା ପଡ଼ିନାହିଁ । ତା'ପରେ ତା’ ବାପା କ’ଣ କରିବେ ସେ ତା’ ବି ଜଣେ, ହେଇ ସେ ଡାହାଣ ପାପୁଲି ମୁଣ୍ଡ ଉପରକୁ ଟେକିଲେଣି, ତିନିଟା ଆଙ୍ଗୁଠିରେ ସେ ମୁଣ୍ଡର ଡାହାଣପାଖ ଉପରେ ଆଞ୍ଚୁଡ଼ିବେ, ହେଇ ଆରମ୍ଭ କଲେଣି । ତା'ପରେ ଶୂନ୍ୟକୁ ଲକ୍ଷ୍ୟକରି ଚଞ୍ଚଳ ଚଞ୍ଚଳ କରି ତିନି ଚାରିଥର ଫୁ ଫୁ କରି ବିଡ଼ି ଧୂଆଁ ଚଞ୍ଚଳ ଛାଡ଼ିବେ, ସେହି ଧୂଆଁର ଭଉଁରିକୁ ଅନାଇ ରହିବେ, ତା'ପରେ ପୁଣି ସଂସାର ସୁସ୍ଥ ହେବ ।

 

ଛଳନା ଲୁଗା ପାଲଟିବାକୁ ଗଲା । ଖୋଳପା ପରି ତା’ର ପିନ୍ଧା ସାଜ ପାଲଟି ଥୋଇ ଦେଲାବେଳକୁ ତା’ ଉପରେ ତା’ ଚାହାଣି ମାଣ୍ଟେଇ ରହିଲା । ତା'ପରେ ତା’ର ମନେ ପଡ଼ିଲା, ସେ ଯୁଆଡ଼େ ଥାଉ, ଯେପରି ଅବସ୍ଥାରେ, ସବୁବେଳେ ତା’ ପଛଆଡ଼େ ଆୟବ୍ୟୟର ଅଦେଖା ହିସାବଖାତା, ଘୁଡ଼ିରେ ସୂତା ପରି ।

 

ପୁରୀ ବୁଲା ସରି ଆସିଲା, ତା'ପରେ ଗୋଟାଏ ନୀରସ ବିବର୍ଣ୍ଣ ଜୀବନ, ବନ୍ଧାଗତ । ତା ପାଇଁ ବର ଖୋଜା ହେଉଥିବ, ଚାହା ପିଇବା ପରି ସେ ବି ଗୋଟାଏ ଗତ । ବର ବି କିଏ ଜଣେ ଘଟିଯିବ, ସମସ୍ତିଙ୍କର ତ ଘଟେ ସେ ଦେଖିଛି । ସେ ଧନୀ ହୋଇଥିବ କି ଦରିଦ୍ର ହୋଇଥିବ ସେ ଜାଣେ ନାହିଁ, ହୁଏତ ଧନୀ ହୋଇ ନ ଥିବ ପରା, ତା’ରି ସମାଜ ତାରି ଶ୍ରେଣୀ ଭିତରୁ ତ କେହି ଜଣେ ! ଏମିତି ଚାଲିଥିବ ତା’ ନିଜ ବନ, ଯେମିତି ତା’ ବାପା ବୋଉଙ୍କର ।

 

ସେତେବେଳେ ଛଳନାର ଭାବନା ଭିତରେ ପୁରି ନଥିଲା । ସେ ପୁଣି ସେହି ବଡ଼ ସହରରେ ଭଡ଼ାଘରେ ଝରକା ପାଖରେ ଜାଣିଲା ବୁଝିଲା ଝିଅଟିଏ, ଚିନ୍ତାରେ ବୁଡ଼ିଛି ।

 

ସେ ଭାବୁଛି ଧନର ତାରତମ୍ୟରେ ଏଠି ଭାଗ୍ୟର ତାରତମ୍ୟ । ଏହି ଯେତେ ବଡ଼ବଡ଼ କୋଠା ସେ ସତେକି ତା’ ଉପରେ ଅଜାଡ଼ି ହୋଇ ପଡ଼େ ତା’ର ଧନର ବୋଝଧରି, ଏତେ ଧନର ଦୀପ୍ତି ତା’ ଆଖିକୁ ଜ୍ଜ୍ୱାଳା ଦେଇ ଦେଇ ବୁଜି ପକାଏ, ସେ ନୈରାଶ୍ୟରେ ବୁଡ଼େ ।

 

ସେହି ନିରାଶା ଭିତରୁ କୁହୁଳି କହୁଳି ସେ ଉଠୁଛି ହିଂସାରେ ରାଗରେ ମନରେ ସେହି ପୁରୁଣା ଘା'ର ପୋଡ଼ାଜଳା ପରି ପୁରୁଣା ଝାଞ୍ଜିରେ ସେହି ଅମେଣ୍ଟା ପ୍ରଶ୍ନ–'କାହିଁକି ଏପରି ହୁଏ ? କିଏ ଦାୟୀ ?' ଭାଗ୍ୟ ବୋଲି କହିଦେଲେ ମନ ମାନେ ନାହିଁ । ସେ ଦେଖିଛି ବିକ୍ଷୋଭ, ପଟୁଆର, ପଦାରୁ ସେ ଗର୍ଜନ ଶୁଣିଛି, ଅପଣା ଦାରିଦ୍ର୍ୟକୁ ଭାଗ୍ୟର ଫଳ ବୋଲି ସେମାନେ ସ୍ୱୀକାର କରିନାହାନ୍ତି, ସେ ବି କରି ନାହିଁ । ମନ ହେଉଛି, ଭାଙ୍ଗନ୍ତା ଜାଳନ୍ତା ଫୋପାଡ଼ନ୍ତା କଚାଡ଼ନ୍ତା, ସେହି ଧ୍ୱଂସର କଳ୍ପନାରେ ଘୋଟିଯାଏ ଆଦିମ ରଙ୍ଗ ନାନାଜାତି, ତା’ର କୈଶୋରର ଆବେଗ ତାକୁ ସ୍ୱାଗତ କରେ । ସେମିତି ପୁଣି ସେ ମାତି ଉଠିଛି । ତା’ର ଶତ୍ରୁ ଦରକାର, ସେହି କଳ୍ପିତ ଅଜଣା ଶତ୍ରୁମାନଙ୍କ ନାଁ "ସେମାନେ" । ସେହି 'ସେମାନେ'–ଯାହାଙ୍କର ଅଛି, ତା’ର ନାହିଁ । ସେ ପଢ଼ିଛି, ଭାବିଛି, କଳ୍ପନା କରିଛି, ବସି ବସି ମନେମନେ ଗାଳିଦେଇଛି ।

 

ସେ କଳ୍ପନା କରିଛି, ସେମାନେ ଅଲକ୍ଷ୍ୟରେ ଫାନ୍ଦି ପାତନ୍ତି, ସବୁ ଭୋଗ ସବୁ ଧନ ସବୁ ସୁବିଧା ତାଙ୍କରି ଜାଳରେ ହିଁ ଧରାପଡ଼େ, ସେହିମାନେ ଚୋବେଇ ଶୋଷି ଓଟାରି ନିୟନ୍ତି ଆଖୁ ଖଣ୍ଡକରୁ ସବୁ ରସ, ମାଛ ମୁଣ୍ଡରୁ ସବୁ ଦହି, ଫୁଲରୁ ସବୁ ମହୁ ସବୁ ସୁବାସ, ସେହିମାନେହିଁ ତ !

 

ତାର ବାପ ମା ବଞ୍ଚିବା ଧନ୍ଦାରେ ଛଟପଟ ଦୁର୍ବଳ, ଦୁଶ୍ଚିନ୍ତାରେ ସଢ଼ିସଢ଼ି ବୁଢ଼ାବୁଢ଼ୀ, ତା’ର ଭାଗ୍ୟ ଆଗରେ ପ୍ରକାଣ୍ଡ ପାଚିରୀ, କିୟା ଦାୟୀ ? ସେମାନେ ହିଁ ତ !

 

ତାର ସୁକୁମାର ଦେହ ଭିତରେ ଧକ୍‍ଧକ୍‍ ହେଉଥିଲା ଗୋଟାଏ ପ୍ରକାଣ୍ଡ ବଏଲର୍‍, ରାଗରେ ଆଉଟି ହୋଇ ତା’ର ଦୁଃଖ ଉତୁରି ଉଠୁଥିଲା, ସେ ପାଗଳ ହେଉଥିଲା । ସେ ଭାବୁଥିଲା ତା’ ବାପ ମା ତାହାରି ବିଭାଘର ପାଇଁ ତ ଧନ୍ଦି ହେଇଛନ୍ତି, ଛି ଏଇ ଦେହଟା ପାଇଁ ! ଏଇ ନିଷ୍ଠୁର ଶୋଷଣମୟ ସଂସାର ଭିତରେ କାହିଁ ସ୍ନେହ ଶରଧା ପାଇଁ ସ୍ଥାନ ! ସୁଖ କାହିଁ ! ବିବାହ ବି ଅର୍ଥବଳର ଆଶ୍ରିତ ! କାହିଁକି ସାଇତିଛି ସେ ଦେହଟାକୁ ! କାହିଁକି ବଞ୍ଚିଛି ! କାହାର କି ଲାଭ କରିବ ବୋଲି ।

 

ତାର ଆଖି ଯୋଡ଼ିକ ଦୂରର ଫମ୍ପା ଫାଙ୍କା ଆକାଶଆଡ଼କୁ ଡେରି ହୋଇ ରହି ଧୀରେ ଧୀରେ ବଡ଼ ହୋଇ ସତେକି ପଦାକୁ ବାହାରି ପଡ଼ୁଥିଲା । ତା’ର ବାଁ ହାତଟି ତା’ ମୁଣ୍ଡ ଉପରକୁ ଚାଲିଯାଇଥିଲା, ଆପଣା ମୁଣ୍ଡବାଳରୁ ମୁଠିଏ ଚିପିଧରି ଓଟାରିବାକୁ ଆରମ୍ଭ କରିଥିଲା, ତା’ କାନ୍ଧ ଉପରୁ ଲୁଗା ଖସିପଡ଼ିଥିଲା, ବ୍ଲାଉଜରେ ବେଢ଼େଇ ହୋଇଥିବା ଦେହରେ ସତେକି ଭୂମିକମ୍ପ ଲାଗିଥିଲା ।

 

ସେତିକିବେଳେ ସେ ଦେଖିଲା,–ଦୂରରେ ଝାଉଁଗଛ ଉଢ଼ୁଆଳରେ ଜହ୍ନ ଉଠିଲା । ଜହ୍ନ ଉପରେ ଛୁଞ୍ଚିରେ ଗାର ପଡ଼ିଲାପରି ଝାଉଁପତ୍ରର କଳା ଗାରମାନ, ଜହ୍ନ ଚାରିକରେ ବଉଦରେ ନାଲି ମଣ୍ଡଳ ପଡ଼ିଛି,ତା ସେକରେ ଗାଢ଼ ନେଳି ଖୋଲା ଫରଚା ଆକାଶ ।

 

ଆଉ ସେହି ଜହ୍ନ ସତେ ଯେପରିକି ତାକୁ ମୁହାଁମୁହିଁ ଚାହିଁ ଥିରିଥିରି ହସିବାକୁ ଲାଗିଲା । ଛଳନା ଚମକି ପଡ଼ିଲା । ମନ ଅଜାଣତରେ ତା’ ଓଠରେ ଅଧାହସଟିଏ ଫୁଟି ଉଠିଲା । ମୁଣ୍ଡବାଳ ଉପରେ ବାଁ ହାତର ମୁଠା ଜାବ କୋହଳ ହୋଇ ଫିଟିଗଲା । ଛାତିର କମ୍ପ ଥମ୍ବିଗଲା । ସମଗ୍ର ଦେହଯାକ ଟାଙ୍କିହୋଇ ଯାଇଥିବା ସ୍ନାୟୁଗୁଡ଼ିକ ପୁଣି ସୁସମ ସହଜ ହୋଇଗଲେ । ଲାଗିଲା ଏ ଜହ୍ନ ତାକୁ ବାଟ କଢ଼ାଇ ଘେନି ଯାଉଛି ଅନ୍ଧାରି ଗହ୍ୱର ଭିତରୁ ବିଶାଳ ଜୀବନ ଭିତରକୁ, ଜୀବନ ବଡ଼, ଜୀବନ ସୁନ୍ଦର ।

 

କେବେ ପିଲା ଦିନେ ଭୂଇଁରେ ଶୋଇରହି ସେ ଆକାଶକୁ ଅନାଇ ଜହ୍ନମାମୁଁ ଜହ୍ନମାମୁଁ ଡାକିଥିଲା ।

 

କେବେ କେଉଁଠି ଝରକାବାଟେ ସେ ଜହ୍ନକୁ ଅନାଇ ରହିଥିଲା, ଭୋକଶୋଷ ଭୁଲିଥିଲା-

 

କେଉଁ ଅଲେଖା ଯୁଗରୁ ତା’ର ଏ ଜହ୍ନମାମୁଁ ସଙ୍ଗେ ସାଙ୍ଗ । ଜହ୍ନ ଉଏ ତାକୁ ନୂଆ ବାଟରେ ହାତ ଧରି ଘେନିଯିବାକୁ । ପୁଣି ନୂଆ ପତ୍ତନରେ ନୂଆ ମାଧ୍ୟମରେ ନିଜର ଅବସ୍ଥିତିକୁ ସେ ଅନୁଭବ କରୁଛି । ଲାଗୁଛି, ଶଙ୍କା ଆଉ ନୌରାଶ୍ୟରେ ସେ କେଉଁ ଅନ୍ଧାରି ଗୁମ୍ପାରେ ପଡ଼ି ରହିଥିଲା ଆଉ ସେ ନାହିଁ, ସେ ଅନ୍ଧାର କାଟି ଆଲୁଅକୁ ବାହାରି ଆସିଛି, ବନ୍ଧନ ଭିତରୁ ମୁକ୍ତିକୁ । ବଡ଼ବଡ଼ ନିଶ୍ୱାସ ଓଟାରି ଓଟାରି ସେ ସତେକି ଆଶା ଆନନ୍ଦମୟ ଜୀବନର ମହକକୁହିଁ ଗ୍ରହଣ କରିବାକୁ ଲାଗିଲା । ହେତୁ ପଡ଼ିଲା, ସେ ପୁରୀ ଦେଖିବାକୁ ଆସିଛି । ତା’ର ବାପ ମା ଅଛନ୍ତି, ତା’ରି ପାଖେ ପାଖେ ଅଛନ୍ତି । ସେ ନିଶ୍ଚିନ୍ତ । ସେପାଖେ ଜହ୍ନ ଝଲମଲ ସମୁଦ୍ର, କିସୁନ୍ଦର ! ଆରପଟେ,–ସହରର ଆଲୁଅ କୋଠା ଗଛ ଗହଳି ସବୁରି ଉପରେ,–ଆଶ୍ୱାସ ସାହସ ଆଶାର ନିର୍ଭରପଣ ଅଟଳରଖି ଠିଆ ହୋଇଛି, ବଡ଼ଦେଉଳ, ତା’ର ଚୂଡ଼ା ଦିଶୁଛି, ଉପରେ ନୀଳଚକ୍ର । ଜହ୍ନ ସମୁଦ୍ର ଓ ନୀଳଚକ୍ର ଏ ତିନିହେଁ ଚାହୁଁଚାହୁଁ ତା’ର ମନ ଭିତରେ ଶୋଷଶୋଷି ଖର୍ବତା ଅନୁଭବକୁ ନିଃସହାୟତାକୁ ନିଶ୍ଚିହ୍ନ କରିଦେଇ ତିନିଆଡ଼ୁ ତାକୁ ଦମ୍ଭ ଦେଲେ ଯେପରି ସେ ଆଉ ତଳକୁ ଖାସି ନ ପଡ଼ିବ । ସେ ବି ଅନୁଭବ କଲା, ତା’ ମନ ଭିତରେ ଜହ୍ନ ଆଲୁଅ ପଡ଼ିଛି, ଜୁଆର ଉଠିଛି ।

 

ଥରକୁଥର ଏମିତି ତା’ ଜୀବନରେ ବାହାରର ପ୍ରକୃତି ଅନହୁତି ଆସି ଦେଖାଦେଇଛି, ତା’ର ନିଭୃତ ମନରେ ଚିନ୍ତାରେ ଆସି ଯୋଗ ଦେଇଛି, ତା’ର ରୁଚି ଅରୁଚି ଆଦର କି ଅନାଦର ଆଗରେ ରହି ତା’ ବିଚାରକୁ ପ୍ରଭାବିତ କରିଛି, ତା’ ମନରେ ନୂଆ ଭାବ ଉପୁଯାଇଛି, ନୂଆ ବଳ ଦେଇଛି ।

 

ଦୂର ଦିଗ୍‍ବଳୟର ଗାର, ଆକାଶର ରଙ୍ଗ କି ବିସ୍ତୃତି, ଭୂଇଁର ପତ୍ତନ, ଚଟା କି ଢେଉଢେଉକା, ଡାଙ୍ଗ ସରୁସରୁ ଡେଙ୍ଗା ଗଛ ଯହିଁରେ ପତ୍ରନାହିଁ, ଫୁଲନାହିଁ, ନୂଆପତ୍ରରେ କସରା କସରା ହୋଇ ଗୁଣ୍ଠୁଣି ଗଛ ଧାଡ଼ିକି ଧାଡ଼ି, ତୋରଛା ଖରା ତଳେ ଦାଉଦାଉ ଜଳୁଥିବା ଘାସ ଅରାଏ, ସକାଳେ ଉଦିଆନ ସୂର୍ଯ୍ୟ ମୁହଁପଟେ କେଳା ଆଗରେ ସାପ ଖେଳିଲା ପରି ମୋଡ଼ମୋଡ଼ିକା କୁହୁଡ଼ିର ଲହଲହ ଭଉଁରି, ଅନ୍ଧାର ରାତିରେ ପୋଖରୀରେ ତରାଫୁଟା ଥମ୍ବିଲା ପାଣି, ଜହ୍ନ ରାତିରେ ଝଙ୍କା, ଓସ୍ତଗଛ ତଳେ ନିଗିଡ଼ି ପଡ଼ିଥିବା ଟୋପି ଟୋପିକା ଜହ୍ନ ଆଲୁଅ, ଛାଇ ଲେଉଟା ବେଳେ ନିଛାଟିଆ ନଈକୂଳେ ଲମ୍ବଲାଞ୍ଜ ଶରଫୁଲ ବେଣାଫୁଲ ମାଳମାଳ, ବସନ୍ତର ନାଲିବଣ, ବୈଶାଖର ଧୂଳିଝଡ଼, ଶ୍ରାବଣର ଝଡ଼ ଆଉ ଫୁଲିଲା ଫୁଲିଲା ନଈ,–

 

ଏମାନେ ତା’ ପାଇଁ ନୁହନ୍ତି ଖାଲି ଖେଦା ଖେଦା ତାଳପତ୍ରରେ ନାଁର ଦାଣ୍ଡିମାନ କି ନଡ଼ିଆ ତୋଟାର ଗୋଟମା ହିସାବ ଲେଖା ଭଉଁରିଆ ।

 

ଧୀରେଧୀରେ ଆସିଆସି ଚାଲି ଯାଉଛନ୍ତି ସେମାନେ,–ଅତୀତ ଅଭିଜ୍ଞତାରୁ କେତେ ଦୃଶ୍ୟ, ତା’ ସଙ୍ଗେସଙ୍ଗେ ଧାରଣା । ଜହ୍ନଆଡ଼କୁ ଚାହିଁ ରହୁ ରହୁ ଜହ୍ନ ପୁଣି ଭୁଲି ହୋଇଯାଉଛି, ମନେମନେ ତରତର ହୋଇ ସେହି ନୂଆ ନୂଆ ଦୃଶ୍ୟମାଳିକା ଭିତରେ ନୂଆ ଧାରଣାର ସଙ୍ଗୀତ ଭାସି ଭାସି ଚାଲିଯାଉଛି ।

 

ଝାଉଁ ଜାଲରୁ ମୁକ୍ତି ପାଇ ଜହ୍ନ ଉପରକୁ ଉଠିଗଲାଣି । ପରିଷ୍କାର ଜହ୍ନରାତି । ଛଳନାର ଚିନ୍ତା ବି ଆଉ କ୍ଳିଷ୍ଟ ନୁହେ, ସେ ମୁକୁଳା ହୋଇ ଆନନ୍ଦରେ ବିଛେଇ ହୋଇପଡ଼ୁଛି । ଯେତେ ଦୂରକୁ ଚାହୁଁଛି ସେ ଦେଖୁଛି ଜହ୍ନ ଆଲୁଅ ସମୁଦ୍ର ପାଲଟିଛି । ଦୂରର ଆସ୍ତେ ଭଙ୍ଗା ଭଙ୍ଗା ଅର୍ଦ୍ଧବୃତ୍ତର ଗାର,–ନିରେଖି ଚାହିଁଲେ ଦିଶୁଛି କେତେବେଳେ ସେ ସୀମିତ, କେତେବେଳେ ସେ ଅସୀମର ହିଁ ଛାଇ, ତା’ ସେପାଖେ ଦୂରତା ସରିନାହିଁ, ବୈଚିତ୍ର୍ୟ ସରିନାହିଁ, ଆହୁରି ଅଛି, କେତେ ଅଛି ତା’ର କଳନା ନାହିଁ । ତା’ ଏକରେ ଲହୁଣି ବର୍ଣ୍ଣର ଖାଲି ବାଲି ଆଲୁଅ ଲହଡ଼ିରେ ଦାଢ଼େ ଦାଢ଼େ ଏମୁଣ୍ଡରୁ ସେମୁଣ୍ଡ ହୋଇ ଅଛିଣ୍ଡା ବିସ୍ତୃତି ।

 

ପୂର୍ବକୁ ଝାଉଁବଣ ଦିଶୁଛି, ଜହ୍ନ ଆଲୁଅର ପଟ୍ଟଭୂମିରେ ସେ ସରୁ ଛୁଞ୍ଚିକାମ ହୋଇ ଅଙ୍କା ହୋଇଛି, ଉପରେ ଉପରେ ଗଛ, ତଳେ ତଳେ ଛାଇ ଆଲୁଅର ମୁରୁଜ ବିଞ୍ଚାହୋଇ ସମୁଦ୍ର ବାଲି । ଉଚ୍ଚାଟ ଆନନ୍ଦରେ ଚାଲନ୍ତି ରୂପ ପରି ଧାଡ଼ିଧାଡ଼ି ହୋଇ ପ୍ରକାଣ୍ଡ ପ୍ରକାଣ୍ଡ ଧଳା ଢେଉ ନାଚିନାଚିକା କୂଳଆଡ଼କୁ ମାଡ଼ି ଆସୁଛି । ଉପରେ ସର୍ବପରିବ୍ୟାପ୍ତ ଆକାଶ, ସେଠି ମଳି ଧୂଳି ନାହିଁ ।

 

ଧୀରେ ଧୀରେ ଛଳନା ସେହି ଚିତ୍ରରେହିଁ ମିଶିଗଲା । ରାତି କେତେ ହେଲାଣି କିଏ କଣ କଲାଣି ନକଲାଣି ତା’ର ଚେତା ନାହିଁ, ସେ ଖାଲି ସେହି ସମୁଦ୍ରରେ ମିଶି ଯାଇଛି, ଯେମିତି ସେଥିରେ ମିଶି ଯାଇଛି ଆକାଶ କି ଜହ୍ନ ଆଲୁଅ ।

 

ଆଲୁଅର ଲହଡ଼ି ହୋଇ ବାରମ୍ବାର ସେ କେଉଁ ଅଜଣା ଥାନରୁ ଧାଇଁ ଧାଇଁ ଆସି ବିକାଶ ଦେଖାଇ ପୁଣି ଅସରନ୍ତି ଜୀବନରେ ହିଁ ଝରି ପଡ଼ି ମିଶି ଯାଉଛି, ପୁଣି ଉଠୁଛି, ପୁଣି ଧାଇଁ ଆସୁଛି, ପୁଣି ଗଡ଼ି ଯାଉଛି ।

 

ତାର ଉତ୍‍ଥାନ ବି ଆନନ୍ଦ, ପତନ ତ ଆହୁରି ଅଧିକ । ଆଞ୍ଜୁଳା ଆଞ୍ଜୁଳା ଧଳାଫୁଲ ଉପରକୁ ଛିଞ୍ଚାଡ଼ି ହେଲାପରି ସେ ଠିଆ ହୋଇ ଅନାଏ, ଉପରେ ଅସରନ୍ତି ଆକାଶ, ତଳେ ଅସରନ୍ତି ସମୁଦ୍ର, ଶୂନ୍ୟ ଘେରେଇ ହୋଇ ସେ ପ୍ରକାଶ ପାଇଛି ।

 

ଥାକ ଥାକ ହୋଇ ଏମିତି କେତେ ଢେଉ ନାଚୁଛନ୍ତି, ସମସ୍ତେ ଆଲୁଅ ଆଉ ପାଣି ଆଉ ଆକାଶରେ ଗଢ଼ା, ଶୁଦ୍ଧ, ପବିତ୍ର, ଆନନ୍ଦରହିଁ ଘଟ, ସମସ୍ତଙ୍କର ଅନନ୍ତ ଅଖଣ୍ଡ ଜୀବନ ।

 

ଅନନ୍ତ ଫଣା ବାସୁକୀ ପରି ଢେଉ ପେଲି ଆସୁଛି, ଅସାମାନ୍ୟ ସୌନ୍ଦର୍ଯ୍ୟ ଅପୂର୍ବ ଲାସ୍ୟ ଖେଳାଇ ଲାଗିରହିଛି ଅଗଣିତ ଭାବ ରୂପର ନୃତ୍ୟ, ସେ ବି ଜଣେ ନୃତ୍ୟକାରିଣୀ । ତା’ ହୃଦୟ ଭିତରେ ସମୁଦ୍ରର ସଙ୍ଗୀତ, ଅସଂଖ୍ୟ ଛନ୍ଦ ଅସଂଖ୍ୟ ରାଗିଣୀର ସମନ୍ୱୟମୟ ସମାବେଶ, ଆନନ୍ଦ ପ୍ଲାବନ ଓ ବିଜୟର ସଙ୍ଗୀତ ।

 

ସୃଷ୍ଟିର ରାସ ଲାଗିଛି । ସେ ସେଠି ମରୁଛି । ଦୁଃଖ ନାହିଁ, ଶୋକ ନାହିଁ, ଉଦ୍ଦେଶ୍ୟ ନାହିଁ, ଅଭିସନ୍ଧି ନାହିଁ, ଲାଗି ରହିଛି ତା’ର ନାଚ । ଖାଲି ଏମିତି । କେଉଁ ଅନାଦି ଅତୀତ କାଳରୁ । ଅସରନ୍ତି ଜୀବନର ଅଖଣ୍ଡ ଦୀପ ମାଳମାଳ ମଝିରେ । ଢେଉ ହୋଇ ନାଚୁଛି, ପଵନ ହୋଇ ନାଚୁଛି, ଶୂନ୍ୟରେ ଶକ୍ତିର ତରଙ୍ଗ ପରି ନାଚୁଛି । ଥମୁ ନାହିଁ । ଜହ୍ନ ରାତିରେ ସମୁଦ୍ରରେ ଚନ୍ଦ୍ର କିରଣ ଗୋଳି ହୋଇଯାଇଛି । ଅନ୍ଧାର ରାତିରେ କଳା ଢେଉରେ ଜଳୁଛି ଉକିଆ । ଆସୁଛି ସକାଳ, ଦିନ ବଢ଼ୁଛି, ଦିନ ସରୁଛି, ନାଚ ସରୁ ନାହିଁ । ସେ ଅଛି । ଟିକି ପତ୍ରଟିଏ ଥରୁଛି । ବୁଢିଆଣୀ ଜାଳ ବୁଣୁଛି-। କେତେବେଳେ ଆକାଶଯାକ ବ୍ୟାପି ଯାଉଛି ବହଳ ମେଘର ପଟୁଆର । ଏଇ ପ୍ରକାଶ,–ତାରି ତ ସେ ଭିନେ ଭିନେ ରୂପ ।

 

ଝିଟିପିଟିର ଟିକ୍‍ ଟିକ୍‍ ପରି ଶବ୍ଦ କରି କରି ମଣିଷ ହାତ ତିଆରି ଘଣ୍ଟାଯନ୍ତ୍ର ମାପି ମାପି ଚାଲିଛି, ଯାହା ଥିଲା ତା’ ଆଉ ନାହିଁ, ଯାହା ଆଇଲା ତା’ ଗଲା, ଯେ କେବେ ମା ପେଟରେ ନ ଥିଲା ସେ ଠୁକୁର ଠୁକୁର ଚାଲିଲାଣି, ଯେ ଗଜା ହୋଇ ନ ଥିଲା ସେ ଫଳ ଦେଇସାରି ମରିବାକୁ ବସିଲାଣି । ବିପୁଳ ପରିବର୍ତ୍ତନର ପାହାଚ ଗଣିବାକୁ ଚେଷ୍ଟା କରିଛି ସାନ ଘଣ୍ଟା ।

 

ଛଳନା ଗଣୁ ନାହିଁ, ମାପୁ ନାହିଁ ।

 

ତା ଜ୍ଞାନ ଭିତରେ ସତେକି ତିନି କାଳର ଅଲଗା ଖୋଫ ନାହିଁ, ସବୁ ଏକାଠି । ସେଠି ଯିବା ଆସିବା ସତେକି ଗୋଟିଏ ବିରାଟ ଅଛିଣ୍ଡା ଛବି ଭିତରେ କେବଳ ଏଠି ସେଠି ଦୃଶ୍ୟର ବଦଳା ବଦଳି । ଜୀବନ ସରୁନାହିଁ । ଦୃଶ୍ୟ ସରୁନାହିଁ ।

 

ଅତୀତ ବର୍ତ୍ତମାନ ହୋଇ ସ୍ପଷ୍ଟ ହୋଇ ସତେକି ଦିଶିଯାଉଛି ଏଇ ପାଣି ଉପରେ, କେତେ ଡଙ୍ଗା ଆସିଥିଲେ, ଏବେ ଆଉ ଏଠି ନାହାନ୍ତି । ତିନି ତିନି ଚିରୁଡ଼ା ପାଳଧୂଆ କାଠ ଦଉଡ଼ିରେ ଏକାଠି ବନ୍ଧା ହୋଇ ସାନ ସାନ ଡଙ୍ଗା, ଆଉ ବଡ଼ବଡ଼ ପଢ଼ୋଉ, ସେଥିରେ ନାଲି କଳା ହଳଦିଆ ରଙ୍ଗରେ ଓଲଟା ପାଲଟା ହୋଇ ତିନି କଣିଆ ପଟିଗୁଡ଼ିକ, ଆଉ ସେଥିରେ ନାନା ଚିତ୍ର, ମାଛ ମଗର ହଂସ, ଏମିତି କେତେ । ସେମାନେ ସତେକି ପୁଣି ଏକାଠି ହୋଇଛନ୍ତି, ଭାସୁଛନ୍ତି, ଢେଉରେ ନାଚୁଛନ୍ତି, ଗୋଟି ଗୋଟିକିଆ ଚଢ଼େଇ ପରି କେଉଁଟା ଏକନ୍ଦି ସେକନ୍ଦି ହୋଇ ଦୂରକୁ ଭାସି ଚାଲିଯାଉଛି । ରେଳଗାଡ଼ି ଧକ୍‍ଧକ୍‍ ଝକ୍‍ଝକ୍‍ ହୋଇ ବାଲିବନ୍ତ କରେ କରେ ମାଡ଼ି ଆସୁଛି, ଅଟକୁଛି, ଗୋଟାଏ ଆସିଲେ ଆଉ ଗୋଟାଏ । ହଜାର ହଜାର ଲୋକ ଓହ୍ଲାଉଛନ୍ତି । ପୁଣି ଗୋଟାକ ପରେ ଗୋଟାଏ ସିଟି ମାରି ମାରି ବାହାରି ଚାଲିଯାଉଛି । ହଜାର ହଜାର ଲୋକ ଯାଉଛନ୍ତି । ସମୁଦ୍ର ବାଲିରେ ଲୋକ ଭର୍ତ୍ତି । ଦଳକର ପାଦ ଚିହ୍ନକୁ ଆଉ ଦଳେ ମାଡ଼ି ଚକଟି ନିଶ୍ଚିହ୍ନ କରୁଛନ୍ତି ।

 

ଆଉ ସେ ନିଜକୁ ସମୁଦ୍ରର ହଜିଲା ନାଚିଲା ଢେଉ ସଙ୍ଗରେ ମିଳାଇ ଦେଇ ନାଚି ଲାଗିଛି ମନ ଆନନ୍ଦରେ ଆଉ ନିର୍ବିକାର ଭାବରେ ଦେଖି ଲାଗିଛି ସେହି କିଲିବିଲି ଦୁନିଆକୁ ଯେଉଁଠି ମଣିଷ ତାର ପ୍ରୟୋଜନ ପାଇଁ ପରକୁ ହତ୍ୟା ବି କରେ, ଯେ ଦୁର୍ବଳ ତାକୁ ହତ୍ୟା କରେ, ଯେମିତି ଛେଳିକୁ କୁକୁଡ଼ାକୁ ମାଛକୁ ଚଢ଼େଇକୁ । ନିର୍ବିକାର ହୋଇ ଚିରକାଳର ସେହି ଦୋଳାୟିତ ନୃତ୍ୟବେଦୀ ଉପକୁ ସେ ସେହି କଲବଲ ଛଟପଟ ମଣିଷ ଗୋଷ୍ଠୀକୁ ଦେଖି ଲାଗିଲା, ଆଉ ସେଠି ସେ ଚିହ୍ନିଲା ସ୍ୱୀକାର କଲା ସେହି ମଣିଷର ଅନ୍ତର୍ନିହିତ ଜୀବନ ପ୍ରକାଶକୁ, ତାର ବଡ଼ ବିବାଦମୟ ନ୍ୟାୟନୀତିକୁ ନୁହେ, ମାନ ଅପମାନ ଯଶ ଅପଯଶକୁ ନୁହେଁ, କେବଳ ସେ ବଞ୍ଚିଛି ବୋଲି ତା’ର ଜୀବନର ଆଭାଟିକିକୁ, ସତେକି ସ୍ଥଳଭାଗରେ ସେତିକି ସେ ଦେଖୁଛି ।

 

କ୍ରମେ ତା’ର ବିଚାରମୟ ଧ୍ୟାନ ହେଲା ସ୍ଵପ୍ନ ପାଇଁ ଉପାଦାନ । ସେ ଶୋଇ ପଡ଼ିଲା ।

 

ବିମାନବାବୁ ଭାବୁଥିଲେ,–

 

ଏ ଲୁଣିପାଣିରେ ସମୁଦ୍ର, ୟେ ଘୁଙ୍ଗାବାଲି, ଏ ଜହ୍ନ ରାତି,–ମଣିଷ ଜୀବନରେ କ’ଣ ଅଛି ତା’ର ଉପାଦେୟତା ?

 

ଖାଦ୍ୟ କି ବସ୍ତ୍ର କି ବାସଗୃହ,–କି ସମସ୍ୟା ମେଣ୍ଟେଇ ହେବ ଏଥିରେ ?

 

ଲୁଣିପାଣି ଫୁଲିଫୁଲି ଉଠୁଛି, ନୁଖୁରା ବାଲି ଉପରେ ଆସି ଅଜାଡ଼ି ହେଉଛି, ଏମିତି କେତେ କାଳୁ’ ଏ ବାଲି ପଡ଼ି ରହିଛି, ଏମିତି ହାଉହାଉ ହୋଇ ପଵନ ଚାଲିଛି ନ ଚାଲିଛି । ସାଧାରଣ ପ୍ରକୃତି । ସେ ମଣିଷର ପେଟ ଚିହେଁ ନାହିଁ, ଦୁଃଖ ବୁଝେ ନାହିଁ । ତଥାପି ପଲପଲ ହୋଇ ମଣିଷ ରେଳ ଚଢ଼ି ଧାଇଁ ଆସନ୍ତି ୟେ ଦୃଶ୍ୟ ଦେଖିବେ ବୋଲି, ବାଲିରେ ବୁଲିବା, ପାଣିରେ ଡେଇଁବା, କିଛି କାମ ନ କରି ଅଳସେଇ ଅଳସେଇ ବାଲି ଓ ପାଣିକି ଅନାଇବା, ନିଜକୁ ଭୁଲାଇବା,–ଆମେ ଦୃଶ୍ୟ ଦେଖୁଛୁଁ, ଆମେ ମଉଜ କରୁଛୁଁ, ବିଶ୍ରାମ କରୁଛୁଁ,–ଏଇଥିପାଇଁ ସେମାନେ ଆସନ୍ତି ।

 

ସେଥିପାଇଁ କେଡ଼େ ବ୍ୟଗ୍ର, କେଡ଼େ ଉଚ୍ଛନ । ମୁଣି ଝୁଲାଇ ଫଟୋ କ୍ୟାମେରା ଓହଳେଇ ତରତର ହୋଇ ବାଲି ଧାରେଧାରେ ଚାଲିଥାନ୍ତି ଥୋକେ କ’ଣ ଯେପରି ଭାରି ଜରୁରୀ କାମ ଅଛି, ଏକର ସେକର ଅନାଇବାକୁ କି ଅଟକିବାକୁ ବେଳ ନାହିଁ ।

 

ଆଉ ଲୋକେ ଆସନ୍ତି, ସୁଗନ୍ଧ ଦ୍ରବ୍ୟ ବୋଳି ହୋଇ ବାଲିରେ ବାସନ୍ତି, ନାନା ଛବିର ଲୁଗାପଟା ପିନ୍ଧି ବାଲିରେ ବିକାଶନ୍ତି, ପୁଣି ଚାଲିଯାଆନ୍ତି ।

 

ବାଲି ଯେପରିକି ଘୋର ବିଫଳତାର ହିଁ ପ୍ରତୀକ, କେହି ତାକୁ ବଦଳାଇ ପାରିନାହିଁ, କେହି ଏଥିରୁ କିଛି ପାଇନାହିଁ, କେହି ପାରି ନାହିଁ ଏଠି କିଛି ସ୍ମୃତି ରଖିଯିବାକୁ ।

 

ଆଉ ଏଇ ଲୁଣି ପାଣି,–କାଳିଆ ବିଚିକିଟିଆ ମାୟାପାଣି ଯଦି ଧ୍ୱଂସକାରୀ ସମୟକୁ ତରଳାଇ ହେବ, ଗୋଟାଏ ଖାଲରେ ଠୁଳ କରି ହେବ, ବୋଧହୁଏ ଏମିତି ହେବ ସେ, ଅଥଳ, ବିସ୍ମୟକର ।

 

ବିଫଳତାର ଚଡ଼ା କରେ ଧ୍ୱଂସକାରୀ ସମୟ ଗଡେଇ ତଡ଼େଇ ହେଉଛି, ସବୁ ଲୁଣି ଚରିଯାଉଛି, ଗୁଣ୍ଡା ହୋଇ ଝଡ଼ିପଡ଼ୁଛି, ଦି’ଦିନର ଛଇ ଫୁଟାଇ ଦଣ୍ଡକ ପାଇଁ ପହିଜ ଦେଖାଇ କିଲିବିଲି ହେଉଛନ୍ତି ମଣିଷ ।

 

କେଉଁଥିପାଇଁ ?

 

ଏଠି ସୁଖ କାହିଁ ? ଥାଇତା ପଣ କାହିଁ ?

 

ଆପଣା ସମସ୍ୟା କଥା ମନେ ପଡ଼ିଯାଉଛି ।

 

ଭାରିଯା ପାଖରୁ ଆଜି ଚିଠି ଆସିଛି ।

 

ଭାରିଯାକୁ ତା’ ବାପ ଘରେ ଛାଡ଼ିଛି ଯେ ସେମାନେ ଦୂର୍‍ଦୂର୍‍ କରୁଛନ୍ତି । ଶଶୁର କିରାନି-। ତାଙ୍କର ଆହୁରି ତିନି ଝିଅ, ସେମାଙ୍କର ବିଭାଘର ହୋଇନାହିଁ । ପୁଅ ଦୁହେଁ ବୁଧିଆ ବୋଲି ଘର ଉପରେ ଭାର ନ ହୋଇ ବୃତ୍ତିପାଇ ପାଠ ପଢ଼ନ୍ତି, ଜଣେ ଡାକ୍ତରୀ ଜଣେ ଇଞ୍ଜିନିଅରିଂ-। ଆଉ ଏଣେ ବିମାନ ବାବୁଙ୍କ ସ୍ତ୍ରୀ ତାଙ୍କର ଦୁଇପୁଅ, ଗୋଟିକୁ ଦଶବର୍ଷ ଗୋଟିଏ ବର୍ଷକର, ଶ୍ୱଶୁର ଶାଶୁ ଅସମ୍ଭାଳ ।

 

ଆର୍ତ୍ତ ଚିତ୍କାର ସମ୍ୱଳିତ ଚିଠି ଆସେ ଦୁଇଆଡ଼ୁ, ଶ୍ୱଶୁର ଲେଖନ୍ତି ନିଜ ଅଭାବ କଥା, ସ୍ତ୍ରୀ ଲେଖେ ତା’ ଅପମାନ କଥା ।

 

"ପଦା ଲୋକଙ୍କ ହତାଦର ସହି ହୁଅନ୍ତା ସିନା, ଆପଣା ବାପ ମା’ଙ୍କ ହାତ ଛିଞ୍ଚଡ଼ା ମୁହଁମୋଡ଼ା ସବୁବେଳେ ଦୂର୍‍ଦୂର୍‍ ମଣିଷ କେତେ ସହିବ" ? ଏତେ ଲୋକଙ୍କୁ ମରଣ ହେଉଛି ମତେ କାହିଁକି ହେଉନାହିଁ ?"

 

ଲୁଣି ପାଣିର ଵିସ୍ତୃତିକୁ ଚାହିଁ ଘୁଙ୍ଗା ବାଲିତଣ୍ଡା ଉପରେ ବସି ବିମାନବାବୁ ଆପଣା ସ୍ତ୍ରୀର ଅଭିମତମାନ ଦରାଣ୍ଡୁଥାଆନ୍ତି ।

 

ସତେ କ’ଣ ମରିବାକୁ ତା’ର ଇଚ୍ଛା ହେଉଛି ?

 

ମଣିଷ ମରିବାକୁ ଚାହେଁ ନାହିଁ ।

 

ତାର ସହିବାର ଶକ୍ତିର ସୀମା ନାହିଁ ।

 

ଯେଉଁ ପର୍ଯ୍ୟନ୍ତ ପିଣ୍ଡରେ ପ୍ରାଣ ଅଛି ସେ ପର୍ଯ୍ୟନ୍ତ ସେ ସବୁ ସହିପାରେ । ସବୁ ଦୁଃଖ ଉତ୍ପୀଡ଼ନ ନିର୍ଯ୍ୟାତନା । ଆଜି ସେ ଲୋଡ଼େ ବଞ୍ଚିବାକୁ । ସେଥିପାଇଁ ସବୁ ସେ ସହିବ ।

 

ଆତ୍ମସମ୍ମାନ !

 

ପୁଣି ଆପଣା ବାପ ଘରେ !

 

କେତେ ଚଞ୍ଚଳ ସେ ସବୁ ଭୁଲିଗଲା ! ମଣିଷ ବିପଦରେ ପଡ଼ିଲେ କି ସୁନ୍ଦର ଆଖି କାନ ବୁଜି ପଥର ପାଲଟିଯାଇ ସବୁ ସହି ସବୁ ପାରି କରି ଚଳିଯାଇ ପରେ ଅଥଚ ଟିକିଏ ଯେମିତି ସୁସ୍ଥି ପାଏ କୁଆଡ଼ୁ କୁଆଡ଼ୁ ତା’ର ନାନା ଚେତନା ନାନା ମତ ଲେଉଟି ଆସେ, କେତେ ଅଲଣା ମାନ ଅପମାନବୋଧ, ଆତ୍ମସମ୍ମାନ ନାଁରେ ଅଭିମାନ, କେତେ ବଛାବଛି ନାକ ଟେକା, ଆଉ ଦେହର ଯେତେ ଯାବତ ଘୋଳାବିନ୍ଧା, ମନର ବେମାରି, ସେ ଆପଣାକୁ ଆଉଁଷି କାନ୍ଦିବାକୁ ବି ବେଳପାଏ, ଆଉ ତୁଚ୍ଛାଟାରେ ବସି ବସି କୁନ୍ଥେଇ ହେବାକୁ, ପେଖନା କାଢ଼ିବାକୁ ।

 

ବିମାନବାବୁ ନିଷ୍ଠୁର ହୋଇ ସ୍ତ୍ରୀର ଚିଠି ଆଉ ସ୍ତ୍ରୀର ମନୋଭାବ କଥା ଭାବି ଲାଗିଲେ, ଚିନ୍ତାର ପଛଆଡ଼େ ଥିଲା ଅତୀତର ସ୍ମୃତି, ସେ ବି ଜୀବନରେ ଭୁଲିବା କଥା ନୁହେଁ ।

 

ଆତ୍ମସମ୍ମାନ ! ଚେର ମଡ଼େଇବାକୁ ସବୁ ଗ୍ରାସ କରିବାକୁ ସେ ଖାଲି ଗୋଟାଏ ପତିଆରା । ବିଚରା ଶ୍ୱଶୁର ଶାଶୁ ଆଉ ତାଙ୍କ ପରିବାର, ହାଡ଼ ମାଉଁସ ଝୁଣି କେତେ ସେ ଖୋଇବେ ଯେ ତାଙ୍କ ଉପରେ ଅଭିମାନ ! କିନ୍ତୁ ଆଉ ସମ୍ମାନର ନାଁ ଧରି ଅଭିମାନ କଲେ ସବୁ କୃତଜ୍ଞତା ପାସୋରି ହୋଇଯାଏ । ଏମିତି ଏ ଯୋଡ଼ିଏ ଛୁଆ ଧରି ତାଙ୍କରି ଉପରେ ସବାର ହୋଇ ବସି ବସି ଖାଉଥାନ୍ତେ, ସେମାନେ ଓଲଟି କହୁଥାନ୍ତେ ଆମେ ନିସ୍ତରିଲୁ ।

 

ଭାଣ୍ଡାମି । ସ୍ନେହ ସହାନୁଭୂତି କରୁଣା ଓ ମୈତ୍ରୀ ନାଁରେ ନିଷ୍ଠୁର ଶୋଷଣ ଲୁଣ୍ଠନ ସ୍ୱାର୍ଥ ପାଇଁ ସବୁ କ୍ରୂରତା ସବୁ ବର୍ବରତା କରି ତୁଣ୍ଡରେ ଖାଲି ବାସ୍ନା ଜୁଡ଼ୁବୁଡ଼ୁ ରଙ୍ଗ ଝଲମଲ ବଛାବଛା କଥା ।

 

ସେହି ଭାଷାହିଁ ତ ବାଟ କଢ଼ାଏ, ଦରକାରବେଳେ ମନକୁ ବୋଧ ଦିଏ, ବାଁରେଇ ରଖେ-। ଯେତେ ନିଷ୍ଠୁରତା ଯେତେ ପାପ ସବୁ କରି ହୁଏ ଅଥଚ ସବୁ ଦେହ ସହା ହୋଇଯାଏ ।

 

ଭାବନା ଚାଲିଛି । ସେ ଆଉ ସ୍ତ୍ରୀର ଚିଠିକୁ ଆଶ୍ରା କରିନାହିଁ । ସେ ଚିଠି କଥା ଭାବିବା ଗୋଟାଏ ଆରମ୍ଭ, ଗୋଟାଏ ଉପଲକ୍ଷ୍ୟ । ଘଟଣାରେ ପଡ଼ି କେତେ କଥାତ ଉକୁଟିଯାଇଛି, ବିଷିରିପି ଯାଇଛି, ଆପଣା ଭିତରେ ଶୋଇ ରହିଛି ଗୋଟାଏ ଚେତନା ଅଛିଣ୍ଡା କଳା ସାପ ପରି । ଏମିତି ବେଳ କାଳକେ କେଉଁ କଥାରୁ କେଉଁ କଥା ହେଉ ହେଉ ସେଇଟା ବାହାରେ ବିମାନ ବାବୁ ତାକୁ ଦେଖି ଭାବନ୍ତି, ସେ ସତ୍ୟକୁ ଦେଖୁଛନ୍ତି ମୁହାଁମୁହିଁ ହୋଇ ।

 

ସ୍ନେହ ନାହିଁ କରୁଣା ନାହିଁ ଖାଲି ନିଷ୍ଠୁରତା, ଦେଲାବେଳକୁ ଯେତେ କୁନ୍ତୁକୁନ୍ତୁ, ନେଲାବେଳକୁ ଦାବିର କୁହାଟ । ତୁଚ୍ଛା ଜନ୍ତୁ ତୁଚ୍ଛା ଜନ୍ତୁ । ବୁଦ୍ଧି ଅଛି ବୋଲି ଆହୁରି ଭୟାନକ । ଆଉ ତୁଣ୍ଡରୁ କଥା ଶୁଣିବ !

 

କିଏ ନ ଜାଣେ କୁକୁଡ଼ା କି ଛେଳିମେଣ୍ଢାଙ୍କର ସଂସାର ଅଛି ବୋଲି ! ସବୁତ ଆଖିରେ ପଡ଼େ, ସେଠି ବି ପ୍ରେମ, ଯୌନପ୍ରତିଦ୍ୱନ୍ଦ୍ୱିତା, ଶତ୍ରୁତା, ଯୁଦ୍ଧ, ବୀରତ୍ୱ, ଭୟ, ସ୍ନେହ ସବୁ ଅଛି । ସେଠି ବି ବାପ ମା’ ପିଲାକୁ ପାଳନ୍ତି, ଆତ୍ମତ୍ୟାଗ ସେଠି ବି ଅଛି । ମଣିଷ ନିଷ୍ଠୁରତାକୁ କହେ ପାପ ଆଉ ମା’ଠୁଁ ଛୁଆକୁ ମା’କୁ ସ୍ୱାମୀଠୁଁ ସ୍ତ୍ରୀକୁ ସ୍ତ୍ରୀଠୁଁ ସ୍ୱାମୀକୁ ଓଟାରି ନେଇ ବେକରେ ଛୁରିଦିଏ, ତା’ର ଶବକୁ ଖାଏ, କହେ ' ଅହିଂସା ପରମୋ ଧର୍ମଃ' ।

 

ତାର ସ୍ୱାର୍ଥକୁ ଖାପିଲା ଭଳି ସେ ନାନା ଯୁକ୍ତି ଆବିଷ୍କାର କରିପାରେ, ଚଳିବା ପାଇଁ ନାନା ବାଗ । ପରକୁ ନୀତି ବତାଏ ଆପେ ସେ ନୀତିକୁ ଭାଙ୍ଗେ । କେତେବେଳେ କାହା ଆଗରେ ଛାତି ଫୁଲାଏ କେତେବେଳେ କାହା ଗୋଡ଼ତଳେ ପଡ଼େ । ଜନ୍ତୁପରି ବଞ୍ଚିବା ପାଇଁ ତା’ର ନାନା ଭେକ, ତା’ର ଭଦ୍ରତା ସମ୍ମାନବୋଧ ନ୍ୟାୟନୀତିର ତଥ୍ୟ, ସବୁ । ସହିବା ମାନେ ତ ନିଜେ ବଞ୍ଚିବ ବୋଲି ନିଜକୁ ସାହାଯ୍ୟ କରିବା, ଆଉ ଏଡ଼େ ଚଞ୍ଚଳ ଭୁଲିଗଲା ଏ ମାଇକିନିଆଟା ! ପୁଣି ଛଳ ପଶୁଛି କେଉଁଠି ନା ଆପଣା ବାପଘରେ !

 

ଢେଉ ଉଠୁଛି, ପଡ଼ୁଛି, ଆଲୁଅ ସରି ଆସୁଛି, କାହିଁ ଏଠି କି ସୌନ୍ଦର୍ଯ୍ୟ ! ବିମାନବାବୁ ଭାବୁଥିଲେ । ବସି ବସି ଢେଉକୁ ଅନାଇଁ ଅନାଇଁ ଲାଗୁଥିଲା, ଖାଲି ଏ ଘୋରତେଇ ପୋରତେଇ ବନ୍ଧାଗତହିଁ ତ । ଏତେ ଯାହାକୁ ଲୋକେ ଅନାଇଁ ରହନ୍ତି, ସେ ଖାଲି ପଟିପଟିକିଆ ପାଣି, ଖାଲି ଭିନେ ବର୍ଣ୍ଣର ପଟି ।

 

ଆକାଶ ତ ଆକାଶ, ସମୁଦ୍ର ତ ସମୁଦ୍ର, ବାଲି ତ ବାଲି, ଆଉ କ’ଣ ଅଧିକା ?

 

ଏଇ କୂଳ ଦିଶୁନାହିଁ ପାଣି, ଏଇ ନିଭିଲା ବେଳ, ସେତେବେଳେ ବି ଏମିତି ଥିଲା । ଭାବୁ ଭାବୁ ଛାନିଆ ଲାଗୁଛି, ଦେହ ଶିର୍‍ଶିରୋଉଚି, ସେ ସମୁଦ୍ର ନୁହେଁ, ପାବ୍‍ନା ନଦୀ । ସେ ସ୍ଥାନ ପୁରୀ ନୁହେଁ, ଶ୍ରୀଦୁର୍ଗାପୁର, ନକ୍‍ସାରେ ଦିଶିବ ନାଁ ବଦଳିଛି, ତା ନାଁ ହୋଇଛି ଫତିମାବାଦ୍‍ । ପାଵ୍‍ନା କୂଳରେକିନା ଏମିତି କରାଳ ଦିଶୁଥିଲା, ପାଵ୍‍ନା, ଏମିତି କଳା ଘୁମର ଦିଶୁଥିଲା ।

 

ସେଠି ସୂର୍ଯ୍ୟ ଅସ୍ତ ହେଉଥିଲା ।

 

ସେ ନଈ ପଛଆଡ଼େ ଯେଉଁ ଗାଁଗୁଡ଼ାକ ଜଳିଲାଗିଥିଲା ସେହି ନିଆଁରୁ ପୁଳାଏ କି ସେଠୁ ନାଲି ରକ୍ତରୁ ଗୁଡ଼ାଏ ଆଣି ସେ ନଈରେ ଅଜାଡ଼ି ଦେଇ ଜଗତ ଅନ୍ଧାର କରି ସୂର୍ଯ୍ୟ ଚାଲିଯାଉଥିଲା-

 

ତା ସଙ୍ଗେ ସଙ୍ଗେ ଚାଲିଯାଉଥିଲା ସବୁ ଆଶାଭରଷା । ସେହି ସେ ବେଳ ଯେତେବେଳେ ଭାରତ ଭାଗଭାଗ ହେବା ପୂର୍ବରୁ ସେଠି ମରଣ ନାଚୁଥିଲା, ଏ ଗାଁ ସେ ଗାଁ ବ୍ୟାପୁଥିଲା ନିଆଁ ଠୁଁ ବଳି ଲହଲହ ହିଂସା, ଲୋକେ ଘର ଜାଳୁଥିଲେ, ମଣିଷ ମାରୁଥିଲେ, ହଜାର ହଜାର ବର୍ଷ ଲାଗିଲାଗି ତିଳତିଳ କରି ଗଢ଼ିଗଢ଼ି ମଣିଷ ଯେଉଁ ସଂସ୍କୃତି ସଜାଡ଼ି ସାଇତିଥିଲା ତାକୁ ମଣିଷହିଁ ଆଖିପିଛୁଡ଼ାକେ ଝିଙ୍କି ଓଟାରି ଫୋପାଡ଼ି ଉଜାଡ଼ିଦେଇ ହେଣ୍ଟାଳମାରି କୁଦି ଉଠୁଥିଲେ ଅରଣାଜନ୍ତୁ ପରି ।

 

ସେତିକିବେଳେ ମଣିଷ ସେଠି ପ୍ରମାଣ କରିଥିଲା,–ମଣିଷର ପ୍ରଧାନ ଶତ୍ରୁ ମଣିଷ ।

 

ସେହି ମଣିଷ,–ସେ ରକ୍ତବୋଳା ଛୁରି ଟେକି ଧାଇଁ ଯାଉଥିଲା ଗୋଟାକ ପରେ ଗୋଟାଏ ମୁଣ୍ଡ ଗଡ଼େଇବାପାଇଁ, ଗଣ୍ଡି ଫାଡ଼ିବାପାଇଁ, ବିକଟାଳ ରଡ଼ି ଛାଡ଼ି ହତିଆର ଉଞ୍ଚେଇ ଧାଇଁଲେ ଉନ୍ମତ୍ତ ମଣିଷଜନ୍ତୁ ପଡ଼ାକୁପଡ଼ା ଗାଁକୁ ଗାଁ ।

 

ଦିଶିଯାଉଛି, ସବୁ ଦିଶିଯାଉଛି । ଛୁରିମୂନରେ ଟେକା ହୋଇ ଉତାଣି ପିଲା, ସ୍ୱାମୀକୁ ବାନ୍ଧିପକାଇ ତାରି ଆଗରେ ସ୍ତ୍ରୀ ଉପରେ ଅତ୍ୟାଚାର କରି ତା’ ଦେହରୁ ଛେଲା ଛେଲା କରି କାଟି ପକାଇବା–

 

ପାଗଳ ଦୁନିଆଁ, ବର୍ବର ବୀଭତ୍ସତା ।

 

ଶୁଭିଯାଉଛି ନିଆଁ ଧୂଆଁ ଭିତରେ ଆତଙ୍କମୟ ଚିତ୍କାର, କରୁଣ ଚିତ୍କାର, ଧର୍ଷିତା ନାରୀର ଚିତ୍କାର, ମୁର୍ମୁଷୁମାନଙ୍କ ଚିତ୍କାର, ସେହି ଚିତ୍କାରରେ ଗଗନ ଫାଟୁଥିଲା । ତା’ ମଝିରେ ପିଶାଚର ହସ, ଜଳି ଯାଉଥିବା ଘରମାନଙ୍କ ଠୋଠା ଶବ୍ଦ, ଗୃହପାଳିତ ଜନ୍ତୁଙ୍କ ବୋବାଳି, ଭଙ୍ଗା ଫୋପଡ଼ା, ଛେଚାକଚା, ଓପଡ଼ା, ଚିରା, ଧ୍ୱଂସ ଓ ମରଣର ଖଣ୍ଡିଆଭୂତ ବୁଲୁଥିଲା ।

 

ବିମାନବାବୁ ଭାବୁଥିଲେ,–

 

ସେତିକିବେଳେ ତ ପରଖ ହୋଇସାରିଛି, ମଣିଷର ଭଲ ପାଇବା ସତ କି ଖାଲି ନାଁକୁ ! ମଣିଷର ବିଶ୍ୱାସମାନ ସତ କି ତୁଚ୍ଛା କଳ୍ପନା ! ଆଦର୍ଶର ସଂଜ୍ଞା କ’ଣ ?

 

ସ୍ନେହ କ’ଣ ? ମମତା କ’ଣ ? ମଣିଷ ଅବା କ’ଣ ? ଦି ଗୋଡ଼ିଆ ସିଧା ଠିଆ ପଶୁ ନା ଆଉ କିଛି ଭିନେ ?

 

ଭାବୁଥିଲେ,–ପରଖ ବି ହୋଇଥିଲା ଧର୍ମବିଶ୍ୱାସର, ଧର୍ମବଳର, ଦିଅଁ ଦେବତାଙ୍କର, ସେହି ଲୁହଲହୁ ନିଆଁଧୂଆଁ ଆର୍ତ୍ତନାଦ ଆଉ ବିଭୀଷିକାମୟ ଅଗ୍ନିପରୀକ୍ଷାରେ ସେଗୁଡ଼ିକ ବି ପରଖ ହୋଇଥିଲା,–କଣ ଜଣାଗଲା ?

 

ସେଠି ବି ଘରେ ଘରେ ଠାକୁରଘର ଥିଲା, ଗାଁ ଗାଁକେ ଦେଉଳ ଥିଲା, ବିଗ୍ରହ ପୂଜା ପାଉଥିଲା, ସେଠି ବି ଥିଲା ତୀର୍ଥ, ନଈରେ ବାରୁଣୀବୁଡ଼ର ଘାଟଥିଲା । କେତେକାଳର ମାଟି ଉପରେ କେତେ ହୋମ ଯଜ୍ଞ କେତେ ସଂକୀର୍ତ୍ତନ କେତେ ମେଳା ମଉଛବର ଚହଳ ପଡ଼ିଥିଲା, ଶଙ୍ଖ ହୁଳହୁଳିରେ ଗାଁ କମ୍ପୁଥିଲା, ହୋମ ଘିଅର ବାସ୍ନାରେ ପଵନ ମହକୁଥିଲା, ସକାଳ ଗାଧୁଆ ମନ୍ତ୍ରପାଠ, ପୂଜା, ମାନସିକ, ଓଷାବାର, ଚିହ୍ନା ସଂସ୍କୃତିର କେଉଁ ଗୋଟିକ ପାଖୁଡ଼ା ଅଭାବ ନ ଥିଲା ସେଠି । ପଣ୍ଡିତ ପୂଜକମାନେ କହୁଥିଲେ ମନ୍ତ୍ରର ଶକ୍ତି ଅଛି, ଯନ୍ତ୍ରକାର କହୁଥିଲେ ପୂଜା କଲେ ଅସମ୍ଭବକୁ ବି ସମ୍ଭବ କରିହୁଏ, କାଉଁରି ଗାରଡ଼ି ଅଛି, ପୁଣି ମାରଣ, ପାଙ୍ଗଣ, ବନ୍ଧନ, ସମ୍ଭନ, ବଶୀକରଣ । ଠେଙ୍ଗା ଉଠିଲା ପଡ଼ିଲା, ଛୁରି ଉଠିଲା ପଡ଼ିଲା, ଦେବସ୍ଥଳୀ ଅପବିତ୍ର ହେଲା, ଗୃହସ୍ଥଳୀ ଧ୍ୱଂସ ହେଲା କୁଆଡ଼େ ଗଲେ ଦେବତା ? କୁଆଡ଼େ ରହିଲା ମନ୍ତ୍ରତନ୍ତ୍ର ପୂଜାଓଝାର ବଳ-?

 

କେଉଁଠି ରହିଲା ମଣିଷପଣର ଆଣ୍ଟ ଆଉ ଆଦର୍ଶ,–'ମଣିଷର ସମ୍ମାନ ଓ ସଂସ୍କୃତି ଜୀବନଠୁଁ ବଳି ପ୍ରିୟ ।'

 

ସେଠି ବିକଳ ମଣିଷ ବିଭ୍ରାନ୍ତ ହୋଇ ଆକୁଳ ମିନତିର ଘୋଷା ଧରି ଚିତ୍କାର କଲା–"ରକ୍ଷାକାର ରକ୍ଷାକାର, ଯାହା ଇଚ୍ଛା ହେଉଛି କରିଯାଅ, ନେଇଯାଅ, ଖାଲି ଏ ଜୀବନ ରଖ-!"

 

ସେହି ପ୍ରିୟତମ ମାଟିରେ ପୁଣ୍ୟପୀଠମାନଙ୍କରେ ଯେଉଁଠି ଯୁଗଯୁଗର ହଜାର ମଣିଷ ଦଣ୍ଡବତ କରୁ କରୁ ମୁଣ୍ଡରେ ଘଷି ହୋଇ ଅକର୍ମଶିଳାର ଚଟାଣ ପାଲିସ୍‍ ଜିକିଜିକି ହୋଇଯାଇଛି, ସେଠି ଗୁଣ୍ଡାମାନେ ଉତ୍‍ପାତ କଲେ । ସେହି ସବୁ ଠାକୁର ମୂର୍ତ୍ତି, ଯାହାଙ୍କ ପାଖକୁ ବି ଯିବା ଆଗରୁ ଲୋକ ବାରମ୍ବାର ଶୁଦ୍ଧ ଶୌଚ ହୁଏ,–ହାତୁଡ଼ିରେ ଭଙ୍ଗା ହେଇ କଚଡ଼ା ହେଲେ ସେମାନେ ଏକର ସେକର । କାହିଁ, ବଜ୍ର ପଡ଼ିଲା ନାହିଁତ, ସର୍ପ ଦଂଶିଲା ନାହିଁ, ଭୂମିକମ୍ପ ହେଲା ନାହିଁ । ସେହି ମନ୍ଦିରରେ ସେହି ମୂର୍ତ୍ତିମାନଙ୍କ ଆଗରେ କେତେ ବିଘଟନ କେତେ ବିଭୀଷିକା ନ ଘଟିଲା । ବିକଳ ଚିତ୍କାର ଶୁଣି ଦେଉଳର ପାରା ଉଡ଼ିଗଲେ, କେଉଁଠି ଦେବତା ଚଙ୍କିଲେ ?

 

ଜୀବନ ବିକଳରେ କେତେ ଭଙ୍ଗୀରେ ମଣିଷ ଆପଣାକୁ ମୋଡ଼ିଲା ବଙ୍କାଇଲା ନଚେଇଲା ! କୁଆଡ଼େ ଗଲା ତା’ର ଅଟଳ ପ୍ରତିଜ୍ଞା । ଆଗ ବଞ୍ଚିବି । ଜୀବନଠୁଁ କିଛି ବଡ଼ ନୁହେଁ, କିଛି ବେଶି ଦାମୀ ନୁହେଁ, ଜୀବନ ରଖି ତା ପରେ କହିବି ଆଦର୍ଶ ପ୍ରତିଜ୍ଞା ଆଉ ଇଜ୍ଜତ ମହତ କଥା, ନିରାପଦରେ ରହିଲେ ବୀରତ୍ୱ ବିଷୟରେ ପାଟି କରିବି ! ଏଇଆତ ଦେଖାଇଲା ମଣିଷ । ଥାଆନ୍ତୁ କେହି କେହି ଯେ ଏଥିରୁ ବାହାର, ଯେ ଗୋଟାଏ ଝୁଙ୍କରେ ମାତି ଉଠି ଜୀବନଟାକୁ ଫୋପାଡ଼ି ଦେଇ ନିଶ୍ଚିହ୍ନ ହେଲେ, ସେମିତି ବି ଥିବେ । ଯେଉଁମାନେ ବଞ୍ଚିବେ, ଯେ ନୀତି ଓ ଦୃଢ଼ପଣକୁ ମୋଡ଼ିମାଡ଼ି ଅବସ୍ଥା ସହିତ ସାଲିସ୍‍ କରି କରି ସୁସ୍ଥିରେ ରହି ଘର ଦୁଆର କରି ରହିବେ, ସେମାନେ ଗାଇବେ ସେ ବୀରମାନଙ୍କ କାହାଣୀ, ଦୀର୍ଘଶ୍ୱାସ ପକାଇବେ, ସ୍ମୃତିସଭା କରିବେ, ଆକାଶର ତାରା ପରି ସେମାନଙ୍କ ସ୍ମୃତିକୁ ହେତୁ କରି ମନେମନେ ଗଢ଼ୁଥିବେ ବସି ସ୍ୱର୍ଗକୁ ନିଶୁଣି, ନିଜେ ଖୋଜିବେ ନାହିଁ ଅଗ ଗୋଡ଼ରେ କଣ୍ଟା ବାଜୁ ବୋଲି ।

 

ମନେ ପଡ଼ୁଛି,–ହୈମବତୀ । ବିମାନ ବାବୁଙ୍କ ପିଇସୀ ଝିଅ ଭଉଣୀ । ଜମିଦାର ଗଙ୍ଗାଗୋବିନ୍ଦକୁ ବିଭା ହୋଇଥିଲା, ବଡ଼ଘର ଝିଅ, ବଡ଼ଘର ବୋହୂ । ଆଉ ସୁନାପରି ବର୍ଣ୍ଣ, ଖଣ୍ଡାନାକ, ମିରିଗ ଆଖିପରି ଆଖି, ଚମ୍ପାକଢ଼ି ପରି ଆଙ୍ଗୁଳି । ହୈମବତୀ ଯେ ବାଟ ଚାଲିଲେ ସତେ ସତେ ପଦ୍ମଫୁଟେ । ଆସିଲା ସେହି ବିଭୀଷିକାମୟ ସନ୍ଧି ଘଡ଼ି, ଯେତେବେଳେ ଇତିହାସ ଗଢ଼ା ହେଲା, ମାନଚିତ୍ର ବଦଳିଲା, ଚେରରୁ ଓପଡ଼ା ହୋଇ ଅନିଶ୍ଚିତତାର ଅନ୍ଧାର ଭିତରକୁ ଫୋପଡ଼ା ହେଲେ ହଜାର ହଜାର ମଣିଷ, ସେତେବେଳେ ହୈମବତୀ ବି ହଜିଥିଲା, ଶୁଣାଯାଇଥିଲା ତା’ର ସ୍ୱାମୀ, ଚାରିପୁଅ ବୁଢ଼ୀ ଶାଶୁ, ହାଣରେ ଯାଇଚନ୍ତି । ଲୋକେ ଧରି ନେଇଥିଲେ, ସେ ବି ଧରି ନେଇଥିଲେ,–ହୈମବତୀ ବି ମରିଛି ।

 

ତାପରେ କେତେକାଳ ଗତ ହେଲା ପରେ ସେଥର,–ଆଉ ଗୋଟିଏ ସହରରେ ବିମାନବାବୁ ତାଙ୍କୁ ଅକସ୍ମାତ ଦେଖିଥିଲେ ଗୋଟିଏ ହୋଟଲରେ । ତା’ର ରକ୍ଷକ ଜଣେ କନା ବେପାରି । ପାଖ ବଖରାଟି ତାର । କପେ ଚା ଆଉ ଖଣ୍ଡେ କବିତା ବହି ସାମ୍ନାରେ ଥୋଇ ବିମାନବାବୁ ପିଣ୍ଡାରେ ବସି ଧୂଆଁ ପିଉଥିଲେ ଆଉ ସହରର ମଣିଷ ଗହଳିଆଡ଼କୁ ଫାଙ୍କା ଦୃଷ୍ଟିରେ ଅନାଇଁ ଅନାଇଁ ଇନ୍‍ସ୍ୟୁରେନ୍‍ସ କମ୍ପାନିରେ ଆପଣା କାମକଥା ଭାବୁଥିଲେ, ସେ ତାଙ୍କ ଜୀବନର ନୂଆ ଅଵଲମ୍ବନ । ସେତିକିବେଳେ ନିଘା ପଡ଼ିଥିଲା, ପାଖ ପିଣ୍ଡାରେ ଗାଢ଼ ନେଳି କନାର ଘୋଡ଼ଣି ଘୋଡ଼ିହୋଇ ପାଇଜାମା ପିନ୍ଧି ସ୍ତ୍ରୀ ଲୋକଟିଏ ଯା ଆସ କରୁଛି, କେତେବେଳେ ଠିଆ ହୋଇ ରହୁଛି, କେତେବେଳେ କରମୋଡ଼ିଦେଇ କଣେଇ କଣେଇ ଚାହିଁରହି ପୁଣି ବୁଲିପଡ଼ି ଚାଲି ଯାଉଛି । ଉପରେ ପଡ଼ି ସେହିତ ଆଗ ଆସି କଥା କହିଲା । ମୁହଁ ଉପରୁ ଘୋଡ଼ଣି ଟେକି ଦେଇ ଡାକିଲା–"ବିମାନ ଭାଇ !"

 

ଅନ୍ଧାର ଭିତରେ ସତେକି ଝକ୍‍କିନା ବିଜୁଳି ମାରିଛି, ଅତୀତ ଲେଉଟି ଆସୁଛି ।

 

"ବିମାନ ଭାଇ !" ସେ ଡାକରେ ଆବେଗ ଔତ୍ସୁକ୍ୟ ପୂରିଛି, ଦାବିଅଛି, ତଥାପି ସେ ନିରାଶା ଓ ସନ୍ଦେହରେ ଥରଥର । ସେହି ସୁନ୍ଦର ମୁହଁଟି ଆହୁରି ପୂରିଲା ପୂରିଲା ଆହୁରି ସୁନ୍ଦର ହୋଇଛି, ସେ କାନ୍ଦୁଛି, ପଦ୍ମଫୁଲରୁ ପାଣି କେରା କେରା ବୋହି ଯାଉଛି ।

 

ଚାରି ପୁଅ, ସ୍ୱାମୀ, ବୁଢ଼ୀ ଶାଶୁ, ଏତେ ଲୋକ ମଲେ, କାହିଁ କେଉଁଠିତ ସେ ମୁହଁରେ ତାଙ୍କ ଚିହ୍ନବର୍ଣ୍ଣ ଲାଗି ନାହିଁ ।

 

ହୈମବତୀ ବଞ୍ଚିଛି । ଆହୁରି ସୁନ୍ଦର ହୋଇଛି ।

 

"ବଞ୍ଚିବାକୁ ମନ ହେଲା ବିମାନ ଭାଇ, ସେଥିପାଇଁ ସବୁକଥା ପଛକୁ ପକାଇ ଦେଲି । ମୁଁ ନମଲି କାହିଁକି !"

 

"ଏକା ତୁ ନୋହୁଁ ଭଉଣୀ, କେତେ ଲୋକ ବଞ୍ଚିବାକୁ ମନକଲେ । ମଣିଷତ ବଞ୍ଚିବାକୁ ହିଁ ଖୋଜେ । ଯାହା ଗଲା ଗଲା, କହ, ଫେରି ଆସିବୁ ?"

 

"ମତେ ରଖିପାରିବ ଵିମନ ଭାଇ ? କହ, ଘୃଣା କରିବ ନାହିଁତ ? ମୋ ପେଟରେ ପାଞ୍ଚମାସର ଛୁଆ ।"

 

ଚମକିପଡ଼ି ସେ ଚିତ୍କାର କରିଥିଲେ, ଅଜାଣତରେ ତୁଣ୍ଡରୁ ବାହାରି ପଡ଼ିଥିଲା,–"ଛୁଆ ? କାହାର ଛୁଆ ?"

 

ସେ ତାଙ୍କ ରହିବା ବଖୁରି ଭିତରକୁ ଚାଲି ଆସିଥିଲା, ତା’ ପଛେ ପଛେ ସେ । ତାଙ୍କର କହିବା ଭଙ୍ଗୀରେ କ’ଣ ବାରି ପାରି ହଠାତ୍‍ ସତେକି ସେ ଗୋଟାଏ ଅବତାର ହୋଇଗଲା, ଥମଥମ ମୁହଁରେ ଏ କି ବିଚିତ୍ର ଠାଣି ! ଡବଡବ ଆଖିରେ ଏ କି ଓଲଟା ମୁହାଁ ଆଲୁଅ ! ଓଠରେ ସେ କ’ଣ ? ହସ କି କାନ୍ଦ ! ସତେ ଅବା ଜଳନ୍ତା ଚାହାଣିରେ ଆପଣା ଭିତରକୁ ଅନାଇ ପାଗଳୀ ପରି ତେଜି ଉଠି ହୈମବତୀ ଗାଇଗଲା :–

 

"କାହା ଛୁଆ ବୋଲି ପଚାରୁଛ ? ସେତେବେଳେ କୋଉଠିଥିଲ ତୁମେ ଵିମାନ ଭାଇ ! କେଉଁଠି ମୁହଁ ଲୁଚେଇ ଥିଲ ? ଦେଖିନା ? ଶୁଣିନା ? ଜାଣିନା ମୋଟେ ? ଥିବା ଗଛକୁ ଯେ ହାଣି ପକାଇଲେ, ସବୁ ଓଲଟପାଲଟ କରି ପୋଡ଼ି ତାଡ଼ି ଯେ ନୂଆ କରି ଜମି ତିଆରିଲେ, ତାଙ୍କରି ଭିତରୁ ଜଣେ ତ ସେ । ସେହି ଆସି ମଞ୍ଜି ପୋତିଦେଲା । ତାରି ଛୁଆ !"

 

ତାର ସୁନ୍ଦର ମୁହଁ ଫାଟିଗଲା ଅସୁନ୍ଦର ବୀଭତ୍ସ ଭଙ୍ଗୀରେ, ନାନାଭଙ୍ଗୀ ନାନା ଖାଲ ନାନା ଟୋଲ, ମଣିଷର କାନ୍ଦୁରା ସେ ମୁହଁ ନୁହେଁ, କେଉଁ ଅସୁନ୍ଦର ଜନ୍ତୁର, କଇଁରେ କଇଁରେ ଧକେଇ ହେଉଛି, ମଝିରେ ମଝିରେ ହଠାତ୍‍ ବାହାରିପଡ଼ି ହଠାତ୍‍ ଅଟକିଯାଇ ସାନ କୁହାଟ ପରି କେଡ଼େ ଅଦ୍ଭୁତ ଶବ୍ଦମାନ ।

 

କହିଲା, "ଘୃଣା କରୁଛତ ? ଯାହା ମନ ତା’ କହିଯାଅ । କେତେ ତ ଭୋଗିଛି, କେତେ ସହିଛି, ଆଉ ତମର କଥା କେଇପଦ ସାହିପାରିବି ନାଇଁ !"

 

"କଣ ହେଲା ? ଥଣ୍ଡା ହ ହୈମବତୀ ।"

 

"ନାଇଁ ନାଇଁ । ମିଠା କଥା କହି ଭୁଲ ନାଇଁ । ସାକୁଲାସାକୁଲି ଦରକାର ନାଇଁ । କହ, ଜବାବ, ଦିଅ । ଘରକୁ ନେବ ମତେ ? ମୋର ସେ ଛୁଆ ଯେତେବେଳେ ଆସିବ, ନେଇପାରିବ ତାକୁ କୋଳକୁ ? କହ, ସତେ ମୋର ସେଇ ନାଁ ମତେ ଫେରାଇ ଦେଇପାରିବ ? ବାରମ୍ବାର ସ୍ମରଣ କରାଇ ଦେଇନାହିଁ ତ ଦୟାକଲ ବୋଲି ? କହୁନା କାହିଁକି ? ନଇଲେ କାହିଁକି ଏମିତି ଅନେଇଛ ? ତଡ଼ି ଦଉନା କାହିଁକି ? କାହିଁକି ? କିଏ ଏଇଟା ? ହୈମବତୀ କାହିଁ ? ସେତ ମଲାଣି କେଉଁକାଳୁ ।" କଇଁକଇଁ କାନ୍ଦଣା ଅଟକାଇ ସେ ସେହି ଭାବାଚ୍ଛନ୍ନ ଅବସ୍ଥା ଭିତରେ କହି ଚାଲିଲା ।

 

"ଦୁନିଆ ଜାଣିଲା ମୁଁ ମଲି । ସମାଜ ଖୋଜିବ ୟେ ମଲାମୁର୍ଦ୍ଦାର ଆଉ ଯେମିତି ଉଠି ନ ଆସୁ, ପୁଣି ଲେଉଟିଲେ ୟା ପାଇଁ ଥାନ କାହିଁ ? ମୁହଁ ଦେଖାଇଲେ କହିବ, କିଏଲୋ ଏଇଟା ? ଶାଶୁ ଶ୍ୱଶୁର ତ ଗଲେ, ଗିରସ୍ତ ଗଲା, ଛୁଆମାନେ ଗଲେ, ମୂଳଦୁଆରୁ ଚେର ସହିତେ ଉପୁଡ଼ିଗଲା, ଫେର ଏଥିରୁ ଗୋଟାଏ କିଏ ସେ ଆଇଚି ! ବିଷ ଟିକିଏ ମିଳିଲା ନାଇଁ । କୋଉ ଗାଡ଼ିଆ ପୋଖରୀରେ ଠାବ ମିଳିଲା ନାଇଁ ଯେ ଆପଣା ଜାତିକୁଳ ମୁହଁରେ, ଚଉଦପୁରୁଷ ମୁହଁରେ, ହିନ୍ଦୁଧର୍ମ ମୁହଁରେ କଲି ବୋଳିବାକୁ ବଞ୍ଚିରହିଲା, ଛି ଛି !

 

କାହିଁ ? ଆଉ ମରଣ ତ ଘୋଟିଲାନାଇଁ ମତେ, ଆପଣା ଜୀବନ ନେବାକୁ ହାତ ଚଳିଲା ନାହିଁ ଵିମାନ ଭାଇ, ଡର ମାଡ଼ିଲା । ମରଣ କେତେ ବୀଭତ୍ସ ! କେଡ଼େ ଭୟାନକ ! ଦେଖିଛି ତ କେତେ । ଏଇ ମୋ ଦେହ, କାଛୁକୁଣ୍ଡିଆଟାଏ ହେଲେ ସହି ହୁଏନାହିଁ, ମଲେ ସେ ଦେହରେ ନିଆଁ ଲାଗିବ ! ପୂରୁପୂରୁ ହୋଇ ଏ ବାଳ ଜଳିଯିବ । କେତେ ବାସ୍ନାତେଲ ଲଗାଇଛି, କେତେ ପରସ୍ତ କରି କୁଣ୍ଡେଇଛି ! ଏଗୁଡ଼ାକ ଜଳିବ ! ଛାଲ ଉପରେ ଫୋଟକା ହେବ, ଏଡ଼େ ଏଡ଼େ ଫୋଟକା ! ସେଗୁଡ଼ାକ ଫାଟିବ ! ମାଂସରେ ନିଆଁ ଧରିବ । ହାଡ଼ରେ ! ଚୁଲିରେ କାଠ ଜାଳିଲାପରି ମୋ ହାଡ଼ ଜଳିବ ! ଏ ଗାଡ଼ ମୁହଁରେ ଯେତେବେଳେ ନିଆଁ ଲାଗେ, ନିଆଁରେ ଫାଇଁ ଫାଇଁ ଜଳିଜଳି ଗୋଟାସୁଦ୍ଧା ନାଲି ତାଉରେ କେମିତି ସେ ଦିଶେ, କେମିତି ରହରେ ତମ ତମ ହେଇ ଅନାଏ, ଦେଖିଛ କେବେ ଵିମାନ ଭାଇ ! ନାଇଁ ନାଇଁ ମରି ମୁଁ ପାରିବି ନାହିଁ ବିମାନ ଭାଇ ! ତମ କୁଳର ଯଶ ସେତିକି ଥାଉ" ଓଃ ! ବିମାନ ବାବୁ ଦେଖିଲେ, ଧଇଁସଇଁ ହୋଇ ସେ ତାଙ୍କୁହିଁ ଅନୁନୟ କରୁଛି-। ଚାଟି ଉଠୁଛି ପଡ଼ୁଛି, କପାଳରେ ଝାଳ, ଆଖି ଅସ୍ୱାଭାବିକ ଭାବେ ଆର୍ତ୍ତ । ସତେକି ସେ ହିଁ ତାକୁ କହିଥିଲେ ମର ବୋଲି ଆଉ ସେ ମରି ନ ପାରି କୈଫିୟତ ଦେଉଛି । ଆଶ୍ଚର୍ଯ୍ୟ ଲାଗିଲା, କିଏ ୟେ ମଣିଷ ! ଏ କ’ଣ ସେହି ହୈମବତୀ ! ନାଁ ଆଉକିଏ ! କେଉଁ ସମ୍ପ୍ରଦାୟର ପ୍ରତୀକ ପୁଣି ପ୍ରତିନିଧି ! କହି ଯାଉଛି ସେ ପାଗଳୀଟା–

 

"ମତେ କ୍ଷମା କର । ମୋ ଦୋଷ ଧରନାହିଁ । ମୁଁ ଛାର ସ୍ତ୍ରୀଲୋକ । ମୋର କାହିଁ ସାହସ ଯେ ମୁଁ ମରିଥାନ୍ତି ! ଇସ୍କୁଲ ପଢ଼ା ସାରିଲି, କଲେଜରେ ଦି’ବର୍ଷ ପଢ଼ିଲି । ଗଦାଗଦା ବହି ଘୋଷିଥିଲି । କିଛି କାମକୁ ପାଇଲା ନାହିଁ । ମଣିଷର ଜୀବନର କଥା ବହି କେତେକରୁ କେତେ ଅବା ବୁଝାଇପାରିବ ! କିଏ ବୁଝାଇପାରିବ ! ଲୋକେ କାହାକୁ କହିବେ ଏଇଟାର ନାଁ ଧଇଲେ ପାପ, ଆଉ ୟେ ଯେ–ୟେ ସତୀଶିରୋମଣି । ମଣିଷ ମଲେ ତ ସବୁ ସରିଲା । କିଏ ଥିବ ସେ ନିନ୍ଦା ପ୍ରଶଂସା ଶୁଣିବାକୁ !

 

ତାପରେ ପାପରେ ବୁଡ଼ିଗଲି । ପାପ ନୁହେଁ ତ ଆଉ କ’ଣ ସେ ?–ସେହି ଖୁଣୀଙ୍କ ଭିତରୁ ଜଣକର ଘରଣୀ ହୋଇ ରହିଲି । ୟେ ମାଂସ କୋଉଠି ଘୃଣାରେ ଝଡ଼ି ପଡ଼ିଲା ? କାହିଁ, କେଉଁଠି ଏ ଦେହ ଶୁଖିଗଲା ! ନା ଓଲଟି ମୋଟେଇଲା ! ଏ ନିଆଁଲଗା ଦେହର ବିଚାର ଭିନେ ବିମାନ ଭାଇ ! ସେ ଖୋଜେ ସୁଖ ଆରାମ ମଉଜ, ଖୋଜେ ନିଜେ ବଞ୍ଚିଥିବ, ବଢ଼ୁଥିବ, ଝଟକୁଥିବ, ମନର ରୁଚି ଅରୁଚି କି ଘୃଣା କି ପାତରଅନ୍ତରକୁ ସେ ଆଦୌ ନିଘା ଦିଏ ନାହିଁ ।

 

ଛି, ଛି, କୋଉ ମୁହଁରେ ତମ ଆଗରେ ଏ କଥା ମୁଁ କହିପାରୁଚି ବିମାନ ଭାଇ, ଭାବିବ ଲାଜ ନାହିଁ ଯେ ବେହେଲ ହୋଇ କଥା ଗପୁଛି । ତେମେ ବିଶ୍ୱାସ କର, ଯାହା କହୁଛି ସତ କହୁଛି, ଟିକିଏ ମିଛ ନାହିଁ । ସତେକି ମୋ ମନଟା ଦୁଇଫାଳ । ଗୋଟାଏ ଫାଳ ଯେ ସେ ତମର ମୁଁ, ଯାହାଥିଲି ସେଇଆ; ଭାବିଲାବେଳକୁ ଏ ଅନ୍ତର ଫାଟିଯାଉଛି, ସେଇ ମୁଁ ଟାକୁ ତେମେ ଆଖିରେ ଦେଖି ପାରୁନା, ସେଇଟା କୁହୁଳୁଛି, ସେଇଟା କାନ୍ଦୁଛି, କାନ୍ଦୁଥିବ ମଲାଯାକେ । ଆରଫାଳଟା ହେଇ ତମ ଆଗରେ ଠିଆ ହୋଇଛି, ପୁରୁଣା ଜୀବନର ସବୁ ସମ୍ପର୍କ ମନରୁ ପୋଛି ପକାଇଛି ଆପେ ବଞ୍ଚିବ ବୋଲି, ନ ହେଲେତ ବଞ୍ଚି ହୋଇ ନଥାନ୍ତା । ଏଇ ଯେଇଁ ଗୋଟାକ, ଏ ତମର କେହି ନୁହେଁ, ତୁମ ଇଜ୍ଜତ ମହତ ଉପରେ ଖେଣ୍ଟା, ତୁମର ଶତ୍ରୁ, ତୁମେ ଯାହାକୁ ଭାବିଛ, ସଂସାର ଭିତରେ ଭଲ ଗୁଣ ବୋଲି, ଆଦର୍ଶ ବୋଲି, ୟେ ତାକୁ ସ୍ତ୍ରୀକର କରେ ନାହିଁ, ତା’ର ଠିକ ଓଲଟା । ସବୁ ପାସୋରି ପକାଇ ମୋର ଏ ନୂଆ ଘୁଷୁରି ଜନମରେ ପଙ୍କ କାଦୁଅ ଖୋଳି ଖୋଳି ମୁଁ ସୁଖରେ ହିଁ ତ ଥିଲି ବିମାନ ଭାଇ, ନୂଆ ପିଲାର ମା’ ହେବାକୁ ଚାଲିଲି, କଅଁଳି ଉଠୁଥିଲି, ଭାବୁଥିଲି ମୋର ଅତୀତ ନଥିଲା, ସବୁ ମୋର ଏ ବର୍ତ୍ତମାନ, ତା’ ପରେ ଆଜି ଦେଖା ପଡ଼ିଲ ତୁମେ । ମୋର ସେ ଛଳନା ଭାଙ୍ଗିଗଲା । ଆଉ ତ ସେ ଅତୀତକୁ ସ୍ୱପ୍ନ ବୋଲି ଭାବି ଉଡ଼େଇଦେଇ ହେବନାହିଁ । ଅନାଅଁ ମୋ ମୁହଁକୁ, କେଡ଼େ ଶରଧା କରୁଥିଲା, କେତେ ଗେହ୍ଲା ଆଦର କେତେ ସୋହାଗ । ସେହି ଅତୀତରୁ କାଣିଚାଏ ଜୀଆଇ ପାରିବ ବିମାନ ଭାଇ ? ହାତ ଧରି ବାଟ କଢ଼େଇ ନେବ ? ଯେଉଁଠିକି କହିବ ସେଠିକି ବୋଲି ତୁମ ସଙ୍ଗରେ ମୁଁ ଚାଲିଯିବି ? ଏବେ ବି ମୁଁ ତୁମର, ଆଉ କାହାରି ନୁହେଁ, ତୁମର–"

 

ଧ୍ୟାତ–ଧ୍ୟାତ ! ହୃଦୟ ଗମ୍ଭୀରା ଭିତରେ ଫୋପଡ଼ା ହୋଇ ଭୁଲି ହୋଇ ପଡ଼ିଥିବା ସୁର୍‍ ବାହାରର ତାର ଉପରେ ସେ ଅଭ୍ୟସ୍ତ ଆଙ୍ଗୁଳି ଚଳାଇ ଲାଗିଛି ଆପେ ଆପେ । ଭୁଲା ଯୌବନର ଭୁଲିଲା କଥା, ସାତତାଳ ପଙ୍କତଳେ କେଉଁଠି ସେ ଛପିଥିଲା । ବିମାନ ବାବୁଙ୍କର ବୟସ ଓ ଶିକ୍ଷା ସଂସ୍କୃତି ଗଢ଼ା ମନର ଖୋଳପା ଫାଟିଯାଇଥିଲା । ସେ କାନ୍ଦି ଉଠିଥିଲା, ଆଗ ଧୀରେ ଧୀରେ, ତା’ ପରେ ଏଡ଼େ ମୋଟରେ ।

 

ଚମକି ପଡ଼ିଲା । ହୋଇ ବର୍ତ୍ତମାନ ବି ତ ସେ କାନ୍ଦୁଛି । ସତେ ଯେପରି ସାମ୍ନାରେ ହୈମବତୀ ଠିଆ ହୋଇଛି ।

 

କିନ୍ତୁ ସାମ୍ନାରେ କେହି ଠିଆ ହୋଇ ନାହିଁ । ଖାଲି ସମୁଦ୍ର । ମେଞ୍ଚା ମେଞ୍ଚା ଲୋକ । ନାନାବର୍ଣ୍ଣର ଶାଢ଼ି ପିନ୍ଧି ସ୍ତ୍ରୀଲୋକମାନେ । ଛାପାଶାଢ଼ି ପିନ୍ଧୁ ପ୍ରଜାପତି ପରି ଦିଶୁଛନ୍ତି । ସତେ ଯେପରିକି ଏକ ତୁଳନାତ୍ମକ ପ୍ରଦର୍ଶନୀ,–କିଏ କେଡ଼େ ଓ କିପରି । ହୈମବତୀ ଏ ପ୍ରଦର୍ଶନୀରେ ଯୋଗଦେଇ ନ ଥାନ୍ତା, ସେ ଲାଜକୁଳୀ ଥିଲା ।

 

"କଣ କହୁଛ ବିମାନ ଭାଇ !" ଅଦ୍ୟାପି ତା’ର ଆବେଗପୂର୍ଣ୍ଣ ଚିତ୍କାର କାନ ଝଣଝଣେଇ ଦେଉଛି, ଦିଶିଯାଉଛି ସେହି କାନ୍ଦ ଝଲଝଲ ପାଗଳ ଆଖି, ସେହି ମୁହଁର ଠାଣି ।

 

"ନାଁ–ନାଁ–ନାଁ–" ତାଙ୍କ ପାଟିରୁ ବାହାରି ପଡ଼ିଥିଲା, "ସେମିତି ମତେ ଅନାଁନା, ମୁଁ ତୁମର କିଏ ? ମୁଁ କି ଉପଦେଶ ଦେବି ତମକୁ ? ମୋଦ୍ୱାରା ତୁମର କି ଉପକାର ହେବ ?"

 

ଖାଲି ହୋଟେଲ ଛାଡ଼ି ସେ ପଳାଇଯାଇଥିଲେ ସେତିକି ନୁହେଁ, ସେ ଲାଙ୍ଗୁଡ଼ ଜାକି ସହଜ ଛାଡ଼ି ପଳାଇ ଯାଇଥିଲେ ।

 

ବିମାନ ବାବୁଙ୍କ ଆଖି ଆଗରେ ହଣାଜଳା ଦିନର କରାଳ ବିଭୀଷିକା ଦିଶି ଯାଉଥିଲା । ମଣିଷ ପଣର ପରଖ ସେ ।

ସେ ଭାବୁଥିଲେ, କେଉଁ ସର୍ତ୍ତରେ ମଣିଷ ତାଙ୍କ ଜୀବନ ବଞ୍ଚାଇଥିଲେ ? ପଲପଲ ହୋଇ ପଳାଇ ଧାଇଁବା ଲୋକେ,–ଯେତେବେଳେ ଅନ୍ୟ କାହାର ଜୀବନ ଯାଉଥିଲା, ସେତେବେଳେ ଆଉ ଥୋଡ଼ାଏ ଥିଲା ଯେ ଗଣ୍ଠିରି ବାନ୍ଧି ପେଡ଼ି ବୁଜୁଳା ବାନ୍ଧି ଏପରିକି ହେଂସ ମସିଣା ଗୁରେଇ ଲୋକ ଲଗାଇ ବୁହାଇନେବା ଚେଷ୍ଟାରେ ଥିଲେ । ଲୋକେ ବୃଥାବୋଝ ବୋହି ଦିନ ଉତ୍ତାରୁ ଦିନ ପାଦରେ ଚାଲିଚାଲି ଆସୁଆସୁ ଶେଷରେ କେଉଁଠି ତାଙ୍କୁ ହାବୁଡୁଥିଲେ ଆସି ଧନଲୁଟିବା ଲୋକେ, ମାଗଣା ପଲପଲ, ବୋଝ ହାଲୁକା ହେଉଥିଲା । ବାଟରେ କିଏ ହାଣ ଖାଉଥିଲେ, କିଏ ଅବା ନୁଖୁରା ମୁଣ୍ଡକୁ ବଞ୍ଚାଇ ଘେନି ପଳାଇ ପାରିଥିଲା । ପୁଣି ସେହି ଭିଡ଼ ଭିତରେ ବି ପରସ୍ପର ଭିତରେ ଠକାଠକି ଫାଉମରା କଳିଗୋଳ, କେତେବେଳେ ଭୂଇଁ ଉପରେ ଶୋଇବାକୁ ଟିକିଏ ଜାଗା ପାଇଁ, କେଉଁଟା ଟିକିଏ ଛାଇତଳିଆ କେଉଁଟା ଟିକିଏ ପଦା ପଦା, ସେତେବେଳେ ବି କାହାରି କାହାରିଠିଁ ଥିଲା ପରର ସମ୍ପତ୍ତିଉପରେ ଲୋଭିଲା ଆଖି, ଚୋରି ହେଉଥିଲା, ଅନ୍ୟାୟ ବି ଘଟୁଥିଲା ।

ଭାତ ମୁଠାଏ ପାଇବା ପାଇଁ କି ବେଶି କରି ମୁଠାଏ ପାଇବା ପାଇଁ, କି ଭାତ ସାଙ୍ଗରେ ତରକାରି ଟିକିଏ ପାଇବା ପାଇଁ ଦେହଟାକୁ ମୁଣ୍ଡଟାକୁ ବି ବିକିଲେ ବନ୍ଧା ପକାଇଲେ କେହି କେହି ।

ଆଉ ସେତେବେଳେ ବି ଲୋକେ ବିଶ୍ୱାସ କରୁଥିଲେ ନ୍ୟାୟ, ସତ୍ୟ ହୃଦୟ ପରିବର୍ତ୍ତନ ଓ ଅହିଂସାରେ, ବିଶ୍ୱାସ କରୁଥିଲେ ଯେ ସୁନୀତିଗୁଡ଼ିକ ଚିରନ୍ତନ, ନିଜ ଜୀବନ କଥା ପଛକୁ ରଖି ଆଗ ଗୋଷ୍ଠୀର ମଙ୍ଗଳ ପାଞ୍ଚିବା ଉଚିତ, ଆଗ ପରୋପକାର, ପଛେ ନିଜେ ।

ଫୁଃ ! ୟାରି ନ ନୀତି !

ବିମାନ ବାବୁ ଗୋଟିକ ପରେ ଗୋଟିଏ ଛବି ହେତୁ କଲେ । ଆଶ୍ରୟ ପ୍ରାର୍ଥୀଙ୍କ ଶିବିରରେ ହଇଜା । ସକାଳୁ ଧରିଲେ ବେଳବୁଡ଼କୁ ଶେଷ । ପଥରଘର ଭାଙ୍ଗିଲା ଉତ୍ତାରୁ ସେମାନେ ପତର ଘରେ ଆଶ୍ରା ନେଇଥିଲେ । ସେମାନେ ରକ୍ତ ଆଉ ଧୂଆଁ ଭିତରେ ପଶି ନରକର କଳା ନଈ ପାରିହୋଇ ଆସିଥିଲେ । ସେମାନେ ପରା ପାଵ୍‍ନା ନଈ ପାଣିରେ ଥାଇତାପଣର ସବୁ ଇତିହାସ ଭସାଇଦେଇ ଆସିଥିଲେ, ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆସିଥିଲେ ନୂଆ ଜୀବନ ଗଢ଼ିବେ ବୋଲି ! ସେମାନେ ପରା ଦେଶ ଛାଡ଼ିଥିଲେ ଆପଣା ଧର୍ମ ଆପଣା ସଂସ୍କୃତିକୁ ଅତୁଟ ରଖିବେ ବୋଲି ! ଆଉ ସେମାନେ ଦୁଃଖ ଦୁର୍ଦ୍ଦଶାରେ ମେଞ୍ଚିମେଞ୍ଚି ହୋଇ ଏକ ହୋଇଥିଲେ, ଏକ ମଣିଷ, ସମସ୍ତେ ଭାଇ ଭାଇ ।

କେମିତି ତେବେ ସେମାନେ ଗୋଟାକୁ ଗୋଟା ହଇଜା ମଳୁଙ୍କୁ ଛାଡ଼ିଦେଇ ପଳାଇଯାଉଥଲେ । କିଏ ଦୁଆରେ ମାଟିରେ ଗଡ଼ୁଛି, କିଏ ଗଡ଼ୁଛି ଘର ଭିତରେ । କାହାର ମାଂସ ଓଟାରି ଓଟାରି ହେଉଛି, କାହାର ଆଖିରେ ପଲକ ପଡ଼ୁନାହିଁ, ହଳଦିଆ କାଚପରି ଆଖି ଦିଶୁଛି । କିଏ ସ୍ତ୍ରୀଲୋକ ସମସ୍ତିଙ୍କି ହରାଇ ଆପେ ବସି ରହିଛି, ଏଣେ ବୋହି ଯାଉଛି, ତେଣେ ଦିବର୍ଷର ଚାରିବର୍ଷର ଛୁଆ ଯୋଡ଼ିଏ ତା’ ପେଟରେ ମୁହଁ ଗେଞ୍ଜିଦେଇ ତା’ ଅଣ୍ଟାକୁ ଦି ହାତରେ ବେଢ଼େଇ ଧରି ମାଟିରେ ବସି ରହିଛନ୍ତି, ଯେପରିକି ସେମାନେ ସେହି ମାଆ ପେଟରେହିଁ ପଶିଯିବାକୁ ଚାହାନ୍ତି, ସେହି ଅତି ସ୍ନେହୀ ଅତି ବିଶ୍ୱାସୀ ଦେହର କୋରଡ଼ ଭିତରେ, ଆଉ ଏ ନିଷ୍ଠୁର ପାପୀ ଦୁନିଆଆଡ଼କୁ ମୁହଁ ଫେରାଇ ନେବାକୁ ଚାହାନ୍ତି ନାହିଁ । ଆଗକୁ ବଙ୍କାହୋଇ ଦୁଇ ପାଦରେ ଭରାଦେଇ ବସି ରହିଛି ସେହି ମା’, ତା’ର ଅଣ୍ଟା ଉପରକୁ ଖୋଲା ପଡ଼ିଛି, ମୁଣ୍ଡବାଳ ଅଲଗା ହୋଇ ଫିଟି ପଡ଼ିଛି, ସାନ ଖଣ୍ଡେ ପିନ୍ଧିଛି ଯେ ସେ ପାଣିପରି ଝାଡ଼ାରେ ଜୁଡ଼ୁବୁଡ଼ୁ, ମାଟି ବୋଳି ହେଉଛି, ଭୂଇଁରେ ଅରାଏ ଅରାଏ ପାଣିପରି ଢାଳି ହୋଇଛି । ଆଖି କୋରଡ଼କୁ ଗଲାଣି, ଗାଲ ଖସି ପଡ଼ିଲାଣି, ଜୀବନର ଆଶା ଛଡ଼ିଲାଣି, କିନ୍ତୁ କାନ୍ଦିବାକୁ ବି ଶକ୍ତି ନାହିଁ, ଅସାଷ୍ଟମ ହୋଇ ଆସୁଥିବା ହାତ ପାପୁଲିକି ଦୁଇ ଅରକ୍ଷ ପିଲାଙ୍କ ପିଠିରେ ଆସ୍ତେ ଘଷି ଲାଗିଛି ।

 

ସେ ବି କାହାର ଝିଅ ହୋଇଥିଲା, ଘରଣୀ ହୋଇଥିଲା, ଏମିତି ପଚିଶବର୍ଷ ନ ପୁରୁଣୁ ଅକାଳରେ ଝଡ଼ିପଡ଼ିବ ବୋଲି ସେ ଜାଣି ନଥିଲା, ଚାହୁଁଚାହୁଁ ଦି’ଟା ଦିନରେ ଶାଶୁ ଶ୍ୱଶୁର ମଲେ, ସ୍ୱାମୀ ମଲେ, ଦିଅର ମଲେ, ଆଉ ଯେଉଁମାନେ ଆପଣାର ହୋଇଥିଲେ, ସେମାନେ ସମସ୍ତେ ପର କରିଦେଇ ପଳାଇଗଲେ ।

 

ବସିଥିଲା ଆଉ ଗୋଟିଏ ନାରୀ, ତା’ର ମରମର ପୁଅଟିକି ଜଗି ରହିଥିଲା । ହଲ୍‍ନାହିଁ, ଚଲ୍‍ନାହିଁ ଅପଲକ ହଳଦିଆ କୋରଡ଼ ଆଖିରେ ପଦାକୁ ଚାହିଁ ରହି ତିନିବର୍ଷର ଲଙ୍ଗଳା ପୁଅଟି ହେଂସରେ ଶୋଇ ରହିଛି । ପ୍ରାଣ ଛାଡ଼ି ନାହିଁ, ଛାଡ଼ି ଆସୁଛି । ଏକ ଦୃଷ୍ଟିରେ ତା’ ମୁହଁକୁ ଅନାଇ ରହିଛି ସେହି ମା’, କେତେବେଳେ ସେ ମା' ବୋଲି ଡାକି କ’ଣ ମାଗିବ, କାଳେ ତା’ ବେକଆଡ଼କୁ ହାତ ବଢ଼ାଇବ । ଅପେକ୍ଷା କରି ରହିଛି ତା’ ମା ।

 

ଆଉ ଠାଏ ପଡ଼ି ରହିଛି ଗୋଟିଏ ଯୁବତୀ, ସତେକି ତୁଳୀରେ ଅଙ୍କା ହୋଇ ଚିତ୍ର ହୋଇଛି ତା’ର ସଉକୀ ଶାଢ଼ି । ତା’ ବେକରେ ସୁନ୍ଦର କାରିଗରିମୟ ହାର, ନେଳି ପଥରର ପଦକ ବସିଛି । ଲୁଚି ପଡ଼ିଛି ସେ ହାର ବାଙ୍କ ବାଙ୍କ ହେଇ ତା’ର ଛାତି ଉପରେ । ତା’ର ସୁନ୍ଦର କାନଫୁଲ, କଙ୍କଣ, ମୁଦି, ଅତି ସୁନ୍ଦର ତା’ର ଦେହର ଗୋରା ଚମ, ଓଠରୁ ନାଲି ଛାଡ଼ିନାହିଁ, ଆଖିରୁ ଛାଡ଼ିନାହିଁ କଜ୍ଜଳ । ମୁହଁ ଵିଭଙ୍ଗ କରି କ୍ଷୀଣ ବିକୃତ କଣ୍ଠରେ ସେ ମଝିରେ ଆର୍ତ୍ତ ଚିତ୍କାର କରୁଛି–"ମା, ଦୁର୍ଗା, ଭାସିଗଲି ମା–ମରିଗଲି–ମା–," ଆଉ ବିକୃତ ମୁହଁକରି ପାପୁଲି କେମ୍ପା କରି ଆପଣା ପାଦଆଡ଼କୁ ଦେଖାଇ ସଙ୍କେତ ଦେଉଛି, ମାଂସପେଶୀ ସବୁ ଟାଣିଓଟାରି ହେଲାଣି, ଯନ୍ତ୍ରଣା ଲାଗି ରହିଛି । ତା’ର ଚେହେରାରେ ତଥାପି ଗଢ଼ଣର ସୁନ୍ଦରପଣ ଲାଖି ରହିଛି, ଏତେ ଶୁଖିଲେ ବି ତଥାପି ତା’ର ଦେହର ଲାବଣ୍ୟ ଶୁଖିନାହିଁ, ଏଣେ ଅଙ୍ଗ ଅବଶ ହୋଇ ଆସିଲାଣି, ପ୍ରାଣ କ୍ଷୀଣ ହୋଇ ଆସିଲାଣି, ଆଖି ପଶି ଗଲାଣି, ନାଡ଼ି ଗୋଳମାଳ ହେଲାଣି, ପାଣିପରି ହଇଜା ପୋଖରୀ ବୋହି ଯାଉଛି, ସେ ମାନେନାହିଁ ସୁନ୍ଦରପଣର ଛଇଛଟକ ।

 

ଆଉ ସେହି ଶେଷ ଦେଖା ଦେଖୁଥିବା ଆଖି ଆଗରେ ଯେତେବେଳେ ତାକୁ ଦଶିଯାଉଛି ଯେ ମଧ୍ୟାହ୍ନ ସୂର୍ଯ୍ୟ ଦାଉଦାଉ ଜଳୁଛି, ସେତେବେଳେ ସେ ଲକ୍ଷ୍ୟ କରୁଛି, ଆରଘର ପିଣ୍ଡାରେ ମେଞ୍ଚାମେଞ୍ଚି ଜକାଜକି ହୋଇ ଲୋକେ ବସିଛନ୍ତି, ପାଣି ଟୋପିଏ ଦେବାକୁ ପିଣ୍ଡା ତଳକୁ ଓହ୍ଲାଉ ନାହାନ୍ତି, ପଦେ ବି ପାଟି ଫିଟାଉ ନାହାନ୍ତି । ଚିହ୍ନୁଥିବ ପରା, ଏଇ ପ୍ରାଣବିକଳା ଭୀରୁ ସ୍ୱାର୍ଥପରମାନଙ୍କ ଭିତରେ ଥିବେ ଅନେକେ ଯେଉଁମାନେ ତା’ର କୃପାଳୁ ଅମୃତ ପରି ପିଇବେ ବୋଲି ଘେର ବୁଲୁଥିଲେ, କାହା ଆଖି କେଉଁ ଛଟକରେ ଛାଟି ହୋଇଥିଲା ତା’ ଦେହ ଉପରକୁ, ଆଖି ଉପରକୁ, କାହା ମୁହଁ ଆଛିନ୍ନ ଭାବର ଆବେଗରେ ରହିଥିଲା ଏକା ଭଙ୍ଗୀରେ ତାହାରିଆଡ଼କୁ ମୋହିଁ । ଏଇ ଦଳରେ ଥିବେ ତା’ର ସେବାକାରୀମାନେ, ତା’ର ସ୍ତାବକମାନେ, ତା’ର ହିତାକାଂକ୍ଷୀମାନେ, କେତେ ତା’ର ଆପଣାର ଲୋକେ, ଅଥଚ ସେ ବଞ୍ଚି ଥାଉଥାଉ ସେମାନଙ୍କ ଭିତରେ ତା’ ଭିତରେ ବାଡ଼ ପଡ଼ି ଚାଲାଣି, ସେହି ମଣିଷଟାତ ସେ, ସବୁ ତ ସେମିତି ଅଛି, କାହିଁକି ସେମାନେ ଆସୁ ନାହାନ୍ତି, ପଚାରୁ ନାହାନ୍ତି ! ନା କିଏସେ ସେମାନେ ! ଯାହାଙ୍କୁ ଚିହ୍ନିଥିଲା ଆପଣାର କରିଥିଲା, ଯାହାକୁ ଘେନି ତା’ର ନିତିଦିନର ଦେଖା ପରଖା ହସକାନ୍ଦର ସଂସାର ତାଙ୍କରି ଛାଇଛାଇଆ ରୂପ,–ଖାଲି ପ୍ରେତପଲ–ଚିହ୍ନା ଚେହେରା ଦେଖାଇ ଛିଗୁଲଉଛନ୍ତି–ନା ସେ ନିଜେ କ’ଣ ମଲାଣି–ମରି ପ୍ରେତ ହୋଇ ସାରିଲାଣି–ସେମାନେ ତାକୁ ଚିହ୍ନୁନାହାନ୍ତି–ପାଖରେ ଥାଇ ବି ଡାକିଲେ ଶୁଭିବ ନାହିଁ, ହାତ ବଢ଼ାଇଦେଲେ ବି ଟିପ ଆଗକୁ ଛୁଇଁଲାଭଳି ଲାଗିବ ନାହିଁ, ଯେତେ ପାଣି ପାଟିକି ନେଲେ ବି ପଶିବ ନାହିଁ ପାଟିରେ, ଶୋଷ ମରିବ ନାହିଁ, ଏଡ଼େ ଶୋଷ କ’ଣ ସେଇଥିପାଇଁ ! ନା–ନା–ସେ ମରି ନାହିଁ, ମରିବ ନାହିଁ–ଥାଇଥାଇ ପ୍ରାଣପଣେ ଚିତ୍କାର କରି ଉଠୁଛି–"ଓଃ ! ମାଲୋ ! ଭାସି ଗଲି ଲୋ–"

 

ଆଉ କ୍ଷୀଣରୁ କ୍ଷୀଣତର ହୋଇ ଦବିଦବି ଯାଉଛି ସେ ସ୍ୱର । ଦୁର୍ବଳ ହାତ ପାପୁଲିରେ ନାନା ଅଜଣା ମୁଦ୍ରା ପ୍ରକଟାଇ ସତେକି ସେ ମରଣ ସଙ୍ଗେ ଧରାପରା ଲଗାଇଛି ତା’ର ସବୁ ଶକ୍ତି ଖଟାଇ, ତା’ର ସମଗ୍ର ବ୍ୟକ୍ତିତ୍ୱ ସେହି ମରଣ ଲଢ଼େଇରେ ଥରିଥରି ଉଠୁଛି ଦପଦପ ଚଡ଼ଚଡ଼ ମିଞ୍ଜିମିଞ୍ଜି ଶଳିତା ଧାସ ପରି । ନାଳ ଆଉ ପାଣି ବାନ୍ତି ହୋଇଗଲା, ନିସ୍ତେଜ ହୋଇ ପଡ଼ିରହିଲା ତା’ର ଦେହ, ଆର ପାଖେ ଭୟର ତାଙ୍କୁଣୀ ତଳେ ଗେଞ୍ଜାଗେଞ୍ଜି ମଣିଷଙ୍କ କୁତୂହଳ ବଢ଼ି ବଢ଼ି ଗଲା,–"ମଲାକି ?"

 

କିନ୍ତୁ କିଛି ସମୟ ଉତ୍ତାରୁ ପୁଣି ଆରମ୍ଭ ହେଲା ତା’ର ଦୁର୍ବଳ ହମା ରଡ଼ି– ।

 

"ମା, ମାଲୋ, ରଖ୍‍, ଭାସିଗଲି ମା ।"

 

Unknown

ଆଉ ଆଶ୍ରୟସ୍ଥଳୀର ଉପକଣ୍ଠରେ ଯେଉଁଠି ଅରାଏ ଜଙ୍ଗଲିଆ ଜଙ୍ଗଲିଆ ହୋଇଛି ସେଠି ଧାଡ଼ି ଧାଡ଼ି ହୋଇ ଶାଗୁଣା ବସି ଯାଇଛନ୍ତି, ଦୂରରୁ ଦିଶୁଛି କଳାକଳା ଛେଳି ଚରିଲା ପରି, ସାପେଇ ସାପେଇ ଆଗକୁ ଗେଞ୍ଜି ହେଉଛି ଲମ୍ବାଵେକ ମାଳମାଳ, ଫଣା ପରି ଟେକି ହେଉଛି ଫଣାପରି ଦଂଶୁଛି, ଆଉ କଳାପ୍ୟାଣ୍ଟ୍‍ କଳାକୋଟ ମଝିରେ ବେକରେ ଧଳା କଲର ତା ତଳେ ଧଳା କାମିଜି ଆଉ କାନ ପାଖେ ନାଲି ନାଲି ଚମ ଓହଳିଛି ଯେପରିକି ଏକ ପ୍ରକାର କୁଣ୍ଡଳ, ଆଉ ନାକ ଫଟା ଗନ୍ଧ ଆସୁଛି ସଢ଼ା ମୁର୍ଦ୍ଦାରମାନଙ୍କର ।

 

ଶହଶହ ସହସ୍ର ସହସ୍ର ବର୍ଷର ବସତି କୋଳରୁ ଯେଉଁମାନେ ଝିଙ୍କା ଓଟରା ହୋଇ କ୍ଷେତର ଟେଳାପରି ଫୋପଡ଼ା ହେଲେ ଏକର ସେକର, ହଣା ହେଲାପରେ ପୋଡ଼ା ହେଲାପରେ ଅତ୍ୟାଚାରିତ ଧର୍ଷିତ ହେଲାପରେ ଯେଉଁତକ ବଞ୍ଚିଲେ, ସେମାନେ ଜୀବନ ବଞ୍ଚାଇବାକୁ କୁଙ୍କରି କାଙ୍କିରି ହୋଇ ମୁଣ୍ଡ ଗୁଞ୍ଜିବାକୁ ଥାନ ଖୋଜି ବୁଲିଲେ, ଯେତେବେଳେ ଏ ଗାଁରୁ ସେ ଗାଁ, ଏ ପ୍ରଦେଶରୁ ସେ ପ୍ରଦେଶ, ତାଙ୍କରି ଭିତରୁ କେତେକ ଗଲେ ବାଡ଼ି ମୁହଁରେ ।

 

ଆଉ ଉଧୁରିଥିଲେ ସେ, ବିମାନବାବୁ, ସପରିବାରେ ଉଧୁରି ଆସି ପାରିଲେ କିନ୍ତୁ ଉଧୁରେଇ ହେଲା ନାହିଁ ତାଙ୍କର ସେ ପୁରୁଣା ସରଳପଣକୁ, ଆଗର ସେ ସନ୍ଦେହହୀନ ପ୍ରଶ୍ନହୀନ ବିଶ୍ୱାସକୁ, ଯାହା ହୋଇଥିଲା ତାଙ୍କର ସାଧାରଣ ରୂପ ସେହିଆକୁ । ସେତେବେଳେ ଲୋକେ କହୁଥିଲେ ବିମାନ ପେଟେ ଖାଏ, ଗାଲ ଉଛୁଳି ହସି ବୋହିଯାଏ, ଇସ୍କୁଲରେ ମାଷ୍ଟର ହୋଇ ବି ସେ କଉତୁକରେ ଖେଳରେ ପିଲାଙ୍କଠୁଁ ବଳେ, ଘରେ ହସିହସି ଗାଳି ଖାଏ, ଖେଳେ ବୁଲେ ହସେ ହସାଏ, ରାତିରେ ବିଛଣାରେ ପଡ଼ୁପଡ଼ୁ ତାକୁ ଗାଢ଼ ନିଦ ଘୋଟେ, ସେ ଗର୍ଜନ କରି ଘୁଙ୍ଗୁଡ଼ି ମାରେ-

 

ବିଶ୍ୱାସ କରିବି ! ହେଃ ! ଆଉ !

 

ଫାଙ୍କା ଆଖିରେ ସମୁଦ୍ରଆଡ଼କୁ ଚାହିଁ ସେ ମନେମନେ କହି ଦେଉଥିଲେ ବିଶ୍ୱାସ କଲାଭଳି ତାଙ୍କର ଧୃଷ୍ଟତା ନାହିଁ ।

 

ବିଶ୍ୱାସ କରୁ ସେ, ଯାହା ମୂଳୁଦୁଆ ଭୁଷୁଡ଼ି ନାହିଁ, ଦମ୍ଭ ଅଛି, ଯାହା ପିଠିଆଡ଼େ ଆଉଜିବାକୁ ଅଛି ଥାଇତା ପଣ, ଯାହା ମୁଠା ଭିତରର ଭାତ ଗଣ୍ଡାକ କେଉଁ ଅଜଣା ତାନ୍ତ୍ରିକାରର ବଳା କିମିଆଁ ବାଣରେ ପାଲଟି ନାହିଁ ଶୁଣ୍ଠା ଅଙ୍ଗାର, ବିଶ୍ୱାସ କରନ୍ତୁ ସେହିମାନେ ଯେ ଛାଇତଳେ ବସି ହାତ ବଢ଼ାଇଦେଲେ ଖାଦି ଆଉ ଖଦି ମିଳିଯାଏ, ଯେ ଜାଣନ୍ତି କାଲି ବି ଏ ଚୁଲି ଜଳୁଥିବ, ଏହି ଯେଉଁ ଗଛ ଆଜି ଲଗାହେଲା ତା’ ଫଳ ବି ସେମାନେ ଖାଇବେ ।

 

ବିଶ୍ୱାସ ଆଉ ତାଙ୍କ ନିଜଠିଁ ନାହିଁ । ସତମିଛର ସଂଜ୍ଞା ବି ବଦଳିଯାଇଛି । ସତ ଏଇ ମୁହୂର୍ତ୍ତଟି, ଏହି ଛୁଣୁକାକ ଜାଲ ଭିତରେ ଯେତିକି ପଡ଼ିଛି, ଯେତିକି ଧରାଦେଇଛି, ଯାହା ଦିଶୁଛି, ଯେତିକି ମିଳୁଛି, ସତ ତ ତାକୁହିଁ କୁହାଯାଏ ।

 

ଆଉ ତା ତେଣିକି ଅଜଣା, ତୁଚ୍ଛା କଳ୍ପନା, ଯେଉଁ ଗଛ ଦୁଇପତ୍ରରୁ ଛେଳି ମୁହଁରେ ଯିବ ଆଉ ଚଢ଼ିବ ନାହିଁ, ଯେଉଁ ପିଲା କେବେ ଜନ୍ମ ହେବ ନାହିଁ, ଯେଉଁ ଛାଇ ଦିଶୁଥିବ ପର୍ଦ୍ଦା ଉପରେ ତା’ ଦେହରେ ରକ୍ତ ମାଂସ ଲାଗିବ ନାହିଁ, ସେହି ସରଗକୁ ନିଶୁଣୀ,–ତାକୁ ଆଶ୍ୱାସ କୁହାଯାଇ ପାରେ, ବିଶ୍ୱାସ ନୁହେଁ ।

 

ସମୁଦ୍ର କୂଳରେ ସାନସାନ ପିଲା ବାଲିଦେଉଳ ତୋଳିଲା ପରି । କେତେକାଳକୁ ବା ଥିତି ! ଗଢ଼ୁଗଢ଼ୁ ଯାଏ ଭୁଷୁଡ଼ି । ସେହିପରି ସେ ଭାବୁଥାନ୍ତି । ଚିହ୍ନା ଅଚିହ୍ନା ଯେତେ ଯାହା ଦିଶୁଛି ସବୁ ତାଙ୍କ ଆଖିରେ ଅବିଶ୍ୱାସର ବୁଜୁଳି; ଯେତକ ସମ୍ବନ୍ଧ ଅଛି ସେତକ ବି ଖାଲି ସ୍ୱାର୍ଥ ପାଇଁ । ସେ ସ୍ୱାର୍ଥ ବି ଅନିତ୍ୟ । ସବୁ ଭିତ୍ତିହୀନ, ସବୁ ମିଥ୍ୟା, ଖାଲି ବାହାରର ରଙ୍ଗ । ତଥ୍ୟର ଥାଇତା ନାହିଁ, ବିଶ୍ୱାସର ଥାଇତା ନାହିଁ, ଆଶା, ମୂଲ୍ୟ, କାହାରି ଥାଇତା ନାହିଁ, ଖାଲି ଆପଣାକୁ ଭୁଲାଇବାକୁ ନହେଲେ ପରକୁ ଭୁଲାଇବାକୁ ଆଉ ବେଳ କଟାଇ ଦେବାକୁ ଏ ମଣିଷର ସୃଷ୍ଟି, ମିଛ ତା’ର ରଣପା, ମିଛ ତା’ର ଦମ୍ଭିଲା ଚଉଖୁଣ୍ଟ ଚିବୁକ, ତା’ର ଛାତିଫୁଲା ନିଶଫୁଲା, ଆଉ ଯେତେ ଯେଉଁଠି କୋଇଲି ସୂତାରେ ଛନ୍ଦାଛନ୍ଦି ହୋଇ ତା’ର ସମ୍ବନ୍ଧ, ସବୁ ମିଛ ।

 

ଆଉ ହେଇ ସେ ସମୁଦ୍ରକୂଳରେ ପୁରୀର କାରିଗର ଟୋକା ଦିଜଣ କ୍ଷିପ୍ର ହାତରେ ବାଲିକୁ ମଠାମଠି କରି ଗୋଟିଏ ପ୍ରକାଣ୍ଡ ବାଲି–ମହାବୀର ତିଆରି କରି ସାରିଲେଣି, ଡାହାଣ ହାତରେ ପର୍ବତରୁ ଖଣ୍ଡିଏ ଧରି ଖେପି ଆସୁଛନ୍ତି ପେଲି ଆସୁଛନ୍ତି ରାମଭକ୍ତ ହନୁମାନ, ସଦ୍ୟ ବାଲିଚିତ୍ରରେ ହନୁମାନ ଦେଖିବାକୁ ଅନେକ ଜମା ହେଲାଣି, ସେହି ଯେଉଁମାନେ ସବୁ ମହାନଗରୀରୁ ନିକଟ କାଟି ଏତେବାଟ ଆସିଛନ୍ତି ସେମାନେ, କାନ୍ଧରୁ ଝୁଲୁଥିବା ଫଟୋ କ୍ୟାମେରା ଖୋଲି ମୋହିଁ ଧରିଲେଣି ଅନେକେ ଚାରିପାଖରୁ, ନାନା ଚିତ୍ରର ପୋଷାକ ପିନ୍ଧିଥିବା ମହିଳାମାନେ ବି ଘେରିଗଲେଣି । ବିମାନବାବୁ ସେହି ରୂପଦେଖାଳିଙ୍କ ଆଡ଼କୁ ଅନାଇଁ ଛୋଟ ହାଇଟିଏ ମାରିଲେ, ଅଵଜ୍ଞାରେ ଅନାଇଲେ । ଏମିତି କେତେ ରୂପ ଏ ବାଲିରେ ଫୁଟେ । ଆଉ ଜଣକୁ ସମୁଦ୍ର ଢେଉ ପ୍ରହାରି ସବୁ ନିଶ୍ଚହ୍ନ କରିଦେବ ।

 

ଆଉ ଏହି ଯେଉଁ କିଶୋରୀଟି ପାଗଳପରି ଖାଲି ଆବେଦନମୟ ସଂଗୀତର ଧାଡ଼ିଗୁଡ଼ିକ ଫୁଟାଇ ଲାଗିଛି ସମୁଦ୍ରର ଓଦା ବାଲିରେ, କରୁଛି ଗୋଟାକ ପରେ ଗୋଟାଏ ଖନ୍ଦ, କୁତୂହଳୀ ହୋଇ ଦଳଦଳ ଯୁବକ ତାକୁ ପଢ଼ି ପଢ଼ି ଯାଉଛନ୍ତି, କେହିବା ହସିହସି ଗୋଟାଏ ଗୋଟାଏ ଶବ୍ଦକୁ ପାଦରେ ରଗଡ଼ି ନିଭେଇ ସେଠି ଅନ୍ୟ ଏକ ଶବ୍ଦ ଲେଖି ଦେଉଛି, ଯେପରି ତା’ର ଅର୍ଥ ବଦଳିଯିବ, ଲୋକେ ହସିବେ ।

 

ଏଇ ଯେଉଁ ପଲପଲ ମହିଳା ଲୁଗାପିନ୍ଧା କୌଶଳରେ ପଟୁତା ଦେଖାଇ ଛାତି ଫୁଲାଇ ଚାଲିଛନ୍ତି କେଉଁ ଅନ୍ୟ ଦୁନିଆର ଛବି ଚହଟାଇ, ପୋଷାକର କରାମତିରେ ଥାକଥାକ ହୋଇ ଗରିଗରି ହୋଇ ଅଙ୍ଗସୌଷ୍ଠବ ବାରି ହୋଇପଡ଼େ,–କାରଖାନାରେ ତିଆରି ଚିତ୍ରଛପା ଲୁଗା ପ୍ରଦର୍ଶନୀ ନୁହେଁ, ତୁଳନା କରି ଦେଖିବାପାଇଁ ମଣିଷର ଏ ସୁନ୍ଦର ଦେହର ପ୍ରଦର୍ଶନୀ ସଜା ହୋଇଛି ଏଠି ।

 

ୟେ ବି ଫମ୍ପା, ୟେ ବି ମିଥ୍ୟା ।

 

ଆଉ ଏହି ଯେଉଁ ଦିଶୁଛି, ଗେରୁଆ ପିନ୍ଧି ଦାଢ଼ି ଛାଡ଼ିଦେଇ ତରତର ହୋଇ ପାଣି କରେ କରେ ବୁଲି ଚାଲିଛନ୍ତି ଯୁବକ ବାବାଜିମାନେ ଯେପରିକି ସେମାନେ କୌଣସି ଧର୍ମତଥ୍ୟ ସଂଗ୍ରହ କରିବେ ବୋଲି ବ୍ୟଗ୍ରହୋଇ ଚାଲିଛନ୍ତି, ଚାଲିଛନ୍ତି ।

 

ଆଉ ସମୁଦ୍ରକୂଳ ରାସ୍ତା ଆରପଟେ ବଡ଼କୋଠାର ଉଞ୍ଚ ପାହାଚମାନଙ୍କ ଉପରେ ଯେଉଁ ବୁଢ଼ାବୁଢ଼ା ବାବାଜିମାନେ ବସିଛନ୍ତି, ପୁଣି ବୁଢ଼ାବୁଢ଼ା ଶିଷ୍ୟମାନେ, ଆଉ ସମୁଦ୍ର କୂଳରେ ଏଠି ସେଠି ବାଲି ଉପରେ ବସିଛନ୍ତି ବୁଢ଼ା ଭାବୁକମାନେ, କେହି କେହି ସାଧକମାନେ, କେଉଁଠି ଗୋଟିଗୋଟିକିଆ ହୋଇ, କେଉଁଠି ଦଳଦଳ ହୋଇ, କେଉଁଠି ପରସ୍ପରକୁ ସମାନ୍ତରାଳ ହୋଇ ଉଦ୍ୟତ ପ୍ରଶ୍ନବାଚକ ଚିହ୍ନପରି ସମୁଦ୍ରଆଡ଼କୁ ମୋହିଁ ବାଲିରେ ପୋତାହୋଇ ସେହି ତତ୍ତ୍ୱାନ୍ୱେଷୀମାନଙ୍କ ହାତ ବାଡ଼ିଗୁଡ଼ିକ ଧାଡ଼ିଧାଡ଼ି ହୋଇ ପୋତାହୋଇଛି ତାଙ୍କ ଆଗରେ, କେଉଁଠି ବା ଗୋଟିଗୋଟିକିଆ ହୋଇ ମୁଣ୍ଡକୁ ଛାତି ଉପରକୁ ଭାଙ୍ଗିଦେଇ ସମାଧିସ୍ଥ ହେଲାପରି ବସିଛନ୍ତି ସେ ବୁଢ଼ାମାନେ, ବିମାନ ବାବୁ ଲକ୍ଷ୍ୟକଲେ ଆଉ ଭାବିଲେ,–ମିଥ୍ୟା, ମିଥ୍ୟା ସବୁ ଖାଲି ଅଭିନୟ, ସବୁ ଅନିତ୍ୟ ।

 

ସେହିପରି ଏହି ଯେଉଁଖେଳ ଲାଗିଛି ସାନପିଲାଙ୍କର ପେଣ୍ଡୁ ଫୋପଡ଼ା ଫୋପାଡ଼ି, ଦଉଡ଼ା ଦଉଡ଼ି, କେତେ ଖଳଖଳ ହସ, କେତେ ଔତ୍ସୁକ୍ୟ !

 

ସେହି ଔତ୍ସୁକ୍ୟ ଝଲସି ଉଠୁଛି ସମୁଦ୍ରକୂଳ ବୁଲାଳି ଦମ୍ପତିମାନଙ୍କ ଆଖିରେ, କଥାରେ, ଡେଣାକୁ ଡେଣା ଲଗାଲଗି, କତିକି କତି, କହୁଣିରେ ଆସ୍ତେ ପେଲାପେଲି, ଆଉଜା ଆଉଜି, ଆଉ ହସ ।

 

ସବୁ ଖାଲି ସ୍ୱାର୍ଥର ଖେଳ, ତୁଚ୍ଛା ଅଭିନୟ ।

 

ସେମିତି ୟେ ଯେତେ ପରିବାରମାନେ, ପଲପଲ ପିଲାକବିଲା ଘେନି ଅରାଏ ଲେଖାଁ ବାଲି ଆବୋରି ରହି ବସିପଡ଼ିଛନ୍ତି, ସମୁଦ୍ରକୁ ଚାହିଁଛନ୍ତି ।

 

ଆଉ ଏଇ ଯେଉଁ ଚଣାଚୁର ଗରମ ବିକୁଛି, ଯାହାକୁ ଦେଖୁଛି ତାକୁ ପଚାରୁଛି କିଣିବେ କି ? ଆଉ ଏଇ ଯେଉଁ ଶାମୁକା ବିକାଳିମାନେ ଶାମୁକା ଶଙ୍ଖ ଓ ଶାମୁକାରେ ତିଆରି ହାରର ପସରା ମୁଣ୍ଡାଇ ବିକୁଛନ୍ତି, ଏଇ ଯେଉଁ ଲୋକଟି ବୁଲିବୁଲି ସାଙ୍କୁଚ ଲାଙ୍ଗୁଡ଼ ବିକୁଛି, ଏଇ ଯେଉଁ କୋଦୀଟି, ଦରବୁଢ଼ୀ ବୈଷ୍ଟବୁଣୀ, ଯେ ପାଖକୁ ଆସି ଗୋବିନ୍ଦଙ୍କ ନାଁ ଧରେ, ସେଉଠୁ କହେ ତିନିଦିନ ହେଲା ଖାଇନାହିଁ, କିଛି ଦବ ବାବା ? ଏହି ଯେତେ ନୋଳିଆମାନେ ଏକର ସେକର ହେଉଛନ୍ତି, କିଏ ଜାଲ ଶୁଖାଉଛି, କିଏ ଦଉଡ଼ି ଓଟାରୁଛି ସମୁଦ୍ରରୁ ମାଛ ଜାଲ ଆସିବ ବୋଲି,–ସଡ଼କ ଉପରେ ରିକ୍‍ସା ଚାଲିଛି, ମଟର ଚାଲିଛି–ତଳେ ବାଲିରେ କିଏ କାହା ସଙ୍ଗେ ଯୁକ୍ତି କରୁଛି, କିଏ ଅବା ଦଳଦଳ ହୋଇ ଚାଲିଛନ୍ତି ଅନିର୍ଦ୍ଦିଷ୍ଟ ମାର୍ଗରେ–

 

ସବୁ ମିଛ, ଖାଲି ଏହି କ୍ଷଣକର ରୂପ, ୟେ ବି ଭାଙ୍ଗିଯିବ, ଯେ ଯୁଆଡ଼େ ହଜିଯିବେ । କାଲିକି ଆସିଥିବେ ଆଉ ଦଳେ ।

 

ବିମାନବାବୁ ଭାବିନେଲେ, ସତେକି ଏମାନେ ବି କେହି ନାହାନ୍ତି, ନଥିଲେ କେବେ ।

 

ବସି ବସି ବୃଥା ଚିନ୍ତା ଆପଣାକୁ ମାଡ଼ି ପଡ଼ୁଥିଲା, ବିମାନ ବାବୁ ଉଠିପଡ଼ି ଚାଲିଲେ ପଶ୍ଚିମମୁହାଁ, ସେହି ଯୁଆଡ଼େ କୋଠାବାଡ଼ି ସରିଯାଇଛି, ଓସାରିଆ ବାଲିତଣ୍ଡା, ସମୁଦ୍ର ଭିତରେ ପଶି ଆସୁଛି, ସେପଟେ ଦିଶୁଛି ଝାଉଁବଣ । ସୂର୍ଯ୍ୟାସ୍ତର ନାଲି ରେଣୁ ଉଡ଼ି ଉଡ଼ି ନାଲିଆ କୁହୁଡ଼ିପରି ହୋଇଛି । ଆଉ ସେଠି ପାଖେ ସମୁଦ୍ର ଆରପାଖେ ଜଗନ୍ନାଥଙ୍କ ଦେଉଳ ଅଣ୍ଟାଠୁଁ ଉପରକୁ ଦିଶୁଛି । ଯାଉଯାଉ ଧୀରେଧୀରେ ଅଭିମାନ ଓ ପ୍ରବାହରେ ତିଆରି ତାଙ୍କ ବ୍ୟକ୍ତିତ୍ୱ ଭିତରେ କଣ୍ଟାହୋଇ ପଶିଥିବା ଅବିଶ୍ୱାସ ବି ଝଡ଼ିଝଡ଼ି ପଡ଼ୁଛି, ଯେପରିକି ଲୁଣି ପାଣିମିଶା ପବନର ହିଁ ଆଘାତରେ ।

 

ହେଇ ସେପାଖେ, ସ୍ୱର୍ଗଦ୍ୱାର ମଶାଣି । ଛୋଟ ମୁଣ୍ଡିଆଟିଏ ପରି ବାଲିକୁଦ, ତାହା ତଳେ କେତେଗୁଡ଼ିଏ କବର, ତାହା ତଳେ ସମୁଦ୍ର ଯାକେ ବାଲିର ଢାଳୁ । ଏଠି ମଲାମଣିଷ ପୋଡ଼ା ହୁଅନ୍ତି ସେ ଜାଣିଛନ୍ତି, ମଶାଣି ଦେଖିବା ତାଙ୍କ ପକ୍ଷରେ ନୂଆ ନୁହେଁ, ସହର ତଳି ମଶାଣି, କବର, ଗାଁ ମୁଣ୍ଡରେ ମଶାଣି ଦଣ୍ଡା, ମଣିଷ ବସତି ଆଉ ଜୀବନ୍ତ ଅବସ୍ଥିତିର ସନ୍ତକ ମଶାଣି ।

 

ତଥାପି ଏଇ ମଶାଣି କରେକରେ ଗଲାବେଳେ ବିମାନ ବାବୁ ଅଟକି ଠିଆହେଲେ । ମୁହଁ ପଟେ ସୂର୍ଯ୍ୟାସ୍ତର ନାଲିଧାସ, ଡିବିରି ପାଖେ ଶାଗୁଆ ନେଳି ସମୁଦ୍ର ପାଣି ଆଉ ଡାହାଣ ପାଖେ ସେ, ଯେ କଥା କହିବ ନାହିଁ, ଚାଲିବ ନାହିଁ, ଉଠି ଠିଆ ହେବ ନାହିଁ, ସବୁ ସ୍ନେହ ସବୁ ସୁଖ ସବୁ ସମୃଦ୍ଧିର ନାହିଁ ପଣ, ଜୀବନର ଥମ୍ବିଲାପଣ । ଅଦୃଶ୍ୟ ଆତ୍ମାମାନଙ୍କ ଉଦ୍ଦେଶ୍ୟରେ ଦୁଇହାତ ଟେକି ଦଣ୍ଡବତ ହେଲେ ଆଉ ଭାବପ୍ରବଣ ହୋଇଗଲା ତାଙ୍କ ମନ । ଭାବିଲେ, ସବୁ ତର୍କ ସମାଲୋଚନାର ପରିସମାପ୍ତି ଏଇଠି, ଏଇ ଶୀତଳ ଅଙ୍ଗାର କୁଢ଼ରେ, କେହି ବିଶ୍ୱାସୀ ହୋଇଥାଉ କେହି ଅବିଶ୍ୱାସୀ ହୋଇଥାଉ, ନୀତିମନ୍ତ ହୋଇଥାଉ କି ଅନୀତି ପୁରୁଷ ହୋଇଥାଉ ।

 

ତେବେ ସମାଲୋଚନା କରିବ କାହାକୁ ?

 

ମନୁଷ୍ୟ ପ୍ରତି ଅପାର କରୁଣାରେ ମନ ନଇଁ ଆସିଲା, ଆଉ ସେ ଭାବିଲେ, ମନର ଏ ଅବସ୍ଥାରେ ମନୁଷ୍ୟର ସବୁ ଦୋଷ ଦୁର୍ବଳତାକୁ କ୍ଷମା କରି ପାରିବେ । ମନୁଷ୍ୟ,–ତାର ନିହିତ ଦୁଃଖ ଅପେକ୍ଷା ଆଉ କି ଦୁଃଖ ଅଧିକ ହୋଇପାରେ ? ଦଶମାସ ଗର୍ଭରେ ଧରିବା, ଦିନରାତି ଉଜାଗର ରହି ସନ୍ତାନ ପାଳିବା, ସହସେ ଚେରର ଏ ସଂସାରକୁ ଗୃହସ୍ଥଳୀକୁ ଓଟାରି ଧରି ପୁଣି ଶେଷରେ ସବୁ ଛାଡ଼ିଦେଇ ଚାଲିଯିବା, କି ଦୁଃଖ ୟେ !

 

ଏ ଚରମ ନିଶ୍ଚିହ୍ନତା ଯେଉଁଠି ଜଳଜଳ କରି ଚାରିଆଡ଼େ ଚାହୁଁଛି, ସେଠି ତାର ଦୋଷ ଦୁର୍ବଳତା ଛଇଛଟକ, ତପ–ତାର ମିଥ୍ୟା ଭେକ, କେତେକ କେତେ ? ବିମାନବାବୁ ଭାବୁଥିଲେ,–

 

ପାଖେ ଏ ସମୁଦ୍ର ବାଲି, ସମୁଦ୍ର ପାଣି, ସେଠି ମଣିଷର ଜୀବନଯାତ୍ରାର ଇତିହାସ ଲେଖା ହୋଇ ରହିନାହିଁ, କାହିଁ କେଉଁ ଘରର ନାଁ, କାହିଁ କେଉଁ ପ୍ରଗତି କି ପଶ୍ଚାତ୍‍ଗତି କେଉଁ ତୀବ୍ର ସୁଖ କି ତୀବ୍ର ଦୁଃଖ,–କିଛି ହିଁ ନାହିଁ, ମଣିଷର ସ୍ପର୍ଶମାତ୍ରକ ନାହିଁ । ଆଉ ଆରପାଖେ ମଣିଷ, ତା’ର ମନ, ତା’ର ସୁଖ ଦୁଃଖ, ତା’ର ସଂସ୍କୃତି, ତା’ର ଇତିହାସ, ତା’ର ସାଇତା ସମ୍ଭାର ।

 

ହିଁ, ତା’ର ସାଇତା ସମ୍ଭାର, ଯୁଗଯୁଗର କେତେ ଧୂଳିକୁ ପରମ ଆନନ୍ଦରେ ସେ ସାଇତି ସମ୍ପାଦି ରଖିଛି, ତା’ର ପରମ୍ପରାକୁ ଦେଖି ଦେଖି ଆପଣା ମନ ଖୁସି କରିବାକୁ । ତା’ର ସାଇତା ଗୋଡ଼ିମାଟି, ହାଣ୍ଡିଖପରା, ଇଟା ପଥର ।

 

ତାର ସାଇତା ପ୍ରଦର୍ଶନୀ ।

 

ଏଇ ହାଣ୍ଡିରେ ରୋଷେଇ କରୁଥଲା ତା’ ଘରଣୀ ପାଞ୍ଚ ହଜାର ବର୍ଷ ତଳେ ପ୍ରାଚୀ ନଈ କୂଳରେ, ଆଉ ମହେଞ୍ଜୋଦାରୋରେ ସିନ୍ଧୁମନ୍ଦାର ରାଜ୍ୟରେ, ଆଉ ଗୁଜୁରାଟରେ । ଏଇ ଧୂପଦାନିରେ ଠାକୁର ପାଖେ ଝୁଣା ଜାଳୁଥିଲା ତା’ ପୁରୋହିତ ସାତ ହଜାର ବର୍ଷ ତଳେ ନୀଳନଦୀ କୂଳରେ ।

 

ତାର ଦେଉଳ ଅଟ୍ଟାଳି ଖାଈ ପାଚିରୀ ମୂର୍ତ୍ତି ଛବି । ତା’ର ଯେତେ ଅନୁଷ୍ଠାନ, କର୍ମ, ଆଚାର, କିମ୍ବଦନ୍ତୀ, ସ୍ମୃତି ।

 

ଲୋକ ତୁଣ୍ଡରେ ଗଡ଼ି ଆସୁଥିବା ତା’ର ବିଜୟଗାଥାମାନ, କିଏ କେତେ ଅନ୍ୟ କାହାର ମୁଣ୍ଡ ଛିଣ୍ଡାଇ ପାରିଲା, ତୁଣ୍ଡରୁ ଭାତ ଛଡ଼େଇ ନେଇ ପାରିଲା, ପରକୁ ଦାବିରଖି ତଳିଆ କରି ତା’ ଉପରେ ଅତ୍ୟାଚାର ଲୁଣ୍ଠନ ଚଳାଇପାରିଲା ମନଇଚ୍ଛା । ସାଇତି ରଖିଚି ଏସବୁ ।

 

ଆଉ ସାଇତିରଖିଛି ତା’ର ଜାତିଜାତିକା ଭାଷା, ଭାଷାରେ ବନ୍ଧା ଅଭିଜ୍ଞତାପୁଷ୍ଟ ତା’ର ଜ୍ଞାନ, ଯେ କେଉଁ ଯୁଗରେ ତା’ର କେଉଁ ପୂର୍ବପୁରୁଷ କିପରି କ’ଣ ଭାବିଥିଲା, କେଉଁ ବାଗରେ କେଉଁ କଥାକୁ ଅନାଇ ଦେଖିଲା, ଆପଣ ଅନ୍ତରର କଥାକୁ ଲୁଚାଇବା ପାଇଁ ପଦାକୁ ପତିଆରା ଦେଖାଇ କିପରି କ’ଣ ସେ କହିଥିଲା । ଚୁଲି କାଠ ପରି, ହାଣ୍ଡି କୁଣ୍ଢେଇ ସପ ଛାଞ୍ଚୁଣୀ ପରି, ସିନ୍ଧୁକ ପରି ଢିଙ୍କି ପରି ସାଇତି ରଖିଛି ମଣିଷ ଏମିତି ତା’ ଜ୍ଞାନକୁ, ପୋଥିକୁ, ଠାକୁରକୁ, ଖପରାକୁ ।

 

ଘରକରଣା ଖେଳରେ ତା’ର ପ୍ରକାଶ ପାଇଁ ସତେକି ଏକା ପତ୍ତନରେ ତାର ସବୁ ଲୋଡ଼ା, ତା’ର ବନ୍‍ସୀଖଡ଼ା ଆଉ ଅମରକୋଷ ବ୍ୟାକରଣ, ପନିକି ଆଉ ଅଦ୍ୱୈତବାଦ, ପାଳଦଉଡ଼ିରେ ବନ୍ଧା ଓଳିଆରେ ଆଉ ଶାଳଗ୍ରାମ ଶିଳା । ତା’ର ନିହିତ ବ୍ୟର୍ଥତା ସେ ବୁଝୁନାହିଁ, ଖାଲି ଭାସିଯାଉଛି ପୂର୍ଣ୍ଣତାରେ, ଉତ୍ସାହରେ, କାରଣ ସେ ଭାବୁଛି ଯାହା ପ୍ରକୃତରେ ତା’ର ଜୀବନୀ ଶକ୍ତି ତାହାହିଁ ତା’ର ପୂର୍ଣ୍ଣତା, ସତେ ଯେପରିକି ତା’ର ଜୀବନ ଅଛି ବୋଲି ସବୁ ଅଛି ।

 

ଆଉ ଏ ସମୁଦ୍ରବାଲିରେ ଯଦି ତା’ର ଯୁଗଯୁଗର ସାଇତା ସଂସ୍କୃତି ଆଉ ଧାରଣା ଆଉ ତା’ର ପୋଥିପତ୍ର ସବୁ ବିଞ୍ଚିଦିଆ ହୁଅନ୍ତା କ’ଣ ବା ଅଧିକ ହୁଅନ୍ତା ପରିବର୍ତ୍ତନ, କେଉଁଠି ଅବା ରହନ୍ତା କି ଚିହ୍ନବର୍ଣ୍ଣ ! ଏମିତି ଖତିରା ହୋଇ ବାଲିରେ ମିଶନ୍ତା ଯେମିତି ଏତେ ଜନ୍ତୁଙ୍କ ଦେହ ଖୋଳପା, ଯେତେ ଯାବତ ଗୋଡ଼ିବାଲି । ଯଦିବା ତାକୁ ଏ ସମୁଦ୍ରରେ ବିଞ୍ଚି ଦିଆହୁଅନ୍ତା କ’ଣ ବା ଦାଗ ପଡ଼ିଯାଆନ୍ତା ଏ ସମୁଦ୍ର ପାଣିରେ ?

 

ଏମିତି ଢେଉ ପଛକୁ ଢେଉ ମାଡ଼ି ଆସନ୍ତା ତାଳେ ଅତାଳେ ନାଚି ନାଚିକା, ଏମିତି ଅନହୁତି ଫୁତ୍କାର କରି ପାଞ୍ଚହାତ ଉପରକୁ ଫୋପଡ଼ା ହୁଅନ୍ତା ଧଳାଧଳା ପାଣିକଣିକା ସତେକି ଉପହାସରେ । ଏମିତି ଇସ୍‍ପାତ୍ ଲୁହାବର୍ଣ୍ଣର ନେଳି ଦୃଷ୍ଟିରେ ଚାହିଁ ରହନ୍ତା, ଅପ୍ରତିହତ ସମୁଦ୍ରର ଢେଉ କି ଆକାଶ, ଯେ ମୁଣ୍ଡୁଳା ବୁଲେଇ ବୁଲେଇ ମଣିଷ କେମିତି ପୂର୍ଣ୍ଣତାର ଛବି ଆଙ୍କି ଦେଉଛି ବ୍ରହ୍ମା ବିଷ୍ଣୁ ମହେଶ୍ୱର କରି, କେମିତି ନିଜକୁହିଁ ଭାବୁଛି ଏଡ଼େ ବଡ଼ ସାରା ସୃଷ୍ଟିରେ ପରିବ୍ୟାପ୍ତ ବୋଲି, ଶ୍ରେଷ୍ଠତମ ଜୀବ ବୋଲି, ଯେତେ ଯାହା ଦେଖୁଛି ସବୁ ଦେଖୁଛି ମନୁଷ୍ୟ ଦୃଷ୍ଟିରେ, ପାପପୁଣ୍ୟ ଭଲମନ୍ଦ ସବୁ କସି ବାନ୍ଧି ଦେଉଛି ସବୁଥିକି ମୂଲ୍ୟ ଲଗାଇ ଦେଉଛି ମନୁଷ୍ୟ ବିଚାରରେ ମନୁଷ୍ୟ ଦୃଷ୍ଟିକୋଣରୁ, ଏପରିକି ଯେତେବେଳେ ଭଗବାନଙ୍କ ଅସ୍ତିତ୍ୱ ବି ସ୍ୱୀକାର କରୁଛି ତାଙ୍କୁ ଭାବୁଛି ମନୁଷ୍ୟରୂପରେ ଯଦିଚ ତାଙ୍କର ଅଧିକ ବଳ ଅଛି ବୋଲି କେତେବେଳେ ଦୁଇଟା ହାତ ପରିବର୍ତ୍ତେ ଚାରିଟା ଛଅଟା ଆଠଟା ଦଶଟା ବାରଟା ହାତ ଖଞ୍ଜି ଦେଉଛି, ସେ ବି ସେହି ମଣିଷ ହାତର ମୂର୍ତ୍ତି କି ଚିତ୍ର, ଆଉ କିଛି ନୁହେଁ ।

 

ସାନ ମଣିଷ, ନଗଣ୍ୟ ମଣିଷ ।

 

ଗତିରେ ବିକାଶରେ ମୁହୂର୍ତ୍ତକ ପାଇଁ ବଡ଼ ବୋଲାଉଛି, ମରିଗଲେ ସବୁ ଶୂନ୍‍ଶାନ୍ । କେତେ ଚଞ୍ଚଳ ଚାହୁଁଚାହୁଁ ଦେହରୁ ତେଜ ଉଭାଇଯାଏ । ପ୍ରଥମେ ହୁଏତ ବାରିହୁଏ ନାହିଁ, କାହାର ଅଧହସା ମୁହଁ, ଶାନ୍ତ ଭଙ୍ଗୀ, ବୁଢ଼ା ଆଖି ଉପରେ ସୁଖନିଦ୍ରାର ଛାଇ । ଛାତିର ଢାଲୁ ବଦଳି ନଥାଏ-। ଖଞ୍ଜା ହୋଇ ଭିଡ଼ା ହୋଇ ସହଜ କ୍ରମରେ ଉପୁଜି ଥିଲା ପରି ଦେହର ଠାଣି ଵିଭଙ୍ଗ ହୋଇ ନଥାଏ ।

 

ଦିଶୁଥାଏ ସତେକି ଶୋଇଛି, କେଡ଼େ ସଜ ! କେଡ଼େ ଜୀଅନ୍ତା !

 

ଚାହୁଁଚାହୁଁ କେଡ଼େ ଚଞ୍ଚଳ ସବୁ ବଦଳିଯାଏ ! ସେ ଦେହଟା କେଡ଼େ ଚଞ୍ଚଳ କ’ଣ ହୋଇଯାଏ ! କେଡ଼େ ଚଞ୍ଚଳ ଭୁଲି ହୋଇଯାଏ ସେ ମଣିଷଟା, ସ୍ମୃତି ବି ଦୂରେଇ ଦୂରେଇ ଚାଲିଯାଏ ଭୁଲି ହୋଇଯାଏ । ଜୀଇ ଥିଲାବେଳେ ତା’ର ପ୍ରତାପ ତା’ର କ୍ଷମତା, ତା’ର ପ୍ରତି ଭୟ କି ସମ୍ମାନ କୁଆଡ଼େ ଚାଲିଯାଏ ମଣିଷର ସ୍ମରଣରୁ । ଖାଲି ଯେଉଁମାନେ ପର, ତାଙ୍କରି ମନରୁ ନୁହେଁ, ଯାହାଙ୍କୁ ଆପଣାର କରି ଆଦରିଥିଲା, ଆପଣାର ଭାବିଥିଲା, ଯାହାଙ୍କ ପାଇଁ ଖଟିଥିଲା ଛଞ୍ଚିଥିଲା କାନ୍ଦିଥିଲା ଧନ୍ଦି ହୋଇଥିଲା, ଯାହାଙ୍କ ପାଇଁ ଜୀବନଵୀମା କରିଥିଲା ଚୋରି କରିଥିଲା ଜେଲ୍ ଯାଇଥିଲା ତାଙ୍କ ସ୍ମରଣରୁ ବି ! ସେମାନେ ବି ଭୁଲିଯିବେ !

 

ଓଃ !

 

ବିମାନ ବାବୁ ଭାବୁଥିଲେ ।

 

ଏଇ ସେ ପାଣି ଫୋଟକା ପଟୁଆର ସମୁଦ୍ର ପାଣି କରେ କରେ, କେତେ ବର୍ଣ୍ଣ, କେତେ ଠାଣି, କେତେ ଆଶା, କେତେ ମୁଁ’କାରର ଟେକ । କୋଣାର୍କର ମୂର୍ତ୍ତି ପରି, ଅଜନ୍ତାର ଛବି ପରି ।

 

ଏମାନେ ବି କେହି ରହିବେ ନାହିଁ । ଚଳନ୍ତା ଲହଡ଼ିକୁ କି ନୀତିରେ ବାନ୍ଧି ହେବ ? କିଏ କରିବ ବିଚାର ? କି ନିକିତିରେ ?

 

ଆଖିରେ ପଡ଼ିଗଲା । ଚିତା ବାଘ ପରି ଦିଶୁଛି ଏ ନାରୀ । ସେମିତି ଟୋପା ଟୋପା ହୋଇ ବ୍ଲାଉଜର କନା ଓ ଶାଢ଼ି ! ପାଦରେ ଚିତାବାଘ ଛାଲର ଚଟି ଜୋତା । କାନ୍ଧରୁ ଯେଉଁ ମୁଣି ଓହଳଛି ସେ ବି ସେହି ବର୍ଣ୍ଣର । ସଂସାରରେ ଏତେ ବର୍ଣ୍ଣ ଥାଉଁ ଥାଉଁ କାହିଁକି ତାକୁ ବିଶେଷରେ ରୁଚୁଛି ଚିତାବାଘର ଚମଡ଼ା ଛବି ? ସତେକି ସେ ନକଲି ବାଘୁଣୀ ସମୁଦ୍ର କୂଳେ କୂଳେ ବେଣ୍ଟକାରିଆଣୀ ହୋଇ ଓର ଉଣ୍ଡିଉଣ୍ଡି ଚାଲିଛି । ତା’ର ଦୁଇଧାର ବେଣୀ ଏକାଠି ମିଶି ଅର୍ଦ୍ଧଚନ୍ଦ୍ର ପରି ମୁଣ୍ଡ ପଛଆଡ଼େ ଶୋଭା ପାଉଛି, ସେଥିରେ ବହଳ ହୋଇ ଫୁଲ ଖଞ୍ଜା ହୋଇଛି ଯେ ବେଣୀରେ ଆଉ ବାଳ ଦିଶୁନାହିଁ ।

 

ଆଉ ହେଇ ଏ ଜଣକ । ପିନ୍ଧିଛି ପଟାପଟା ହୋଇ ଶାଢ଼ି ଓ ବ୍ଲାଉଜ୍, ଧଳା ଉପରେ କଳା ଗାରଗାର ଲମ୍ବ ବେକ, ବଡ଼ବଡ଼ ଧାର ଆଖି, ସାନଜେବ୍ରା ପରି ।

 

ଏଇ ଗଲେ ସତେ ଯେପରି ପଞ୍ଝାଏ ରଙ୍ଗର ଚଢ଼େଇ, ସାନ, ବଡ଼ ।

 

ଆଉ ତା’ ପଛେ ପଛେ ଯେମିତି କି ପଞ୍ଝାଏ ବାଲିହରିଣ, ଧାଇଁଧାଇଁ ଯାଉଛନ୍ତି, ଅଟକି ରହି କନକନ ହୋଇ ଅନାଉଛନ୍ତି । ଛାଟି ହେଉଥିବା ଫଡ଼କି ହେଉଥିବା ଅଙ୍ଗର ଏ ଆଭା, ଏଇ ଛିରିକି ପଡ଼ୁଥିବା ଛଇ ଛଟକରୁ ମଣିଷ ଭିତରର କେଉଁ ଅଜଣା ଆଲୁଅର ଧାସ, ହଠାତ୍ ମେଲା ହୋଇଯାଇ ହଠାତ୍ ବୁଜି ହେଲାପରି ଚାହାଣି ଭିତରେ କେତେ ଭାଵଅନୁଭୂତିମୟ ଇତିହାସର ଝଲକ,–କେମିତି ତା’ ପ୍ରତି ଆଖିବୁଜି ହେବ ଖାଲି ତର୍କ ଅବିଶ୍ୱାସର ଲୁହାଳିଆ ଖୋଳ ଭିତରେ ରହି-? ବିମାନ ବାବୁ ଆପଣାକୁ ଆପେ ଜଳୁଥିଲେ ଆଉ ଭାବୁଥିଲେ । ଦଳ ଭିତରେ ଉତ୍ତେଜନା ଦେଖିଲେ ଯେଉଁ ମଣିଷ ଭିତରୁ ସେହି ଉତ୍ତେଜନାରେ ପ୍ରତିଧ୍ୱନି ବାହାରେ, ଜଣକର ଛଟପଟ କଲବଲ ଦେଖିଲେ ଶଙ୍ଖମଲମଲ ମେଢ଼ ଭିତରେ ବି ଅନିଚ୍ଛାରେ ହେଲେ କରୁଣତାର ସରୁ ଢେଉ ଛାତି କରତି ଯାଏ, କେମିତି ସେସବୁ କଥାକୁ ନାହିଁ ନାହିଁ କହି ଜୀଅନ୍ତା ଦେହକୁ ପଥର କରି ବସି ପଡ଼ିବ ଜ୍ଞାନର ଅଟଳ ଶ୍ମାଶନ ଉପରେ ଚେକା ମାଡ଼ି ?

 

ଆସ୍ତେ କବାଟ ହୁଗୁଳି ଯାଉଛି, ଖୋଲି ଯାଉଛି, ଅଧା ଆଉଜାରୁ ଠିଆ ମେଲା । ବିମାନ ବାବୁ ବାଧା ଦେଉ ନାହାନ୍ତି । ହେଇ ଆସି ଠିଆ ହେଲାଣି ଦରବୁଢ଼ୀ ବିଧବାଟି, କତିକି ଘୁଞ୍ଚି ଆସି ତୁନି ତୁନି କରି ଭିକ୍ଷା ମାଗି ସେ ପୁଣି ଚାଲିଗଲା । ଦିଅ ନଦିଅ, ପାଖକୁ ଆସିଥିଲା ସତେ ଅବା ପୁରୁଣା ଇତିହାସ, କେତେ ଆଲୁଅ ଅନ୍ଧାର ସୁଖ ଦୁଃଖର ଅନୁଭୂତି ଏକାଠି ଆଉଟା ଆଉଟି ହୋଇ ସେ ତିଆରି ହୋଇଥିଲା ଦୀର୍ଘ ଜୀବନର ବିତାଇ । ଆଉ ବୁଢ଼ାଟିଏ, ଧର୍ମ ଭାବରେ ଆପଣାଭୁଲ ହେଲା ପରି ବସି ବସି ସଂକୀର୍ତ୍ତନ ଗାଉଛି । ବଡ଼ ପାଟି କରି ଗାଉଛି । ଶୁଣିବା ଲୋକେ ତେଣେ ଲକ୍ଷ୍ୟ କଲେ ନିଘା ପଡ଼ିଯାଉଛି ତା’ କତିରେ ମୁଗ୍‍ଧ ହୋଇ ବସିଥିବା ଗେରୁଆ ଛାଉଣୀ ଯୁବତୀଟି ଉପରେ ।

 

ଆଉ ହେଇ ଆରକରେ, ବାଁରେଇ ହୋଇ ପିଛା ନେଲାପରି ଲାଗୁଛି, ନଇଁପଡ଼ି ଚାରିଗୋଡ଼ିଆ ହେଲା ପରି ଶାମୁକା ଗୋଟାଇଲା ପରି ଅଭିନୟ କରୁଛି । ଆଉ ନାନାବର୍ଣ୍ଣର ନାନା ପୋଷାକର ନାନା ଠାଣିର ଦଳଦଳ ଲୋକେ ।

 

ଚାଲିଛନ୍ତି ଚାଲିଛନ୍ତି । ପୁଣି ସେହିଆ ସେହିଆ, ତଳେ ସମୁଦ୍ରରେ ଢେଉ, ଉପରେ ବି ଢେଉ, କିନ୍ତୁ କେଉଁ ଢେଉଟି ଅନ୍ୟ ଢେଉ ସଙ୍ଗେ ସମାନ ନୁହେଁ, ବାରମ୍ବାର ସେହି ଦୃଶ୍ୟ କିନ୍ତୁ ଅବିକଳ ତା’ ନୁହେଁ, ଭିନେ । ହଠାତ୍ ସେଠି କିଛି ବିଶିଷ୍ଟ ବିଚିତ୍ରତା ଆଖିରେ ପଡ଼ୁଛି, ପୁଣି ନିଘାରୁ ଦୂରେଇ ଯାଉଛି । ଗୋଟିକା ଗୋଟି ନାନା ରଙ୍ଗ, ନାନା ଇତିହାସ ।

 

ଏମାନେ ବଞ୍ଚିଛନ୍ତି, ଏ ଦେହରେ ଜୀବନ ଅଛି, କିନ୍ତୁ ମନ୍ଦିର ପରି ପଗପଗ ହୋଇ ଉପରକୁ ଉପରକୁ ଏହି ଯେଉଁ ଦେହ, ସେଠି କେଉଁ ସ୍ତରରେ ଥାଏ କାହା ଜୀବନ ? ବିମାନବାବୁ ହଠାତ୍ ଚିନ୍ତାରେ ବୁଡ଼ିଗଲେ । ବେଶିଭାଗ ନିଶ୍ଚୟ ଜୀବନକୁ ଅନୁଭବ କରୁଥିବେ ଆପଣା ପେଟ ଭିତରେ, ଖାଲି ଭୋକ ମାରିବାପାଇଁ ଭୋଜନ କରିବାର ସେତିକି ବେଳତକ ନୁହେଁ । ଅନ୍ୟବେଳେ ବି ସେହି ଭୋଜନର ଚିନ୍ତା, କେଉଁଠୁ ଖାଦ୍ୟ ଆସିବ, କେମିତି ଠୁଳହୋଇ ରହିବ, ଖାଲି କାଲିକାପାଇଁ ନୁହେଁ, ଯେତେଦିନ ଆଗକୁ ଦିଶିଦିଶି ଯାଉଛି ସେତେ ଦିନଯାକେ, ଆହରଣ, ସଂଗ୍ରହ, କ୍ଷୁଧା ନିବୃତ୍ତି, ପୁଣି ଆହରଣ, ଜୀବନର ସଂଜ୍ଞା ଏତିକି । କାହା ଜୀବନ ଖେଳା କରୁଥିବ କାମ ମଣ୍ଡଳରେ, ଆସଙ୍ଗଲିପ୍‍ସାର କ୍ଷୁଧାରେ ବନ୍ଧା ତା’ର ଚେତନା, ହେତୁ ହେଲାଠୁଁ ଆଖି ବୁଜିବାଯାକେ, ଖାଲି ସେହିଆ, ଖାଲି ସେହିଆ । ଦେହରୁ ଶକ୍ତି ଗଲେ କାହାରି ତଥାପି ଥିବ କଳ୍ପନା, ନିଜ ଭିତରେ ରୋପି ନହେଲେ ପରଠି ଆରୋପ, କାନବାଟେ କି ଆଖିବାଟେ ଗ୍ରହଣ କରି ହେବ, ଫାନ୍ଦି ହେବ ଗୋଟାଏ ପ୍ରେମଲୀଳା ଯାହାର ପାତ୍ରପାତ୍ରୀ ହେବେ ଦେବତା କି ଦାନବ, ପରପାଇଁ ଦାର୍ଶନିକ ତତ୍ତ୍ୱର ବ୍ୟାଖ୍ୟା ବାଢ଼ିଥୋଇ ଆପେ ଘେନିହେବ ଜାନ୍ତବ ଆମିଷ, ମନଗହୀରର ଛପିଲା ଅନ୍ଧାରିଗଡ଼ ଭିତରେ ଯେଉଁଠି ପଦାରୁ ମାଛି ବି ଯିବେନାହିଁ ବ୍ୟସ୍ତ କରିବାକୁ । କାହାର ଜୀବନ ଖେଳୁଥିବ ଆଖିରେ, ଖାଲି ଦୃଶ୍ୟ ଦେଖିବାର ନିଶା, କାହାର ଅବା କାନରେ ସେ ଶବ୍ଦ ସମନ୍ଵୟ ଶୁଣୁଥିବ । ଆଉ ଥିବେ ବି କେବେ, ପାଦରେ ତାଙ୍କର ଜୀବନ ଅଛି, ଖାଲି ବୁଲୁଥିବି ବୁଲୁଥିବି, ଚରଳ ଚଢ଼େଇ, ରାଜସ୍ଥାନରୁ କାମରୂପ, ଗଙ୍ଗାକୂଳରୁ କାବେରୀ କୂଳ, ବୁଲିଲେହିଁ ହେଲା । ସବୁଥିରୁ ଉଠିଯାଇ ମୁଣ୍ଡରେ ବଞ୍ଚନ୍ତି ଅଳ୍ପ କେଇଜଣ, ଚିନ୍ତାରେ, ବିଚାରରେ, ବିମାନବାବୁ ହସିଲେ,–ମୁଁ "ସେଇଥିରୁ ଜଣେ ।"

 

ଆଗରେ ଜଣେ ବୃଦ୍ଧ ଜଣେ ତରୁଣୀ । ତରୁଣୀର କପାଳରେ ସିନ୍ଦୂର ନାହିଁ, ଖାଲିହାତ, ବୃଦ୍ଧଙ୍କ କାନ୍ଧରେ ଗୋଟିଏ ବର୍ଷକର ଛୁଆ, ଖାକିପ୍ୟାଣ୍ଟର ଦୁଇ ପକେଟରେ କନ୍ଥା ଓ କନା ଗେଞ୍ଜା ହୋଇଛି, ତେଣୁ ସେ ଓଜନ ହୋଇଯାଇଛି, ପକେଟ୍ ଆଁ କରିଛି । ବୃଦ୍ଧଙ୍କ ମୁହଁଟି କୋଡ଼ିପରି ଲମ୍ବ ଓ ଦାଢ଼, ଦାଢ଼ ବଡ଼ମୁହଁ, କିନ୍ତୁ ଚିନ୍ତାରେ ଦୁଃଖର ବୋଝ ଦିଶୁଛି, ସରାଗ ଦିଶୁନାହିଁ । ତରୁଣୀର କଅଁଳ ଚେକା ମୁହଁଟି ହସହସ ଦିଶୁଛି, ପ୍ରସାଧନ ତା’ ମୁହଁଟିକୁ ଦୀପ୍ତି ଦେଇଛି, ଓଠରେ ନାଲି ବୋଳିଛି, ପଛଆଡ଼ୁ ଦେଖିଲେ ଦୁଇ ଚେହେରାରେ ସାମଞ୍ଜସ୍ୟ ଦିଶୁଛି, ଵାପଟିଏ ଝିଅଟିଏ ।

 

ସ୍ୱାସ୍ଥ୍ୟ ଓ ରୂପର ପ୍ରାଚୁର୍ଯ୍ୟ ଥାଇ ବେଶଭୂଷାରେ ମୋହିନୀ ଚହଟାଇ ଗୋଟି ଗୋଟିକିଆ କି ଦଳଦଳ ହୋଇ ଚାଲିଛନ୍ତି କେତେ ଯୁବତୀ । ବିମାନ ବାବୁ ଅନୁମାନରେ ଦେଖୁଥାନ୍ତି,–ଚାଲିଯାଉଥିବ ଗୋଟାଏ ଦିନ ଉତ୍ତାରୁ ଆଉ ଗୋଟାଏ ଦିନ, କେତେ କଲିକତା କେତେ କଲମ୍ବୋ, ବରଘର ଘଟୁନାହିଁ । ଏଣେ ବାଲିରେ ବସିଛନ୍ତି ରୂପହୀନା ସ୍ୱାସ୍ଥ୍ୟହୀନାମାନେ, ମୁଣ୍ଡରେ ଟଙ୍କାଏ ଚକଡ଼ାରେ ସିନ୍ଦୂର, ପଲେ ଲେଖାଁ ପିଲା, କିଏ ଦୁଧ ଖାଉଛି, କିଏ ଅବା ଘୁଡ଼ି ଉଡ଼ୋଉଛି । ସନ୍ତାନଜ୍ୱାଳାରେ ଜର୍ଜ୍ଜରିତା ଜୀର୍ଣ୍ଣଶୀର୍ଣ୍ଣ ମାଆମାନେ, କେହି କେହି ହାଡ଼ଚମ ନିରକ୍ତିଆ ମୁହଁଟିମାନ ସମୁଦ୍ରଆଡ଼କୁ ବୁଲାଇରଖି ଅନ୍ୟମନସ୍କ ହୋଇ ବସିଛନ୍ତି ।

 

ଏଇ ମଣିଷ, ଏଇ ତା’ ଜୀବନର ଆଭା, ତା’ର ଇତିହାସ, ତା’ର ତତ୍ତ୍ୱ, ଆଉ ସେକରେ ସ୍ୱର୍ଗଦ୍ଵାର ମଶାଣି । କ’ଣ ତା’ର ଉଦ୍ଦେଶ୍ୟ ? କି ତଥ୍ୟ ମିଳେ ତା’ ଜୀବନ ଆଉଣ୍ଡି ? କ’ଣ ଧ୍ରୁବ କ’ଣ ଅଧ୍ରୁବ ? ନା ତଥ୍ୟ ନୁହେଁ–ଖାଲି ଗୋଟାଏ ଉଦ୍ଦେଶ୍ୟହୀନ ବିଚ୍ଛୁରିତ ପ୍ରକାଶ, କେଉଁଛୁଣୁକା ଉଭା କେଉଁଛୁଣୁକା ନିଭା ! ଉଦ୍ଦେଶ୍ୟ ନୁହେଁ, ସ୍ଵଭାବରେ ଏ ଚାଲେ । ସେ ପର ସଙ୍ଗରେ ଆଳାପ କରେ, କ’ଣ କହେ ତା’ର ଅର୍ଥ ଅଛି ବୋଲି ନୁହେଁ, ଅର୍ଥ ତ ବହୁତ ସମୟରେ ନଥାଏ, ଯେ, ଯେମିତି–"କେମିତି ଅଛନ୍ତି ? ସବୁ ଭଲ ତ ? ପାଗଟା ଆଜି କାଉନ୍ଦା ହୋଇଛି", କ୍ଷଣକ ସକାଶେ ହେଉ ପଛେ, ସ୍ୱର କାଢ଼ି ସ୍ୱର ଶୁଣି ସଂପର୍କ ରଖିବାପାଇଁ ସେ ଆଳାପ କରେ, ତାକୁ ସଙ୍ଗମେଳ ଭଲ ଲାଗେ ବୋଲି, ମୂଳରୁ ସେ ଗୋଠମାନିଆ । ଭୁଲିଯିବା ବି ତା’ର ଆଉ ଗୋଟିଏ ସ୍ଵଭାଵ, ସେଥିପାଇଁ ସେ ଚିହ୍ନା ମୁହଁ ବି ଭୁଲେ, ଅତୀତକୁ ଭୁଲେ, ଉପକାର ବି ଭୁଲେ ।

 

ବିମାନ ବାବୁ ଛାତି ଉପରେ ହାତକୁ ଛକିଦେଇ ସମୁଦ୍ର ଉପରକୁ ଦୂରକୁ ଅନାଇଁ ଠିଆ ହୋଇ ରହିଲେ । ମୁହଁରେ କରୁଣ ଭଙ୍ଗୀ । ପଵନ ମୁଣ୍ଡବାଳ ଝାଙ୍କୁଛି, ପିନ୍ଧାଲୁଗା ଜାମା ଝାଙ୍କି ଫଡ଼ଫଡ଼ କରୁଛି । ଖିଆଲ୍ ନାହିଁ । ମନ ଉଡ଼ୁଛି । ଭାବୁଛନ୍ତି, ନଗଣ୍ୟ ମଣିଷ, ସେ ବଞ୍ଚିଥାଏ, ମରିଯାଏ, ସେତିକି । ତା’ର ଉଦ୍ଦେଶ୍ୟ ନଥାଏ ।

 

ଧୀରେ ଧୀରେ କର୍କଶ ହୋଇ ଆସିଲା ତାଙ୍କ ଭଙ୍ଗୀ, ଓଠ ଆସ୍ତେ ଥରି ଉଠିଲା, ଆଖି କହୁଳିଲା । ଭାବିଲେ,–ଯେ ବିଚାରର ଜ୍ଞାନର ବଡ଼େଇ କରେ, ଜୀବନକୁ ଉଦ୍ଦେଶ୍ୟର ଛାଞ୍ଚରେ ଢାଳି ଆଂଶକୁ ଇସ୍ପାତ୍ ଲୁହା ପରି ସଳଖ କରେ ଟାଣ କରେ, ଯେ ସାଧାରଣ ଉପରୁ ଉଠି ଉଞ୍ଚ ଭାଡ଼ିରେ ଚଢ଼ି ଅସାଧାରଣ ବୋଲାଏ, ସେ ବା କ’ଣ କରେ ? ସେ ଆପଣା ସ୍ୱାର୍ଥ ଉଦ୍ଦେଶ୍ୟରେ ଗୋଠକୁ ଅଡ଼ାଇ କରେ ଯାତ୍ରୀପୋଢ଼ । ଆଉ, ସେ ନିଆଁ ଲଗାଇ ତଣ୍ଟିକାଟେ ।

 

ଏଇ ତଥ୍ୟ ତତ୍ତ୍ୱ ଆଉ ଉଦ୍ଦେଶ୍ୟ ବଳିପଡ଼ିଲେ ଗଢ଼ି ହୁଏ ପରମାଣୁ ବୋମା, ଜାତିଜାତିକା ବ୍ରହ୍ମଶର, ମାରକ ଅସ୍ତ୍ର, ଯହିଁରେ ଏ ସୃଷ୍ଟି ଧ୍ୱଂସ ହେବ ପରା । ଉଡ଼ୁ ଉଡ଼ୁ କେଉଁ ପରମାଣୁ ବୋମା ବୋଝେଇ ଉଡ଼ାଜାହାଜ କେଉଁ ଅଥାନରେ ଖସି ପଡ଼ିବ । ତା’ପରେ ହଜାର ହଜାର କୋଶ ଦୂରରୁ ଫୋପଡ଼ା ହୋଇ ପୃଥିବୀ ଜାଳିବାକୁ ଚାଲିବେ ପରମାଣୁ ବୋମା ଖଞ୍ଜାହୋଇ ବ୍ରହ୍ମଶରମାନେ, ପୃଥିବୀ ଉପରେ ମଣିଷ ସଭ୍ୟତା ଜଳିବ, ଯୁଗ ଓଲଟିପଡ଼ିବ, ଘୋଟିବ ଯୁଗାନ୍ତର ଅନ୍ଧାର, ଯେମିତି ସରିଥିଲା ରାମାୟଣ ଯୁଗ, ମହାଭାରତ ଯୁଗ, ତା’ ପୂର୍ବରୁ ଆଉ କେତେ ଯୁଗ, ସେମିତି ଏ ବୁଡ଼ିବ । ଏଇ ରେଳ, ଏ ଉଡ଼ାଜାହାଜ, ଏ ଚିଇନଫୋର୍ସଡ଼ କଂକ୍ରିଟର କୋଠା, ଏ ବିଜୁଳି ଖୁଣ୍ଟ, ରେଡ଼ିଓ, କଳ କାରଖାନା, ବଡ଼ବଡ଼ ସହର, ବିଜ୍ଞାନର ଏ କରାମତି, ଏ ଚନ୍ଦ୍ରମଣ୍ଡଳକୁ ମଙ୍ଗଳ ଗ୍ରହକୁ ମହାଶୂନ୍ୟକୁ ମଣିଷର ଗସ୍ତର ପରିକଳ୍ପନା ସବୁ ଭୁଲି ହୋଇ ହେବ କିମ୍ବଦନ୍ତୀ ।

 

ପୁଣି କେତେ ଶହକି କେତେ ହଜାର ବର୍ଷ ଉତ୍ତାରୁ ଲୋକେ ପୁରାଣ ଗାଇବେ ଗୋଟାଏ ଦେଶରେ ଥିଲା ଗୋଟାଏ ବିରାଟ ଅସୁର ତା’ର ଅଶୀଟା ମୁଣ୍ଡ ଶହେ ଷାଠିଏ ହାତ, ଆଉ ଗୋଟାଏ ଦେଶରେ ଥିଲା ଆଉ ଗୋଟାଏ ଆହୁରି ବିରାଟ ଅସୁର ତା’ର ଶହେଟା ମୁଣ୍ଡ ଦୁଇଶହ ହାତ, ଏ ଦୁଇଟାକ ଭାରାରେ ପୃଥିବୀ ମାତା ଥରହର ହୋଇ ଆକୁଳ ହୋଇ ଡକା ପଡ଼ିଲା, ସେଉଠୁ ଏମିତି ହେଲା ଯେ ଦୁଇ ଅସୁରଙ୍କର ଲାଗିଗଲା, ସତେକି କୃତ୍ତିବାସ ଆଉ କୀର୍ତ୍ତିବାସ, ମାୟାବୀ ଅସୁର କେତେ ମାୟା ଯୁଦ୍ଧ କଲେ, ଜଣେ ଆକାଶରୁ ନିଆଁ ବର୍ଷା କଲେ ଆଉ ଜଣେ ପାଣି ବର୍ଷା କଲା, ତା’ପରେ ଉଭୟେ ନିଶ୍ଚିହ୍ନ ହେଲେ, ପୁଣି ସେହି ସଂଘର୍ଷରେ ପୃଥିବୀଯାକର ଆଉ କେତେକେତେ ଜନପ୍ରାଣୀ, ସେ ଯୁଗର ନାଁ ଥିଲା କଳିଯୁଗ ।

 

ଦିଶିଯାଉଛି ସତେକି, ସାମ୍ନାରେ ଏଇ ସମୁଦ୍ର ଉପରେ ଆକାଶରେ ଲାଗିଛି ଶରକୁ ଶର ପରିତାଳ, ପରମାଣୁ ବୋମାକୁ ପରମାଣୁ ବୋମା, ହେଇ ସେହି ବିଷାକ୍ତ ରେଡ଼ିଓ-ଆକ୍‍ଟିଭ୍‍ ମେଘ ଅଳସେଇ ଅଳସେଇ କାୟା ବଢ଼େଇ ବଢ଼େଇ ଘୋଟି ଘୋଟି ଆସୁଛି ଅଦେଖା ମୃତ୍ୟୁର କଣିକା ବିଞ୍ଚିବିଞ୍ଚିକା, ହେବ ସବୁ ଛାରଖାର, ମଣିଷର ଜୀବନ ଆଉ ଯୁଗଯୁଗର ସଂଗ୍ରହ-ସ୍ତୂପମାନ, ତୋଷାଳି ହଜିଛି, କୋଣନଗରର ବାଲି ଢିପ ଉପରେ ସ୍ମାରକ ଖାଲି ଭଙ୍ଗା କୋଣାରକ, ହଜିଛି ବୁଡ଼ିଛି ଧୂଳି ହୋଇ ବିଞ୍ଚି ହୋଇଯାଇଛି ତ କେତେ କଣ, ବିରାଟ ଜ୍ଞାନ ବିରାଟ ଉଦ୍ଦେଶ୍ୟ ବିରାଟ ବୁଦ୍ଧି କୌଶଳରେ ମଣିଷ ଲାଗିପାଗି ଗଢ଼ିଛି ତା’ର ବିରାଟ ଯବନିକା, ସବୁ ଲୁଚାଇ ଦେବାକୁ ମାଡ଼ି ଆସୁଛି ସେହି ତ ହଳଦିଆ-ପାଉଁଶିଆ-ତମ୍ବା ବର୍ଣ୍ଣର କୁହୁଡ଼ି ।

 

ବିମାନ ବାବୁଙ୍କର ମୋହ ଭାଙ୍ଗିଗଲା, ଗୋଟାଏ ମୋହରୁ ଆଉ ଗୋଟାଏ ମୋହ ଭିତରେ ପଶି ନିଷ୍କୃତି । ତାଙ୍କର କାନମୁଣ୍ଡା ଉଷୁମ୍ ହୋଇଉଠୁଛି, ଦେହ ଭିତରେ ଉଷୁମିଳିଆ ନିଶା, ଜାଣତା ମନରେ ଆଖିରେ ଚିହ୍ନିଲା ବୁଝିଲା ଚାହାଣି ଖେଳାଇ ଅନୁଭବ କଲେ ସାମ୍ନାରେ କିଏ ଗୋଟିଏ ନାରୀ, ମୁହାଁମୁହିଁ ଅନାଇଁ ରହିଛି ତାଙ୍କୁହିଁ ସରୁ ଆବରଣରେ ଢାଙ୍କି ହୋଇ ବି ଯେ ପୁଙ୍ଗା, ଆଉ ଏଇ–ତଳୁ ଉପରକୁ, ଢିପ ଢାଲୁହୋଇ, ଏ ନାରୀ ଦେହ ।

 

ଓଃ ! ବିମାନ ! ତୋଠି ଏବେ ବି ଝର ଅଛି ? କିଏ ୟେ ପାଗଳୀ ପରି, ଶୁଖିଲା କୂଅରେ ଖୋଜୁଛି ପାଣି ।

 

ଆଉ ତା’ର ସହଜ ଭୋଳକୁ ନିର୍ବୋଧ ଖିଆଲକୁ ଉପହାସ କଲାଭଳି ସେମୁଣ୍ଡେ ଖଞ୍ଜାଖଞ୍ଜି ଚାଲିଛି ପରମାଣୁ ବୋମା, ମନଯାନ ବିମାନରେ ଚଢ଼ିଯିବ ଚାଲି ଦେଶଦେଶ ଧ୍ୱଂସ କରିବାକୁ, ବିଜ୍ଞାନୀମାନେ ଉଦ୍ଦେଶ୍ୟ ସାଧୁଛନ୍ତି ।

 

ତରତର ହୋଇ ବିମାନ ବାବୁ ଚାଲିବାକୁ ଲାଗିଲେ । ଡାହାଣେ ଆଖିରେ ପଡ଼ିଗଲେ ଜଗନ୍ନାଥ ମନ୍ଦିର । ନିଛାଟିଆ । ଟିକିଏ ଠିଆ ହୋଇ ଚାରିଆଡ଼କୁ ଅନାଇଲେ, ଯେପରିକି କିଏ କାଳେ ଥିବ ଯେ ତାଙ୍କ ଭାବନାଗୁଡ଼ାକୁ ବି ଦେଖି ପକାଇବ । ତା’ ପରେ ଭାବିଲେ, ସବୁ କ’ଣ ଧ୍ୱଂସ ହେବ ? ଜନ୍ତୁ ମରିଯିବେ, ବଞ୍ଚିଲେ ହେବେ ଆଉପ୍ରକାରେ, ରାକ୍ଷସ ପରି ବିକୃତ ସନ୍ତାନ ହେବେ ଯେ ଛଟପଟ ହୋଇ ମରିଯିବେ, ନ ହେଲେ ହେବେ ବାଂଝ । ରୋକିବ କିପରି ?

 

ଏତେ ହିଂସା, ଏତେ ବାଦ, ଗୋରାର କଳାକୁ, ଜାତିର ଅଜାତିକୁ ବି, ଏ ବାଦର ସେ ବାଦକୁ, ଏ ଦଳର ସେ ଦଳକୁ । ଏତେ ଲୋଭ, ଏତେ ସ୍ୱାର୍ଥ, ଭାରତ ଭୂଇଁକି ବି ଢିପ ଉପରୁ ଛକିଛନ୍ତି ଶାଗୁଣାମାନେ, ଖାଲରେ ବାଘ ଭାଲୁ, ପାଣିରେ କିମ୍ଭୀର ମଗର, ପାରିବ ତୁମେ ରୋକି ? ମଣିଷ ଗଢ଼ା ପ୍ରଳୟର ଭୂମିକମ୍ପ ବିସ୍ଫୋରଣ ଭିତରେ ଅମଳାନ ହୋଇ ସଳଖେ ରହିଥିବ ତୁମ ମନ୍ଦିର, ନା ସେମିତି ହେବ ଯେମିତି ଗଲେ ମିଶର୍, ସୁମେର୍, ବେବିଲନିଆ ଆଜତେଜ୍ ଆସିରିଆ ସଭ୍ୟତାର ଦେଉଳମାନ ? ଘଣ୍ଟି ଘଣ୍ଟା ବଡ଼ବାଜା କାହାଳୀ ବଜାଇ ଧୂପ ଧୂଆଁରେ ଦେଉଳ ବେଢ଼ା ମହକାଇ ସେଠି ବି ଲାଗି ରହିଥିଲା କେତେ ଦେବତାଙ୍କ ମଙ୍ଗଳ ଆଳତି । ବଣ ! ବଣ !ବଣ ! ରବର୍ ଗଛରୁ ଅଠା ପିଣ୍ଡୁଳା ଛିଣ୍ଡାଉଛି ଚମଡ଼ା ଖୋଳପିନ୍ଧା ନିରକ୍ଷର ମଣିଷ, ବୁଦା ଲଟି ତଳେ ମହାନିଦ୍ରାରେ ଶୋଇ ରହିଛି ମୂର୍ତ୍ତି ।

 

ଦୂରରେ ଦମ୍ଭିଲା ହୋଇ ଠିଆ ହୋଇଛନ୍ତି ବଡ଼ ଦେଉଳ । ନା, ସୃଷ୍ଟି ସରିବ ନାହିଁ, ମଣିଷ ମରିବ ନାହିଁ । କେଉଁ ଫାଟରୁ ଖୋଲରୁ ବାହାରି ପଞ୍ଝା ପଞ୍ଝା ହୋଇ ଏକାଠି ହେବେ ସେମାନେ । କ’ଣ କହୁଥିଲାଟି ସେ ପଣ୍ଡା ? ଇନ୍ଦ୍ରଦ୍ୟୁମ୍ନ ତୋଳାଇଥିଲେ, ତା’ପରେ ତୋଳାଇଲେ ଅନଙ୍ଗଭୀମ, ସମ୍ପୂର୍ଣ୍ଣ କଲେ ନରସିଂହ, ସେତେବେଳେ ପୁଣି କେଉଁ ଶବର ନୀଳମାଧବ ଥାପିବ, ପୁଣି କିଏ ତୋଳିବ ଦେଉଳ । ତୋଳିବ କି ?

 

ଚିନ୍ତାରୁ ଉଗ୍ରଚିନ୍ତା–ଉଗ୍ରଚିନ୍ତାରୁ ଦୁଶ୍ଚିନ୍ତା–ଭାବିବି ନାହିଁ, ଖାଲି ହୁଅନ୍ତି ଏ ସମୁଦ୍ରକୂଳିଆ ପବନ ପରି ଏ ବାଲି ପରି,–ଫୁରୁଫୁରୁ ଝୁରୁଝୁରୁ–ଏମିତି ଭାବିଲେ ବିମାନ ବାବୁ । ତରତର ହୋଇ ଚାଲିଲେ । ଯେତେ ଏକୁଟିଆ ହେଲେ ସୁଦ୍ଧା ନିସ୍ତାର ନାହିଁ ଏକାଠି ତା’ ଉପରେ ତା’ ଉପରେ ଲଦାଲଦି ହୋଇ ମାଡ଼ି ଆସୁଛି ଅସରନ୍ତି ବ୍ୟକ୍ତିତ୍ୱମୟ ଚିନ୍ତା ପଲପଲ, ଏଇ ଭିତରୁ ବାହରୁଛି, ଆସୁଛି ପଦାରୁ, ଏ ବର୍ତ୍ତମାନରେ ଏ ମୁହୂର୍ତ୍ତକରେ ଆଖିରେ ଯେତିକି ପଡ଼ୁଛି ସେତିକିରେ ସନ୍ତୁଷ୍ଟ ନୁହେଁ, ଆହୁରି ଦୂରକୁ ଲମ୍ବିବ ଖେଦିଯିବ, ଆହୁରି–

 

ଚାଲି ଚାଲି ଝାଳ ବୋହିଲାଣି ଭିଡ଼ିକି ଥିବା ଘୋଡ଼ାପରି ମନ ଭିତରେ ହଠାତ୍ ପ୍ରବଳ ଆବେଗରେ ଯେଉଁ ଅସାଧାରଣ ବିଚାର ଛୁଟିଥିଲା ଥମ୍ବିଲାଣି ସେ । ଆପଣା ଧାରଣାରେ ସତେକି ଏ ଦୁନିଆ ଗୋଠରୁ ନିଆରା ହୋଇସାରି ସମୁଦ୍ର ଦାଢ଼ରେ ପହଞ୍ଚି ଯାଇଥିଲେ ସେ,–ଏ ଅଗଣତି ମଣିଷ ମୁଣ୍ଡ ଭିତରୁ ଜଣେ କେହି, ବାସ୍ତବତାର ପାହାର ଖାଇଖାଇ ଠକି ଶିଖିଥିବା ମଣିଷ ଜଣେ, ଯାହାର ସଂସାର ବୁଦ୍ଧି ଅଛି, ଯେ ପଇସା ଅରଜିବା ପାଇଁ ଲୋକଙ୍କ ସଙ୍ଗେ ମିଶେ ଆଉ ବୁଝେ ଏକରେ ଏକ ମିଶିଲେ ଦୁଇ, ଦୁଇରେ ତିନି ମିଶିଲେ ପାଞ୍ଚ । ଜଣେ ରିଫ୍ୟୁଜି ଇନ୍‍ସ୍ୟୁରେନସ୍ ଏଜେଣ୍ଟ ।

 

କେତେବେଳେ ନରମ ମରମଭାବରେ ଜୁଡ଼ୁବୁଡ଼ୁ ହୋଇ ସେ ସେହି ସମୁଦ୍ର କୂଳରେ ଠିଆହୋଇ ରହି ସମୁଦ୍ରକୁ ଅନାଇଥିଲେ । କେତେବେଳେ ବି ବସିପଡ଼ିଥିଲେ, ସେହିମାନଙ୍କ ପରି ଯାହାଙ୍କୁ ସେ ମନେମନେ ସମାଲୋଚନା କରିଥିଲେ କିଏ ବସି ମାଳା ଗଡ଼ାଉଛି, କିଏ ଚିତ୍କାର କରି କାନ୍ଦୁରା ପାଟିରେ କୃଷ୍ଣ କୃଷ୍ଣ ଡାକୁଛି, କିଏ ସତେକି ପାକେଲା ବୁଢ଼ାପଣକୁ ନାଇଛି ପ୍ରାଜ୍ଞର ଭେକ କରି, ମୁଣ୍ଡକୁ ତଳକୁ ଝୁଲାଇ ଦେଇଛି, ପାଟି ଆଁକରି ରହିଛି, କିଏ ଗୋଡ଼ ଲମ୍ବେଇ ଦେଇ ସମୁଦ୍ରକୁ ଚାହିଁଛି । ସେହିମାନଙ୍କ ପରି ସେ ବି ବସିପଡ଼ିଥିଲେ, ଯାହାଙ୍କ ରଥଚକ ଏ ବାଲିରେ ଦବି ଯାଇଛି ବୋଲି ସେ ଭାବିଥିଲେ, ରଥର ଅଖ ଭାଙ୍ଗିଛି, ଧ୍ୱଜା ଭାଙ୍ଗିଛି, ଉରୁ ଭାଙ୍ଗିଛି ।

 

ଆଉ ଭାବୁଥିଲେ, ଏଇଠି ସ୍ଥଳଭାଗ ସରିଲା । ଯେଉଁ ଭୂଇଁରେ ଯୁଗ ଯୁଗ ଯାକେ ମଣିଷର ସ୍ପର୍ଶ ଭେଦିଛି, ବ୍ୟକ୍ତି କି ଗୋଷ୍ଠୀମାନଙ୍କ ବିଶିଷ୍ଟ ସମ୍ବନ୍ଧ ସମ୍ପର୍କରେ ଭୂଇଁରେ ସତେକି ଦାଗ ଲାଗିଛି ଏତକ ୟାର ସେତକ ତାର, ଏଠି ଅମୁକ ଗୋଷ୍ଠୀର ସଂସ୍କୃତିର ପରମ୍ପରା ଜଡ଼ିତ ଅଛି, ସେଠି ଅମୁକ ବ୍ୟକ୍ତିର ପିତୃପୁରୁଷଙ୍କ ଗୃହସ୍ଥଳୀ । ସବୁ ସୀମା ସଙ୍କେତ ସବୁ ଅଧିକାର ଏଇଠି ସରିଯାଇ ଆରମ୍ଭ ହୋଇଛି ପାଣି, ସେଠି ଚିହ୍ନ ନାହିଁ କେଉଁ ପାଣି କେଉଁଠାରର । ସବୁ ଖାଲି ସମୁଦ୍ର, ଜୀବନ୍ତ ସମୁଦ୍ର, ଡେଇଁ, ରହି, ଡେଇଁ, ରହି, ଢେଉ ପଛେ ପଛେ ଢେଉ ଗଢ଼ି ଲାଗିଛି, ଯେପରିକି ଆଉ କିଛି ଜରୁରୀ ନୁହେଁ, ଖାଲି ଢେଉ ଗଢ଼ିବା ଛଡ଼ା ଉଠିଲା ପରେ ପଡ଼ିବା, ଢେଉରେ ଢେଉ ବାଜି ଚୁନା ଚୁନା ପାଣି ବୁନ୍ଦା ହୋଇ ଉପରକୁ ଛିଞ୍ଚାଡ଼ିହୋଇ ଉଠି ପୁଣି ଝଡ଼ି ପଡ଼ିବା, ଆଉ ଏ ଢେଉର ଶବ୍ଦ, ପବନର ସାଇଁ ସାଇଁ ।

 

ଉଭେଇଗଲା କୁଆଡ଼େ ଅଭିମାନ, ଅଇଗୁଣ କ୍ଷତ ଆଉ କ୍ଷତିର ସୁମରଣା, ସେ ମନରେ ଶାନ୍ତି ପଡ଼ି ଆସିଲା ।

 

ସଞ୍ଜ ହେଲା, ଜହ୍ନ ଉଇଁଲା, ସଂସାରି ବିମାନ ବାବୁ ଅଟକି ରହି ସମୁଦ୍ରକୁ ଦେଖୁଥିଲେ । ୟେ ଦେଖାରେ କିଛି ଅଭିସନ୍ଧି କି ମତବାଦ ନଥିଲା, କିଛି ପାଇବାକୁ ଉଦ୍ଦେଶ୍ୟ ନଥିଲା, ଖାଲି ସରଳ ସମ୍ପର୍କମୟ କୁତୂହଳ ।

 

ସତେକି ସମୁଦ୍ର ଆପଣାର କେହି, ତା’ କତିରେ ଠିଆ ହେବାକୁ ତାକୁ ଛୁଇଁବାକୁ ବସି ବସି ଖାଲି ତାକୁ ଚାହିଁବାକୁ କାନ ଡେରି ତା’ର ସ୍ୱର ଶୁଣିବାକୁ ମନ ହୁଏ ।

 

ସେତେବେଳେ କରୁଣାରେ ନଇଁପଡ଼ି ମଣିଷକୁ ସେ ମନେ ପକେଇଲେ, ଗୋଟି ଗୋଟିକିଆ ମଣିଷକୁ ନୁହେଁ । ତା’ର ସମୁଦାୟ ଗୋଷ୍ଠୀକୁ, ମଣିଷର ଜନ୍ମହିଁ କଷଣ, ଜୀବନହିଁ କଷଣ ମରଣ ବି କଷଣରେ, ଏଇ ଚେତନା ତାଙ୍କ ମନରେ ଉଛୁଳି ଉଠିଲା ଆଉ ସେ ତା’ର କଲ୍ୟାଣ ଇଚ୍ଛାକଲେ । ପ୍ରଶାନ୍ତି ସଙ୍ଗେ ସଙ୍ଗେ ମନ ଭିତରେ ଚହଟିଗଲା ସମନ୍ୱୟ । ଅନୁଭବରେ ମିଳିଗଲା ସହଜ ଆନନ୍ଦ, ସେ ଖାଲି ଜୀବନର ଆଭା, ସୁସ୍ଥ ମନରେ ସୁସ୍ଥ ଦେହରେ ଆପେ ଆସିଛି, ସେ ଆନନ୍ଦ କିଛି ପାଇବା କି କିଛି ଠୁଳ କରିବାପାଇଁ ନୁହେଁ, ଖାଲି ଏମିତି ।

 

ଭାବିଲେ, ଏପରି ବି ହୋଇପାରିଥାନ୍ତା ଯେ ଏ ଜୀବନ ବି ନଥାନ୍ତା । ଏଇ ମୁହୂର୍ତ୍ତରେ ଜୀବନ ଅଛି, ଜହ୍ନରାତି ଅଛି, ସମୁଦ୍ର ଅଛି ଏ ସାମ୍ନାରେ, ଆନନ୍ଦ ଅଛି, ଆଉ ତେଣିକି କିଏ ପଚାରେ-

 

ଶେଷ ସିଗାରେଟ ଖଣ୍ଡିକ କାଢ଼ି ନିଆଁ ଲଗାଇ ଧୂଆଁ ଶୋଷୁ ଶୋଷୁ ଏହିପରି ଭାବିଗଲେ ବିମାନ ବାବୁ । ଆଉ ଭାବିଲେ ଏ ସମୁଦ୍ର ପାଵ୍‍ନା ନଦୀ ପରି ଦିଶୁନାହିଁ । ସେଠି ଲାଖିଥିଲା ଗାଁ ମାଟିର ସୀମିତ କଳ୍ପନା, ଏ ସବୁରି, ସବୁଆଡ଼େ ଲମ୍ବିଛି । ସେ ସ୍ମୃତିରେ ମିଶିଛି ହିଂସା, ଏଠି ସାମ୍ୟ, ମୈତ୍ରୀ । ମଣିଷ ମଣିଷଙ୍କ ଭିତରେ ବନ୍ଧୁପଣ ବଢ଼ାଇ ଜୀବନରୁ କିପରି ଦୁଃଖ ନିରାକରଣ କରିହେବ ସେଥିପାଇଁ କେତେ ଋଷି ସାଧନା କରିଗଲେ ଏଇଠି ଏ ସମୁଦ୍ର କୂଳରେ, ତାଙ୍କରି ସ୍ମାରକ ଏ ସମୁଦ୍ରକୂଳ ।

 

ସମୁଦ୍ର, ସମୁଦ୍ରକୂଳ, ଜଗନ୍ନାଥ, ସବୁ ସବୁରି ।

 

କିପରି ସେ ପରିକଳ୍ପନା ? ବିମାନବାବୁଙ୍କ ଚିନ୍ତାର ସୁଅ ସହଜ ଆନନ୍ଦରେ ପିଲାପରି ସେହିଆଡ଼େ କୁରୁଳି ଧାଉଁଛି । ସେ ଭାବୁଥିଲେ, ମଣିଷ ମଣିଷ ଭିତରେ ବାଡ଼ ନରଖି ହୃଦୟରେ ହୃଦୟ ମିଶାଇ ଏକ ହେବାକୁ ଯଦି କୌଣସି ସ୍ଥଳୀର ସର୍ଜନ ହୋଇଥିଲା ତାହେଲେ ସେ ତ ଏହି ପୁରୀ । ଗହଳି ହୋଇ ଧାଡ଼ିଧାଡ଼ି ନଡ଼ିଆ ତୋଟା ଗୁଆତାଟା ଆମ୍ବତୋଟା ସେପାଖେ ଲମ୍ବହୋଇ ଧଳାବାଲିର ତଣ୍ଡା, ତା’ ସେକରେ ଚିକ୍‍ଚିକ୍ ନେଳି ସମୁଦ୍ର । ଜନମଦୁଃଖୀ ମଣିଷ ଆନନ୍ଦ ଖୋଜିଥିଲା ଭାଷା ଜାତି ଭୁଲି ଅଖଣ୍ଡ ଅବାଧ ଏକତାରେ । ଏଠା ଠାକୁର ରକ୍ତ ଖୋଜେନାହିଁ, ଖୋଜେ ତୁଳସୀ ପତ୍ର, ଏଠା ମଣିଷ ଧନରତ୍ନକୁ ଆଗ କରେନାହିଁ, ଲୋଡ଼େ ଦି ଦଣ୍ଡର ଭାଇପଣ ଆଉ କଥା ପଦେ, ଚିନାବାଦାମ୍ ବିକାଳୀ ହେଉ ପଣ୍ଡା ହେଉ କି ପଣ୍ଡିତ ହେଉ, ଝଲସି ଉଠେ ତାଙ୍କ ମୁହଁରେ ସହଜ ଆନନ୍ଦପ୍ରିୟତା, ନିଷ୍କପଟ ଅଶନା ହସ, ଉପରେ ପଡ଼ି ଚିହ୍ନା ହେବାକୁ ଦୁଃଖସୁଖ ହେବାକୁ ମନ, ଢମ ନାହିଁ ଗଉଁ ନାହିଁ, ସମସ୍ତିଙ୍କୁ ସମାନ ବନ୍ଧୁପଣ ଦେଖାଇ ଦି ବାହା ମେଲେଇ ଗ୍ରହଣକରି ନେଇ ଲୋଡ଼େ ମଉଜରୁ ଭାଗ ନେବାକୁ, ଧର୍ମଫଳରୁ ଆଶୀର୍ବାଦରୁ ବି ଭାଗ ନେବାକୁ ।

 

ଏକ, ଏକ, ସବୁ ମଣିଷ ଏକ ।

 

ଖାଲି ଦୁଃଖରେ ଏକ ନୁଁହେ, ଆନନ୍ଦରେ ବି ଏକ ।

 

ସମୁଦ୍ରଆଡ଼କୁ ତେର୍ଚ୍ଛା ବାଗରେ ଝାଉଁବଣ ଉପରେ ସୁନ୍ଦର ଜହ୍ନ । ସମୁଦ୍ର ପାଣି ଉଲୁସି ଉଠୁଛି । ଫାଳେ ଆଲୁଅ ଝଲଝଲ, ଫାଳେ କଳା ଘୁମର । ବାଲି ଆଉ ବାଲି ନୁଁହେ, ସେ ବି ଏକ ଅର୍ଦ୍ଧଚନ୍ଦ୍ର, ସମୁଦ୍ର ସତେକି ନେଳି ଆକାଶ ।

 

ଛାଇ ଆଲୁଅରେ ମୂର୍ତ୍ତିପରି ଦିଶୁଛନ୍ତି ଲୋକେ, ସମସ୍ତେ ଅଟକିରହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି, ସମସ୍ତେ ଏକ ହୋଇଛନ୍ତି ।

 

କ୍ଷୁଧା ପିପାସାର ପତନ ଉପରେ ବି ଜୀବନ ଅଛି । ପ୍ରଶ୍ନ ଉତ୍ତର ସମସ୍ୟା ଓ ସମାଧାନର ପତନ ଉପରେ ବି ଜୀବନ ଅଛି ।

 

ସୁଖଦୁଃଖ ଲାଭ ଲୋକସାଣର ଚିନ୍ତା, କାର୍ଯ୍ୟ କରିବା ଓ ଫଳ ପାଇବାର ହିସାବକୁ ଛାଡ଼ିଦେଲେ ବି ଅବସ୍ଥିତିର ଏପରି ସ୍ତର ଅଛି ଯେଉଁଠି ଜୀବନ ଅଛି, ଆନନ୍ଦଅଛି ।

 

ତାଙ୍କଠୁଁ ଚାରିହାତ ଛାଡ଼ି ଗୋଡ଼ ଲମ୍ବେଇ ସିଗାରେଟ କାମୁଡ଼ି ପିଠିଆଡ଼େ ଦି ବାହାକୁ ଚେଙ୍କା ଦେଇ ଜଣେ ଯୁବକ ବସି ସମୁଦ୍ର ଆଉ ଆକାଶର ଶୋଭାକୁ ଦେଖୁଛନ୍ତି । ତାଙ୍କ ବାଁ’କରେ ବାଲି ଉପରେ ଡଙ୍ଗାଟିଏ ଥୁଆ ହୋଇଛି, ଅରାଏ ଜାଗା ମାଡ଼ି ତା’ର ଛାଇ ପଡ଼ିଛି । ସମୁଦ୍ରଆଡ଼ୁ ଆସି ପହଞ୍ଚିଲେ ଜଣେ ସୁସଜ୍ଜିତା କିଶୋରୀ, ଯୁବକଙ୍କ କତିରେ ବସିପଡ଼ିଲେ । ଆରମ୍ଭ ହେଲା ମଧୁର ଆଳାପ ।

 

ବିମାନ ବାବୁଙ୍କୁ ଲାଗିଲା, ଏ ଆଳାପ କେଡ଼େ ମଧୁର ଶୁଭୁଛି ! ମଣିଷ ହୃଦୟତନ୍ତ୍ରୀର ସହଜ ସଂଗୀତ, ସେ ଗଦ୍ୟ ।

 

ତାର ଭାଷା ଆଶ୍ରା ମାତ୍ର, ସେ ନିରର୍ଥକ ପାହାଚ । ସେହି ପାହାଚେ ପାହାଚେ ଯୋଡ଼ିଏ ହୃଦୟ ପରସ୍ପରଆଡ଼କୁ ନଇଁନଇଁ ଆସୁଛି, ତରୁଣୀଟି ମଝିରେ ମଝିରେ ଯୁବକ ଉପରେ ଆଉଜି ପଡ଼ୁଛି ।

 

ଚାରିହାତ ଛାଡ଼ି ସେ । କିନ୍ତୁ ବିମାନବାବୁଙ୍କ ମନରେ ଉଦାର ଆନନ୍ଦ । ଏମାନଙ୍କ ପ୍ରତି ଖାଲି ଆଶୀର୍ବାଦ । ଏମାନେ ଆନନ୍ଦରେ ହିଁ କାରିଗର, ଆଉ ଅନ୍ୟ ଇତିହାସ ଲୋଡ଼ାନାହିଁ । ଏମାନଙ୍କର ସ୍ୱସ୍ତି ହେଉ । ଜହ୍ନ ଆଲୁଅରେ ଗଛ ଡାଳରେ ଯେଉଁ ଚଢ଼େଇ ଯୋଡ଼ିକ ବସିଥିବେ ସେମାନଙ୍କର ସ୍ୱସ୍ତି ହେଉ ।

 

ଗଦ୍ୟ ସଂଗୀତ ଆହୁରି ନିବିଡ଼ ହୋଇ ଆସୁଛି, ଆହୁରି ଥିରି ଥିରି । ତରୁଣୀଟି ବାରମ୍ବାର ବାରମ୍ବାର ଯୁବକଟିର ଗୋଡ଼ ଉପରେ ଗଡ଼ିଲାଣି, ଯୁବକ ବି ତା’ ଉପରକୁ ଝୁଙ୍କି ପଡ଼ିଲାଣି । କିଏ ଜଣେ ସମୁଦ୍ର କୂଳେ କୂଳେ ଟର୍ଚ୍ଚ ଲାଇଟ୍‍ ପକାଉଛି, ସେ କ’ଣ ଖୋଜୁଛି, ଅଥବା ଆପଣାର ମୁଁ ପଣକୁ ଦମ୍ଭିଲା କରି ପ୍ରକାଶ କରୁଛି । ସେହି ତା’ର ସୁଖ ।

 

ତିନିଜଣ କିଏ ଏକାଠି ଗପିଗପି ଏହିଆଡ଼କୁ ଆସୁଛନ୍ତି, କଥାଭାଷା ନୁହେଁ, ଚିତ୍କାର କରି ତର୍କ । କ’ଣ ପାଇଁ ଏ ବୋଲାବୋଲି ? କାନ ଦେଲେ । ଜଣେ ଖୁବ୍ ତାତିଯାଇ କହୁଛନ୍ତି ଅନ୍ୟ କୌଣସି ଯୁକ୍ତି ସେ ଶୁଣିବେ ନାହିଁ, କାଳିଦାସ ପୃଥିବୀରେ ସବୁ ଯୁଗକୁ ଶ୍ରେଷ୍ଠ କବି, ସଂସ୍କୃତ ସାହିତ୍ୟର ତତ୍ତ୍ୱ-ଜଗତରେ ଅତୁଳନୀୟ, ଯେ ଏ ମତକୁ ବିରୋଧ କରିବ ସେ ସେ ମତକୁ ବାରମ୍ବାର ଅସ୍ୱୀକାର କରୁଥିବେ । ଆଉ ଜଣେ ପ୍ରତିବାଦ କରି ଟାଣକରି କହୁଛନ୍ତି–ସେ ଯୁଗର ସାହିତ୍ୟ ଏ ଯୁଗରେ ଆଉ ଧ୍ରୁବ ହୋଇ ନାହିଁ, କାଳିଦାସଙ୍କ ଶ୍ରେଷ୍ଠତ୍ୱ ସେ ଆଦୌ ସ୍ୱୀକାର କରିବେ ନାହିଁ । ଆରଜଣକ ଆହୁରି ରାଗିଗଲେ, ଏଥରକ ହୁଡ଼ାହୁଡ଼ି ହେଲାପରି । ହଠାତ୍ ଏ ତୁଣ୍ଡଯୋଦ୍ଧା ଦୁହେଁ ତୁନିହେଲେ । ତା’ପରେ ଆସି ବିମାନ ବାବୁ ଓ ସେ ଯୁବକ ଯୁବତୀ ଏ ଦୁହିଁଙ୍କ ମଧ୍ୟରେ ସେ ତିନିହେଁ ବସିପଡ଼ିଲେ । ଦେଖାଇ ଶୁଣାଇ ମନ୍ତବ୍ୟ ଦିଆଦେଇ ହେଲେ । କିନ୍ତୁ ତେଣେ ସତେକି ହୋମକୁ ଘିଅ ବଳିଦାନ, ଯୁବକ ଯୁବତୀ ଆତ୍ମବିସ୍ମୃତ ହୋଇଥିଲେ । କେଉଁଆଡ଼ୁ ଉଡ଼ି ଆସିଥିବା ତିନୋଟି ମଣିଷ କାଳିଦାସ ଚର୍ଚ୍ଚା ଭୁଲି ଏଯୁଗର ଚଳଣିକୁ ମନଇଚ୍ଛା ଗାଳି ଦେଇ ଉଠି ପଳାଇଲେ ।

 

ତଥାପି ସେଠି ବସି ରହିଥିଲେ ବିମାନ ବାବୁ, ମନେମନେ ସେ ଯୁବକ ଯୁବତୀଙ୍କୁ ଆଶୀର୍ବାଦ କଲେ ।

 

କ୍ରମେ କେତେବେଳେ ସେ ଦୁହିଁଙ୍କୁ ବି ପାଶୋରି ପକାଇଲେ, ଆତୁରି ହୋଇ ଜଣେ କହିଥିଲା ତା’ ଝିଅପାଇଁ ବରପାତ୍ରଟିଏ ଠିକଣା କରିଦେବାକୁ ପରା, ଆଉ ଦିନ କାହିଁ ? ସ୍ମରଣ ଭିତରେ ଅଳ୍ପକେ ମନେପଡ଼ି ପୁଣି ସେ ହଜିଗଲା, ଟିକିଏ କର ଲେଉଟାଇଲା ପରି ହୋଇ ଉଠୁଥିଲା, ଆଉ ନାହିଁ ।

 

ସେମିତି ଆସ୍ତେ ମନେ ପଡ଼ିଗଲା ଆପଣା ପିଲା ଭାରିଯାଙ୍କ କଥା, ଆପଣା ଅବସ୍ଥା କଥା, ତା’ବି ଭୁଲି ହୋଇଗଲା । ସବୁ ଭୁଲି ହୋଇଗଲା । କେବଳ କାନରେ ଶୁଭୁଛି ତୁହାଇ ତୁହାଇ ସମୁଦ୍ରର ଘୋଷା । ସେହି ପବନ ଦେହରେ ବାଜୁଛି । ଜହ୍ନ ପଡ଼ିଛି । ସତେକି ଆପଣାଠି ରହିଛି ଆନନ୍ଦର ଅସରନ୍ତି ଭଣ୍ଡାର, ସେଇଠି ଯେପରିକି ତାଙ୍କ ନିଘା ଛନ୍ଦାହୋଇ ରହିଛି । ସେ ଚେତନାରେ ଘଟନା ପାଇଁ ଉଦ୍‍ବେଗ ନାହିଁ, ସଂଖ୍ୟା, କାରକ, ଦୂରତା କି ତାରିଖର ବୋଧନାହିଁ, ଖିଆଲ୍ ନାହିଁ କେତେବେଳେ ଏ ଘଟରୁ ଜୀବ ଛୁଟିବ କି କେତେକାଳଯାକେ ସେମିତି ରହିଥିବ ।

 

ଏ ବ୍ୟକ୍ତିତ୍ୱ ଅଛି ଆନନ୍ଦ ଘେନୁଛି । ଜହ୍ନଝଲଝଲ ସମୁଦ୍ର ଫୁଲସ୍ତରା ମାରି ଉଠୁଛି ଆପଣା ମନରେ ଆନନ୍ଦ ଅଛି, ଶାନ୍ତି ଅଛି ।

 

ଡଙ୍ଗା ଛାଇରେ ସେ ଦୁହେଁ, କଥାଭାଷା ଆଉ ଶୁଭୁ ନାହିଁ । ବିମାନ ବାବୁ ତାଙ୍କ କଥା ବି ଭାବୁନାହାନ୍ତି, ସେ ଦୁହିଁଙ୍କ ଅସ୍ତିତ୍ୱ ବି ଭୁଲିଗଲେଣି । ମନରେ ପ୍ରଶ୍ନ ନାହିଁ, ସନ୍ଦେହ ନାହିଁ ।

 

ଆନନ୍ଦ ହିଁ ଅଛି ।

 

ଆଲୁଅ ଆଉ ଗତି,–ତରୁଣ ରାୟ ସ୍ମରଣ କରୁଥାଏ,–ମା ପେଟରୁ ଜନ୍ମ ହେଲାମାତ୍ରେ କ’ଣ ସେ ବାରିଥିଲା ତା’ର ହେତୁ ନାହିଁ, କିନ୍ତୁ ସ୍ମରଣକୁ ଓଟାରି ଓଟାରି ଯେତେ ପାରି ସେତେ ପଛକୁ ଘେନିଗଲେ ବି ତା’ର ଆଦ୍ୟ ଚେତନାରେ ଖାଲି ଏ ଯୋଡ଼ିକ କଥା–ଆଲୁଅରେ ସେ ରଙ୍ଗ ବାରିଥିଲା, ଏଇଟା ସଞ୍ଜ ଆକାଶ, ଏଇଟାଗଛ, ସେଇଟା ରଙ୍ଗଲୁଗା, ଆଉ ସେ ପୋହଳା କଣ୍ଠି । ଗତି ତା’ର କଅଁଳ ମନକୁ ଆକର୍ଷଣ କରୁଥିଲା, ଇଚ୍ଛା ହେଉଥିଲା ସେ ଗତିମନ୍ତ ହୋଇ ହିଁ ରହିଥାନ୍ତା-। ତା’ର ଲାଭ ଲୋକସାଣରେ ଚିନ୍ତା ନାହିଁ, କିନ୍ତୁ ବାରମ୍ବାର ମନେ ପଡ଼ିଛି ଗତି ଆଉ ଆଲୋକ ଚେତନାମୟ ତା’ର ଆପଣାର ଅଭିନବ ଅଭ୍ୟୁଦେୟ । ଅବଶ୍ୟ ତା’ ମନେମନେ ।

 

ଟିକି ପିଲା ତା’ର କଅଁଳ ଦୁଧିଆଳି ଆଖି ଖୋଲି ଚାହିଁଛି । ତା’ର ନରମ ପୁଚୁପୁଚୁ ଗାଲ ଦି ଫାଳ ଡେରି ହୋଇ ରହିଛି, ସେଠି ସତେକି କେଉଁ ଅଚିହ୍ନା ଅଦେଖା ଫୁଲପାଖୁଡ଼ାର କେବେ ଅନୁଭବ ନ ହେବା କଅଁଳପଣ । ସେଠି କେଉଁ ଆଶ୍ଚର୍ଯ୍ୟ ଚିତ୍ରକର ଯେପରିକି ସୂର୍ଯ୍ୟୋଦୟର ରଙ୍ଗ ଆଙ୍କିଛି । ବିସ୍ମୟ କୁତୂହଳରେ ସେ ବି ଚାହିଁଥିଲା ସମୁଦ୍ରକୁ, ଯେତେବେଳେ ତାକୁ ଜଣେ କିଏ କାଖେଇ ନେଇ ଚାଲିଯାଇଥିଲେ । ସତେ ଯେପରିକି ସେ ଯୋଗଧ୍ୟାନରେ ଆପଣା ଭିତରେ ଆପେ ବାନ୍ଧିହୋଇ ରହିଥିଲା, ଏଥର ସେଠୁ ଉଠୁଛି ଓ ଜଗତଟାକୁ ଚାହୁଁଛି ।

 

ସେହି ସେ ବର୍ଣ୍ଣମୟ ସଂସାର, ତା’ର ସାମ୍ନାରେ, ତା’ ଚାରିପାଖେ, ଆକାଶ, ପୃଥିବୀ, ପଦାର୍ଥ, ଆଉ ସେହି ଅବିରାମ ଗତି, ସବୁ ହଲଚଲ ଆଉ ଚହଲା । ପୋଖରୀର ସ୍ଥିରପାଣିରେ ବି ବାରିହୋଇ ପଡ଼େ ଟିକିଟିକି ଭଉଁରି ଉଠି ଉଭେଇ ଯାଉଛି, ପାଣି ଥରୁଛି, ଅନହୁତି ଦିଶେ ପତ୍ର ହଲୁଛି, ଅନାବନା ଘାସଗଛ ବି ଥରୁଛି, ନାଚୁଛି, ଭଙ୍ଗୀ କରୁଛି, ମୁଦ୍ରା କରୁଛି ।

 

ଆଉ ଏଣେ ସମୁଦ୍ରରେ ଲାଗି ରହିଛି ଵିପୁଳା ଗତି, ଆକାଶରେ ବଉଦ ଭାସି ଭାସି ଚାଲିଛନ୍ତି, ସତେ ଅବା ବିରାଟ ମହାଦେଶମାନେ ।

 

ଟିକିପିଲାକୁ ନେଇଗଲେଣି, ଆଉ ସେ ଦିଶୁନାହିଁ ।

 

ଛବି ହୋଇ ତା’ର ଆଭା ତରୁଣ ରାୟର ସ୍ମରଣରେ ରହି–ଯାଇଛି ଟିକିଏ ବେଳ, ତା’ର ପୁରୁପୁରୁ କୁଞ୍ଚୁକୁଞ୍ଚିଆ ବାଳ ପବନରେ ଉଡ଼ୁଥିଲା ସେ ପିନ୍ଧିଥିବା ଫ୍ରକ୍ ଉଡ଼ୁଥିଲା । ଆକାଶ ଓ ସମୁଦ୍ରର ଚଳନ୍ତି ଦୃଶ୍ୟ ତା’ ଆଖି ଉପରେ ଛାଇ ପକାଉଥିଲା । ତା’ର ସ୍ନାୟୁମାନ ବର୍ଣ୍ଣ ଓ ଗତି ବାରିବାର ପ୍ରବଣତା ଘେନି ଗଢ଼ି ଉଠିବେ, ତା’ର ବିଚାର ଓ କଳ୍ପନା ଆପେ ଆପେ ଢାଳି ହୋଇଯିବ ବର୍ଣ୍ଣ ଓ ଗତିର ଛାଞ୍ଚରେ, ସେହିଥିରେ ସେ ଆତ୍ମପ୍ରକାଶ କରିବ, ସେହି ହେବ ତା’ର ଜୀବନକ୍ରିୟା, ପୁଣି ସବୁ ଖେଳସାରି ସେ ଯେତେବେଳେ ଉଭେଇଯିବ ସେତେବେଳେ ପୁଣି ସେ ଲୀନ ହୋଇଯିବ ସେହି ସ୍ଥିର ମହାଶୂନ୍ୟରେ, ଯହିଁରେ ପ୍ରକାଶ ନାହିଁ କିନ୍ତୁ ଶକ୍ତି ଅଛି ।

 

ଭାବୁଥିଲା ତରୁଣ ରାୟ ।

 

ଭୂଇଁ ଯେଉଁଠି ଶେଷ ହୋଇଛି ସେଇଠି ସେ ସମୁଦ୍ରକୂଳରେ ବାଲି ଉପରେ ବସି ସେ ଭାବୁଥିଲା । ଦିନ ପାଞ୍ଚଟା ବାଜିଛି, ଖରା କେଡ଼େ କଅଁଳ, ଆଉ ଦେଢ଼ଘଣ୍ଟା ଭିତରେ କେତେ ପ୍ରକାର ଦୃଶ୍ୟର ବିଚିତ୍ରତା ଦେଖାଇ ଦେଇ ସୂର୍ଯ୍ୟଦେବ ବିଦାୟ ନେବେ ।

 

ସେ ଏକୁଟିଆ ବସିଛି, ତାକୁ ଲାଗୁଛି, ଏଠି ଏକୁଟିଆ ତ ଭଲ ଲାଗେ, ଯେତେବେଳେ ମଣିଷ ସୁସ୍ଥିରେ ଭାବନା ଉପରେ ଲୟ ଲଗାଇପାରିବ ।

 

ଦି'ପାଖେ ଅର୍ଦ୍ଧଚନ୍ଦ୍ର ପରି କୋଠା ପଶିଆସିଛି, ମଝିରେ ଆରଏ ଖାଲି ଜାଗା, ସୁନ୍ଦର ବାଲିଢେଉରେ ହଠାତ୍ ବସିଯାଇଛି, ଡାହାଣ କରେ ଅଳ୍ପ ଝାଉଁବଗିଚା, ବଡ଼ଘରର ହତାବାଡ଼ ସମୁଦ୍ରଠୁଁ ଅଳ୍ପ ଛାଡ଼ି, ତେଣିକି ଲଙ୍ଘିଗଲେ ପୁଣି ମଣିଷ ଗହଳି, ସେହି ସ୍ଥାନ ଯେଉଁଠି ସମୁଦ୍ର କୂଳେ କୂଳେ ସଡ଼କ ଯାଇଛି ଆଉ ରେଲ୍ ଷ୍ଟେସନରୁ ଗାଡ଼ି ଚଢ଼ି ଜୀବନରେ ପହିଲିଥର ସମୁଦ୍ର ଆବିଷ୍କାର କଲାଭଳି ଆନନ୍ଦରେ ହୋ ହୋ ହୋଇ ଲୋକେ ଧାଇଁ ଆସନ୍ତି ସମୁଦ୍ର ଦେଖିବାକୁ ।

 

ଭାବୁଥାଏ, ଛୁଟି ସରି ଆସିଲା, ଆଉ କେଇ ଘଣ୍ଟା ଗଲେ ସେ ଗାଡ଼ି ଧରନ୍ତା । ପୁଞ୍ଜି ସରି ଆସିଲା ଏତେ ବର୍ଷ ପେଟରୁ କାଟି କାଟି ସେ ଯାହା କିଛି ଠୁଳ କରିଥିଲା ଥରେ ବନ୍ଧନରୁ ବାହାରି ମୁକ୍ତିର ପ୍ରତୀକମାନଙ୍କୁ ଦେଖି ଫେରି ଆସିବ ବୋଲି, ସବୁ । ଲେଉଟିଗଲେ ପୁଣି ସେ ବେଙ୍ଗଳା କାମ, ଆଜି ଯାହା କାଲି ତାହା ।

 

ସବୁ ସେ ପୃଥିବୀରେ ମପାଚୁପା, ନିର୍ଦ୍ଧିଷ୍ଟ, ସତେ ଯେମିତି ସେଠି ପାଞ୍ଜି ତିଆରି ହୋଇ ରହିଛି, ଆଉ ଦାର୍ଜିହାତର ଖୋଳ ପୋଷାକ, ମୋଚି ହାତର ଜୋତା, ଆପେ ଅନ୍ୟ ବାଟ ଧରିବାକୁ ଉପାୟ ନାହିଁ ।

 

ସେ ପୃଥିବୀରେ ତରୁଣ ରାୟର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଅଛି । ସେଠି ତା’ର ବିଚାର ବି ନିର୍ଦ୍ଦିଷ୍ଟ, ସେ ସେଠି କାହାକୁ ବଡ଼ କରିବ କାହାକୁ ସାନ କାରିବ ଭଲ କହିବ କାହାକୁ ମନ୍ଦ କହିବ ତା’ ବି ସୁଦ୍ଧା ସ୍ଥିର ହୋଇ ରହିଛି ।

 

ସେଠି ସେ ନିର୍ଘଣ୍ଟ ଅନୁସାରେ କାମ କରେ, ଅଭ୍ୟାସ ଅନୁସାରେ ଚିଏଁ, ହାତଗୋଡ଼ ଚଲାଏ ଆଉ ଶୁଏ ।

 

କିନ୍ତୁ ଏଠି ସତେକି ସେ ବଦଳି ଯାଇଛି, ସେ ପରିବ୍ୟାପ୍ତ ହୋଇଯାଇଛି । ଯେତେ ଦୂରକୁ ତା’ର ଦୃଷ୍ଟି ଯାଇପାରୁଛି ସେତେ ଦୂରଯାକେ ସେ ନିଜର ପ୍ରତିଫଳିତ ଛାଇକୁ ହିଁ ଦେଖିପାରେ, ଏଇ ଯେତେ ବର୍ଣ୍ଣ, ଯେତେ ଛବି, ଯେତେ ଗତି, ଯେତେ ବିଶାଳତା, ଯେତେ ଉଛୁଳା ଅଖଳା ଅବନ୍ଧା କଳ୍ପନା ଓ ବିଚାରର ଧାରା, ସବୁଠିଁ ସେ ନିଜକୁ ପ୍ରତିଫଳିତ କରିପାରେ, ସବୁ ଦେଖିପାରେ ନିଜଠିଁ, ଯେପରିକି ଏ ସବୁତ ତା’ର ଅସ୍ତିତ୍ୱ ଓ ବ୍ୟକ୍ତିତ୍ୱର ନିହିତ ଉପାଦାନ, ନ ହେଲେ ସେ ସମ୍ଭବ ହେଲା କିପରି ?

 

ସେଠି ସେ ତା’ର ଚିରାଚରିତ ନିର୍ଘଣ୍ଟକୁ ଉପହାସ ବି କରିପାରେ, ବଡ଼ ସହରର ଫରୁଆ ଭିତରେ ପଶି ଅଭ୍ୟାସ ଓ ନିର୍ଘଣ୍ଟ ଅନୁସାରେ ଓଟରା ହେଲାବେଳେ ତା’ର ଯେଉଁ ଖର୍ବ ଭୟାତୁର ଦୁଶ୍ଚିନ୍ତାଲଦା ବ୍ୟକ୍ତିତ୍ୱ, ତାକୁ ଏଠି ଥାଇ ସେ ଦୟା କରିପାରେ ।

 

କହି ତ ପାରୁଛି–

 

ଏ ଦେହ ଦିନେ ନଷ୍ଟହେବ ।

 

ତା ସହିତ ନଷ୍ଟ ହେବ ଏ ଦେହ ସମ୍ପର୍କରେ ଗଢ଼ା ହୋଇଥିବା ସବୁ ସମ୍ବନ୍ଧ, ଯାହାକୁ କହନ୍ତି ମୋହଜାଲ ।

 

ସେତେବେଳେ ଆଉ ଏ ଅଭାବ, ଏ ଦୁର୍ଦ୍ଦଶା, ଏ ଦୁଶ୍ଚିନ୍ତା, ଏ ରାଗ, ଶୋକ କିଛି ନ ଥିବ-। ଏ ବି ଚାଲିଯିବ, ଖାଲି ସମୟର କଳନା ।

 

ତରୁଣ ରାୟ ଅନୁଭବ କଲା ଯେ ତା’ର ପରିଚୟ ଏପରି ନୁହେଁ ଯେ ସେ ଗୋଟିଏ ମହାନଗରୀର ନାଗରିକ, କି ଗୋଟିଏ ବ୍ୟବସାୟୀ ଅନୁଷ୍ଠାନରେ ଜଣେ କିରାନି, ପରିଚୟ ନୁହେଁ କାହାର ସ୍ୱାମୀ ବୋଲି କି କାହାର ବାପ ବୋଲି ।

 

ତାର ପରିଚୟ ସେ ମନୁଷ୍ୟ, ସେ ତତ୍ତ୍ୱଦର୍ଶୀ ଜୀବ, ସେ ଏକ ମହାବ୍ୟକ୍ତିତ୍ୱ, ଆଉ–କେବଳ ବ୍ୟକ୍ତିତ୍ୱ ନୁହେଁ–ଏକ ମହାପ୍ରାଣ ।

 

ପିଠିଆଡ଼େ ହେଇ ସେ ଦୂରରେ ଜଗନ୍ନାଥ ମନ୍ଦିର, ମହାମାନବର ମହାବ୍ୟକ୍ତିତ୍ୱର ମହନୀୟ ରୂପ ପରି, ସେହି ନୀଳଚକ୍ର ତାର ଚିରନ୍ତନୀ ଚେତନାର ପ୍ରତୀକ, ପବନରେ ଫରଫର ପାଟ ନେତା ତା’ର ଅଭୟ ଓ ବିଜୟ ଉଲ୍ଲାସର ହିଁ ପ୍ରତୀକ । ମୁହଁପଟେ ମହାସମୁଦ୍ରରେ ତାହାରି ବ୍ୟକ୍ତିତ୍ୱରହିଁ ବ୍ୟାପ୍ତି, ତାହାରି ବର୍ଣ୍ଣବିନ୍ୟାସ, ଉପରେ ଆକାଶରେ ତାହାରି ପରିବ୍ୟାପ୍ତି, ସେହି ତ ସେ ତରୁଣ ରାୟ, କାହିଁ ତା’ର କ୍ଷୟ କି ପରାଜୟ ? କାହିଁ ଏଠି ବ୍ୟକ୍ତିତ୍ୱର ଅନାହାରକ୍ଳିଷ୍ଟ ତପୋକ୍ଷିନ୍ନ ଗୈରିକ ବାସନାବୃତ ବୈରାଗୀ ରୂପ ? ଅଛି ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟ ଆନନ୍ଦର ଅସୀମତା, ଉଲ୍ଲାସର ଉଦ୍‍ବେଳ ସମୁଦ୍ର ।

 

ଇତିହାସ ଏଠି ଏ ତଣ୍ଡାର ବାଲିରେଣୁ ଯୁଗେ ଯୁଗେ କେତେ ଝଡ଼ିଛି କୁଢ଼ହୋଇଛି, ଉଡ଼ିଛି କୁଢ଼ହୋଇଛି ଏଠି ଦୁଃଖ ନାହିଁ, ପରିସମାପ୍ତି ନାହିଁ ।

 

ତାଛିଲ୍ୟରେ ବେଳେବେଳେ ମନେ ପଡ଼ିଯାଇଛି ତା’ର ଅତୀତର ରୂପ, ଅନ୍ୟମାନଙ୍କ ତାରତମ୍ୟରେ ସେଠି ସେ ଗୋଟିଏ କ୍ଷୁଦ୍ରଜୀବ ତା’ର ବୃତ୍ତିକ୍ଷେତ୍ରରେ ଦାନାପାଣିର ନିୟନ୍ତା ହୋଇ ଯେଉଁମାନେ ଅଛନ୍ତି ସେମାନଙ୍କ ନାଁ ପଡ଼ିଗଲେ ବି ସେ ସଙ୍କୁଚିତ ହୋଇଯାଏ, ଆପେ ତା’ର ଛଇରେ ଫୁଟେ ଦାସ୍ୟଭାବ, ସେହି ମୁଁ-କିଛି-ନୁହେଁ-ମୁଁ-ତୁମ-ଦାସର-ଦାସ ଭେକ ଯାହା ତା’ର ଉପରିକମାନଙ୍କର ଅତିପ୍ରିୟ, ଯାହା ତା’ର ବୃତ୍ତିରେ ସଂସ୍ଥିତିର ଉପାଦାନ । ସେତେବେଳେ ଆପେ ତା’ର ଅବୟ ବମାନ ତାଳୁଠୁଁ ତଳିପାଯାକେ, ବିଶିଷ୍ଟ ଭଙ୍ଗୀରେ ତଳିପଡ଼ନ୍ତି, ତା’ର କୋଟ୍‍ ପ୍ୟାଣ୍ଟ୍‍ ବି ସେହି ଭଙ୍ଗୀରେ ନୂଆ ଭାଙ୍ଗ ଧରେ, ଓଠ ବଙ୍କେଇ ହୋଇଯାଏ, ଦାନ୍ତ ନିକୁଟି ହୋଇଯାଏ, ଆପେ ବାଁ ହାତ ପାପୁଲିଟି ମୁଣ୍ଡପଛଆଡ଼କୁ ବେକ ଉପରକୁ ଚାଲିଯାଏ, ଅଙ୍ଗୁଠିଗୁଡ଼ିକ ପଗପଗ ହୋଇ ବଙ୍କେଇ ହୋଇଯାଏ, ନିଜ ମୁଣ୍ଡ ପଛଆଡ଼େ ଟିପଗୁଡ଼ିକ ଖେଳେ, ଆଖିର ଜ୍ୟୋତି ପାଣି ଫାଟିଯାଏ, ଆଖିଡ଼ୋଳା ଡିମା ଡିମା ହୋଇ ଉପରକୁ ଡେରି ହୋଇ ରହେ ଉପରିକମାନଙ୍କ ମୁହଁଆଡ଼େ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ପୁଣି ଭକ୍ତିପୂର୍ଣ୍ଣ ଭଙ୍ଗୀରେ, ଆଉ ଦେହର ବୟସ ସତେକି ଆଉ ଦଶବର୍ଷ ବଢ଼ିଯାଏ । ଅଫିସରେ ସେ ସାନ ହେଲେ ପଛେ ତା’ର ଗୋଟିଏ ସ୍ଥାନ ହେଲେ ଅଛି, ଅଫିସ ଛାଡ଼ିଲେ ତା’ ବି ନାହିଁ, ଜନ ସମୁଦ୍ରରେ ସେ ଟୋପାଏ ପାଣି କାହିଁ କେଉଁଠି ହଜିଯାଏ ଯେ ତା’ର ସ୍ୱତନ୍ତ୍ର ସତ୍ତା ରହେନାହିଁ । ଗୋଷ୍ଠୀ ଭିତରେ ଜଣେ ହୋଇ ସେ ଯେତେବେଳେ ପଂକ୍ତିରେ ଠିଆହୁଏ ସେଠି ସେ ତଉଲା ହୁଏ ସଂସାରୀ ତରାଜୁରେ, ଧନ, କ୍ଷମତା, ହିସାବୀବୁଦ୍ଧି ଏହି ହୁଏତ ତାପାଇଁ ବଟକରା; ସେଠି ବି କାହିଁ କେଡ଼େ ଊଣାହୋଇ ସେ କେଉଁଠି ହଜିଯାଏ । ମୁଲ କସାକସିରେ ବାରମ୍ବାର ସାନ ହୋଇ ହୋଇ ଆପେ ନିଭୃତରେ ଚିନ୍ତା କଲାବେଳେ ବି ଯେତେବେଳ ତା’ର ଆତ୍ମବିଶ୍ଵାସ ଚାଲିଯାଏ ସେତେବେଳେ ସବୁଥିକି ହାରିଲା ପରି ହୁଏ ତା’ର ବ୍ୟକ୍ତିତ୍ୱ, ଦେହ ଦୁର୍ବଳ ହେଲେ ପୁରୁଣା ମାଡ଼ର ଦରଜ ଧକଧକ ହେଲାପରି ତା’ମନକୁ ଗ୍ରାସେ ପୁରୁଣା ନିରାଶା, ଦୁଶ୍ଚିନ୍ତା, ଅନୁଶୋଚନା । ବାଳ ପାଚିଯାଏ, ଦାନ୍ତ ପଡ଼େ ।

 

ତାର ସେହି ରୂପକୁ ଏଠି ସେ ତାଚ୍ଛିଲ୍ୟ କରୁଥିଲା ।

 

ଏଠି ଚେତନାରେ ଅଛି ମୁକ୍ତି, ଲଗୁଛି, ଏଠି ତା’ର ବିଶାଳ ବ୍ୟକ୍ତିତ୍ୱ ମହାସମୁଦ୍ରକୁ ମହାଆକାଶକୁ ମାଡ଼ି ବସିଛି, ଅଟକୁନାହିଁ, ବ୍ୟାପିଯାଉଛି ଦୂରକୁ, ଦୂରକୁ ।

 

ଆଉ ଭାବୁଛି ଏମିତି କେଉଁଦିନ ସେ ଉତ୍ପତ୍ତି ହୋଇଥିଲା ମନୁଷ୍ୟ ହୋଇ, ଏହି ଧରିତ୍ରୀରୁ ଏହି ସ୍ଥଳ ଓ ଜଳର ବିସ୍ତୃତିରୁ ଗଢ଼ା ହୋଇଥିଲା ତା’ର ଏକ ଦେହ, କେଉଁ ଶୂନ୍ୟରୁ ଆସି ତହିଁରେ ପଶିଥିଲା ଆତ୍ମା ।

 

ତା ଆଗରୁ ।

 

ହୁଏତ ଜଳର କଣିକା ସହିତ ଏକ ହୋଇ କେଉଁ ପତ୍ରର ଶାଗୁଆ ରସ ସହିତ ଏକ ହୋଇ କେଉଁ ଗଛର କାଣ୍ଡ ସହିତ ଏକହୋଇ କେଉଁ ପଶୁ କି ପକ୍ଷୀର ଦେହ ସହିତ ଏକ ହୋଇ ବଢ଼ି ଉଠିଥିଲା କ୍ଷୟ ପାଇଥିଲା ତା’ ଦେହ ।

 

ତାହା ପରେ–

 

କେତେ ଥର ଭାଙ୍ଗି ଯାଇଛି, କେତେ ଥର ଗଢ଼ି ହୋଇଛି । କେବେ ନା କେବେ ସେ କୌଣସି ଜୀବଜନ୍ତୁ କି ଉଦ୍ଭିଦ ସହିତ ଏକ ହୋଇ ଜୀବନକୁ ଆଘ୍ରାଣ କରିଥିଲା ବୋଲି ବୋଧହୁଏ ଯେତେ ଯାହା ଦେଖୁଛି ସବୁ ତା’ର ଚିହ୍ନା ଚିହ୍ନା । କେବେ କେଉଁ ଅତୀତରେ କେଉଁ ଜନ୍ମରେ ସେ କେତେ ଅଜଣା ସମ୍ବନ୍ଧ ଯୋଖିଥିଲା, ଅଧା ସ୍ମୃତିରେ ଅଧା କଳ୍ପନାରେ ଲେଉଟି ଆସୁଛି ପରା ସବୁ, ଯେପରିକି ଗୋଟିଏ ଚିଆଁ ସ୍ୱପ୍ନ ।

 

ତରୁଣ ରାୟ ଭାବୁଥିଲା–

 

ଏକ ଅଖଣ୍ଡ ଜୀବନ । ଜୀବନ ଅଛି ।

 

ଏକ ଅଖଣ୍ଡ ମଣିଷ ଗୋଷ୍ଠୀ, ସଂଘ ଅଛି ।

 

ସବୁ ଏକ ।

 

ସେହି ଏକର ଚେତନା ଭିତରେ ବହୁ ଆସେ, ଯେପରି ବହୁ ବର୍ଣ୍ଣବିନ୍ୟାସ, ବହୁ ଅନୁଭୂତି ।

 

ବହୁ ଘଟରେ ସେହି ଏକହିଁ ଜୀବନ, ବହୁ ଲୋକଙ୍କ ବହୁ ଚୁଲିରେ ସେହି ଏକ ଅଗ୍ନି, ବହୁ ଲୋକଙ୍କ ଅନ୍ତରତମ ଚେତନା ଭିତରେ ସେହି ଏକ ଅଭୀଷ୍ଟ,–ଅନ୍ୟ କାହାପାଇଁ ତ୍ୟାଗ ସ୍ୱୀକାର କରି ଅନ୍ୟ କାହାକୁ ଆନନ୍ଦ ଦେବା ସକାଶେ ବଞ୍ଚିବା, ସେ ବାପହେଉ କି ପୁଅ ହେଉ, ଭାଇ ହେଉ କି ବନ୍ଧୁ ହେଉ, ନିଜକୁ ଛାଡ଼ି ଆଉ ଜଣେ କିଏ ।

 

ତରୁଣ ରାୟ ତା’ର ଚିନ୍ତାରେ ଭାସି ଚାଲିଗଲା । ମଣିଷ ମଣିଷ ଭିତରେ ନିହିତ ଏକତା ତା’ର ଆତ୍ମା ଘେନି, ସ୍ୱଭାବ ଘେନି, ଏକତା ତା’ ତାଠିଁ ଅନ୍ତର୍ନିହିତ ।

 

ପୃଥିବୀର ସବୁଯାକ କୂଟନୀତି ବିଶାରଦ ତାଙ୍କର ସବୁଯାକ ବୁଦ୍ଧି ପ୍ରୟୋଗ କରି ଉପାୟ ପାଞ୍ଚିଲେ ବି ସବୁଦିନ ପାଇଁ ମଣିଷର ନିଦାନ ଏକତାକୁ ନଷ୍ଟ କରି ପାରିବେ ନାହିଁ ।

 

କିନ୍ତୁ ଅଳ୍ପଦିନ ପାଇଁ ହେଉପଛେ, ମଣିଷଗୋଷ୍ଠୀ ଭିତରେ ସନ୍ଦେହ ଓ ଆଶଙ୍କା ସୃଷ୍ଟି କରାଯାଇ ପାରେ, ପରସ୍ପର ପ୍ରତି ତାଚ୍ଛିଲ୍ୟ, ବିରାଗ, ଈର୍ଷା, ଶତ୍ରୁତା, ମଣିଷହିଁ ତାକୁ ଗଢ଼େ । ଏକତାର ଧାରଣା ଭାବପ୍ରବଣତା ହୋଇ ରହିଯାଇ କାର୍ଯ୍ୟରେ ଦେଖାଦିଏ ହିଂସା ।

 

ତାର ଲମ୍ବା ଇତିହାସ, କଳା ଇତିହାସ । ଦିଶିଯାଉଛି ସେହି ପଢ଼ାକଥା ଶୁଣାକଥାର ରୂପ । ଜୀଅନ୍ତା ମଣିଷ ଦେହକୁ ଟିକିଟିକି କରି କାଟିବାକୁ ନିଆଁ କୁର୍ହେଇ ଜଳିବାକୁ ମଣିଷର ଛାତିର ଧୁକ୍‍ଧୁକିକୁ ଫୋଡ଼ିବାକୁ ମୁଣ୍ଡକୁ କଣା କରିବାକୁ ହାଡ଼କୁ ରଡ଼ଭଡ଼ କରି ଗୁଣ୍ଡା କରିବାକୁ ମଣିଷ ପିଣ୍ଡରୁ ନିଗାଡ଼ି ନିଗାଡ଼ି ରକ୍ତ ବାହାର କରିବାକୁ ମଣିଷ ପେଟରୁ ଚରାମୁଣା ଅନ୍ତ ବୁଜୁଲା ବାହାର କରି ଭୁଇଁରେ ବିଛେଇବାକୁ ମଣିଷ ମୁଣ୍ଡ ଖପୁରିକୁ ଉଡେଇ ଦେଇ ତା’ ଭିତରୁ ଦହି ବୁହାଇ ଦେବାକୁ ମଣିଷ ସମ୍ପ୍ରଦାୟକୁ ମାରି ପୋଡି ମୂଳପୋଛ କରିଦେବାକୁ ଲାଗିଛନ୍ତି ଲୋକେ ଅସ୍ତ୍ରଶସ୍ତ୍ର ତିଆରି କରିବାରେ କେତେଯୁଗ ବିତିଗଲାଣି, ପଥର ଘଷି ଘଷି ଦଧୂଆ ମୁନିଆ କରିବାଠୁଁ ଆରମ୍ଭ କରି ନିମେଶ୍ୱେଙ୍କେ ହଜାର ହଜାର ମଣିଷ ମାରିବା ଯାକେ ଲାଗି ରହିଛି ଅନୁଶୀଳନ, ସେ ରାଗରେ ଜଳି ଉଠି ମଣିଷ ମରିଗବ ନୁହେଁ, ଭାବି ଚିନ୍ତା ଜାଣି ବୁଝି କୌଶଳ କରି ଯୋଜନା ଫାଣ୍ଡି ହସ୍ଥୀକୁ ନିକାଶ କରିବା ବ୍ୟବସ୍ତା, ହୁଏତ ତା’ ପଛାଡ ରଗହିଁ ଆଦୌ ନାହିଁ, କେବଳ ସ୍ୱାର୍ଥ ପାଇଁ ବ୍ୟାପକ ହତ୍ୟା ବ୍ୟବସ୍ତା, ବେପାର ଆଉ ଟିକିଏ ବଢ଼ିବା, ଘରକୁ ଆହୁରି ତାଙ୍କ ଆସିବା, ସମସ୍ତେ ମାନିବେ କହିବେ ୟେ ବଡ଼ ୟେ ବଡ଼ ।

 

ଆଦିମ ଯୁଗରେ ଅରଣା ମଣିଷ କି ରାକ୍ଷସ ଯଦି ମଣିଷ ମାରୁଥିଲା ତା’ ସେ ନିଜ ଖାଦ୍ୟ ପାଇଁ, ଯେମିତି ସେ ମାରୁଥିଲା ହରିଣ କି ବଣ ଗୋରୁ, ନିଜ ସ୍ୱାଭାବିକ କ୍ଷୁଧା ତାଡ଼ନାରେ । ତା’ ପରବର୍ତ୍ତୀ ଯୁଗରେ ମଣିଷ ମଣିଷକୁ ମାରିଲା ସେ ଖାଲି ରାଗରେ, ପ୍ରତିଶୋଧ ନେବା ପାଇଁ,–କିଏ କାହାର ନାରୀ କି ଫସଲ କି ଗୋରୁକୁ ନେଇଯାଇଛି କି ସମ୍ପତ୍ତି ମାଡ଼ିବସିଛି ସେଇଥିପାଇଁ, କିନ୍ତୁ ଏବେ ଯଦି ଦଳେ କେହି ପାଞ୍ଚହଜାର ମାଇଲ୍ ଦୂରରେ ଥିବା ନିରୀହ ମଣିଷଙ୍କୁ ହତ୍ୟା କରିବା ପାଇଁ ଆଟମ୍ ବମ୍ ପେଶିବାକୁ ସଜ ହେଉଛନ୍ତି, ସମୁଦ୍ର ଉପରେ ତା’ର ଶକ୍ତି ପରଖି ଯୋଜନ ଯୋଜନ ବ୍ୟାପି ଜଳଚର ଗୋଷ୍ଠିକୁ ଧ୍ୱଂସ କି ବିଷଜର୍ଜରିତ କରୁଛନ୍ତି, ତେବେ ମାଂସ ଖାଇବା ପାଇଁ ନୁହେଁ କି କେହି କାହା ଗୋରୁ ଜୋରୁ ଛଡ଼େଇ ନେଇଛି ବୋଲି ନୁହେଁ, ଲୁହ କଳରେ ଆହୁରି ଜିନିଷ ତିଆରି କରି ଜଗତଯାକ ବିଞ୍ଚି ଟଙ୍କା ଗୋଟାଇବା ପାଇଁ, ଆଉ ବଡ଼ ବୋଲେଇ ହେବାପାଇଁ, ଆଉ ପରର ଘରକରଣାରେ ହସ୍ତକ୍ଷେପ କରିବାକୁ ଅଧିକାର ପାଇବା ପାଇଁ ।

 

ଆଗରେ ସମୁଦ୍ର ନାଚୁଛି ଗୀତ ବୋଲୁଛି ଛାଇ ଫୁଟୋଉଛି ପହିଜ ଦେଖାଉଛି, ଆଗରେ ଲାଗି ରହିଛି ଜୀବନର ଖେଳ, ଗତି ଆଉ ବର୍ଣ୍ଣ । ଢେଉ ପାରେ ଢେଉ ମାଡ଼ି ଆସୁଛି କୂଳଆଡ଼କୁ, ମୁହୂର୍ତ୍ତେ ବି ସ୍ଥିର ନାହିଁ । ଗାଢ଼ ନେଳି ପଡ଼ିଛି ଦୂରରେ, କାଚ ପରି ପାଲିସ ବର୍ଣ୍ଣ, ଯେପରିକି ଗାଢ଼ ନେଳି କାଚର ତରଳ ଅସ୍ଥିର ଚଦର । ବିନା ଵଚନିକାରେ ହଠାତ୍‍ ସେ ଦାଣ୍ଡିମାଳ ହୋଇ ଫୁଲି ଉଠୁଛି ଦି ପୁରୁଷ ଉଞ୍ଚକୁ, ତା’ ଆଗରେ ଧଳା ଚହଟିଯାଉଛି, ଧଳା ଫଣାପରି ଟୋଲେଇ ହୋଇ ଉପରକୁ ଉଠିଯାଉଛି ଯେପରିକି ଅସଂଖ୍ୟ ଫଣା, କି ଅବା ଏକ ଅନନ୍ତ ନାଗର ଅକଳନ ଫଣା ଏକା ଧାଡ଼ିକେ ଏକା ମଛାକେ ଫୁ କରି ନାଚି ଉଠୁଛି, ପୁଣି ଅସଂଖ୍ୟ ଜଳପ୍ରପାତ ଦୁଲ୍‍ଦାଲ୍‍ ହୋଇ କାଚି ହେଲାପରି ଫଣା ସବୁ ଅଜାଡ଼ି ହୋଇପଡ଼ୁଛି ଯେ ତା’ର ସତ୍ତା ବୁଡ଼ିଯାଉଛି । ପୁଣି ଚାହୁଁଚାହୁଁ କୁଳମୁହାଁ ଆହୁରି ଧାଡ଼ିଏ ଫଣା ଉଠିଲାଣି ପୁଣି ପଡ଼ିଲାଣି । କେତେବେଳେ ଏକାଥରକେ ଡାହାଣକୁ ବାଁ’କୁ ଛନ୍ଦାୟିତ ନୃତ୍ୟ ଲାଗି ରହିଛି, ଢେଉ ଢେଉ ପିଟାପିଟି ହେଉଛନ୍ତି ।

 

ଫନେଲର ଧୂଆଁ ପରି ପାଣି ବାମ୍ଫକୁ ପଛକୁ ଉଡ଼େଇ ଉଡ଼େଇ ଧାଡ଼ିଧାଡ଼ି ମାୟା ବୋଇତ ପରି ଢେଉମାନେ ମଝି ଦରିଆରୁ ମାଡ଼ି ଆସୁଛନ୍ତି, ଗାଢ଼ ନେଳି ଉପରେ ଧଳା ଚହଟିଯାଉଛି ପୁଣି ନିଭିଯାଉଛି ପୁଣି ଉଠୁଛି, ଧଳା ଫେଣ ଆଉ ନେଳି ବର୍ଣ୍ଣ ଏକାଠି ଛାପିଛାପିକା ଟୋପାଟୋପା ହୋଇ ଛିଟ ଚାନ୍ଦୁଆ ପରି ବିଛେଇ ହୋଇଯାଉଛି, କିନ୍ତୁ ତା’ ତଳେତଳେ ଯେପରିକି ବ୍ୟାକୁଳ ଅସ୍ଥିରତା, ସେହି ଛିଟ ଚାନ୍ଦୁଆକୁ ଠେଲିଠେଲି ପେଲି ଅଗଣିତ ରୂପ ଉଠିବାକୁ ଚେଷ୍ଟା କରୁଛନ୍ତି ।

 

ଅଗଣିତ । ଅକଳନ ।

 

ଯେଉଁଆଡ଼କୁ ଚାହିଁଲେ ପାଣିର ପ୍ରତ୍ୟେକ ବୁନ୍ଦାରେ ଯେପରିକି ଅସରନ୍ତି ଜୀବନର ଖେଳ, ସେମାନେ ଏକାଠି ହୋଇ ମାଡ଼ିଆସୁଛନ୍ତି ପଛେଇ ଯାଉଛନ୍ତି, ଉଠୁଛନ୍ତି, ପଡ଼ୁଛନ୍ତି ।

 

ଅସରନ୍ତି ପ୍ରତିଜ୍ଞା ଓ ପ୍ରବଣତା ଘେନି ଜୀବନହିଁ ଆପେ ସେ ପାଣିରେ ଲହଡ଼ି ଖେଳୁଛି, ସେ ଯନ୍ତ୍ରଚାଳିତ ନୁହେଁ, ଯେପରିକି ଏହି ବିବିଧ ଦୃଶ୍ୟ ମଣ୍ଡି ହୋଇ ସେ ବିକାଶ ପାଉଛି, ବିବିଧ ଛଇଛଟାରେ ସେ ନାନାଠିଁ ଏକାଠି ନାଚି ଉଠୁଛି, ଏହି ଯେଉଁ ପରମ ଉଲ୍ଲାସରେ ଏକାଠି ନାନା ସ୍ଥାନରେ ଆକାଶକୁ ସିଧା ଫୋପାଡ଼ି ହେଉଛନ୍ତି ବୁନ୍ଦାବୁନ୍ଦା ଧଳା ପାଣି ଫୁଆରା, ଏହି ଯେଉଁ ଧଡ଼ିକିଧାଡ଼ି ଘୋଡ଼ାମାନେ ଡେଇଁଡେଇଁ ଆସିଲା ପରି କି ଧୋବ ଡେଣା ଫଡ଼କେଇ ଦେଇ ମାୟା ଚଢ଼େଇ ପଲପଲ ତଳୁ ଉପର ଉପରୁ ତଳ ହୋଇ ଏକା ମଛାକେ ଉଡ଼ିଉଡ଼ି ଆସିଲା ପରି ଢେଉ ଦଳ ଧାଡ଼ି ଦେଉଛନ୍ତି, ଏହା ତଳେତଳେ କେଉଁଠି ଏକ ମନ ଅଛି, ଏକ ଚିନ୍ତିତ ଯୋଜନା ଅଛି, ଆନନ୍ଦ ଘେନିବାକୁ ଚେତନା ଅଛି ।

 

ତେଣୁ ଏହି ଯେଉଁମାନେ ସମୁଦ୍ରର ଉଲ୍ଲାସ ସଙ୍ଗେ ନିଜ ଉଲ୍ଲାସ ମିଶାଇ ଦେଇ ସମୁଦ୍ରଜୀ ବୋଲି ଚିତ୍କାର କରୁଛନ୍ତି ହରିବୋଲ ଦେଉଛନ୍ତି, ସମୁଦ୍ର ଖାଇବ ବୋଲି ଦରିଆକୁ ନଡ଼ିଆ ଫୋପାଡ଼ୁଛନ୍ତି, ସମୁଦ୍ର କୋଟି କୋଟି ତୀର୍ଥଙ୍କ ଆକାର ବୋଲି କହି ସମୁଦ୍ର ପାଣି ନେଇ ମୁଣ୍ଡରେ ଲଗାଉଛନ୍ତି, ଏହି ଯେଉଁ ନୋଳିଆମାନେ ବଳି ଦାଢ଼ରେ ତିନିଖଣ୍ଡି କାଠି ପୋତି ସେଥିରେ ତିନୋଟିପତାକା ଲଗାଇ ତା’ ତଳେ ତିନୋଟି ବାଲିକୁଦ ଗଢ଼ି ସେଥିରେ ଫୁଲ ଖୋସି ତିନିଠାଆ କରି ନଡ଼ିଆ ଭୋଗ ବାଢ଼ି ଯାଚୁଛନ୍ତି, ଏମାନଙ୍କ ବିଶ୍ୱାସ ଖାଲି ଅନ୍ଧ ବିଶ୍ୱାସ ନୁହେଁ ପରା, ହୁଏତ ତା’ ସତ୍ୟ, ସମୁଦ୍ରଙ୍କର ଜୀବନ ଅଛି, ଚେତନା ଅଛି ।

 

ଆଉ, ଭୁଲିନାହିଁ, ଭୁଲି ହେଉନାହିଁ, ସେପଟେ ମଣିଷମାରୁ ସୃଷ୍ଟିମାରୁ ଶକ୍ତିଶାଳୀ ପରମାଣୁ ବୋମା ତିଆରି ଚାଲିଛି, ବାଦବୁଦିଆ ହୋଇ ମାରକ ଅସ୍ତ୍ର ତିଆରି, କିଏ କେତେ ଛୁଣୁକା ଜାଳି ଉଷ୍ମ କରିପାରେ ଏ ପୃଥିବୀରୁ ଅରାଏ, କେତେ ହଜାର ମାଇଲ୍‍ ଦୂରରୁ କି ଉଞ୍ଚରୁ ସେ ଅସ୍ତ୍ର ଛାଡ଼ିପାରେ ।

 

ହଠାତ୍‍ ଦେଖିଲା ସମୁଦ୍ର କୂଳେକୂଳେ ଏତେ ମଣିଷ, ଏତେ ରୂପର ଏତେ ବେଶର, ବାଲି ଦାଢ଼େ ଦାଢ଼େ ମାଳ ହୋଇ ଠିଆ ଗୋଡ଼ମାନ, ପିଠିଆଡ଼ୁ ଦେଖିଲେ ଲାଗୁଛି ଲଗାଲଗି ଗଛ ଥାଇ ଗହଳି ଆମ୍ବତୋଟା, ତା’ ସେକରେ ସୂର୍ଯ୍ୟାସ୍ତ, ଆଉ ନେଳି ସାବୁଜା ଜିକିଜିକି ହୋଇ ପଟିପଟିକା ସମୁଦ୍ର ଉପରେ ସୂର୍ଯ୍ୟାସ୍ତର ନାଲି ସୁନେଲି ।

 

ହଠାତ ନିଘା ପଡ଼ିଗଲା, ସେଠି କେଉଁ ଟିକି ଛୁଆ ଗୋଡ଼ିଆଗୋଡ଼ି ଖେଳ ଖେଳୁଛନ୍ତି । କେଉଁ ବୟସ୍କ ଲୋକେ ସିଗାରେଟ୍‍ ଟାଣି ଅଧା ଅଳସେଇଲା ପରି ମଠେଇ ମଠେଇ ଚାଲୁଛନ୍ତି । ବୋଇତ ଭାସିଲା ପରି ବାଲି ଉପରେ ଚାଲି ଯାଉଛନ୍ତି ଝିଅପିଲାଏ, ସଜେଇ ହୋଇ ସୁନ୍ଦର ବେଶ ପିନ୍ଧି, ବାସ୍ନାରେ ପବନ ମହକାଇ, ବ୍ଲାଉଜ୍‍ ଟୋଲେଇ ପଣତ ଉଡ଼େଇ ବେଣୀ ଦୋହଲେଇ ଦୋହଲେଇ, ଏଇ ଯେଉଁ ବୃଦ୍ଧ ଭଦ୍ରଲୋକମାନେ ଓ ଗେରୁଆ ପିନ୍ଧା ବୃଦ୍ଧ ବାବାଜି ସମୁଦ୍ରକୂଳ ରାସ୍ତା ଆରପଟରେ ବଡ଼ ଦୋତାଲା କୋଠାର ଥାକ ଥାକ ପାହାଚ ଉପରେ ବସି ଦାର୍ଶନିକ ଭଙ୍ଗୀରେ ସମୁଦ୍ରଆଡ଼କୁ ଅନାଇଁ ରହିଛନ୍ତି, ଏ ସମସ୍ତେ ଜୀବନକୁ ହିଁ କାମନା କରୁଛନ୍ତି ଅତି ଉଗ୍ରଭାବେ, ମୁହୂର୍ତ୍ତେ ବି ତାଠୁଁ ସେମାନେ ଛାଡ଼ି ହୋଇ ରହିବାକୁ ଚାହାନ୍ତି ନାହିଁ ।

 

ଦୁଃଖ ବି ସହି ହୋଇଯିବ, ଅନ୍ଧାର ରାତି ବି ଫଜେରା ଫାଟିଯିବ, ଜୀବନ ! ଆଗ ଜୀବନ !

 

ଆଉ ଠିକ୍ ବାଲି ଅତଡ଼ା ତଳେ ସମୁଦ୍ର ବି ସେହି କଥା କହୁଛି । ଆଉ ଆରପଟେ ଲାଗିଛି ମାରକ ଅସ୍ତ୍ର ତିଆରି, କୋଟି କୋଟି ଅର୍ବୁଦ ଅର୍ବୁଦ ଟଙ୍କା ସେଇଥିରେ ଖର୍ଚ୍ଚ ହେଉଛି, କେତେ ଦେଶରେ ଅଗଣିତ ଲୋକଙ୍କ ଝାଳବୁହା ପରିଶ୍ରମରୁ ଉପୁଜିଥିବା ଫସଲ କି ଶିଳ୍ପଜାତ ପଦାର୍ଥରୁ ଯେଉଁ ଧନ ଆସେ, ଟିକସ ହୋଇଯାଏ ଦେଶର ସରକାରଙ୍କ ଗନ୍ତାଘରକୁ, ସେହି ଧନ ସେହି ପରିଶ୍ରମ ବ୍ୟବହାର କରାଯାଉଛି ମଣିଷ ପାଇଁ ମହାମାରୀ ଅସ୍ତ୍ର ତିଆରି କରିବାକୁ, ସେହି ସେ ଭୟଙ୍କର ଅସ୍ତ୍ର ଯାହା ସେ ପଢ଼ିଛି ଏପରି ଅଦ୍ଭୁତ ଯେ ସେ ଫୁଟିଲେ ମଣିଷ ଗୋରୁଗାଈ ଗଛପତ୍ର ସମେତ ଗୋଟାଏ ଗୋଟାଏ ମହାଦେଶ ବି ଅଙ୍ଗାର ହୋଇଯାଇପାରେ, ସେଥିରେ ଜଳବାୟୁ ବି ବଦଳି ବିଷାକ୍ତ ହୁଏ, ଧୂଳିରେ ସଞ୍ଚାରେ କ୍ଷୟକାରୀ କର୍କଟ ରୋଗର ଶକ୍ତି, ଛୁଇଁଲେ ଭେଦିଯାଏ ।

 

ତେବେ କ’ଣ ଏହି ଯେଉଁ ହସୁଛନ୍ତି ଖେଳୁଛନ୍ତି ମଣିଷମାନେ ଏହି ଯେଉଁ କଞ୍ଚା ନରମ ଦେହଗୁଡ଼ିକ ଏହି ଯେଉଁ ଲାବଣ୍ୟ ସୌନ୍ଦର୍ଯ୍ୟ ସ୍ନେହର ଜିଅନ୍ତା ପିତୁଳିମାନ ଏସବୁ ସେହି ପାଗଳମାନଙ୍କ ଧ୍ଵଂସକାରୀ ବୋମା ମାଡ଼ରେ ଯିବା ଧ୍ୱଂସ ହୋଇ ! ମଣିଷର ନାଁ ବୁଡ଼ିଯିବ !

 

ତରୁଣ ରାୟ ଆପଣା ପ୍ରଶ୍ନରେ ଅଭିଭୂତ ହୋଇ ସମୁଦ୍ରକୁ ଅନାଇଁ ରହିଲା । ସୂର୍ଯ୍ୟ ଅଧାବୁଡ଼ା ହେଲେଣି, ପଶ୍ଚିମଆଡ଼ୁ ନାଲି ଢେଉ ମାଡ଼ିଆସୁଛି, ସମୁଦ୍ରର ଢେଉମାନଙ୍କ ଚୂଡାରେ ଧଳା ଉପରେ ନାଲି ଧାସ ଲାଗିଯାଇଛି, ସୁନ୍ଦର ଓ ବିପୁଳ, ଦିଗନ୍ତକୁ ଲାଗି ରହିଛି ସୌନ୍ଦର୍ଯ୍ୟ, ମୁଗ୍ଧ ହୋଇ ସେହି ସୌନ୍ଦର୍ଯ୍ୟ ଭିତରେ ଆପଣା ପ୍ରଶ୍ନକୁ ସେ ବୁଡ଼ାଇଦେଲା ।

 

ଉତ୍ତର ତା’ର ଛାଆଁକୁ ଛାଆଁ ମିଳିଗଲା ଉଲ୍ଲାସମୟ ସମୁଦ୍ର ଗର୍ଜନରେ, ସୃଷ୍ଟି ତୁଳନାରେ କେଡ଼େ ନଗଣ୍ୟ ଏ ମଣିଷ, ମଣିଷ ହାତଗଢ଼ା ମରଣବାଣକୁ ପ୍ରକୃତି ଡରେ ନାହିଁ, ତୋଫାନ ଆଗରେ କୁଟାପରି ସେ କୁଆଡ଼େ ଉଡ଼ିଯିବ, ମାରଣ ଅସ୍ତ୍ର ଆପେ ଆପଣାକୁ ଭସ୍ମ କରିବ, ପ୍ରକୃତିକୁ, ସୃଷ୍ଟିକୁ ସେ କିଛି କରିପାରିବ ନାହିଁ ।

 

କେତେ ଛୁଣୁକା ଗୋଧୂଳି ସାରି ମାଛି ଅନ୍ଧାର ସରି ମୁହଁସଞ୍ଜ ଘୋଟିଲାଣି । ନିଘାହେଲା, ଦି ଧାଡ଼ି ଆଲୁଅ ଜଳୁଚି, ଧାଡ଼ିଏ ତଳେ, ସମୁଦ୍ରକୂଳ ରାସ୍ତା କରେ କରେ, ଆଉ ଧାଡ଼ିଏ ଆକାଶରେ, ଧାଡ଼ିହୋଇ ଜଳଜଳ ତାରା । ସମୁଦ୍ରରେ ବାଁରୁ ଡାହାଣକୁ ଖେଳିଯାଉଛି ଆଲୁଅମୟ ଢେଉ, ଅନ୍ଧାର ଭିତରୁ ଅନହୁତି ଉଠିଆସୁଚି, ଧାଡ଼ିକି ଧାଡ଼ି । ତରୁଣରାୟର ଅନୁଭବରେ ଲାଗିଲା,–ତାରା ସମୁଦ୍ର ଆଲୁଅ ଅନ୍ଧାର ସବୁ ଏକାଠି ହୋଇ ଏକ ରୂପରହିଁ ଅଙ୍ଗ, ଏକ ମହାପ୍ରାଣ ସବୁଥିରେ ସଞ୍ଚରିଛି, ସେଥିରେ ଉଲ୍ଲାସମୟ ଆନନ୍ଦ ଅଛି ।

 

ମାରଣବୋମା ନିଜେ ମରି ସାରିଛି ତା’ ଅନ୍ତୁଡ଼ିଶାଳରୁ ଆତ୍ମାର ମରଣ ନାହିଁ ।

 

ହୋଟେଲକୁ ଫେରିଲାବେଳେ ସେ ଭାବୁଥିଲା ଏ ପୃଥିବୀର ସାଧାରଣ ମଣିଷଙ୍କ କଥା, କଳା, ହଳଦିଆ, ଧଳା, କେତେ ବର୍ଣ୍ଣର ସେମାନେ, କେମିତି ସେମାନେ ଏକ ଚେତନାରେ ଭାଇଭାଇ ହୋଇ ସୁଖ ଆନନ୍ଦରେ ଚଳନ୍ତେ ।

 

ଭାବିଭାବି ଫେରିଲାବେଳେ ତା’ର ଚେତନାରେ ନଥିଲା ସେ ନୋଚାକୋଚା ମଣିଷଟିଏ, ତା’ର ଜରାକ୍ଳିଷ୍ଟ ଦୁର୍ବଳ ଦେହ, ସେତେ ଅର୍ଜନ ନାହିଁ, ସଞ୍ଚୟ ନାହିଁ, ଅଣ୍ଟାଵଳ ନାହିଁ, ମହାନଗରୀର ଅସଂଖ୍ୟ ପାରାଖୋପରୁ ଗୋଟିଏ ପାରା ସେ ଟିକିଏ ବେଳପାଇଁ ବାହାରି ଆସିଛି ।

 

ସେ ଏଠି ବ୍ୟାପ୍ତ ହୋଇଥିଲା, ବିଶାଳ ହୋଇଥିଲା ।

 

ବାଲିଏ ବାଲିଏ ବାଟ, ଠାଏଠାଏ ଧାଡ଼ିଧାଡ଼ି ହୋଇ ହୁଲିଡଙ୍ଗା ସଜାହୋଇ ଥୁଆ ହୋଇଛି । ତା’ ସନ୍ଧିରେ ବି ଅନ୍ଧାରରେ ଅଙ୍କା ହୋଇଥିବା ଛବିପରି ମଣିଷ ବସି ପଡ଼ିଛନ୍ତି । ଟୁପ୍‍ଟାପ୍ କଥାଭାଷା, ସରୁସରୁ ଥିରିଥିରି ହସ । ଅସଂଖ୍ୟ ପ୍ରତିଶ୍ରୁତି । ଅମାପ ନିର୍ଭରଶୀଳତା । ଠାଏଠାଏ ଗୋଜିଆ ଗୋଜିଆ ପତ୍ରକୁଡ଼ିଆ, ଚାରିପଟେ ଗୋଲ, ତା’ କରତଳେ ବି ମଣିଷ । ଅନ୍ଧାର ଭିତରେ ମଣିଷ ଖୁନ୍ଦି ହୋଇଛନ୍ତି । କେଉଁଠି ଗୋଟିକିଆ ହୋଇ କିଏ ଶୁଖିଲା ତପସ୍ୟା କରୁଛନ୍ତି, ଶରୀରରୁ ମାଂସ ଶୁଖୁଛି, ହୃଦୟରୁ କରୁଣା ଶୁଖୁଚି, ତଥାପି ଗୋଟାଏ ଆବେଗରେ ଚାଲିଛି ହରିଭଜନ । କେଉଁଠି ଭୋଗହିଁ ଧର୍ମ ହୋଇଛି । ପନ୍ଥା ଯାହାର ଯେପରି ହେଉ, ଥାଉ ଧର୍ମ କି ଅଧର୍ମ କି ଯୁକ୍ତି କି ମରମଭାବ, ସମସ୍ତିକ ଦୃଷ୍ଟି ଖାଲି ସମୁଦ୍ରରେ, ବାକି ସବୁ ମରମଭାବ ।

 

ଏହିପରି ଭାବୁଥିଲା ତରୁଣ ରାୟ । ବାଲିସରା ସହିତ ସମୁଦ୍ର, ଯେଉଁ କଲି ତିଆରି କରିଛି ତହିଁରୁ ଗୋଟିଏ କୁଦ ଉପରେ ଠିଆହୋଇ ସେ ଦୂରର ଅନ୍ଧାରକୁ ଚାହିଁ ରହିଛି, ବାଏଁ ଡାହାଣେ ଅସଂଖ୍ୟ କାଲିବାଟେ ଜୁଆର ତା’ ପଛଆଡ଼କୁ କୂଳକୁ ମାଡ଼ିଯାଉଛି, ମଝିରେ ସତେକି କୁମ୍ଭପକା ଶାଢ଼ିର ଧଡ଼ି । ସେ ଅନୁଭବ କରୁଛି, ଚାରିଆଡ଼େ ଜୀବନ, ଆନନ୍ଦ ଓ ଶକ୍ତି, ଆଉ କିଛି ନାହିଁ ।

 

ସେ ଦର୍ଶନ ଖଞ୍ଜୁଛି, ସୁଖ ଯଦି ଭାଙ୍ଗେ ତେବେ ଖାଲି ଅନ୍ୟ ରୂପରେ ଲେଉଟି ଆସିବାକୁ, କିନ୍ତୁ ଦୁଃଖ ଭାଙ୍ଗିଯାଏ, ଆଉ ଲେଉଟେ ନାହିଁ । ଆକାଶ କି ଗମ୍ଭୀର ପ୍ରଶାନ୍ତ । ତାରା କି ଉଜ୍ଜ୍ୱଳ । ଅନ୍ଧାର ଘୋଟି ରହିଛି, ତହିଁରୁ ଉପୁଜୁଛି ଆଲୁଅ । ଅନ୍ଧାରରେ ଯେଉଁ ମଣିଷ ଛପି ରହିଛନ୍ତି, ସେ ଅନୁମାନ କରୁଛି ଦେହ ଦେହର କାନ୍ଥବାଡ଼ ଉଢ଼ୁଆଳରେ ସେ ମନରେ ଥିବ ସାଧାରଣ ପ୍ରବୃତ୍ତି, ସନ୍ତାନର ସୁଖଚିନ୍ତା, ସ୍ୱାମୀ ସ୍ତ୍ରୀଙ୍କ ପାଇଁ ପ୍ରେମ, ଭାଇଭାଇ ପାଇଁ ସ୍ନେହ ସହାନୁଭୂତି, ସ୍ନେହ ଓ ଭାଇପଣ ସବୁଠିଁ ଆଛି । ସେହି ସାଧାରଣ ମଣିଷ ଅନ୍ୟ ମଣିଷକୁ ଦେଖିବାକୁ ଚାହେଁ ଚିହ୍ନିବାକୁ ଚାହେଁ, ବନ୍ଧୁତା ଖୋଜେ ।

 

ତରୁଣ ରାୟ ସତେକି ସବୁ ମଣିଷଙ୍କୁ ଏକାଠି ମିଶାଇ ସେହି ପୁରୀ ସମୁଦ୍ର କୂଳରେ ଠିଆହୋଇ ବିହ୍ୱଳ ହୋଇ ଭାବୁଛି ସେ ନିଜେ ଏକ ନୁହେଁ ସର୍ବପରିବ୍ୟାପ୍ତ, ଜଗତଯାକ ସମସ୍ତେ ତାର, ସେ ସମସ୍ତିଙ୍କର । ପୁଣି ତାକୁ ଲାଗୁଛି ମଣିଷ କି ଜନ୍ତୁ ମାଟି କି ପାଣି ବୋଲି କଛି ଭେଦ ଦିଶୁନାହିଁ, ସବୁଠିଁ ସେହି ଉପାଦାନ, ଜୀବନ, ଆନନ୍ଦ ଓ ଶକ୍ତି, ଏମିତି ଥିଲା ସବୁଦିନେ, ଏମିତି ରହିଥିବ ।

 

କଣପଟେ ଦିଗ୍‍ବଳୟରେ ଆକାଶ ସମୁଦ୍ର ସଙ୍ଗେ ମିଶିଯାଇ ଦିହେଁ ହୋଇଛନ୍ତି ଏକ ଆକାଶ, ବହଳ କଳା, ସେଠି ମଝିରେ ଯେଉଁ ବଡ଼ ନିଆଁ ଜଳୁଛି ତା’ ସତେକି ଆକାଶରେହିଁ ଜଳୁଛି, ତଳେ ନୁହେଁ । ଯୁଗେ ଯୁଗେ ଏମିତି ଆଲୁଅ ଜଳି ଲାଗିଛି, ସମୁଦ୍ର ଭିତରେ ତ ଆକାଶ କଣରେ, ତାରା ଆଉ ନିଆଁ, ସଡ଼କ ଆଲୁଅ ପୁଣି ସମୁଦ୍ରପାଣି ଦାଢ଼େ ଦାଢ଼େ ଲକ୍ଷ ଲକ୍ଷ କୋଟି କୋଟି ଆଲୁଅ ବୁନ୍ଦା ।

 

ଲହଡ଼ି ଉତ୍ତାରୁ ଲହଡ଼ି ଆସି ପିଟି ହେଉଛି, ଭଉଁରି ଖେଳିଲା ପରି ଶୋଷି ହୋଇ ଚାଲିଯାଉଛି, ସରୁ ବାଲି ଉପରେ ଆଲୁଅରେ ଛବି ଆଙ୍କି ହେଉଛି, ଅରାଏ ଲେଖାଁ କଳା ଆକାଶରେ ବିଶିଷ୍ଟ ତାରା ସଜାସଜି, ଜଳଜଳ ଜୀଅନ୍ତା ଆଖି, ସେ ଆଖି ଦେଖି ଘୋଳି ହେଉନାହିଁ-। ଅନ୍ଧାର ଘୋରିହୋଇ ଖଣ୍ଡିଆ ପକାଇ ହାତରେ ହାତ ଛନ୍ଦାଛନ୍ଦି ହୋଇ ଯାକିଯୁକି ଠିଆ ହୋଇ ରହିଲା ପରି ଅସ୍ପଷ୍ଟ ଛାୟା ମୂର୍ତ୍ତିମାନ ଦିଶୁଛନ୍ତି,–ମାଟି ଉପରର ଦୃଶ, କେଉଁଟା ଗଛଗହଳି କେଉଁଟା କୁଦ, କେଉଁଟା ଘର, ଆକାଶର ବାଦଲରେ ସେହିପରି ଅସଂଖ୍ୟ ଛାଇମୂର୍ତ୍ତି । ନୀରବ ସମସ୍ତେ, ଚେତନାରେ ଗଭୀର ନୀରବ ଭଵଅନୁଭୂତି ।

 

ଆବିଷ୍କାରକର ଆନନ୍ଦରେ ଆତ୍ମହରା ହୋଇ ଠିଆ ହୋଇ ରହିଥାଏ ତରୁଣ ରାୟ, ସତେକି ସେ ଗୋଟିଏ ଅବତାର । ତା’ର ସମସ୍ତିଙ୍କ ପ୍ରତି ସ୍ନେହ ଶୁଭେଚ୍ଛା ।

 

ସେହି ସମୟରେ ତା’ର ଏ ଉଦାରତାକୁ ଅଭିନନ୍ଦନ ଜଣାଇଲା ପରି ହଠାତ୍ ଜହ୍ନ ଉଠିଲା, ସମୁଦ୍ର ଢେଉକୁ ରୂପା ଚିକ୍‍ଚିକ୍ କଳା ବାଦଲରେ ନିଆଁ ଲାଗିଲା ।

 

ଆକାଶରେ ପ୍ରକାଣ୍ଡ ପ୍ରକାଣ୍ଡ ଛବି । ବଉଦରେ ତିଆରି ଅତିକାୟ ଫୁଲ ଫୁଟିଛି, କଳା ଧଳା ନାଲିଚା ସୁନେଲି ଓ ତେଜର ବର୍ଣ୍ଣ । ଅନ୍ଧାର ବେଢ଼େଇ ହୋଇ ଖଣ୍ଡଖଣ୍ଡ ଆଲୁଅର ଛବି, ପ୍ରବାହିତ ଆଲୁଅର ଛବି । ବାମ୍ଫ ପରି ପୁଣି ମଣିଷର ଆଶା ପରି ବଙ୍କେଇ ସାପେଇ ଆଲୁଅର ଧାରା ପରି ହାଲୁକା ବଉଦ ଆକାଶର ଗୋଟାଏ କଣରୁ ବାହାରି ନାନା ଶାଖାପ୍ରଶାଖା ହୋଇ ଆକାଶ ମଝିକି ମାଡ଼ି ଯାଉଛି, ସତେ ଯେପରିକି ସେ ଜହ୍ନକୁ ଧରିବାକୁ ଚାହୁଁଚି । ଆଉ ଦିଶୁଛି, ଗୋଟିକିଆ ଡଙ୍ଗା ପରି ଜହ୍ନହିଁ ଭାସି ଚାଲିଛି, ତରତର ହୋଇ, ବଉଦ ମଝିରେ ଆକାଶ ତା’ର ନଈ ଉପନଈ ଓ ସମୁଦ୍ର, ସେହି ନିଛାଟିଆ ଗାଢ଼କଳା ମେଘଅତଡ଼ା ତଳେତଳେ ଗୋଟିକିଆ ଜହ୍ନ ଭାସିଭାସି ଚାଲିଯାଉଛି ।

 

ତଳେ ସମୁଦ୍ର ଉପରେ ଆଗକୁ ସଳଖ ହୋଇ ସତେକି ଆଲୁଅର ଅଣଓସାରିଆ ନଈଟିଏ ଚାଲିଯାଇଛି, ତା’ର ଝଲଝଲ ଢେଉ, ଥାକଥାକ ଧାଡ଼ିଧାଡ଼ି ହୋଇ ।

 

ବିଶାଳ ବିସ୍ତୃତ ସମୁଦ୍ର ଜହ୍ନ ଆଲୁଅରେ ଝଟକି ଉଠୁଛି, ଆଲୁଅ ଲାଗି ହୋଇ ଅନ୍ଧାର ଅର୍ଥ ପାଉଛି । ପଛକୁପଛ ଲାଗିଲାଗିକା ଅସଂଖ୍ୟ କଳାକଳା ଢେଉ ଗଡ଼ିଗଡ଼ିକା ଆସୁଛି, ତା’ର ଉପର ଚିକ୍‍କଣ, ଜକଜକ । ମୁହୂର୍ତ୍ତେ ବି ସେଠି ସ୍ଥିରତା ନାହିଁ, ଉଠୁଛି ପଡ଼ୁଛି ଗଡ଼ୁଛି ରଡ଼ୁଛି, ବିପୁଳ ହୋଇ ଅତି ଧଳାଫେଣ ସୃଷ୍ଟି ହେଉଛି, ମିଳେଇ ଯାଉଛି, ଡେଇଁ ଡେଇଁ ପାଣି ମାଡ଼ି ଆସୁଛି, କୁଦାମାରି ଉପରକୁ ଉଠୁଛି, ଖସୁଛି, ପୁଣି ଆଗୋଉଛି । କୂଳ ତଳେତଳେ ଦିଗନ୍ତ ଆବୋରି ରହି ବିରାଟ ପ୍ଲାବନ ମାଡ଼ି ଚାଲିଛି ।

 

ଲାଗୁଥାଏ, ସେହି ବିରାଟ ପାଣି ତାକୁ ଚାହିଁ ଦେଖୁଛି । ସମୁଦ୍ର କରେ କରେ ଢେଉଢେଉକା ସ୍ଥଳଭାଗର ଗାର ଛବି, ବାଲିବନ୍ତ । ପାଖେ ବିସ୍ତୃତିରେ ତରଳ ଢେଉ, ସେ ସମୁଦ୍ର, ଆରପାଖେ ଢେଉ କଠିନ ହୋଇଛି, ସେ ଢିପ, ତା’ ଉପରେ ଆଦିମକାଳର ଠାକୁର, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ । ସେ ଲୟ ଲଗାଇଥିଲା ।

 

ତା ସ୍ତ୍ରୀ ଓ ତା’ ଝିଅ ଯେତେବେଳେ ତାକୁ ଖୋଜି ଖୋଜି ଆସି ପହଞ୍ଚିଲେ, ସେ ଦୁଇହାତ ବଢ଼ାଇ ତାଙ୍କୁ କୁଣ୍ଢେଇ ଧରିଥିଲା, କୁଦାମାରି ଉଠୁଥିବା ପାଣି ଆଡ଼କୁ ହାତ ଦେଖାଇ କହିଥିଲା "ଦେଖ...ଦେଖ..." ।

 

ତରୁଣରାୟ ସହଜ ହୋଇ ଅତିଚେତନାମୟ ସ୍ୱପ୍ନବିଭୋର ବ୍ୟକ୍ତିତ୍ୱରୁ ଫୁଣି ଫେରିଆସିଲେ ବର୍ତ୍ତମାନର ସାଧାରଣ ଅବସ୍ଥାକୁ, ଯାହା ତା’ର ସ୍ତ୍ରୀ ଓ ଝିଅଙ୍କ ସାନ୍ନିଧ୍ୟ ସଙ୍ଗେ ଖାପିପାରିବ । ଅନ୍ୟମାନଙ୍କପରି ସେ ତିନିହେଁ ବି ନାଚିକୁଦି ପାଟିକରି ଚହଳ ପକାଇ ସମୁଦ୍ର ସାଙ୍ଗରେ ଗୋଡ଼ିଆଗୋଡ଼ି ଖେଳିଥିଲେ । ଲହଡ଼ି ଲେଉଟି ଗଲାବେଳେ ସେମାନେ ଗୋଡ଼େଇ ଯାଉଛନ୍ତି, । ଲହଡ଼ି ମାଡ଼ି ଆସୁଛି ସେମାନେ ପଳାଇ ଯାଉଛନ୍ତି, ପଛରୁ ଧାଇଁ ଆସି ସମୁଦ୍ର ତାଙ୍କ ପିନ୍ଧାଲୁଗା ଓଦା କରିଦେଉଛି । ସ୍ଥାନେ ସ୍ଥାନେ ପାଣି ଭିତରକୁ ଯେଉଁ ସୁନେଲି ବାଲିନାସି ପଶିଯାଇଛି ସେହି ଦୁଇ ଦୁଇ ନାସି ସନ୍ଧିରେ ଅଧା ଜହ୍ନପରି ବାଲିର ଜହ୍ନ ଶୋଇଛି, ସେଇଠି ସମୁଦ୍ର ସଙ୍ଗରେ ମଣିଷ ଗେଲ ଲାଗୁଛନ୍ତି, ପାଣି ଧାଇଁ ଆସିଲେ ହସିହସି ଛତର ଛାଉଳ ହେଉଛନ୍ତି ।

 

ସେହି ସମୁଦ୍ର କୂଳ ଅରାକରେ କେତେ ରାଜ୍ୟର ଲୋକ ଠୁଳ ହୋଇଛନ୍ତି, ଜୀବନ ପୂଜାରେ ମାଳି ପରି ଗୁନ୍ଥି ହୋଇଛନ୍ତି । ତରୁଣ ରାୟ ଓ ତା’ର ପରିବାର ତାହାରି ଭିତରେ ଖାପିଗଲେ ।

 

ତା’ପରେ ବସାକୁ ବାହୁଡ଼ା । ଆଗରେ ଏକୁଟିଆ ଚାଲିଛି ଝିଅ, ପଛେ ପଛେ ବାପା ମା । ବାଲି ଗଲା । ଦୁଇଶ ହାତ ଉତ୍ତାରୁ ସଡ଼କ । କଳା ରାସ୍ତା ଉପରେ ମାଳମାଳ ହୋଇ ସଡ଼କ ଆଲୁଅ, ଝୁଲୁଛି, ଗାଡ଼ି ଚାଲିଛି । ସଡ଼କ କରେ କୋଠା । ସମୁଦ୍ରଠୁଁ ଦୂରତା ଖାଲି ଦୁଇଶ ହାତ ନୁହେଁ, ସତେ ଯେମିତି ଦୁଇଶ ମାଇଲ୍, ଏଠିକି ଆସିଲେ ମନେ ପଡ଼ିଯାଉଛି ସେହି ବଡ଼ ସହର ଯେଉଁଠୁ ସେମାନେ ଆସିଛନ୍ତି, ଫୁଣି ସେଠିକି ଫେରିଯିବାକୁ ପଡ଼ିବ ।

 

ତରୁଣ ରାୟ ନୀରବରେ ତ’ର ସ୍ତ୍ରୀ ମୁହଁକୁ ଅନାଇଲା, କାନ୍ତିମୟୀ ବୁଝିଲେ । କିନ୍ତୁ ଆଜି ଜୀବନକୁ ମୁହାଁମୁହିଁ ଚାହିଁବା କଥା ଭାବିଲାବେଳକୁ ଦୁର୍ବଳ ଲାଗୁନାହିଁ । ବିଶ୍ୱାସ ସେମାନଙ୍କୁ ଦମ୍ଭ ଦେଇଛି ।

 

ତରୁଣ ରାୟ ହାତ ବଢ଼ାଇଦେଲା, କାନ୍ତିମୟୀ ତା’ ହାତ ଧରି ଚାଲିଲେ ।

 

ରାତି ଅଧରେ ନିଦରୁ ସ୍ତ୍ରୀକୁ ନିଦରୁ ଉଠାଇ ତାଙ୍କ ସଙ୍ଗରେ ସେ ଦୋମାହାଲାର ଛାତ ଉପରକୁ ଯାଇଥିଲା ।

 

ସେ ଦେଖିଥିଲା, ମଣିଷ ଶୋଇଛନ୍ତି, ସମୁଦ୍ର ଶୋଇନାହିଁ । ଆକାଶ ଦିଶୁଥାଏ ଗୋଟିଏ ବିରାଟ ମୟୂର ପରି, ତା’ର ପେଟତଳ ବେକ ତଳ ଦିଶୁଛି, ମେଞ୍ଚାମେଞ୍ଚା ପର ପରି ପାଖକୁ ପାଖ ହୋଇ ବଉଦ ଖଣ୍ଡମାନ, ମଝିରେ ସରୁସରୁ ବ୍ୟବଧାନ ଗାର ।

 

ତଳେ ଘର ଗଛ ସବୁ ଛାଇ ଆଲୁଅର ଭାଷୁଛି ।

 

ଛାତ ଉପରେ ବସିଛନ୍ତି ସେ ଦୁହେଁ ହାତ ଧରାଧରି ହୋଇ । ପଚିଶି ବର୍ଷ ତଳେ ବି ଏମିତି ବସିଥିଲେ । ସେତେବେଳେ ଝିଅ ଆସିନଥିଲା, କିଏ ଆସିବ କିଏ ନ ଆସିବ ଜଣା ନଥିଲା-। ସେତେବେଳେ ସେମାନେ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ, ଆଜି ଦିଶିଯାଉଛି ଅତୀତଟା ହିଁ ସ୍ୱପ୍ନପରି । ଭବିଷ୍ୟତ ଆଶା କରି ହେଉଥିଲେ, ଜୀବନ ନେବ ଉତ୍ତରୋତ୍ତର ଜାଗତିକ ଉନ୍ନତିର ପଥ, ସଂସାରୀଲୋକେ ଯାହା ମନ ପ୍ରାଣ ଦେଇ ଲୋଡ଼ନ୍ତି,–ସ୍ଵାସ୍ଥ୍ୟ, ସୁଖ, ଧନ, ସମ୍ପଦ, ପ୍ରଭୁତ୍ୱ, ଆପଣାର କୋଠା, ବ୍ୟାଙ୍କରେ ଗଚ୍ଛିତ ଟଙ୍କା, ଆପଣା ମଟରଗାଡ଼ି, ବନ୍ଧୁକୁଟୁମ୍ବରେ ସୌଭାଗ୍ୟ, ସମ୍ପଦ, ଯଶ । ଆଶା କରିହଉଥିଲା, ଅନ୍ୟମାନଙ୍କୁ ମିଳିପାରୁଛି । ଅଳ୍ପ ପାଠ ପଢ଼ି ପାଠ ନପଢ଼ି ଲୋକେ ଧନ କି କ୍ଷମତାର ଉଞ୍ଚ ଶିଖରକୁ ଚଢ଼ି ଯାଇପାରୁଛନ୍ତି, ପଣ୍ଡିତମାନଙ୍କଠୁଁ ପାଦ ଅର୍ଘ୍ୟ ପାଇ ପାରୁଛନ୍ତି, ଯୁଗେ ଯୁଗେ ସମ୍ଭବ ହୋଇ ପାରୁଛନ୍ତି ଶିବାଜୀ କି ଆକ୍‍ବର–ଧନ ପ୍ରତିଷ୍ଠା ଯଶ କ୍ଷମତା ସେ ବି ପାଇ ପାରିବ, ସାମ୍ନାରେ ଲମ୍ବା ଜୀବନ । ସେତେବେଳେ ସ୍ତ୍ରୀର ହାତରେ ହାତଗୁନ୍ଥି ଏକୁଟିଆ ଦିହେଁ ଜହ୍ନକୁ ଚାହିଁ ରହିଥିଲାବେଳେ ଏହିପରି ଦିଶୁଥିଲା ଆଶାୟୀ ସ୍ୱପ୍ନ । ଆଜି ସେ ଆଶା ଆଉ ନାହିଁ ।

 

କିନ୍ତୁ ତରୁଣ ରାୟ ଆଜି ସେହିପରି ସ୍ତ୍ରୀର ହାତ ଧରି ଜହ୍ନଆଡ଼କୁ ସମୁଦ୍ରଆଡ଼କୁ ଚାହିଁ ରହିଥିଲାବେଳେ ମନରେ ନିରାଶାର ସକ ଓରମାନ ନଥିଲା, ସେ ଭାବୁଥିଲା, ଯାହା ନ ମିଳିଛି ଦୁଃଖ ନାହିଁ, ଯାହା ମିଳିପାରିଛି ସେ ଖୁବ୍ । ତା’ ସାଙ୍ଗର ପଛର କିଏ ମରିଗଲେଣି, କାହା ସଂସାର ଉଜୁଡ଼ୁଛି, କିଏ ରୁଗ୍‍ଣ କିଏ, ଦୁର୍ଦ୍ଦଶାପନ୍ନ । କିନ୍ତୁ ସେ ବଞ୍ଚିଛି, ସୁସ୍ଥ ଅଛି, ଆପଣା ପରିବାରକୁ କୌଣସିମତେ ପୋଷି ପାରୁଛି, କେତେକାଳୁ ଆଶା ଥିଲା ପୁରୀ ଆସିବ ବୋଲି ସେ ଆଶା ମେଣ୍ଟିଛି-

 

ଆଖି ଆଗରେ ଏଡ଼େ ସୁନ୍ଦର ଝିଲିଝିଲି ଜହ୍ନରାତି, ପିଲାପରି ଢେଉମାନଙ୍କର ହାତ ଧରାଧରି ହୋଇ ନାଚ, ପାଣି ଛିଞ୍ଚିଡ଼ା ଛିଞ୍ଚିଡ଼ି, ଗୋଡ଼ିଆଗୋଡ଼ି ଖେଳ, ମସିଗୁଣ୍ଡା ରୂପାଧୂଳିପରି ଜଳକଣା ଏକାଠି ନାଚି ଉଠୁଛନ୍ତି, ଧଳା ଢେଉ ମଝିରେ ମଝିରେ ପ୍ରକାଣ୍ଡ କଳାକଳା ରୂପ, ସତେ ଅବା ବଡ଼ବଡ଼ ମାୟାଦ୍ଵୀପ ବସି ଉଠି ପୁଣି ଧୀରେଧୀରେ ବୁଡ଼ିଯାଉଛି, ତା’ ଚାରିଆଡ଼ୁ ଧଳା ଢେଉ ମାଡ଼ି ଆସୁଛି, ଜିକିଜିକି ପାଲିସ୍‍ ଆଉ ଦର୍ପଣପାରି ଆଲୁଅ ଛାଟୁଥିବା ଗଡ଼ିଲା ଗଡ଼ିଲା ଢେଉମାନଙ୍କ ଉପରେ ଭରାଦେଇ ତା’ ଦୃଷ୍ଟି ମନେମନେ ଧାଇଁଧାଇଁ ଚାଲିଯାଉଛି ସମୁଦ୍ର ଭିତରକୁ, କାହିଁ ଦୂରକୁ ବୋଲି, ଯେଉଁଠି ଖାଲି ଏକ ସୁନେଲି ଧାସ ଦିଗନ୍ତ ଆବୋରି ଶୋଇ ରହିଛି । ତାର ହାତ ପପୁଲିକି ଆସ୍ତେ ଚାପିଦେଇ ତା’ ସ୍ତ୍ରୀ ସାନପାଟିରେ କହିଲେ–"କଣ ଏତେ ଦେଖୁଛମ ମୋ ମୁହଁକୁ, ଆଉ କଣ ବଅସର ଦିନ ଅଛି ? ବୁଢ଼ୀ ହେଲିଣି ପରା !’’

 

ତରୁଣ ରାୟର ହେତୁ ନଥିଲା ଯେ ତା’ ମୁହଁ ସ୍ତ୍ରୀ ମୁହଁଆଡ଼କୁ ମୋହିଁ ରହିଛି । କିନ୍ତୁ ଏଥର ମନେ ପଡ଼ିଗଲା । ଦେହରେ ଉଷୁମ୍‍, ଖେଳିଗଲା, ସେ ତା’ ସ୍ତ୍ରୀକୁ ଆପଣାଆଡ଼କୁ ଓଟାରି ଲାଗିଲା, ଉତ୍ତେଜନାରେ ଥରଥର ହାତରେ ସେ ତା’ ସ୍ତ୍ରୀର ହାତକୁ ଆସ୍ତେ ଝାଙ୍କିଦେଇ ଖାଲି ଏତିକି କହିପାରିଲା–"ଶୁଣ–", ତୁଣ୍ଡର କଥା, ଶେଷ କରି ପାରିଲା ନାହିଁ । କାନ୍ତିମୟୀ ଆଖି ବୁଜି ଦେଇଛନ୍ତି, କପାଳ ଉପରେ କିଛି କିଛି ମୁଣ୍ଡବାଳ ଲୋଟି ରହିଛି ସେହି ମୁହଁ ତ, ତରୁଣ ରାୟ ମନର ଆଖିରେ ଦେଖି ପାରିଛି, ସେ ମୁହଁ ଉପରେ ତା’ର ତତଲା ନିଶ୍ୱାସ ବାରମ୍ବାର ବାରମ୍ବାର ବହି ଲାଗିଛି । ଅପଲକ ଆଖିରେ ସେହି ମୁହଁକୁ ସେ ଅନାଇ ରହିଛି, ଆଉ ସେ ମୁହଁ ଉଢ଼ୁଆଳରେ ଥିବା ଆଉ ଗୋଟିଏ ମୁହଁକୁ, ଏ ମୁହଁତ ଚର୍ବିବହୁଳ ବିଶିଷ୍ଟ ଆକୃତିବିହୀନ ମୋଟୀ ପ୍ରୌଢ଼ାରେ ମୁହଁ, ଝରକା ବାଟେ ନଥ୍ କରି ଘର ଭିତରକୁ ଡିଏଁ ଗୋଟିଏ କୋଦୀ ବିଲେଇ, ଜହ୍ନ ଆଲୁଅରେ କେବେକେବେ ସେ ମୁହଁଟା ଦିଶିଯାଏ,–ଏ ମୁହଁର ସ୍ମୃତି ତା ଚେତନାରୁ ହଜିଗଲା, ଲକ୍ଷ୍ୟ ରହିଲା ସେହି ଆଉ ଗୋଟିଏ ମୁହଁକୁ, ମୁହଁବାରି ଚମକିପଡ଼ି ନିଶ୍ୱାସ ଅଟକାଇବାଭଳି ଯେତେବେଳେ ତା’ର ବୟସ ଥିଲା, ମୁହଁ ବାରିବା ଚେତନା ଘଷରା ହୋଇ ହଜିଯିବା ଆଗରୁ, ସେହି ସମୟରେ ଯେଉଁ ମୁହଁକୁ ସେ ଦେଖିଥିଲେ, ଯାହାକୁ ଆପଣାର କରିଥିଲା, ତାକୁ ଲାଗିଲା ଏହି ସେହି ମୁହଁ ତା’ ଭୁଆସୁଣୀର ।

 

ଲାଗିଲା ସେ ମୁହଁ ପୁଣି ଲେଉଟି ଆସିଛି ।

 

କାନ୍ତିମୟୀ ତ ହାତର ଝାଙ୍କରେ ତା’ ଉପରେ ଢଳିପଡ଼ିଲାବେଳେ ସେହି ସନ୍ଦେଶ ନେଲେ ତା’ର ମନ, ସେ ସ୍ୱାମୀ, ଏହି ତାର ସ୍ତ୍ରୀ, ନବ ପରିଣୀତା ।

 

କିଛି ବେଳ ପରେ ସେ ପରିସ୍ଥିତିକୁ ବାରିବାକୁ ଆରମ୍ଭ କଲା । କାନ୍ତିମୟୀଙ୍କୁ ଅଳପ ନିଦ ହୋଇଥିଲା, ସେ ତାଙ୍କୁ ହଲେଇ ହଲେଇ ତାଙ୍କ ନିଦ ଭଙ୍ଗାଇଲା । ମଠେଇ ମଠେଇ ସେ ପଚାରିଲେ, ‘‘କ’ଣ ? କାହିଁକି ଡାକୁଛ ?" ଫୁସ୍‍ଫୁସ୍ କରି ତାଙ୍କ କାନପାଖେ ସେ କହିଲା, "ଏଡ଼େ ଚମତ୍କାର ରାତିଟାକୁ ଢୁଳେଇ ଢୁଳେଇ କଟେଇଦେବ ? ତାହେଲେ ତ ଭଲରେ ଥିଲେ ତଳେ, ଉପରକୁ ଆସିଲେ କାହିଁକି ?

 

"କଣ କହୁଚ ?’’

 

"କିଛି ନାହିଁ ମ, କହୁଚି କ’ଣ କି, ଆଖି ଖୋଲା ରଖ ଦେଖ କେମିତି ରାତି । ସମୁଦ୍ର । ଆକାଶର ବାଡ଼ ପରି ଦୂରରେ ଝାଉଁବଣର ଅଗ । ଜହ୍ନରାତି । "ହସିଦେଲା" କହିଲା, "ଏତେ ଦୃଶ୍ୟ ଭିତରେ ତୁମେ ଆଉ ମୁଁ । ପାଖକୁ ପାଖ ।" ଉତ୍ତେଜିତ ହୋଇ କହିଲା, ‘‘ଅନୁଭବ କରୁଥିଲାଯାକେ ଆମେ ଜିଅନ୍ତା । ଆଖିବୁଜି ୟାକୁ ସବୁ ପଦାରେ ରଖି କବାଟ କିଳିଦେଲେ ତୁମେ ମୁଁ ବି ମଲାଗଣ୍ଡି-।"

 

"ନା ନା, ତୁମେ ସେମିତି କହନା, ମୁଁ ଆଖି ମେଲା ରଖିଛି । ହେଇତ ଦେଖୁଛି ସବୁ । ଆକାଶରେ ସେ ବଉଦକୁ ଦେଖି, ଯେମିତି ଗୋଟାଏ ଧଳାଘୋଡ଼ା ଚାଲିଚି । ବେକଟା କେମିତି ଠିଆ ଲମ୍ବାହୋଇ ଯାଉଛି ଦେଖୁଚ, ସରୁଅଣ୍ଟା, ଲମ୍ବାଗୋଡ଼, କେଡ଼େ ସୁନ୍ଦରଘୋଡ଼ା–"

 

"ଏଡ଼େ ବଡ଼ ଆକାଶରେ ଖାଲି ଘୋଡ଼ାଟାହିଁ ଆଖିରେ ପଡ଼ିଲା ?" କାନ୍ତିମୟୀ ହସିଲେ କହିଲେ, ‘‘ପକ୍ଷୀରାଜ ଘୋଡ଼ା ପରା, ତା’ ପିଠିରେ ବସିଲେ ସେ କୁଆଡ଼େ କୁଆଡ଼େ ନେଇ ପଳାଇବ ।"

 

"ହେଇ ଦେଖ ତୁମ ଘୋଡ଼ା ମିଳେଇ ଗଲାଣି । ଆକାଶଯାକ ଖାଲି ରୂପ ଓ ରୂପାନ୍ତର । ହେଇ ସେ କଣେ ଦେଖି ଗାଢ଼କଳା ନେଳି ଆକାଶ ଯେମିତିକି ସ୍ଥିର ହ୍ରଦ, ତା’ ଦିପାଖେ କାଳିଚା ଲଗା ରୂପାର ପାହାଡ଼ ଅତଡା ହୋଇଚି । ଦୂରରେ ବଙ୍କେଇ ବଙ୍କେଇ ଗାଁ ଗଣ୍ଡା । ଏଠିସେଠି ଗୋଟି ଗୋଟିକିଆ ତରା, ଯେମିତିକି ଦୂର ଗାଁ କୂଳପାଖ ଗୋଟି ଗୋଟିକିଆ ଆଲୁଅ । ଜହ୍ନ ସେ ହ୍ରଦରେ ଭାସି ଚାଲିଚି, ସତେ କି ଡଙ୍ଗାଟିଏ, ସେ ଡଙ୍ଗାରେ କିଏ ବସିଚି ?"

"ତ ବି ବଦଳିଗଲା ହେଇ ଦେଖ । ପ୍ରକାର ପ୍ରକାର ମାୟାରୂପ ଭାସି ଚାଲିଛି, ସବୁଠିଁ ଆଲୁଅ ଲାଗି ରହିଛି । କ’ଣ ଏସବୁ ? ଜନ୍ତୁ ନା ଗଛ–ନା ମୁଣ୍ଡା ମୁଣ୍ଡା ବରଫ–ସବୁରି ଭିତରେ ଆଲୁଅ ଜଳୁଛି ବୋଲି ସବୁ ଜିଅନ୍ତା ସବୁ ଭାସିଭାସି ଚାଲିଚି– ଏଣେତେଣେ ନୁହେଁ–କେଉଁଠି ଯାଇ ଲାଗିବ ଯେମିତିକି ଆଗରୁ ତା’ ଠିକଣା ହୋଇଚି ।’’

ଯେପରିକି ସ୍ୱପ୍ନ ଭିତରର ଗଦଗଦ ଭାଷା ଆଚ୍ଛନ୍ନ ଅବସ୍ଥାରେ ଆପେ ଆପେ ଝଡ଼ିପଡ଼ୁଛି, ଯେମିତି ଫୁଲ ଫୁଟେ ଆଉ ଝଡ଼େ ।

ସେହି ବିହ୍ୱଳ ଭାଷାରେ କାନ୍ତିମୟୀ କହି ଲାଗିଲେ,– ‘‘ତଳକୁ ଚାହଁ ରାତିକୁ । ଦୂରରେ ଦୂରରେ କେମିତି ବାଇଗଣିଆ ଦିଶୁଛି । ସେପାଖେ ଦେଖ, ସତେକି ଫୁଲଫୁଟା ସୋରିଷ କିଆରି–’’

ତରୁଣ ରାୟ କହିଲେ, "ସମୁଦ୍ରକୁ ଚାହଁ, ଅନ୍ଧାରର ଢେଉ ବି ଦିଶୁଛି, ଜକଜକ । କି ନାଚ-! କି ଖୁସି ! ଶୁଣୁଚ, ଏ ସମୁଦ୍ରର ଗୋଟିଏ ସଙ୍ଗୀତ ଅଛି, କେତେ ସଙ୍ଗୀତ ଯନ୍ତ୍ର ଏକାଠି ବାଜି ଉଠୁଛି, ତା’ ଭିତରେ ଶୁଭୁଚି ତା’ର ସ୍ୱର । ଆଃ ! ଅଦ୍ଭୁତ !

କାନ୍ତିମୟୀ ଗୁଣୁଗୁଣୁ ହେଲାପରି କହିଲେ, କି ଦିନ କି ରାତି କେତବେଳେ ହେଲେ ତୁନିତାନି ନାହିଁ କି ଘୋଳି ହେବା ନାହିଁ । ସବୁବେଳେ ଗଡ଼ଗଡ଼ୋଉଚି, ଗୋଡ଼ୋଉଚି, ଅସମ୍ଭବ ବଳର ଅବତାର, ଅଲୌକିକ ରୂପର । ମଣିଷ ଯଦି କାଣିଚାଏ ୟାର ଶକ୍ତି ପାଇଥାନ୍ତା !

 

ତରୁଣ ରାୟ ଦୀର୍ଘଶ୍ୱାସ ପକାଇ କହିଲା– "ସମୁଦ୍ରଠିଁ ଅଛି ଚିରଯୌବନ । ମଣିଷ କ’ଣ ତା’ ପାଇଛି ? ସମୁଦ୍ରରୁ ଅମୃତ ନେଇ ବଞ୍ଚିଲେ ଦେବତାମାନେ, ମଣିଷକୁ ଦେଲେନାହିଁ । ସମୁଦ୍ର ମରଣକୁ ସ୍ୱୀକାର କରେନାହିଁ, ମୁର୍ଦ୍ଦାରକୁ ଧରି କୂଳରେ ଆଣି ଫୋପାଡ଼ିଦିଏ । ମଣିଷ ଝିଣ୍ଟିକାପରି ବଞ୍ଚି ବାହା ଟାଙ୍କି ବଳ ଦେଖାଏ, ଦୁର୍ବଳକୁ ଗଞ୍ଜଣାଦିଏ, ଶକ୍ତି ଶକ୍ତି ବୋଲି ଚିତ୍କାର କରେ, ସମୁଦ୍ରବଳର ଅବତାର ହୋଇ ବେଳକୁ ବି ଲଙ୍ଘେ ନାହିଁ ।"

 

ତୀର୍ଥଜଳ ସମୁଦ୍ରରେ ମିଶିଲା ପରି ସେମାନେ ତାଙ୍କ ଚିନ୍ତାରେ ସେଠି ଏକାଠି ହୋଇ ଯାଇଥିଲେ । ସମୁଦ୍ର କୂଳ, ଜହ୍ନରାତି, କେଉଁଠି କୁଙ୍କୁରିକାଙ୍କିରି ହୋଇ କୁକୁରଟିଏ କାହା ପିଣ୍ଡାରେ ଶୋଇଛି, କେଉଁଠି ନିଦ ବଉଳାରେ ପିଲାଟିଏ ବିଳିବିଳୋଉଛି, କେଉଁଠି ଫୁଟିଲା ଫୁଲ ଦେହରୁ ପାଖୁଡ଼ାଟିଏ ଆସ୍ତେ ଝଡ଼ି ପଡ଼ୁଛି, ଆଉ କେଉଁଠି ଗୋଟାଳିଆ କଢ଼ିର କରେକେ ଆସ୍ତେ ମେଲା ହୋଇଯାଉଛି, ପବନରୁ ନିଃଶବ୍ଦରେ ଜଳକଣା ଝଡ଼ିପଡ଼ୁଛି, ଜହ୍ନର ଗତି ସଙ୍ଗେସଙ୍ଗେ ଧାଡ଼ିଧାଡ଼ି ତାଳଗଛମାନଙ୍କ ଛାଇ ବୁଲିପଡ଼ୁଛି କେଉଁ କେଉଁ ତାରାମାନେ ଧୀରେଧୀରେ ତଳକୁ ତଳକୁ ଓହ୍ଲାଇଲା ପରି ଦିଶୁଛନ୍ତି, ସହରର କେଉଁ ନିଛାଟିଆ ଘରର ଝରକାରେଲିଂ ଓପାଡ଼ି ଚୋରମାନେ ଘରେ ପଶି ସବୁ ଚୋରି କରି ନେଇ ପଳାଇଲେ, ସଫସଲର କେଉଁ ଦଳୁଆ ପୋଖରୀରେ ଟିକି ମାଛଟିଏ ତା’ର ଡିମ୍ବ ଛାଡ଼ିଦେଲା, କେତେଠି ନୂଆ ସୃଷ୍ଟି ଆରମ୍ଭ ହେଲା, ନୂଆ ଜୀବନ ରୂପ ଘେନିଲା, କେତେଠି କିଏ ମଲେ, କେତେ ଇତିହାସ ଶେଷ ହେଲା, ଠାଏ ଚାରିରାଷ୍ଟ୍ର ଭିତରେ ଏକ ସାମରିକ ମେଣ୍ଟର ଚୁକ୍ତି ସ୍ଵାକ୍ଷରିତ ହେଲା ଯେ ସେଥିରୁ ଗୋଟିଏ ରାଷ୍ଟ୍ର ଅନ୍ୟ କେଉଁ ରାଜ୍ୟକୁ ଆକ୍ରମଣ କଲେ ବାକି ତିନିରାଷ୍ଟ୍ର ତାକୁ ଦେଶ ଜିଣିବା କାର୍ଯ୍ୟରେ ସାହାଯ୍ୟ କରିବେ, ଯାହା ଲାଭ ହେବ ତାକୁ ଚାରିହେଁ ବାଣ୍ଟିନେବେ, ଆଉ ଠାଏ ଭୂଇଁ ଫୁଟେଇ ଗହମ ମଞ୍ଜିମାନେ ଗଜା ଆଙ୍କୁରିଲେ-

 

ସ୍ମରଣୀୟ ଓ ଅସ୍ମରଣୀୟ ଘଟଣାମାନ ଆପଣା ଆପଣା ଚାଲୁଣିରେ ଛାଣିନେଇ କାଲି ସକାଳେ ସାମ୍ବାଦିକମାନେ ସମ୍ବାଦ ଯୋଗାଇଦେବେ, କେତେ ସମ୍ବାଦ ମୂଳରୁ ପଦାକୁ ବାହାରିବ ନାହିଁ, ଯେପରି ଆକାଶରେ ବିଭିନ୍ନ ବେଳାରେ ବିଭିନ୍ନ ଚିତ୍ର ଆଙ୍କି ହୋଇଥିବାର ସମ୍ବାଦ, କି ସମୁଦ୍ରକୂଳର ମାଳମାଳ ହୋଟେଲମାନଙ୍କ ଭିତରୁ ଗୋଟିଏ ହୋଟେଲର ଛାତ ଉପରେ ପ୍ରୌଢ଼ତ୍ୱ ଟପି ଯାଉଥିବା ସ୍ତ୍ରୀ ପୁରୁଷ ଯୋଡ଼ିଏ ହଠାତ୍‍ କବି ହୋଇଯାଇଥିବା ସମ୍ବାଦ ।

 

ଅନୁଭୂତିରେ ଓ ପ୍ରକାଶରେ ସେମାନେ କବି ହୋଇଯାଇଥିଲେ, ତା’ପରେ ଛୁଟ୍‍କରି କେତେବେଳେ ସେଠି ତାଙ୍କୁ ନିଦ ହୋଇଯାଇଥିଲା । ସମୁଦ୍ରକୂଳିଆ ପବନ ତାଙ୍କ ମୁଣ୍ଡବାଳ ଓ ପିନ୍ଧାଲୁଗାକୁ ଏକର ସେକର କରି ଝାଙ୍କି ଝାଙ୍କି ପରଖି ପରଖି ଯାଉଥାଏ । ସମୁଦ୍ର ସେମାନଙ୍କୁ ତା’ର ଚିରନ୍ତନ ଶଦ୍ଦସମୁଦ୍ରରେ ବୁଡ଼ାଇ ରଖିଥାଏ ।

 

କେତେବେଳ ପରେ ତରୁଣ ରାୟର ନିଦ ଭାଙ୍ଗିଗଲା । ଲାଗିଲା ସତେକି ଡାହାଣିଆ ଖରା ଚାରିଆଡ଼ଯାକ ଢଳି ହୋଇଯାଇଛି । ପବନରେ ଦେହ ଓଲୁସି ଉଠୁଛି । ଚାରିଆଡ଼ କେତେ ନିଛାଟିଆ, ଖାଲି ସମୁଦ୍ରର ମାଳମାଳ ଢେଉଗୁଡ଼ିକ ଆହୁରି ଅଧିକ ଜିକିଜିକି ଧଳା ଦିଶୁଛନ୍ତି । ବିସ୍ମୟରେ ନିଜକୁ ନିଜେ ପଚାରି ହେଲା, ୟେ କ’ଣ ହୋଇଛି ତା’ର ? କାହିଁକି ଏଡ଼େ ଛନଛନ ଲାଗୁଛି ?

 

ତାପରେ ତା’ର ଧାରଣା ଲେଉଟି ଆସିଲା, ସେ ବୁଝିପାରିଲା ସେ କେଉଁଠି ଅଛି, ସେ ଜାଣି ପାରିଲା କାହିଁକି ସେ ଛନଛନ ହେଉଛି । ସେ ବାରିଲା ଯେ ଦୁଇ ପାଖରୁ ଯୋଡ଼ିଏ କଜଳପାତି ପରସ୍ପରକୁ ଡକାଡକି ହେଉଛନ୍ତି, କେଡ଼େ ଦୂରରୁ ଦୂରରୁ ତାଙ୍କ ଡାକ ଭାସିଆସୁଛି । ଜଣେ କହି ସାରିବାଯାକେ ଆରଜଣକ ଅପେକ୍ଷା କରୁଛି, ତା’ପରେ ସେ କହୁଛି ।

ତାକୁ ଲାଗିଲା ଏ ଡକାଡକି ଯୁଗଯୁଗ ବ୍ୟାପି ଲାଗି ରହିଛି, ଏମିତି ଜହ୍ନ ଆଲୁଅରେ ସମୁଦ୍ରକୂଳରେ ଯୋଡ଼ିଏ କଜଳପାତିଙ୍କ ସଙ୍ଗୀତରେ ସଂସାରଯାକର ସବୁ କଅଁଳ ମରମଭାବ ରୂପ ଘେନି ଚେଇଁ ଉଠୁଛି, ସ୍ନେହ ସରାଗ, ସହାନୁଭୂତି, ମଣିଷଠିଁ ନିହିତ ଶାନ୍ତିପ୍ରିୟତା ।

କାନ୍ତିମୟୀ ଶୋଇପଡ଼ିଛନ୍ତି । ତରୁଣ ରାୟ ତାଙ୍କୁ ଅନାଇ ରହିଲା । ଭାବିଲା–ଶାନ୍ତିରେ ଶୋଇ ରହିଛି, କେଡ଼େ ଅଚିନ୍ତା ନିର୍ଭର ! କାହା ଉପରେ ?

ସେହି ଅଦେଖା ଶକ୍ତି ଉପରହିଁ ନିର୍ଭର, ଯେ ଜନ୍ମଦିଏ, ପାଳେ, ଚଳାଏ, ପଡ଼ିଗଲେ ଟେକି ଉଠାଏ ।

ସେହି ଅଜଣା ଶକ୍ତି ଉପରେ ନିର୍ଭର କରି ଶୋଇ ରହିଛି କାନ୍ତିମୟୀ, ନିଶ୍ଚିନ୍ତ, ନିଧଡ଼କ ।

ଅଥଚ ଆଜି ଯଦି ତରୁଣ ରାୟ ଆଖି ବୁଜିବ କାଲି ତା’ର କେହି ନାହିଁ ।

ତରୁଣ ରାୟ ତା’ ସ୍ତ୍ରୀ ମୁହଁକୁ ଧ୍ୟାନ କରୁ କରୁ ସେହି ଅଦୃଶ୍ୟ ଶକ୍ତିର ପରିକଳ୍ପନାରେ ପହଞ୍ଚିଲା, ଯେପରିକି ଦର୍ପଣରେ ଆପଣା ମୁହଁ ଦେଖୁ ଦେଖୁ ସେ ମୁହଁକୁ ନଦେଖି ଦର୍ପଣର ତଳିକୁ ଦେଖି ପାରିଛି । କିନ୍ତୁ ନିରବଚ୍ଛିନ୍ନ ଭାବେ ନୁହେଁ ।

 

ଥରେ ଦର୍ପଣ ତଳକୁ ଥରେ ଆପଣା ମୁହଁକୁ,– ଥରେ ସ୍ତ୍ରୀକୁ, ଥରେ ସର୍ବବ୍ୟାପୀ ଶକ୍ତିକୁ, ଏମିତି ଟଳଟଳ ହୋଇ ଚହଲି ଲାଗିଲା ତା’ ଚେତନା । ତା’ପରେ ତା ଭାବନା ସରଳ ହେଲା, ବିଶ୍ୱାସ ଟାଣହେଲା, ସେ ଦୃଢ଼ କରି ଭାବିଲା ଯେ ସେ ଏକ ସର୍ବପରିବ୍ୟାପ୍ତ ଅଜଣା ଶକ୍ତିଦ୍ୱାରା ଚାଳିତ ହେଉଛି ଓ ଚାଳିତ ହୋଇ ଆସିଛି, ସେହିପରି ହୋଇଛି ତା’ ଜୀବନ ।

 

ଜହ୍ନ ନଇଁ ଆସିଲାଣି । ସମୁଦ୍ର ଉପରେ ପାତଳ କୁହୁଡ଼ି ଘୋଟିଛି, ସତେ ଅବା ଜହ୍ନବର୍ଣ୍ଣର ଧୂଳି ସେଠି ବାୟୁମଣ୍ଡଳରେ ଭାସୁଛି । ତେର୍ଚ୍ଛା ଜହ୍ନ ଆଲୁଅରେ କେଉଁ କୋଠାର କେଉଁ ଥାନାରେ ଗଛର କେଉଁ ଥାନରେ ଆଗଠୁଁ ବେଶି ଜକଜକ ଦିଶୁଛି । ତଳେ ଢଳା ହୋଇଥିବା ଗାରିଗାରିକିଆ ଛାଇ ଉପରେ ଓ ସ୍ଥାନେ ସ୍ଥାନେ ଡାଳପତ୍ର ସନ୍ଧିରେ ସୋରିଷ ଫୁଲିଆ ଜହ୍ନ ଲମ୍ବ ଲମ୍ବ ଆଲୁଅଗାର କଟାକଟି କରି କେତେ ଜାଲ ବୁଣିଚି । ହଲୁଥିବା ସରୁ ଡାଳର ଫାଳ ଫାଳକେ ଓ ଉଡ଼ିଯାଉଥିବା କଳା ମିଚିମିଚି ବାଦୁଡ଼ି ପକ୍ଷୀରେ କେବେ କେଉଁଠି ଜହ୍ନ ଆଲୁଅ ଜକୋଉଛି । ବାଲିପନ୍ତାରେ ବି ଜହ୍ନ ପଡ଼ିଛି, ପ୍ରତି ବାଲିକଣା ଜହ୍ନ ଜୁଡ଼ୁବୁଡ଼ୁ ।

 

ଆଉ, ସବୁଠିଁ ଦିଶୁଛି, ଆଲୁଅ ଅନ୍ଧାର ଧରାଧରି ଗୋଳିଆଗୋଳି । ଅନ୍ଧାର ଯେଡ଼େ ବହଳ ହେଉ, ଆଲୁଅ ହାରିନାହିଁ । ସେ ଭାବିଲା, ସଂସାର ଯେ ବଞ୍ଚିଛି, ଏଇତ ଆଲୁଅର ବିଜୟର ପ୍ରମାଣ । ଚିନ୍ତା କ’ଣ ?

 

ଭାବୁ ଭାବୁ ନୀରବରେ ତା’ ବ୍ୟକ୍ତିତ୍ୱର ରୂପାନ୍ତର ଘଟି ଯାଉଥାଏ । ଦୁନିଆଠୁଁ ଅଡ଼ି ରୁଷି କରଛଡ଼ା ଦେଇ ଅନ୍ଧାରରେ ମୁହଁ ଲୁଚେଇ ଥିଲା ତା’ ଭିତରର ମଣିଷ, ଭାବିଥିଲା, ତା’ ଦେହଟାକୁ ଘେନି ଓ ତା’ର ଆକାଂକ୍ଷା ଆଶଙ୍କା ଅବରୋଧର ସୁବିଧା ନେଇ ତା’ ଉପରେ ଯେତେ ଯାହା ଅତ୍ୟାଚାର ହେବାର ହୋଇଯାଉ ସେ ପାଟି ଫିଟେଇବ ନାହିଁ, ଅଡ଼ା ହେଉଥିବା ବଳଦ ପରି ସେ ସମୟ କଟାଇଦେଇ ଚାଲିଯିବ । ଆରମ୍ଭ କରିଥିଲା କେଡ଼େ ଉତ୍ସାହରେ ! ରେଳଲାଇନ୍ କରର ତାରବାଡ଼ ଉପରେ ଘୋଡ଼ଚଢ଼ି କଜଳପାତି ଯେମିତି ଝାଙ୍କି ହୋଇ ଝୁଲେ, ପିଲାଦିନେ ସେମିତି ସେ ଝୁଲିଥିଲା, ଆହୁରି ଜୋରରେ, ତା’ର ଟିକି ଛାତିଟିକି ପବନକୁ ଡେରି ଦେଇ ରେଳ୍ ଆସିବାଆଡ଼କୁ କେଡ଼େ ସାହସରେ ଅନାଇ ରହୁଥିଲା, ଅସୁରକୁ ଟେକା ପକାଇବା ରୂପକ ମନେ ପକାଇ ରେଲ୍‍ଗାଡ଼ି ମାଡ଼ି ଆସିଲାବେଳେ ତାକୁ ଟେକା ପକାଉଥିଲା, ତା’ପରେ ବଡ଼ ହେଲାରୁ ସାମ୍ନାରେ ଆଉ ସେ ରେଲ୍‍ ନଥିଲା, ସେ ପିଲା ନଥିଲା, ଦୁନିଆ ତାକୁ ଟେହି ଟେକି ମତାଇ ନଚାଇ ପୁଣି ତା’ ଖପୁରି ଉଡ଼େଇ ଦେଇ ସାରିଥିଲା । ତା’ ପରିବର୍ତ୍ତେ ସେହି ଦେହ ଖୋଳ ଭିତରେ ତୁନିହୋଇ ପଡ଼ି ରହିଥିଲା ଭୟ ଓ ବାଧାରେ କୁଜା ଦରବୁଢ଼ା ମଣିଷଟାଏ । ତା’ପରେ ବର୍ତ୍ତମାନ ସେ ଅନୁଭବ କରୁଛି ତା’ର ଦଦରା ଦେହଖୋଳ ସତେକି ଟାଣ ହୋଇଯାଇଛି, ବାଙ୍କ ସଳଖ ହୋଇଛି, ଚର୍ମରେ କେଉଁଠି କୁଞ୍ଚୁକୁଞ୍ଚିଆ ଭାଙ୍ଗ, କେଉଁଠି ଧୋଡ଼କା ମୁହଁରେ କେଉଁଠି ଅଯଥା ଗୋଟାଏ କରକୁ ଟାଙ୍କ ଆଉ ଝାଙ୍କ କି ଭଉଁରି, ସବୁ ସହଜ ସୁଠାମ ହୋଇଯାଇଛି । କେତେକାଳ ଏହି ଘଟାନ୍ତର ରହିବ କି କେତେ ମିନିଟରେ ଉଭେଇ ଯିବ ତା’ର ପରେଇ ନାହିଁ, ତା’ର ରୂପାନ୍ତର ଘଟିଛି, ନୂଆ ଆଖି, ନୂଆ ମନ ।

 

ଯୁଆଡ଼େ ଚାହିଁଲେ ସେ ସୁନ୍ଦରପଣହିଁ ଦେଖୁଛି । ଦୂରରେ ଦିଶୁଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର; ନିର୍ଭର ମିଳୁଚି,–ମୁଁ ଅଛି, ଭୟନାହିଁ ।

 

ଅତି ସ୍ନେହରେ ଅତି କଅଁଳ କରି ତା’ ସ୍ତ୍ରୀର ହାତଧରି ଟେକି ଠିଆକଲା । ଦୁହେଁ ପାଖକୁପାଖ ଠିଆହୋଇ ରହିଲେ ।

 

ଅନନ୍ତ ଆକାଶ, ନିତ୍ୟ ପ୍ରବାହମାନ ସମୁଦ୍ର, ଚିତ୍ରିତ ବେଳାଭୂମି, ଶୂନ୍ୟର ପଟ ଉପରେ ଏତେ ସୃଷ୍ଟିର ଛବି ଅଙ୍କା ହୋଇ ରହିଛି,–ଘର, ଗଛ, ଡାଳ, ଦେଉଳର ଚୂଡ଼ା, ମେଘ, ଜହ୍ନ ।

 

ସେ ଚିତ୍ରରେ ସେ ଦୁହେଁ ବି ଖାପିଗଲେ ।

 

ଛଳନା ତରତର ହୋଇ ନିଦରୁ ଉଠିଲା, ମନ ଭିତରେ କ’ଣ ଗୋଟାଏ ଘୁଙ୍ଗାଳି ହେଉଛି-। ବ୍ୟବସ୍ଥା ଅନୁସାରେ ପୁରୀରେ ଆଜି ତାଙ୍କର ଶେଷ ଦିନ ।

 

ଧୀରେ ଧୀରେ ନିଦର ନିଶା ଖସି ଯାଉଯାଉ ତାକୁ ଲାଗୁଥିଲା ଯେ ନିଦ ଭାଙ୍ଗିବା ପୂର୍ବରୁ ସେ ଗୋଟାଏ ସ୍ୱପ୍ନ ଦେଖୁଥିଲା ଯେ, ପୁଣି ସେ ତା’ର ଚିହ୍ନା ସହରକୁ ଫେରିଯାଇଛି ।

 

ପଡ଼ିଶା ଘର ଝରକାଆଡ଼କୁ ଅନାଇ ସେ ବସିଥିଲା । ଆଗ ଶୁଭୁଥିଲା ଯୋଡ଼ିଏ ପେଚାଙ୍କର ଉଚ୍ଚାଟ କଥାଭାଷା ବଢ଼ି ପାହାନ୍ତି ବେଳ । ଧୀରେ ଧୀରେ ମହାନଗରୀ ଝାଇଁଝାଇଁ ଶବ୍ଦ କରି ଚେଇଁଚେଇଁ ଉଠୁଛି । ସଡ଼କ କଡ଼ର ଖୁଣ୍ଟ ଉପରେ ଟଣାହୋଇ ରହିଥିବା ଖବରବୁହା ବିଜୁଳିତାରରେ ଯେପରିକି ହଠାତ୍ କେଉଁଠି ଠାଏ ବୋଲୁଅ ବାଜିଛି । ତା’ପରେ ସହରଯାକ ନାନାପ୍ରକାର ଶବ୍ଦକରି ଉଠୁଛି, ଧୀରେ ଧୀରେ ଶବ୍ଦର ଗହଳି ବଢ଼ିବଢ଼ି ଯାଉଛି, କାନ ଭିତରେ ଝାଇଁଝାଇଁ ହେଉ ହେଉ ପୁଣି ତା’ର ଚେତନା ସ୍ଥିର ହୋଇ ଆଦରି ନେଉଛି ସେ ପରିଚିତ ଶବ୍ଦକୁ । ସେହି ଶବ୍ଦ ଭିତରେ ତା’ ଜହ୍ନ, ତା’ର ସ୍ନାୟୁମାନଙ୍କ ବିକାଶ ଓ ଅଭିବୃଦ୍ଧିରେ ସେହି ଶବ୍ଦ ପ୍ରଭାବ ପକାଇଛି । ଜଞ୍ଜାଳ ସମସ୍ୟାମୟ ତା’ର ଚିହ୍ନା ସହରର ଶବ୍ଦକୁ ସ୍ୱରୂପକୁ ସେ ପରମ ତୃପ୍ତିରେ ପିଇଲାଗିଛି ଯେମିତି ସେ ପିଏ ତା’ର ଅଭ୍ୟସ୍ତ ପ୍ରିୟ ଚାହା, ଡହଡହ କାଳିଆ କଡ଼ା ଚା, ଜିଭ ପୋଡ଼ିଯାଉଥାଏ, ଅନ୍ତ ଭିତର ତାତି ଯାଉଥାଏ, ତଥାପି ସେଈଆତ ଦରକାର । ଜଳଜଳ ହୋଇ ଭାସିଉଠୁଛି ଚିହ୍ନା ଛବି, ତାହାରି ସହିତ ଛନ୍ଦ ରଖିରଖି ତା’ର ଚେତନା ଗଢ଼ି ହୋଇଛି, ତା’ ଆଖିରେ ଏ ଛବି ସୁନ୍ଦର । ମସିଆ ଲୁହାଛାତ କଳ ଚେମେଣିରୁ ଧୂଆଁ ହୋଟେଲମୟ ଅଞ୍ଚଳର ରୋଷଘର ଧୂଆଁ, ଡେଙ୍ଗା ଗୋଟିକିଆ ଗଛର ଭଙ୍ଗା ଡାଳରେ ଶୁଖି କସରା ପଡ଼ିଥିବା ପତ୍ରଗୁଡ଼ିକ, ଡେରି ହୋଇ ରହିଥିବା ନାଲିଆ କାଳିଆ ପୁରୁଣା ଟାଇଲ୍‍ ଛାତ, ତା’ ଉପରେ ପୁଳାଏ ପୁଳାଏ ଅଗଛା ଘାସ କି ହଜାର ଏସବୁ ବି ସେଠି ରଙ୍ଗ ଯୋଗନ୍ତି, ରୂପ ଯୋଗନ୍ତି ଯେପରି ଯୋଗନ୍ତି ଧାଡ଼ିକା ଧାଡ଼ି ସିମେଣ୍ଟ ଓ ଲୁହା ତିଆରି ଆଧୁନିକ ପ୍ରାସାଦ, ଘନ ଜ୍ୟାମିତିର ବହଳ ଚିତ୍ରପରି, କେଉଁଟା ଗୋଟାଳିଆ ହୋଇ ସିଲିଣ୍ଡର, ଆଠ ମାହାଲା, କେଉଁଟା ପ୍ରିଜ୍‍ମ, ଦଶ ମାହାଲା, ପନ୍ଦର ମାହାଲା, ତା’ର ଥାକେ ଥାକେ କୁଣ୍ଡରେ ସଜାହୋଇ ଶାଗୁଆ ଗଛଲତା, ଆଗରେ ମପାଚୁପା ପରିଧି ଭିତରେ ଏକ ମଛାକେ ଛନଛନିଆ ଘାସ, ଆପଣା ରୁଚି ଅନୁସାରେ ବଢ଼ା ହୋଇଥିବା ଖିଅର ହୋଇଥିବା ଗଛମାନ, ଆଉ ସେହି ମଣିଷଗଢ଼ା ମପାଚୁପା ପର୍ବତ ଅତଡ଼ିକୁ ଦୁଇପଟେ ରଖି ଜିକିଜିକି ଓସାର ନିଦା ଛେଚାପିଟା ସଡ଼କ । ସେଥିରେ ନାନାବର୍ଣ୍ଣର, ନାନାପ୍ରକାରର ଗାଡ଼ି ଓ ନାନାବେଶର ମଣିଷଙ୍କର ସୁଅ ଛୁଟିଛି । ସେହି ଦୃଶ୍ୟ ଦେଖୁଥିଲା ସେ, ସେ ଯେଉଁଠି ଆଉ ଯୁଆଡ଼େ ଯାଉ ସହର ତା’ ଭିତରେହିଁ ରହିଛି । ପାହାନ୍ତି ପହରର ଅଧା ନିଦରେ ତା’ ଆଖି ଆଗରେ ମାଳମାଳ ହୋଇ ବିଜୁଳି ଖୁଣ୍ଟ ଓ କୋଠାର ଜଙ୍ଗଲ ଠିଆ ହୋଇଥିଲା, ଉପରେ ବହୁତ କାଉ ଓ ଚିଲ ଉଡ଼ୁଥିଲେ, ରାସ୍ତା ଦିକରେ ଠିଆମେଲା ହୋଇ ରହିଥିଲା, ନାନାପ୍ରକାର ସଜାସଜି ହୋଇ ଦୋକାନମାନ ।

 

ସେହି ସହର ଜଙ୍ଗଲକୁ ଠାଏ ସେ ଚାହିଁ ରହିଥିଲା ସତେକି କ’ଣ ଜନ୍ତୁ ବାହାରିବ ବୋଲି-। ପଡ଼ିଶାଘର ଝରକାଆଡ଼କୁ ସେ ମନେମନେ ଧ୍ୟାନ ଲଗାଇଥିଲା, ଯେପରି ସେ ଚାହିଁଥାଏ, ଝରକା ଖୋଲେ, ସେ ଘରେ ଦେଖେ ସ୍ୱାସ୍ଥ୍ୟ ନାହିଁ ଛାଁଟ୍ ଅଛି, ଯୁ' ନାହିଁ ବକ, ଯୁବକ ଜନ୍ତୁ ବେଶହୁଏ ଗୋଟାକ ଉତ୍ତାରୁ ଆଉ ଗୋଟାଏ ପିନ୍ଧା ପୋଷାକ ଗଳାଇ ପକାଏ, ମୁହଁକୁ ମଠାମଠି କରି ଶ୍ୟାମଳ ଉପରେ ଧଳାଗୁଣ୍ଡା ବି ବୋଳିହୁଏ, ନ ଜାଣିଲାପରି ଅନାଇ ଦେଇ ଜାଣିଲାପରି ହସିଦିଏ । ଛଳନା ସେହି ଜନ୍ତୁକୁ ବର୍‍ଛୀରେ ଭୁଷେ ମୁନିଆ ଚାହାଣିରେ, ଜନ୍ତୁ ଆପଣା ମୁହଁ ପୋଛି ଦେଇ ରାସ୍ତାକୁ ବାହାରିପଡ଼େ, ସେହି ସହର ଜଙ୍ଗଲରେ ସେ ଯାଏ ଖାଦ୍ୟ ଅନ୍ୱେଷଣରେ ଯେପରି ହଜାର ହଜାର ବର୍ଷ ପୂର୍ବେ ତା’ ପୂର୍ବପୁରୁଷମାନେ ବାହାରି ପଡ଼ୁଥିଲେ ଯଦିଚ ତାଙ୍କ ବେଶ ଥିଲା ଭିନେ ।

 

ଆଉ ସେ ଯୁବକ ବୁଝେ ପ୍ରେମଠୁଁ ପଇସା ବେଶି ପ୍ରୟୋଜନ ଓ ବିଭା ହେବାଠୁଁ ଓଥରା ରହିଲେ ବେଶି ସୁବିଧା ।

 

ଛଳନା ତା’ ବିଷୟରେ ମନେମନେ ନାନା କାହାଣୀ ଗଢ଼େ ।

 

କେତେବେଳେ ତା’ ପ୍ରତି ଦୟା ବହି ଭାବିଯାଏ, କେତେବେଳେ ବିରକ୍ତ ହୋଇ ଭାବେ ଧେତ୍ ନିକମାଟା, ମାଦଳଟା, ରୁଚି ନାହିଁ, ଦୃଷ୍ଟି ନାହିଁ, ନିଘା ନାହିଁ ।

 

ମଶାମାନେ ଘରୁ ବାହାରିବାବେଳ, ଦୂରରୁ ସତେକି ତା’ର ଯାତ୍ରାମାନଙ୍କର ସମବେତ ଝଙ୍କାର ଭାସି ଆସୁଛି । ଅନ୍ଧାର ସରି ସରିନାହିଁ । ତକିଆ ଉପରେ ମୁଣ୍ଡଟି ଗଡ଼ୁଛି । ସେ ତା’ର ପୁରୁଣା ବେଢ଼ା ଭିତରେ ସହରରେ ହିଁ ଅଛି । କେତେବେଳେ ଖୋଲା, କେତେବେଳେ ବୁଜା, କେତେବେଳେ ମୋଟା କେତେବେଳେ ସରୁ ଏମିତି ଚାଲିଛି ତା’ର ଧକ୍ ଧକ୍ ହୋଇ ଚିନ୍ତା ।

 

ବେଳେବେଳେ ସେ ଭାବୁଥାଏ, କାହିଁ କେଉଁଠି ଲେଖା ହୋଇଛି ତା’ ମନର କାହାଣୀ, ହାଲୁକା ଅନ୍ଧାର ଘୋରିହୋଇ ହଲିଲା ଚହଲିଲା କୁହୁଡ଼ି ଉହାଡ଼ରେ ନୀରବ ଛାଇ ? ଯେଉଁଠି ପଲକ ନପଡ଼ୁଣୁ ନାନା କାହାଣୀ ଗଢ଼ି ହୋଇ ଝଡ଼ିଯାଏ, ବାହାରେ ଗୋଟାଏ ଲମ୍ବା ନିଶ୍ୱାସ ପକାଇଲା ସରିକି ଭିତରେ କାହିଁ ପ୍ରଳୟ ତୋଫାନ ମାଡ଼ିଯାଇ ସାରିଥାଏ ।

 

ଇଚ୍ଛା ହୁଏ, ଆସନ୍ତା କେହି ଜାଣିବା ଲୋକ ଯେ ତା’ ମନ ଭିତରର ଥିତି ଗତି ଆଗରେ ଗୋଟିଏ ଦର୍ପଣ ଦେଖାଇ ଧରନ୍ତା । ଦେଖଣାହାରି ପରି ସେ ନିଜକୁ ସେ ଦର୍ପଣରେ ଦେଖିପାରନ୍ତା, ତା’ ଦ୍ଵନ୍ଦ୍ୱ ଭିତରେ ସମାଧାନ ପାଇବାକୁ ଚେଷ୍ଟା କରନ୍ତା, ଅଶାନ୍ତି ଭିତରେ ଶାନ୍ତି ତିଆରି କରିବାକୁ ଚେଷ୍ଟା କରନ୍ତା ଆପଣାକୁ ମଠାମଠି କରି !

 

ଚାରିଆଡ଼େ ଖାଲି କାଖରେ-ଛତା ଗୋଡ଼ରେ-ଜୋତା ଜାମା-ଯୋଡ଼ ହୋଇ ମଣିଷକଳ ଗୋଟାକୁ ଗୋଟା, ସେ ଯନ୍ତ୍ର ମପାଚୁପା ଭାଷାରେ କଥା କହେ, ଔଚିତ୍ୟ ଭଦ୍ରତା ସବୁଥିରେ ସେ କଥା ଦୋଅଟି ପରମସିଦ୍ଧା, ମାପିଚୁପି ବ୍ୟବହାର କରେ, ସେ ଛଳନାର ଭିତରକୁ ଭୁଲରେ ବି ଅନାଏଁ ନାହିଁ, ସତର୍କ ରହି ଏଡ଼ି ଚାଲେ ।

 

ସେହି,–ମନ ଭିତରର ଭାବରାଜ୍ୟରେ ସେ ଥିଲା, ସେଥିରେ ସମୟ ନାହିଁ, ତାରିଖ ନାହିଁ, ବର୍ତ୍ତମାନ କି ଅତୀତର ଭେଦନାହିଁ । ଧୀରେ ଧୀରେ ସେ ଚେଇଁ ଉଠୁଉଠୁ ତା’ ଚେତନା ଭିତରୁ ବଡ଼ ସହରର ସ୍ମୃତି ବି ତରତରରେ ଉଭେଇ ଗଲା । ସମୁଦ୍ରକୁ ଅନେଇଲା, ସମୁଦ୍ର ସତେକି ଗୋଟାଏ ପ୍ରକାଣ୍ଡ ଖୋଲା ବହିର ଡାହାଣ ପାଖର ପୃଷ୍ଠା, ବହିର ବାଁ ପାଖରେ ପୃଷ୍ଠା ଆକାଶ, ମଝିରେ ଦିଗ୍‍ବଳୟର ଗାର, ପୃଷ୍ଠାକୁ ବାନ୍ଧିରଖିଚି ।

 

କେଉଁଦିନ କେତେବେଳେ କେଉଁ ସ୍ଥାନରେ ସେ ବହି ଖୋଲେ, ବେଳକୁବେଳ ଚିତ୍ର ଭିନେ ଭିନେ । ଆକାଶର ପୃଷ୍ଠାରେ ଆଜି କ୍ଷୀଣହୋଇ ନେଳି-ଶାଗୁଆ ଲାଗିଯାଇଛି, କିନ୍ତୁ ପୂର୍ବପଟେ କାଳିଚା ଅବରଖ ଖଣ୍ଡମାନ,–ମେଘ ଲଦାଲଦି, ତା’ର ମୋଡ଼ମୋଡ଼ିକା କୁଞ୍ଚୁକୁଞ୍ଚିଆ ଧଡ଼ି-। ପୂର୍ବକୋଣରୁ ବହଳ ହୋଇ ପଶ୍ଚିମଆଡ଼କୁ କ୍ଷୀଣ ହୋଇ କୁହୁଡ଼ିର ଧାର ଲାଗିଛି, ସମୁଦ୍ର ଓ କୂଳ ଦିଗ୍‍ବଳୟରେ ଯେଉଁଠି ଭେଟିଛି ସେହି କରେ କରେ । ଡାହାଣ ପାଖେ ସମୁଦ୍ରର ପୃଷ୍ଠାରେ ଗୋଟିଏ ବିରାଟ ଧନୁର ଛବି, ମଝିରେ ଓସାର, ପୂର୍ବ ପଶ୍ଚିମ କଣରେ ଗୋଜିଆ ହୋଇ ଧନୁର ଅଗ । ସାମ୍ନାରେ ଦିଶୁଛି, ନେଳି-ପାଉଁଶିଆ ବର୍ଣ୍ଣର ଜିକିଜିକି ପାଣି ଉପରେ ତିନିସରି ଧଳା ଫିତା ପରି ସେ ଧନୁର ଗୁଣ ପରସ୍ପରଆଡ଼କୁ ଲଗାଲଗି ହୋଇ ହୋଇ ପଶ୍ଚିମରୁ ପୂର୍ବକୁ ଯାଇଛି ହଳଦିଆ ଧନୁକାଣ୍ଡରେ ଏକାଠି ମିଶିବ ବୋଲି । କେଉଁ ଅଦେଖା ହାତ ସତେକି ଏକା ସଙ୍ଗେ ତିନିଗୁଣକୁ ଓଟାରି ଓଟାରି ଛାଡ଼ି ଦେଉଛି, ଡାହାଣରୁ ବାଁକୁ, ପଶ୍ଚିମରୁ ପୂର୍ବକୁ ସାପେଇ ସାପେଇ ଅନବରତ ଗତି ଲାଗି ରହିଛି ।

 

ଏହି ଧନୁର ବାଁ’କଣ ଉପରେ ସୂର୍ଯ୍ୟ ଉଇଁବ, ଛଳନା ଅପେକ୍ଷା କରି ରହିଛି । ମାଳମାଳ ପାହାନ୍ତି ମେଘର ଫାଳଫାଳ ଅବରଖର କାଳିଚା ଦାଢ଼ରେ ନିଆଁ ଧାସ ଖେଳିଯିବ, ଧଳା କୁହୁଡ଼ିର ପର୍ଦ୍ଦା ଦି ପାଖକୁ ଓଟାରି ହୋଇଯିବ । ଉଇଁବ ସୂର୍ଯ୍ୟର ନାଲି ପିଣ୍ଡୁଳା ।

 

ପ୍ରତୀକ୍ଷା କରି ବସିଥିଲା ଛଳନା, ହୋଟେଲ୍ ଉପର ମାହାଲାର ପିଣ୍ଡାର ବାଡ଼ ଉପରେ କହୁଣିରେ କହୁଣି କଚଟିରେ କଚଟି ହୋଇ ଦୁଇହାତ ଉପରେ ତା’ ମୁହଁଟି ଥୁଆ ହୋଇଛି, ପଦ୍ମକଢ଼ି ଡେରି ହୋଇ ରହିଛି ସୂର୍ଯ୍ୟ ଉଇଁବ ବୋଲି ।

 

ଗୋଟିଏ ନୁହେଁ ଯୋଡ଼ିଏ ନୁହେଁ ଏମିତି କେତେଠୁଁ କେତେ ପଦ୍ମକଢ଼ି ଉହୁଁକି ରହିଛି, ମଣିଷ ଅପେକ୍ଷା କରିଛନ୍ତି ସୂର୍ଯ୍ୟ ଉଇଁବ ।

 

ଛଳନାରେ ମନେପଡ଼ିଲା, ପୁରୀ ସମୁଦ୍ରକୂଳରେ ଆଜି ତା’ର ଶେଷଥରକ ସୂର୍ଯ୍ୟୋଦୟ ଦେଖା, ଜୀବନଯାକର ଏହି ଶେଷ । ଆଉ ନାହିଁ, ଆଉ ନାହିଁ ।

 

ସମ୍ଭାବିତ ସମାପ୍ତିର ବିଚ୍ଛେଦ ତା ଚେତନାରେ କୋରଡ଼ା ମାଡ଼ପରି ବାଜିଲା, ଘଟନା ସାନ ହେଉ କି ବଡ଼ ହେଉ, ଜୀବନ ଭିତରେ ନାନା ପ୍ରବଣତାର ସମାପ୍ତି ଭିତରୁ ଏ ବି ଗୋଟିଏ, ଯେମିତିକି ଶେଷଥରକ ପାଇଁ କେଉଁ ପ୍ରିୟଜନର ମୁହଁ ଦେଖା, ଆଉ ନାହିଁ, ଆଉ ନାହିଁ ।

 

ତା ସହିତ ଆହୁରି ଗୋଟିଏ କଥା ମନେପଡ଼େ, ଏମିତି ଦିନେ ଏ ପୃଥିବୀକୁ ବି ଶେଷ ଦେଖା, ଆଉ ନାହିଁ, ଆଉ ନାହିଁ ।

 

ଆଖିରେ ଲୁହ ଜିକିଜିକି ହେଲାଣି, ହଠାତ୍ ନିଘାକଲା, କାହିଁ ସୂର୍ଯ୍ୟୋଦୟ ! ଫାଳ ଫାଳ ଅବରଖ ମେଘର ପଟାପଟା କବାଟ ଉପରେ ଖରାରେ ଥୁଆ ହୋଇଥିବା କଂସା ଥାଳିପରି ଗୋଲ ହୋଇ ଅରାଏ ଅତି ଜକଜକ ଦିଶୁଛି, ମେଘ ଉହାଡ଼ରୁ ତା’ର ଧାସ ଫିଟିଚି । ସମୁଦ୍ରରେ ଧଳାଧଳା ଲହଡ଼ି ଅଗରେ ଧଳା ନିଆଁର ତାଉ ଜଳୁଚି, ଢେଉଢ଼େଉକା ହୋଇ । କୂଅ ପାଖରୁ ପାଏ ବାଟଯାକେ ସଜଦୁହାଁ ଦୁଧର ଧୋବଫେଣ ଭସେଇ ଭସେଇ ଲହଡ଼ି ଖେଳୁଚି । କାହିଁ ସୂର୍ଯ୍ୟୋଦୟ-? ୟେ ତ ସୂର୍ଯ୍ୟଙ୍କର ଜୟଯାତ୍ରା ଆରମ୍ଭ ହୋଇ ଚାଲିଗଲାଣି କେତେବାଟ !

 

ଡେବିରି ପାଖେ ଖୋଷଣି ମାରିଚି, ଦେହଯାକ ବହଳ ହୋଇ ନେଳିଶାଢ଼ି ଘୋରି ହୋଇଚି, ମୁଣ୍ଡରେ ଓଢ଼ଣା ପକାଇଚି, କପାଳରେ ଟଙ୍କାଟିଏ ଆକାରରେ ସିନ୍ଦୂର, ପାନଯାକି ଗାଲ ଟୁମୁକା ଦିଶୁଚି, ହାତଯାକ ତାଡ଼, ଖଡ଼ୁ, ବଟଫଳ, କାଚ, ଶଙ୍ଖା ହୋଇ ବୋଝେ, ଅଣ୍ଟାରେ ରୂପାର ଦମ୍ଭ ଅଣ୍ଟାସୂତା ତିନିସରି ସେଥିରେ ମଗରମୁହାଁ ପଦକ, ଗୋଡ଼ରେ ପାଉଁଜ, ଗୋଡ଼ ଅଙ୍ଗୁଠିଯାକ ମୁଦି, ଚମ୍ପାଫୁଲପରି ଗୋରା, ଡଉଲଡାଉଲ ନୂଆବୋହୂଟିଏ ଆଣ୍ଠୁଯାକେ ଶାଢ଼ିକି ଟେକିଦେଇ ସମୁଦ୍ର ପାଣିରେ ପଶି କୁଲୁକୁଲୁ ହୋଇ କୁଦା ମାରୁଛି ।

 

କାଲି କ’ଣ ହୋଇଥିଲା, ପୁଣି କାଲି କ’ଣ ହେବ, ଏସବୁ ଚିନ୍ତା ମନରୁ ପୋଛିଦେଇ ଛଳନା ଧାଇଁଧାଇଁ ସମୁଦ୍ରକୂଳକୁ ଚାଲିଗଲା ।

 

ଦିଗ୍‍ବଳୟ ଉପରେ ଧାଡ଼ି ହୋଇ ମେଘର ଗଛ, ମେଘର ବଣ,ଠିଆ ହୋଇଛନ୍ତି ଯେପରିକି ଏ ପୃଥିବୀର ନୁହନ୍ତି, କେଉଁ ଅଚିହ୍ନା ଗ୍ରହରେ ବଢ଼ିଥିବା ମାୟା ଉଦ୍ଭିଦ, ସେ ବଣର ଅଗ ଦାଢ଼େ ଦାଢ଼େ ରୂପେଲି ତାଉ ଝଳୁଛି । ବାଡ଼ିପରି ସଳଖ ଧାରଧାର ଅନ୍ଧାରର ତେଜ ମେଘର ମହୁଡ଼ ଟପି ଉପରକୁ ଚାଲିଯାଇଛି ବହୁତ ଦୂର । ମାଳମାଳ ଚହଲା ଜଳପ୍ରପାତ ଗଡ଼ିଗଡ଼ିକା କୂଳଆଡ଼କୁ ଆସୁଛି, ଦର୍ପଣପରି ପାଲିସ ଶାଗୁଆ ଢେଉ, ତା’ ଉପରେ ଟୋପି ଟୋପି ହୋଇ ଜାଲପରି ଫେଣ ।

 

ସତେ ଯେମିତି ଆକାଶ ଓଲଟି ପଡ଼ିଛି ସମୁଦ୍ରରେ, ତା’ ଉପରେ ଫୁଲି ଜାଲି ହୋଇ ଧୋବ ସୂତାର ଛୁଞ୍ଚିକାମ, ଆକାଶ ଠେଲି ପେଲି ହୋଇ ସେ ବନ୍ଧନରୁ ମୁକୁଳିବାକୁ ଖୋଜୁଛି ।

 

ସୂର୍ଯ୍ୟ ନଦିଶୁ ପଛେ, ସବୁଠି ତା’ର ଆଭା, ସମୁଦ୍ର ପାଣି ଉପରର ତେଲ ଚିକିଣାରେ, ମାଳମାଳ ଲମ୍ଵ ଲାଞ୍ଜିଆ ବେଣା ଫୁଲପରି ଢେଉ ଅଗରେ, ସବୁଠି ସୂର୍ଯ୍ୟର ଛାପିଲା ଧାସ । ଗଡ଼ାଣି ଢେଉ ପଛୁଆଣି ଢେଉ ମାଡ଼ ହୋଇ ଉଠୁଛି ପାଣି 'ବାଣ', ପୁରୁଷେ ଦି ପୁରୁଷ ଉଞ୍ଚକୁ ଝପଟି ହୋଇ ଛଞ୍ଚାଡ଼ି ହେଉଛି ପାଣିର ଉତ୍ସ । ତା’ ତଳର ପିଢ଼ି ଗୋଲାପୀ ଦିଶୁଛି, ଉପରକୁ ଫୁଟି ଉଠୁଛି ଧାର ଧାର ଇନ୍ଦ୍ରଧନୁ ।

 

ଆକାଶ ଆଉ ତଳ, ସରି ସରି ହୋଇ ବର୍ଣ୍ଣବର୍ଣ୍ଣର ଛବି, ତା’ର ଅଂଶ ସେ ବି, ଛଳନା, ସତେ ଅବା ସମୁଦ୍ର କୂଳରେ ଏହି ସକାଳେ ଭିତରୁ ତାର ଜନ୍ମ ।

 

ସମୁଦ୍ର କୂଳରେ ଠିଆ ହୋଇ କେତେ ଲୋକ ତାକୁହିଁ ଚାହିଁଛନ୍ତି, ସତେ ଯେପରି ତାହାରି ଉହାଡ଼ରୁ ସୂର୍ଯ୍ୟ ଉଉଁଛି । ଗୋଟିକିଆ ଯୁବକ ବାବାଜିଟିଏ ଗେରୁଆ ପିନ୍ଧିଛି, ବୈରାଗ୍ୟର ଭେକ ଉହାଡ଼ରୁ ଆପଣାର କଳା ମିଶ୍ ମିଶ୍ ଦାଢ଼ି ଓଟାରି ଓଟାରି ଏକ ଦୃଷ୍ଟିରେ ଅନାଇ ରହିଛି ସକାଳର କନ୍ୟାକୁ ।

 

ଅତି ଉତ୍ସାହୀ ଯୁବକ ଜଣେ ଫଟୋ କ୍ୟାମେରା ଓଟାରି ବି ଖଞ୍ଜିଲେଣି, ସେ ସେହିଆଡ଼ର ମେଘର ଫଟୋ ନେବେ ।

 

ଛଳନା ଠିଆ ହୋଇ ରହିଥାଏ, ନେଉ ଯେ ଯାହା ପାରୁଛି ତାହା, ଏଇ ଦେହଟାକୁ ଯେଉଁଆଡ଼ୁ ଯେଉଁପରି ଯେ ଦେଖି ଆପଣା ଚିତ୍ତରେ ଉଠାଇ ନେଉ ଯେଉଁପରି ପଛେ ଛବି, ସେ ତେଣେ ନିଘା ଦେବନାହିଁ ।

 

ଉପମା ଖଞ୍ଜୁଥାଉ କିଏ,–ତା ଆଗପଟେ ଏ ଯେଉଁ କଳା ବେଣୀ ଦୁଇଧାର ହୋଇ ଦୋହଲୁଛି ସେ ଯୋଡ଼ାଏ ସାପ କି ଫାଶି ଦଉଡ଼ି ।

 

ସେମାନେ ଛଳନାକୁ ଦେଖୁଚନ୍ତି ଗୋଟିଏ ଠାଣିରେ ଠିଆ ହୋଇ ରହିଛି କୋଣାର୍କର ମୂର୍ତ୍ତି, ଦେଉଳରୁ ଓଲ୍ଲାଇ ଆସି ବାଲିଦାଢ଼ରେ ଠିଆ ହୋଇ ଯାଇଛି ।

 

ତାର ନିଘା ସେହି ଦିଗ୍‍ବଳୟର ମେଘର ବଣକୁ । ସେଠୁ ସତେକି ପଲପଲ ଧୋବଲା ଚଢ଼େଇ ଉଡ଼ି ଆସୁଛନ୍ତି କୂଳମୁହାଁ, ପାଖକୁ ପାଖକୁ ପାଖ ଡେଣା ମେଲି ଦେଇ ସମୁଦ୍ରକୁ ଲାଗେ ନ ଲାଗେ ହୋଇ ଉଡ଼ି ଆସୁଚନ୍ତି, ଦଳଦଳ ହୋଇ ପାଣିକି ଝାମ୍ପି ପଡ଼ୁଚନ୍ତି ପୁଣି ଉପରକୁ ଉଠୁଚନ୍ତି, ପୁଣି ଝାମ୍ପି ପଡ଼ୁଚନ୍ତି, ପୁଣି ଉଠି ଆଗକୁ ମାଡ଼ି ଆସୁଚନ୍ତି, ତା’ ପଛକୁ ତା’ ପଛ । କୁଆଡ଼େ ଉଭେଇ ଯାଉଛନ୍ତି ସେମାନେ ।

 

ମୁଥ ମୁଥ, ପଞ୍ଝା ପଞ୍ଝା, ଯେତେବେଳେ ଦେଖିଲେ ବି ଲାଗି ରହିଛି ସେହି ଆଗମନ, କିନ୍ତୁ ନିଷ୍କ୍ରମଣ ଦୃଷ୍ଟିରେ ପଡ଼ୁନାହିଁ । ଜଳଜଳ ଦିଶିଯାଉଛି, ଆସିଲା-ଥିଲା-ତା’ପରେ ସେ ଦଳ ନାହିଁ, ଆଉ ଦଳେ । କେଉଁବାଟେ କେଉଁଆଡ଼େ ଗଲା ସେ ? ବାରି ହେଉନାହିଁ । ଥିଲା, ଅଛି-ସେତିକି–ଏ ପୃଥିବୀ ଖାଲି ପଡ଼ୁନାହିଁ ହେଇ ପୁଣି ଦଳେ, ଦିଗନ୍ତ ମାଡ଼ି ଏ ମୁଣ୍ଡୁ ସେ ମୁଣ୍ଡୁ– ।

 

ଏଥର ସେ ଦେଖୁଛି ମାଳମାଳ ପାଣିଫୋଟକାଙ୍କ ପଟୁଆର, ଲକ୍ଷଲକ୍ଷ ସଂଖ୍ୟାରେ ସମୁଦ୍ରକୂଳଯାକ ପାଣିଆଡ଼କୁ ଧାଉଁଛନ୍ତି, ମଝିରେ ନାହିଁ, ମିଳେଇ ଗଲେଣି କେତେ । ପୁଣି ଲହଡ଼ି ଧାଇଁ ଆସୁଛି, ପୁଣି ମାଡ଼ି ଆସୁଚନ୍ତି ପାଣିଫୋଟକା ଦଳଦଳ, ନୂଆ ହୋଇ ବହେବାଟ ଧାଇଁବେ ବୋଲି !

 

ହେଉ ପଛେ ପ୍ରକାଣ୍ଡ ଉଚ୍ଚ ଢେଉ କି ଟିକି ପାଣିଫୋଟକା ବକଟକ, ସବୁଠିଁ ଅମରମତା, ସବୁଠିଁ ଉଲ୍ଲାସ, ଆନନ୍ଦ, ଚଞ୍ଚଳତା । ସେ ଅଛି, ଅନ୍ତତଃ ଏଇଥିପାଇଁ ତା’ ଆନନ୍ଦ ।

 

ଦୂରର ତନ୍ମୟତା କଟାଇ ଦେଇ ଛଳନା ପାଖକୁ ନିଘାକଲା । ନୋଳିଆ ମାଛ ମାରିବାକୁ ପାଣିକି ଡଙ୍ଗା ନେଉଛନ୍ତି । ଦୁଇ ଦୁଇଜଣ ହୋଇ ହାତଜାଲ ଫଡ଼କେଇ ଆଗକୁ ଧାଇଁ ଯାଉଛନ୍ତି ମାଡ଼ି ଆସୁଥିବା ଜୁଆରକୁ ଛାଣିବାକୁ । ଗୋଟି ଗୋଟିକିଆ ନୋଳିଆ ଦୂରକୁ ସମୁଦ୍ର ବନ୍‍ଶୀ ଫୋପାଡ଼ୁଛନ୍ତି ।

 

ଦି ଦିଜଣ ହୋଇ ଡଙ୍ଗା ଟେକି ନେଇ ପାଣି କୂଳରେ ଥୋଇଲେ । ଜୁଆର ଆସିଲା । ସେହି ସୁବିଧାରେ ଡଙ୍ଗାକୁ ଆହୁରି ଟିକିଏ ଆଗକୁ ପାଣି ଭିତରକୁ ଘୋଷାରି ନେଲେ । ତଥାପି ସେ କୂଳରେ ଲାଖିଛି । ପୁଣି ଢେଉ ଆସିଲା । ଏଥର ସାଇଁକରି ସିଧା ଢେଉ ଉପରକୁ । ଘୋଡ଼ାରେ ବସିଲା ପରି ଡଙ୍ଗା ଗୋଟାକୁ ଗୋଟା ଢେଉ ଉପରେ ଚଢୁଛି, ସାନସାନ ବାଉଁଶରେ ପାଣିକୁ ଭୁସିଭୁସି ଆହୁଲା ପକାହେଉଛି, ଚାଲିଛି ହୁଲିଡ଼ଙ୍ଗା ଦରିଆ ଭିତରକୁ, ମୁହୂର୍ତ୍ତେ ବି ସ୍ଥିର ନାହିଁ, ଖାଲି ଟଳମଳ, ଉଠୁପଡ଼ । କେତେଥର ଘର ଉଞ୍ଚର ଢେଉ ଧାଇଁ ଆସି ତା’ ଉପରେ କାଚାଡ଼ି ହେଉଛି, ପୁଣି ଚାହୁଁଚାହୁଁ ହୁଲିଡ଼ଙ୍ଗା ଚଢ଼ିଗଲାଣି ଢେଉ ଉପରକୁ, ପୁଣି କେତେଥର ଡଙ୍ଗା ଲେଉଟୁଛି, ତା’ ଉପରେ ପାଣି ଅଜାଡ଼ି ହେଉଛି; କିନ୍ତୁ ତାକୁ ଭେଳାପରି ବ୍ୟବହାର କରି ଲଟକି ପଡ଼ି ମଣିଷ ସମ୍ଭାଳି ନେଉଛନ୍ତି, ପୁଣି ଉଗୁଡ଼ା ଡଙ୍ଗାକୁ ଲେଉଟାଇ ସିଧାକରି ତା’ ଉପରେ ଚଢ଼ି ଠିଆ ହୋଇ ସେମାନେ ଚାଲିଛନ୍ତି ସତେ ଅବା ସାଧନ ଭାଙ୍ଗିଲାପରି ବାହାଦୂରି ଦେଖାଇ ଦେଖାଇ ।

 

ନୋଳିଆର ସେହି ରୂପକୁ ଦେଖୁଥିଲା ଛଳନା । ସେଥିରେ ନଥିଲା କଅଁଳ ଚିକ୍‍ଣପଣ, ଖୁରରେ ତଞ୍ଛା, ମହମବୋଳା, ରେଶମି ଢିଲା ପଞ୍ଜାବୀ ତଳେ ଓହଳି ଲୋଟୁଥିବା ପାତଳ ଲୁଗାର ଲମ୍ବ କୁଉଁଚ, ସେଠି ନ ଥିବ ଫ୍ୟାକ୍ଟରି ତିଆରି ମନମତାଣିଆ ବାସ୍ନା–ପ୍ରସାଧନର । ସେ ରୂପରେ ନାହିଁ ମୁହଁରେ ଶାନ୍ତ ସୁବୋଧ ଠାଣି, ଆଖିରେ ସୁକୁମାର ନିରାଶ୍ରୟତାର ଭୂମିକା ଯହିଁରେ ଆପେ ସହାନୁଭୂତି ଆସେ, ଗୋଟିଏ ବିଶିଷ୍ଟ ସମାଜରେ ଯାହାକୁ ରୁଚି କି ସଭ୍ୟତା କୁହାଯାଏ କିଛି ନାହିଁ ଏ ଚେହେରାରେ ତହିଁର । ସେ କଣ୍ଟାରେ ତଉଲିଲେ ଏ ରୁକ୍ଷ, ଅମାର୍ଜିତ । ସଭ୍ୟତା ଯେଉଁ ଲୁଗାଖଣ୍ଡିକୁ ଆପଣାର ସ୍ୱରୂପ ଓ ପରିସରର ବଡ଼ ଅଂଶ ବୋଲି ମଣେ, ୟେ ତାକୁ ଅତି ଅନାବଶ୍ୟକ ବୋଲି ମନେ କରେ । ତା’ର ଖୋଲା ଦେହ, ଅଣ୍ଟାରେ ଡୋର, ସେଥିରେ ତିନି ଆଙ୍ଗୁଳ ଓସାରର କନା ଖଣ୍ଡେ, କୌପୁନି ହୋଇ ଖୋଷା ହୋଇଛି, ଦରକାର ପଡ଼ିଲେ କୂଳଆଡ଼କୁ ପିଠି ବୁଲାଇ ତାକୁ ବି ସେ ଖୋଲି ପକାଇ ଚୁପୁଡ଼ି ଦେଇ ପୁଣି ଆଉ ଥରେ ଖୋସିଦିଏ ।

 

ସମୁଦ୍ର କୂଳରେ ସହରର ଲୋକେ ଯେତେବେଳେ ସୌନ୍ଦର୍ଯ୍ୟ ଓ ଭାବର ତନ୍ମୟ ଧ୍ୟାନରେ ବୁଡ଼ି ରହି ପିଣ୍ଡ ଥାପିଥାନ୍ତି, ନୋଳିଆ ସେତେବେଳେ ଗୋଟାଉଥାଏ ପଇସା କି ଆହାର । ସୂର୍ଯ୍ୟାସ୍ତ ବେଳେ ନୋଳିଆର ନଥାଏ ଆକାଶର ନାନା ବର୍ଣ୍ଣର ସୁନ୍ଦର ଛବିଦେଖା କି ଗମ୍ଭୀର ଭାବୁକତାରେ ମୁଣ୍ଡ ନୁଆଁଇ ରହି ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ, ସେ କଙ୍କଡ଼ାଗାତ ଖୋଳି ଖୋଳି କ୍ଷିପ୍ର ଦକ୍ଷ ହାତରେ କଙ୍କଡ଼ା ଧରିବାରେ ମତ୍ତ । କେଡ଼େ ତରତରରେ ସେ ବାଲିରେ ଦୁଇହାତ ଗହୀର ଗାତ ଖୋଳି ପକାଏ, ଗାଲକୁ ବାଲିରେ ପାରିଦେଇ ମୁହଁମାଡ଼ି କରପଟିଆ ହୋଇ ବାଲି ଭିତରକୁ ଭୁଷିହୋଇ ଯାଇ ହାତରେ ଅଣ୍ଡାଳେ, ଅଣ୍ଡାଳେ, ଲାଗୁ ପଛେ ପନ୍ଦର ମିନଟ୍, ଟିକି କଙ୍କଡ଼ାକୁ ଧରି ପକାଇ ଟେକିଆଣି ତା’ ଗୋଡ଼କୁ ଛିଣ୍ଡାଇ ତାକୁ ଅଣ୍ଟିରେ ଖୋଷିଦେଇ ଚାଲେ ଆଉ ଗୋଟାଏ ଗାତ ପାଖକୁ, ଯାଉ ପଛେ ସୂର୍ଯ୍ୟାସ୍ତ ତା’ର ରଙ୍ଗର ସମ୍ଭାର ଘେନି ।

 

ସେହି ନୋଳିଆ ଚଢ଼ି ଚାଲିଛି ପାଣିଘୋଡ଼ା, ଦୁର୍ଦ୍ଦାନ୍ତ ସମୁଦ୍ର ତାକୁ ଯେତେଥର କଚାଡ଼ୁ ସେ ପୁଣି ଯେଉଁ ସବାରକୁ ସେହି ସବାର ।

 

ସେହି ରୂପକୁ ଦେଖୁଥିଲା ଛଳନା, ମଣିଷର ମଣିଷ ରୂପକୁ, ଯେ ଜାଣିଶୁଣି ବିପଦକୁ ଡେଇଁପଡ଼େ, ଲାଭପାଇଁ ନୁହେଁ, ଲାଭର ଚଟକ ସେତିକି ଲୋକ ଦେଖାଣି ପତିଆରା, ସେ ଯାଏ ତାକୁ ସେ ବିପଦ ସଙ୍ଗେ ଖେଳି ମଣିଷପଣିଆ ଦେଖାଇବାକୁ ଭଲ ଲାଗେ ବୋଲି ।

 

ଛଳନାର ଅନ୍ତର ଭିତରେ ଆଉଣ୍ଡି ହେଉଥିଲା ସେହି ରୂପ, ଲାଗୁଥିଲା ଏ ତ ତା’ର ଅତି ଆପଣାର, ଏଇଆକୁ ସେ ଆପଣା ଭିତରୁଗଢ଼ି ଛାଡ଼ିଦେଇଥିଲା କେଉଁ ଅନାଦି କାଳର ପହିଲି ଉଷାରେ, ସେଦିନୁଁ ସେ ଝଡ଼ି ଅନ୍ଧାରମୟ ପ୍ରଳୟ ଭିତରେ ମଣିଷ ସଭ୍ୟତାକୁ ବଞ୍ଚାଇ ରଖିଛି, ଦବିନାହିଁ ।

 

ଏମିତି ଚାଲିଯାଇଛି ସେ ବିପଦ ମଝିକି ବୋଲି, ଘରର ଉଷୁମ୍ ସୁସ୍ଥି ଛାଡ଼ି ବାହାରି ପଡ଼ିଛି ବରଷା ଦୁର୍ଦ୍ଦିନରେ, ଆକାଶରେ ଉଡ଼ିଉଡ଼ି ଧୂଳି ଧୂଆଁ ହୋଇ କେଉଁ ଅଜଣା ଅପନ୍ତରାରେ ଝଡ଼ି ପଡ଼ିଛି, କେତେବେଳେ ହିମାଳୟ ଚଢ଼ି କେଉଁ ହ୍ରଦପାଖେ ବରଫରେ ସମାଧି ପାଇଛି, କେତେବେଳେ ଅଗନାଗ୍ନି ବନସ୍ତ ଭିତରକୁ ଭେଦି ଯାଇ ପଶିଛି ବାଘ ପେଟରେ କେତେଥର ସେ ବୁଲି ଆସିଛି ପୃଥିବୀର ଏମୁଣ୍ଡୁ ସେମୁଣ୍ଡ, ଦୂରତା ଉପରେ ପକାଇ ଦେଇଛି ମଣିଷ ସମ୍ପର୍କର ସେତୁବନ୍ଧ, ଫାଟିପଡ଼ି ବିଛେଇ ହୋଇ ପଡ଼ିଥିବା ମଣିଷ ସମ୍ପର୍କକୁ ଏକାଠି ଗୋଟାଇ ଗୋଟା କରି ଗଢ଼ିଛି, ଅଡ଼ୁଆ ସୂତାକୁ ସଜାଡ଼ିଛି, ଦବିନାହିଁ ।

 

ପ୍ରଶଂସାରେ ଓ ଉଲ୍ଲାସରେ ଛଳନାରେ ଆଖି ବଡ଼ବଡ଼ ହୋଇ ରହିଥିଲା, ଚେତନା ଭିତରେ ଲାଗି ରହିଥିଲା ନାନା ରଙ୍ଗର ମୂଲ୍ୟବୋଧ ଓ ଧାରଣାମାନଙ୍କର ଓଲଟପାଲଟ ଉଠାପଡ଼ା କଚଡ଼ା ଫୋପଡ଼ା, ସବୁ ମିଶି ଗୋଟିଏ ଆନନ୍ଦମୟ ଉଚ୍ଚାଟକର ଅନୁଭୂତି । ବିରାଟ ସହର, ସେଠି ବିରାଟ ଯନ୍ତ୍ରଦାନଵ ହୋଇ ଛାତି ଉପରେ ମାଡ଼ି ବସୁ ନଥିଲା, ସେ ଖାଲି ମଣିଷ ହାତ ତିଆରି ଗୋଟିଏ ସଂସ୍ଥା, ସେଠି ଉଜ୍ଜ୍ୱଳ ଦିଶୁଥିଲେ ପିମ୍ପୁଡ଼ି ଧାରପରି ମଣିଷ, ଲମ୍ବା ଲମ୍ବା ଓସାରିଆ ସଡ଼କ ପଛଆଡ଼େ କୋଡ଼ି, ଶାବଳ, ଟୋକେଇ ଧରି କି ଯନ୍ତ୍ର ଚଢ଼ି ହାତଗୋଡ଼ ମାଳମାଳ, ଭଙ୍ଗାଳି ଗଢ଼ାଳି ହୋଇ ଅକଳନ ଥାଟ, ନାନା ବେଶ, ନାନା ବୋଲି । ପେଟ ଟୁମୁକା କୁଞ୍ଚ ଟେକା ଛାଇ ତଳିଆ ଚେକାମୁହାଁ କଥା ପେଡ଼ିମାନ ନୁହନ୍ତି ଯେ ପାଟି କରନ୍ତି ଏ ମାଟି ଆମର, ଆମେ ଏ ମାଟିର ଛୁଆ, ଆମର ସ୍ୱାର୍ଥ, ଆମର ବଡ଼ତି, ଆମର ଜୟଜୟକାର, ରଡ଼ନ୍ତି ଆମେ-ଆମେ-ଆମେ ଆଗ, ସେ ଛବିରେ ଲାଗି ନଥିଲା ସେଠି ରଙ୍ଗ, ପଡ଼ି ନଥିଲା ଆଲୁଅର ଧାସ, ସେ ଛବି କାହିଁ ଅନ୍ଧାରରେ ମିଶିଯାଇଥିଲା । ଛଳନାର ଛବି ମନରେ ଉଇଁଥିଲେ ଝାଳ ଜିକିଜିକି ସର୍ଜନଶୀଳ ମଣିଷ ଦଳ, ଶ୍ରମିକ, କାରିଗର ଜାତି, ଖଟିବା ଆଉ ଗଢ଼ିବା ଯାହାଙ୍କ ଧର୍ମ, ଅନ୍ୟ ଧର୍ମ ନାହିଁ, ଅନ୍ୟ ପରିଚୟ ନାହିଁ । କେଉଁ ଅରାକରେ କାହା ଘର, କିଏ କେଉଁ ବୋଲିରେ ବୋବାଏ, ସେ ପ୍ରଶ୍ନ ତାଙ୍କ ମୁଣ୍ଡକୁ ଘାରେନାହିଁ, ସେମାନେ ଏକ ଏ ଜଗତସାରା, ହାତରେ ହାତ ଛନ୍ଦାଛନ୍ଦି । ପଥର ଟେକୁଛନ୍ତି ଏକାଠି ମିଶି ଚାରିପଟୁ ଚାରିଆଡ଼ର ଲୋକେ, କିଏ କଳା କିଟିକିଟି, କିଏ ପାତିଗୋରା, କିଏ ହଳଦି ଗରଗର କିଏ ଚୂନଧଳା, କିଏ କେଉଁ ବୋଲି କହେ, କିଏ ଖାଏ ଭାତ, କିଏ ରୁଟି । ସେମିତି ଖଙ୍କା ପେଟ ପିଠିକି ଲାଗିଛି, ଛାତିର ସିନ୍ଧୁକ ଲୁହାବାଡ଼ି ଲୁହା ଗୋବ ମରାହୋଇ ଫଡ଼କି ରହିଛି, ମୋଟା ତାରପରି ଟାଙ୍କି ହୋଇଛି ଶିର ମାଂସର ଦଉଡ଼ି, ମା ଦୁଧ ଖାଇ ଗଢ଼ା ହୋଇଥିଲା ମଣିଷ ଦେହ, ସେ ପାହାଡ଼ ଓପାଡ଼ୁଛି ।

 

ଏଇ ମଣିଷ ! ଏଇ ମଣିଷ ! ଏ ମୋର ! ଏମାନେ ମୋର ! ସେଠି ବି ମୁଁ ! ମୁଁ ଚଢ଼ୁଛି ଏ ଢେଉ ! ମୁଁ ଟେକୁଛି ଏ ପାହାଡ଼ ! ସେହି ବାଣୀ ଥିଲା ତା’ ମନରେ ।

 

ନାହା ଲେଉଟୁଛି ।

 

ସେମାନେ ଅଭ୍ୟର୍ଥନା, ବକ୍ତୃତା, ଫୁଲମାଳ ପାଇଁ ଅଟକିବେ ନାହିଁ । ଗଢ଼ାଳି । ଗୋଟିଏ ସରିଲେ ଆଉ ଗୋଟିଏ ।

 

ଡୋର କୌପୁନି ପିନ୍ଧା । ଚିକ୍‍କଣ କଳା ନୋଳିଆ ଲମ୍ବା ଦଉଡ଼ିକୁ ଅଣ୍ଟାଏ ଉଞ୍ଚରେ ଟେକିଧରି ଏକାଠି ମିଶି ପାଣିରୁ କୂଳକୁ ଭିଡ଼ୁଛନ୍ତି । ଟୋକେଇ ମୁଣ୍ଡେଇ ଜାଲ ଗାଞ୍ଜିଆ ଧରି ଶାମୁକା ଗୋଟେଇବାକୁ ଚାଲିଚନ୍ତି ନୋଳିଆଣୀ, ନାକରେ କାନରେ ନୋଳି, ପାଟିରେ ମୋଟା ପିକା, ଅତି ତରତର ଚାଲି । ନହକା ଚାଲିରେ ନାଚିଲାପରି ଚାଲିଯାଉଚନ୍ତି ପଞ୍ଝା ପଞ୍ଝା ୟୁରୋପୀୟ ଆଉ ମାର୍କିନ୍ ମଣିଷ । ଗଲେ ଶିଖ ପରିବାର, ପତଲୋନ୍, ସାଲୁଆର, ଦାଢ଼ି, ମୋଡ଼ିମୋଡ଼ିକା ପଗଡ଼ି । ମାଲୟାଲୀ ପଞ୍ଝାଟିଏ ଗଲେ, ଚପଲ ଆଖି, ଧଳା ହସ ଉଡ଼ୁଛି, ତରତର ଚାଲି, ମଝିରେ ତାଳପତ୍ର ଛତା ଧରି ଓସାର ଗୋରା କପାଳରେ ଚିତା ନାଇଁ ପ୍ରକାଣ୍ଡ ଆକାର ନିଦାପିଟା ପୁରୀ ପଣ୍ଡା, ପ୍ରଶାନ୍ତ ମୁଁହରେ ମାଲୟାଲୀ ଭାଷାରେ ଯାତ୍ରୀମାନଙ୍କ ସଙ୍ଗେ କଥା କହି କହି ଚାଲିଛନ୍ତି, ପାଟିରେ ବାଟୁଳି ବାଜୁନାହିଁ । ଗଲେ ଛତିଶଗଡ଼ି ଯାତ୍ରୀଦଳ, ଏକାଠି ଚାଳିଶି କି ପଚାଶ, ମହିଳାମାନେ ଗାଢ଼ ନାଲି ନେଳି ବାଇଗଣୀ ଘାଗରା ପିନ୍ଧିଚନ୍ତି, ପୁରୁଷଙ୍କ ଲୁଗା ଆଣ୍ଠୁ ଲୁଚିନାହିଁ, ଉପରେ କଲା ଫତୁଆ କି କୋଟ୍, ମୁଣ୍ଡରେ ରଙ୍ଗରଙ୍ଗର ସୁନ୍ଦର ପଗଡ଼ି, ହଳଦିଆ, ନାଳିଆ ଛିଟ, ଏ ଗଲେ ବିହାର କି ଯୁକ୍ତପ୍ରଦେଶର ଲୋକେ, ଆକାର କହି ଦେଉଛି, ଗଲେ ଗୁଜରାତି ଭଦ୍ରମହିଳା ଶହେ କି ଦେଢ଼ଶ, ସମସ୍ଵରରେ ମଧୁର ଭଜନ ଗାଇ ଗାଇ । ଧାର ଲାଗିଛି ବଙ୍ଗାଳୀ ଯାତ୍ରୀଙ୍କର, ଲୁଗା, ପଞ୍ଜାବୀ, ଚଷମା, ସ୍ତ୍ରୀଲୋକମାନଙ୍କର ଶାଢ଼ି, ଆଉ ଓଡ଼ିଆ ସ୍ତ୍ରୀ ପୁରୁଷ, ସହରର ଲୋକେ ବୁଲି ଆସିଛନ୍ତି, ସେହି ଚିହ୍ନା ଦୃଶ୍ୟ । ଜାତିଜାତିକା । ନାନା ବେଶ । ନାନା ବୋଲି ।

 

ଛଳନା ପୁଣି ସାଧାରଣ ପରିସ୍ଥିତିକୁ ଫେରି ଆସୁଛି । ମନେ ପଡ଼ିଲାଣି, ବାପା, ବୋଉ, ହୋଟେଲ, ଆପଣା କାମ ।

 

କିନ୍ତୁ ମନର ଏ ଅଭ୍ୟସ୍ତ ସ୍ଥିତିରେ ବି ମଣିଷଙ୍କ ଗହଳି ସହଜ ହୋଇ ତା’ ମନରେ ଖାପି ଯାଉଛି, ସବୁ ସତେକି ଚିହ୍ନା ଚିହ୍ନା, ପର ପର ନାହିଁ ।

 

ଆଉ, ହଠାତ୍ ଚାଉଁକିନା ମନେ ପଡ଼ିଲା, ଆଜି ସେ ଯିବଚାଲି ପୁରୀରୁ । ପୁଣି ସ୍ଥାନର ମୋହ ଟଣକି ଉଠିଲା ଆଉ ଲାଗିଲା, ଭୁଲି ଯାଇଥିବା ପୁରୁଣା ବଥା ଧକଧକ ହେଉଛି ଆଉଥରେ-। ଲେଉଟିପଡ଼ି ବାଲି ମଝିରେ ଠିଆହୋଇ ସମୁଦ୍ରଆଡ଼କୁ ଅନାଇଁ ରହିଲା । ଚିକ୍‍କଣ ନେଳି ଚିକ୍‍କଣ ଶାଗୁଆ ପଟିପଟିକିଆ ଦିଶୁଛି । କେତେ ଦୂରରେ ବିରାଟ ଵୃତ୍ତାଂଶ ହୋଇ ଦିଗ୍‍ବଳୟ, ମନ ତେଣେ ଉଡ଼ି ପଳାଉଛି । ଲାଗୁଛି, ଏଇ ସମୁଦ୍ରରେ ମିଶିଯାଇ ସେ ଏଇ ଢେଉପରି ଗଡ଼ୁଥାନ୍ତା-

 

ସତେକି ଚିରକାଳକୁ ଆପଣାଠି ଏ ଦୃଶ୍ୟକୁ ଏ ଭାବକୁ ସମ୍ପାଦିରଖିବ, ଶୋଷିନେଲା ପରି ଚାହାଣି ମେଲିଦେଇ ସେ ସମୁଦ୍ରକୁ ପୁଣି ଅନାଇଁ ରହିଲାଣି । ସମୟବିହୀନା ହୋଇ ସମୁଦ୍ର ସଙ୍ଗେ ମିଶି ଉଠିଲାଣି ପଡ଼ିଲାଣି । ତାଠିଁ ବି ଲାଗି ରହିଲାଣି ପ୍ରବାହ ।

 

କେତେବେଳ ଗଲା ।

 

ତୁନିତାନି ସେ ଚାଲିଗଲା ।

 

"ଶାମୁକା ଆଣିବୁ ?" କାନ୍ତିମୟୀ ପଚାରିଲେ ।

 

"ନା"

 

ହସିଦେଇ ସେ କହିଲେ, "ତେବେ ଆଉ କରୁଥିଲୁ କ’ଣ ଏତେବେଳଯାକେ ? ଆଜି ପରା ଆମେ ପୁରୀରୁ ଯିବା, ଶାମୁକା ନେବାକୁହିଁ ପଡ଼ିବ । ଆଉ ଗୋଟିଏ ଶଙ୍ଖ । ଠାକୁର ଘରେ କାମରେ ଲାଗିବ । ଏଠି କେଡ଼େ ସୁନ୍ଦର ଜଗନ୍ନାଥ ଛବି ମିଳେ, ଆଉ ଯୋଉ ସୁନ୍ଦର ଦଶଅବତାର ଚିତ୍ର, ଏମିତି ଚିତ୍ରକର ଆଉ କୋଉଠି ହେଲେ ନଥିବେ । ନ ହେଲେ ମାହାଳିଆ ଏ ଜଗନ୍ନାଥଙ୍କ ଦେଶ !"

 

"ଦେଖିଛୁ ସେ ଯେଉଁ ଦୁଧଖଡ଼ିର ସାନ ସାନ ମୂର୍ତ୍ତିଟିମାନ ? ଦେଉଳ, ଠାକୁର, ନର୍ତ୍ତକୀ, ନଟରାଜ, କେତେପ୍ରକାର । ଏଡ଼େ ସୁନ୍ଦର କାରିଗରି ଆଉ କୋଉଠି ଅଛି ? ସତେ ଅବା ଜୀଅନ୍ତା ମୂର୍ତ୍ତି, ହସୁଛି, ସତେକି କଥା କହିବ ! ନବା ନାଇଁ ?"

 

"ନିଶ୍ଚୟ ନିଶ୍ଚୟ, ଯାହା ନେଇ ପାରିବା ନେଇଯିବା । ନଇଲେ ଆଉ ନାଇଁ ଲୋ ମା । ତାଲିକା କରିପକା, କରିବୁଟି । ଲେଖ୍ ତୁଳସୀମାଳି, ନିର୍ମାଲ୍ୟ ପୁଟୁଳା, ଖଟା ଖାଇବାକୁ ପଥର ତାଟିଆ, ତୀର୍ଥବାସନ, ସେହି ଯେଉଁ ପାତଳା ପିତଳର ସାନସାନ ଢାଳ ମ, ସେଥିରେ କେଡ଼େ ସୁନ୍ଦର ଚିତ୍ର ଖୋଳା ହୋଇଥାଏ, ବାଘ, ମିରିଗ, ଏମିତି ସବୁ । ଚନ୍ଦନ ପେଡ଼ି, ଚନ୍ଦନ କାଠ । ଆଉ ହଁ, ନାଲି ବେତ ଆଉ ଚିରଣ କନା । ଆଉ କ’ଣ ମନେପକା । ପାସୋରିଦେଲେ ଚଳିବ ନାହିଁ ।

 

ତରୁଣ ରାୟ ଅରାମ୍ ଚୌକିରେ ଆଉଜି ପଡ଼ି ଅଳସେଇ ଅଳସେଇ ବିଡ଼ି ଟାଣୁଥାଏ । କହିଲା, "ମୋ ପେଇଁ ଲେଖ ଖାଲି ଗୋଟିଏ ପଦାର୍ଥ, ପୁରୀର ମାଟି ମୁଠିଏ ।"

 

ଛଳନା କହିଲା, "ମାଟି ତ ଏଠି ମହାଙ୍ଗା, ଖାଲି ବାଲି ।"

 

ତରୁଣ ରାୟ କହିଲା, "ସେଇଆ ହେଲା । ଖାଲି ବାଲି ମୁଠିଏ ।"

 

ମା ଝିଅ ତାକୁ ଚାହିଁଲେ, ସେ ସତେକି ଭବନିମଗ୍ନ । କହିଲା, "ପୁରୀର ସ୍ମାରକ ପୁରୀ ନିଜେ, ଆଉ କିଛି ନାହିଁ । ତେଣୁ ଖାଲି ବାଲି ମୁଠିଏ ।"

 

ତା କଥାରେ ରାଗିଣୀର ଉଦାସ ଆନ୍ତରିକତା ସେମାନଙ୍କୁ ଚକିତ କରିଦେଲା । କାନ୍ତିମୟୀ ଯେପରିକି ଅଧିକ ଔତ୍ସୁକ୍ୟରେ ତୀକ୍ଷ୍ଣଦୃଷ୍ଟିରେ ତା’ ମୁହଁକୁ ଅନାଇଁ ରହିଲେ, ଛଳନାର ତଳପାଟି ଆସ୍ତେ ତଳକୁ ଝୁଲିପଡ଼ି ଦିଶିଲା ଗୋଟିଏ ସାନ ଆଁ ।

 

ତିନିଟା ଦିନ ମୋଟେ ଏଠି ପୁରୀରେ, କିନ୍ତୁ ଏହାରି ଭିତରେ ତରୁଣ ରାୟର ଠାଣିରେ କ’ଣ ଯେମିତି ଆଶ୍ଚର୍ଯ୍ୟ ପ୍ରକାରେ ପରିବର୍ତ୍ତନ ହୋଇଯାଇଛି, ବଙ୍କା ସଳଖ ହୋଇଛି, ଗହୀର ସମତଳ ହୋଇଯାଇଛି, ଅପୂର୍ବ ଭାବୁକତା ସହିତ ଗଭୀର ଆନନ୍ଦ ମିଶି ତା’ ମୁହଁରେ ସ୍ନିଗ୍‍ଧ ଦୀପ୍ତି,–ତାର ବୟସ ତେତେ କମିଯାଇଛି, କଅଁଳ ଛନଛନିଆ ସଜ ପ୍ରଫୁଲ୍ଲ ମୁହଁଟିଏ ।

 

ଟେହିଲା ପରି ଛଳନାର ପାଟିରୁ ବାହାରିଗଲା, "ବାପା, ତୁମେ ଏଥର କବିତା ଲେଖ ।"

 

ତରୁଣ ରାୟ ଚଟ୍‍କରି କହି ଚାଲିଲା, ବିନା ପରିଶ୍ରମରେ,–"କବିତା ବୋଧେ ଲେଖୁଥିଲି ଆଗେ, ଏ ଜନ୍ମରେ ନୁହେଁ, ମୋର ଆର ଜନ୍ମରେ । ତା’ପରେ ଆଉ ନାହିଁ । ଯନ୍ତ୍ରପରି ଏତେ ବାଟ ଚାଲିଚାଲି ଆସିଛି । କେବେ ଯଦି ଆକାଶଆଡ଼କୁ ମୁହଁ ଟେକିଛି ତ ଖାଲି ଅନେଇଁଛି, ଦେଖି ନାହିଁ । ମଣିଷଙ୍କ ସଙ୍ଗେ ସମ୍ପର୍କ ଲଗାଇଛି, ସମ୍ପର୍କଟାକୁ ଖାଲି ବାଟରୁ ଗୋଟେଇଲାପରି ଧରିନେଇଛି, ସେ ବିଷୟରେ କେବେ ଭାବିନାହିଁ । ଏଇ ଧାର, ତୁମେ ଆଉ ମୁଁ", ସେ କାନ୍ତିମୟୀଙ୍କଆଡ଼କୁ ଅନାଇଲା, ତା’ର ଲଙ୍ଗଳା ଚାହାଣିର ନିଷ୍କପଟ ସତ୍ୟରେ ତା’ ତୁଣ୍ଡରୁ ଆଉ ଅନ୍ୟ କଥା ନ ବାହାରୁଣୁ ସେ କଥାର ଧାସ ବାଜି କାନ୍ତିମୟୀ ସତେ ଯେମିତି ବିବ୍ରତ ହୋଇପଡ଼ିଲେ, ଟିକିଏ ରହି ପଦର ବିସ୍ତୃତି ଉପରେ ଆଖି ବୁଲେଇ ଆଣି ଦୀର୍ଘ ନିଶ୍ୱାସ ଓଟାରି ନେଇ ତଳକୁ ଅନାଇ ତରୁଣ ରାୟ ପୁଣି କହିଗଲା,–"ତୁମେ ଆଉ ମୁଁ । ଆମେ ଏତେ ବର୍ଷ ଏତେ ଯୁଗ ପରସ୍ପରକୁ ଦେଖୁଛୁଁ, ପରସ୍ପରର ସ୍ୱର ଶୁଣୁଛୁଁ, ଜଣକର ଦରକାର ହେଲେ ଆଉ ଜଣେ ତା’ ପାଇଁ ବୋଲ କରେ । ଆମେ ଧରି ନେଉଛୁ, ଏମିତି ମଣିଷ ରହନ୍ତି, ଏମିତି ହୁଏ । ପ୍ରକୃତରେ କ’ଣ ତମୁକୁ ମୁଁ କେବେ ଚାହିଁ ରହି ଭାବିଛି ? ବସି ବସି ଦେଖିଛି ? ଭାବିଛି ତୁମକୁ ତୁମେ ବୋଲି ? ଭାବିନାହିଁ, ଦେଖିନାହିଁ । ମନେ ପକାଅ ନୂଆହୋଇ ଆସିଥିଲ ଯେଉଁଦିନ, ସେଦିନ ଦେଖିଥିଲି, ବହୁତ ବର୍ଷର କଥା ।"

 

ଛଳନା ଓ କାନ୍ତିମୟୀ ତୁନି ହୋଇ ବସିଛନ୍ତି । କାନ୍ତିମୟୀ ହାତ ଉପରେ ଗାଲ ଭରା ଦେଇ ତଳକୁ ଚାହିଁଲେଣି । ଛଳନା ତା’ ବୋଉଆଡ଼କୁ ଅନାଇଲା । ଢେଉପରି ଛାତି ଉଠୁଛି ପଡ଼ୁଛି-

 

ତରୁଣ ରାୟ କହିଲା, "ମଣିଷ ଦେଖେ ନାହିଁ, ଭାବେ ନାହିଁ, ପତିଆରା ଦେଖାଇ କହେ ସେ କାମ କରୁଛି, ଏପରି କିଛି କାମ ଅଛି ଯେଉଁଟା ସଚେତ ହୋଇ ବଞ୍ଚିବାଠୁ ବେଶୀ ଜରୁରୀ ?

 

ପୁରୀ ମତେ ସେହି କଥା ଶିଖେଇଲା, ଯେ ମଣିଷ କେଡ଼େ ଭ୍ରମରେ ପଡ଼ି ଅଳିଆ ସଂଗ୍ରହ କରେ, ବାଜେ ଅଦରକାରୀ କଥାଗୁଡ଼ାଏ ମୁଣ୍ଡରେ ପୂରାଇ ଚିରିଗୁଣୀ ଆଲୁଅ ପଛରେ ଧାଇଁ ଧାଇଁ ଆୟୁଷ ଖର୍ଚ୍ଚ କରିଦିଏ ଯନ୍ତ୍ରଣା ଭୋଗେ । ଯେଉଁ ଜହ୍ନ ରାତିକି ମୁଁ ନ ଦେଖି ଛାଡ଼ି ଦେଇଛି, ସେ ମୋର କ୍ଷତି । ଯେତେ ସୂର୍ଯ୍ୟାସ୍ତ ମୁଁ ନ ଦେଖିଲି ସେ ମୋର କ୍ଷତି । ସେ କ୍ଷତି ଆଉ ସୁଧୁରିବ ନାହିଁ । ଆଜି ପୁରୀରୁ ଆମେ ଯିବା; ଏ ସମୁଦ୍ର, ଏ ଦେଉଳ, ଏ ଆକାଶ, ଏ ଶାନ୍ତିର ଆଶ୍ରମ ସାତ ସପନ ହେବ, ଆଜି ମୁକ୍ତିର ମିଆଦ ସରିଲାବେଳକୁ ବନ୍ଧନ ବେଶୀ ବାଧୁଛି ।"

 

ଛଳନା ଠିଆହୋଇ ପଡ଼ି ଉଠି ପଳେଇଲା । କେତେବେଳୁ ତାକୁ ଲାଗୁଥିଲା ତା’ ତଣ୍ଟିରେ କ’ଣ ଅଟକି ଯାଇଛି । ନିଃଶ୍ୱାସ ରୁନ୍ଧି ହେଲାପରି ଲାଗୁଥାଏ । କାନ୍ତିମୟୀ ତରୁଣ ରାୟର ପାଖକୁ ଆସିଲେ । କରରେ ଠିଆହୋଇ ତା’ ମୁଣ୍ଡ ଆଉଁଷିଲେ । କହିଲେ, "ଯାଅ, ବୁଲିଆସ ଟିକିଏ-। ମନଥିଲେ କିଏ କାହାର ମୁକ୍ତି ରୋକିବ ? ଆଖି ଖୋଲିଲେ ପୁରୀ ଦିଶିବ ନାହିଁ ସିନା, ଆଖି ବୁଜିଲେ କ’ଣ ଦିଶିବ ନାହିଁ ।" ତରୁଣ ରାୟ ମୁହଁଟେକି ତାଙ୍କ ମୁହଁକୁ ଅନାଇଲା । କ୍ରମେ ପହଁରି ତା’ ଦୃଷ୍ଟି ଭରାଦେଲା ତାଙ୍କ ଓଠ ଉପରେ । ହସିଦେଇ କାନ୍ତିମୟୀ କହିଲେ "ପଣ୍ଡା ମହାଶୟ ସେହି କଥା କହୁଥିଲେ, ତାଙ୍କଠୁଁ କଥାଟି ମୁଁ ଶିଖିଲି । ମୁଁ ତାଙ୍କୁ କହିଲି ଆଉ ଏତେ ଦୂରରୁ ଆସି ଠାକୁରଙ୍କୁ ଦେଖିଲାଭଳି ଭାଗ୍ୟ ମୋର ହେବନାହିଁ । ସେ କହିଲେ ସତେରେ ଯଦି ଥରେ ମନଦେଇ ଦେଖିପାରିବ, ତେବେ ଆଖି ବୁଜିଦେଲେ ସବୁଦିନେ ଦେଖିପାରିବ ମା’ । ଯୋଉଠି ଥାଅ, ଆଖିବୁଜ, ନିଶ୍ଚଳ ହୋଇ ବସ, ହେତୁ କର । ହେଇ ଦେଖ ବଡ଼ଦାଣ୍ଡ, ଆଗରେ ବଡ଼ଦେଉଳ । ହେଇ ସିଂହଦୁଆରରେ ପଶିଲ, ହେଇ ଉଠିଲ ବାଇଶି ପାହାଚରେ । ହେଇ ବୁଲିଗଲ ବାଁକୁ, ଏକେ ଏକେ ସବୁ ଦିଅଁଙ୍କୁ ଦେଖି ବଡ଼ଦେଉଳ ଭିତରକୁ ଗଲ । ହେଇ ଦେଖ ଆଗରେ ଟେରା ପଡ଼ିଛି, ପଛରେ ଗରୁଡ଼ ସ୍ତମ୍ଭ, କେତେ ଦୀପ ଜଳୁଛି, କେତେ ଭକ୍ତ କେତେ ହରିନାମ ସଂକୀର୍ତ୍ତନ । ମହକ ବସୁଛି ନା-? ହେଇ ଦେଖ କବାଟ ଖୋଲିଗଲା, ଏହି ଦେଖ ଆଳତି ହେଉଛି, ଦୀପ ସଜାହୋଇ ଟେକି ହେଉଛି, ଆଳତି ଆଲୁଅରେ ହେଇ ଦେଖ ଦିଅଁଙ୍କ ଶ୍ରୀମୁଖ, ସେଇ ମୁହଁକୁ ଧ୍ୟାନକର, ଦେଖୁଛ ନା-?" ଆଖିବୁଜି ବସିଥିଲି । ସେ କହୁଥାନ୍ତି ମୁଁ ଦେଖୁଥାଏଁ । ଭାବୁଥାଏ ଦେଖିବାଟା ଆଖି ଡୋଳାରେ ଆସିଛି ନା ମନ ଭିତରେ ଅଛି ? କୋଉବାଟେ ମଣିଷ ଦେଖେ ! ପରିଷ୍କାର ସବୁ ଦିଶୁଥାଏ, ମହାପୁରୁଙ୍କ ବେକରେ ସଜ ପଦ୍ମଫୁଲ, ଦିଅଣା ମରୁଆ ହାର, ଯେମିତିକି ମୁଁ ଠିଆହୋଇ ଦର୍ଶନ କରୁଛି । ପଣ୍ଡା କହିଲେ ଦେଖିଲ ମା’ ? ମୁଁ କହିଲି ହଁ ? ସେ କହିଲେ ସବୁଦିନେ ସଞ୍ଜେ ସକାଳେ ସେମିତି ଦର୍ଶନ କରିବ ମା’ । ଭାଗ୍ୟଥିଲେ କେଉଁଦିନ ଆଖି ଖୋଲିଲେ ବି ଦେଖିବ ଘର ମହାକୁଥିବ, ତମ ହାତରେ ପାଦୁକ ଲାଗିଥିବ, କାଳିଆକୁ ଡାକିଲେ ଝପଟି ଆସେଟି, ଡାକି ପାରିଲେ ହେଲା– । ସେ କହିଲେ, "ଯାହା ମୁଁ ବି କହୁଛି ସେହିଆ, ମନକଲେ ଏ ଘଟ ଭିତରୁ ସୂକ୍ଷ୍ମ ଆତ୍ମା ବାହାରି ଆଖି ପିଛୁଡ଼ାକେ ଯାଇ ଦେଖି ଆସିବ । ମୁକ୍ତି ମଣିଷର ଆପଣା ଭିତରେ ।"

 

ତରକାରି କଥା ନୁହେଁ, ଧୋବାଘରେ ଲୁଗା ପଡ଼ିବା କଥା ନୁହେଁ, ଝିଅପାଇଁ ବରଘର ବୁଝିବା କଥା ନୁହେଁ, ଏ ଘରଣୀରାଣୀ ଏ କି ତତ୍ତ୍ୱ କଥା କହୁଛି ! ତରୁଣ ରାୟ ଆଶ୍ଚର୍ଯ୍ୟ ହୋଇ ସ୍ତ୍ରୀକୁ ଅନଇଲା, ତାଙ୍କ ଆଖିରେ ତେଜ ଝଲସୁଛି କିନ୍ତୁ ଦୃଷ୍ଟି ପଦାକୁ ପଡ଼ିନାହିଁ, ସତେକି ଓଲଟିପଡ଼ି ଭିତରକୁ ମୋହିଁଛି । ସେ ଯେପରିକି ଶୂନ୍ୟକୁ ମୋହିଁ ରହି ଆପଣା ସଙ୍ଗରେ କଥାଭାଷା ହେଉଛନ୍ତି, ସତେକି ଆଖି ଆଗରେ ସ୍ୱାମୀ ନାହିଁ, ଏ ଘର ନାହିଁ, କିଛି ନାହିଁ ।

 

ତରୁଣ ରାୟ ଦୀର୍ଘଶ୍ଵାସ ପକାଇଲା, ଭାବିଲା ଏଠି ଯେ ଯାହା ପାଏ ସେ ଆରଜଣକୁ ଅପହଞ୍ଚ ?

 

ତାପରେ ସେ ଉଠିପଡ଼ି ସମୁଦ୍ର କୂଳକୁ ଏକୁଟିଆ ବୁଲି ଚାଲିଗଲା ।

 

ଦୁଇଘଣ୍ଟାକାଳ ସମୁଦ୍ର କୂଳରେ ଟହଲ ମାରି ମାରି ବସାକୁ ଫେରି ଆସିଲାବେଳକୁ ହସିହସି କାନ୍ତିମୟୀ କହିଲେ, "ଆଜି ମହାପ୍ରସାଦ ଭୋଜନ ଚଞ୍ଚଳ ସାରିଦିଅ ତା’ପରେ ପୁରୀରେ ଶେଷ ବୁଲା । ଲୋକନାଥ ମହାପ୍ରଭୁ, ଶ୍ୟାମାକାଳୀ, ଦକ୍ଷିଣଚଣ୍ଡୀ, ରାମଚଣ୍ଡୀ, ରାଧାବଲ୍ଲଭ ମଠ, ସେଠି ଚୈତନ୍ୟ ମହାପ୍ରଭୁଙ୍କ ପାଦୁକା ଆଉ କନ୍ଥା ଏବେ ବି ସାଇତା ହୋଇଅଛି, ବକୁଳ ମଠ, କେତେ କ’ଣ ଅଛି, ପଣ୍ଡା କହୁଛନ୍ତି ଲାଗିଯିବ ଅଳପକେ ଚାରି ପାଞ୍ଚ ଘଣ୍ଟା ।"

 

ଭୋଜନ ସରିଲା । ରିକ୍‍ସା ଆସିଲା । ଚାଲିଲେ ସେମାନେ ଗୋଟିଏ ଦର୍ଶନୀୟ ସ୍ଥାନରୁ ଅନ୍ୟ ସ୍ଥାନକୁ । ପଣ୍ଡା ଗୁମାସ୍ତା ସ୍ଥାନର ମହିମା ଓ କିମ୍ବଦନ୍ତୀ ବୁଝାଇ ଚାଲିଥାନ୍ତି । ଲେଉଟିଲାବେଳକୁ ବେଳବୁଡ଼ ପାଖ ହେଲାଣି ।

 

ବନ୍ଧାବନ୍ଧି ପାଇଁ ବେଶି କିଛି ନଥିଲା, ମା’ ଝିଅ ଲାଗିଯାଇ ଶୀଘ୍ର ସାରିଦେଲେ । ତା’ ପରେ ମା’ ବସିଲେ ଝିଅର ମୁଣ୍ଡ ବାନ୍ଧି ।

 

ତରୁଣ ରାୟ ହୋଟେଲ ସାମ୍ନା ସଡ଼କ ଉପରେ ଠିଆହୋଇ ସୂର୍ଯ୍ୟାସ୍ତଆଡ଼କୁ ଅନାଇଲେ, ତା’ ପରେ ସମୁଦ୍ର କୂଳେ କୂଳେ ପଶ୍ଚିମଆଡ଼କୁ ଚାଲିଲା ।

 

ସୂର୍ଯ୍ୟ ଧୀରେ ଧୀରେ ଆହୁରି ତଳକୁ ନଇଁ ପଡ଼ିଲାଣି । ତଳେ ଦିଗ୍‍ବଳୟରେ ବହଳ ମେଘ ଟିକିଏ ଅପେକ୍ଷା କରିଛି, ସୂର୍ଯ୍ୟ ସେହି ମେଘଆଡ଼କୁ ନଇଁପଡ଼ିଲା । ଦବି ଦବି ଗଲା । ଅଦୃଶ୍ୟ ହେଲା ମେଘର ପର୍ଦ୍ଦାରେ ଯୋଡ଼ିଏ କଣା, ଜଳନ୍ତା ନିଆଁପରି ଯୋଡ଼ିଏ ଆଖି ସେହି କଣାବାଟେ ଦିଶୁଥାଏ, ସେ ବି ବୁଜିହେଲା । ଦକ୍ଷିଣ ପଶ୍ଚିମଆଡ଼ର ଆକାଶରେ ନାଲିରଙ୍ଗ ଚହଟି ଉଠିଲା, ସେପୁରର ମାୟାଦେଶପରି ନାନା ଆକୃତିର ମେଘ ଦିଶିଲା । ଏମିତି ଏତିକିବେଳେ ପ୍ରତିଦିନ ପନ୍ଦର ମିନିଟ୍‍ଯାକେ ସେ ଦିଶେ, ଗାଁ ଦିଶୁଛି, ଗାଁକୁ ଗାଁ ବାଟ ପଡ଼ିଛି, ଗାଁରୁ ତୋଟାକୁ, କ୍ଷେତକୁ । ତରୁଣ ରାୟ ତନ୍ମୟ ହୋଇ କଳ୍ପନାରେ ନିଜକୁ ଭସାଇଦେଲା ।

 

ଭାବିଲା, ଯେଉଁମାନେ ଏ ପୃଥିବୀରୁ ସବୁଦିନ ପାଇଁ ଚାଲି ଯାଇଛନ୍ତି, ଏ ଦେଶ କଣ ତାଙ୍କର ! ନା ତା’ର ବି ଭବିଷ୍ୟତର ଆଶ୍ରୟସ୍ଥଳୀ ସେହି ଦେଶ !

 

ଆଲୁଅ ମଉଳି ଆସୁଛି । ଅଜଣା ଦୁଃଖର ଭାର ମନ ଭିତରେ ବଢ଼ିବଢ଼ି ଚାଲିଛି । କେତେ ଅଧାସ୍ମୃତି, କେତେ ଅସ୍ପଷ୍ଟ ଧାରଣା ମନଭିତରେ ଉଦୟ ହୋଇ ପୁଣି ବୁଡ଼ିଯାଉଛି । ତା’ର କଅଁଳ ମରମଭାବ ଯେପରିକି ଖଣ୍ଡଖଣ୍ଡ ହୋଇ ଅସଂଖ୍ୟ ମାର୍ଗରେ ଆକର୍ଷିତ ହେଉଛି ଆଉ ସେହି ଓଟରାରେ ତା’ର ଅନ୍ତର କ୍ଷତବିକ୍ଷତ ହେଉଛି । ଛବି ନିଭିଯାଉଛି, ପଶ୍ଚିମ ଆକାଶରେ ନାଲି ଧାସ ନିଭିଯାଉଛି । ଦୂରର ଝାଉଁବଣ ଉପରେ ନୀରବରେ କେତେବେଳୁ ଜହ୍ନ ଆସି ପହଞ୍ଚିଲାଣି ! ଆକାଶ କେଡ଼େ ଗାଢ଼ନେଳି ହୋଇଗଲାଣି । ପରସ୍ତ ପରସ୍ତ ଲଦାଲଦି ମେଘ ଧଳା ଓ କଳାର ନାନାପ୍ରକାର ଭାଗ ଫେଣ୍ଟାଫେଣ୍ଟିରେ ନାନା ଭାବରେ ଚିତ୍ରିତ ହୋଇ ଉଠୁଛି, ତା’ ଧଡ଼ିରେ ରୂପାର ଝାଲ ଯହିଁରେ ଜହ୍ନ ଆଲୁଅ ଲାଗି ହୋଇ ସ୍ଥାନେ ସ୍ଥାନେ ଟୋପି ଟୋପି ସୁନା ଆଉ ରୂପା ଆଉ ତା’ ସନ୍ଧିରେ ଗୋଲ ଗୋଲ ହୋଇ ଆକାଶର ଇନ୍ଦ୍ରନୀଳମଣି ପେନ୍ଥା ପେନ୍ଥା ।

 

ତଳେ ସମୁଦ୍ରରେ ବାଁରୁ ଡାହାଣକୁ ଦାଣ୍ଡିମାଳ ହୋଇ ଚହଲା ଆଲୁଅ ଜଳିଲାଣି ଗଡ଼ିଲାଣି । ଆକାଶ ଚିକ୍‍କଣ ଦିଶିଲାଣି, ତାରା ଫୁଟିଲେଣି ।

 

ଜହ୍ନ ତଳେ ଅତି ଦୂରରେ ଚଢ଼େଇଟିଏ ଉଡ଼ିଉଡ଼ି ଆସୁଛି, ଅଟକୁ ନାହିଁ ।

 

ତରୁଣ ରାୟ ଭାବିଲା, ଏମିତି ଲାଗି ରହିଛି ଏ ଖେଳ ଆଉ ସେବି ତ ଏଇ ଚଢ଼େଇପରି କେଉଁ ଅଜଣା ଆରମ୍ଭରୁ ଅଦେଖା ଶେଷଆଡ଼କୁ ଉଡ଼ି ଚାଲିଛି । କେତେଥର କେତେଠିଁ କେତେ ସକାଳ ଫୁଟିଛି, କେତେଠିଁ କେତେଥର ଦିନ ଝାଉଁଳି ପଡ଼ିଛି, ଆସିଛି ରାତି । ଗୋଟାକ ପରେ ଗୋଟାଏ ହୋଇ କେତେ ଜନ୍ମ ବିତି ଯାଇଛି । ତା’ର ଆମର ଆତ୍ମା ଚାଲିଛି ।

 

ବାଙ୍କ ଜହ୍ନ ଧୀରେ ଧୀରେ ଆକାଶ ପହଁରିବାକୁ ଆରମ୍ଭ କଲାଣି । ସମୁଦ୍ରକୂଳ ଶୂନ୍‍ଶାନ୍-। ପୃଥିବୀର ସ୍ଥଳଭାଗ ଓ ଜଳଭାଗର ସନ୍ଧିରେ ଠାଏ ଠିଆ ହୋଇ ତରୁଣ ରାୟ ନିଜକୁ ନିଜେ ପଚାରିଲା,

 

“ମୁଁ କିଏ ?”

 

ସତେ ଯେପରିକି ନିଜକୁ ଏହି ପ୍ରଶ୍ନଟି ପଚାରି ଉତ୍ତର ଲୋଡ଼ିବା ପାଇଁ ସେ ଏତେ ବାଟରୁ ପୁରୀ ଧାଇଁ ଆସିଥିଲା, ଅପେକ୍ଷା କରି ରହିଥିଲା ଏଇ ମୁହୂର୍ତ୍ତକୁ ।

 

ତାର ଅନ୍ତର ଥରି ଉଠିଲା । ବାରମ୍ବାର ଜପାମନ୍ତ୍ର ପରି ଆପଣା ଭିତରେ ଧ୍ୱାନ୍ତ ହେଲା ସେହି ପ୍ରଶ୍ନ,–ମୁଁ କିଏ ? ବଢ଼ି ବଢ଼ି ଉଠିଲା, ତୋଫାନ ପରି । ସେହି ତୋଫାନ ଭିତରେ ଆଗ କଟିକଟି ଗଲା, ମୁଁ ୟା ନୁହେଁ, ମୁଁ ତା’ ନୁହେଁ । ମୁଁ ନୁହେଁ ଏ ଦୁର୍ବଳ ଦେହ, ହତୋତ୍ସାହ ଧ୍ଵଜଭଙ୍ଗା ମଣିଷ । ମୁଁ ଦରିଦ୍ର ନୁହେଁ, । ମୁଁ ଏ ଦେହ ନୁହେଁ, କେହି ମତେ ଆଘାତ ଦେଇ ପାରିବେ ନାହିଁ । ମୁଁ କୌଣସି ମତବାଦର କୁଞ୍ଚ ଟେକି ଧରି ଚାଲିବା ବେଠିଆ ନୁହେଁ । ମୋର ବନ୍ଧନ ନାହିଁ, ଶଙ୍କା ନାହିଁ, ଦୁଃଖ ନାହିଁ । ସଞ୍ଚୟ ମୋ ପାଇଁ ଆବଶ୍ୟକ ନୁହେଁ, କ’ଣ ହେବ ବୋଲି ଧନ୍ଦିହେବା ଦୁଶ୍ଚିନ୍ତା ମୋର ନୁହେଁ ।

 

ମୁଁ ସଦାମୁକ୍ତ । ମୁଁ ଅଛି । ମୁଁ ସ୍ୱଭାବମୟ ଅବିନାଶୀ ଆତ୍ମା । ମୁଁ କାହାରି ସ୍ୱରୂପକୁ ବଦଳାଇ ପାରିବି ନାହିଁ । ମୋ ଛଡ଼ା କେହି ମତେ ଚିହ୍ନିବେ ନାହିଁ । ମୁଁ ମୋ ବାଟରେ ଚାଲିଛି ଖିଆଲି ବାଟୋଇ, ଠାଏ ହାଣ୍ଡି ବାଡ଼େଇ ଦେଇ ଆଉ ଠାଆକୁ ଯାଉଛି ।

 

ଏ ସଂସାରୀ ଘରକରଣା ଆଙ୍ଗୁଠି ଅଗରେ ଗଣିଲା ପରି କେଇଟା ବର୍ଷର ଖେଳଘରେଇ, ତା’ପରେ ମୂର୍ତ୍ତି ଯିବ ପାଣିକି । ଏତିକିବେଳ ଘେନି ଯେତେ ତଣ୍ଟି କଟାକଟି ଛକାପଞ୍ଝା, ତା’ପରେ ଆଉ ନାହିଁ ।

 

ଏ ବି ହୋଇପାରନ୍ତା ଆନନ୍ଦମୟ ହେବ । ପରମ ଶାନ୍ତିରେ ତା’ର ମନ ପୂରି ଉଠିଲା । ଚମକିପଡ଼ି ଦେଖିଲା, ସମୁଦ୍ର ତା’ର ପାଦ ପଖାଳି ଦେଇ ଘୁଞ୍ଚି ଯାଇଛି ।

 

ଶାନ୍ତି ଓ ଆତ୍ମବିଶ୍ୱାସରେ ଛାତି ଫୁଲେଇ ସମୁଦ୍ର ଉପରର ଶୂନ୍ୟକୁ ଦଣ୍ଡେ ଚାହିଁ ରହିଲା ଦୀର୍ଘ ବେଳାଭୂମିର କଳା ଗାର ଉପରେ ସେହି ଗୋଟିକିଆ ମଣିଷ ।

 

ଏଥର ସେ ଜଗନ୍ନାଥ ଦର୍ଶନକୁ ଯିବ । କାନ୍ତିମୟୀ ଓ ଛଳନା ଅପେକ୍ଷା କରିଥିବେ ।

 

କାନ୍ତିମୟୀ ଝିଅର ମୁଣ୍ଡ ବାନ୍ଧିସାରି ନିଜେ ପ୍ରସ୍ତୁତ ହୋଇ ସମୁଦ୍ରଆଡ଼କୁ ମୁହଁକରି ତୁନି ହୋଇ ବସିଥିଲେ । ପୁରୀ ବୁଲିବୁଲି ସେ ଯେଉଁ ଉତ୍ସାହର ତାତି ଘେନି ଫେରି ଆସିଥିଲେ, ତାହା ଶୀତଳ ହୋଇ ଯାଇଥିଲା । ପଦାକୁ ଯିବାକୁ ମନ ହେଲାନାହିଁ । ମନେ ପଡ଼ିଗଲା, ଅଇଣ୍ଠୁ ସାମନ୍ତସିଂହାର ଟୋକାଟି ଆଉ ଏଣେ ଆସିଲା ନାହିଁ । କେଡ଼େ ଭଲ ହୋଇଥାନ୍ତା ଯଦି ଛଳନାକୁ ତାକୁ ବିଭା ଦେଇ ହୋଇଥାନ୍ତା ! ଆଶା ତେଜିଥିଲା, ଏଇ ଛାଇଲେଉଟାଣି ଛାଇଁଖରାପରି ସେ ବି ମଉଳି ଗଲା । ଯେଉଁଠି ହେଲେ ଯେବେ ହେଲେ ଝିଅଟି ବିଭା ହୋଇଯିବ । ତା’ ପରେ ?

 

ଯେଉଁ କଳ୍ପିତ ଅବସ୍ଥା ମନେମନେ ସେ ଅନେକ ଥର ଭାବନ୍ତି, ସେହି କଥା ପୁଣି ମନେ ପଡ଼ିଗଲା, ଯେପରିକି ଦୁନିଆଯାକର ମଣିଷ ଯେଉଁ ବାଟରେ ଯିଏ ପଞ୍ଝାପଞ୍ଝା ହୋଇ ତାଙ୍କରି ଆଖି ଆଗରେ ଚାଲି ଯାଉଛନ୍ତି, ଏକୁଟିଆ ବସିଛନ୍ତି ସେ ନିଜେ । ଆପଣାଠିଁ ସର୍ଜନର ଝରଣା ଶୁଖିଯାଇଛି, ସେ ଆଉ ମା’ ହେବେ ନାହିଁ ।

 

କେବର କଥା ସେ ! ଛଳନା ପିଲାଟିଏ ହୋଇଥିଲା । ଶୋଇଲା ବିଛଣା ପିଲା ମୂତରେ ଜୁଡ଼ୁବୁଡ଼ୁ ହେଉନାହିଁ, ରାତିରେ ନିଦ ଭାଙ୍ଗୁନାହିଁ । ଥରେ ବିଛଣା ଧରିଲେ ସକାଳ ।

 

କିଏ ଖୋଜିଥିଲା ଏ ଶାନ୍ତି, ଏ ସୁସ୍ଥି, ଏ ନିର୍ଜନତା ? ଥାଆନ୍ତେ ଗୋଠେ ପିଲା, କିଲିକାଲି, ହୁମୁଦୁମୁ, ଗୋଡ଼ିଆଗୋଡ଼ି, ନୁଟୁକୁଟୁ, ହସ, କାନ୍ଦ, ସେହି ହୋଇଥାନ୍ତା ଜୀବନର ପରିବେଷ୍ଟନୀ । ସେମାନେ ଆସିଲେ ନାହିଁ ।

 

ନାଲି ଆକାଶରେ ମାୟା ବସତିର ଛବି ଦେଖୁଛନ୍ତି । କଳ୍ପନାରେ ଲଗାମ ନାହିଁ । ଭାବି ଯାଉଛନ୍ତି । ଏଇ ପରା ସେହି ଦେଶ, ଏ ପୁରର ଅମେଣ୍ଟା ଆଶା ଯେଉଁଠି ସେ ପୁରରେ ମେଣ୍ଟାଇ ହୁଏ । ସେଇଠି ଥିବେ ସେ ପିଲାଏ ତାଙ୍କର, ଯେ ପେଟରେ ରହି ନାହାନ୍ତି । ଆଉ– ।

 

କାନମୁଣ୍ଡା ନାଲି ପଡ଼ି ଯାଉଛି, ମୁହଁ ତାତି ଯାଉଛି ।

 

ଛଳନା ମୁଣ୍ଡ ବାନ୍ଧିସାରି ସମୁଦ୍ରକୂଳକୁ ଗଲା । ସେଠି ଲୋକ ଗହଳି । ଗୋଟିଏ ଅନାଗତ ଆକସ୍ମିକତାକୁ ଆଶା କରି ସେ ଏଣିକି ତେଣିକି ଚାହିଁଲା, ଠାଏ ବସି ରହିଲା । ଲୋକେ ଦଳଦଳ ହୋଇ ଚାଲିଛନ୍ତି । ସାମନ୍ତସିଂହାର ଦିଶୁନାହିଁ । ଯେମିତି ଘର ଅଗଣାରେ ଖରାର ଦାଢ଼ ମାଡ଼ିମାଡ଼ି ଆଗକୁ ଆସେ ପୁଣି ଚାଲିଯାଏ, ସେମିତି ଖରା ପଡ଼ିଥିଲା, ଚାଲିଯାଇଛି ।

 

ଘଣ୍ଟାଏ ପରେ ଯୋଡ଼ିଏ ରିକ୍‍ସାରେ ବାପ, ମା, ଝିଅ ଜଗନ୍ନାଥ ଦର୍ଶନକୁ ଗଲେ । ଜହ୍ନ ରାତିରେ ସଡ଼କ କରେ କରେ ଧାଡ଼ିଧାଡ଼ି ଝାଉଁଗଛ ଅନ୍ଧାର ଓ ଆଲୁଆର ଝଲଝଲ ହୋଇ ଠିଆ ହୋଇଛି । ସ୍ଥାନେ ସ୍ଥାନେ ଝାଉଁତୋଟା ଛାଡ଼ିଛାଡ଼ିକା ଗୋଟିଏ ଗୋଟିଏ କୋଠା । ସମୁଦ୍ର ଗର୍ଜନ ଶୁଭୁଛି । ଆକାଶ ଫରଚା । ଖଣ୍ଡେଦୂର ଉତ୍ତାରୁ ପୁରୁଣା ପୁରୀ ସହର ଆରମ୍ଭହେଲା । ମେଞ୍ଚାମେଞ୍ଚା ଜକାଜକି ଘରମାନ, ପୁରୁଷେ ଉଚ୍ଚ ପିଣ୍ଡା, ସରୁ ଗଳି । ଗହଳି ବଢ଼ି ଯାଉଛି । ଗୀତ ବୋଲିବୋଲି ଧାଡ଼ି ହୋଇ ଚାଲିଛନ୍ତି ଶହେ କି ବିଶାଶହେ ପଶ୍ଚିମା ଯାତ୍ରୀ । ଟିକିଟିକି ଶସ୍ତା ଦୋକାନ ଜାତିଜାତିକା । ଖୋଲା ନର୍ଦ୍ଦମାର ଗନ୍ଧ । ରାସ୍ତାରେ ଗୋରୁଗାଈ ବିଶ୍ରାମ କରୁଛନ୍ତି । ତା’ପରେ ଅଧିକ ଅଧିକ ଦୋକାନ, ବିଜୁଳି ଆଲୁଅ ମାଳମାଳ । ହଠାତ୍ ଚାହିଁ ଦେଖିଲାବେଳକୁ ତରୁଣ ରାୟ ଚମକି ପଡ଼ିଲା । ନିଃଶବ୍ଦରେ କେତେବେଳୁ ଏକ ପ୍ରକାଣ୍ଡ ଛାୟାମୂର୍ତ୍ତି ଆସି ସାମ୍ନାରେ ଠିଆ ହୋଇଛି,–ଜଗନ୍ନାଥ ଦେଉଳ । “ଦେଖ ଦେଖ ଜହ୍ନ ରାତିରେ ଜଗନ୍ନାଥ ଦେଉଳ କେମିତି ଦିଶେ,–“ସେ ବିଳିବିଳେଇଲାପରି କହିଲା ।

 

ସେମାନେ ଦର୍ଶନକୁ ଗଲେ ।

 

ଚାରିଆଡ଼ୁ ସେହିଆଡ଼କୁ ଜନ୍ଦାପିମ୍ପୁଡ଼ି ପରି ଲୋକେ ଧାର ଲାଗିଛନ୍ତି, କିନ୍ତୁ ତରୁଣ ରାୟ ମନେମନେ ଭାବୁଥାଏ, ଏ ଯେପରିକି ବହୁ ଘଟରେ ଏକ ମୂର୍ତ୍ତି । ସେ ତୁନିତୁନି କରି କହିଲା, “ଏମିତି ବି ବିଶ୍ୱାସ ଅଛି ଯେ ଏତିକିବେଳେ ସବୁ ଦେବଦେବୀ ନିଜେ ଆସି ମହାପ୍ରଭୁଙ୍କ ଆଳତି ଦେଖନ୍ତି, ମଣିଷ ରୂପରେ ମଣିଷଙ୍କ ସଙ୍ଗେ ମିଶି ଠିଆ ହୋଇଥାନ୍ତି । ଏଠି କିଏ ଚି ଚିହ୍ନୁଛି କାହାକୁ-?

 

ଅସଂଖ୍ୟ ଠାକୁର । ଅସଂଖ୍ୟ ଭକ୍ତ । ସ୍ଥାନେସ୍ଥାନେ ମାଳମାଳ ହୋଇ ଘିଅଦୀପ ଜଳୁଛି । ନାନା କଣ୍ଠରୁ ନାନା ଭାଷାରେ ହରିଧ୍ଵନି ଉଠୁଛି । କର୍ପୂରଗୋଳା ଘିଅଦୀପ ଆଳତିର ବାସ୍ନା,ପୂଜା ଫୁଲର ବାସ୍ନା । ଝାଞ୍ଜ, ମୃଦଙ୍ଗ ବଜାଇ ସଂକୀର୍ତ୍ତନ କରି କରି ପଞ୍ଝାକୁ ପଞ୍ଝା ଆସୁଛନ୍ତି । ଉପରକୁ ଉପରକୁ ଆହୁରି ଗହଳି ପଢ଼ିଲା । ଅନ୍ଧାର ଓ ଫିକା ଆଲୁଅ ଭିତରେ ଅସଂଖ୍ୟ ଦୀପ ଆଲୁଅ ଓ ଅଗଣିତ ମଣିଷ ମୁଣ୍ଡ ଏକର ସେକର ହେଉଛି । ଗରୁଡ଼ ସ୍ତମ୍ଭ ଯେପରିକି ପ୍ରକାଣ୍ଡ ଆଲୋକସ୍ତମ୍ଭର’ ଚାରିପାଖେ ଘିଅଦୀପ ମାଳମାଳ, ତା’ପରେ ଲହଡ଼ି ଖେଳାଇ ଉଠିଲା ଉତ୍ତାଳ ଶବ୍ଦ ସମୁଦ୍ର, ହରିଧ୍ୱନି ସଂକୀର୍ତ୍ତନ ସବୁ ଏକାଠି । ଦୂରରେ ଦିଶୁଛି ଆଳତି ହେଉଛି, ଅନ୍ଧାରି ଗମ୍ଭୀରାରେ ଲାଗି ରହିଛି ବିନ୍ଦୁବିନ୍ଦୁ ଆଲୁଅର ନୃତ୍ୟର ଚ୍ଛନ୍ଦ । ଧୂଆଁରେ ତେଜ ଲାଗିଛି । ତା’ ସେପାଖେ ମିଞ୍ଜିମିଞ୍ଜି ହୋଇ କଳ୍ପନା କରିହେଉଛି ଆସ୍ଥାନ ଓ ବିଗ୍ରହ ।

 

ଉଚ୍ଛ୍ୱାସରେ ଦପଦପ ହେଉହେଉ ସେମାନେ ଅନୁଭବ କଲେ ଯେ ଗୋଟିଏ ପ୍ରବଳ ସୁଅରେ ପଡ଼ି ଆପେ ତଡ଼ି ହୋଇ ଆଗକୁ ଚାଲିଛନ୍ତି । ପାଞ୍ଚଜଣ ବଳୁଆ ପଣ୍ଡା ହାତ ଧରାଧରି ହୋଇ ଗୋଟିଏ ଘେର କରିଛନ୍ତି, ତାହାରି ଭିତରେ ସେ ତା’ ସ୍ତ୍ରୀ ଓ ତା’ ଝିଅ ମୁଣ୍ଡ ସାଲୁସାଲୁ ମଣିଷ ସୁଅ ଭିତରେ ସଂକୀର୍ଣ୍ଣ ପଥରେ ଗମ୍ଭୀରା ଭିତରକୁ ଛାଲିଛନ୍ତି, ସେହି ଯେଉଁଠି ଆଳତି ଧୂପ ଦିଶୁଛି । ଦେହକୁ ନିଘା ନାହିଁ, ଲୟ ଖାଲି ଆଗକୁ । ସାମ୍ନାରେ ଦିଅଁ, କେତେବେଳେ ତଳେ ପ୍ରଳମ୍ବ ହୋଇପଡ଼ି ଉଠିପଡ଼ି ତରୁଣ ରାୟ ଜଗନ୍ନାଥଙ୍କୁ ଅନାଇଁ ରହିଲା, ସେଇଠି ସେ ହଜିଗଲା ।

କେତେବେଳ ପରେ ଲାଗିଲା, ସେ ସେ ମୁହଁକୁ ଚାହିଁ ଆବିଷ୍କାର କରୁଛି । ସାକ୍ଷାତ୍ ଈଶ୍ୱରଙ୍କ ପ୍ରକାଶର ସ୍ୱରୂପ । ମନୁଷ୍ୟ ମୁହଁନୁହେଁ, କୌଣସି ମୁହଁନୁହେଁ । ମହାଶୂନ୍ୟ । ତାକୁ ନିରେଖି ଚାହିଁଲେ ଦିଶୁଛି, କଳା ଆକାଶରେ ଅସଂଖ୍ୟ ଟିକିଟିକି ଆଲୁଅ ବୁନ୍ଦା ଜିକିଜିକି ହେଉଛି, ଯେପରିକି ଅସଂଖ୍ୟ ଗ୍ରହ ଉପଗ୍ରହ ଖଞ୍ଜି ହୋଇ ସମଗ୍ର ବିଶ୍ୱ । ଗୋଲଗୋଲ ହୋଇ ଆଲୁଅ ମଣ୍ଡଳ ଯୋଡ଼ିଏ, ତା’ ମଝିରେ ପୁଣି ମହାଶୂନ୍ୟର ମହାସୃଷ୍ଟିର ଏକ ପରିକଳ୍ପନାକୁ ମଣିଷର ଆଖିସହା କରି ବିଗ୍ରହ ଗଢ଼ିଛନ୍ତି କେଉଁ ସିଦ୍ଧ, କି ଅପୂର୍ବ ଦିବ୍ୟଦୃଷ୍ଟି ବଳରେ ସେ ସମଗ୍ର ବିଶ୍ୱର ରୂପ ଦେଖିଥିଲେ, ଏଇ ସେ ବିଶ୍ୱର ପ୍ରତୀକ, ତା’ର ପ୍ରତି ପରମାଣୁ, ପୁଣି ତା’ର ବିଶ୍ଵବ୍ୟାପୀ ସମଷ୍ଟି, ସବୁ ସେହି ଅବର୍ଣ୍ଣନୀୟ ଶକ୍ତିର ସୃଷ୍ଟି ଓ ପ୍ରକାଶ । କେବଳ ଗୋଟିଏ ରାଜ୍ୟ ନୁହେଁ, ଗୋଟିଏ ପୃଥିବୀ ନୁହେଁ, ସମଗ୍ର ବିଶ୍ୱ-ଜଗତ୍ ରୂପ ପାଇଛି ଏ ମୁହଁରେ, ଆପଣା ପ୍ରକାଶରେ ପ୍ରକାଶିତ ହୋଇ ଏହି ଜଗନ୍ନାଥ, ତାଙ୍କ ସାମ୍ନାରେ ସେ–ତରୁଣ ରାୟ ।

ତାର ସବୁ ଗୋଳମାଳିଆ ହୋଇଯାଉଛି । କ’ଣ ଭାବୁଛି କୁଆଡ଼େ ଯାଉଛି ବୋଲି ନ ଭାବୁଣୁ ସେ ଦେଖିଲା ଯେ ସେ ଆଉ ସେଠି ନାହିଁ, ପଦାକୁ ଆସିଲାଣି । ଗୋଟାସୁଦ୍ଧା ଝାଳରେ ବୁଡ଼ିଛି । ଛାତି ଥରୁଛି । ଅନୁଭବ କଲା, ଦେହରେ ପବନ ବାଜୁଛି ।

 

ସେମାନେ ଅନ୍ୟାନ୍ୟ ଠାକୁର ଦର୍ଶନରେ ଚାଲିଲେ । କାନ୍ତିମୟୀ ବାଛି ବାଛି ଫୁଲମାଳ କିଣୁଛନ୍ତି–“ଏ ପଦ୍ମ ମାଳଟି ଦିଅ ।” “ଏ ମନ୍ଦାର ମାଳଟି, ସେ ଅପରାଜିତା ମାଳଟି ଦିଅ ।” ବରାଦ ଦେଇ ଦୀପ କିଣୁଛନ୍ତି, “ଭଲକରି କର୍ପୂର ଗୁଣ୍ଡା ଦିଅ । ତୁଣ୍ଡରେ କେତେ ନାମ ଗୁଣୁଗୁଣୁ ହୋଇ କେତେ ଶୁଭ ଆଶାକୁ ଅଳି ଜଣାଣ ଲଗାଇ କେତେ ବିଧି ରକ୍ଷା କରି କରି ଗୋଡ଼ତଳେ ପଡ଼ି ପଡ଼ି ସେ ଚାଲିଛନ୍ତି,–“ନିଅ, ଚାରଣାର ମାଳା, ଚାରଣାର ଦକ୍ଷିଣା ।”

 

ଛଳନା ମା ପଛେ ପଛେ କୁତୂହଳରେ ଚାରିଆଡ଼କୁ ଅନାଇଁ ଅନାଇଁ ଚାଲୁଛି ।

 

ତରୁଣ ରାୟ ଚାଲୁଛି ସତେକି ସ୍ୱପ୍ନରେ । ଗୋଟିଏ ଦିଅଁ ଦେଖିଲାବେଳେ ସେ ଭାବୁଛି ଯେପରିକି ତା’ ପ୍ରତି ସେ ଦିଅଁଙ୍କର କ’ଣ ବିଶେଷ ବାର୍ତ୍ତା ଅଛି ଓ ସେ ବାର୍ତ୍ତା ତାଙ୍କ ଠାଣିରେ ପ୍ରକାଶ ପାଉଛି, ସେ ବିଶିଷ୍ଟ ଠାଣି ତା’ ପାଇଁ ସ୍ୱତନ୍ତ୍ର, ତା’ ପାଇଁ ଉଦ୍ଦିଷ୍ଟ ତେଣୁ ଗହଳି ଭିତରେ ସେ ଏକୁଟିଆ ଚିହ୍ନିବ । ଏମିତି ବିସ୍ମୟକର ସଂକେତ ସେ ଘେନିଥିଲା ବିମଳା ଠାକୁରାଣୀଙ୍କ ଠାଣିରୁ ଓ ତାଙ୍କ ବେକରେ ମାଳା ହଲିବା ଦେଖି । ଭୁବନେଶ୍ୱରୀଙ୍କ ଆଖିକୁ ଚାହିଁ ତାକୁ ଲାଗିଲା ମୁହୂର୍ତ୍ତେ ସେଠି ସେ କ’ଣ ପ୍ରକାଶ ଦେଖିଲା, ମା ଲକ୍ଷ୍ମୀଙ୍କ ହସରେ ସେ ଅନୁଭବ କଲା ତାହାରି ପ୍ରତି ସ୍ୱତନ୍ତ୍ର ସନ୍ଦେଶ । ବିବିଧ ରୂପ ଉହାଡ଼ରେ ଏକ ଅକ୍ଷୟ ଚେତନା ଓ ଶକ୍ତିର ପ୍ରକାଶ, ଏକ ଆତ୍ମା । ଆତ୍ମା, ଆତ୍ମାକୁ ଚିହ୍ନୁଛି । କାହାରିକି କିଛି ମାଗିବାକୁ ତା’ର ନଥିଲା ।

 

ସେମାନେ ଦର୍ଶନ ସାରି ବାହାରିଲେ । ସମସ୍ତେ ପଣ୍ଡାଙ୍କ ଗୋଡ଼ଧୂଳି ନେଇ ମୁଣ୍ଡରେ ମାରିଲେ, ଆଶୀର୍ବାଦ ନେଲେ । ବିଦାକି ଓ ଆଟିକା ପାଇଁ ଟଙ୍କା ଦେଇ ପୁଣି ଗୋଡ଼ତଳେ ପଡ଼ିଲେ-

 

ହସିହସି ପଣ୍ଡା ପଚାରିଲେ, “ଆଉ କିଛି ଆଶା ରହିଲା, କି ? କ’ଣ ଟଙ୍କା ଅଭାବ ହେଉଛି ? କହନ୍ତୁ, ଲାଜ କରନ୍ତୁ ନାହିଁ, ଯାହା ଦରକାର ନେଇଯାଉନ୍ତୁ, ପରେ ପଠାଇଦେବେ । ”ଅଚିହ୍ନା ଲୋକ ପ୍ରତି ଏ ବିଶ୍ୱାସ ଓ ଏ ସାହାଯ୍ୟ ପ୍ରତିଶ୍ରୁତି ଦେଖି କାନ୍ତିମୟୀ ଆଶ୍ଚର୍ଯ୍ୟ ହୋଇଗଲେ-। କିନ୍ତୁ ତରୁଣ ରାୟ ଆଶ୍ଚର୍ଯ୍ୟ ହେଲାନାହିଁ, ତାକୁ ଲାଗିଲା,ଏ ସ୍ୱାଭାବିକ । ସେ ବିନୀତ ହୋଇ ଧନ୍ୟବାଦ ଜଣାଇ ମନା କଲା, ନା ତା’ର ଟଙ୍କା ଦରକାର ନାହିଁ ।

 

ପଣ୍ଡାଗୁମାସ୍ତା ତାଙ୍କୁ ସଙ୍ଗରେ ଘେନି ରେଲଷ୍ଟେସନକୁ ଗଲେ, ଆପଣାର ଲୋକ ପରି ଗାଡ଼ିରେ ଚଢ଼ାଇଦେଇ ବିଦା ହୋଇଗଲେ ।

 

ଅଳ୍ପ ସମୟ ପରେ ଗାଡ଼ି ଛାଡ଼ିଦେଲା । ସେମାନେ ପଛକୁ ଅନାଇ ରହିଲେ । ଧୀରେ ଧୀରେ ପୁରୀ ପଛକୁ ଚାଲିଯାଉଛି । ସହରର ଆଲୁଅ ଦୂରେଇ ଦୂରେଇ ମିଞ୍ଜିମିଞ୍ଜି ହୋଇ ଲୁଚି ଯାଉଛି । ସୁନ୍ଦର ଜହ୍ନରାତି ହୋଇଛି । ଢେଉଢ଼େଉକା ବାଲିପନ୍ତା ପଛକୁ ପଛକୁ ଯାଉଛି । ସମୁଦ୍ର ଦିଶୁନାହିଁ, ତା’ର ଅବସ୍ଥିତି ବାରି ହେଉଛି । ଆକାଶ କଳା ଘୁମର ଦିଶୁଛି । ତାଳବଣିଆରେ ଜହ୍ନ ପଡ଼ିଛି, ପାଖକୁପାଖ ସିଧା ଠିଆହୋଇଛନ୍ତି ତାଳଗଛମାନେ, ସତେ ଅବା କେଉଁ ହଜିଲା ଯୁଗର ଦର୍ଶନ, ବର୍ତ୍ତମାନ ଉଠି ଠିଆ ହୋଇ ଦୂରଯାତ୍ରୀ ରେଲ୍‍ଗାଡ଼ିକୁ ଦେଖୁଛନ୍ତି, ପୁଣି ମନକଲେ ଏହି ମୁହୂର୍ତ୍ତରେ ଅଦୃଶ୍ୟ ହୋଇଯିବେ । ପୁରୀ ପଛେଇ ଯାଉଛି । ବାସି ଲହୁଣୀ ବର୍ଣ୍ଣର ହାଲୁକା ରେଶମି ଘୋରିହେଲା ପରି ଜହ୍ନ ଆଲୁଅ ଦୂରର ଦୃଶ୍ୟକୁ ଢାଙ୍କି ପକାଇଛି । ତରୁଣ ରାୟ ବାରିବାକୁ ଚେଷ୍ଟା କଲା, ଯେଉଁ ଗୋଟିକ ଏ ଦୃଶ୍ୟ ଭିତରେ ଶ୍ରୀମନ୍ଦିର । ଦିଶିଲା ନାହିଁ !

 

ସେହି ଦୂରକୁ ଚାହୁଁଚାହୁଁ ସେ ଭାବିଲା,–ଉପରେ ଆକାଶ, ତଳେ ବସୁଧା, ମଝିରେ ମଝିରେ ଅଲଗା ଅଲଗା ହୋଇ ଯେତେ ଘର ଅଛି, ଏ ସଂସାର ସାରା, ସେଥିରେ ପାର୍ଥକ୍ୟ କେବଳ ସଂସ୍କାରରେ । ସତେକି ଛାତ ନାହିଁ, କାନ୍ଥ ନାହିଁ, ମେଳା ଖୋଲା ପୃଥିବୀ ଦଳଦଳ ହୋଇ ମଣିଷ ପରିବାର ଠାଆକୁ ଠାଆ, ସମସ୍ତିଙ୍କ ଭରସା ସେହି ଏକ ସୃଷ୍ଟିକର୍ତ୍ତା, ପରମେଶ୍ୱର, ସବୁ ମଣିଷ ଭାଇ ଭାଇ ।

 

ଗାଡ଼ି ଭିତରେ ଚାରିଆଡ଼କୁ ଅନଇଲା । ଲୋକେ ଶୋଇଛନ୍ତି । ସବୁ ଏକାଠି ହୋଇ ଏକା ଘର । ସେ ବି ଆଖି ବୁଜିଲା । ଏଥର ଦିଶିଲା ଆଲୁଅ ଜଳଜଳ ପୁରୀ ସମୁଦ୍ର, ଲମ୍ବ ଲାଞ୍ଜି ବାଲିନାସି ଲାବଣ୍ୟ ମଣ୍ଡି ହୋଇ ଶାନ୍ତିରେ ଶୋଇ ରହିଛି, ଗୋଟିକ ପରେ ଗୋଟିଏ ହୋଇ ଢେଉ ଆସି ସେଠି ଅଜାଡ଼ି ହେଉଛି । ଆଉ ଠିଆ ହୋଇଛି ସେହି ମହାମନ୍ଦିର, ତା’ ଉପରେ ପ୍ରକାଣ୍ଡ ନୀଳଚକ୍ର, ଲମ୍ବ ନାଲି ପତାକା ପବନରେ ଫରଫର ଉଡ଼ୁଛି, କେତେ ଦୂରକୁ ଦିଶୁଛି । ଯେଉଁଠି ମଣିଷ ଦିଶୁନାହିଁ, ଘର ଦିଶୁନାହିଁ, ଗଛ ଦିଶୁନାହିଁ, ଏପରିକି ଭୂଇଁ ଦିଶୁନାହିଁ, ଖାଲି ଦିଶୁଛି ଗୋଲ ହୋଇ ଆକାଶ, ସେଠି ବି ଅଛି ସେହି ମନ୍ଦିରର ଚୂଡ଼ା, ସେ ନୀଳଚକ୍ର, ଆଉ ସେହି ନାଲି ପତାକା ।

Image